କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସ୍ୱାଧୀନ ପ୍ରଧାନ ଗିରଫ

ବୌଦ୍ଧ: ବୌଦ୍ଧର ଯୁବ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲଙ୍କ ବହୁ ଚର୍ଚ୍ଚିତ ଅପହରଣ ଓ ହତ୍ୟା ମାମଲାରେ ବୌଦ୍ଧ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ପେଶାରେ ଜଣେ ଶିକ୍ଷକ ସ୍ୱାଧୀନ କୁମାର ପ୍ରଧାନଙ୍କୁ ପୋଲିସ ଆଜି ଗିରଫ କରିଛି। ସ୍ୱାଧୀନଙ୍କୁ ଗିରଫ କରାଯିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଏହି ହତ୍ୟା ମାମଲାରେ ବୌଦ୍ଧ ମଡେଲ ଥାନା ପୋଲିସ ପୂର୍ବରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ସହିତ ଅଭିଯୁକ୍ତଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିବା ଅଭିଯୋଗରେ ବୌଦ୍ଧ ପୋଲିସର ନିଲମ୍ବିତ ହାବିଲଦାର ଦିଗନ୍ତ ପ୍ରଧାନଙ୍କୁ ମଧ୍ୟ ପୂର୍ବରୁ ଗିରଫ କରାଯାଇଥିଲା। ଆଜି ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ଏହି ଘଟଣାରେ ମୋଟ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ଜିଲ୍ଲା ପୋଲିସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୨ ତାରିଖରେ ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ନିକଟସ୍ଥ ଜଙ୍ଗଲରେ ବିରୂପାକ୍ଷ ଅଗ୍ରୱାଲଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ସମସ୍ତ ଅଭିଯୁକ୍ତ ବୌଦ୍ଧକୁ ଫେରି ଆସିଥିଲେ। ତେବେ ପୋଲିସର ତନାଘନା ଆରମ୍ଭ ହେବା ପରେ ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନ ବୌଦ୍ଧରୁ ଫେରାର ହୋଇଯାଇଥିଲେ।

ଅଭିଯୁକ୍ତ ସ୍ୱାଧୀନଙ୍କୁ ଲୁଚିବାରେ ଏବଂ ଫେରାର ହେବାରେ ନିଲମ୍ବିତ ହାବିଲଦାର ଦିଗନ୍ତ ପ୍ରଧାନ ସମ୍ପୂର୍ଣ୍ଣ ସହାୟତା କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଥିବା ସିସିଟିଭି (CCTV) ଫୁଟେଜରୁ ଜଣାପଡିଛି ଯେ, ଦିଗନ୍ତ ନିଜ ମୋଟରସାଇକେଲରେ ସ୍ୱାଧୀନଙ୍କୁ ବାଘିଆପଡା ଅଞ୍ଚଳରେ ଛାଡିଥିଲେ। ଏହି ଆଧାରରେ ପୋଲିସ ଦିଗନ୍ତଙ୍କୁ ଅପରାଧୀକୁ ଆଶ୍ରୟ ଦେବା ଏବଂ ସହାୟତା କରିବା ଅଭିଯୋଗରେ ଗିରଫ କରିଥିଲା। ବର୍ତ୍ତମାନ ସ୍ୱାଧୀନଙ୍କ ଗିରଫଦାରୀ ପରେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

About The Author: Madhusudan Das