ମହାରାଷ୍ଟ୍ରର ବିଡ୍‌ରେ ଅମାନବୀୟ ଘଟଣା: ୧୭ ବର୍ଷୀୟା ବିବାହିତାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ଖୁଣ୍ଟରେ ବାନ୍ଧିଦେଲେ ଦୁର୍ବୃତ୍ତ

ମହାରାଷ୍ଟ୍ରବିଡ୍ ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଏବଂ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷୀୟା ବିବାହିତା ମହିଳାଙ୍କୁ ଅଧାରାତିରେ ଘରୁ ଅପହରଣ କରାଯାଇ ଦୁଷ୍କର୍ମ କରାଯିବା ପରେ ଗାଁର ଏକ ସାର୍ବଜନୀନ ଖୁଣ୍ଟରେ ବାନ୍ଧି ଦିଆଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ମହିଳାଙ୍କ ସୁରକ୍ଷା ଉପରେ ପୁଣିଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଧାରାତିରେ ଅପହରଣ ଓ ପାଶବିକ ଅତ୍ୟାଚାର

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଡ୍ ଜିଲ୍ଲା ପିମ୍ପଲନେର ଥାନା ଅନ୍ତର୍ଗତ ହିବରାପହାଡ଼ୀ ଗାଁରେ ଏହି ବର୍ବରକାଣ୍ଡ ଘଟିଛି। ପୀଡ଼ିତା ଜଣକ ରାତିରେ ଶୋଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଘରୁ ଉଠାଇ ନେଇଥିଲେ। ଏହାପରେ ତାଙ୍କ ସହ ବଳାତ୍କାର କରିବା ସହ ଅମାନବୀୟ ଅତ୍ୟାଚାର କରିଥିଲେ। ପାଶବିକତାର ସୀମା ଅତିକ୍ରମ କରି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଗାଁର ଚାବଡ଼ି (ସାର୍ବଜନୀନ ସ୍ଥାନ)ରେ ଥିବା ଏକ ଖୁଣ୍ଟରେ ବାନ୍ଧି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସକାଳୁ ଉଦ୍ଧାର କଲେ ଗ୍ରାମବାସୀ

ସକାଳ ହେବା ପରେ ଗାଁ ଲୋକେ ମହିଳାଙ୍କୁ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପୀଡ଼ିତା ଜଣକ କାନ୍ଦି କାନ୍ଦି ସାହାଯ୍ୟ ପାଇଁ ନିବେଦନ କରୁଥିଲେ ମଧ୍ୟ ପ୍ରଥମେ କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ। ପରେ ଗାଁର ସରପଞ୍ଚ ଏବଂ ପୀଡ଼ିତାଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ପୀଡ଼ିତା ଜଣକ ଗଭୀର ମାନସିକ ଆଘାତରେ ଥିଲେ। ଦୁଇ ଦିନ ପରେ ସାହସ ଜୁଟାଇ ସେ ନିଜ ପରିବାର ସହ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତ ଗିରଫ

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପିମ୍ପଲନେର ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୈଭବ ପଟେକରକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ପରେ ତାକୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ପୋଲିସ ଏବେ ଘଟଣାର ଅଧିକ ଖୋଳତାଡ଼ କରୁଛି।

About The Author: Suryakanta