ମୁମ୍ବଇ: ସୁଦୃଢ଼ ହୋଇଛି ଭାରତୀୟ ମୁଦ୍ରା ‘ଟଙ୍କା’। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ବଢ଼ିଛି। ଗତ ୪ଟି କାରବାର ଦିବସରେ ଲଗାତାର ଟଙ୍କା ମୂଲ୍ୟରେ ହ୍ରାସ ଦେଖାଯିବା ପରେ ଲାଗୁଥିଲା ସପ୍ତାହର ଶେଷ ଦିନ ବି ହ୍ରାସରେ ବନ୍ଦ ହେବ। ହେଲେ ଏପରି ହୋଇ ନାହିଁ, ମୁଦ୍ରା ବଜାରରେ ଟଙ୍କା ଡଲାର ଉପରେ ଏପରି ପାଲଟା ଆକ୍ରମଣ କରିଛି, ଏଥିରେ ଆମେରିକା ସରକାର ବି ଛାନିଆ ହୋଇପଡିଛନ୍ତି। ଶୁକ୍ରବାର ପ୍ରାରମ୍ଭିକ କାରବାର କାଳରେ ଟଙ୍କା ମୂଲ୍ୟରେ ୫୧ ପଇସା ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଯାହା କାରବାର କାଳରେ ବଳବତ୍ତର ରହିବା ସହ ଶେଷବେଳକୁ ମଧ୍ୟ ମଜଭୁତରେ ବନ୍ଦ ହୋଇଛି।
ବଜାର ବିଶେଷଜ୍ଞଙ୍କ ଅନୁସାରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସାଙ୍ଗକୁ ଟ୍ରମ୍ପ ଲାଗୁ କରିଥିବା ପାରସ୍ପରିକ ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ଯାହାର ସିଧାସଳଖ ପ୍ରଭାବ ଶୁକ୍ରବାର ଆନ୍ଥଃ ବ୍ୟାଙ୍କ ବିଦେଶୀ ମୁଦ୍ରା ଏକ୍ସଚେଞ୍ଜ ବଜାରରେ ଦେଖାଯାଇଛି। ବଜାର କାରବାର ଆରମ୍ଭ ହେବା ମାତ୍ରକେ ଗୋଟିଏ ଡଲାରର ମୂଲ୍ୟ ୮୬.୨୨ ଟଙ୍କାରେ ଖୋଲିଥିଲା, ଯାହା ପିଛିଲା ବ୍ୟବସାୟିକ ଅଧିବେଶନଠାରୁ ୪୬ ପଇସା ଉପରେ ଥିଲା। ଏହା ପରେ ଟଙ୍କା ମୂଲ୍ୟ ପୁଣି ବଢିଯାଇଥିଲା। ଫଳରେ ଗୋଟିଏ ଡଲାର ମୂଲ୍ୟ ଭାରତୀୟ ଟଙ୍କାରେ ୮୬.୧୭ ଟଙ୍କା ସ୍ତରକୁ ଖସିଥିଲା। କେହି ଭାବିନଥିଲେ ଶୁକ୍ରବାର ମୁଦ୍ରା ବଜାରରେ ଟଙ୍କା ମୂଲ୍ୟରେ ଏପରି ବୃଦ୍ଧି ଘଟିବ। ତେବେ ଡଲାର ଇଣ୍ଡେକ୍ସରେ ଲଗାତାର ହ୍ରାସ ଓ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ଯୋଗୁ ଭାରତୀୟ ମୁଦ୍ରାକୁ ବଳ ମିଳିଛି।