ହାତୀ ପାଇଁ ଦିନଟିଏ : ବିଶ୍ବ ହସ୍ତୀ ଦିବସ

ଆଜି ବିଶ୍ବ ହସ୍ତୀ ଦିବସ। ହାତୀମାନଙ୍କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ୨୦୧୨ରୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ’ ରୂପେ ପାଳନ କରାଯାଉଛି। ମଣିଷ ତା’ର ସ୍ବାର୍ଥ ପାଇଁ କଳକାରଖାନା ଗଢିବା ଉଦ୍ଦେଶ୍ୟରେ କିମ୍ବା ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ଜଙ୍ଗଲ ସଫା କରି ଚାଲିଛି। ଏହାର ଫଳ ସ୍ବରୂପ ଜଙ୍ଗଲରେ ରହୁଥିବା ହାତୀମାନେ ଏବେ ସହରମୁହାଁ । ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢେଇ ଦେଖାଯାଉଛି। ଏକଦା ମଣିଷ ସମାଜର […]

ଆଜି ବିଶ୍ବ ହସ୍ତୀ ଦିବସ। ହାତୀମାନଙ୍କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ୨୦୧୨ରୁ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ‘ବିଶ୍ବ ହସ୍ତୀ ଦିବସ’ ରୂପେ ପାଳନ କରାଯାଉଛି। ମଣିଷ ତା’ର ସ୍ବାର୍ଥ ପାଇଁ କଳକାରଖାନା ଗଢିବା ଉଦ୍ଦେଶ୍ୟରେ କିମ୍ବା ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ପାଇଁ ଜଙ୍ଗଲ ସଫା କରି ଚାଲିଛି। ଏହାର ଫଳ ସ୍ବରୂପ ଜଙ୍ଗଲରେ ରହୁଥିବା ହାତୀମାନେ ଏବେ ସହରମୁହାଁ । ଫଳରେ ଅନେକ ସମୟରେ ହାତୀ-ମଣିଷ ଲଢେଇ ଦେଖାଯାଉଛି। ଏକଦା ମଣିଷ ସମାଜର ଏକ ଉତ୍ତମ ବନ୍ଧୁ ରହି ଆସିଥିବା ହାତୀ ବର୍ତ୍ତମାନ ଶତ୍ରୁ ପ୍ରାୟ ପାଲଟିଯାଇଛି। କେତେବେଳେ ହାତୀ ଆକ୍ରମଣରେ ମଣିଷ ଜୀବନ ଯାଉଛି ତ କ୍ଷତିଗ୍ରସ୍ତ ହେଉଛି ଗରିବ ଚାଷୀର ଭାତ ହାଣ୍ଡି। ଓଡ଼ିଆ ସଂସ୍କୃତି ପରମ୍ପରାରେ ହାତୀର ସ୍ଥାନ ସ୍ବତନ୍ତ୍ର।

ହାତୀକୁ ଓଡ଼ିଆରେ ‘‘ଗଜ’’ ଏବଂ ‘‘ଗଜରାଜ’’ ବୋଲି କୁହନ୍ତି । କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ହାତୀ ବା ଗଜାନନ ବେଶ ଅନୁଷ୍ଠିତ ହୋଇଥାଏ। ଓଡ଼ିଶାର ପ୍ରମୁଖ ପର୍ବ ରଜରେ ଗାଁରୁ ସହର ସବୁଠି ଝିଅମାନେ ଦୋଳିରେ ଝୁଲି ଗୀତ ଗାଇଥାନ୍ତି ‘ବନସ୍ତେ ଡାକିଲା ଗଜ’ । ଆଜି କିନ୍ତୁ ଓଡ଼ିଶା ପ୍ରସିଦ୍ଧ ହାତୀ ଅପମୃତ୍ୟୁ ପାଇଁ । କେତେବେଳେ ଟ୍ରେନ ଚକ ତଳେ ତ କେତେବେଳେ ବିଦ୍ୟୁତ୍‌ ତାର ତଳେ ତ ଆଉ କେତେବେଳେ ହାତୀ ଦାନ୍ତ ପାଇଁ ଚାଲିଯାଉଛି ଏମାନଙ୍କ ଜୀବନ ଅକାଳରେ । ଜଙ୍ଗଲ କ୍ଷୟ, ବେଆଇନ ବ୍ଲାଷ୍ଟିଂ, ଶିକାରୀଙ୍କ ପ୍ରାଦ୍ୟୁଭାବ, ଆଉ ହାତୀ ମଣିଷର ବିବାଦ ଏହାର ମୁଖ୍ୟ କାରଣ ।

ତେବେ ଆଗକୁ ହାତୀ ବଂଶ କିପରି ବୃଦ୍ଧି ପାଇବ , ସେଦିଗରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଅନେକ ପ୍ରାଣୀ ଗବେଷକ ମତ ଦିଅନ୍ତି। ବିଶ୍ବ ହସ୍ତୀ ଦିବସ ଅବସରରେ ଓଡ଼ିଶାର ପୂର୍ବ ହୃତଗୌରବ ଏହି ହସ୍ତୀଙ୍କ ପରିଚୟ ଫେରାଇ ଆଣିବା ସମସ୍ତଙ୍କର ଲକ୍ଷ୍ୟହେବା ଉଚିତ୍‌ । ଭୁବନେଶ୍ବରସ୍ଥିତ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପ୍ରତିବର୍ଷ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଏ। ନନ୍ଦନକାନନରେ ଥିବା ହାତୀମାନଙ୍କୁ ଗାଧୋଇପାଧୋଇ ବିଭିନ୍ନ ସୁସ୍ବାଦୁ ଫଳ ଖାଇବାକୁ ଦିଆଯାଏ। ବିଶ୍ବ ହସ୍ତୀ ଦିବସ ଅବସରରେ ନନ୍ଦନକାନନ ପରିସରରେ ହାତୀ ସୁରକ୍ଷା ବାର୍ତ୍ତାକୁ ନେଇ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଏ।

About The Author: The Sakala