ଭୁବନେଶ୍ବର: ବାଇକ ଚୋରକୁ ଧରାଇଲା ଫାଇନ୍। ବିନା ହେଲାମେଟରେ ଚୋର ଗାଡି ନେଇ ପଳାଉଥିବା ବେଳେ କ୍ୟାମେରାରେ କଏଦ ହେଲା ଦୃଶ୍ୟ। ମାଲିକଙ୍କ ପାଖକୁ ଆସିଲା ଫାଇନ ମେସେଜ। ଏହା ପରେ କଳେବଳେ କୌଶଳେ ଧରାପଡ଼ିଲା କରିତକର୍ମା ଚୋର। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱରରେ। ଲିଙ୍ଗରାଜ ଥାନା ପୁଲିସ ଚୋରକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛ ।
ଖବର ଅନୁଯାୟୀ, ଘଟଣାଟି ଗତ ୧୫ ତାରିଖ ଦିନର। ଭୀମଟାଙ୍ଗି ଅଞ୍ଚଳର ଜଣେ ଯୁବକ ନିଜର ନାଲି ରଙ୍ଗର ସ୍କୁଟି ପାର୍କିଂ କରି ପୁରୁଣା ଭୁବନେଶ୍ୱରସ୍ଥିତ ମୂଳା ପଡ଼ିଆରେ କ୍ରିକେଟ ଖେଳୁଥିଲେ। ଖେଳ ସାରି ଆସିବା ବେଳକୁ ଗାଡିଟି ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ଏ ନେଇ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ। ଏତଲା ଦେଇସାରି ଘରକୁ ଯାଇ ପହଞ୍ଚିବା ବେଳକୁ ହଠାତ ତାଙ୍କ ମୋବାଇଲକୁ ଏକ ଫାଇନ ମେସେଜ ଆସିଥିଲା। ଚୋର ବିନା ହେଲାମେଟରେ ଗାଡି ଚଳାଉଥିବା ବେଳେ NH ଉପରେ ଫାଇନ କଟିଥିଲା । ଏ ହେଉଛି ଚାଲାଣ କଟିବା ବେଳର ଫଟୋ। ଏଭଳି ମେସେଜ ପାଇବା ପରେ ତୁରନ୍ତ ପୁଲିସ ଷ୍ଟେସନର ଦ୍ୱାରସ୍ଥ ହୋଇଥିଲେ ଏତଲାକାରୀ ଜଣଙ୍କ। ଯାହାକୁ ନେଇ ପୁଲିସ ଆରମ୍ଭ କରିଥିଲା ତନାଘନା। ଶେଷରେ ଚୋର ଚୋରି ଗାଡିଟିକୁ କଟକରେ ବିକ୍ରି କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିଲା । ଗାଡିଟିକୁ ଉଦ୍ଧାର କରିବା ସହ ଚୋରକୁ ଅଟକ ରଖିଛି ପୁଲିସ।