ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ବେକାରି ସଂଖ୍ୟାରେ ଢ଼େର ବୃଦ୍ଧି ଘଟିବାରେ ଲାଗିଛି। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଭାବେ ନିଯୁକ୍ତି ସୃଷ୍ଟି ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ଏଭଳି ସ୍ଥଳେ ଦେଶରେ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ କେନ୍ଦ୍ରୀୟ ପିଏସ୍ୟୁଗୁଡିକ ବିଫଳ ହୋଇଥିବା ଜଣାଯାଇଛି। ଗତ ଏକ ଦଶନ୍ଧି ବା ୧୦ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗଗୁଡ଼ିକରେ ନିଯୁକ୍ତି (ସିପିଏସ୍ଇ)ଗୁଡିକରେ ଚାକିରି ସଂଖ୍ୟାରେ ୨.୭୦ ଲକ୍ଷ ହ୍ରାସ ଘଟିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସର୍ଭେରୁ ଜଣାପଡିଛି। ସିପିଏସ୍ଇଗୁଡିକରେ ସ୍ଥାୟୀ କର୍ମଚାରୀ ସଂଖ୍ୟାରେ ହ୍ରାସ କରାଯାଉଥିବାବେଳେ ଚୁକ୍ତିଭିତ୍ତିକ ନିଯୁକ୍ତି ବଢ଼ିବାରେ ଲାଗିଛି। ସିପିଏସ୍ଇରେ କାର୍ଯ୍ୟରତ ମୋଟ କର୍ମଚାରୀ ସଂଖ୍ୟାର ୪୨.୫% ହେଉଛନ୍ତି ଚୁକ୍ତିଭିତ୍ତିକ କିମ୍ବା ସାମୟିକ ବର୍ଗର ବୋଲି ସର୍ଭେରେ କୁହାଯାଇଛି।
ଏହି ସର୍ଭେ ଦେଶର ୩୮୯ ସିପିଏସ୍ଇକୁ ନେଇ କରାଯାଇଛି। ୨୦୧୨-୧୩ରୁ ୨୦୨୧-୨୨ କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗଗୁଡ଼ିକ ଦେଉଥିବା ନିଯୁକ୍ତି ସମ୍ପର୍କରେ ସର୍ଭେ ରିପୋର୍ଟରେ ବିଶ୍ଳେଷଣ କରାଯାଇଛି। ସର୍ଭେରେ ସ୍ଥାନ ପାଇଥିବା ଏହି କମ୍ପାନୀଗୁଡିକ ହେଉଛନ୍ତି ସିପିଏସ୍ଇ, କେତେକ ନିର୍ଦ୍ଦିଷ୍ଟ ନିଗମ ଏବଂ ସହାୟକ କମ୍ପାନୀ, ଯେଉଁଗୁଡିକରେ ୫୦ ପ୍ରତିଶତରୁ ଅଧିକ ଇକ୍ୱିଟି କେନ୍ଦ୍ର ସରକାରଙ୍କ ପାଖରେ ରହିଛି। ସର୍ଭେରୁ ଜଣାପଡିଛି ଯେ ମାର୍ଚ୍ଚ ୨୦୧୩ରେ ଦେଶରେ କେନ୍ଦ୍ରୀୟ ପିଏସ୍ୟୁଗୁଡିକରେ ୧୭.୩ ଲକ୍ଷ କର୍ମଚାରୀ ନିଯୁକ୍ତ ଥିଲେ। ମାର୍ଚ୍ଚ ୨୦୨୨ ବେଳକୁ କର୍ମଚାରୀ ସଂଖ୍ୟାରେ ୨.୭୦ ଲକ୍ଷ ହ୍ରାସ ଘଟି ତାହା ୧୪.୬୦ ଲକ୍ଷରେ ପହଞ୍ଚିଛି। ସର୍ବେକ୍ଷଣରେ ସାମିଲ ୩୮୯ ସିପିଏସ୍ଇ ମଧ୍ୟରୁ ୨୪୮ଟି ବର୍ତ୍ତମାନ କାର୍ଯ୍ୟକ୍ଷମ। ଅପରପକ୍ଷେ ସିପିଏସ୍ଇଗୁଡିକରେ ନିଯୁକ୍ତି ବ୍ୟବସ୍ଥା ଏହି ଏକ ଦଶକ ମଧ୍ୟରେ ବ୍ୟାପକ ପରିବର୍ତ୍ତନ କରାଯାଇଛି।
ମାର୍ଚ୍ଚ ୨୦୧୩ରେ ମୋଟ ୧.୭୦ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ୧୭ ପ୍ରତିଶତ ଚୁକ୍ତି ଭିତ୍ତିକ କର୍ମଚାରୀ ହୋଇଥିବାବେଳେ ୨.୫ ପ୍ରତିଶତ ସାମୟିକ/ ଦୈନିକ କର୍ମଚାରୀ। ତେବେ ସୁବଠାରୁ ଗୁରୁତ୍ବର୍ଣ୍ଣ କଥା ହେଉଛି ୨୦୨୨ରେ ଏହି ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସଂଖ୍ୟା ୩୬%କୁ ବୃଦ୍ଧି କରାଯାଇଛି। ଅପରକ୍ଷେ ସାମୟିକ କର୍ମଚାରୀଙ୍କ ସଂଖ୍ୟାରେ ୬.୬ ପ୍ରତିଶତ ବୃଦ୍ଧି କରାଯାଇଛି। ୨୦୨୨ ମାର୍ଚ୍ଚ ସୁଦ୍ଧା ସିପିଏସ୍ଇରେ ନିୟୋଜିତ କର୍ମଚାରୀମାନଙ୍କ ମଧ୍ୟରୁ ୪୨.୫ ପ୍ରତିଶତ ଚୁକ୍ତିଭିତ୍ତିକ କିମ୍ବା ସାମୟିକ କର୍ମଚାରୀ ବର୍ଗର। ୨୦୧୩ ମାର୍ଚ୍ଚରେ ସିପିଏସ୍ଇରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରୁ କେବଳ ୧୯ ପ୍ରତିଶତ ଚୁକ୍ତିଭିତ୍ତିକ କିମ୍ବା ସାମୟିକ କର୍ମଚାରୀ ବର୍ଗର ରହିଥିଲେ।
ସର୍ଭେରୁ ଜଣାପଡିଛି ଯେ ମୋଟ ୭ଟି ସିପିଏସ୍ଇ, ଯେଉଁଠାରେ ଗତ ୧୦ ବର୍ଷ ମଧ୍ୟରେ ସେମାନଙ୍କର ମୋଟ ନିଯୁକ୍ତିରୁ ୨୦,୦୦୦ ଚାକିରି କାଟ୍ କରିଛନ୍ତି। ଏହି ତାଲିକାରେ ବିଏସ୍ଏନ୍ଏଲ୍ ସର୍ବାଗ୍ରେ ରହିଛି। ଏହି ୧୦ ବର୍ଷ ମଧ୍ୟରେ ବିଏସ୍ଏନ୍ଏଲ୍ ଏହାର ନିଯୁକ୍ତିରେ ପ୍ରାୟ ୧.୮ ଲକ୍ଷ ହ୍ରାସ ଘଟାଇଛି। ଏହା ପରେ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ଏବଂ ଏମ୍ଟିଏନ୍ଏଲ୍ ରହିଛନ୍ତି। ଉଭୟ କେନ୍ଦ୍ରୀୟ ପିଏସ୍ୟୁ ଏହି ସମୟ ମଧ୍ୟରେ ୩୦,୦୦୦ରୁ ଅଧିକ ଚାକିରି ହଟାଇଛନ୍ତି। ଉଦାହରଣ ସ୍ୱରୂପ, ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ ୨୦୨୧-୨୨ରେ ଦେଶର ଶ୍ରେଷ୍ଠ ୧୦ କ୍ଷତିଗ୍ରାର ଚାଲୁଥିବା ସିପିଏସ୍ଇ ତାଲିକାରେ ସ୍ଥାନ ପାଇଛନ୍ତି। ଏହାଛଡା ଏୟାର ଇଣ୍ଡିଆର ଘରୋଇକରଣ ଯୋଗୁ ସେଠାରେ ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ଉଭେଇଯାଇଛି। ଚାକିରି ଦେବାରେ ବିଫଳ ହୋଇଥିବା ଶୀର୍ଷ କେନ୍ଦ୍ରୀୟ ପିଏସ୍ୟୁ ଏହି ତାଲିକାରେ, ସେଲ୍ ଏବଂ ଓଏନ୍ଜିସି ସାମିଲ ହୋଇଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସର୍ଭେ ରିପୋର୍ଟରେ କୁହାଯାଇଛି।