ନୂଆଦିଲ୍ଲୀ : ପାର୍ବଣ ଋତୁରେ ଦେଶରେ ଯେପରି ଦରଦାମ୍ ବୃଦ୍ଧି ନ ଘଟେ ତାହା ଉପରେ ସମ୍ପ୍ରତ୍ତି କେନ୍ଦ୍ର ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ବଜାର ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ଲଗାତାର ପଦକ୍ଷେପ ନିଆଯାଉଛି। ପାର୍ବଣରେ ମୁଦ୍ରାସ୍ପୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ କେନ୍ଦ୍ର ସରକାର ଏବେ ନୂଆ ଯୋଜନା କରିଛନ୍ତି। ଏଥିରେ ସରକାର ମହଜୁଦ ଥିବା ଗହମକୁ ଏବେ ଖୋଲା ବଜାରରେ ବିକିବା ପାଇଁ ପ୍ରସ୍ତୁତି ଚାଳଇଛନ୍ତି। ତେଣୁ ସରକାର ଖୋଲା ବଜାରକୁ ଗହମ ଛାଡି ବଜାରରେ ଅଟା ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଏ ନେଇ କେନ୍ଦ୍ର ଖାଦ୍ୟ ମନ୍ତ୍ରାଳୟ କହିଛି ଯେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଇ-ନିଲାମ ମାଧ୍ୟମରେ ଚଳିତ ଆର୍ଥିକବର୍ଷରେ ନିଜ ଷ୍ଟକ୍ରୁ ଏ ପର୍ଯ୍ୟନ୍ତ ୨.୩୭ ନିୟୁତ ଟନ ଗହମ ବିକ୍ରି କରିଛି।
ଉଲ୍ଲେଖଯୋଗ୍ୟ ଯେ ନିକଟରେ ବଜାରରେ ଗହମ ମୂଲ୍ୟରେ ହ୍ରାସ ଦେଖାଯାଇଛି। ଏଫସିଆଇଙ୍କ ଦ୍ୱାରା ବିକ୍ରି ହୋଇଥିବା ଗହମର ମାତ୍ରା ପ୍ରସ୍ତାବିତ ମାତ୍ରାଠାରୁ ୯୦ ପ୍ରତିଶତ କମରେ ବିକ୍ରି କରାଯାଇଛି। ଏହାର ଅର୍ଥ ଦେଶରେ ଗହମର ପ୍ରଚୁର ଷ୍ଟକ୍ ରହିଛି। ଏଣୁ ପ୍ରଥମରୁ ଦର ନିୟନ୍ତ୍ରଣ କରାଗଲେ ଆଗାମୀ ଦିନରେ ଗହମ ଓ ଅଟାର ମୂଲ୍ୟବୃଦ୍ଧି ଦେଖିବାକୁ ମିଳିବନାହିଁ। ଉଲ୍ଲେଖଯୋଗ୍ୟ ଯେ ଚଳିବର୍ଷ ଅଗଷ୍ଟରୁ ଏଫସିଆଇ ଲଗାତାର ଗହମ ବିକ୍ରି କରୁଛି। ଯାହାର ପ୍ରଭାବ ବଜାରରେ ଗହମ ଉପରେ ମଧ୍ୟ ପଡୁଛି। ଗତ ଅଗଷ୍ଟ ମାସରେ ଗହମର ଖୁଚୁରା ମୁଦ୍ରାସ୍ପୀତି ହାର ୯.୩ ପ୍ରତିଶତରୁ ହ୍ରାସ ହୋଇ ୭.୯୩ ପ୍ରତିଶତ ହୋଇଛି। ସୂଚନା ମୁତାବକ ଖାଦ୍ୟ ସମଗ୍ରୀ ମୂଲ୍ୟ ହ୍ରାସ ଯୋଗୁ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ପୀତି ହାର ୩ ମାସର ସର୍ବନିମ୍ନ ସ୍ତର ୫.୨ ପ୍ରତିଶତକୁ ହ୍ରାସ ହୋଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଏ ନେଇ ଗୁରୁବାର ତଥ୍ୟ ଜାରି କରିଥିଲେ।