ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି । ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଭୁବନେଶ୍ବରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ମହାଶିବରାତ୍ରି ଉପଲକ୍ଷେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିଛି ପୋଲିସ । ୪ଟି ସିଫ୍ଟରେ ସମ୍ପୂର୍ଣ୍ଣ ସ୍ଥାନ ଜଗିଛନ୍ତି ପୋଲିସ । ସୁରକ୍ଷା ଦାୟିତ୍ବରେ ୫ ଜଣ ଏଡିସିପି, ୧୪ ଜଣ ଏସିପି, ୨୧ ଜଣ ଆଇଆଇସି, ୮୪ ଜଣ ଏସଆଇ, ୯୩ ଏଏସଆଇ ମୁତୟନ ରହିଛନ୍ତି । ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଓଡ୍ରାଫ,ଅଗ୍ନିଶମ ଅଧିକାରୀ ବି ମୁତୟନ ରହିଛନ୍ତି । ସବୁଠି ସିସିଟିଭି ଲାଗିବା ସହ ସାଧା ପୋଷାକରେ ପୋଲିସ ମୁତୟନ ରହିଛନ୍ତି ।
ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି ।