ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ୨୨ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବା ପରେ ୨୩ ତାରିଖରେ ପୂର୍ଣ୍ଣ ବଜେଟ୍ ଆଗତ କରିବେ। ଏହିକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୨୭ ତାରିଖରେ ଉଭୟ ସଦନକୁ ସମ୍ବୋଧିତ କରିବେ। ତେବେ ଏହି ବଜେଟ୍ ମୋଦୀ ୩.୦ ସରକାରଙ୍କ ପ୍ରଥମ ବଜେଟ୍ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ରହିଛି। ବିଶେଷକରି ଦେଶର ସାମୂହିକ ଅର୍ଥ ବ୍ୟବସ୍ଥାର ଉନ୍ନତି ଏବଂ ବିକାଶ ଦିଗକୁ ଏହି ବଜେଟ୍ କିଭଳି ପ୍ରୋତ୍ସାହନ ଦେବ ତାହାକୁ ନେଇ ଅର୍ଥନୀତିଜ୍ଞ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ଦେଶର ଗରିବ ଏବଂ ସାଧାରଣ ଲୋକଙ୍କ ପାଇଁ ବଜେଟ୍ କିଭଳି ରହିବ ତାହା ଏବେ ଆଲୋଚ୍ୟର ବିଷୟ ହୋଇଛି।
ତେବେ ୨୦୨୪-୨୫ ବଜେଟ୍ ଗରିବ ଏବଂ ମଧ୍ୟବିତ୍ତଙ୍କ ପାଇଁ ଅନୁକୂଳ ରହିବା ସହିତ ଏଥିରେ ଯୁବପିଢି, ମହିଳା ଏବଂ କୃଷକମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଅଧିକ କିଛି ବ୍ୟବସ୍ଥା ରହିବ ବୋଲି ଆଶା କରାଯାଉଛି। ଗତ ଫେବୃଆରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ। ଏଥିରେ ମୋଟ ୪୭.୬୫ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। କିନ୍ତୁ ନିର୍ବାଚନ ଶେଷ ହେବା ଏବଂ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ବିଭିନ୍ନ ବର୍ଗଙ୍କୁ ଖୁସି କରିବା ଲାଗି କିଛି ନୂଆ ବ୍ୟବସ୍ଥା କରିବେ ବୋଲି ଆଶା କରାଯାଉଥିବାରୁ ପୂର୍ଣ ବଜେଟ୍ର ବ୍ୟୟ ବରାଦ ପରିମାଣ ଆହୁରି ବଢିପାରେ ବୋଲି କୁହାଯାଉଛି। ଏଥିସହିତ ଦେଶର ବିତ୍ତୀୟ ନିଅଣ୍ଟ ହ୍ରାସକୁ ମଧ୍ୟ କେନ୍ଦ୍ର ସରକାର ବଜେଟ୍ରେ ଗୁରୁତ୍ବ ଦେବେ । ଏହି ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୮୦ ରୁ ୯୦ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। କିନ୍ତୁ ଆରବିଆଇ ୨ ଲକ୍ଷ ୧୧ ହଜାର କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥିବାରୁ ଏହା ମଧ୍ୟ ଚଳିତ ବଜେଟ୍ ପାଇଁ ସହାୟକ ହେବ ବୋଲି କୁହାଯାଇଛି। ସରକାର ବିଭିନ୍ନ ବର୍ଗଙ୍କ ପାଇଁ କିଛି ନୂଆ ଯୋଜନା ଆଣିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଏଥିପାଇଁ ବଜେଟ୍ରେ ଅର୍ଥ ବ୍ୟବସ୍ଥା କରିବାକୁ ପଡ଼ିବ। ଏହାସତ୍ତ୍ବେ ବିତ୍ତୀୟ ନିଅଣ୍ଟ ହାର ୫.୧ ପ୍ରତିଶତରୁ ୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି।