ନୂଆଦିଲ୍ଲୀ : ଆଗାମୀ ଦିନରେ ମୋଟରସାଇକେଲ କିଣିବାକୁ ଗଲେ ସାଙ୍ଗରେ ମିଳିବ ଦୁଇଟି ଆଇଏସ୍ଆଇ ସାର୍ଟିଫାଏଡ୍ ହେଲମେଟ୍। ମୋଟରସାଇକେଲ କମ୍ପାନୀ ଗାଡ଼ି ସହିତ ଯାତ୍ରୀଙ୍କୁ ଦୁଇଟି ଆଇଏସ୍ଆଇ ସାର୍ଟିଫାଏଡ ହେଲ୍ମେଟ୍ ବିକ୍ରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଦିଲ୍ଲୀର ହୋଇଥିବା ଏକ ଅଟୋ ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିହନ ମନ୍ତ୍ରୀ ନୀତିନ ଗଡ଼କରି ଏହି ଘୋଷଣା କରିଛନ୍ତି। ଲୋକଙ୍କ ସୁରକ୍ଷା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି।
କମ୍ପାନୀଙ୍କୁ ମୋଟରସାଇକେଲ ସହିତ ଯାତ୍ରୀମାନଙ୍କୁ ଦୁଇଟି ହେଲ୍ମେଟ ଦେବାକୁ ଟୁ-ହ୍ୱିଲର ମ୍ୟାନୁଫେକ୍ଚର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଟିଏଚଏମଏ) ବହୁ ଦିନରୁ ଦାବି କରି ଆସୁଥିଲା। ଏବେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଟିଏଚଏମଏ ଏହାକୁ ଦୃଢ଼ ସମର୍ଥନ କରିଛି। କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ପ୍ରଶଂସା କରି ଟିଏଚଏମଏର ଅଧ୍ୟକ୍ଷ ରାଜୀବ କପୁର କହିଛନ୍ତି, ଏହା କେବଳ ଏକ ନିୟମ ନୁହେଁ; ଏହା ଏକ ଜାତୀୟ ଆବଶ୍ୟକତା। ଏଭଳି ନିର୍ଦ୍ଦେଶ ଭବିଷ୍ୟତରେ ଏହି କ୍ଷତିକୁ ରୋକିପାରିବ ବୋଲି ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପରିବାର ମଧ୍ୟରେ ଆଶା ସଂଚାର କରିଛି। ମୋଟରସାଇକେଲ ଯାତ୍ରା ଆଉ ବିପଦପୂର୍ଣ୍ଣ ହେବା କଥା ନୁହେଁ। ଚାଳକ ଓ ପଛରେ ବସିଥିବା ଯାତ୍ରୀ ହେଲ୍ମେଟ୍ ପିନ୍ଧି ଏହାକୁ ସୁରକ୍ଷିତ କରିବା ଉଚିତ୍ ବୋଲି ଆସୋସିଏସନ କହିଛି। ଏବଂ ଦେଶର ଚାହିଦା ପୂରଣ ପାଇଁ ଉଚ୍ଚମାନର ହେଲ୍ମେଟ ଉତ୍ପାଦନ ବଢାଇବାକୁ ଆସୋସିଏସନ ପ୍ରତିଶ୍ରୁତି ଦେଇଛି।
ଭାରତରେ ପ୍ରତିବର୍ଷ ୪,୮୦,୦୦୦ରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି, ଏବଂ ୧,୮୮,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଏମାନଙ୍କ ମଧ୍ୟରୁ ୬୬% ମୃତକଙ୍କ ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ। ତେବେ ପ୍ରତିବର୍ଷ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୦୦୦ ରୁ ଅଧିକ ଲୋକଙ୍କର ପ୍ରାଣ ଯାଉଛି।
ଦୁଇ ଚକିଆ ଯାନ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମୋଟ ମୃତ୍ୟୁ ସଂଖ୍ୟାରୁ ୫୦% ହେଲମେଟ ପିନ୍ଧି ନଥିବାରୁ ହେଉଛି। ମୋଟରସାଇକଲେ ଚଲାଇଲା ବେଳେ ହେଲ୍ମେଟ୍ ପିନ୍ଧିବା କେତେ ଜରୁରୀ ଏଥିରୁ ଆପଣ ଜାଣିପାରୁଥିବେ। ତା’ ଛଡ଼ା ହେଲ୍ମେଟ ପିନ୍ଧିଲେ ଆପଣଙ୍କ ଜୀବନ ସୁରକ୍ଷିତ ରହିବା ସହିତ ଟ୍ରାଫିକର ମୋଟା ଚାଲାଣରୁ ରକ୍ଷା ପାଇପାରିବେ। ଏଥିରେ ଦୁଇଟା ଫାଇଦା ରହିଛି। ତେଣୁ ଏଥର ଭାବନ୍ତୁ ହେଲ୍ମେଟ ପିନ୍ଧିବେ ନା ପୂର୍ବପରି ହେଲ୍ମେଟକୁ ବାଇକ ହ୍ୟାଣ୍ଡେଲ୍ରେ ଟାଙ୍ଗି କିମ୍ବା ସ୍କୁଟି ଡିକିରେ ରଖି ବିପପୂର୍ଣ୍ଣ ଯାତ୍ରା କରିବେ।