ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ତା’ର କୋଟି କୋଟି ଗ୍ରାହକଙ୍କୁ ଦେଇଛି ବଡ଼ ଆଶ୍ୱସ୍ତି। ବଦଳିଯାଇଛି ଇପିଏଫ୍ଓର କ୍ଲେମ୍ ବା ଦାବି ନିୟମ। ଏଣିକି ଇପିଏଫ୍ କ୍ଲେମ ପାଇଁ ଚେକ୍ ବୁକ୍ ଓ ପାସବୁକର ଆବଶ୍ୟକତା ପଡ଼ିବନାହିଁ। ଇପିଏଫଓ ପକ୍ଷରୁ ଏହି ନିୟମ ପରିବର୍ତ୍ତନ କରାଯିବା ଫଳରେ ଗ୍ରାହକଙ୍କର ଇପିଏଫ କ୍ଲେମର ପ୍ରକ୍ରିୟା ଏଣିକି ଶୀଘ୍ର ସମାଧାନ ହୋଇପାରିବ। ଇପିଏଫ କ୍ଲେମ ସେଟଲମେଣ୍ଟ ପାଇଁ କ୍ୟାନସେଲ ଚେକ୍ ବା ବ୍ୟାଙ୍କ ପାସବୁକର ବାଧ୍ୟତାମୂଳକକୁ ହଟାଇ ଦିଆଯାଇଛି।
ଇପିଏଫଓ ମୁତାବକ, ଯଦି କୌଣସି ସବସ୍କ୍ରାଇବର ଅନ୍ୟ ସମସ୍ତ ସର୍ତ୍ତାବଳୀକୁ ପୂରଣ କରିଥିବେ, ତେବେ ଏଭଳି ସ୍ଥିତିରେ ତାଙ୍କୁ କ୍ଲେମ ସେଟଲମେଣ୍ଟ ପାଇଁ ଚେକ୍ବୁକ୍ ବା ବ୍ୟାଙ୍କ ପାସବୁକ ଅପଲୋଡ୍ କରିବାକୁ ପଡ଼ିବନାହିଁ। ଏହାଫଳରେ ଅନ୍ଲାଇନ କ୍ଲେମ ସେଟଲମେଣ୍ଟର ମାମଲା ଶୀଘ୍ର ସମାଧାନ ହୋଇପାରିବ।
ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଚେକ ଲିଫ ବା ଆଟେଷ୍ଟେଟ ବ୍ୟାଙ୍କ ପାସ୍ବୁକ୍ କପିର ଇମେଜ ଅପଲୋଡ ନ କରିବା କାରଣରୁ ଇପିଏଫଓ ବହୁତ କ୍ଲେମକୁ ଖାରଜ କରିଦେଉଥିଲା। ଗତ ମାସ ୨୮ ତାରିଖରେ ଇପିଏଫଓ ପକ୍ଷରୁ ଏହି ମାମଲାରେ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଅନ୍ଲାଇନରେ ଦାଖଲ ହେବାକୁ ଥିବା କ୍ଲେମର ସେଟଲମେଣ୍ଟ ପାଇଁ ଇପିଏଫଓ ନିୟମରେ ପରିର୍ତ୍ତନ କରିଥିବା କୁହାଯାଇଛି। ଚେକ୍ ଲିଫ ବା ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଅପଲୋଡ ନ କରିବା ଫଳରେ କ୍ଲେମ ରିଜେକ୍ସନର ସଂଖ୍ୟାକୁ କମ୍ କରିବା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମାତ୍ର ଏହା କିଛି ବୈଧ ମାମଲାରେ ଏହି ଛାଡ଼ କରାଯାଇଛି।
ଯେଉଁମାନଙ୍କର ଅନ୍ୟ ଭାଲିଡେସନ ପୂର୍ଣ୍ଣ ହୋଇଥିବା ସେମାନଙ୍କୁ କେବଳ ଏ କ୍ଷେତ୍ରରେ ଆଶ୍ୱସ୍ତି ମିଳିବ। ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଯେତେବେଳେ ୱେବ୍ସାଇଟ୍ରେ ଦାବି ସମାଧାନ ପ୍ରକ୍ରିୟା ଆରମ୍ଭ ହୁଏ, ଏଥିରେ ଏକ ଭିନ୍ନ ରଙ୍ଗ ଦୃଶ୍ୟମାନ ହେବ। ସେହି ରଙ୍ଗ ଦେଖି ଅଧିକାରୀ ଜଣକ ଜାଣିପାରିବେ ଏହି କ୍ଷେତ୍ରରେ ଚେକ୍ ବୁକ୍ କିମ୍ବା ବ୍ୟାଙ୍କ ପାସବୁକ୍ ଫଟୋ ଅପଲୋଡ୍ କରିବାର କୌଣସି ଆବଶ୍ୟକତା ନାହିଁ। କଲର କୋଡିଂ ନ ହେବା ପର୍ଯ୍ୟନ୍ତ ଏହି ମାମଲାରେ ଚେକ୍ କିମ୍ବା ବ୍ୟାଙ୍କ ପାସବୁକ୍ ଫଟୋ ଲଗାଇବା ବାଧ୍ୟତାମୂଳକ କି ନୁହେଁ ତାହା ବିଚାର କରାଯିବ।