ନୂଆଦିଲ୍ଲୀ: ଆର୍ଟିିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)କୁ ନେଇ ଦୈନିକ କିଛି ନା କିଛି ବଡ଼ ଖବର ସାମ୍ନାକୁ ଆସୁଛି। ମନୁଷ୍ୟ କାମକୁ ସହଜ କରିବା ଲକ୍ଷ୍ୟ ନେଇ ଏଆଇର ସୃଷ୍ଟି। ପୁଣି ଏବେ କୁହାଯାଉଛି ଯେ, ଏଆଇ ବିଶ୍ୱବ୍ୟାପୀ ୪୦% ଚାକିରି ଖାଇଯିବ। ଖୋଦ୍ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆଭା ଏହା କହିଛନ୍ତି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମଗ୍ର ବିଶ୍ୱରେ ଚାକିରି ସୁରକ୍ଷା ପାଇଁ ବିପଜ୍ଜନକ ପ୍ରମାଣିତ ହେବ। ବିକଶିତ ଦେଶଗୁଡିକରେ ୬୦ ପ୍ରତିଶତ ଚାକିରୀ ଏଆଇ ହେତୁ ବିପଦରେ ପଡ଼ିବ ବୋଲି ଆଜି ସ୍ୱିଜରଲ୍ୟାଣ୍ଡ୍ର ଡାଭୋସ୍ଠାରେ ଆରମ୍ଭ ହୋଇଥିବା ବିଶ୍ୱ ଅର୍ଥନୈତିକ ଫୋରମ୍ର ବାର୍ଷିକ ବୈଠକରେ ଯୋଗଦେବା ପୂର୍ବରୁ ଜର୍ଜିଆଭା ଏହା କହିଛନ୍ତି।
ଆଇଏମ୍ଏଫ୍ର ଏକ ନୂତନ ରିପୋର୍ଟକୁ ଦର୍ଶାଇ ଜର୍ଜିଆଭା କହିଛନ୍ତି ଯେ ବିକାଶଶୀଳ ଦେଶମାନଙ୍କରେ ଏଆଇର ପ୍ରଭାବ କମ୍ ହୋଇପାରେ, କିନ୍ତୁ ବିଶ୍ୱରେ ପ୍ରାୟ ୪୦% ଚାକିରି ଏଆଇ ଦ୍ୱାରା ପ୍ରଭାବିତ ହୋଇପାରେ। ଏଥିସହିତ ସେ ୨୦୨୪କୁ ନେଇ ସେ ବିଶ୍ୱକୁ ଚେତାବନୀ ଦେଇଛି। ୨୦୨୪ ବିଶ୍ୱ ଅର୍ଥନୀତି ପାଇଁ ଏକ କଷ୍ଟକର ବର୍ଷ ହୋଇପାରେ। କରୋନା ଅବଧି ସମୟରେ ନିଆଯାଇଥିବା ଋଣ ଜାଲରୁ ଦୁନିଆ ଏ ପର୍ଯ୍ୟନ୍ତ ମୁକୁଳି ପାରିନାର୍ହି। ଚଳିତ ବର୍ଷ ବିଶ୍ବର ୬୦ରୁ ଅଧିକ ଦେଶରେ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ ମନାଇବା ପାଇଁ ଟଙ୍କା ଖର୍ଚ୍ଚ କରିବେ, ଏହାଦ୍ୱାରା ଦେଶର ଉପରେ ଋଣ ଭାର ଆହୁରି ବୃଦ୍ଧି ପାଇବ। ତଥାପି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉତ୍ପାଦନ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିବ। ଆଇଏମ୍ଏଫ୍ ମୁଖ୍ୟ କହିଛନ୍ତି, ବତ୍ତର୍ମାନ ସ୍ୱଳ୍ପ ଆୟକାରୀ ଦେଶଗୁଡ଼ିକୁ ଶୀଘ୍ର ଆଗକୁ ବଢ଼ିବାରେ ସାହାଯ୍ୟ କରିବା ଉପରେ ଆମେ ବିଶେଷ ଧ୍ୟାନ ଦେବା ଉଚିତ୍, ଯାହା ଦ୍ବାରା ସେମାନେ ଏଆଇ ଆସିବାଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗର ଲାଭ ଉଠାଇପାରିବେ। ଆଇଏମ୍ଏଫ୍ ରିପୋର୍ଟରେ କୁହାଯାଇଛି ଯେ ବିଶ୍ବ ବ୍ୟାପୀ ଅଧା ଚାକିରୀ ଏଆଇ ଦ୍ୱାରା ପ୍ରଭାବିତ ହେବ। ଚାକିରିର ଅବଶିଷ୍ଟ ଅଧା ଉପରେ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳେ | ରିପୋର୍ଟ ଅନୁଯାୟୀ, ଯେଉଁ ଦେଶରେ ଉଚ୍ଚ କୁଶଳୀ ଚାକିରିର ଚାହିଦା ରହିଛି ସେଠାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବିପଦ ସର୍ବାଧିକ ହେବ। ଆଇଏମ୍ଏଫ୍ ମୁଖ୍ୟ ଜର୍ଜିଆଭା କହିଛନ୍ତି, ଗୋଟିଏ ପଟେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଆଗମନ ସହିତ ଆପଣଙ୍କ ଚାକିରି ସମ୍ପୂର୍ଣ୍ଣ ରୂପେ ଚାଲିଯାଇପାରେ। ଅନ୍ୟ ପଟେ, ଚାକିରି ସଂଖ୍ୟା ବଢ଼ିପାରେ। ଯଦି ଚାକିରିର ସୁଯୋଗ ବୃଦ୍ଧି ହୁଏ, ତେବେ ଆପଣଙ୍କର ଉତ୍ପାଦକତା ମଧ୍ୟ ବୃଦ୍ଧି ପାଇବ। ଏହାଦ୍ୱାରା ଆୟ ଏବଂ ଜୀବନଧାରଣ ମାନ ମଧ୍ୟ ବୃଦ୍ଧି ପାଇବ। ଏହା ଦେଶର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ।