ହୁରୁନ୍‌ ରିପୋର୍ଟ : ବିଶ୍ବ ରାଙ୍କିଙ୍ଗ୍‌ରେ ଖସିଲା ଭାରତୀୟ କମ୍ପାନୀଙ୍କ ସ୍ଥାନ

ନୂଆଦିଲ୍ଲୀ: ବିଶ୍ବସ୍ତରର ପ୍ରମୁଖ ୫୦୦ କମ୍ପାନୀଙ୍କୁ ନେଇ ପ୍ରତିବର୍ଷ ‘ହୁରୁନ୍‌ ଗ୍ଲୋବାଲ ୫୦୦’ ତାଲିକା ପ୍ରସ୍ତୁତ କରାଯାଇ ଆସୁଛି। ଗତବର୍ଷ ଏହି ତାଲିକାରେ ୧୧ ଭାରତୀୟ କମ୍ପାନୀ ସ୍ଥାନିତ ହୋଇଥିଲା ବେଳେ ଚଳିତବର୍ଷ ୧୨ଟି କମ୍ପାନୀ ସ୍ଥାନ ପାଇଛନ୍ତି। ହେଲେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକାଂଶ ଭାରତୀୟ କମ୍ପାନୀଙ୍କ ସ୍ଥାନ ତଳକୁ ଖସିଛି। ଗତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ୧୧ଟି କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସମସ୍ତ ଭାରତୀୟ କମ୍ପାନୀଙ୍କ ମଧ୍ୟରେ ସର୍ବାଗ୍ରେ ରହିଥିଲା। […]

ନୂଆଦିଲ୍ଲୀ: ବିଶ୍ବସ୍ତରର ପ୍ରମୁଖ ୫୦୦ କମ୍ପାନୀଙ୍କୁ ନେଇ ପ୍ରତିବର୍ଷ ‘ହୁରୁନ୍‌ ଗ୍ଲୋବାଲ ୫୦୦’ ତାଲିକା ପ୍ରସ୍ତୁତ କରାଯାଇ ଆସୁଛି। ଗତବର୍ଷ ଏହି ତାଲିକାରେ ୧୧ ଭାରତୀୟ କମ୍ପାନୀ ସ୍ଥାନିତ ହୋଇଥିଲା ବେଳେ ଚଳିତବର୍ଷ ୧୨ଟି କମ୍ପାନୀ ସ୍ଥାନ ପାଇଛନ୍ତି। ହେଲେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକାଂଶ ଭାରତୀୟ କମ୍ପାନୀଙ୍କ ସ୍ଥାନ ତଳକୁ ଖସିଛି। ଗତବର୍ଷ ଏହି ତାଲିକାରେ ସ୍ଥାନ ପାଇଥିବା ୧୧ଟି କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ସମସ୍ତ ଭାରତୀୟ କମ୍ପାନୀଙ୍କ ମଧ୍ୟରେ ସର୍ବାଗ୍ରେ ରହିଥିଲା। କିନ୍ତୁ ଚଳିତବର୍ଷ ରାଙ୍କିଙ୍ଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୩ ପଏଣ୍ଟ ତଳକୁ ଖସି ଥିବା ଜଣାପଡ଼ିଛି।

ସେହିପରି ଭାରତର ସର୍ବବୃହତ ଆଇଟି କମ୍ପାନୀ ଟିସିଏସ୍‌ ସମେତ ଏଚଡିଏଫସି ବ୍ୟାଙ୍କ,ଏଚଡିଏଫସି ଏବଂ ଭାରତୀ ଏୟାରଟେଲ ଭଳି କମ୍ପାନୀଙ୍କ ସ୍ଥାନ ମଧ୍ୟ ପୂର୍ବ ବର୍ଷ ତୁଳନାରେ ତଳକୁ ଖସିଛି। ତେବେ ଗତବର୍ଷ ତୁଳନାରେ କିଛି କମ୍ପାନୀଙ୍କ ମୂଲ୍ୟାୟନରେ ବୃଦ୍ଧି ଘଟିଛି। ଚଳିତ ବର୍ଷ ତାଲିକାରେ ମୁକେଶ ଅମ୍ବାନୀ ଗୋଷ୍ଠୀ ପରିଚାଳିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୂଲ୍ୟାୟନ ପରିମାଣରେ ୧୧ ପ୍ରତିଶତ ବୃଦ୍ଧି ଘଟିଛି। ହେଲେ ଏହି ତାଲିକାରେ କମ୍ପାନୀର ସ୍ଥାନ ୩ ପଏଣ୍ଟ ତଳକୁ ଖସି ଏହା ୫୭ତମ ସ୍ଥାନରେ ରହିଥିବା ଜଣାପଡ଼ିଛି। ସେହିପରି ଟାଟା ଗୋଷ୍ଠୀ ପରିଚାଳିତ ଟିସିଏସ୍‌ର ମୂଲ୍ୟ ୧୬୪ ବିଲିୟନ ଡଲାର(ପ୍ରାୟ ୧୨ ଲକ୍ଷ ୨୦ ହଜାର କୋଟି ଟଙ୍କା)ରେ ପହଞ୍ଚିଥିଲା ବେଳେ ହୁରୁନ୍‌ ତାଲିକାରେ ଟିସିଏସ୍‌ର ସ୍ଥାନ ୭୪କୁ ଖସି ଆସିଛି। ଏଚଡିଏଫସି ବ୍ୟାଙ୍କର ମୂଲ୍ୟ ୧୧୩ ବିଲିୟନ ଡଲାର ରହିଥିବା ବେଳେ ଚଳିତ ବର୍ଷ ଏହାର ସ୍ଥାନରେ ୧୯ ପଏଣ୍ଟ ହ୍ରାସ ଘଟିବା ସହିତ ଏହା ୧୨୪ତମ ସ୍ଥାନକୁ ଖସି ଆସିଛି। ସେହିପରି ଏଚଡିଏଫସିର ମୂଲ୍ୟରେ ୧ ପ୍ରତିଶତ ବୃଦ୍ଧି ଘଟି କମ୍ପାନୀର ମୋଟ ମୂଲ୍ୟ ୫୬.୭ ବିଲିୟନ ଡଲାର ରହିଥିବା ବେଳେ ହୁରୁନ୍‌ ତାଲିକାରେ ଏହାର ସ୍ଥାନ ୫୨ ପଏଣ୍ଟ ହ୍ରାସ ଘଟି ୩୦୧ରେ ରହିଥିବା ଜଣଶପଡ଼ିଛି।

ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ କମ୍ପାନୀଙ୍କ ମଧ୍ୟରେ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ମୂଲ୍ୟରେ ଚଳିତ ବର୍ଷ ୮ ପ୍ରତିଶତ ହ୍ରାସ ଘଟିବା ସହିତ ଏହାର ମୋଟ ମୂଲ୍ୟ ୪୬.୬ ବିଲିୟନ୍‌ ଡଲାରକୁ ହ୍ରାସ ପାଇଛି। ଏଥିସହିତ ବ୍ୟାଙ୍କର ସ୍ଥାନ ମଧ୍ୟ ୯୬ ପଏଣ୍ଟ ହ୍ରାସ ପାଇ ବିଶ୍ବସ୍ତରରେ ୩୮୦ ରହିଛି। କିନ୍ତୁ ଏହାର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଆଇସିଆଇସିଆଇ ବ୍ୟାଙ୍କର ମୂଲ୍ୟରେ ୩୬ ପ୍ରତିଶତ ବୃଦ୍ଧି ଘଟିବା ସହିତ ଏହାର ମୋଟ ମୂଲ୍ୟ ୬୨ ବିଲିୟନ ଡଲାର ଛୁଇଁଥିବା ବେଳେ ଏହାର ସ୍ଥାନରେ ଉନ୍ନତି ଘଟି ଏହା ୨୬୮ତମ ସ୍ଥାନରେ ରହିଛି। ତେବେ ଚଳିତବର୍ଷ କିଛି ଭାରତୀୟ କମ୍ପାନୀ ନୂତନ ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଓ୍ବିପ୍ରୋ,ଏସିଆନ୍‌ ପେଣ୍ଟସ୍‌ ଏବଂ ଏଚସିଏଲ ଟେକ୍‌ନୋଲୋଜି ରହିଛନ୍ତି। ଓ୍ବିପ୍ରୋର ସ୍ଥାନ ହୁରୁନ୍‌ ତାଲିକାରେ ୪୫୭ ରହିଥିଲା ବେଳେ ଏସିଆନ୍‌ ପେଣ୍ଟସ୍‌ର ସ୍ଥାନ ୪୭୭ ଏବଂ ଏଚସିଏଲର ସ୍ଥାନ ୪୯୮ ରହିଛି। ହୁରୁନ୍‌ ତାଲିକାରେ ସ୍ଥାନ ପାଇଥିବା ଭାରତୀୟ କମ୍ପାନୀଙ୍କ ମଧ୍ୟରେ ସର୍ବାଧିକ ସଫ୍ଟୱେୟର ଏବଂ ଫାଇନାନ୍ସ କମ୍ପାନୀ ରହିଛନ୍ତି।

ଏହି ତାଲିକାରେ ଆପଲ୍‌ କମ୍ପାନୀ ବିଶ୍ବର ସବୁଠାରୁ ମୂଲ୍ୟବାନ କମ୍ପାନୀ ଭାବେ ତାଲିକାର ଶୀର୍ଷରେ ରହିଥିଲା ବେଳେ ଏହାର ମୂଲ୍ୟରେ ୧୫ ପ୍ରତିଶତ ବୃଦ୍ଧି ଘଟି ମୋଟ ପରିମାଣ ୨.୪ ଲକ୍ଷ କୋଟି ଡଲାର ରହିଛି। ଆପଲ୍‌ ବ୍ୟତୀତ ମାଇକ୍ରୋସଫ୍ଟ, ଆମାଜନ୍‌ ଏବଂ ଆଲଫାବେଟ୍‌ ଭଳି ଆମେରିକୀୟ କମ୍ପାନୀଗୁଡିକର ସ୍ଥାନ ସର୍ବାଗ୍ରେ ରହିଛି। ଏହି ତାଲିକାରେ ଆମେରିକାର ସର୍ବାଧିକ ୨୪୩ଟି କମ୍ପାନୀ ସ୍ଥାନ ପାଇଥିଲା ବେଳେ ଚୀନ୍‌ର ୪୭, ଜାପାନର ୩୦ ଏବଂ ଯୁକ୍ତରାଜ୍ୟର ୨୪ଟି କମ୍ପାନୀ ସ୍ଥାନ ପାଇଛନ୍ତି।

About The Author: The Sakala