ସ୍ୱାମୀର ଦରମା ୧୭ ହଜାର, ସ୍ତ୍ରୀ ପିଉଥିଲା ୪୦୦ ଟଙ୍କାର କଫି; କଳି କରି ସ୍ୱାମୀର ଜିଭ କାଟିଦେଲା ସ୍ତ୍ରୀ

ଉତ୍ତର ପ୍ରଦେଶର ଗାଜିଆବାଦରୁ ଏକ ହୃଦୟ ବିଦାରକ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋଦିନଗର ଅଞ୍ଚଳରେ ଈଷା ନାମକ ଜଣେ ମହିଳା ପାରିବାରିକ କଳହ ସମୟରେ ନିଜ ସ୍ୱାମୀ ବିପିନଙ୍କ ଜିଭକୁ ଦାନ୍ତରେ କାଟି ଶରୀରରୁ ଅଲଗା କରିଦେଇଛନ୍ତି। ଡାକ୍ତରଙ୍କ କହିବା ମୁତାବକ, ବିପିନଙ୍କ ଜିଭର ରକ୍ତ କୋଷିକା ସମ୍ପୂର୍ଣ୍ଣ ରୂପେ କଟିଯାଇଛି, ଯାହା ଫଳରେ ସେ ଆଉ କେବେ ମଧ୍ୟ କଥା କହିପାରିବେ ନାହିଁ।

ଏହି ଘଟଣା ପରେ ବିପିନ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ତାଙ୍କ କଟା ଜିଭର ଟୁକୁଡାକୁ ଏକ କପଡାରେ ଗୁଡାଇ ଫ୍ରିଜରେ ରଖିଛନ୍ତି। ବିପିନଙ୍କ ଭାଇ ସନି କହିଛନ୍ତି ଯେ, ଭବିଷ୍ୟତରେ କୋର୍ଟ କିମ୍ବା ପୋଲିସ ନିକଟରେ ଅଭିଯୁକ୍ତ ପତ୍ନୀଙ୍କ ବିରୋଧରେ ଦୃଢ ପ୍ରମାଣ ଦେବା ପାଇଁ ସେମାନେ ଏହାକୁ ସାଇତି ରଖିଛନ୍ତି।

ସ୍ୱାମୀର ଦରମା ୧୭ ହଜାର, ସ୍ତ୍ରୀର ସଉକ ଦାମୀ କଫି

ବିପିନଙ୍କ ସାଙ୍ଗସାଥୀ ଏବଂ ପରିବାର ଲୋକଙ୍କ କହିବା ଅନୁଯାୟୀ, ଈଷାଙ୍କ ଚରିତ୍ର ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ଏହି ବିବାଦର ମୁଖ୍ୟ କାରଣ ଥିଲା। ବିପିନ ଏକ ୱେଲଡିଂ ଫ୍ୟାକ୍ଟ୍ରିରେ କାମ କରି ମାସକୁ ମାତ୍ର ୧୭ ରୁ ୧୮ ହଜାର ଟଙ୍କା ରୋଜଗାର କରନ୍ତି। କିନ୍ତୁ ତାଙ୍କ ସ୍ତ୍ରୀ ଈଷା ମଦ, ସିଗାରେଟ୍ ଏବଂ ଦାମୀ ରେଷ୍ଟୁରାଣ୍ଟରେ ପାର୍ଟି କରିବାକୁ ପସନ୍ଦ କରୁଥିଲେ। ସେ ୪୦୦ ଟଙ୍କାର କଫି ପିଇବା ସହ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲିବା ପାଇଁ ସ୍ୱାମୀଙ୍କୁ ଟଙ୍କା ମାଗୁଥିଲେ। ବିପିନଙ୍କ ଘରୁ ଗର୍ଭପାତ ଔଷଧ ଏବଂ ସିଗାରେଟ ଟୁକୁଡା ମଧ୍ୟ ମିଳିଛି।

ଜାତକ ମିଳୁନଥିଲା, ତଥାପି ହୋଇଥିଲା ବାହାଘର

ବିପିନଙ୍କ ପିତା ରାମଅବତାର ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଋଣ କରି ଏହି ବିବାହ କରାଇଥିଲେ। ବିବାହ ସମୟରେ ପଣ୍ଡିତ ଜାତକ ମିଳୁନଥିବା ନେଇ ଚେତାବନୀ ଦେଇଥିଲେ ମଧ୍ୟ ମଧ୍ୟସ୍ଥିଙ୍କ ଚାପରେ ବିବାହ ହୋଇଥିଲା। ବର୍ତ୍ତମାନ ବିପିନଙ୍କ ମାଆଙ୍କ ଅଭିଯୋଗ କ୍ରମେ ମୋଦିନଗର ପୋଲିସ ଅଭିଯୁକ୍ତ ଈଷାଙ୍କୁ ଗିରଫ କରି ଜେଲ ପଠାଇଛି ଏବଂ ଘଟଣାର ଅଧିକ ତଦନ୍ତ କରୁଛି।

About The Author: Tapas Ranjan Nanda