ଭୁବନେଶ୍ୱର : ଏବେ ସାରା ଦେଶରେ ବିଦ୍ୟୁତ ଚାଳିତ ବାହନର ଚାହିଦା ବଢ଼ି ଚାଲିଥିଲା ବେଳେ ଅଗ୍ରଣୀ ଅଟୋମୋଟିଭ କମ୍ପାନୀ ଲର୍ଡସ୍ ଅଟୋମେଟିଭ୍ ପ୍ରାଃଲିଃ ଆଠଟି ବିଦ୍ୟୁତ ଚାଳିତ ଗାଡ଼ି ବଜାରକୁ ଆଣିଛି। କମ୍ପାନୀ ପକ୍ଷରୁ ଲର୍ଡସ୍କିଙ୍ଗ ଇ-ରିକ୍ସା, ଲର୍ଡସ୍ସମ୍ରାଟ ଇ-ଲୋଡର, ଲର୍ଡସ୍ ସବାରୀ ବଟର ଫ୍ଲାଏ ଇ-ରିକ୍ସା, ଲର୍ଡସ୍ ଗତି ବଟରଫ୍ଲାଇ ଇ-ଲୋଡର, ଭିନ୍ନକ୍ଷମଙ୍କ ପାଇଁ ବିଶେଷ ଭାବେ ଡିଜାଇନ କରାଯାଇଥିବା ଲର୍ଡସ୍ ଗ୍ରେସ୍ ଇ-ରିକ୍ସା ଏବଂ ଲର୍ଡସ ସ୍ୱଚ୍ଛଯାନ ଇ-ଗାର୍ବେଜ୍ ଭଳି ୬ଟି ତିନି ଚକିଆ ଯାନ ଉପଲବ୍ଧ କରାଯାଇଛି। ସେହିପରି ଦୁଇଟି ହାଇସ୍ପିଡ୍ ଦୁଇ ଚକିଆ ବିଦ୍ୟୁତ ଚାଳିତ ସ୍କୁଟରମଡେଲ -ଲର୍ଡସ୍ ହାଇସ୍ପିଡ୍ ଇ-ସ୍କୁଟର ଏବଂ ଲର୍ଡସ୍ ପ୍ରାଇମ୍ ହାଇସ୍ପିଡ୍ ଇ-କାର୍ଗୋ ସ୍କୁଟର ମଧ୍ୟ କମ୍ପାନୀ ବଜାରକ ଛାଡ଼ିଛି। ଏ ସବୁ ଇଲେକ୍ଟ୍ରିକ୍ ଗାଡ଼ି ଗୁଡ଼ିକର ଦାମ୍ ୪୯,୯୯୯ରୁ ୧,୭୫,୦୦୦ ମଧ୍ୟରେ ରଖାଯାଇଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ପକ୍ଷରୁ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ ଏନସିଆର, କର୍ଣ୍ଣାଟକ, ତାମିଲନାଡ଼ୁ, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ, ଗୁଜରାଟ, ରାଜସ୍ଥାନ ଓ ଆସାମ ଆଦି ରାଜ୍ୟର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଗାଡ଼ି ବିକ୍ରି କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଭାରତରେ ସବୁଜ ପରିବହନ ବିପ୍ଳବକୁ ଆଗେଇ ନେବା ଲାଗି ଲର୍ଡସ୍ ଅଟୋମେଟିଭର ସଂକଳ୍ପ ସ୍ୱରୂପ ଏହି ୮ଟି ଅତ୍ୟାଧୁନିକ ବିଦ୍ୟୁତ ଚାଳିତ ବାହନର ବଜାର ପ୍ରବେଶ କରାଯାଇଛି। ସିଲଭାସା, ଲକ୍ଷ୍ନୌ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଥିବା କମ୍ପାନୀର ଅତ୍ୟାଧୁନିକ ପ୍ଲାଣ୍ଟରେ ଏସବୁ ଗାଡ଼ି ତିଆରି ହୋଇଛି।
ଏହାର ବ୍ୟାଟେରୀ କ୍ଷମତା ଭଲ ରହିଥିବା ବେଳେ ଆଧୁନିକ ବୈଶିଷ୍ଟ୍ୟ ଓ ପେଲୋଡ୍ କ୍ଷମତା ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି କମ୍ପାନୀ କହିଛି। ଏହିସବୁ ଯାନର ବଜାର ପ୍ରବେଶ ଅପସରରେ ଲର୍ଡସ୍ ମାର୍କଇଣ୍ଡଷ୍ଟ୍ରିଜ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ସଚ୍ଚିଦାନନ୍ଦ ଉପାଧ୍ୟାୟ କହିଛନ୍ତି ଯେ , ଏକ ସମୟରେ ଆଠଟି ଅତ୍ୟାଧୁନିକ ବିଦ୍ୟୁତ ଚାଳିତ ବାହନ (ଇଭି) ବଜାରକୁ ଅଣାଯିବା ଆମ ଯାତ୍ରାର ଏକ ମାଇଲଖୁଣ୍ଟ। ଦେଶରେ ବିଦ୍ୟୁତ ଚାଳିତ ବାହନ କ୍ଷେତ୍ରରେ ବିପ୍ଳବ ଆଣିବା ଆମର ଲକ୍ଷ୍ୟ। ଯାତ୍ରୀ ଏବଂ ମାଲ ପରିବହନ କ୍ଷେତ୍ରରେ ବହୁ ସଂଖ୍ୟାରେ ଇଭି ଆସିବା ଦ୍ୱାରା ପରିବେଶ ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।