ବିଜେଡିରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ବର : ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଚିରଞ୍ଜୀବ ଓ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ। ଗତକାଲି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ […]

ଭୁବନେଶ୍ବର : ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଚିରଞ୍ଜୀବ ଓ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ଗତକାଲି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ। ସେ ୨୦୦୪ ରେ  ତିର୍ତୋଲ ଏବଂ ୨୦୧୪ରେ ଜଗତସିଂହପୁରରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ। ୨୦୧୯ରେ ସେ ଜଗତସିଂହପୁରରୁ ପରାଜିତ ହୋଇଥିବା ବେଳେ ବିଜେଡିରୁ ପ୍ରଶାନ୍ତ ମୁଦୁଲି ଜିତିଥିଲେ।

ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଚିରଞ୍ଜୀବ ବିଶ୍ୱାଳ ବିଜୁ ଜନତା ଦଳରେ ସାମିଲ ହେବାପରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି  ଚିରଞ୍ଜୀବ ଆଜିର ମୁଖ୍ୟ ଆକର୍ଷଣ। ତାଙ୍କ ପରିଚୟର ଆବଶ୍ୟକତା ନାହିଁ। ଆଜି ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ଆଗ ଧାଡ଼ିର ନେତା।  କେବଳ ତିର୍ତୋଲ କି ଜଗତସିଂହପୁର ନୁହେଁ, ସାରା ରାଜ୍ୟରେ ତାଙ୍କର ପରିଚୟ ରହିଛି। ତାଙ୍କ ଯୋଗଦାନ ଦ୍ୱାରା ସାରା ଓଡିଶାରେ ବିଜେଡିକୁ ସୁସଙ୍ଗଠିତ ଓ ସୁଦୃଢ କରିବ।  ଯେଉଁ ମାନେ ଭଲ କାମ କରିଛନ୍ତି, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚିତ ଫଳ ଦିଅନ୍ତି। ତେଣୁ ଚିରଞ୍ଜୀବଙ୍କ ଭବିଷ୍ୟତ ଉଜ୍ଜଳ। ଚିରଞ୍ଜୀବଙ୍କ ସହ ରବୀନ୍ଦ୍ର ମହାନ୍ତି, ନିରଞ୍ଜନ ବେଉରା, ଯୋଗିନାଥ ବାହୁବଳେନ୍ଦ୍ର, ସୁନୀଲ ମାଟିଆ, ମାମିନା ଦଳେଇ, ସୁବାସ ସାହୁ, ପ୍ରଶାନ୍ତ ମଲ୍ଲିକଙ୍କ ସମେତ ଶତାଧିକ ନେତା ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରରେ ଉପସ୍ଥିତ ଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଚିରଞ୍ଜୀବ ବିଶ୍ୱାଳଙ୍କୁ ବିଜୁ ପରିବାରକୁ ସ୍ୱାଗତ। ତାଙ୍କ ସହ ଆସିଥିବା କର୍ମୀ ମାନଙ୍କୁ ସ୍ୱାଗତ। ଏହି ଯୋଗଦାନ ଦ୍ୱାରା ସାରା ଓଡିଶାରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି।

ଅନ୍ୟପଟେ ବିଜେଡିରେ ଯୋଗଦେବା ପରେ ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ମୋ ସହ କଂଗ୍ରେସ ତ୍ୟାଗ କରି ଆସିଥିବା ନେତାଙ୍କୁ ସ୍ୱାଗତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଆସିବାକୁ ସହମତି ଦେଇଥିବାରୁ, କୃତଜ୍ଞତା ଜଣାଉଛି। ସଙ୍ଗଠନ ସମ୍ପାଦକ ପ୍ରଣବ ବାବୁ ଓ ସାଂସଦ ମାନସ ମଙ୍ଗରାଜଙ୍କର ମଧ୍ୟ ମୋ ଯୋଗଦାନରେ ବହୁତ ଅବଦାନ ରହିଛି। କିଛି ସ୍ୱାର୍ଥ ନେଇ ମୁଁ ବିଜେଡିକୁ ଆସିନାହିଁ। ୨୫ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ଜନସେବା କାର୍ଯ୍ୟକ୍ରମ, ମହିଳା, ଗାଁ ଓ ଗରିବଙ୍କ ପାଇଁ କାମ, ଗରିବ ରାଜ୍ୟକୁ ଖାଦ୍ୟ ବଳକା ରାଜ୍ୟ କରିବାରେ ତାଙ୍କ ଅବଦାନ ଯୋଗୁଁ ମିଶିଛି। ଛୋଟିଆ କର୍ମୀ ଭାବେ ରହିବି ଓ ହାଇକମାଣ୍ଡଙ୍କ ନିର୍ଦେଶରେ କାମ କରିବି।  ସବୁ କର୍ମୀ ମନପ୍ରାଣ ଦେଇ ବିଜେଡି ପାଇଁ କାମ କରିବେ। ୧୨୦ରୁ ଅଧିକ ବିଧାୟକ ଓ ୧୫ ରୁ ଅଧିକ ସାଂସଦ ଜିତାଇବାକୁ ଗୁଣ୍ଡୁଚି ମୂଷା ପରି ବିଜେଡି ପାଇଁ କାମ କରିବି ବୋଲି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି।

About The Author: The Sakala