ୱେବସାଇଟ୍‌ କହିବ ଜିଏସ୍‌ଟି ସଂସ୍କାରରେ ସଞ୍ଚୟ କେତେ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି)ରେ ସଂସ୍କାର କରିଛନ୍ତି। ତେବେ ଏହି ସଂସ୍କାର ଦ୍ବାରା ଲୋକଙ୍କୁ ଲାଭ ମିଳିବ ବୋଲି କୁହାଯାଉଛି। ମାତ୍ର କେଉଁ ସାମଗ୍ରୀରେ କେତେ ଲାଭ ମିଳିବ ତାହାକୁ ନେଇ ଲୋକଙ୍କ ମଧ୍ୟରେ ସଂଶୟ ଜାରି ରହିଛି। ପ୍ରକୃତରେ ଏହି ଜିଏସ୍‌ଟି ସଂସ୍କାରର ଲାଭ ମିଳିବ ନା ଖାଲି ଘୋଷଣାରେ କମ୍ପାନୀ ତାହାର ଲାଭ ଉଠାଇବେ ବୋଲି ପ୍ରଶ୍ନ ଉଠିଛି। ଏପରି ସ୍ଥଳେ କେଉଁ ସାମଗ୍ରୀରେ କେତେ ଆଶ୍ବସ୍ତି ମିଳିବ […]

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି)ରେ ସଂସ୍କାର କରିଛନ୍ତି। ତେବେ ଏହି ସଂସ୍କାର ଦ୍ବାରା ଲୋକଙ୍କୁ ଲାଭ ମିଳିବ ବୋଲି କୁହାଯାଉଛି। ମାତ୍ର କେଉଁ ସାମଗ୍ରୀରେ କେତେ ଲାଭ ମିଳିବ ତାହାକୁ ନେଇ ଲୋକଙ୍କ ମଧ୍ୟରେ ସଂଶୟ ଜାରି ରହିଛି। ପ୍ରକୃତରେ ଏହି ଜିଏସ୍‌ଟି ସଂସ୍କାରର ଲାଭ ମିଳିବ ନା ଖାଲି ଘୋଷଣାରେ କମ୍ପାନୀ ତାହାର ଲାଭ ଉଠାଇବେ ବୋଲି ପ୍ରଶ୍ନ ଉଠିଛି। ଏପରି ସ୍ଥଳେ କେଉଁ ସାମଗ୍ରୀରେ କେତେ ଆଶ୍ବସ୍ତି ମିଳିବ ତାହା ଲୋକଙ୍କୁ ଜଣାଇବା ପାଇଁ ସରକାର ଏକ ୱେବସାଇଟ ‘savingwitgst.in’ ଆଣିଛନ୍ତି।

ଏହା ମାଧ୍ୟମରେ ଜିଏସ୍‌ଟିର ନୂଆ ସ୍ଲାବ ଲାଗୁ ହେବା ପୂର୍ବରୁ ଉତ୍ପାଦର ମୂଲ୍ୟ କେତେ ଥିଲା ଏବଂ ପରେ କେତେ ହେବ ତାହାର ତୁଳନା କରିପାରିବେ। ସରକାରୀ ପ୍ଲାଟଫର୍ମ ‘ମାଇଁଗଭ୍‌’ ଏହି ୱେବ୍‌ସାଇଟ ଆରମ୍ଭ କରିଛି। ଏଥିରେ ଅନେକ ବର୍ଗ ରହିଛି। ଏଗୁଡିକ ମଧ୍ୟରେ ଖାଦ୍ୟ ସାମଗ୍ରୀ, ଜଳଖିଆ ସାମଗ୍ରୀ, ଘରୋଇ ସାମଗ୍ରୀ, ଘରୋଇ ଇଲେକ୍‌ଟ୍ରୋନିକ୍ସ, ରୋଷେଇ ସାମଗ୍ରୀ, ମନୋରଞ୍ଜନ ଏବଂ ଜୀବନଶୈଳୀ ସମ୍ବନ୍ଧିତ ବସ୍ତୁ ସାମିଲ ରହିଛି। ଏହି ୱେବସାଇଟରେ ତୁଳନା କରି ସାମଗ୍ରୀ ଦ୍ବାରା କେତେ ଟଙ୍କା ସଞ୍ଚୟ ହେଉଛି ତାହା ଲୋକେ ଜାଣିପାରିବେ। ଏଥିପାଇଁ ‘ମାଇଁଗଭ୍‌ଇଣ୍ଡିଆ’ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ‘କ୍ୟୁଆର କୋଡ ସ୍କାନର’ ମଧ୍ୟ ଜାରି କରାଯାଇଛି।

ମୂଲ୍ୟ ତୁଳନା କରିବା ପାଇଁ ଗ୍ରାହକଙ୍କୁ ପ୍ରଥମେ ଉପରୋକ୍ତ ପୋର୍ଟାଲକୁ ଯିବାକୁ ହେବ। କାର୍ଟରେ ସେମାନଙ୍କ ପସନ୍ଦର ଜିନିଷଗୁଡ଼ିକୁ ଯୋଡିବାକୁ ପଡିବ। ଏହା ପରେ କାର୍ଟରେ ‘ମୂଳ ମୂଲ୍ୟ’, ‘ଭାଟ୍ ଅଧୀନରେ ବିକ୍ରୟ ମୂଲ୍ୟ’ ଏବଂ ‘ପରବର୍ତ୍ତୀ-ଜେନ୍ ଜିଏସ୍‌ଟି ଅଧୀନରେ ବିକ୍ରୟ ମୂଲ୍ୟ’ ବର୍ଗରେ ତିନୋଟି ଭିନ୍ନ ହାର ଦେଖାଯିବ। ଗ୍ରାହକମାନେ ଏକ ନିର୍ଦ୍ଦିଷ୍ଟ ବର୍ଗ ସହିତ ଯେକୌଣସି ଜିନିଷ ବାଛିବାର ବିକଳ୍ପ ପାଇବେ। ଏହି ବର୍ଗରେ ଖାଦ୍ୟ, ଜଳଖିଆ, ଘରୋଇ ଆଦି ବିକଳ୍ପ ଦିଆଯାଇଛି।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ପୂର୍ବରୁ ଥିବା ଜିଏସ୍‌ଟି ସ୍ଲାବକୁ ବଦଳାଇ ୫ ପ୍ରତିଶତ ଏବଂ ୧୮ ପ୍ରତିଶତରେ ସୀମିତ ରଖିଛନ୍ତି। ସେହିପରି ବିଳାସପୂର୍ଣ୍ଣ ସାମଗ୍ରୀଏବଂ ତମ୍ବାଖୁ ଜାତୀୟ ଉତ୍ପାଦ ଲାଗି ୪୦ ପ୍ରତିଶତର ସ୍ଲାବ ଅଣାଯାଇଛି। ଅନ୍ୟପକ୍ଷରେ ଜିଏସ୍‌ଟିରେ ସଂସ୍କାର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ସରକାରମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଏଥିପାଇଁ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ଏଥିରେ କହିଛନ୍ତି ଯେ ଜିଏସ୍‌ଟି ହାର ହ୍ରାସ ମାଧ୍ୟମରେ ସାଧାରଣ ନାଗରିକଙ୍କୁ ଆଶ୍ବସ୍ତି ଦେବା ପାଇଁ ସବୁ ରାଜ୍ୟ ଏକାଠି ହୋଇଛନ୍ତି। ଏଥିପାଇଁ ସେ କୃତଜ୍ଞତା ପ୍ରକାଶ କରିଛନ୍ତି। ରାଜସ୍ବ କ୍ଷତିର ଭରଣା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହିତ ସଂସ୍କାରକୁ ସମାଲୋଚନା କରୁଥିବା ବିରୋଧୀଙ୍କୁ ସେ ସମାଲୋଚନା କରିଛନ୍ତି। ବିରୋଧୀଙ୍କ ପାଖରେ ସଠିକ୍‌ ସୂଚନା ନାହିଁ । ଏହି ନିଷ୍ପତ୍ତି କେବଳ କେନ୍ଦ୍ର ନୁହେଁ, ସବୁ ରାଜ୍ୟଙ୍କର ଥିବା ସେ ସୂଚନା ଦେଇଛନ୍ତି। ଏହା ସହିତ ଭାରତ ଆଗକୁ ମଧ୍ୟ ରୁଷ୍‌ଠୁ ତୈଳ କ୍ରୟ ଜାରି ରଖିବ ବୋଲି ସେ ସୂଚନା ଦେଇଛନ୍ତି।

About The Author: The Sakala