ନୂଆଦିଲ୍ଲୀ : ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ଆକ୍ଟ (ପିଆରପି ନିୟମ), ୨୦୨୩ କାର୍ଯ୍ୟକାରୀ କରିଛନ୍ତି। ସରକାର ଗେଜେଟ ବିଜ୍ଞପ୍ତି ଜାରି କରି ଏହାର ନିୟମାବଳୀ ପ୍ରକାଶ କରିଛନ୍ତି। ଏହା ସହିତ ଆଇନ ୨୦୨୪ ମାର୍ଚ୍ଚ ପହିଲାରୁ ଲାଗୁ ହୋଇଛି । ଏଣିକି ଖବରକାଗଜ ଏବଂ ପତ୍ରିକା ଗୁଡ଼ିକର ପଞ୍ଜୀକରଣ ପିଆରପି ଅନୁଯାୟୀ ହେବ।
ବିଜ୍ଞପ୍ତି ଅନୁଯାୟୀ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ- ପିଆରଜିଆଇ (ତତ୍କାଳୀନ ରେଜିଷ୍ଟ୍ରାର ଅଫ୍ ନ୍ୟୁଜ୍ପେପର୍ସ ଫର୍ ଇଣ୍ଡିଆ- ଆର୍ଏନ୍ଆଇ)ଙ୍କ କାର୍ଯ୍ୟାଳୟ ନୂଆ ଆଇନର ତଦାରଖ କରିବ । ନୂଆ ଆଇନରେ ଦେଶରେ ଖବରକାଗଜ ଏବଂ ଅନ୍ୟାନ୍ୟ ପତ୍ରିକାର ପଞ୍ଜୀକରଣ ସୁବିଧା ପାଇଁ ଏକ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ପଦକ୍ଷେପ ଏବଂ ଅନୁମୋଦନ ସହିତ ଜଡିତ ପ୍ରଚଳିତ ମାନୁଆଲ, ଜଟିଳ ପ୍ରକ୍ରିୟାକୁ ଏହି ନୂତନ ବ୍ୟବସ୍ଥା ବଦଳାଇ ଦେଇଛି।
ପ୍ରକାଶକମାନଙ୍କ ପାଇଁ ଅନାବଶ୍ୟକ ସମସ୍ୟା ସୃଷ୍ଟି କରୁଥିବା ନିୟମକୁ ହଟାଇ ଦିଆଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ନୂଆ ଆଇନ ଅନୁଯାୟୀ ବିଭିନ୍ନ ଆବେଦନ ଗ୍ରହଣ ନିମନ୍ତେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ଅନଲାଇନ୍ ପୋର୍ଟାଲ ପ୍ରେସ୍ ସେବା ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏବେ ସମସ୍ତ ଆବେଦନର ସମାଧାନ ଅନ୍ଲାଇନ୍ ମାଧ୍ୟମରେ କରାଯିବ।