କଳଙ୍କିତ କରୁଛି କୋଟା; ପୁଣି ନିଟ୍‌ ଆଶାୟୀଙ୍କ ଆତ୍ମହତ୍ୟା

କୋଟା: ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରମୁଖ କେନ୍ଦ୍ର ପାଲଟିଥିବା ରାଜସ୍ଥାନ କୋଟା କଳଙ୍କିତ ଇତିହାସ ସୃଷ୍ଟି କରିଚାଲିଛି। ପ୍ରବେଶିକା ପରୀକ୍ଷା ହେଉ କି ସରକାରୀ ଚାକିରି ଆଶାରେ ପାଠ ପଢ଼ିବା ପାଇଁ ଘରଦ୍ବାର ଛାଡ଼ି ଆସୁଥିବା ଅନେକ ଛାତ୍ରଛାତ୍ରୀଙ୍କ ଏହା ମୃତ୍ୟୁଯନ୍ତା ପାଲଟି ଯାଇଛି। ପରିବାର ଏବଂ କୋଚିଂ କେନ୍ଦ୍ରଗୁଡିକର ପଢ଼ାଚାପ ହେଉ ଅବା ଫେଲ୍‌ ହେବାର ଭୟ ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁର କାରଣ ପାଲଟୁଛି। ଏହି ମୃତ୍ୟୁର ଧାରା ଥମିବାର ନା ଧରୁନି। ଜଣଙ୍କ ପରେ ଜଣେ […]

କୋଟା: ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରମୁଖ କେନ୍ଦ୍ର ପାଲଟିଥିବା ରାଜସ୍ଥାନ କୋଟା କଳଙ୍କିତ ଇତିହାସ ସୃଷ୍ଟି କରିଚାଲିଛି। ପ୍ରବେଶିକା ପରୀକ୍ଷା ହେଉ କି ସରକାରୀ ଚାକିରି ଆଶାରେ ପାଠ ପଢ଼ିବା ପାଇଁ ଘରଦ୍ବାର ଛାଡ଼ି ଆସୁଥିବା ଅନେକ ଛାତ୍ରଛାତ୍ରୀଙ୍କ ଏହା ମୃତ୍ୟୁଯନ୍ତା ପାଲଟି ଯାଇଛି। ପରିବାର ଏବଂ କୋଚିଂ କେନ୍ଦ୍ରଗୁଡିକର ପଢ଼ାଚାପ ହେଉ ଅବା ଫେଲ୍‌ ହେବାର ଭୟ ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁର କାରଣ ପାଲଟୁଛି। ଏହି ମୃତ୍ୟୁର ଧାରା ଥମିବାର ନା ଧରୁନି। ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରି ଚାଲିଛନ୍ତି। ଏହି କ୍ରମରେ କୋଟା ଜବାହାରନଗରର ଏକ ଛାତ୍ରାବାସରେ ୧୭ ବର୍ଷୀୟ ମେଡିକାଲ ଆଶାୟୀ ହର୍ଷରାଜ ଶଙ୍କର ମଙ୍ଗଳବାର ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ଏହି ଛାତ୍ରବାସରେ ଫ୍ୟାନ୍‌ରେ ଆତ୍ମହତ୍ୟା ବିରୋଧୀ ଡିଭାଇସ ଲାଗିଥିଲା। ଏଥିପାଇଁ ଛାତ୍ର ଏକ ଲୁହା ଛଡ଼ ଆଣି ସେଥିରେ ଆତ୍ମହତ୍ୟା କରିଥିଲେ। ସେ ବିହାର ନାଳନ୍ଦା ଜିଲ୍ଲାର ବାସିନ୍ଦା। ଗତ ବର୍ଷ ଏପ୍ରିଲରେ ସେ କୋଟା ଆସିଥିଲେ। ଛାତ୍ରାବାସରୁ ସୂଚନା ପାଇଁ ପୁଲିସ ପହଞ୍ଚି କବାଟ ଭାଙ୍ଗି ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା। ତେବେ ଏଠାରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ।

ଚଳିତ ବର୍ଷ ଏ ପର୍ଯ୍ୟନ୍ତ ମୋଟ ୯ ଜଣ ଛାତ୍ରଛାତ୍ରୀ କୋଟାରେ ଆତ୍ମହତ୍ୟା କଲେଣି। କେବଳ ଗତ ଜାନୁଆରୀରେ ୬ ଜଣ ଜୀବନ ହାରିଥିଲେ। ଏମାନଙ୍କ ମଧ୍ୟରେ ୫ ଜଣ ଜେଇ ଏବଂ ଅନ୍ୟ ଜଣେ ନିଟ୍‌ ଆଶାୟୀ ସାମିଲ ଥିଲେ। ଏହା ପୂର୍ବରୁ ୨୦୨୪ରେ ୧୭ ଛାତ୍ରଛାତ୍ରୀ ଜୀବନ ହାରିଥିଲେ। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଥିବା ଆତ୍ମହତ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଛାତ୍ରଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଏବଂ ଏଭଳି ଘଟଣାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ଏକ ଜାତୀୟ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଏହି କମିଟି ୪ ମାସରେ ଅନ୍ତରୀଣ ଏବଂ ୮ ମାସରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବ।

About The Author: The Sakala