ନୂଆଦିଲ୍ଲୀ: ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୂଚନା ଅନୁଯାୟୀ, ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବାଧିକ ୫ଜି (5G) ବ୍ୟବହାରକାରୀ ରାଷ୍ଟ୍ର ପାଲଟିଛି। ଦେଶରେ ବର୍ତ୍ତମାନ ୪୦ କୋଟିରୁ ଅଧିକ ଲୋକ ୫ଜି ସେବା ବ୍ୟବହାର କରୁଛନ୍ତି। ଏହି ତାଲିକାରେ କେବଳ ଚୀନ୍ ଭାରତଠାରୁ ଆଗରେ ରହିଛି।
ମନ୍ତ୍ରୀ ଶ୍ରୀ ସିନ୍ଧିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ, ଭାରତ କେବଳ ବ୍ୟବହାରକାରୀଙ୍କ ସଂଖ୍ୟାରେ ଆଗୁଆ ନୁହେଁ, ବରଂ ୫ଜି ଟେକ୍ନୋଲୋଜିକୁ ଦ୍ରୁତତ୍ତମ ଗତିରେ ଗ୍ରହଣ କରିଥିବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ। ୨୦୨୨ରେ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ଦେଶର ୯୯.୬ ପ୍ରତିଶତ ଜିଲ୍ଲାରେ ଉପଲବ୍ଧ ହୋଇପାରିଛି ଏବଂ ଦେଶର ୮୫ ପ୍ରତିଶତ ଜନସଂଖ୍ୟା ନିକଟରେ ୫ଜି କଭରେଜ୍ ପହଞ୍ଚିପାରିଛି।
କେବଳ ସହରାଞ୍ଚଳ ନୁହେଁ, ଗ୍ରାମୀଣ ଭାରତରେ ମଧ୍ୟ ଟେଲିକମ୍ ସଂଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗ୍ରାମୀଣ ଟେଲିଫୋନ୍ ସଂଯୋଗ ୪୨.୯% ବୃଦ୍ଧି ପାଇ ୨୦୨୫ ସେପ୍ଟେମ୍ବର ସୁଦ୍ଧା ୫୩.୯୮ କୋଟିରେ ପହଞ୍ଚିଛି। ଅନ୍ୟପକ୍ଷରେ, ଦେଶର ମୋଟ ଇଣ୍ଟରନେଟ୍ ସଂଯୋଗ ସଂଖ୍ୟା ୧୦୦.୨୯ କୋଟି ଛୁଇଁଛି, ଯାହା ୨୦୧୪ ତୁଳନାରେ ପ୍ରାୟ ୨୯୯ ପ୍ରତିଶତ ଅଧିକ। ୨୦୨୫ ମାର୍ଚ୍ଚ ସୁଦ୍ଧା ସାରା ଦେଶରେ ୪,୬୯,୦୦୦ ୫ଜି ବେସ୍ ଟ୍ରାନ୍ସସିଭର୍ ଷ୍ଟେସନ୍ (BTS) ସ୍ଥାପନ କରାଯାଇଛି, ଯାହା ବିଶ୍ୱର ଦ୍ରୁତତମ ନେଟୱାର୍କ ରୋଲଆଉଟ୍ ମଧ୍ୟରୁ ଅନ୍ୟତମ।