ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ବିଜେଡିର ଦାବି: ମୁଖ୍ୟ ନିର୍ବାଚନ କମିସନର ତୁରନ୍ତ ଇସ୍ତଫା ଦିଅନ୍ତୁ

ଭୁବନେଶ୍ୱର: ଏସ୍‌ଆଇଆର ପ୍ରକ୍ରିୟାରେ ଫର୍ମ-୬ରେ ସଂଶୋଧନ କରିବାର କ୍ଷମତା ନିର୍ବାଚନ ଆୟୋଗଙ୍କ ପରିସରଭୁକ୍ତ ନୁହେଁ ବୋଲି ସୋମବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜରିଆରେ ସୁପ୍ରିମକୋର୍ଟଙ୍କ ଅନୁମତିରେ ଫର୍ମ ୬ରେ ପରିବର୍ତ୍ତନ ହୋଇଛି ବୋଲି ଯେଉଁ ସଫେଇ ଦେଇଥିଲେ ସୁପ୍ରିମକୋର୍ଟ ଆଜି ତାକୁ ଖଣ୍ଡନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନ ତାଙ୍କ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି । 

ଶଙ୍ଖ ଭବନରେ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର ଓ ଗଣମାଧ୍ୟମ ସଂଯୋଜକ  ଲେନିନ ମହାନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ଓ ବିଜେପି ସରକାର ଉପରେ ବର୍ଷିଛନ୍ତି। ଡ. ସାମନ୍ତସିଂହାର କହିଛନ୍ତି ଯେ ଏସ୍‌ଆଇଆର  ପ୍ରକ୍ରିୟାରେ  ପୂରା ଭାରତବର୍ଷରେ ୧୩ କୋଟି ଭୋଟରଙ୍କୁ ବାଦ୍‌ ଦିଆଗଲା । ସେହିପରି ଓଡ଼ିଶାରେ ପ୍ରାୟ ୨୭ ଲକ୍ଷ ୫୦ ହଜାର ଭୋଟରଙ୍କ ନାମକୁ ମନମୁଖୀ ଭାବେ ବାଦ୍‌ ଦିଆଗଲା । ଭାରତୀୟ ଜନତା ପାର୍ଟିକୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି। ଭାରତୀୟ ନିର୍ବାଚନ ଆୟୋଗଙ୍କ ଆଇଟି ବିଭାଗର ମୁଖ୍ୟ ସୀମା ଖାନ୍ନା ଇସିଆଇ ନେଟ୍‌ ଜରିଆରେ ଭୋଟର ମାନଙ୍କ ନାମକୁ ଅନୈତିକ ଭାବେ ତାଲିକାରୁ କାଟିଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଇସିଆଇ ନେଟ୍‌ ଓ ଫର୍ମ ୬ରେ ଯେଉଁ ପରିବର୍ତ୍ତନ କରାଯାଇଛି, ସେଥିରେ ସୁପ୍ରିମକୋର୍ଟଙ୍କ ଅନୁମତି ରହିଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ମୁଖ୍ୟ ନିର୍ବାଚନ କମିଶନର ଦେଇଥିବା ସ୍ପଷ୍ଟୀକରଣକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଖଣ୍ଡନ କରିଛନ୍ତି। ଏଥିସହିତ ଭାରତ ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ମୁଖ୍ୟ ନିର୍ବାଚନ କମିଶନର ସାମ୍ୱିଧାନିକ ପଦବୀରେ ରହି ଭାରତୀୟ ଜନତା ପାର୍ଟିକୁ ନିର୍ବାଚନରେ ଜିତାଇବା ପାଇଁ ଅସାମ୍ୱିଧାନିକ କାର୍ଯ୍ୟ କରିଛନ୍ତି। 

ଡ. ଲେନିନ ମହାନ୍ତି କହିଛନ୍ତି ଯେ ସାମ୍ୱିଧାନିକ ସଂସ୍ଥା ଭାରତୀୟ ନିର୍ବାଚନ କମିଶନଙ୍କ ଦମ୍ଭୋକ୍ତି ଉପରେ ଆଜି ସୁପ୍ରିମକୋର୍ଟ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି, ଏହା ପ୍ରମାଣ କରୁଛି ଯେ ଗତ ୨୬ ତାରିଖରେ ନିର୍ବାଚନ କମିଶନର ଯେଉଁ ପ୍ରେସ ବିଜ୍ଞପ୍ତି ଦେଇଥିଲେ, ତାହା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ। ୨୦୨୪ ନିର୍ବାଚନରେ ମୁଖ୍ୟ ନିର୍ବାଚନ କମିଶନର ଇଭିଏମ୍‌ ଟ୍ୟାମ୍ପରିଂ କରି ଏକପାଖିଆ ଭାବେ ବିଜେପିକୁ ଜିତାଇଛନ୍ତି । ରାଜ୍ୟରେ ଚାଲିଥିବା ସରକାର ଏକ ଭୋଟ ଚୋରି ସରକାର। ଇସିଆଇ ଜ୍ଞାନେଶ କୁମାରଙ୍କ ଇସ୍ତଫା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ବାରମ୍ୱାର ଦାବି କରିଥିଲେ। ସାମ୍ୱିଧାନିକ ସଂସ୍ଥା ନିର୍ବାଚନ କମିଶନଙ୍କ ଉପରୁ ଲୋକଙ୍କ ଭରସା ତୁଟିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

About The Author: Madhusudan Das