ନୂଆଦିଲ୍ଲୀ:ଶସ୍ତା ଦରରେ ଋଷିଆରୁ ଭାରତର ତୈଳ ଆମଦାନୀ ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚିଛି। କୁହାଯାଉଛି ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ କାରଣରୁ ଅଗଷ୍ଟ ମାସରେ ଋଷିଆରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ କରାଯାଇଥିଲା। ତେବେ ଏହା ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚିଥିବା ଜଣାପଡିଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବ ବୃହତ୍ତ ତୈଳ ଉପଭୋକ୍ତା ଦେଶ। ତେବେ ଋଷିଆରୁ ତୈଳ ଆମଦାନୀ ଲଗାତାର ତୃତୀୟ ମାସରେ ହ୍ରାସ ହୋଇଛି। ରିପୋର୍ଟରୁ ଭାରତ ଏବେ ରୁଷ, ଇରାକ୍ ଏବଂ ଅାମେରିକାରୁ ତୈଳ ଆମଦାନୀ କମ୍ କରିବାକୁ ଯାଉଛି। ଅପରପକ୍ଷେ ଭାରତ ସାଉଦି ଆରବରୁ ତୈଳ ଆମଦାନୀ ବଢ଼ାିବାକୁ ଯାଉଛି।
ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ଋଷିଆରୁ ଭାରତ ଦୈନିକ ୧୪.୬ ଲକ୍ଷ ବ୍ୟାରଲ ଅଶୋଧିତ ତୈଳ କିଣିଛି। ଏହା ପୂର୍ବ ମାସରେ ଏହି ଆମଦାନୀ ଦୈନିକ ୧୯.୧ ଲକ୍ଷ ବ୍ୟାରଲ ରହିଥିଲା। ଭାରତୀୟ ରିଫାଇନାରୀ କମ୍ପାନୀଗୁଡିକ ଅନ୍ୟତମ ଯୋଗାଣକାରୀ ଇରାକରୁ ମଧ୍ୟ ତୈଳ ଆମଦାନୀ ହ୍ରାସ କରିଛନ୍ତି। ଇରାକରୁ ଆମଦାନୀ ୮,୯୧,୦୦୦ ବ୍ୟାରଲ ଦୈନିକ ସ୍ଥାନରେ ଏବେ ୮,୬୬,୦୦୦ ବ୍ୟାରଲ ତୈଳ ଆସୁଛି। ତେବେ ତଥ୍ୟରୁ ଯାହା ଜଣାପଡୁଛି ଏହି ଅବଧିରେ ସାଉଦି ଆରବରୁ ଜୁଲାଇରେ ୪,୮୪,୦୦୦ ବ୍ୟାରେଲ ଦୈନିକରୁ ବଢାଇ ୮,୨୦,୦୦୦ ବ୍ୟାରଲ କରିଦିଆଯାଇଛି।
ଫେବୃଆରୀ ୨୦୨୨ରେ ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ସମୟରେ ଋଷିଆରୁ ଭାରତର ତୈଳ ଆମଦାନୀ ୧ ପ୍ରତିଶତରୁ ମଧ୍ୟ କମ୍ ରହିଥିଲା। ତେବେ ଋଷିଆ ରିଆତି ଦରରେ ତୈଳ ଯୋଗାଇବା ଯୋଗୁ ଭାରତୀୟ ରିଫାଇନାରୀ କମ୍ପାନୀଗୁଡିକ ଋଷିଆରୁ ତୈଳ ଆମଦାନୀ ଆରମ୍ଭ କରିଥିଲେ। ଏଥିରେ ମେ’ ମାସରେ ଋଷିଆରୁ ଭାରତକୁ ଦୈନିକ ଅଶୋଧିତ ତୈଳ ଆମଦାନୀ ୨୦ ଲକ୍ଷ ବ୍ୟାରେଲର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା। ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଯୋଗୁ ୟୁରୋପୀୟ ଦେଶ ଓ ଜାପାନ କ୍ରୟ ଉପରେ କଟକଣା ଜାରି କରିଥିଲେ। ଏଣୁ ଋଷିଆ ଅଶୋଧିତ ତୈଳର ମୂଲ୍ୟ ବ୍ରେଣ୍ଟ କ୍ରୁଡଠାରୁ ମଧ୍ୟ କମ୍ କରିଦେଇଥିଲା। ତେବେ ଋଷିଆ ଦେଉଥିବା ରିଆତି ଗତବର୍ଷ ୩୦ ଡଲାର ପ୍ରତି ବ୍ୟାରେଲ ହ୍ରାସ କରି ଏବେ ୧୦ ଡଲାର କରିଦେଇଛି। ତେବେ ଭାରତର ଅଶୋଧିତ ତୈଳ ଆମଦାନୀ ଅକ୍ଟୋବର ମାସରେ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି। କାରଣ ଚତୁର୍ଥ ତ୍ରୈମାସିକରେ ଚାହିଦା ବୃଦ୍ଧି ହେବ।