ତିଳକ ବର୍ମା ଓ ସଞ୍ଜୁ ସାମ୍‌ସନ୍‌ଙ୍କ ବିସ୍ଫୋରକ ଶତକ; ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ୩-୧ରେ ଜିତିଲା ଭାରତ

ଜୋହାନ୍ସବର୍ଗ: ଓପନର ସଞ୍ଜୁ ସାମସନ ଓ ନଂ-୩ ତିଳକ ବର୍ମାଙ୍କ ବିସ୍ଫୋରକ ଶତକ ବଳରେ ଏଠାରେ ଶୁକ୍ରବାର ଅନୁଷ୍ଠିତ ଚତୁର୍ଥ ତଥା ଶେଷ ଟି-୨୦ ମ୍ୟାଚ୍‌‌ରେ ଭାରତ ୧୩୫ ରନ୍‌‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହା ଫଳରେ ଭାରତ ୩-୧ ବ୍ୟବଧାନରେ ୪ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ ବିଜୟୀ ହୋଇଛି। ଏଠାରେ କ୍ରମାଗତ ଶତକ ହାସଲ କରିଥିବା ଭାରତର ତିଳକ ବର୍ମାଙ୍କୁ ମ୍ୟାଚ୍‌‌ ଓ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି। ତିଳକ ସିରିଜରେ […]

ଜୋହାନ୍ସବର୍ଗ: ଓପନର ସଞ୍ଜୁ ସାମସନ ଓ ନଂ-୩ ତିଳକ ବର୍ମାଙ୍କ ବିସ୍ଫୋରକ ଶତକ ବଳରେ ଏଠାରେ ଶୁକ୍ରବାର ଅନୁଷ୍ଠିତ ଚତୁର୍ଥ ତଥା ଶେଷ ଟି-୨୦ ମ୍ୟାଚ୍‌‌ରେ ଭାରତ ୧୩୫ ରନ୍‌‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହା ଫଳରେ ଭାରତ ୩-୧ ବ୍ୟବଧାନରେ ୪ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ ବିଜୟୀ ହୋଇଛି। ଏଠାରେ କ୍ରମାଗତ ଶତକ ହାସଲ କରିଥିବା ଭାରତର ତିଳକ ବର୍ମାଙ୍କୁ ମ୍ୟାଚ୍‌‌ ଓ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି। ତିଳକ ସିରିଜରେ ୨୮୦ ରନ୍‌ କରିଥÒଲେ। ଏହି ସିରିଜ୍‌‌ ପରେ ଅଷ୍ଟ୍ରେଲିଆ ସହ ନଭେମ୍ବର ୨୨ରୁ ଭାରତ ଅଷ୍ଟ୍ରେଲିଆ ମାଟିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟେଷ୍ଟ ସିରିଜ୍‌‌ ଖେଳିବ।

ୱାଣ୍ଡରର୍ସ ଷ୍ଟାଡିୟମ୍‌‌ରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌‌ରେ ସଞ୍ଜୁ ୫୬ ବଲ୍‌‌ରେ ୧୦୯ ଓ ତିଳକ ୪୭ ବଲ୍‌‌ରେ ୧୨୦ ରନ୍‌‌ କରି ଅପରାଜିତ ରହିବା ଫଳରେ ପ୍ରଥମେ ବ୍ୟାଟିଂ କରି ଭାରତ ୧ ୱିକେଟରେ ୨୮୩ ରନ୍‌‌ କରିଥିଲା। ଏମାନଙ୍କ ଦ୍ୱିତୀୟ ୱିକେଟ ଯୋଡିରୁ ରେକର୍ଡ ୨୧୦ ରନ୍‌‌ ସଂଗୃହୀତ ହୋଇଥିଲା। ଜବାବରେ ୨୮୪ ରନ୍‌‌ର ବିରାଟ ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୩ ଓଭର ସୁଦ୍ଧା ମାତ୍ର ୧୦ ରନରେ ପ୍ରଥମ ୪ଜଣ ବ୍ୟାଟରଙ୍କୁ ହରାଇ ବିପଦରେ ପଡ଼ିଥିଲା। ଏହା ପରେ ଟ୍ରିଷ୍ଟାନ ଷ୍ଟବ୍ସ ୪୩, ଡେଭିଡ୍‌‌ ମିଲର ୩୬ ଓ ମାର୍କୋ ଜାନସେନ୍‌‌ ୨୯ ରନ୍‌‌ କରିଥିଲେ ମଧ୍ୟ ଏହା ଦକ୍ଷିଣ ଆଫ୍ରିକାର ବିଜୟ ଲକ୍ଷ୍ୟଠାରୁ ଦୂରରେ ରହିଯାଇଥିଲା। କିନ୍ତୁ ଏମାନଙ୍କ ପାୱାର ହିଟ୍‌‌ ଯୋଗୁଁଁ ବଲ ୩ଥର ଷ୍ଟାଡିୟମ୍‌‌ ବାହାରକୁ ଚାଲିଯାଇଥିଲା। ଘରୋଇ ଦଳ ୧୮.୨ ଓଭରରେ ୧୪୮ ରନ୍‌‌ କରି ଅଲଆଉଟ ହୋଇଯାଇଥିଲା। ଭାରତର ଅର୍ଶଦୀପ ସିଂ ୩ଟି, ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

୪ ମ୍ୟାଚ୍‌‌ରେ ୪ ଶତକ
ୱାଣ୍ଡରର୍ସ ଷ୍ଟାଡିୟମ୍‌‌ରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚ୍‌‌ରେ ଟସ୍‌‌ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ ନେଇ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା। ପାୱାର ପ୍ଲେ’ରେ ଦୁଇ ଓପନର ୭୩ ରନ୍‌‌ ଉଠାଇବା ପରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ୧୮ ବଲ୍‌‌ରୁ ୨ ଚୌକା ଓ ୪ ଛକା ସହ ୩୬ ରନ୍‌‌ରେ ଅଭିଷେକ ଶର୍ମା ଆଉଟ ହେବା ପରେ ଭାରତର ଦୁଇ ଅପରାଜିତ ବ୍ୟାଟର ଆଉ ପଛକୁ ଫେରି ଚାହିଁ ନ ଥିଲେ। ଚଳିତ ସିରିଜ୍‌‌ରେ ଭାରତର ପ୍ରଥମ ମ୍ୟାଚ୍‌‌ ହିରୋ ସଞ୍ଜୁ ସାମସନ ଓ ତୃତୀୟ ମ୍ୟାଚ୍‌‌ ହିରୋ ତିଳକ ବର୍ମା ଏକାଠି ହେବା ପରେ ୱାଣ୍ଡରର୍ସ ଷ୍ଟାଡିୟମ୍‌‌ରେ ରନ୍‌‌ ବର୍ଷା ହୋଇଥିଲା। ଉଭୟ ଖେଳାଳି ପଡ଼ିଆର ଚାରିଆଡକୁ ଆକର୍ଷଣୀୟ ସଟ୍‌‌ମାନ ମାରି ଏକ ବିଶାଳ ସ୍କୋର କରିବା ସ୍ପଷ୍ଟ କରିଥିଲେ। ପୂର୍ବରୁ ଉଭୟ ଖେଳାଳି ଚଳିତ ସିରିଜ୍‌‌ରେ ହାସଲ କରିଥିବା ଶତକୀୟ ଇନିଂସ ଅଭିଜ୍ଞତା ଏହି ଫ୍ଲାଟ୍‌‌ ପିଚ୍‌‌ରେ କାମ ଦେଇଥିଲା। ଫଳରେ ସଞ୍ଜୁ ୫୧ ଓ ତିଳକ ୪୧ ବଲ୍‌‌ରେ ଶତକ ହାସଲ କରିଥିଲେ। ସଞ୍ଜୁ ୫୬ ବଲ୍‌‌ ଖେଳି ୬ ଚୌକା ଓ ୯ ଛକା ବଳରେ ୧୦୯ ଓ ତିଳକ ୪୭ ବଲ୍‌‌ରୁ ୯ ଚୌକା ଓ ୧୦ ଛକା ବଳରେ ୧୨୦ ରନ୍‌‌ କରି ଅପରାଜିତ ରହିଥିଲେ। ଏମାନେ ଏତେ ସେଟ୍‌‌ ହୋଇଯାଇଥିଲେ ଯେ, ଦକ୍ଷିଣ ଆଫ୍ରିକାର ସମସ୍ତ ଯୋଜନାକୁ ପଣ୍ଡ କରିଦେଇଥିଲେ। ଫଳରେ ସଞ୍ଜୁ ଓ ତିଳକ ଦ୍ୱିତୀୟ ୱିକେଟରୁ ଭାରତ ଲାଗି ୨୧୦ ରନ୍‌‌ର ରେକର୍ଡ ପାର୍ଟନରସିପ୍‌‌ କରିଥିଲେ। ଟି-୨୦ରେ ଏହା ଭାରତ ଲାଗି ଯେ କୌଣସି ୱିକେଟରେ ସର୍ବାଧିକ ପାର୍ଟନରସିପ୍‌‌ ହୋଇଥିଲା। ଏହି ପାର୍ଟନରସିପ୍‌‌ ବଳରେ ଭାରତ ୧ ୱିକେଟରେ ୨୮୩ ରନ୍‌‌ କରି ସମସ୍ତ ଟି-୨୦ ଅନ୍ତର୍ଜାତୀୟରେ ଦ୍ୱିତୀୟ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସର୍ବାଧିକ ସ୍କୋର କରିଛି। ଏହି ସିରିଜ୍‌‌ର ପ୍ରଥମ ମ୍ୟାଚ୍‌‌ରେ ସଞ୍ଜୁ ସାମସନ ଓ ତୃତୀୟ ମ୍ୟାଚ୍‌‌ରେ ତିଳକ ବର୍ମା ଶତକ ହାସଲ କରିଥିଲେ।

About The Author: The Sakala