ଜ୍ଞାନ, ସମୃଦ୍ଧି ଏବଂ ଭାଗ୍ୟର ଦେବତା ଭାବରେ ଶ୍ରୀଗଣେଶଙ୍କର ପୂଜା କରାଯାଏ ଏବଂ ପାରମ୍ପରିକ ଭାବରେ କୌଣସି ନୂତନ ଉଦ୍ୟମ ଆରମ୍ଭରେ କିମ୍ବା ଯାତ୍ରା ଆରମ୍ଭରେ ତାଙ୍କୁ ସର୍ବାଗ୍ରେ ପୂଜା କରାଯାଏ । ହିନ୍ଦୁଧର୍ମରେ ପାଳିତ ପ୍ରମୁଖ ପର୍ବପର୍ବାଣୀ ମଧ୍ୟରୁ ଗଣେଶ ଚତୁର୍ଥୀର ଏକ ସ୍ୱତନ୍ତ୍ରତା ରହିଛି । ଏହି ଦିନରେ ବୁଦ୍ଧି, ସଂବୃଦ୍ଧି ଓ ସୌଭାଗ୍ୟ ଦେବତା ଶ୍ରୀଗଣେଶଙ୍କ ଜନ୍ମ ହୋଇଥିଲା । ଏହାକୁ ବିନାୟକ ଚତୁର୍ଥୀ ନାମରେ ମଧ୍ୟ ଜଣାଯାଏ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଏ । ଶାସ୍ତ୍ର କହେ ଯେ, ଭାଦ୍ରପଦା ଶୁକ୍ଳ ପକ୍ଷ ଚତୁର୍ଥୀରୁ ଶ୍ରୀଗଣେଶଙ୍କ ଆଶୀର୍ବାଦ ପୃଥ୍ବୀକୁ ଆସିଥାଏ ଏବଂ ଅଧିକ ଲାଭ ପ୍ରଦାନ କରିଥାଏ ।
ଗଣେଶ ପୂଜାରେ ପ୍ରଭୁ ଗଜାନନଙ୍କୁ ପ୍ରସନ୍ନ କରିବାର କେତେଗୁଡିଏ ଉପାୟ ଅଛି ଯଥା, ସିନ୍ଦୂର, ଭଗବାନ ଗଣେଶଙ୍କର ଅତି ପ୍ରିୟ । ଗଣେଶ ଚତୁର୍ଥୀ ଦିନ ପ୍ରଭୁଙ୍କୁ ସିନ୍ଦୂର ଲଗାଇଲେ ମଙ୍ଗଳ ହୋଇଥାଏ । ଗଣେଶ ଚତୁର୍ଥୀ ଦିନ ଦୂବ ଅର୍ପଣ କରିବାର ବିଶେଷ ମହତ୍ତ୍ୱ ରହିଛି । ଏହାଦ୍ୱାରା ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ଶ୍ରୀଗଣେଶଙ୍କୁ ଲାଲ ପୁଷ୍ପ ଅର୍ପଣ କରିବା ମଧ୍ୟ ଖୁବ୍ ଶୁଭ ହୋଇଥା । ଭଗବାନ ଗଣେଶଙ୍କର ଲଡୁ ଖୁବ୍ ପ୍ରିୟ ତେଣୁ ଗଣେଶ ଚତୁର୍ଥୀ ଦିନ ଲଡୁ ଭୋଗ ଲଗାଯାଏ ଯାହା ସିଦ୍ଧି ପ୍ରଦାନ କରିଥାଏ । ଭଗବାନ ଗଣେଶଙ୍କ ପୂଜା ପରେ ଆଳତି କରାଗଲେ ପ୍ରଭୁ ଗଣେଶ ପ୍ରସନ୍ନ ହୋଇଥାନ୍ତି ମାତ୍ର ଗଣେଶଙ୍କୁ ତୁଳସୀ ଅର୍ପଣ କରାଯାଏ ନାହିଁ ।
ପ୍ରଭୁ ଶ୍ରୀଗଣନାଥଙ୍କ ଜନ୍ମ ପାର୍ବତୀଙ୍କ ଅଙ୍ଗମଳିରୁ, ପାର୍ବତୀଙ୍କ ମନରୁ ଓ ପାର୍ବତୀଙ୍କର ବ୍ରତାଚରଣରୁ ହୋଇଥିବା ଏପରି ତିନିପ୍ରକାରର ବୃତ୍ତାନ୍ତ ଦୃଷ୍ଟି ଗୋଚର ହୁଏ । ପାର୍ବତୀଙ୍କ ସହିତ ଶିବଙ୍କର ବିବାହ ହେବାର ବହୁକାଳ ବିତିଯିବାରେ କିଛି ସନ୍ତାନ ହେଲେ ନାହିଁ । ଦେବର୍ଷି ନାରଦ ପାର୍ବତୀଙ୍କୁ ପୁଣ୍ୟକ ବ୍ରତ କରିବାକୁ ଉପଦେଶ ଦେଲେ । ପୁଣ୍ୟକ ବ୍ରତ ମାତା ପାର୍ବତୀ ଏକ ନିକାଞ୍ଚନ ଗୁମ୍ଫାରେ କଲେ । ବହୁ ବର୍ଷ ବିତିଗଲା । ଦିନେ ପାର୍ବତୀ ଗାଧୋଉଥିବା ବେଳେ ତାଙ୍କ ଅଙ୍ଗ ମଳିରୁ ଏକ ପ୍ରତିମା ତିଆରି କଲେ ଆଉ ସେଇ ପ୍ରତିମାକୁ ଜୀବ ଦାନ ଦେବାକୁ ଭଗବାନ ବିଷ୍ଣୁଙ୍କୁ ଆରାଧନା କଲେ । ଭଗବାନ ବିଷ୍ଣୁ ସଙ୍ଗେସଙ୍ଗେ ଉପସ୍ଥିତ ହୋଇ ସେହି ପ୍ରତିମାକୁ ଜୀବ ଦାନ ଦେଲେ । ଆଉ ଖୁବ୍ ସୁନ୍ଦର ପୁତ୍ର ରୂପରେ ପ୍ରତିମାଟି ଜୀବଦାନ ପାଇଁ ମାଆ ପାର୍ବତୀଙ୍କୁ ମାତା ରୂପେ ସମ୍ବୋଧନ କଲା ଓ ମାତା ପାର୍ବତୀ ମଧ୍ୟ ପୁତ୍ରକୁ ପାଇ ଖୁବ୍ ଖୁସି ହେଲେ । କିଛିଦିନ ଅନ୍ତରାଳେ ଶିବଙ୍କର ତପସ୍ୟା ଯୋଗ ନିଦ୍ରାର ଅନ୍ତ ପରେ ପାର୍ବତୀଙ୍କୁ ସାକ୍ଷାତ କରିବାକୁ ଉକ୍ତ ଗୁମ୍ଫା ନିକଟକୁ ଆସିଲେ । ଆଉ ଗୁମ୍ଫା ଦ୍ବାରରେ ଦ୍ଵାରପାଳ ସାଜି ଥିବା ପାର୍ବତୀଙ୍କ ପୁତ୍ର ତାଙ୍କୁ ଭିତରକୁ ଛାଡିଲେ ନାହିଁ ଆଉ ଏଥୁରେ ମହାଦେବ ରାଗି ଯାଇଁ ଉକ୍ତ ବାଳକର ମସ୍ତକ କାଟିଦେଲ। ଯାହା ପାର୍ବତୀଙ୍କ ପାଇଁ ଖୁବ୍ କଷ୍ଟ ଦାୟକ ଥିଲା ପରେ ଯେତେବେଳେ ପାର୍ବତୀଙ୍କ ଠାରୁ ଜାଣିପାରିଲେ ଯେ, ସେ ପୁତ୍ର ହେଉଛି ତାଙ୍କର, ସେ ଏକ ହାତୀ ଛୁଆର ମସ୍ତକ ଆଣି ସେହି ପିଣ୍ଡରେ ମୁଣ୍ଡଟିକୁ ଯୋଡିଦେଲେ ଆଉ ଶ୍ରୀ ଗଣେଶଙ୍କର ନୂତନରୂପ ଉଦ୍ଭାସିତ ହେଲା । ସଭିଏଁ ଆନନ୍ଦିତ ହେଲେ । ହସ୍ତୀ ମୁଖ ଦେଖି କେହି ଯେପରି ତିରସ୍କାର ନ କରନ୍ତି ସେଥିପାଇଁ ତାଙ୍କୁ ଅଗ୍ରପୂଜ୍ଯ ମାନ୍ଯତା ଦିଆଗଲା । ସେତେବେଳେ ଦେବଗଣ ପ୍ରତିଜ୍ଞା କରିଥିଲେ କି ବିନା ଗଣେଶ ପୂଜାରେ ଆମେ କେବେ ହେଲେ କିଛି ପୂଜା ଗ୍ରହଣ କରିବୁ ନାହିଁ। ସେବାଠାରୁ ଶ୍ରୀଗଣେଶ ଅଗ୍ରପୂଜ୍ଯ ।
ସମନ୍ବୟାତ୍ମକ ଭାରତୀୟ ସଂସ୍କୃତିର ପ୍ରବାହମାନ ଧାରାରେ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ବିଘ୍ନରାଜ ବିନାୟକ ସର୍ବ ପୂଜ୍ୟ ଗଣଦେବତାର ଆସନ ଅଳଙ୍କୃତ କରି ଶ୍ରୀ ଗଣେଶ ନାମରେ ଖ୍ୟାତ । ଶାସ୍ତ୍ର ଅନୁସାରେ, ଶ୍ରୀ ଗଣେଶ ଚତୁର୍ଥୀକୁ ସମସ୍ତ ପରିବାରର ସଦସ୍ୟ କରିବା ଉଚିତ୍। ଯଦି ଗୋଟିଏ ପରିବାରର ସମସ୍ତ ଭାଇ ଏକତ୍ର ରୁହନ୍ତି, ଅର୍ଥାତ ସେମାନଙ୍କର ଏକ ରୋଷେଇ ଘର ଅଛି, ସେମାନେ ସମସ୍ତେ ଗୋଟିଏ ପ୍ରତିମା ପୂଜା କରିପାରିବେ । ତଥାପି ଯଦି କୌଣସି କାରଣରୁ ରୋଷେଇ ଘର ଅଲଗା, ତେବେ ପ୍ରତ୍ୟେକ ନିଜ ନିଜ ଘରେ ଶ୍ରୀଗଣେଶଙ୍କୁ ସ୍ବାଧୀନ ଭାବରେ ପୂଜା କରିବା ଉଚିତ୍। ଭଗବାନ ଗଣେଶଙ୍କୁ ନୂତନ ଆରମ୍ଭର ଭଗବାନ ତଥା ଜ୍ଞାନ ଏବଂ ବୁଦ୍ଧିର ଦେବତା ଭାବରେ ବିବେଚନା କରାଯାଏ ଏବଂ ଏହା ସମଗ୍ର ଭାରତରେ ପାଳନ କରାଯାଏ । ବିଶେଷ କରି ମହାରାଷ୍ଟ୍ର,
ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, କେରଳ, ତେଲେଙ୍ଗାନା, ଓଡିଶା, ପଶ୍ଚିମବଙ୍ଗ, ଗୁଜୁରାଟ, ଛତିଶଗଡ,ଏବଂ ତାମିଲନାଡୁରେ ଘରେ ଘରେ ପାଳନ କରାଯାଏ ।
ଗଣେଶ ଚତୁର୍ଥୀ ନେପାଳରେ ଏବଂ ପ୍ରବାସୀ ହିନ୍ଦୁଙ୍କ ଦ୍ବାରା ଅନ୍ୟ ଜାଗାରେ ଯଥା ଆମେରିକା ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, କାନାଡା, ମାଲେସିଆ, ଫ୍ରାନ୍ସ, ଶ୍ରୀଲଙ୍କା, ବ୍ରିଟେନ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା ଏବଂ ୟୁରୋପରେ ମଧ୍ୟ ପାଳନ କରାଯାଏ।ଗଣେଶ ଉତ୍ସବ ମହାରାଷ୍ଟ୍ରର ଗଣପର୍ବ । ମହାରାଷ୍ଟ୍ରରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସରେ ଓ ଖୁବ୍ ଧୁମ୍ ଧାମରେ ଏହି ଗଣେଶ ପୂଜା ଉତ୍ସବ ପାଳିତ ହୋଇଥାଏ, ଯେପରି ବଙ୍ଗଳାରେ ଦୁର୍ଗୋତ୍ସବ ଓ ଦ୍ରାବିଡରେ ପୋଙ୍ଗଲ । ମଧ୍ୟଯୁଗରେ ମରାଠା
ଶକ୍ତି ଉଦୟ ହେବାରେ ଗଣେଶ ପୂଜନର ମହତ୍ବ ବଢିଗଲା । ଗଣେଶ ମରାଠା ଶକ୍ତିର ଧାର୍ମିକ ପ୍ରତୀକ ଥିଲେ । ଶ୍ରୀ ଗଣେଶ ରଦ୍ଧି- ସିଦ୍ଧି ଦାତା ଓ ବିଦ୍ୟାର ଦେବତା ହୋଇଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ପୂଜା କରାଯାଏ ।