କଟକ: କଟକର ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପାରିବାରିକ କଳହର କରୁଣ ପରିଣତିର ଚିତ୍ର ଦେଖିବାକୁ ମିଳିଛି। ୨ ବର୍ଷର ଛୁଆର ତଣ୍ଟି କାଟି ସାବତ ମା’ ଝୁଲି ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମଧୁପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି। ମହିଳାଜଣକ ଉକ୍ତ ବ୍ୟକ୍ତିଙ୍କ ଦ୍ୱିତୀୟ ପତ୍ନୀ ହୋଇଥିବା ବେଳେ ପିଲାଟି ପ୍ରଥମ ପତ୍ନୀଙ୍କର ବୋଲି ସୂଚନା ମିଳିଛି। ଏହାସହ ତଦନ୍ତ ଜାରି ରଖିଛି ପୁଲିସ। ତେବେ ଘଟଣା ପଛର କାରଣ ଜଣାପଡ଼ିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଆତ୍ମହତ୍ୟା କରିଥିବା ମହିଳା ସନ୍ତୋଷ ଖୁଣ୍ଟିଆଙ୍କ ସ୍ତ୍ରୀ ଶିଳ୍ପୀ ଖୁଣ୍ଟିଆ । ସ୍ୱାମୀ-ସ୍ତ୍ରୀ ଉଭୟ ପେଶାରେ ଇଞ୍ଜିନିୟର। ସନ୍ତୋଷଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଶିଳ୍ପୀ। ଉଭୟଙ୍କ ମଧ୍ୟରେ ମନ ମାଳିନ୍ୟ ଥିଲା। ତାଙ୍କ ପୁତ୍ରର ନାମ ଶିବାନ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ଦମ୍ପତିଙ୍କ କଳହ ନେଇ ଥାନାରେ ମାମଲା ହୋଇଥିଲା। ସେଠାରେ ସମସ୍ୟାର ସମାଧାନ ହୋଇଥିଲା। ସାବତ ମା’ ଓ ଛୁଆ ମୃତ୍ୟୁର ପ୍ରକୃତ କାରଣ ଉପରୁ ପରଦା ହଟି ନ ଥିବା ବେଳେ ଉଭୟ ପରିବାର ପରସ୍ପର ଉପରେ ଦୋଷାରୋପ କରୁଛନ୍ତି।