ନୂଆଦିଲ୍ଲୀ: ଇତିମଧ୍ୟରେ ବର୍ଷ ୨୦୨୩ର ଅଧା ସମୟ ଅତିକ୍ରମ କରିଗଲାଣି। ବର୍ଷର ପ୍ରଥମ ଛଅ ମାସରେ ବିଶ୍ୱସ୍ତରରେ ଚାକିରି ସଙ୍କଟ ଏତେ ଗମ୍ଭୀର ରୂପ ନେଇଛି ଯେ, ଏହାକୁ ନେଇ ଚାରିଆଡେ ଏକ ଭୟର ବାତାବରଣ ଖେଳିଗଲାଣି। ବର୍ଷର ପ୍ରଥମ ୬ମାସରେ ସାରା ବିଶ୍ବରେ ୨.୧୨ ଲକ୍ଷରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଏଥିରେ ବଡ଼ ଟେକ୍ ଫାର୍ମ ହେଉ କିମ୍ବା ଷ୍ଟାର୍ଟଅପ୍ ସମସ୍ତଙ୍କ କ୍ଷେତ୍ରରେ ପରିସ୍ଥିତି ସମାନ। ବିଶ୍ୱସ୍ତରରେ ହେଉଥିବା ଛଟେଇ ଘଟଣା ନେଇ ଚାରିଆଡେ ଏବେ କର୍ମଚାରୀଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।
୨୦୨୩ ବର୍ଷର ପ୍ରଥମ ଛଅ ମାସରେ, ବିଶ୍ୱ ଟେକ୍ନୋଲୋଜି କ୍ଷେତ୍ରରେ ପରିସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛ। ଟ୍ରାକିଂ ସାଇଟ୍ ଲେଅଫସ୍ ଡଟ୍ଏଫ୍ୱାଇଆଇର ସାରା ବିଶ୍ବରେ ହେଉଥିବା ଛଟେଇ ନେଇ ତଥ୍ୟ ଦେଇଥାଏ। ରିପୋର୍ଟ ଅନୁଯାୟୀ, ୨୦୨୩ ଜୁନ୍ ୩୦ ସୁଦ୍ଧା, ୮୧୯ ଟେକ୍ କମ୍ପାନୀ ମଧ୍ୟରୁ ୨,୧୨,୨୨୧ କର୍ମଚାରୀ ଚାକିରିରୁ ବିଦା ହୋଇଛନ୍ତି। ତୁଳନାତ୍ମକ ଭାବରେ, ଯଦି ଆମେ ୨୦୨୨ ବର୍ଷର ତଥ୍ୟକୁ ଦେଖିବା, ୧୦୪୬ଟି ଟେକ୍ କମ୍ପାନୀର ୧.୬୧ ଲକ୍ଷ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଥିଲା। ଏହି ସମସ୍ତ ତଥ୍ୟଅନୁଯାୟୀ, ରେ, ୨୦୨୨ ଏବଂ ୨୦୨୩ ବର୍ଷର ଜୁନ୍ ୩୦ ପର୍ଯ୍ୟନ୍ତ ହାରାହାରି ୩.୮ ଲକ୍ଷ କର୍ମଚାରୀଙ୍କ ଚାକିରି ଯାଇଛି। ବଡ ଟେକ୍ କମ୍ପାନୀଗୁଡିକଠାରୁ ଆରମ୍ଭ କରି ଛୋଟ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ, ସେମାନେ ଛଟେଇ ନେଇ ସମାନ କାରଣ ଦର୍ଶାଇଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ନିଯୁକ୍ତି, ଅସ୍ଥିର ବିଶ୍ୱ ମାଇକ୍ରୋ-ଅର୍ଥନୈତିକ ସ୍ଥିତି ଏବଂ କୋଭିଡ -୧୯ ମହାମାରୀର ପରବର୍ତ୍ତୀ ପ୍ରଭାବ ଏବଂ ଏହାକୁ ନେଇ ବଢ଼ୁଥିବା ଚିନ୍ତା।
ଏପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଭାରତୀୟ ଷ୍ଟାର୍ଟଅପ୍ ସେମାନଙ୍କରା କର୍ମଚାରୀଙ୍କୁ ଚାକିରିରୁ ରଖାସ୍ତ କରିଛନ୍ତି। ଗତ ବର୍ଷ ସମାନ ଅବଧି ତୁଳନାରେ ଏହା ୪୦ ପ୍ରତିଶତ ଅଧିକ। ସାରା ବିଶ୍ବରେ ଷ୍ଟାଟ୍ ଅପ୍ଗୁଡିକ ଦ୍ବାରା ହୋଇଥÒବା ଛଟେଇ ତୁଳନାରେ ଭାରତରେ କରାଯାଇଥିବା ଛଟେଇ ତାହାର ପାଞ୍ଚ ପ୍ରତିଶତ ହେବ। ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୧୦୨ ଭାରତୀୟ ଷ୍ଟାର୍ଟଅପ୍ରେ ୨୭,୦୦୦ ରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି। ଏଥିମଧ୍ୟରୁ ୨୨ଟି ଏଡ୍ଟେକ୍ ଷ୍ଟାର୍ଟଅପ୍ ଏବଂ ୭ଟି ୟୁନିକର୍ଣ୍ଣ ଏଡେକ୍ ରହିଛନ୍ତି ଯେଉଁଗୁଡିକ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଗତ ବର୍ଷ ଜାନୁୟାରୀ-ଜୁନ୍ ତୁଳନାରେ ଚଳିତବର୍ଷ ଏ ପର୍ଯ୍ୟନ୍ତ ଷ୍ଟାର୍ଟଅପ୍କୁ ପାଣ୍ଠି ଯୋଗାଣରେ ୭୦%ରୁ ଅଧିକ ହ୍ରାସ ଘଟିଛି। ଏହି କାରଣରୁ, ୨୦୨୩ର ଜାନୁଆରୀ-ଜୁନ୍ ପ୍ରଥମ ୬ ମାସରେ ଦେଶରେ କୌଣସି ନୂତନ ୟୁନିକର୍ଣ୍ଣ ସୃଷ୍ଟି ହୋଇନାହିଁ ବୋଲି ରିପୋର୍ଟରୁ ଜଣାଯାଇଛି।