ଆଜି ଆନ୍ତର୍ଜାତିକ ଯୋଗ ଦିବସ: ମନକୁ ଶାନ୍ତ ଓ ଶରୀରକୁ ସୁସ୍ଥ ରଖିଥାଏ ଯୋଗ

ବିଶ୍ବକୁ ଭାରତର ଏକ ସୁନ୍ଦର ଉପହାର ‘ଯୋଗ’। ପ୍ରାୟ ୫ ହଜାର ବର୍ଷ ତଳେ ଭାରତରୁ ଯୋଗର ସୃଷ୍ଟି ହୋଇଥିଲା। ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀରର ମିଳନର ଏକ ମାଧ୍ୟମ ହେଉଛି ଯୋଗ। ଯୋଗ ଆଉ ଆଗ ଭଳି ସାଧୁସନ୍ଥ, ବ୍ରାହ୍ମଣ ବା ସଂଭ୍ରାନ୍ତ ‌ଶ୍ରେଣୀ ମଧ୍ୟରେ ସୀମିତ ହୋଇ ରହିନାହିଁ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସାରା ବିଶ୍ବରେ ଏହା ଛାଇ ହୋଇଯାଇଛି। ସୁସ୍ଥ ଶରୀର ହେଉ କି […]

ବିଶ୍ବକୁ ଭାରତର ଏକ ସୁନ୍ଦର ଉପହାର ‘ଯୋଗ’। ପ୍ରାୟ ୫ ହଜାର ବର୍ଷ ତଳେ ଭାରତରୁ ଯୋଗର ସୃଷ୍ଟି ହୋଇଥିଲା। ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀରର ମିଳନର ଏକ ମାଧ୍ୟମ ହେଉଛି ଯୋଗ। ଯୋଗ ଆଉ ଆଗ ଭଳି ସାଧୁସନ୍ଥ, ବ୍ରାହ୍ମଣ ବା ସଂଭ୍ରାନ୍ତ ‌ଶ୍ରେଣୀ ମଧ୍ୟରେ ସୀମିତ ହୋଇ ରହିନାହିଁ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସାରା ବିଶ୍ବରେ ଏହା ଛାଇ ହୋଇଯାଇଛି। ସୁସ୍ଥ ଶରୀର ହେଉ କି ସୁନ୍ଦର ତ୍ବଚା, ଚିନ୍ତା ସହ ଚେତନାର ମିଳନ ହେଉକି ଅବସାଦ ମନକୁ ସତେଜ କରିବାକୁ, ‘ଯୋଗ’ ପ୍ରଧାନ ମାଧ୍ୟମ ପାଲଟିଛି। ଖାଲି ସେତିକି ନୁହେଁ, କ୍ୟାନସର୍‌ ଭଳି ମାରାତ୍ମକ ରୋଗକୁ ମଧ୍ୟ ଭଲ କରିବାରେ ଯୋଗର ଭୂମିକା ରହିଛି। ଜୁନ୍‌ ମାସ ୨୧ ତାରିଖ । ଏହି ଦିନଟିକୁ ଏବେ ଆନ୍ତର୍ଜାତିକ ଯୋଗ ଦିବସ ଭାବରେ ପାଳନ କରାଯାଉଛି ।

ଯୋଗ ଅଭ୍ୟାସ ଦ୍ବାରା କେବଳ ଶରୀର ରୋଗ ମୁକ୍ତ ହୋଇ ନ ଥାଏ ବରଂ ମନକୁ ମଧ୍ୟ ଶାନ୍ତି ମିଳିଥାଏ। ନୀରୋଗ ରହିବା ପାଇଁ ପ୍ରତିଦିନ ଜିମ୍ ଯିବା ଦରକାର ନାହିଁ କି କଠିନ କସରତ କରିବାର ଆବଶ୍ୟକତା ନାହିଁ । ନିୟମିତ ଜଣେ ଘରେ ଯୋଗାଭ୍ୟାସ କରି ସୁସ୍ଥ ରହିପାରିବେ । ଯୋଗ ହେଉଛି ଭାରତୀୟ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଯୋଗ ଦିବସକୁ ସମଗ୍ର ବିଶ୍ବରେ ପାଳନ କରାଯିବାର ପ୍ରୟାସ ଭାରତ ଦ୍ବାରା ହିଁ କରାଯାଇଥିଲା। ୨୭ ସେପ୍ଟେମ୍ବର ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ବୈଠକରେ ସମଗ୍ର ବିଶ୍ବରେ ଯୋଗ ଦିବସ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରସ୍ତାବରେ ମିଳିତ ଜାତିସଂଘ କେବଳ ତିନି ମାସ ମଧ୍ୟରେ ଏହାକୁ ସ୍ୱୀକୃତି ଦେଇଥିଲା। ମିଳିତ ଜାତିସଂଘର ମଞ୍ଜୁରୀ ପରେ ୨୧ ଜୁନ୍ ୨୦୧୫ରେ ପ୍ରଥମ ‘ଆନ୍ତର୍ଜାତିକ ଯୋଗ ଦିବସ’ ପାଳନ କରାଯାଇଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପାଖାପାଖି ୩୫ ହଜାରରୁ ଅଧିକ ଲୋକ ଏବଂ ୮୪ ଦେଶର ପ୍ରତିନିଧି ନୂଆଦିଲ୍ଲୀର ରାଜପଥରେ ପାଖାପାଖି ୩୫ ମିନିଟ୍‌ ଧରି ଯୋଗର ୨୧ଟି ଆସନ କରିଥିଲେ।

ଆତ୍ମନିୟନ୍ତ୍ରଣ, ଆତ୍ମ-ଶୃଙ୍ଖଳା ଓ ଆତ୍ମଜ୍ଞାନ ପ୍ରଦାନ କରିବାରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଦୈନନ୍ଦିନ ଯୋଗାଭ୍ୟାସ ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଚଳିତବର୍ଷ ଥିମ୍ ରହିଛି ‘ମାନବତା ପାଇଁ ଯୋଗ’। ଏହି ଦିବସ ପାଳନ ଅବସରରେ ସାରା ଦେଶରେ ଯୋଗ ଶିବିରମାନ ଅାୟୋଜନ କରାଯାଇ ଲୋକମାନଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଉତ୍ସାହିତ କରାଯାଏ।

ସାରା ଓଡ଼ିଶାରେ ବି ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ୨୦୧୫ରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେଉଛି । ଆମେରିକାର ମିଳିତ ଜାତିସଂଘ ସାଧାରଣ ପରିଷଦର ୬୯ତମ ଅଧିବେଶନକୁ ପ୍ରଥମ କରି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲେ । ଏହା ପରେ ଜୁନ୍ ୨୧କୁ ଭାରତ ସମେତ ବିଭିନ୍ନ ରାଷ୍ଟ୍ର ଏହି ଦିବସକୁ ପାଳନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୭୭ରୁ ଅଧିକ ଦେଶ ଯୋଗ ଦିବସ ପାଳନ ହେଉଥିବା ବେଳେ ପ୍ରମୁଖ ଐତିହ୍ୟସ୍ଥଳୀରେ ହେଉଛି ଯୋଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହେଶୂରରେ ଯୋଗ ଦିବସରେ ଯୋଗଦାନ କରିଛନ୍ତି । ସେପଟେ ସମଗ୍ର ଦେଶର ବିଭନ୍ନ ସ୍ଥାନରେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଯୋଗ ଦିବସକୁ ପାଳନ କରାଯାଉଛି । ବିଭିନ୍ନ ସାମାଜିକ ସଂସ୍ଥା, ସଂଗଠନ ଏବଂ ବେସରକାରୀ ସଂସ୍ଥା ମଧ୍ୟ ଯୋଗ ଦିବସକୁ ପାଳନ କରୁଛନ୍ତି ।

About The Author: The Sakala