ନୂଆଦିଲ୍ଲୀ: ଜମିଲାଣି ପାର୍ବଣ ବଜାର। ଦିନ କେଇଟା ପରେ ଦଶହରା ଆଉ ତା ପରେ ଦୀପାବଳି। ହେଲେ ବର୍ତ୍ତମାନ ଭାରତୀୟ ବଜାର ଶିଥିଳ। ଖାଉଟିଙ୍କୁ ବର୍ତ୍ତମାନଠାରୁ ଆଗାମୀ ଦିନର ବଜାର ଦର ସ୍ଥିତିକୁ ନେଇ ଚିନ୍ତା ଘାରିଲାଣି। କାରଣ ନଭେମ୍ବରରେ ବିଭିନ୍ନ ଆଡୁ ଗ୍ରାହକଙ୍କୁ ଝଟ୍କା ଲାଗିବାକୁ ଯାଉଛି। ନଭେମ୍ବରରେ ପେଟ୍ରୋଲ,ଡିଜେଲ ଓ ମୋବାଇଲ ଟାରିଫ୍ରେ ବୃଦ୍ଧି ନେଇ ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ବର୍ଷ ସାରା ପେଟ୍ରୋଲ,ଡିଜେଲ, ମୋବାଇଲ ଟାରିଫ୍, ଡାଲି, ଚାଉଳ, ଅଟା ଓ ଖାଇବା ତେଲରେ ମହଙ୍ଗା ମାଡ଼ ହୋଇଥିବାବେଳେ ଏବେ ଆଗାମୀ ଦିନରେ ପୁନର୍ବାର ହେବାକୁ ଥିବା ଦର ବୃଦ୍ଧି ସହ୍ୟ କରିବାକୁ ଖାଉଟିଙ୍କ ପାଖରେ ଆଉ ଧର୍ଯ୍ୟ ନାହିଁ। ତେଣୁ ମୋଟାମୋଟି ଭାବେ ଗରିବ, ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରଗୁଡିକ ପାଇଁ ଏହି ମହଙ୍ଗା ବଜାର ପାର୍ବଣ ମାହୋଲକୁ ସମ୍ପୂର୍ଣ୍ଣ ପାଣିଚିଆ କରିଦେଇଛି।
ବିଶ୍ବ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଉତ୍ଥାନ-ପତନ ମଧ୍ୟରେ ଅକ୍ସଫୋର୍ଡ ଇକୋନୋମିକ୍ସର ଅର୍ଥନୀତିଜ୍ଞଙ୍କ ଏକ ରିପୋର୍ଟ ଭାରତରେ ଚିନ୍ତା ସୃଷ୍ଟି କରିଛି। ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଅର୍ଥନୀତିଜ୍ଞ ଆଲେକ୍ଜାଣ୍ଡ୍ରା ହରମାନ ପ୍ରସାଦ କହିଛନ୍ତି ଯେ ନଭେମ୍ବରରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାମାନ୍ୟ ବୃଦ୍ଧି ହୋଇପାରେ। ତଥାପି, ସେ ଏହା ମଧ୍ୟ କହିଛନ୍ତି ଯେ ମେ’ ମାସରେ ବୃଦ୍ଧି ତୁଳନାରେ ନଭେମ୍ବରରେ ଇନ୍ଧନ ମୂଲ୍ୟରେ ବୃଦ୍ଧି ସାମାନ୍ୟ ହେବାର ସମ୍ଭାବନା ରହିଛି। ଭାରତରେ ଆସନ୍ତା ବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବାର ଅଛି। ଆକଳନ ଅନୁଯାୟୀ ନିର୍ବାଚନ ପୂର୍ବରୁ ଇନ୍ଧନ ମୂଲ୍ୟ ବୃଦ୍ଧି ହୋଇପାରେ। ଯଦି ଏହା ହୁଏ, ତେବେ ଏହା ସିଧାସଳଖ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଇବ। କାରଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରିବହନ ଖର୍ଚ୍ଚ ବୃଦ୍ଧି କରେ, ଯାହା ଫଳରେ ମାଲ ପରିବହନ ଏବଂ ତତ୍ ସମ୍ବନ୍ଧିତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ। ପୂର୍ବରୁ, ମେ ମାସରେ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୭.୫% ବୃଦ୍ଧି ପାଇଥିଲା।
ସରକାରଙ୍କ ତଦାରଖ ଅଧିନରେ ଥିବା ୪୨ଟି ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟରୁ ୪୧ଟିର ଖୁଚୁରା ମୂଲ୍ୟ ଗତ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି, ଯେଉଁଥିରେ ଆଳୁ ଏକମାତ୍ର ବ୍ୟତିକ୍ରମ। ଉପଭୋକ୍ତା ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ତଥ୍ୟ ଅନୁଯାୟୀ, ବର୍ଷକରେ ପିଆଜ ମୂଲ୍ୟ ସର୍ବାଧିକ ୧୧୩% ବୃଦ୍ଧି ପାଇଛି। ଏହାପଛକୁଚିନି ଦର ପ୍ରାୟ ୨୨% ଏବଂ ସୂର୍ଯ୍ୟମୁଖୀ ତେଲ ମୂଲ୍ୟ ପ୍ରାୟ ୧୮% ବଢ଼ିଛି। ସୋମବାର କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ପ୍ରାୟ ଦୁଇ ବର୍ଷର ସର୍ବୋଚ୍ଚ ୫.୫%କୁ ବୃଦ୍ଧି ପାଇବା ପଛରେ ଖାଦ୍ୟ ମୂଲ୍ୟ ବୃଦ୍ଧି ଏକ ପ୍ରମୁଖ କାରଣ ହୋଇଛି। ସେପ୍ଟେମ୍ବରରେ ବାର୍ଷିକ ହାରରେ ଖାଦ୍ୟ ମୁଦ୍ରାସ୍ଫୀତି ୭.୭୪% ରହିଥିଲା। ଗତ ବର୍ଷ ଯେଉଁ ଡାଲି ଦର ୧୧୩ ଟଙ୍କା ରହିଥିଲା, ଯାହା ବର୍ତ୍ତମାନ କିଲୋଗ୍ରାମ ପିଛା ପ୍ରାୟ ୧୨୯ ଟଙ୍କାକୁ ବୃଦ୍ଧି ପାଇଛି। ଦେଶର ୪ ମହାନଗରରେ ବର୍ତ୍ତମାନ ଡାଲି ମୂଲ୍ୟ କିଲୋଗ୍ରାମ ପିଛା ୧୪୦ ଟଙ୍କାରୁ ୧୪୫ ଟଙ୍କା ମଧ୍ୟରେ ରହିଛି।
ଖାଇବା ତେଲ ମଧ୍ୟରେ ସୂର୍ଯ୍ୟମୁଖୀ ତେଲ ହାରାହାରି ଖୁଚୁରା ମୂଲ୍ୟରେ ସର୍ବାଧିକ ବୃଦ୍ଧି ରେକର୍ଡ କରିଛି, ଯାହା ପ୍ରତି ଲିଟର ୧୯୦-୨୦୦ ଟଙ୍କାରେ ପହଞ୍ଚିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୮%ରୁ ଅଧିକ। ଏହା ପରେ ପାମୋଲିନ୍ ତେଲ ୧୫.୨% ବୃଦ୍ଧି ପାଇଛି ଏବଂ ସୋୟାବିନ୍ ତେଲ ୧୪.୬% ବୃଦ୍ଧି ପାଇଛି। ସୋରିଷ ତେଲ ମୂଲ୍ୟ ମଧ୍ୟ ଗତ ବର୍ଷ ୧୮୮ ଟଙ୍କାରୁ ୨୦୪ ଟଙ୍କା ପ୍ରତି ଲିଟରକୁ ବୃଦ୍ଧି ପାଇଛି। ତଥ୍ୟ ଏହା ମଧ୍ୟ ଦର୍ଶାଉଛି ଯେ ନିୟମିତ ଚାଉଳର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ ୧୨% ବୃଦ୍ଧି ପାଇ ୪୭ ଟଙ୍କା ହୋଇଛି। ପ୍ରମୁଖ ପନିପରିବା ମଧ୍ୟରେ, ପିଆଜ ଦର କିଲୋଗ୍ରାମ ପିଛା ୫୩ ଟଙ୍କା ବୃଦ୍ଧି ପାଇଛି। ସୋମବାର ଟମାଟୋ କିଲୋଗ୍ରାମ ପିଛା ୪୨ ଟଙ୍କାରେ ବିକ୍ରି ହେଉଥିଲା, ଯାହା ଗତ ବର୍ଷ ୩୬ ଟଙ୍କା ଥିଲା।
ଏସବୁ ବ୍ୟତୀତ ଆଗକକୁ ମୋବାଇଲ ବିଲ୍ କ୍ଷେତ୍ରରେ ଗ୍ରାହକଙ୍କୁ ବଡ଼ ଝଟ୍କା ଲାଗିବାକୁ ଯାଉଛି। ମୋବାଇଲ୍ ବିଲ୍ ଏବଂ ରିଚାର୍ଜ ପ୍ଲାନ୍ରେ ହେବାକୁ ଯାଉଥିବା ବୃଦ୍ଧି ମୋବାଇଲ୍ ବ୍ୟବହାରକାରୀଙ୍କ ଚିନ୍ତା ବଢ଼ାଇଛି। ଆଗାମୀ ୪ ମାସ ମଧ୍ୟରେ ଦେଶର ଟେଲିକମ୍ କ୍ଷେତ୍ରରେ ମୋବାଇଲ୍ ଟାରିଫ୍ ବା ରିଚାର୍ଜ ପ୍ଲାନଗୁଡ଼ିକ ୧୨ ରୁ ୧୫ ପ୍ରତିଶତ ମହଙ୍ଗା ହୋଇପାରେ। ସେଣ୍ଟ୍ରମ ଇନଷ୍ଟିଚ୍ୟୁସନାଲ୍ ରିସର୍ଚ୍ଚର ଏକ ସାମ୍ପ୍ରତିକ ରିପୋର୍ଟରେ ଏଭଳି ଦାବି କରାଯାଇଛି। ଟେଲିକମ୍ କମ୍ପାନୀଗୁଡ଼ିକ ସେମାନଙ୍କର ଲାଭ ବୃଦ୍ଧି କରିବା ଏବଂ 5G ନେଟୱାର୍କରେ ହୋଇଥିବା ବିପୁଳ ଖର୍ଚ୍ଚକୁ ପୂରଣ କରିବା ପାଇଁ ଏହି ପଦକ୍ଷେପ ନେଉଛନ୍ତି।