ନୂଆଦିଲ୍ଲୀ : ବିଗତ କିଛି ମାସ ହେବ ଦେଶରେ ହୁ ହୁ ହୋଇ ବଢ଼ୁଥବା ସୁନା ଦରରେ ଲାଗିଛି ବ୍ରେକ୍। ପୂର୍ବରୁ ୧୦ ଗ୍ରାମ ପିଛା ଏକ ଲକ୍ଷ ଟଙ୍କା ଟପିବାର ସମ୍ଭାବନା ଦେଖାଦେଇଥିବା ସୁନା ମୂଲ୍ୟରେ ହଠାତ୍ ହୋଇଛି ହ୍ରାସ। କୌତୂହଳର ବିଷୟ ହେଉଛି ଯେ, ଘରୋଇ ବଜାରରେ ମାତ୍ର ଦୁଇ ଦିନରେ ସୁନା ମୂଲ୍ୟ ୨୭୦୦ ଟଙ୍କାରୁ ଅଧିକ ହ୍ରାସ ଘଟିଛି।
ଆମେରିକାର ମର୍ଣ୍ଣିଂଷ୍ଟାରର ବିଶେଷଜ୍ଞମାନେ ଆଗାମୀ କିଛି ବର୍ଷରେ ସୁନା ମୂଲ୍ୟରେ ଏଭଳି ବୃହତ୍ ହ୍ରାସ ଦେଖିବାକୁ ମିଳିପାରେ ବୋଲି ଆକଳନ କରିଛନ୍ତି। ଯାହାଫଳରେ ଆଗାମୀ ଦିନରେ ସୁନା ଦର ଏହାର ସର୍ବୋଚ୍ଚ ସ୍ତରଠାରୁ ୪୦ ପ୍ରତିଶତ ହ୍ରାସ ହୋଇଯାଇପାରେ। ଅର୍ଥାତ୍ ୧୦ ଗ୍ରାମ ପିଛା ୯୩ ହଜାର ଟଙ୍କା ଅତିକ୍ରମ କରିଯାଇଥିବା ୨୪ କ୍ୟାରେଟ୍ ସୁନା ଦର ଆଗକୁ ୫୫ ହଜାର ଟଙ୍କା ତଳକୁ ମଧ୍ୟ ଖସିଯିବ। ବର୍ତ୍ତମାନ ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦ ହଜାର ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନା ୮୨,୦୦୦ ଟଙ୍କା ଉପରେ ରହିଛି।
ଅପରପକ୍ଷେ ସୁନା ବ୍ୟତୀତ ନିକଟରେ ୧ ଲକ୍ଷ ଟଙ୍କା ଟିପିଯାଇଥିବା ରୁପା ମୂଲ୍ୟରେ ମଧ୍ୟ ବୃହତ୍ ହ୍ରାସ ଘଟି ଏହା କିଲୋ ପିଛା ୯୩,୦୦୦ ଟଙ୍କା ତଳକୁ ଖସିଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲଗାଇଥିବା ଶୁଳ୍କ,ସୁନା ଉତ୍ପାଦନରେ ବୃଦ୍ଧି ଏବଂ ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସୁନା କିଣିବା କମ୍ କରିଦେଇଥିବାର ପ୍ରଭାବରେ ଦର ହ୍ରାସ ଘଟୁଥିବା କୁହାଯାଉଛି।