ଭୁବନେଶ୍ବର: ଖସିଛି ମୁଦ୍ରାସ୍ଫୀତି। ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬% ତଳକୁ ହ୍ରାସ ଘଟିଛି। ଚଳିତବର୍ଷର ଅକ୍ଟୋବର ମାସରେ ଏହା ୧୪ ମାସରେ ସର୍ବାଧିକ ୬.୨୧ ପ୍ରତିଶତ ରହିଥିଲା। ନଭେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ରିପୋର୍ଟ ବଳରେ ଦେଶରେ ଦରଦାମ୍ କମିଥିବା ଇତିମଧ୍ୟରେ କେନ୍ଦ୍ର ସରକାର କହିବା ଆରମ୍ଭ କରିଦେଇଛନ୍ତି। ବାସ୍ତବରେ କହିବାକୁ ଗଲେ କାଗଜପତ୍ରରେ କମିଛି ଦରଦାମ୍। ଏବେ ବି ଦେଶରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦର ଢ଼େର ଉଚ୍ଚରେ ରହିଛି। ନଭେମ୍ବରରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ଯୋଗୁ ମୁଦ୍ରାସ୍ଫୀତିରେ ଏହି ହ୍ରାସ ହୋଇଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ଗୁରୁବାର ଜାରି ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ତଥ୍ୟ ଅନୁସାରେ ନଭେମ୍ବର ମାସରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ହୋଇଛି। ଏହା ନଭେମ୍ବର ମାସରେ ୯.୦୪ ପ୍ରତିଶତକୁ ଆସିଛି, ଯାହା ଅକ୍ଟୋବରରେ ୧୦.୮୭ ପ୍ରତିଶତ ରହିଥିଲା। ତଥ୍ୟ ଅନୁସାରେ ନଭେମ୍ବର ୨୦୨୪ରେ ପନିପରିବା ମୂଲ୍ୟରେ ହ୍ରାସ ହୋଇ ୨୯.୩୩ ପ୍ରତିଶତରେ ପହଞ୍ଚିଛି। ଏହା ଅକ୍ଟୋବର ମାସରେ ୪୨.୧୮ ପ୍ରତିଶତ ରହିଥିଲା। ଦେଶରେ କ୍ରମାଗତ ଭାବେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ଜୋରଦାର ହେବାରେ ଲାଗିଛି। ପେଟ୍ରୋଲ, ଡିଜେଲ ସହିତ ରନ୍ଧନ ଗ୍ୟାସ୍, ଖାଇବା ତେଲ, ଚିନି, ସୋରିଷ ତେଲ ଚାଉଳଠାରୁ ଅଟା ପର୍ଯ୍ୟନ୍ତ ସବୁର ଦର ବେଲଗାମ୍। ଏବେ ବି ଦେଶରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦର ୮୦୦ ଟଙ୍କା ଉପରେ ରହିଛି। ଅପରପକ୍ଷେ ପେଟ୍ରୋଲ ମୂଲ୍ୟ ଶହେ ଟଙ୍କା ଉପରେ ରହିଛି। ବିଶେଷକରି ପେଟ୍ରୋଲ,ଡିଜେଲ ଏବଂ ରନ୍ଧନ ଗ୍ୟାସ୍ ମୂଲ୍ୟରେ ବୃଦ୍ଧି ଯୋଗୁ ଦେଶରେ ମୁଦ୍ରାସ୍ଫୀତି ଖୁବ୍ ଉପରେ ରହିଛି। ନଭେମ୍ବରରେ ଯଦି ବା ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ସୀମା ୬ ପ୍ରତିଶତ ମଧ୍ୟରେ ରହିଛି ତଥାପି ଏହା କେନ୍ଦ୍ରୀୟ ବ୍ୟାଙ୍କର ସହନଶୀଳ ସୀମା ୪% ଉପରେ। ଯାହାଫଳରେ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରୁ ଚାପ କୌଣସି ମାତ୍ରାରେ ବି କମିନାହିଁ। ମୁଦ୍ରାସ୍ଫୀତି ଦୀର୍ଘ ଦିନ ହେବ ୬ ପ୍ରତିଶତ ଉପରେ ରହିବା ଫଳରେ ଗୃହଠାରୁ ଆରମ୍ଭ କରି ଶିକ୍ଷା ଏବଂ ଅଟୋ ସମେତ ସମସ୍ତ ପ୍ରକାର ଋଣ ମହଙ୍ଗା ହୋଇଛି। ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ରିଜର୍ଭ ବ୍ୟାଙ୍କ ରେପୋ ହାରରେ କ୍ରମାଗତ ଭାବେ ବୃଦ୍ଧି ଘଟାଇବା ପରେ ଏବେ ଏଥିରେ ହ୍ରାସ ଘଟାଇବାକୁ ବାଟ ଖୋଜୁଛି। ନିକଟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୫ ପଇସା କରି ବୃଦ୍ଧି ହୋଇଥିଲା। ଏହି ପଦକ୍ଷେପ ନିଶ୍ଚିତ ଭାବେ ମୁଦ୍ରାସ୍ଫୀତିକୁ ବୃଦ୍ଧି ଘଟାଇବ। ଭବିଷ୍ୟତରେ ଖାଉଟି ମୁଦ୍ରାସ୍ଫୀତି ଜନିତ ଚାପରୁ ମୁକ୍ତି ପାଇବା ସମ୍ଭାବନା କମ୍। ଚଳିତବର୍ଷ ଅଧିକାଂଶ ସମୟରେ ଆରବିଆଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ନିୟୋଜିତ ଥିଲା। ବର୍ତ୍ତମାନ ଗ୍ରାହକଙ୍କୁ ସୁଧ ହାର ପାଇଁ ରିଜର୍ଭ ବ୍ୟାଙ୍କର ଫେବୃଆରୀ ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକର ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡିବ। ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ପଦକ୍ଷେପକୁ ସମସ୍ତଙ୍କର ଅପେକ୍ଷା।
ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୧୪ ମାସର ଶୀର୍ଷ ସ୍ତର ୬.୨୧ ପ୍ରତିଶତକୁ ପହଞ୍ଚି ଯାଇଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ମଧ୍ୟ ମୁଦ୍ରାସ୍ପିତି ୫.୪୯ ପ୍ରତିଶତ ଥିଲା। ସେହି ଅନୁସାରେ ଦେଖିଲେ ସେପ୍ଟେମ୍ବର ମାସ ତୁଳନାରେ ନଭେମ୍ବର ମାସରେ ମୁଦ୍ରାସ୍ପିତି ୦.୦୧ ପ୍ରତିଶତ କମିଛି। ନଭେମ୍ବରରେ ହ୍ରାସ ସତ୍ତ୍ୱେ ମୁଦ୍ରାସ୍ଫୀତି ହାର କ୍ରମାଗତ ଭାବେ ୩ ମାସ ହେବ ୫ ପ୍ରତିଶତ ଉପରେ ରହୁଛି, ଯାହା ଆରବିଆଇଙ୍କ ନିର୍ଦ୍ଧାରିତ ଅନୁମାନ ୪.୮ ପ୍ରତିଶତରୁ ଢେର ଉପରେ ରହୁଛି। ଏଣୁ ନଭେମ୍ବର ମାସରେ ମୁଦ୍ରାସ୍ଫୀତିରେ ଏହି ହ୍ରାସକୁ ବଡ଼ ଆଶ୍ୱସ୍ତି ଭାବେ ଦେଖାଯାଇ ନ ପାରେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। କାରଣ ଚଳିତ ଆର୍ଥିକ ବର୍ଷ ନିମନ୍ତେ ଆରବିଆଇ ମୁଦ୍ରାସ୍ଫୀତି ଲକ୍ଷ୍ୟକୁ ୪.୫ରୁ ବଢାଇ ୪.୮ ପ୍ରତିଶତ କରିଦେଇଛି। ସେହିପରି ଖାଦ୍ୟ ମୂଲ୍ୟର ଚାପ ଡିସେମ୍ବର ତ୍ରୈମାସିକରେ ଖୁଚୁରା ମୁଦ୍ରାସ୍ପିତିକୁ ଉଚ୍ଚତମ ସ୍ତରରେ ରଖିବ ବୋଲି ଆଶଙ୍କା କରାଯାଉଛି।