ନୂଆଦିଲ୍ଲୀ : ଅଶୋଧିତ ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲ ଉପରୁ ଆମଦାନୀ ଶୁଳ୍କ ହଟାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ ଶୁଳ୍କରେ ଏହି ରିଆତି ଉଚ୍ଚ ଦର ସହ ଯୁଝୁଥିବା ଖାଉଟିଙ୍କୁ ନିଶ୍ଚିତ ଭାବେ ଆଶ୍ବସ୍ତ କରିବ। ଦେଶରେ ଖାଇବା ତୈଳ ଠାରୁ ପେଟ୍ରୋଲ ଡିଜେଲ ପର୍ଯ୍ୟନ୍ତ ସବୁର ଦର ଏବେ ବେଶ ଉପରେ ରହିଛି। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ପାଇଁ ଲୋକେ ଖାଇବା ତେଲ ମୂଲ୍ୟରେ କିଛିଟା ରିଆତି ପାଇବେ ବୋଲି ଆଶା କରାଯାଉଛି।
ଜୁନ୍ ସୁଦ୍ଧା ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ହଟାଇବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଆମଦାନୀ ଶୁଳ୍କ ଛାଡ ଉପରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ମାର୍ଚ୍ଚ ୩୧ ପୂର୍ବରୁ ପଠାଯାଇଥିବା ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲକୁ ଆମଦାନୀ ଶୁଳ୍କ ମୁକ୍ତ ରଖାଯିବ କାରଣ ଆମଦାନୀ ନିୟମକୁ ନେଇ ଦ୍ୱନ୍ଦ୍ୱ ଥିବାରୁ ବନ୍ଦରରେ ମାଲ ପରିବହନ ବନ୍ଦ ହୋଇଯାଇଥିଲା।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ପ୍ରାରମ୍ଭରେ ଏପ୍ରିଲ୍ ୧ ରୁ ଚଳିତ ଆର୍ଥିକ ବର୍ଷ ପାଇଁ ୨ ମିଲିୟନ୍ ଟନ୍ ଅଶୋଧିତ ସୂର୍ଯ୍ୟମୁଖୀ ତେଲ ଏବଂ ସୋୟାବିନ୍ ତେଲ ଉପରେ ଆମଦାନୀ ଶୁଳ୍କ ଛାଡ କରାଯାଇଥିଲା। ଡିଲରମାନେ କହିଛନ୍ତି ଯେ, ଏହି ପଦକ୍ଷେପ ଯୋଗୁଁ ମାର୍ଚ୍ଚ ୩୧ ପୂର୍ବରୁ ଭାରତୀୟ ବନ୍ଦରରେ ପ୍ରାୟ ୯୦,୦୦୦ ଟନ୍ ମାଲ ବୋଝେଇ ହୋଇଯାଇଥିଲା। ରିଫାଇନ ତେଲର ବ୍ରୋକର ସନ୍ଦୀପ ବାଜୋରିଆ କହିଛନ୍ତି ଯେ, ଗତ କିଛି ସପ୍ତାହ ଧରି ବନ୍ଦରରେ କିଛି ମାଲ ପରିବହନ ବନ୍ଦ ରହିଥିଲା। ବର୍ତ୍ତମାନ ସରକାରଙ୍କ ନୂତନ ଆଦେଶ ପରେ ସେମାନେ ଦେଶରେ ପ୍ରବେଶ କରିପାରିବେ। ଭାରତ ମୁଖ୍ୟତଃ ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ଯୁକ୍ତରାଷ୍ଟ୍ରରୁ ସୋୟା ତେଲ ଏବଂ ରୁଷ ଏବଂ ୟୁକ୍ରେନରୁ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିଥାଏ।