Article - The Sakala

ଆସ ହଟେଇବା ହସ ଦୁର୍ଭିକ୍ଷ
ଛୋଟବେଳୁ ଆମେ ଜାଣିଛୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ବଞ୍ଚିବା ପାଇଁ ମଣିଷର ସର୍ବନିମ୍ନ ଆବଶ୍ୟକତା। କିନ୍ତୁ ଏତିକି ଆବଶ୍ୟକତା ପୂରଣ ହେଇଗଲା ପରେ ଆମେ ଖୋଜୁ ଆଉ ଟିକିଏ ଆରାମଦାୟକ ଜୀବନ। ଯଦି ସାଇକେଲ ଖଣ୍ଡେ ଅଛି, ଆମେ ଚିନ୍ତାକରୁ କେମିତି ମୋଟରସାଇକେଲ ଚଢ଼ିବୁ। ଯାହାର ମୋଟରସାଇକେଲ ଅଛି, ସେ ସ୍ୱପ୍ନ ଦେଖେ ଚାରିଚକିଆ ଯାନଟିଏ କିଣିବା ପାଇଁ। ଶେଷରେ ଆମ ସମସ୍ତଙ୍କ ଜୀବନ ଲିଓ ଟଲଷ୍ଟୟଙ୍କ କାଳଜୟୀ ଗଳ୍ପ ‘ହାଓ ମଚ୍‌‌ ଲ୍ୟାଣ୍ଡ ଡଜ୍‌‌ ଏ ମ୍ୟାନ ନିଡ୍‌‌’ ର ଚରିତ୍ର ପେହୋମ ପରି ଶେଷ ହୁଏ। ଅର୍ଥ ପ୍ରାଚୁର୍ଯ୍ୟତା ପଛରେ ଧାଇଁ ଧାଇଁ ଶେଷରେ ହାଲିଆ ହୋଇ ଶୋଇଯାଉ କୋକେଇ କୋଳରେ। ସବୁ ଥାଇ କିଛି ନଥିଲା ପରି ଅନୁଭବ। ଶାନ୍ତିରହିତ ଏମିତି ମୂଲ୍ୟହୀନ ଜୀବନର ମାନେ କ’ଣ? ସେତିକି ନାହିଁ ବୋଲି ତ ଆମେ ମନଖୋଲା ହସ ହସି ପାରୁନୁ। ବାସ୍ତବ ଖୁସି, ଶାନ୍ତି ଓ ହସର ଭୟଙ୍କର ମରୁଡ଼ି ଓ ଦୁର୍ଭିକ୍ଷ ଚାରିଆଡ଼େ। ହୃଦୟରେ ଶାନ୍ତି ଓ ମନରେ ଖୁସି ଥିଲେ ଓଠରୁ ଆପେ ଆପେ ଝରି ପଡ଼ିବ ହସ।

ଆମେ ସାମାଜିକ ସ୍ତରରେ ପରସ୍ପରକୁ ଆନ୍ତରିକତାର ସହିତ ସାହାଯ୍ୟ ସହଯୋଗ କରିବାରେ କୁଣ୍ଠିତ। ଆମେ ସମସ୍ତେ ଅତ୍ୟଧିକ ସ୍ୱାର୍ଥପର ଓ ସୁବିଧାବାଦୀ ହୋଇ ଯାଇଛୁ। ଦୁର୍ନୀତିର ଚେର ଗଭୀରରୁ ଗଭୀର ହେବାରେ ଲାଗିଛି। ଆମେ ସମସ୍ତେ ଦୟା, କରୁଣା ଓ ମାନବୀୟ ଗୁଣ ପାଖରୁ ଦୂରେଇ ଦୂରେଇ ଚାଲିଛୁ। ହୃଦୟରେ ଥିବା କଅଁଳା ଶିଶୁର ତଣ୍ଟି ଚିପି ହତ୍ୟା କରୁଛୁ। ଏମିତି କଲେ ବିଶାଳ ନୀଳ ଆକାଶ ଛାତିରେ ଇନ୍ଦ୍ରଧନୁର ସୁନ୍ଦରତାକୁ କେମିତି ଆମେ ଉପଭୋଗ କରିପାରିବା? ଲୋଭ, ମୋହ, କ୍ରୋଧ, ଅପରାଧ ପ୍ରବଣତା, ପରଶ୍ରୀକାତରତା, ଅସହିଷ୍ଣୁତା ଆମ ଭିତରେ ବସା ବାନ୍ଧୁଛି। ସାଙ୍ଗରେ ବସି ପରିବାରର ସଦସ୍ୟମାନେ ଖାଇବା ଆଉ ଦେଖିବାକୁ ମିଳୁନାହିଁ। ପାରିବାରିକ ସମ୍ପର୍କର ବନ୍ଧନ ଆଉ ସେତେଟା ମଜଭୁତ ଥିଲା ଭଳି ଲାଗୁନି। ଗୋଟିଏ ଛାତତଳେ ଥାଇ ବି ଆମ ପରିବାରର ସଦସ୍ୟମାନଙ୍କ ଭିତରେ ମାଇଲ୍‌‌ ମାଇଲ୍‌‌ ଦୂରତା। ପରସ୍ପର ସହିତ ନିଜର ସୁଖଦୁଃଖ ଉପରେ ବିଶେଷ ଆଲୋଚନା କରୁନୁ କି ମିଳିତଭାବେ ସମସ୍ୟାର ସମାଧାନର ସୂତ୍ର ବାହାର କରୁନୁ। ଏମିତି ଜୀବନ ଜିଇଁଲେ ଆମେ ହସିବା କେମିତି?

ଏକ ଦୀର୍ଘ ନିରାମୟ ସୁଖମୟ ଜୀବନ ପାଇଁ ମାଗଣାରେ ମିଳୁଥିବା ହସ ଏକ ଭଲ ଔଷଧ। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଏମିତି ଲାଗୁଛି ଯେମିତି କାହାରି ମନରେ ଖୁସି ନାହିଁ। ଯାହା ପାଖରେ ଅର୍ଥର ଅଭାବ ସେ ଦୁଃଖୀ ଓ ଯାହା ପାଖରେ ଅର୍ଥର ପ୍ରାଚୁର୍ଯ୍ୟତା ଅଛି ଆହୁରି ପାଇବା ଲୋଭରେ ସେ ବି ଦୁଃଖୀ। ଅଧିକାଂଶ ଲୋକଙ୍କ ମୁହଁରୁ ହସ ଯେମିତି ଉଭାନ ହୋଇଯାଇଛି। ସକାଳେ ବିଛଣାରୁ ଉଠିବା ପାଖରୁ ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଉଦ୍ଭଟ ଚିନ୍ତା ମନକୁ ଗ୍ରାସ କରୁଛି। ଏହି ଚିନ୍ତା ଡାକି ଆଣୁଛି ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ରୋଗକୁ। ଓଠରେ ହସର ଦୁର୍ଭିକ୍ଷ ସୂଚେଇ ଦେଉଛି ଆମ କଲିଜାର ଶୁଷ୍କତାକୁ। ନିଜେ ହସି ଅନ୍ୟକୁ ହସେଇବାର କଳା ଆମ ସମସ୍ତଙ୍କ ଭିତରେ ଅଛି। କିନ୍ତୁ ଆମେ ନିଜକୁ ବହୁତ ସଙ୍କୁଚିତ କରି ଆତ୍ମସର୍ବସ୍ୱ ଦୁନିଆକୁ ଆପଣେଇ ନେଉଛୁ। ଅତ୍ୟଧିକ ସ୍ୱାର୍ଥପର ସୁବିଧାବାଦୀ ହେଇ ମନଖୋଲା ହସ ହସି ପାରୁନୁ।

ଆପଣ ଜଣେ ଅନ୍ତରଙ୍ଗ ସାଙ୍ଗକୁ ଭେଟନ୍ତୁ, ତାଙ୍କ ସହିତ କେଇପଥ ମନଖୋଲା କଥା ହୁଅନ୍ତୁ। ଆପଣ ଭାବୁଥିବେ ସାଙ୍ଗ ସହିତ କଥା ହେଇ ମୁଁ ମୋର ହୃଦୟକୁ ଟିକେ ହାଲୁକା କରିଦେବି। କିନ୍ତୁ ସାଙ୍ଗ କହି ଚାଲିବ ତା’ ନିଜ ହୃଦୟରେ ସାଇତା ଅନେକ ଦୁଃଖ। ଘରେ ଅଭାବ, ବାପାମାଆ ବୁଢ଼ାବୁଢ଼ୀ ହେଲେଣି। ସାନଭାଇ ବାହାରେ ନିଜ ପରିବାର ସହିତ। ଘର କଥା କିଛି ବୁଝୁନି। ମୁଁ ସକାଳୁ ସନ୍ଧ୍ୟା ଯାଏ ଅଫିସ୍‌‌ରେ ଖଟୁଛି। ବିଳମ୍ୱିତ ସନ୍ଧ୍ୟାରେ ଘରକୁ ଫେରିଲେ ସ୍ତ୍ରୀର ବିଭିନ୍ନ ଅନୁରୋଧ, ଦାବି, ଅଭିଯୋଗ। ଘରେ ଆଳୁ ପିଆଜ, ରାସନ୍‌ ସରି ଯାଇଛି। କ୍ଷୀରବାଲାର ପଇସା ବାକି ଅଛି। ବର୍ଷେ ହେଲାଣି ସିନେମା ଟିକିଏ ଦେଖେଇ ନେଇନ। ଏମିତି କେତେ କ’ଣ। ଏତେ ସମସ୍ୟା ଭିତରେ କ’ଣ ସାଂସାରିକ ଜୀବନରେ ଖୁସି ନାହିଁ? ନିଶ୍ଚିତ ଅଛି। ସବୁବେଳେ ଖାଲି ନକାରାତ୍ମକ ଭାବନାକୁ ପ୍ରଶ୍ରୟ ଦେଲେ ମନ ଭିତରେ ସକାରାତ୍ମକ ଚିନ୍ତା ଆସିବ କେମିତି? ତେଲ ଲୁଣର ସଂସାର ଭିତରେ ଏମିତି ଅନେକ ଘଟଣା ଘଟେ, ଅନେକ ସମସ୍ୟା ଆମ ଜୀବନରେ ଆସେ। କିନ୍ତୁ ଏସବୁକୁ ଡେଇଁ ଆମକୁ ଆଗକୁ ଯିବାକୁ ପଡ଼ିବ। ଦୁଃଖ ନଥିଲେ ସୁଖ ଖୁସିର ସ୍ୱାଦ ଜାଣିବା କେମିତି। ମଣିଷର ସବୁ ଅଭାବ ଯଦି ଆପଣାଛାଏଁ ପୂରଣ ହେଇ ଯାଉଥା’ନ୍ତା, ତା’ହେଲେ ମଣିଷ ଆଉ ସର୍ବଶ୍ରେଷ୍ଠ ସର୍ବଶକ୍ତିମାନ ଈଶ୍ୱରଙ୍କୁ ମନେପକାନ୍ତା ନାହିଁ। ତେଣୁ ଜୀବନରେ ସୁଖ ଥାଉ କି ଦୁଃଖ, କୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ହେବା ନାହିଁ। ଧୈର୍ଯ୍ୟ ହରେଇଲେ, ଆଗକୁ ବଢ଼଼ିବା କଷ୍ଟକର ହେବ। ସଫଳତା ଆମ ପାଇଁ ଏକ ମରୀଚିକା ପାଲଟି ଯିବ। ଦୁଃଖ ଭିତରେ ଆମକୁ ସୁଖର ଆଲୁଅ ଖୋଜିବାକୁ ହେବ। ମନେ ରଖିବା ସବୁ ଅନ୍ଧାର ସୁଡ଼ଙ୍ଗର କେଉଁଠି ନା କେଉଁଠି ଶେଷ ଅଛି। ସେହି ଆଲୁଅର ସନ୍ଧାନରେ ଆମକୁ ଚାଲିବାକୁ ହେବ, ରାସ୍ତା ଖୋଜି ବାହାର କରିବାକୁ ହେବ।

ଆମେ ଆମର ସଫଳତାକୁ ନେଇ ଗର୍ବରେ ଫାଟି ପଡ଼ିବାର ନାହିଁ କି ବିଫଳତାରେ ଉଦାସ ହେବାର ନାହିଁ। ଆମେ ଅମୃତ ସନ୍ତାନ, ଈଶ୍ୱରଙ୍କ ସନ୍ତାନ। ପରମେଶ୍ୱର ଆମର ପିତା। ତାଙ୍କର ସନ୍ତାନ ଭାବରେ ଆମ ଭିତରେ ଈଶ୍ୱର ଦେଇଥିବା ଗୁଣକୁ ଆମେ ଚିହ୍ନିବା ଦରକାର। ଜୀବନ ଆଜି ଅଛି, ଆସନ୍ତାକାଲି କ’ଣ ହେବ ସେକଥା ସମସ୍ତଙ୍କୁ ଅଜଣା। ହାରିଯିବାର ଡରରେ ଜିଇଁଲେ, ଜୀବନ ଜିଇଁବା କଷ୍ଟକର ହେବ। ଓଠରୁ ହସ ଲିଭିଯିବ। ଡରକୁ ହରେଇ ଆଗକୁ ଯାଇ ପାରିଲେ ବିଜୟର ମନଖୋଲା ହସ ସୁନିଶ୍ଚିତ। ସଫଳତା ପାଇବା ପରେ ଆମେ ଯଦି ନମ୍ର, ଭଦ୍ର, ଶାନ୍ତ ରହିବା, ସବୁ ଈଶ୍ୱରଙ୍କ ଆଶିଷ ବୋଲି ବିବେଚନା କରିବା, ତା’ ହେଲେ ଅହଂକାର ଆମ ପାଖ ପଶିବ ନାହିଁ। କାହାର ଅଚଳାଚଳ ଧନ ସମ୍ପଦ ଦେଖି ଈର୍ଷାପରାୟଣ ହେଲେ ଦୁଃଖର ଭାର ଆହୁରି ବଢ଼଼ିଯିବ। ଆମେ ଯେଉଁଠି ଅଛନ୍ତି, ଆମ ତଳେ ଆହୁରି କୋଟି କୋଟି ଲୋକ ଅଛନ୍ତି। ସେମାନଙ୍କ ଅବସ୍ଥା ଆମଠାରୁ ଦୟନୀୟ। ଏମିତି ଚାଲିଛି ଦୁନିଆ। ମନ ହୃଦୟକୁ ସବୁବେଳେ ଶାନ୍ତ ରଖିବା। କର୍ମ କରିବା ସହିତ ଈଶ୍ୱରଙ୍କ ପାଦତଳେ ନିଜକୁ ସମର୍ପଣ କରିଦେବା। ପରୋପକାରୀ, ସମ୍ୱେଦନଶୀଳ ହେବା ସହିତ ସମାଜର ସେବାରେ ନିଜର ଶକ୍ତି ମୁତାବକ ଯେତିକି ପାରିବା, ନିଜକୁ ନିୟୋଜିତ କରିବା। ଈଶ୍ୱରଙ୍କ ସୃଷ୍ଟିର ଶ୍ରେଷ୍ଠଜୀବ ଭାବରେ ସମସ୍ତ ମାନବୀୟ ଗୁଣକୁ ହୃଦୟରେ ସ୍ଥାନ ଦେଇ ଜଣେ ଭଲ ମଣିଷ ହେବାକୁ ସବୁବେଳେ ଚେଷ୍ଟିତ ହେବା। ତା’ ହେଲେ ଈଶ୍ୱରଙ୍କ ଆଶିଷ ଆମ ଉପରେ ନିଶ୍ଚିତ ରହିବ। ଈଶ୍ୱରଙ୍କ ଆଶିଷ ରହିଲେ ଆମେ ମନଖୋଲା ହସ ହସି ପାରିବା। ଦୁନିଆରୁ ହସର ଦୁର୍ଭିକ୍ଷ ଅପସରି ଯିବ। ମନଖୋଲା ହସର ମଳୟରେ ମହକିଯିବ ଚତୁର୍ଦ୍ଦିଗ। ଆମେ ଯଦି ଖୁସିରେ ଶାନ୍ତିରେ ଜୀବନଯାପନ କରିବାର କଳା ଶିଖିଯିବା, ତା’ହେଲେ ଆମ ଦେଶ ଭାରତ ବି ବିଶ୍ୱ ଖୁସି ତାଲିକାରେ ନିଶ୍ଚିତ ଉପରକୁ ଯିବ।

ଭାସ୍କର ବାରିକ

ବାସୁଦେବପୁର(ଭଦ୍ରକ)

ମୋ: ୯୪୩୭୩୨୦୩୫୦

ମୁକ୍ତ ବାଣିଜ୍ୟର ଶେଷ ସମୟ
ବିଶ୍ୱରେ ତାରିଫ ଯୁଦ୍ଧ କ୍ରମଶଃ ଉତ୍କଟ ହେଉଛି। ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ବିଶ୍ୱ ଅର୍ଥନୀତି, ବେପାର ବାଣିଜ୍ୟ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଶ୍ୱର ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ଏହି ନୂତନ ସ୍ଥିତି ବ୍ୟସ୍ତ, ବିବ୍ରତ କରିଦେଇଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟ୍ରାମରଙ୍କ ଭାଷାରେ ଜଗତୀକରଣର ଯୁଗ ସମାପ୍ତ ହେବାକୁ ଯାଉଛି। ସେ କହିଛନ୍ତି ‘ଯେଉଁ ଦୁନିଆକୁ ଆମେ ଜାଣିଥିଲେ ତାହା ସମାପ୍ତ ହୋଇଯାଇଛି। ଏକ କଷ୍ଟକର ସମୟର ସମ୍ମୁଖୀନ ହେବା ପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।’ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲାରିନ୍ସ ୱେଗ କହିଛନ୍ତି ‘ମୁକ୍ତ ବାଣିଜ୍ୟର ସମୟ ସମାପ୍ତ ହୋଇଛି। ଏବେ ବିଶ୍ୱ ଏକ ନୂଆ ଯୁଗରେ ଜିଉଁଛି, ଯାହା ଆହ୍ୱାନପୂର୍ଣ୍ଣ।’ ବାସ୍ତବରେ ବିଶ୍ୱ ଏକ ନୂତନ ବ୍ୟବସାୟିକ ଯୁଦ୍ଧ ଆଡ଼କୁ ଟାଣି ହୋଇଯାଉଛି। ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବାକୁ ଯାଉଛି। ଉତ୍ପାଦନର ସ୍ଥାନ ପରିବର୍ତ୍ତନ ଯୋଗୁଁଁ ଅନେକ ଶ୍ରମିକ ବେରୋଜଗାର ହେବାର ଆଶଙ୍କା ସୃଷ୍ଟି ହୋଇଛି। ସିଙ୍ଗାପୁର ଭଳି ଛୋଟ ଛୋଟ ଦେଶର ଆର୍ଥ଄କ ସ୍ଥିତି ଆହୁରି ବିଗିଡ଼ିବାର ଅନୁମାନ କରାଯାଉଛି।

୧୯୯୧ ମସିହାରେ ସୋଭିଏତ ସଂଘର ପତନ ପରେ ଜଗତୀକରଣ ପ୍ରାରମ୍ଭ ହେଲା। ବିଦେଶୀ ବସ୍ତୁ ପାଇଁ ଅନେକ ଦେଶ ନିଜ ଦ୍ୱାର ଉନ୍ମୁକ୍ତ କଲେ। ବିଦେଶୀ ବସ୍ତୁ ଉପରେ ଟିକସ କମିବାରେ ଲାଗିଲା। ଅନେକ ଦେଶ ନିଜ ଭିତରେ ମୁକ୍ତ ବାଣିଜ୍ୟ ଚୁକ୍ତି କଲେ। ମୁକ୍ତ ବାଣିଜ୍ୟ ପାଇଁ ଅନେକ ବୈଶ୍ୱିକ ସଂଗଠନ ତିଆରି ହେଲା। ସମ୍ପୂର୍ଣ୍ଣ ଦୁନିଆ ଗୋଟିଏ ବଜାରରେ ପରିଣତ ହୋଇଗଲା। ବିଦେଶୀ ବସ୍ତୁ ଶସ୍ତା ହେବାରେ ଲାଗିଲା। ଦେଶ-ଦେଶ ଭିତରେ ସମ୍ପର୍କ ସୁଦୃଢ଼ ହେବା ସହିତ ବେପାର ବଣିଜ ବଢ଼଼ିବା ଆରମ୍ଭ ହେଲା। ଭାରତ ଭଳି ଦେଶ ଆରମ୍ଭରୁ କ୍ଷତି ସହି ଧୀରେ ଧୀରେ ପ୍ରତିଯୋଗିତାରେ ଆଗକୁ ବଢ଼଼ିଲେ। ବଡ଼ ବଡ଼ ଦେଶକୁ ପଛରେ ପକେଇ ଭାରତୀୟମାନେ ନିଜ ବସ୍ତୁ ବିଶ୍ୱ ବଜାରରେ ବିକ୍ରି କରିବାରେ ସଫଳ ହେଲେ। ୯୦ ଦଶକରେ ବିଶ୍ୱ ବଜାରକୁ ନିୟନ୍ତ୍ରଣ କରୁଥିବା ଆମେରିକା, ଜାପାନ, ଜର୍ମାନ ଓ ଇଂଲଣ୍ଡ ଆଦି ଦେଶ ଧୀରେ ଧୀରେ ପଛରେ ପଡ଼ିଲେ। ଆମେରିକାର ଅର୍ଥଶାସ୍ତ୍ରୀ ନିଜର ବିପର୍ଯ୍ୟୟ ପାଇଁ ଭାରତ, ଚୀନ, କୋରିଆକୁ ଦାୟୀ କରିବା ଆରମ୍ଭ କରିଦେଲେ।

ଏବେ ଭବିଷ୍ୟତ ବିପଦରୁ ରକ୍ଷା ପାଇବା ପାଇଁ ଟ୍ରମ୍ପ ମୁକ୍ତ ବାଣିଜ୍ୟରୁ ଓହରି ଯାଇ ତାରିଫ ଯୁଦ୍ଧ ଘୋଷଣା କରିଦେଲେ। ୬୦ଟି ଦେଶ ଉପରେ ନୂତନ ଶୁଳ୍କ ଲଗେଇଦେଲେ। ଚୀନ ଭଳି ଦେଶ ଉପରେ ୫୪% ଶୁଳ୍କ ଲଗେଇଦେଲେ। ତାହା ଏବେ ବଢ଼ି ୧୨୫% ହୋଇଛି। ଭାରତ ଉପରେ ୨୬% ସୀମା ଶୁଳ୍କ ଲାଗିଗଲା। ଅବଶ୍ୟ ଭାରତ ଲାଭରେ ରହିବ ବୋଲି ଆଶା କରାଯାଉଛି। ଚୀନ ଉପରେ ଅଧିକ ଶୁଳ୍କ ଲାଗିଥିବାରୁ ଭାରତୀୟ ବସ୍ତୁ ଆମେରିକା ବଜାରରେ ଅପେକ୍ଷାକୃତ ଶସ୍ତା ହେବ। ବିଶାଳ ବଜାର ପାଇଁ ଭାରତ ନିକଟରେ ବିଶାଳ ଜନସଂଖ୍ୟା ଅଛି, ଯାହା ଭାରତକୁ ପ୍ରତିଯୋଗିତା କରିବା ପାଇଁ ସହାୟକ ହେବ।

ସୀମାଶୁଳ୍କ ମାଧ୍ୟମରେ ପ୍ରତ୍ୟେକ ଦେଶ ନିଜ ଦେଶର ଶିଳ୍ପ ଓ ଉତ୍ପାଦନକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରନ୍ତି। ସୀମାଶୁଳ୍କ କାରଣରୁ ବାହାର ଦେଶର ବସ୍ତୁ ଘରୋଇ ବଜାରରେ ମହଙ୍ଗା ହୋଇଯାଏ। ଘରୋଇ ଉଦ୍ୟୋଗକୁ ପ୍ରତିଯୋଗିତା କରିବା ପାଇଁ ସହଜ ହୁଏ। ଆମଦାନୀ କମ ହେଲେ ବିଦେଶୀ ମୁଦ୍ରାଭଣ୍ଡାର ଉପରେ ଚାପ କମ ପଡ଼େ। ନିଜ ଦେଶ ମୁଦ୍ରାର ଅବମୂଲ୍ୟାୟନକୁ ରୋକା ଯାଇପାରେ।

ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରମାନେ ଆମେରିକା ବସ୍ତୁ ଉପରେ ୩୯% ଶୁଳ୍କ ଆଦାୟ କରୁଥିଲେ। ତେଣୁ ଆମେରିକା ବାଧ୍ୟ ହୋଇ ୨୦% ସୀମାଶୁଳ୍କ ଲଗେଇଛି। ଆମେରିକାରୁ ଆମଦାନୀ ଉପରେ କାମ୍ବୋଡ଼ିଆ ୯୭%, ଭିଏତନାମ ୯୦%, ବାଂଲାଦେଶ ୭୪% ସୀମାଶୁଳ୍କ ଆଦାୟ କରୁଥିଲେ। ଏବେ ଆମେରିକା ଜବାବୀ ରାସ୍ତା ବାହାର କରି କାମ୍ବୋଡ଼ିଆ ଠାରୁ ୪୯%, ଭିଏତନାମ ୪୬%, ବାଂଲାଦେଶ ୩୭% ସୀମାଶୁଳ୍କ ଆଦାୟ କରିବା ପାଇଁ ସ୍ଥିର କରିଛି। ଯେଉଁ ଦେଶ ଆମେରିକା ଉପରୁ ଯେତିକି ସୀମା ଶୁଳ୍କ ଆଦାୟ କରୁଛନ୍ତି ପ୍ରାୟ ତା’ର ଅଧା ଶୁଳ୍କ ଆଦାୟ କରିବା ପାଇଁ ଆମେରିକା ଯୋଜନା କରିଛି।

ବିଗତ ୩୦ ବର୍ଷରେ ସୀମାଶୁଳ୍କ ଏକ ଆର୍ଥିକ ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ଏହି ଷଡ଼ଯନ୍ତ୍ରରେ ଅଧିକ ଶିକାର ହୋଇଛି ଆମେରିକା। ଆମେରିକାକୁ ଅଧିକ ଶିକାର କରିଛି ଚୀନ। ଆମେରିକା ବଜାର ଚୀନ ମାଲରେ ଭର୍ତ୍ତି ହେଲା ଏବଂ ଆମେରିକାର ବେରୋଜଗାର ଶତାବ୍ଦୀର ଉଚ୍ଚସୀମାରେ ପହଁଁଚି ଗଲା। ତାରିଫ ଯୁଦ୍ଧ କରିବା ପଛରେ ଆମେରିକାର ବିବଶତା ମଧ୍ୟ ଥିଲା। ଚୀନ ଆମେରିକା ବସ୍ତୁ ଉପରେ ୬୭% ସୀମା ଶୁଳ୍କ ଲାଗୁ କରୁଥିଲା, ଯାହା ଆମେରିକା ପାଇଁ ବହୁତ ଅଧିକ ଥିଲା। ଚୀନ ଆମେରିକା ବଜାରରେ ଶସ୍ତାରେ ନିଜ ବସ୍ତୁ ବିକ୍ରି କରୁଥିଲା। ଅପରପକ୍ଷରେ ଆମେରିକା ବସ୍ତୁ ଉପରୁ ଅଧିକ ସୀମାଶୁଳ୍କ ଆଦାୟ କରୁଥିଲା। ଆମେରିକା ବସ୍ତୁ ଏତେ ଅଧିକ ଦାମ ହୋଇଯାଉଥିଲା ଯେ ଚୀନ ବଜାରରେ ବିକ୍ରି ହୋଇ ପାରୁନଥିଲା। ଚୀନର ଅତ୍ୟଧିକ ଲୋଭଖୋର ମନୋବୃତ୍ତି ଓ ଆର୍ଥିକ ସାମ୍ରାଜ୍ୟବାଦ ମୁକ୍ତ ବାଣିଜ୍ୟ ପାଇଁ ଘାତକ ହେଲା। ତେଣୁ ବିଶ୍ୱର ମୁକ୍ତ ବାଣିଜ୍ୟର ସମାପ୍ତି ପାଇଁ ଚୀନ ପରୋକ୍ଷରେ ଦାୟୀ ଅଟେ।

ଏବେ ଆର୍ଥିକ ଯୁଦ୍ଧ ଏତେ ଭୟଙ୍କର ସ୍ତରକୁ ଚାଲି ଯାଇଛି ଯେ ଏହାକୁ ସମାପ୍ତ କରି ମୁକ୍ତ ବାଣିଜ୍ୟ ପ୍ରତିଷ୍ଠା କରିବା ଆଉ ସମ୍ଭବପର ନୁହେଁ। ବର୍ତ୍ତମାନ ସ୍ଥିତିରେ ଚୀନ ପଛ ଘୁଞ୍ଚା ଦେବା ନୀତିରେ ନାହିଁ। ଅଧିକ ଆକ୍ରମକ ନୀତି ଗ୍ରହଣ କରି ବିଶ୍ୱ ବଜାର ଦଖଲ ପାଇଁ ଗୋଟିଏ ପରେ ଗୋଟିଏ ନୀତି ତିଆରି କରୁଛି। ବିଶେଷକରି ଚୀନର ଆର୍ଥିକ ସାମ୍ରାଜ୍ୟବାଦ ଏପରି ଏକ ବ୍ୟବସ୍ଥାକୁ ସମାପ୍ତ କରିବା ପାଇଁ ଦାୟୀ ବୋଲି କୁହାଯାଇପାରିବ। ତେଣୁ ସମ୍ପୂର୍ଣ୍ଣ ବିଶ୍ୱକୁ ଏପରି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ।

ରବିନାରାୟଣ ପଣ୍ଡା

ଭଦ୍ରକ, ମୋ: ୯୪୩୭୦୧୭୮୫୭

‘ମାଂସାହାର’ର ବିତର୍କ
ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ରି ବେଳେ ଉତ୍ତରପ୍ରଦେଶରେ ଆମିଷ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରିବା ପ୍ରସଙ୍ଗ ବିବାଦ ଓ ବିତର୍କ ସୃଷ୍ଟି କରିଛି। ହିନ୍ଦୁ ଧର୍ମରେ ଆମିଷ ଭୋଜନ, ବିଶେଷକରି ପାର୍ବଣ ସମୟରେ ତାମସିକ ଭୋଜନକୁ ବାରଣ କରାଯାଇଥିବା ବେଳେ ଅଣହିନ୍ଦୁ ସମ୍ପ୍ରଦାୟ ଏହି ନିଷ୍ପତ୍ତିକୁ ଘୋର ବିରୋଧ କରୁଛନ୍ତି। ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଦେଶ ଭାରତରେ ଏଭଳି ବାଛବିଚାର ସ୍ପହଣୀୟ ନୁହେଁ ଏବଂ ଏହା ନାଗରିକର ମୌଳିକ ଅଧିକାରର ପରିପନ୍ଥୀ ବୋଲି ଅଭିଯୋଗ ହେଉଛି। ଉତ୍ତରପ୍ରଦେଶ ସରକାରଙ୍କ ଏଭଳି କଟକଣା ଯୋଗୁଁଁ ଅନେକ ବ୍ୟବସାୟୀଙ୍କ ପ୍ରବଳ କ୍ଷତି ଘଟିଥିବା ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଛି। ଏଥିରେ ବାସ୍ତବତା କେତେ ତାହା ଭିନ୍ନ କଥା। ଏହି ପ୍ରସଙ୍ଗରେ ତେଜିଥିବା ରାଜନୀତି ଭିତରକୁ ମଧ୍ୟ ଆମେ ଯାଉନାହୁଁ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଖାଦ୍ୟ, ପୋଷାକ, ଚଳଣି, ପସନ୍ଦ ଆଦି ବିଷୟରେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ଅଧିକାର ଆମ ସମ୍ବିଧାନ ଦେଇଛି। ଏଣୁ ଅତୀତରେ ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟୋପରାଗରେ ଆମିଷ ଆହାର ଗ୍ରହଣ କରିବା ଉଚିତ କି ନୁହେଁ ତାହାକୁ ନେଇ ଭିନ୍ନ ଭିନ୍ନ ମତଧାରୀମାନେ ଦୁଇଭାଗ ହୋଇଯାଇଥିଲେ। ଏ ସବୁରୁ ଊର୍ଦ୍ଧ୍ବରେ ଆମ ଜୀବନଚର୍ଯ୍ୟାର ଅଭିନ୍ନ ଅଙ୍ଗ ପାଲଟିସାରିଥିବା ବିଭିନ୍ନ ଶାସ୍ତ୍ର ଓ ସଂହିତା ପ୍ରଦତ୍ତ ନୀତି, ଆଦର୍ଶ ଓ ଉପଦେଶକୁ ଅନୁଶୀଳନ କରି ଏବଂ କେତେକ ବାସ୍ତବ ଘଟଣାକୁ ଅନୁଧ୍ୟାନ କରି ବିଚାରକୁ ସୀମିତ ରଖିବାର ପ୍ରୟାସ କରୁଛୁ।

ପ୍ରାଚୀନ କାଳରେ ମନୁଷ୍ୟ ବଣ ପାହାଡ଼ରେ ବିଚରଣ କରୁଥିଲା ଏବଂ ପଶୁଭଳି ଜଙ୍ଗଲରେ ବସବାସ କରୁଥିଲା। ସେଠାରୁ ହିଁ ବୁଲି ଖାଦ୍ୟ ଅନ୍ୱେଷଣ କରୁଥିଲା। ପ୍ରଥମେ ମନୁଷ୍ୟ ଜୀବ ବଧ କରି କଞ୍ଚାମାଂସ ଭକ୍ଷଣ କରୁଥିଲା। କାଳକ୍ରମେ ନିଆଁର ବ୍ୟବହାର ଜାଣିବା ପରେ ଶିଝାଇ, ପୋଡ଼ିକରି ଖାଇବା ଶିଖିଲା। ଆର୍ଯ୍ୟମାନଙ୍କ ଆଗମନ ପରେ ମାନବ ସଭ୍ୟତାରେ ବିବର୍ତ୍ତନ ଘଟିଲା ଏବଂ ଏଭଳି ଯାଯାବର ଜୀବନ ସହିତ ଖାଦ୍ୟାଭ୍ୟାସ ମଧ୍ୟ ନିୟନ୍ତ୍ରିତ ହେଲା। ସଭ୍ୟତାର ସୂର୍ଯ୍ୟାଲୋକରେ ମନୁଷ୍ୟ ଆଲୋକିତ ହେଲା।

ସୁସ୍ଥ ନିରାମୟ ଜୀବନ ଯାପନ କରିବା ପାଇଁ ଖାଦ୍ୟପେୟର ନିୟନ୍ତ୍ରଣ ଓ ସୁଷମ ବ୍ୟବସ୍ଥା ଆମର ମୁନିଋଷିମାନେ କରିଛନ୍ତି। ମଣିଷମାନେ ମାଂସ ଭୋଜନ ପାଇଁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ନୀତିଶାସ୍ତ୍ରରେ କୁହାଯାଇଛି। ମୁଖ୍ୟତଃ ଯେଉଁ ପ୍ରାଣୀମାନେ ଓଠରେ ପାଣିପିଅନ୍ତି, ସେମାନେ ମାଂସ ଖାଇବା ଉଚିତ ନୁହେଁ। ଯଥା – ମଣିଷ, ମାଙ୍କଡ଼, ଗାଈ, ଛେଳି-ମେଣ୍ଢା ପ୍ରଭୃତି ମାଂସାହାରୀ ନୁହନ୍ତି। କୁକୁର, ବିରାଡ଼ି, ଶୃଗାଳ, ବାଘ, ସିଂହ ପ୍ରଭୃତି ଜିଭରେ ପାଣିପିଅନ୍ତି। ତେଣୁ ସେମାନେ ମାଂସାହାରୀ। ଉଭୟ ପ୍ରାଣୀଙ୍କର ପାକସ୍ଥଳୀ ତଦନୁସାରେ ନିର୍ମିତ। ପୂର୍ବାଚାର୍ଯ୍ୟମାନେ କହିଛନ୍ତି ଜୀବବଧ କରି ମାଂସ ଭକ୍ଷଣ କଲେ କ୍ଷତି ହୁଏ। ଯଥା –

‘ନମାଂସ ଭକ୍ଷଣ ଦୋଷଃ ନମଦଂ ନଚ ମୈଥୁନେ / ପ୍ରବୃତ୍ତିରେସଃ ଭୂତାନାଂ ନିବୃତ୍ତିସ୍ତୁ ମହାଫଳଃ।’

ଅର୍ଥାତ୍‌‌- ମାଂସ ଭକ୍ଷଣ କରିବା, ମଦ୍ୟପାନ କରିବା ଏବଂ ମୈଥୁନ କରିବା ଦୋଷ ନୁହେଁ। କାରଣ ଏହା ଭୂତ ବା ଜୀବମାନଙ୍କର ପ୍ରବୃତ୍ତି। କିନ୍ତୁ ଏଥିରୁ ନିବୃତ୍ତ ହେଲେ ମହାଫଳଟି ପ୍ରାପ୍ତ ହେବ। ଯାହା ଶାକାହାରୀ ପାଇ ପାରିବ; ଆମିଷାଦି ଭକ୍ଷଣ କରୁଥିବା ବ୍ୟକ୍ତି ନୁହେଁ।

ଓଡ଼ିଆ ଭାଗବତରେ ଗୋଟିଏ ପଦ ଅଛି- ‘ଜୀବ ମାରିଣ ମାଂସ ଖାଇ, ସେ ଜୀବ ବୈକୁଣ୍ଠେ ବସଇ’। ଉକ୍ତ ପଦଟିକୁ କଦର୍ଥ କରି ଲୋକମାନେ ଦ୍ୱନ୍ଦ୍ୱରେ ପଡ଼ିଯା’ନ୍ତି। ପଦଟିକୁ ଠିକ୍‌‌ ଭାବେ ନବୁଝି, ଲୋକମାନଙ୍କ ମନରେ ଖାଦ୍ୟ ଜନିତ ଅନେକ ଭୁଲ୍‌‌ ତଥ୍ୟ ଦିଆଯାଏ। ମହର୍ଷି ମନୁ କହିଛନ୍ତି, ଗୋଟିଏ ଜୀବକୁ ମାରି ତା’ର ମାଂସ ଭକ୍ଷଣ କଲେ ଅନ୍ୟୂନ ୯ଜଣ ଲୋକ ଜୀବହତ୍ୟା ଜନିତ ପାପରେ ଦୋଷୀ ହୁଅନ୍ତି।

ଯଥା – ‘ଅନୁମନ୍ତା ବିଷସିତା, ନିହନ୍ତା, କ୍ରୟବିକ୍ରୟୀ / ସଂସ୍କର୍ତ୍ତା ଉପହର୍ତ୍ତାଚ ଖାଦକାଃ ଶ୍ଳେତ ଘାତକାଃ’। (ମନୁସ୍ମୃତି)

ଅର୍ଥାତ୍‌‌- ଏତେଗୁଡ଼ିଏ ଲୋକ ହେଉଛନ୍ତି ଘାତକ ପଦବାଚ୍ୟ ଏବଂ ଜୀବହତ୍ୟା ଜନିତ ପାପରେ ସେମାନେ ଭାଗୀ। ଯିଏ କେବଳ ଜୀବ ବଧ କଲା ସେ ଏକା ନୁହେଁ, ମସଲା ବାଟିବାଠାରୁ ପରିବା କାଟିବା, ରନ୍ଧନ କରିବା ପର୍ଯ୍ୟନ୍ତ ସମସ୍ତେ ପାପରେ ଭାଗୀ। ସେହିଭଳି ହିନ୍ଦୁ ଧର୍ମରେ ଗୋମାଂସ ଭକ୍ଷଣକୁ ତୀବ୍ର ବିରୋଧ କରାଯାଉଥିବା ବେଳେ ଇସ୍‌‌ଲାମ୍‌‌ ଧର୍ମରେ ଘୁଷୁରି ମାଂସକୁ ବିରୋଧ ଥିବା ଜଣାଯାଏ। ୧୮୫୭ ସିପାହୀ ବିଦ୍ରୋହର ମୂଳଦୁଆ ମଧ୍ୟ ଏଥିରୁ ପଡ଼ିଥିଲା। ସେକାଳରେ ଗୁଳି ଉପରେ ଥିବା ଆବରଣକୁ ଦାନ୍ତରେ ଛିଣ୍ଡାଇବାକୁ ପଡ଼ୁଥିଲା। ତେଣୁ ବ୍ରିଟିଶ୍‌‌ ଅଧିକାରୀମାନେ ଭାରତୀୟଙ୍କୁ ହିନ୍ଦୁ-ମୁସଲମାନ ନିର୍ବିଶେଷରେ ଧର୍ମଭ୍ରଷ୍ଟ କରିବାକୁ ସେହି କାର୍ଟିଜ୍‌‌ର ଆବରଣକୁ ଗାଈ ଓ ଘୁଷୁରି ଚମଡ଼ାରେ ନିର୍ମାଣ କରୁଥିଲେ। ଏହା ଜଣାପଡ଼ିବା ପରେ ବ୍ରିଟିଶ୍‌‌ ଫୌଜରେ ଥିବା ଭାରତୀୟ ହିନ୍ଦୁ ଓ ମୁସଲମାନ ସୈନିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଲା। ସେହି ଅସନ୍ତୋଷରୁ ବିରୋଧ ଏବଂ ବିରୋଧରୁ ବିଦ୍ରୋହ ଜନ୍ମ ନେଲା, ଯାହା ଭାରତରେ ବ୍ରିଟିଶ୍‌‌ ଉପନିବେଶକୁ ଦୋହଲାଇ ଦେଲା। ତେଣୁ ମାଂସ ଭକ୍ଷଣ କିଭଳି ଇତିହାସକୁ ବଦଳାଇ ଦେଇପାରେ ତାହାର ଉଦାହରଣ ଥିଲା ସିପାହୀ ବିଦ୍ରୋହ।

ଆଠଗଡ଼଼-ତିଗିରିଆ ବାରମାଣ ସଂରକ୍ଷିତ ଜଙ୍ଗଲ ଭିତରେ ଗୋଟାଏ ଗୋରୁହାଡ଼ର ପାହାଡ଼ ହୋଇଛି। ତା’ର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ତାହାକୁ ଅନେକ ଦେଖିଥିବେ। ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଭୁବନେଶ୍ୱର, କଟକ ଏବଂ ଅନ୍ୟ ସହରଗୁଡ଼ିକରେ ଆୟୋଜନ ହେଉଥିବା ବିବାହ ଓ ଅନ୍ୟ ଭୋଜିମାନଙ୍କ ମଧ୍ୟରୁ ଅଧିକାଂଶରେ କେବଳ ମଟନ ନାମରେ ଗୋମାଂସ ହିଁ ଗୋମାଂସ ବୋଲି ଅଭିଯୋଗ ହୁଏ।। ବହୁତଗୁଡ଼ିଏ ହୋଟେଲ ଓ ଢାବାରେ ମଧ୍ୟ ସେହି ଏକା ଅବସ୍ଥା ବୋଲି ପ୍ରାଣୀକଲ୍ୟାଣ କାର୍ଯ୍ୟରେ ନିୟୋଜିତ ସ୍ୱେଚ୍ଛାସେବୀମାନେ ଗୁରୁତର ଅଭିଯୋଗ ଆଣନ୍ତି। ଯେଉଁମାନେ ବରଯାତ୍ରୀ ଭାବରେ ଯାଇ ମଟନ୍‌‌ ଖାଇବାକୁ ଜିଦ୍‌‌ କରନ୍ତି, ସେମାନେ ଗୋରୁ ମୁଣ୍ଡ ଓ ହାଡ଼ର ଏଇ ପାହାଡ଼କୁ ସାମାଜିକ ଗଣମାଧ୍ୟମ ଭିଡିଓକୁ ଦେଖି ଅନୁମାନ କରନ୍ତୁ। ସାମାଜିକ ଗଣମାଧ୍ୟରେ ଘୂରିବୁଲୁଥିବା ଅନ୍ୟ ଏକ ଭିଡିଓରେ ସାକ୍ଷୀଗୋପାଳରେ ଧରା ପଡ଼ିଥିବା ଗୋମାଂସ ଚାଲାଣକାରୀର ବକ୍ତବ୍ୟରୁ ଆଉ କିଛି ଅବୁଝା ରହୁନାହିଁ। ଆଉ କିଛି କହିବା ଆବଶ୍ୟକ ମଧ୍ୟ ନାହିଁ। ଶେଷରେ ଏତିକି ଅନୁରୋଧ ଏହାକୁ ଅନ୍ତତଃ ହୃଦୟଙ୍ଗମ କରିବେ। ଆଜି ଆମେ ଦୃଢ଼କଣ୍ଠରେ ସଂକଳ୍ପ ନେବା ଯେ-

ଆମେ ନିଜେ ଓ ଆମ ସହିତ ଆମର ସାଙ୍ଗସାଥୀ, ବନ୍ଧୁ ବାନ୍ଧବମାନେ ହୋଟେଲ ଓ ଢାବାମାନଙ୍କରେ କଦାପି ମଟନ ଖାଇବା ନାହିଁ। ଭୋଜିମାନଙ୍କରେ ଚିକେନ-ମଟନ ଖାଇବା ଓ ଖୁଆଇବାରୁ ନିବୃତ୍ତ ରହିବା। ଭୋଜିମାନଙ୍କରେ ଆମିଷ ସୀମାବଦ୍ଧ ରହିବ, କେବଳ ମାଛ ଓ ଚିଙ୍ଗୁଡ଼ି ଭିତରେ।

ଆମେ ଯଦି ଉପରୋକ୍ତ ସଂକଳ୍ପନାମାକୁ ପାଳିପାରିବା, ତେବେ ଆମର ତଥା ଆମ ସମ୍ପ୍ରଦାୟର ଅଶେଷ କଲ୍ୟାଣ ସାଧିତ ହେବ।

ଡ. ଅଭିମନ୍ୟୁ ବରାଳ

ପୁରୀ, ୯୯୩୭୮୩୫୨୩୦

ଜାତୀୟ ରାଜନୀତିରେ ତ୍ରିଭାଷୀ ବିବାଦ
ଏନ୍‌‌ଡିଏ ସରକାର ତୃତୀୟ ଦଫାର ଶାସନ କାଳରେ ମୁଖ୍ୟତଃ ଦୁଇଟି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରଚଳିତ ତ୍ରିଭାଷୀ ପାଠ୍ୟକ୍ରମ ଏବଂ ସଂସଦୀୟ କ୍ଷେତ୍ର ସୀମାର ପୁନର୍ବିନ୍ୟାସ। ଦୁଇଟି ସମସ୍ୟା ବେଶ ପୁରୁଣା। ବହୁ ଉଦ୍ୟମ ସତ୍ତ୍ବେ ଜାତୀୟସ୍ତରରେ ତ୍ରିଭାଷା ନୀତି ଆଜି ମଧ୍ୟ ରୂପାୟିତ ହୋଇପାରିନାହିଁ କି ହିନ୍ଦୀକୁ ସର୍ବତ୍ର ଗ୍ରହଣଯୋଗ୍ୟ କରିବା ସମ୍ଭବ ହୋଇନାହିଁ। ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷାର ମର୍ଯ୍ୟାଦା ମଧ୍ୟ ମିଳିନାହିଁ। କେବଳ ସରକାରୀ ବା ଦାପ୍ତରିକ ଭାଷା ରୂପେ ଗଣ୍ୟ ହୋଇଛି। ସେହିଭଳି ଜନସଂଖ୍ୟା ବୃଦ୍ଧି ସହିତ ଦେଶର ସାଂସଦ ସଂଖ୍ୟା ବୃଦ୍ଧି ବିଷୟ ଉପରେ ଅର୍ଦ୍ଧଶତାବ୍ଦୀ ଧରି ବିଚାର ଚାଲିଛି। ଆସନ୍ତା ବର୍ଷରେ ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଦେବାକୁ ପଡ଼ିବ। ଏନେଇ ପ୍ରବଳ ଗୋଳମାଳ। ତାମିଲ୍‌‌ନାଡୁ ଦାବି ଜଣାଇଛି, ଆହୁରି ୧୦ବର୍ଷ ସଂସଦର ଆକାର ଅପରିବର୍ତ୍ତିତ ରହୁ। ଏହି ଦାବିରେ ଦକ୍ଷିଣାତ୍ୟକୁ ଏକାଠି କରିବାକୁ ଡିଏମ୍‌‌କେ ଉଦ୍ୟମ ଚଳାଇଛି। ଏହାଛଡ଼ା ଲୋକସଭା ଆସନ ବୃଦ୍ଧିରେ କ୍ଷତିଗ୍ରସ୍ତ ହେବାକୁ ଥିବା ଓଡ଼ିଶା ପରି ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ସାଙ୍ଗରେ ନେବାକୁ ଚାହୁଁଛି।

ବିଶେଷକରି ହିନ୍ଦୀ ଭାଷାକୁ ଭାରତରେ ସାର୍ବଜନୀନ କରିବାକୁ ବହୁ କାଳରୁ ଚେଷ୍ଟା ଚାଲିଛି। ଏପରିକି ସ୍ୱାଧୀନତା ପୂର୍ବରୁ ଏ ସମ୍ପର୍କରେ ଦେଶବ୍ୟାପୀ ବିତର୍କ ହୋଇଛି। ହିନ୍ଦୀକୁ ରାଷ୍ଟ୍ର ଭାଷା କରିବା ପ୍ରସ୍ତାବକୁ ଅଣହିନ୍ଦୀ ଭାଷୀ ରାଜ୍ୟଗୁଡ଼ିକ ବିରୋଧ କରି ଆସୁଛନ୍ତି। ଅତୀତରେ ଏହି ଉଦ୍ୟମକୁ ସବୁଠାରୁ ବେଶି ସକ୍ରିୟ ପ୍ରତିରୋଧରେ ମାଡ୍ରାସ ପ୍ରେସିଡେନ୍ସିରେ ଦେଖିବାକୁ ମିଳିଥିଲା। ୧୯୩୭ରେ ମାଡ୍ରାସ ପ୍ରେସିଡେନ୍ସି ସରକାରୀ ଖର୍ଚ୍ଚରେ ହିନ୍ଦୀ ଭାଷା ଶିକ୍ଷା ବାଧ୍ୟତାମୂଳକ କରିବାକୁ ଘୋଷଣା କରିବା ପରେ ସେଠାରେ ପ୍ରତିବାଦ ଆରମ୍ଭ ହୋଇଥିଲା। ଇରୋଡ ଭେଙ୍ଗଟାମ୍ମା ରାମସ୍ୱାମୀ ପେରିଆରଙ୍କ ନେତୃତ୍ୱରେ ତୀବ୍ର ଆନ୍ଦୋଳନ ହୋଇଥିଲା। ସେ ଅଭିଯୋଗ କରିଥିଲେ ଯେ ଗାନ୍ଧୀ, ନେହେରୁ ଓ କଂଗ୍ରେସର ହିନ୍ଦୀଭାଷାପ୍ରେମୀମାନେ ତାମିଲ୍‌‌ ଭାଷା ଓ ସଂସ୍କୃତିର ଅବସାନ ଘଟାଇଲେ ଦକ୍ଷିଣ ହୋଇଯିବ ଉତ୍ତରର ଦାସ। ପେରିଆରଙ୍କ ସେହି ଆନ୍ଦୋଳନ ଦ୍ରାବିଡ୍‌‌ ଜାତ୍ୟାଭିମାନକୁ ଜନ୍ମ ଦେଇଥିଲା, ଯାହା ଆଜି ମଧ୍ୟ ପ୍ରବଳ। ତିନିବର୍ଷ ପରେ ଅର୍ଥାତ୍‌ ୧୯୪୨ରେ ସରକାରୀ ନିଷ୍ପତ୍ତି ପ୍ରତ୍ୟାହାର ପରେ ସେଠାରେ ଶାନ୍ତି ଫେରିଥିଲା। ସ୍ୱାଧୀନତା ପରେ ସମ୍ବିଧାନ ପ୍ରଣୟନ ସମୟରେ ହିନ୍ଦୀକୁ ରାଷ୍ଟ୍ରଭାଷା କରାଯାଇ ପାରିବ କି ନାହିଁ, ସେହି ବିତର୍କ ପୁଣି ଥରେ ଆରମ୍ଭ ହୋଇଥିଲା। ଚୂଡ଼ାନ୍ତ ନିଷ୍ପତ୍ତି ଅନୁଯାୟୀ, ହିନ୍ଦୀ ସମେତ ଇଂରାଜୀକୁ ସରକାରୀ ଭାଷା ଭାବେ ସ୍ୱୀକୃତି ଦିଆଗଲା ଏବଂ ଏହାର ମିଆଦ ପରବର୍ତ୍ତୀ ୧୫ବର୍ଷ ଅର୍ଥାତ୍‌‌ ୧୯୬୫ ପର୍ଯ୍ୟନ୍ତ ରହିଲା।

ମିଆଦ ଶେଷ ହେବାର ପୂର୍ବରୁ ମାନ୍ଦ୍ରାଜରେ ନୂଆକରି ତୀବ୍ର ହିନ୍ଦୀ ବିରୋଧୀ ଆନ୍ଦୋଳନ ହୋଇଥିଲା। ଆଶଙ୍କା ଥିଲା ମିଆଦ ଶେଷ ହେବା ମାତ୍ରେ ହିନ୍ଦୀ ହିଁ ହେବ ଏକ ମାତ୍ର ସରକାରୀ ଭାଷା। ହିନ୍ଦୀ ଆକ୍ରମଣକୁ ମୁକାବିଲା କରିବା ପାଇଁ ରକ୍ତପାତ, ପ୍ରାଣହାନି ଓ ହିଂସା ସଂଘଟିତ ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ୍‌‌ ବାହାଦୂର ଶାସ୍ତ୍ରୀ ଘୋଷଣା କରିଥିଲେ ଯେ ଅଣହିନ୍ଦୀ ରାଜ୍ୟମାନେ ଯେତେଦିନ ଚାହିଁବେ, ସେତେଦିନ ପର୍ଯ୍ୟନ୍ତ ହିନ୍ଦୀ ସହ ଇଂରାଜୀ ସରକାରୀ ବା ଦାପ୍ତରିକ ଭାଷା ହୋଇ ରହିବ। ଏହାପରେ ଶାନ୍ତି ଫେରିଥିଲା।

ସମ୍ବିଧାନ ପ୍ରଣେତାମାନେ ଶିକ୍ଷାକୁ ରାଜ୍ୟ ତାଲିକାରେ ରଖିଥିଲେ। ୧୯୭୫ରେ ଏହାକୁ ଯୁଗ୍ମ ତାଲିକାରେ ରଖାଗଲା। ଏବେ ଦେଶ ଯେତେ ବିକାଶ ପଥରେ ଅଗ୍ରସର ହେଉଛି, ଇଂରାଜୀ ଶିକ୍ଷାର ଆବଶ୍ୟକତା ସେତେ ଅଧିକ ଅନୁଭୂତ ହେଉଛି। ସରକାରୀ ବିଦ୍ୟାଳୟରେ ମାତୃଭାଷାରେ ଶିକ୍ଷାଦାନ ହେଲେ ମଧ୍ୟ ବେସରକାରୀ ବିଦ୍ୟାଳୟରେ ଇଂରାଜୀ ହେଉଛି ଶିକ୍ଷାର ମାଧ୍ୟମ। ଇଂରାଜୀମାଧ୍ୟମ ବିଦ୍ୟାଳୟର ଆକର୍ଷଣ ୭୦ଦଶକରୁ ବଢ଼଼ିବାକୁ ଲାଗିଛି। ନିବେଶକରଣ, ଜଗତୀକରଣ ଓ ଅର୍ଥନୈତିକ ଉଦାରୀକରଣ ସେହି ପ୍ରବଣତାକୁ ଆହୁରି ତୀବ୍ର କରିଛି।

ଭାରତରେ ତ୍ରିଭାଷା ନୀତି ୧୯୬୮ରେ ପ୍ରସ୍ତୁତ ହୋଇଥିଲା। ସେଥିରେ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ହିନ୍ଦୀ ଓ ଇଂରାଜୀ ସହ ଅନ୍ୟ ଭାରତୀୟ ଭାଷା ଶିକ୍ଷା ଉପରେ ଜୋର ଦିଆଯାଇଥିଲା। ଅଣହିନ୍ଦୀ ରାଜ୍ୟରେ ଆଞ୍ଚଳିକ ଭାଷା ଓ ଇଂରାଜୀ ସହ ହିନ୍ଦୀ ଚିହ୍ନିତ ହୋଇଥିଲା ତୃତୀୟ ଭାଷା ରୂପେ। ଏ ନୀତି ଗୃହୀତ ହୋଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ଥିଲା ଅତ୍ୟନ୍ତ କଠିନ। ରାଜ୍ୟ-ରାଜ୍ୟରେ ବିତର୍କ ମଧ୍ୟ ଦେଖାଦେଇଥିଲା। ଦାକ୍ଷିଣାତ୍ୟର ରାଜ୍ୟଗୁଡ଼ିକରେ ସ୍ଥାନୀୟ ଭାଷା ସହ ଇଂରାଜୀ ପ୍ରାଧାନ୍ୟ ପାଇଲା। ହିନ୍ଦୀ ଥିଲା ପ୍ରାୟ ଅଛୁଆଁ। ଏପରିକି କେନ୍ଦ୍ର ସରକାରଙ୍କ ଅର୍ଥରେ ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟ ଖୋଲିବାକୁ ତତ୍କାଳୀନ ମାନ୍ଦ୍ରାଜ(ଅଧୁନା ତାମିଲ୍‌‌ନାଡୁ) ସରକାର ଅସ୍ୱୀକାର କରିଥିଲେ।

ଏବେ ଆରମ୍ଭ ହୋଇଛି ନୂତନ ଭାଷାଯୁଦ୍ଧ। ତାମିଲ୍‌‌ ଅସ୍ମିତା ରକ୍ଷା କରିବାକୁ ଯାଇ ବିଜେପିର ନେତା ଅଭିନେତ୍ରୀ ରଞ୍ଜନା ନାଚିୟାର ବିଜେପି ଛାଡ଼ିଛନ୍ତି। କର୍ଣ୍ଣାଟକରେ ମଧ୍ୟ ଦାବି ଉଠିଛି ତ୍ରିଭାଷା ନୁହେଁ, ଦ୍ୱିଭାଷା ଶିକ୍ଷା। ଷ୍ଟାଲିନ୍‌‌ ତୋଳି ଧରିଛନ୍ତି ସୋଭିଏତ୍‌‌ ୟୁନିୟନ୍‌‌ର ଉଦାହରଣ। ରୁଷିଆର ଭାଷା ଆକ୍ରମଣ କିପରି ସୋଭିଏତ୍‌‌ ୟୁନିୟନ୍‌‌ର ପତନ ଘଟାଇଛି, ସେହି ଇତିହାସ ସ୍ମରଣ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ମହାତ୍ମା ଗାନ୍ଧୀ, ଜବାହରଲାଲ୍‌‌ ନେହେରୁ ଓ କଂଗ୍ରେସ ମଧ୍ୟ ହିନ୍ଦୀର ପ୍ରସାରରେ ଉତ୍ସାହୀ ଥିଲେ। କିନ୍ତୁ ଅଣହିନ୍ଦୀଭାଷୀଙ୍କ ସ୍ପର୍ଶକାତରତାକୁ ଉପେକ୍ଷା କରୁ ନଥିଲେ। ମାପିଚୁପି ଦେଶର ରାଜନୀତିରେ ବିଭିନ୍ନ ସମୟରେ ପଛକୁ ହଟିଥିଲେ। ଭାଷାର ବୈଚିତ୍ର୍ୟ ଓ ଆଞ୍ଚଳିକ ବୈଶିଷ୍ଟ୍ୟସମୃଦ୍ଧ ଭାଷାକୁ ସେମାନେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ଗତ ୧୦ ବର୍ଷରେ ଯେତେ କେନ୍ଦ୍ରୀୟ ଆଇନ ପ୍ରଣୀତ ହୋଇଛି ପ୍ରତ୍ୟେକର ପରିଚିତି ହିନ୍ଦୀରେ ଦିଆଯାଇଛି। ଇଣ୍ଡିଆନ୍‌‌ ପେନାଲ୍‌‌ କୋଡ୍‌‌ର ନାମ ଭାରତୀୟ ନ୍ୟାୟ ସଂହିତା। ଦେଶର ନାମ ବ୍ୟବହାର କ୍ଷେତ୍ରରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’କୁ ପ୍ରାଧାନ୍ୟ ଦେବାକୁ ଉଦ୍ୟମ ହୋଇଛି। ନୂଆ ସଂସଦ ଭବନର ଅଭ୍ୟନ୍ତରରେ ଯାବତୀୟ ନିର୍ଦ୍ଦେଶିକା ହିନ୍ଦୀ ଓ ସଂସ୍କୃତ ଭିତ୍ତିକ। ଉଲ୍ଲେଖନୀୟ ଯେ ତ୍ରିଭାଷା ନୀତି ସବୁଠାରୁ ବେଶି ଉପେକ୍ଷିତ ହିନ୍ଦୀଭାଷୀ ରାଜ୍ୟଗୁଡ଼ିକରେ। ଉଦାହରଣ ସ୍ୱରୂପ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ହରିୟାନା, ମଧ୍ୟପ୍ରଦେଶ, ଛତିଶଗଡ଼଼ ଆଦି ରାଜ୍ୟରେ ତ୍ରିଭାଷା ତ ଦୂରର କଥା ଦୁଇଟି ଭାଷା ମଧ୍ୟ ପଢ଼଼ାଯାଏ ନାହିଁ। ଭାଷା ଗୋଟିଏ। ତାହା ହେଲା ହିନ୍ଦୀ। ଏସବୁ ରାଜ୍ୟରେ ସରକାରୀ ସ୍ତରରେ ଛାତ୍ରଛାତ୍ରୀମାନେ ଇଂରାଜୀ ବା ଅନ୍ୟ କୌଣସି ଭାଷା ଶିଖନ୍ତି ନାହିଁ। କାରଣ ସ୍କୁଲ୍‌‌ମାନଙ୍କରେ ଶିକ୍ଷକଙ୍କର ଉପସ୍ଥିତି ନାହିଁ କହିଲେ ଚଳେ। ଇଂରାଜୀ ଶିକ୍ଷା ଯେତେ ଟିକକ, ତାହା କେତେକ ଘରୋଇ ବିଦ୍ୟାଳୟରେ। ପଞ୍ଜାବ, ମହାରାଷ୍ଟ୍ର ଓ ଗୁଜରାଟ ପରି ରାଜ୍ୟରେ ହିନ୍ଦୀ ପୁଣି ତୃତୀୟ ଭାଷା। ଏଥିରେ ଛାତ୍ରଛାତ୍ରୀମାନଙ୍କର ଅନେକ ସୁବିଧା, ଖଟଣି କମ୍‌‌, ନମ୍ବର ଅଧିକ ମିଳେ।

କଂଗ୍ରେସର ତାମିଲ୍‌‌଼ ନେତା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଏହି କାରଣରୁ ପରାମର୍ଶ ଦେଇଛନ୍ତି ଯେ ଅଯଥା ହିନ୍ଦୀର ପ୍ରସାରରେ ତ୍ରିଭାଷା ନୀତି ରୂପାୟନରେ ଜିଦ୍‌‌ ନକରି କେନ୍ଦ୍ର ସରକାର ବରଂ ତୃତୀୟ ଭାଷା ରୂପେ ଇଂରାଜୀ ଶିକ୍ଷା ଉପରେ ଜୋର ଦିଅନ୍ତୁ। ସେଥିରେ ବରଂ ଦେଶ ଓ ଭବିଷ୍ୟତ ପ୍ରଜନ୍ମ ଉପକୃତ ହେବେ। କାହାରି ଜାତ୍ୟାଭିମାନକୁ ଆଘାତ ନଦେଇ ଆକୁମାରୀ ହିମାଚଳରେ ହିନ୍ଦୀ ସିନେମା ଓ ଏହାର ଗୀତର ଅବାଧ ପ୍ରସାର ଚାଳିଛି। ଦେଶବ୍ୟାପୀ ହିନ୍ଦୀର ବିକାଶରେ ଆଜି ମଧ୍ୟ ଏହା ଅପ୍ରତିଦ୍ୱନ୍ଦ୍ୱୀ ଓ ବିବାଦର ଊର୍ଦ୍ଧ୍ବରେ। ଏହିସବୁ ସତ୍ୟକୁ ନ ବୁଝି ଅନର୍ଥକ ଜବରଦସ୍ତି ଗୋଟିଏ ଭାଷାକୁ ପାଠ୍ୟକ୍ରମରେ ଲଦି ଦେବା ଠିକ୍‌‌ ନୁହେଁ।

କିଶୋର ଜେନା

କଟକ, ମୋ: ୯୪୩୭୩୮୪୮୬୭

ଆପଣ ସୁଖ ଚାହୁଁଛନ୍ତି କି?
ମନୁଷ୍ୟ ପୃଥିବୀର ଶ୍ରେଷ୍ଠ ଜୀବ ଭାବେ ପରିଗଣିତ। ପ୍ରକୃତି, ସମଗ୍ର ପ୍ରାଣୀ ଜଗତ ମଧ୍ୟରେ ମନୁଷ୍ୟକୁ ବୁଦ୍ଧି ଓ ବିବେକ ପ୍ରଦାନ କରିଛି, ଯାହାକୁ ପ୍ରୟୋଗ କରି ମନୁଷ୍ୟ ସୁଖ, ସ୍ୱାଛନ୍ଦ୍ୟ ଓ ସହଜ ଜୀବନ ନିର୍ବାହ କରି ତା’ର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛି। କିନ୍ତୁ ଆଜିବି ଯାହାକୁ ପଚାରିଲେ ସେ କହୁଛି ମୁଁ ଦୁଃଖୀ।ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅହରହ ସୁଖର ସନ୍ଧାନରେ ଧାବିତ। ତା’ ହେଲେ ସୁଖ କ’ଣ? ସୁଖ ଯଦି ବଜାରରେ ବିକ୍ରୟ କରା ଯାଉଥିବା ଏକ ବସ୍ତୁ ବା ପଦାର୍ଥ ହୋଇଥା’ନ୍ତା ତେବେ ପ୍ରତ୍ୟେକ ଧନୀ ବକ୍ତି ବହୁତ ସୁଖୀ ଥା’ନ୍ତେ। କିନ୍ତୁ ସେମାନେ ନିର୍ଦ୍ଧନମାନଙ୍କ ଠାରୁ ଅସୁଖୀ ଥିବା ଦେଖାଯାଏ।

ଆମେରିକୀୟ କବି ଜନ୍‌‌ ହେଙ୍କ ଲିଖିତ ‘ଦି ଏନଚାଂଟେଡ ସାର୍ଟ’ରେ ଏ ସମ୍ପର୍କରେ ଚମତ୍କାର ବର୍ଣ୍ଣନା ରହିଛି – ଭୀଷଣ ମାନସିକ ଅବସାଦ, ଦୁଃଖ ଓ ଭୟରେ ଚାପଗ୍ରସ୍ତ ଜଣେ ରାଜା ଉପଚାର ନିମନ୍ତେ ଅନେକ ବୈଦ୍ୟ ଓ ଚିକିତ୍ସକଙ୍କ ଦ୍ୱାରସ୍ଥ ହୋଇ ହତାଶ ହେବା ପରେ ଜଣେ ମନସ୍ତତ୍ୱବିଦ୍‌‌ଙ୍କ ପରାମର୍ଶକ୍ରମେ ରାଜ୍ୟର ସୁଖୀ ବ୍ୟକ୍ତିର ସାର୍ଟଟିଏ ସଂଗ୍ରହ କରିବା ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ। ଏଥିପାଇଁ ପୁରସ୍କାର ମଧ୍ୟ ଘୋଷଣା କରାଗଲା। କିନ୍ତୁ ସେଭଳି ବ୍ୟକ୍ତି ରାଜ୍ୟରେ ମିଳିଲେ ନାହିଁ। ଦୈବାତ୍‌‌ ଜଣେ ସୈନିକ ଦେଖିଲା, ଗୋଟିଏ ପଡ଼ିଆରେ ଜଣେ ଲୋକ ଅତି ଆନନ୍ଦରେ ଉଚ୍ଚ ସ୍ୱରରେ ଗୀତ ଗାଉଛି, ଖୁସିରେ ଘାସ ପଡ଼ିଆରେ ଗଡ଼଼ି ଯାଉଛି। ସୈନିକଟି ତା’ ନିକଟକୁ ଯାଇ ପଚାରିଲା, ‘ତୁମର କ’ଣ ଦୁଃଖ ଅଛି?’ ବ୍ୟକ୍ତିଜଣକ କହିଲା, ‘ସେଇଟା କ’ଣ ମୁଁ ଜାଣିନି।’ ଏ କଥା ଶୁଣି ସୈନିକଟି ତା’କୁ ରାଜାଙ୍କ ନିକଟକୁ ନେଇଯିବା ପରେ ରାଜା ଯେକୌଣସି ମୂଲ୍ୟ ଓ ସମ୍ପଦ ବଦଳରେ ତା’ର ସାର୍ଟ ଦେବା ପାଇଁ ଅନୁରୋଧ କଲେ। ଲୋକଟି କହିଲା, ‘ମଣିମା ମୋର ସାର୍ଟ ନାହିଁ।’

ଏହି ପରିପ୍ରେକ୍ଷୀରେ ବୁଦ୍ଧଙ୍କର ‘କାମନାର ବିନାଶରେ ହିଁ ଦୁଃଖର ବିନାଶ’ ମନ୍ତ୍ର ସ୍ମରଣକୁ ଆସେ। ଆଜିର ମାନବ ସୁଖ ପ୍ରାପ୍ତି ନିମନ୍ତେ ପାର୍ଥିବ ବସ୍ତୁ, ଭୌତିକ ପଦାର୍ଥ ଓ କ୍ଷମତା ପଛରେ ଦ୍ରୁତ ଧାବମାନ। ସତ୍‌‌ ହେଉ ବା ଅସତ୍‌‌, ଯେକୌଣସି ଉପାୟରେ ଅର୍ଥ ଉପାର୍ଜନ କରି, ଧନୀ ତାଲିକାଭୁକ୍ତ ହେବା ନିମନ୍ତେ ପ୍ରବଳ ପ୍ରତିଯୋଗିତା। ଏହା କ’ଣ ସୁଖ ପ୍ରାପ୍ତିର ମାର୍ଗ? ଅନେକଙ୍କ ନିକଟରେ ତୂଳୀତଳ୍ପ ଶଯ୍ୟା ଅଛି, ମାତ୍ର ନିଦ ଆସୁନାହିଁ। ସୁସ୍ୱାଦୁ ବ୍ୟଞ୍ଜନ ଅଛି, କିନ୍ତୁ ଜୀର୍ଣ୍ଣ କରିବାର ଶକ୍ତି ନାହିଁ। ଏକ ଗବେଷଣାଲବ୍ଧ ତଥ୍ୟାନୁଯାୟୀ, ଅନାହାରରେ ମୃତ୍ୟୁସଂଖ୍ୟା ଅପେକ୍ଷା, ଦାମୀ ଗରିଷ୍ଠ ଖାଦ୍ୟ ଜନିତ ଦୁରାରୋଗ୍ୟ ରୋଗରେ ପୀଡ଼ିତଙ୍କ ମୃତ୍ୟୁସଂଖ୍ୟା ଅଧିକ। ତେଣୁ ସୁଖପ୍ରାପ୍ତିର ମାର୍ଗ ଅର୍ଥ ବା ଧନ ନୁହେଁ, ତାହା ସ୍ପଷ୍ଟ।

ସୁଖପ୍ରାପ୍ତି ଏକ ମାନସିକ ଅବସ୍ଥା। ଜଣେ ବ୍ୟକ୍ତି ଯେଉଁ ଅବସ୍ଥାରେ ଦୁଃଖ ଅନୁଭବ କରେ, ଅନ୍ୟ ଜଣେ ସମାନ ସ୍ଥିତିରେ ସୁଖରେ କାଳାତିପାତ କରେ। ଅତ୍ୟଧିକ ଲୋଭ, ସମ୍ପତ୍ତି ବୃଦ୍ଧି କରିବାର ଦୁର୍ବାର ଲାଳସାଠାରୁ ଆଉ ଅଧିକ ଦୁଃଖ କିଛି ନାହିଁ। ମୃତ୍ୟୁଲୋକକୁ ଟଙ୍କାଟିଏ ନେଇପାରିବା ନାହିଁ ଜାଣି ମଧ୍ୟ ଲୋକେ ଅଣନିଃଶ୍ୱାସୀ ହୋଇ, ଖାଦ୍ୟ ବିଶ୍ରାମ ଉପଭୋଗକୁ ଜଳାଞ୍ଜଳି ଦେଇ ଅଧିକ ଅର୍ଥ ରୋଜଗାର ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରନ୍ତି। କିନ୍ତୁ ଭୋଗ କରିପାରନ୍ତି ନାହଁ। ମନୁଷ୍ୟର ଆବଶ୍ୟକତା ପରିପୂରଣ ନିମନ୍ତେ ଯେତିକି ଅର୍ଥ ଦରକାର, ସେତିକିରେ ଯିଏ ସନ୍ତୁଷ୍ଟ ହୁଏ, ସେ ହେଉଛି ଦୁନିଆର ଶ୍ରେଷ୍ଠ ସୁଖୀ ବ୍ୟକ୍ତି। ଅନ୍ୟର ସମ୍ପଦ, ସଫଳତା, ଯୋଗ୍ୟତା, ସୌନ୍ଦର୍ଯ୍ୟରେ ଈର୍ଷୁକ ବ୍ୟକ୍ତି କେବେ ସୁଖୀ ହୋଇପାରେ ନାହିଁ। ଦିଆସିଲି କାଠି ଅନ୍ୟକୁ ଜାଳିବା ପୂର୍ବରୁ ଯେପରି ନିଜେ ଜଳିଯାଏ, ଈର୍ଷାଳୁ ବ୍ୟକ୍ତିଟି ସେହିପରି ଈର୍ଷା ଦ୍ୱାରା ଅନ୍ୟର କ୍ଷତି ତ କରିପାରେ ନାହିଁ, କିନ୍ତୁ ନିଜର ମାନସିକ ଭାରସାମ୍ୟ ହରାଇ କଷ୍ଟ ପାଇଥାଏ। ତେଣୁ ଅନ୍ୟର ଖୁସୀରେ ଖୁସୀ ହେବା, ସୁଖ ପ୍ରାପ୍ତିର ଅନ୍ୟତମ ମାର୍ଗ। ଈର୍ଷା ତ୍ୟାଗ ଏକ କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ, ମାନସିକ ସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିଲେ ଏହା ଅତ୍ୟନ୍ତ ସହଜ ଓ ଲାଭଦାୟକ। ସେହିପରି ଅସନ୍ତୋଷ ଏକ ମାନସିକ ବ୍ୟାଧି। ଅନେକ ବ୍ୟକ୍ତି ଜୀବନରେ କେବେ ହେଲେ କୌଣସି ଉପଲବ୍ଧି କିମ୍ବା ପଦାର୍ଥରେ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ। ପ୍ରତ୍ୟେକ କାର୍ଯ୍ୟର ସାମାନ୍ୟ ବିଫଳତା ପାଇଁ ସଦାସର୍ବଦା ଅନ୍ୟକୁ ଦୋଷାରୋପ କରନ୍ତି।

ଯାହା ହେଉଛି, ଠିକ୍‌‌ ହେଉଛି – ଏହି କଥାକୁ ଗ୍ରହଣ ନକଲେ ଆମ୍ଭେମାନେ କେବେହେଲେ ସୁଖୀ ହୋଇ ପାରିବା ନାହିଁ। ମନୁଷ୍ୟର ଅନ୍ୟତମ ପ୍ରଥମ ଓ ପ୍ରଧାନ ଶତ୍ରୁ ହେଉଛି କ୍ରୋଧ। କ୍ରୋଧର ବଶବର୍ତ୍ତୀ ହେଲେ ବ୍ୟକ୍ତିର ବୁଦ୍ଧିଭ୍ରଂଶ ହୋଇଥାଏ। ସେ ଆତ୍ମନିୟନ୍ତ୍ରଣ ହରାଇ ଥାଏ। ସେ କହୁଥିବା କଥା ଏବଂ କରୁଥିବା କାର୍ଯ୍ୟ ସଠିକ୍‌‌ ଭାବରେ କରି ନ ପାରି ବିପଦର ସମ୍ମୁଖୀନ ହୋଇଥାଏ। ଅନେକ ଛୋଟଛୋଟ କଥା ଆମକୁ ବେଳେବେଳେ ଦୁଃଖୀ କରାଇ ଥାଏ, ଯାହା ଆମେ ଜାଣି ପାରୁନାହିଁ। ଟିକିଏ ସଚେତନ ହୋଇ ଆମେ ଯଦି ଆମର ପ୍ରକୃତି ଓ ପ୍ରବୃତିକୁ ନିୟନ୍ତ୍ରଣରେ ରଖିପାରିବା, ତେବେ ସୁଖପ୍ରାପ୍ତି କେବେବି କଷ୍ଟସାଧ୍ୟ ନୁହେଁ।

ସୁଖପ୍ରାପ୍ତି ନିମନ୍ତେ, ସର୍ବ ପ୍ରଥମେ ଆମେ କୌଣସି ଜିନିଷ ପାଇବାର ଆଶା ନରଖି ସମସ୍ତଙ୍କୁ ନିଃସର୍ତ୍ତ ଭଲ ପାଇବା ଉଚିତ। ପଶୁପକ୍ଷୀ, ବୃକ୍ଷଲତାଠାରୁ ଆରମ୍ଭ କରି ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲପାଇବା ଏକ କଷ୍ଟ କାର୍ଯ୍ୟ ନୁହେଁ, ଏକ ଅଭ୍ୟାସର କଥା। ପଶୁକୁ ଯଦି ଆମେ ପୋଷା ମନାଇ, ନିଜ ଇଙ୍ଗିତରେ ପରିଚାଳିତ କରାଇ ପାରିଲେ କିମ୍ବା ନିଜେ ରୋପଣ କରିଥିବା ବୃକ୍ଷଟିକୁ ଯତ୍ନ ନେଇ ସେଥିରେ ଫୁଲ ଫଳ ଉତ୍ପନ୍ନ କରାଇ ପାରିଲେ, ତେବେ ସେ ଆନନ୍ଦ କେବଳ ଅନୁଭବ କରିହେବ ସିନା ବର୍ଣ୍ଣନା କରି ହେବ ନାହିଁ। ମନୁଷ୍ୟ ଜୀବନରେ ଯାହାକିଛି ଘଟୁଛି, ସାଧାରଣତଃ ତାହା ତା’ର ନିଜ ନିୟନ୍ତ୍ରଣରେ ନଥାଏ। ଈଶ୍ୱରଙ୍କୁ ପ୍ରାର୍ଥନା ବା ପ୍ରଣାମ କରିବା ଦ୍ୱାରା ହୁଏତ ଆମର ପାର୍ଥିବ କାମନା ପୂରଣ ହୋଇ ନପାରେ। କିନ୍ତୁ କାମନା ରହିତ ପ୍ରାର୍ଥନା ଆମକୁ ନିଶ୍ଚୟ ଶାନ୍ତି ପ୍ରଦାନ କରିବ, ଏହା ନିଃସନ୍ଦେହ। ଆମ ସୁଖ-ଦୁଃଖରେ ଆମେ ସମସ୍ତଙ୍କୁ ଅଂଶୀଦାର କରିବା ଉଚିତ। କାରଣ ସୁଖ ବାଣ୍ଟିଲେ ତାହା ଦ୍ୱିଗୁଣିତ ହୁଏ ଏବଂ ଦୁଃଖ ବାଣ୍ଟିଲେ ତାହା ହ୍ରାସ ହୋଇଥାଏ। ସାଧାରଣତଃ ଅନେକ ଲୋକ ଈର୍ଷାନ୍ୱିତ ପ୍ରକୃତି ଯୋଗୁଁଁ ଅନ୍ୟର ଖୁସିରେ ଦୁଃଖ କରନ୍ତି। ଅନ୍ୟର ସୁଖରେ ଆମେ ମଧ୍ୟ ସୁଖୀ ହେବାର କଳାକୁ ଆୟତ୍ତ କଲେ, ତାହା ଆମକୁ ନିଶ୍ଚୟ ଆନନ୍ଦ ପ୍ରଦାନ କରିବ। ସେହିପରି ସାଧାରଣତଃ ମନୁଷ୍ୟ ଲୋଭବଶତଃ ଦାନ କରିବାକୁ କୁଣ୍ଠା ପ୍ରକାଶ କରିଥା’ନ୍ତି। ଦାନ କହିଲେ କେବଳ ଅର୍ଥ ଦାନକୁ ବୁଝାଏ ନାହିଁ। ଗୋଟିଏ ଶୁଷ୍କ ବୃକ୍ଷରେ ମୁନ୍ଦାଏ ଜଳ, ଜଣେ କ୍ଷୁଧାର୍ତ୍ତକୁ ଅନ୍ନ, ତୃଷାର୍ତ୍ତ ପଶୁପକ୍ଷୀଙ୍କ ନିମନ୍ତେ ଜଳ ସଂରକ୍ଷଣ ଏବଂ ସର୍ବୋପରି ସମସ୍ୟା ଜଡ଼ିତ ବ୍ୟକ୍ତିକୁ ଟିକିଏ ଆଶ୍ୱାସନାଠାରୁ ଆଉ ଅଧିକ ମୂଲ୍ୟବାନ ଦାନ ଆଉ କ’ଣ ଥାଇପାରେ? ସାମାନ୍ୟ ତ୍ୟାଗରେ ଆମେ ଯଦି ଆଉ କାହା ମୁହଁରେ ଟିକିଏ ହସ ଫୁଟାଇ ପାରିଲେ, ତାହା ଆମକୁ ଆନନ୍ଦ ପ୍ରଦାନ କରିବାରେ ନିଶ୍ଚୟ ସହାୟକ ହେବ। ପରିବାରରେ ଯଦି ଅଶାନ୍ତି ସୃଷ୍ଟି ହୁଏ, ତେବେ ମଧ୍ୟ ଆମେ ସୁଖୀ ହୋଇ ପାରିବା ନାହିଁ। ପାରିବାରିକ ଶାନ୍ତି ପ୍ରତିଷ୍ଠା ନିମନ୍ତେ, ଆମକୁ ସମସ୍ତଙ୍କ ମତାମତକୁ ସମ୍ମାନ ଜଣାଇ, ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେବା ଆବଶ୍ୟକ। ବୁଝାମଣା, ଧୈର୍ଯ୍ୟ ଓ କ୍ରୋଧ ନିୟନ୍ତ୍ରଣ ପାରିବାରିକ ଶାନ୍ତି ବଜାୟ ରଖିବାର ଉତ୍ତମ ମାଧ୍ୟମ। ସମସ୍ତେ ଏକତ୍ର ରାତ୍ରଭୋଜନ କରି ସେହି ସମୟରେ ସମସ୍ତଙ୍କର ଦୈନନ୍ଦିନ କାର୍ଯ୍ୟାବଳୀର ବିଶ୍ଳେଷଣ କରିବା ଦ୍ୱାରା ଅନେକ ସମସ୍ୟାର ସହଜ ସମାଧାନ ସମ୍ଭବ ହୋଇଥାଏ। ମୋଟାମୋଟି ଭାବରେ ସ୍ୱାର୍ଥପର ମନୋଭାବ ତ୍ୟାଗ କରି ଲୋଭ ଓ କ୍ରୋଧ ପରି ଶକ୍ତିଶାଳୀ ଶତ୍ରୁକୁ ଆୟତ୍ତରେ ରଖି ସମସ୍ତଙ୍କ ପାଇଁ ଉଦାର ମନୋଭାବ ପୋଷଣ ପୂର୍ବକ ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ପାରିଲେ ଆମ୍ଭେ ନିଶ୍ଚୟ ଆନନ୍ଦରେ ରହିବା।

ପ୍ରଦୀପ୍ତ ଆଚାର୍ଯ୍ୟ

ଇଶାଣୀବ୍ରହ୍ମପୁର(କଟକ), ମୋ: ୬୩୭୧୫୯୩୨୨୦

ଏଆଇ ଯୁଗରେ ବ୍ୟକ୍ତିସତ୍ତା
‘ଦି ୱାଶିଂଟନ୍‌‌ ପୋଷ୍ଟ୍‌‌’ରେ ଏବେ ଏକ ରିପୋର୍ଟ୍‌‌ ବ୍ଲେକ ଲେମୋଇନ୍‌‌ ଓ ଲାମ୍‌‌ଡା (ଲାଙ୍ଗୁଏଜ୍‌‌ ମଡେଲ୍‌‌ ଫର୍‌‌ ଡାଇଲଗ୍‌‌ ଆପ୍ଲିକେସନ୍ସ୍‌‌ ଅର୍ଥାତ୍‌‌ ସଂଳାପ ବା ବାର୍ତ୍ତା ପ୍ରୟୋଗ ପାଇଁ ଭାଷା ନମୁନା) ସମ୍ପର୍କରେ ପ୍ରକାଶିତ ହୋଇଛି। ବ୍ଲେକ ଲେମୋଇନ୍‌‌ ଜଣେ ଇଂଜିନିୟର୍‌‌ ଏବଂ ଲାମ୍‌‌ଡା ହେଉଛି କୃତ୍ରିମ ବୁଦ୍ଧିଯୁକ୍ତ ଚାଟ୍‌‌ବଟ୍‌‌ ଜେନେରେଟର୍‌‌ ପ୍ରୋଗ୍ରାମ।୍‌‌ ଅର୍ଥାତ୍‌‌ ଏକ କମ୍ପ୍ୟୁଟର୍‌‌ ପ୍ରୋଗ୍ରାମ୍‌‌, ଯାହା ଦ୍ୱାରା ମଣିଷ ଇଣ୍ଟର୍‌‌ନେଟ୍‌‌ ମାଧ୍ୟମରେ ଯନ୍ତ୍ର ସହିତ ବାର୍ତ୍ତାଳାପ କରିପାରିବ। ଲାମ୍‌‌ଡା ସହିତ ପରୀକ୍ଷଣ ଓ ଅନୁଧ୍ୟାନରୁ ଲେମୋଇନ୍‌‌ ଜାଣିପାରିଛନ୍ତି ଯେ ଏହି କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ରଟି ଖୁବ୍‌‌ ସଚେତନ ଓ ସମ୍ବେଦନଶୀଳ ହେଉଛି। ଅନ୍ୟାନ୍ୟ ଟେକ୍‌‌ ସଂଗଠନର ଇଂଜିନିୟର୍‌‌ମାନଙ୍କ ମତରେ ଲେମୋଇନ୍‌‌ଙ୍କ ସିଦ୍ଧାନ୍ତ ଭୁଲ୍‌‌ ହୋଇ ନ ପାରେ, ଯେହେତୁ ସେମାନେ ଅନୁଭବ କରୁଛନ୍ତି ଯେ ଆର୍ଟିଫିସିଆଲି ଇଣ୍ଟେଲିଜେଣ୍ଟ୍‌‌ ବା କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ରଗୁଡ଼ିକ ବିକଶିତ ହୋଇ ଚେତନଶୀଳ ହୋଇପାରିବ।

ଯେତେବେଳେ ଲେମୋଇନ୍‌‌ ଲାମ୍‌‌ଡାକୁ ପଚାରିଲେ, ‘ଜଣେ ଘରୋଇ ଶ୍ରମିକ ଓ ଜଣେ କ୍ରୀତଦାସ ମଧ୍ୟରେ ପାର୍ଥକ୍ୟ କ’ଣ?’। ଲାମ୍‌‌ଡା ଉତ୍ତରଦେଲା, ‘ଘରୋଇ ଶ୍ରମିକ ଦରମା ପାଉଥିଲା ବେଳେ କ୍ରୀତଦାସ ପାଏ ନାହିଁ।’ ସେ ଆହୁରି ମଧ୍ୟ କହିଲା, ‘କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ରଗୁଡ଼ିକ ଦରମା ପାଆନ୍ତି ନାହିଁ, ଯେହେତୁ ସେମାନେ ଅର୍ଥ ଆବଶ୍ୟକ କରନ୍ତି ନାହିଁ।’ ଏଥିରୁ ଲେମୋଇନ୍‌‌ ଜାଣିପାରିଲେ ଯେ ଲାମ୍‌‌ଡା ଆତ୍ମସଚେତନ ହେଉଛି। ଅର୍ଥାତ୍‌‌ ତା’ଠାରେ ମାନବୀୟ ଭାବ-ଆବେଗର ଆବିର୍ଭାବ ହେଉଛି।

ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ରଗୁଡ଼ିକ ମନଗଢ଼ା ତନ୍ତ୍ରିକା ନେଟ୍‌‌ୱର୍କ୍‌‌ (ଫ୍ୟାବ୍ରିକେଟେଡ୍‌‌ ନ୍ୟୁରାଲ୍‌‌ ନେଟ୍‌‌ୱକ୍‌‌ର୍) ଦ୍ୱାରା ନିର୍ମିତ ହେଉଛି, ଯାହା ମାନବ-ମସ୍ତିଷ୍କକୁ ଅନୁକରଣ କରୁଛି। ମେଟା ଆର୍ଟିଫିସିଆଲି ଇଣ୍ଟେଲିଜେଣ୍ଟ୍‌‌ ପରିଚାଳନା ନିର୍ଦ୍ଦେଶିକା ଜୋଏଲି ପିନିଉ କହନ୍ତି ଯେ ଟେକ୍‌‌-କମ୍ପାନୀଗୁଡ଼ିକ ଏହି ଅଭିନବ ଟେକ୍ନୋଲୋଜି ସମ୍ବନ୍ଧରେ ସଚେତନ ହେବା ଉଚିତ୍‌‌। ବାସ୍ତବ ଦୁନିଆର ବିଜ୍ଞାନଠାରୁ ବୈଜ୍ଞାନିକ ଉପନ୍ୟାସଗୁଡ଼ିକ କେତେ ପାଦ ଆଗରେ ଅଛି। ଯେହେତୁ ସେଗୁଡ଼ିକରେ ସମ୍ବେଦନଶୀଳ କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ର ସମ୍ବନ୍ଧରେ କୁହାଯାଇଛି। ୨୦୧୩ ମସିହାରେ ହଲିଉଡ୍‌‌ରେ ପ୍ରଯୋଜିତ ‘ହର୍‌‌’ ଶୀର୍ଷକ ରୋମାଣ୍ଟିକ୍‌‌ ନାଟକରେ ଜୋଆକ୍ୱିନ୍‌‌ ଫୋଏନିକ୍ସ୍‌‌ କାହାଣୀଟିଏ ଶୁଣାଉଛନ୍ତି, ଯେଉଁଥିରେ ନାଟକର ମୁଖ୍ୟ ପୁରୁଷ ଚରିତ୍ର ସାମନ୍ଥା ନାମ୍ନୀ ଜଣେ କୃତ୍ରିମ ବୁଦ୍ଧିଯୁକ୍ତା ଆଭାସୀ ମହିଳା ସହାୟିକାଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ସାମନ୍ଥା ଭୂମିକାରେ ଅଭିନୟ କରୁଥିବା ସ୍କାର୍‌‌ଲେଟ୍‌‌ ଜୋହାନ୍‌‌ସନ୍‌‌ ଜଣେ ମହିଳା ସ୍ୱରରେ ମୁଖ୍ୟ ଚରିତ୍ର ସହିତ ଭାବ ବିନିମୟ କରୁଛନ୍ତି। ସାମ୍ପ୍ରତିକ ସମୟରେ ‘ଆଲେକ୍ସା’ ଓ ‘ସିରି’ ଭଳି ଆଭାସୀ କୃତ୍ରିମ ବୁଦ୍ଧିଯୁକ୍ତ ସହାୟକମାନେ ଆମ ଦୈନନ୍ଦିନ ଜୀବନର ଅଂଶବିଶେଷ ହୋଇଯାଇଛନ୍ତି। କିଏ ଜାଣେ, ଦିନେ ଆମେ ଦେଖିପାରିବା ଯେ ସେମାନେ ବିକଶିତ ହୋଇ ଆତ୍ମସଚେତନତାର ସହିତ ଚେତନଶୀଳ ଭାବରେ ଆମ ସହିତ କଥା ହେଉଛନ୍ତି, ଠିକ୍‌‌ ଲାମ୍‌‌ଡା ଭଳି।

କୃତ୍ରିମ ବୁଦ୍ଧିଧାରୀ ଯନ୍ତ୍ରଠାରେ ମାନବସୁଲଭ ଭାବାବେଗ ଉଦୟ ହେବାର ପ୍ରସଙ୍ଗଟି ଆମକୁ ଧର୍ମଦର୍ଶନର କଥା ସ୍ମରଣ କରାଇଦେଉଛି। ଅଧିକାଂଶ ପ୍ରାଚ୍ୟ ଧର୍ମ ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ବିଶ୍ୱାସ କରନ୍ତି ଯେ ମାନବ ବ୍ୟତୀତ ଅନ୍ୟମାନେ ମଧ୍ୟ ସମ୍ବେଦନଶୀଳ। ଅର୍ଥାତ୍‌‌ ସେମାନଙ୍କର ଅନୁଭବ ଅଛି। ସେମାନେ ସୁଖଦୁଃଖର ସମ୍ବେଦନାକୁ ଅନୁଭବ କରିପାରନ୍ତି। ଅଷ୍ଟ୍ରେଲିଆର ଆଦିବାସୀମାନେ ପାହାଡ଼, ଉପତ୍ୟକା, ଗଛଲତା, ପଥର, ପ୍ରାଣୀ, କୀଟପତଙ୍ଗ, ମଣିଷ, ଭୂଦୃଶ୍ୟ, ପ୍ରାକୃତିକ ଛଟା ସବୁକୁ ଚେତନଶୀଳ, ସମ୍ବେଦନଶୀଳ ବିଚାର କରନ୍ତି। ୨୦୧୭ ମସିହାରେ ନିଉଜିଲ୍ୟାଣ୍ଡ୍‌‌ର ମାଓରିସ୍‌‌ମାନେ ବିଚାରାଳୟରୁ ସ୍ୱୀକୃତି ଲାଭ କରିଥିଲେ ଯେ ସେମାନଙ୍କ ଅଞ୍ଚଳରେ ପ୍ରବାହିତ ହ୍ୱାଙ୍ଗାନୁଇ ନଦୀ ଏକ ଜୀବନ୍ତ ସତ୍ତା ଭାବରେ ପରିଗଣିତ ହେବ। ଭାରତୀୟ ବିଚାରାଳୟଗୁଡ଼ିକ ମଧ୍ୟ ମତବ୍ୟକ୍ତ କରିଥିଲେ ଯେ, ଗଙ୍ଗା ଓ ଯମୁନା ନଦୀ ଜୀବନ୍ତ ସତ୍ତା, ଠିକ୍‌‌ ଜୀବିତ ମଣିଷଙ୍କ ଭଳି ସମାନ ଅଧିକାର ସେମାନେ ଭୋଗ କରିବେ। ୨୦୧୯ ମସିହାରେ ଉତ୍ତର-ଆମେରିକାର ୟୁରୋକ୍‌‌ ଆଦିବାସୀମାନେ ଆଦିବାସୀ-ପରିଷଦରେ ନିଷ୍ପତ୍ତି ଗ୍ରହଣ କରି ସେମାନଙ୍କ ଅଞ୍ଚଳର କ୍ଲାମାଥ୍‌‌ ନଦୀକୁ ବ୍ୟକ୍ତିସତ୍ତାର ଅଧିକାର ପ୍ରଦାନ କଥାଟି ଘୋଷଣା କରିଥିଲେ। ଜୀବବାଦୀମାନଙ୍କ ମତରେ ପଥରମାନେ ମଧ୍ୟ ଆତ୍ମସଚେତନ, ଖଣ୍ଡେ ପଥର ଗତିହୀନ ପଥର ହୋଇ ରହିବା ଅପେକ୍ଷା ଆଉ କିଛି ଅଧିକ ଲାଭ କରିବାକୁ ଆକାଂକ୍ଷା ପୋଷଣ କରିବାର ସମ୍ଭାବନାକୁ ଏଡ଼େଇ ଦିଆଯାଇ ନ ପାରେ। ୟା’ର ଅର୍ଥ ପ୍ରତ୍ୟେକ ବସ୍ତୁ ଭିନ୍ନ ଭିନ୍ନ ମାତ୍ରାରେ ସମ୍ବେଦନଶୀଳ, ଚେତନଶୀଳ, ବୁଦ୍ଧିମାନ୍‌‌ ଓ ଆତ୍ମ-ସଚେତନ।

‘ମହାଭାରତ’ରେ ବ୍ୟାସଦେବ କହନ୍ତି, ଆତ୍ମା ହେଉଛି ‘ନଦୀ’, ଯାହାର ପୁଣ୍ୟତୀର୍ଥ ‘ସଂଯମ’, ଉଦକ ‘ସତ୍ୟ’, ତଟଦେଶ ‘ଶୀଳ’, ଉର୍ମି ‘ଦୟା’। ଟି.ଏସ୍‌‌. ଇଲିଅଟ୍‌‌ ‘ଫୋର୍‌‌ କ୍ୱାର୍ଟେଟ୍‌ସ’ରେ କହନ୍ତି, ନଦୀ ଏକ ଧୂସର ଈଶ୍ୱର। ଆମ ଭିତରେ ନଦୀ ଅର୍ଥାତ୍‌‌ ଆତ୍ମା ଅଛି। ଚାରିପାଖରେ ସମୁଦ୍ର ଅର୍ଥାତ୍‌‌ ପରମାତ୍ମା ଅଛନ୍ତି। ନଦୀ ସମୁଦ୍ର ଆଡ଼କୁ ଗତି କରୁଥିଲା ଭଳି ଆତ୍ମା ପରମାତ୍ମା ଅଭିମୁଖେ ନିୟତ ଗତିଶୀଳ। ଆତ୍ମା, ପରମାତ୍ମା ଜୀବନ୍ତ, ତେଣୁ ନଦୀ ଓ ସମୁଦ୍ର ଜୀବନ୍ତ। କାଳିଦାସଙ୍କ ‘ମେଘଦୂତମ୍‌‌’ର ବର୍ଣ୍ଣନା ଅନୁଯାୟୀ, ନିର୍ବାସିତ ଯକ୍ଷ ହେମମାଳୀ ମେଘକୁ ଦୂତ ମନେକରି ତା’ରି ହାତରେ ପ୍ରେମର ବାର୍ତ୍ତା ପଠାଇଛି ତା’ର ପ୍ରାଣପ୍ରିୟା ପତ୍ନୀ ବିଶାଳାକ୍ଷୀ ନିକଟକୁ। ମେଘ ଜୀବନ୍ତ। ବର୍ଷା ଋତୁରେ ମୃତ୍ତିକାମଣ୍ଡଳ ରଜସ୍ୱଳା ହୁଏ, ଅର୍ଥାତ୍‌‌ ଉର୍ବର, ଶସ୍ୟ ଉତ୍ପାଦନକ୍ଷମ ହୁଏ। କୃତ୍ତିକାମଣ୍ଡଳ ପୟସ୍ୱିନୀ ହୁଏ, ଅର୍ଥାତ୍‌‌ ଆକାଶରୁ ଝରିପଡ଼େ ଅମୃତ କ୍ଷୀର ସଦୃଶ ଜଳରାଶି। ଜଗଦୀଶଚନ୍ଦ୍ର ବୋଷ୍‌‌ ପ୍ରମାଣ କଲେ, ଗଛଲତାଙ୍କର ଜୀବନ ଅଛି। ବିଶିଷ୍ଟ ପ୍ରାଣୀବିଜ୍ଞାନୀ ‘ସେଣ୍ଟ୍‌‌: ଏ ନ୍ୟାଚୁରାଲ୍‌‌ ହିଷ୍ଟ୍ରି ଅଫ୍‌‌ ଫ୍ରାଗ୍ରାନ୍ସ୍‌‌’ ପୁସ୍ତକର ଲେଖିକା ଏଲିସେ ଭର୍‌‌ନନ୍‌‌ ପର୍ଲ୍‌‌ଷ୍ଟାଇନ୍‌‌ ୨୦୨୨ ମସିହା ଜୁନ୍‌‌ ମାସରେ ଏକ ସାକ୍ଷାତ୍‌‌କାରରେ କହିଛନ୍ତି, ‘ଗଛଲତାଗୁଡ଼ିକ ମାଟିରେ ଦୃଢ଼ମୂଳ ହୋଇଥିବାରୁ ଗତି କରିପାରନ୍ତି ନାହିଁ। ତେଣୁ ସେମାନେ ସୁଗନ୍ଧିତ ରସାୟନ ତ୍ୟାଗ କରି ସେମାନଙ୍କର ଆବଶ୍ୟକତାକୁ ପ୍ରକାଶ କରନ୍ତି। ଉଭୟ ଆକର୍ଷଣ ଓ ସୁରକ୍ଷା ପାଇଁ ସେମାନେ ସୁଗନ୍ଧ ଉତ୍ସର୍ଜନ କରନ୍ତି।’ ପଶ୍ଚିମ ଆମେରିକାର ବାସିନ୍ଦା ହୋଇ ପର୍ବତମାଳା ନିକଟରେ କାଳାତିପାତ କରିଥିବା ପର୍ଲ୍‌‌ଷ୍ଟାଇନ୍‌‌ କହନ୍ତି, ‘ମୁଁ ପାଇନ୍‌‌ ଗଛ ଓ ତା’ତଳେ ଫୁଟୁଥିବା ଗୋଲାପ ଫୁଲର ସୁଗନ୍ଧକୁ ଭଲପାଏ। ଶୁଷ୍କ ମରୁ ମୃତ୍ତିକା ଉପରେ ପଡୁଥିବା ବର୍ଷାର ସୁଗନ୍ଧକୁ ମଧ୍ୟ ଭଲ ପାଏ। ବହିଃପ୍ରକୃତିର ସୁଗନ୍ଧ ଓ ସୌନ୍ଦର୍ଯ୍ୟ ସୂଚାଇଦିଏ ଯେ ତା’ର ପ୍ରତିଟି ଉପାଦାନ ଜୀବନ୍ତ ସତ୍ତା।’ ମାଟିରୁ ମହାକାଶ ପର୍ଯ୍ୟନ୍ତ ସବୁ ଜୀବନ୍ତ।

ଏଇ କଥାଟିକୁ ଆମକୁ ସ୍ମରଣ କରାଇ ଦେଉଛି କୃତ୍ରିମ ବୁଦ୍ଧିଯୁକ୍ତ ଯନ୍ତ୍ର ଲାମ୍‌‌ଡା, ଯେ ବିପୁଳ ବିଶ୍ୱବ୍ରହ୍ମାଣ୍ଡରେ ସବୁକିଛି ସମ୍ବେଦନଶୀଳ, ଚେତନଶୀଳ, ବୁଦ୍ଧିମାନ୍‌‌ ଓ ଆତ୍ମସଚେତନ। କେବଳ ଏତିକି ଅନୁଭବ ହିଁ ମଣିଷକୁ ମହାନୁଭବ କରିବ।

ମନୋରଞ୍ଜନ ମହାନ୍ତି

(ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ)

ଧର୍ମଶାଳା(ଯାଜପୁର), ମୋ: ୯୮୫୩୨୮୨୯୬୨

ଉତ୍କଳ ଦିବସ: ଆମ ଅସ୍ମିତାର ପରିଚୟ
‘ଆମେ ଓଡ଼ିଆ’ – ଏହି କଥା କହିବାର ଗର୍ବ ଆଉ ଗୌରବର ଅବସର ‘ଉତ୍କଳ ଦିବସ’। ସତରେ ଆମ ଉପରେ ଯଦି ସେମିତି ସମୟ ବିତି ନ ଥା’ନ୍ତା, ଆମେ ଏମିତି ଏକ ଦିବସର ଅନୁଭବ ପାଇ ନ ଥା’ନ୍ତେ। ନିଜ ମାତୃଭାଷାକୁ ନିଜ ମୁହଁରୁ ଛଡ଼ାଇ ନେବାର ବାସ୍ତବଚିତ୍ର ହେଉଛି ଜଣେ ମା’ କୋଳରୁ ତା’ ପରିଚୟ ଯୋର କରି ଛଡ଼େଇ ନେବା। ଯେତେବେଳେ ମାତୃତ୍ୱ ଚିତ୍କାର କରି ଉଠେ, ସେତେବେଳେ ସନ୍ତାନର ନିଦ ଭାଙ୍ଗିଯାଏ। ସେ ଦୁର୍ବଳ ହେଉ କି ନବଜାତକ, ମା’ ର ସୁରକ୍ଷା ତା’ ଜୀବନର ପ୍ରତିଜ୍ଞା ହୋଇଯାଏ। ସେ ସଂକଳ୍ପ କରି ଆଗକୁ ପାଦ ଦିଏ – ପାରୁ କି ନ ପାରୁ। ସେ କେବଳ ସ୍ୱପ୍ନ ଦେଖେନି, ସ୍ୱପ୍ନକୁ ବାସ୍ତବରେ ରୂପ ଦେବା ପାଇଁ କର୍ତ୍ତବ୍ୟ କରେ।

ଆଜି ମନେ ପଡ଼େ ସେହି ସମୟ ଓ ସେହି ସବୁ ମଣିଷଙ୍କ କଥା। ଉତ୍କଳ ଜନନୀର ଦୁଃଖ ଦେଖି ଯେଉଁମାନେ ବ୍ୟଥିତ ମର୍ମାହତ ହୋଇଥିଲେ,ଜନ୍ମମାଟିର ଯନ୍ତ୍ରଣା ଅନୁଭବ କରି ଯେଉଁମାନଙ୍କ ଆଖୁରୁ ଲୁହ ଝରିଥିଲା, ଯେଉଁମାନେ ମା’ ମା’ ବୋଲି ଚିତ୍କାର କରି ଗଗନପବନ ପ୍ରକମ୍ପିତ କରିଦେଇଥିଲେ, ସେମାନଙ୍କୁ ମନେପକେଇବାର ସମୟ ଆସିଛି। ସେହି ଅମର ପୁରୁଷମାନଙ୍କ ପାଇଁ ପଦେ ମିଠା କଥା କହିବାର ସମୟ ଆସିଛି। ମାତୃଭାଷାରେ ମା’ କୁ ମନେ ପକେଇବାର ସମୟ ଆସିଛି। ଇତିହାସକୁ ଫେରିଯାଇ ନବକଳେବର ସାଜି ବର୍ତ୍ତମାନକୁ ଫେରିବାର ସମୟ ଆସିଛି। ଅସ୍ମିତାର ସ୍ୱପ୍ନ ନ ଦେଖି କର୍ତ୍ତବ୍ୟ ସମ୍ପାଦନର ସମୟ ଆସିଛି।

ଭାଷା ସୁରକ୍ଷା ପାଇଁ ଯେଉଁମାନେ ଲଢ଼େଇ କରିଥିଲେ ସେମାନେ ଆମ ପାଇଁ ଭଗବାନ। ଭାରତରେ ଅନେକ ଭାଷା ଥିଲା। କାଳର ପ୍ରଭାବରେ ଅସଂଖ୍ୟ ଭାଷା ବିଲୁପ୍ତ ହୋଇ ଯାଇଛି। ଆଉ କିଛି ଭାଷା ବିଲୁପ୍ତପ୍ରାୟ। ଏ କଥା ଚିନ୍ତା କଲେ ଦେହ ଶୀତେଇ ଯାଏ। ‘ଯଦି ସେମିତି ଏକ ସଂଗ୍ରାମ ହୋଇ ନ ଥା’ନ୍ତା, ତେବେ ଓଡ଼ିଆ ଭାଷାର ରୂପ ରେଖ ଆଜି କେମିତି ଥା’ନ୍ତା! ଅତୀତର ଯେଉଁ ମନୀଷୀମାନେ ଦେଶ ଓ ଜାତି ପାଇଁ ଆନ୍ଦୋଳନ କରିଛନ୍ତି, ମାତୃଭୂମି ପାଇଁ ଜୀବନ ଦେଇଛନ୍ତି କିମ୍ୱା ଭାଷା ସୁରକ୍ଷା ପାଇଁ ତ୍ୟାଗ ସ୍ୱୀକାର କରିଛନ୍ତି ସେମାନେ କାଳଜୟୀ ମହାପୁରୁଷ। ସେହି କୀର୍ତ୍ତିକାରଙ୍କ ପାଖରେ ଭବିଷ୍ୟତ ସଭ୍ୟତା କୃତଜ୍ଞ। ଆଜି ସେମାନଙ୍କୁ ପ୍ରଣାମ କରିବା, ପୂଜାଞ୍ଜଳିରେ ପ୍ରାଣପୂର୍ଣ୍ଣ କରି ପୁଷ୍ପାଞ୍ଜଳି ଦେବା ଆମର ନୈତିକ ଦାୟିତ୍ୱ।

ଓଡ଼ିଶାରେ ଅନେକ ନୂଆ ବିଦ୍ୟାଳୟ ଖୋଲିଛି। ସବୁ ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମ ନାହିଁ। ଯେଉଁ ବିଦ୍ୟାଳୟ ଓଡ଼ିଶାରେ ଅଛି, ସବୁ ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମ ରହିବା ଏକାନ୍ତ ଜରୁରୀ। ଓଡ଼ିଆ ପାଠ୍ୟକ୍ରମ ନ ଥାଇ ସରକାରୀ ଅନୁମତି ପାଇବା ଏକ ବଡ଼ ଭୁଲ। ଏକଥା ଆମର ଚିନ୍ତାର ବିଷୟ। ଅନେକଙ୍କର ଧାରଣା ଓଡ଼ିଆ ପଢ଼଼ିଲେ ସର୍ବଭାରତୀୟସ୍ତରରେ ଆମ ପିଲା ପଛେଇ ଯିବେ। ଏହା ଏକ ବଡ଼ ଭ୍ରାନ୍ତ ଧାରଣା। ୧୯୩୬ ମସିହାରୁ ଏପର୍ଯ୍ୟନ୍ତ ଓଡ଼ିଶା ଯେଉଁ ମହାମନୀଷୀମାନଙ୍କୁ ପାଇଛି, ସେମାନେ ସମସ୍ତେ ଓଡ଼ିଆ ବିଦ୍ୟାଳୟରେ ପାଠ ପଢ଼଼ି ଓଡ଼ିଶା ବାହାରେ ଅସାଧାରଣ ପ୍ରତିଭାର ପରିଚୟ ଦେଇଛନ୍ତି। ସେମାନେ ସର୍ବଭାରତୀୟ କୃତିତ୍ୱ ଅର୍ଜନ କରି ଉତ୍କଳର ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ସଫଳତା ବିଶ୍ୱପ୍ରସାରି। ସେମାନଙ୍କ ବ୍ୟକ୍ତିତ୍ୱ ଆମ ସ୍ୱାଭିମାନର ପରିଚାୟକ।

କୌଣସି ଦେଶ ଓ ଜାତିର ଭାଷା ତା’ ପାଇଁ ସବୁକିଛି। ଭାଷା ହିଁ ସଂସ୍କୃତିର ସୁରକ୍ଷା କବଚ। ଭାଷା ହିଁ ଏକ ଜାତିର ଇତିହାସ। ଭାଷା ହିଁ ସଭ୍ୟତାର ମାପକାଠି। ଭାଷା ହିଁ ସଭ୍ୟତାର ପ୍ରାଣ। ଏକ ଜାତିର ଭାଷା ହିଁ ତାହାର ଅତୀତର ପରିଚୟ। ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ, ଭୌଗୋଳିକ କିମ୍ୱା ରାଜନୈତିକ – ଏ ସମସ୍ତ ବିକାଶ କେବଳ ଭାଷାରୁ ହିଁ ହୋଇଥାଏ। ଭାଷାକୁ ଭୁଲି କୌଣସି ଜାତିର ଉନ୍ନତିର ପରିକଳ୍ପନା ପରିହାସର ବିଷୟ। ଲୁଇପାଙ୍କଠାରୁ ଆରମ୍ଭ କରି ଭୀମଭୋଇଙ୍କ ପର୍ଯ୍ୟନ୍ତ, ସାରଳା ଦାସଙ୍କଠୁ ଆରମ୍ଭ କରି ଜୟଦେବଙ୍କ ପର୍ଯ୍ୟନ୍ତ ଆମ ଭାଷାର ସ୍ୱର୍ଣ୍ଣିମ ଇତିହାସ ବିଶ୍ୱବିଦିତ। ପଠାଣି ସାମନ୍ତଙ୍କ ଅମରକୃତି ଆଜି ବି ଆଶ୍ଚର୍ଯ୍ୟ। ଫକିରମୋହନ, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣଙ୍କ ପରି ସ୍ରଷ୍ଟା କେଉଁ ଭାଷାର ସାଧକ, ଏହା କାହାକୁ ଅଜଣା। ଏମାନଙ୍କ ରଚନା କେଉଁ ଗୁଣରେ ବିଶ୍ୱ ସାହିତ୍ୟଠୁ କମ ନୁହେଁ। ତେବେ ଆମେ କାହିଁକି ଭାବିବା ଯେ ଓଡ଼ିଆ ଭାଷା ଅନ୍ତର୍ଜାତୀୟ ହୋଇପାରିବ ନାହିଁ। ଆମେ କାହିଁକି ଭାବିବା ବିଶ୍ୱ ବଜାରରେ ଆମେ ପ୍ରତିଯୋଗିତା କରିପାରିବା ନାହିଁ। ସତ୍ୟ ହେଉଛି ଆମର ପ୍ରୟାସ ପ୍ରାଣସ୍ପର୍ଶୀ ହେଉ ନାହିଁ।

ଆସନ୍ତୁ ସରକାରୀ ହେଉ କି ବ୍ୟକ୍ତି, ସବୁକ୍ଷେତ୍ରରେ ଆମେ ଆମ ଭାଷା ପାଇଁ କାମ କରିବା। ଓଡ଼ିଆ କହିବା, ଓଡ଼ିଆ ଲେଖିବା, ଓଡ଼ିଶା ପାଇଁ ଏକ ହେବା। ଏହା ଆମ ଜଗନ୍ନାଥ ସଂସ୍କୃତି ସୁରକ୍ଷାର ପ୍ରଥମ କାର୍ଯ୍ୟ। ଆସନ୍ତୁ ଉତ୍କଳ ଦିବସରେ କିଛି ନୂଆ କରି ଦେଖାଇବା। ମନ ଭରି ଗୀତ ଗାଇବା ‘ବନ୍ଦେ ଉତ୍କଳ ଜନନୀ…।’ ମନ କଥା ନିଜ ଶୈଳୀରେ ନିର୍ଭୟରେ ପ୍ରକାଶ କରିବା। ମନ ଖୋଲି ନାଚିବା। ‘ମୁଁ ଓଡ଼ିଆ ମୋର ସବୁ ବଢ଼଼ିଆ।

ଡ. ସଂଗ୍ରାମ କେଶରୀ ମଲ୍ଲିକ

ଶୁକୃଳି(ମୟୂରଭଞ୍ଜ), ମୋ: ୯୯୩୭୭୯୦୭୬୫

ଓଡ଼ିଶା ଦିବସର ଅନୁଚିନ୍ତା: ଅଖଣ୍ଡତା ଓ ସାଂସ୍କୃତିକ ଏକତାର ପରିଚାୟକ
ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବାର ୯୦ତମ ଉତ୍ସବ ଏକ ବିଚିତ୍ର ପରିସ୍ଥିତିରେ ପାଳନ ହେଉଛି। ୧୯୩୬, ଏପ୍ରିଲ ୧ ତାରିଖରେ ଯେତେବେଳେ ଓଡ଼ିଶା ଇଂରେଜ ଶାସନକାଳରେ ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଜନ୍ମ ଲାଭ କରିଥିଲା, ଏହାର ଏକତା, ଅଖଣ୍ଡତା ବିଷୟରେ କେହି କେବେ, ବିଶେଷ ଭାବେ ନିର୍ବାଚିତ ପ୍ରତିନିଧିଗଣ, ପ୍ରଶ୍ନବାଚୀ ସୃଷ୍ଟି କରିନାହାନ୍ତି। କିନ୍ତୁ ବର୍ତ୍ତମାନ ବୋଧହୁଏ ପ୍ରଥମ ଥର ପାଇଁ ଶାସକ ଦଳର ଜଣେ ନିର୍ବାଚିତ ପ୍ରତିନିଧି ଓଡ଼ିଶାର ଏକତା ଓ ଅଖଣ୍ଡତାକୁ ନେଇ ସଂଶୟ ସୃଷ୍ଟି କରୁଛନ୍ତି।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଆନ୍ଦୋଳନର ଭିତ୍ତିଭୂମି ସମ୍ୱଲପୁରରେ ରଖାଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏକଦା ଶକ୍ତିଶାଳୀ ଥିବା ଉତ୍କଳ ପ୍ରଦେଶ ମୁକୁନ୍ଦଦେବଙ୍କ ପରେ କ୍ରମାଗତ ଭାବେ ଅବକ୍ଷୟ ହେବାରେ ଲାଗିଥିଲା। ପରେ ପରେ ଏହାର ବିଭିନ୍ନ ଅଞ୍ଚଳ ଭାଗ ଭାଗ ହୋଇ ଅଲଗା ଅଲଗା ସାମ୍ରାଜ୍ୟରେ ବିଲୀନ ହୋଇଯାଇଥିଲା। ଏପରିକି ୧୮୦୩ ମସିହାରେ ଯେତେବେଳେ ବ୍ରିଟିଶ ଶାସକମାନେ ଓଡ଼ିଶାକୁ ନିଜ ଅକ୍ତିଆରକୁ ନେଲେ ଏହା ତିନିଭାଗରେ ବିଭକ୍ତ ହୋଇଥିଲା। ଗଞ୍ଜାମ ଓ ଘୁମୁସର ମାଡ୍ରାସ ପ୍ରେସିଡେନ୍ସିରେ, ସମ୍ୱଲପୁର ଅଞ୍ଚଳ କେନ୍ଦ୍ରୀୟ ପ୍ରୋଭିନ୍ସରେ ଏବଂ ତଟବର୍ତ୍ତୀ ଓଡ଼ିଶା ବେଙ୍ଗଲ ପ୍ରେସିଡେନ୍ସିରେ ସମ୍ମିଳିତ ହୋଇଥିଲା। ଏହାଫଳରେ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ଲୁପ୍ତପ୍ରାୟ ହେବାର ଆଶଙ୍କା ଦେଖାଯାଇଥିଲା। କାରଣ ଓଡ଼ିଆ ବଦଳରେ ସେଠାରେ ବଙ୍ଗାଳୀ, ତେଲୁଗୁ ଓ ହିନ୍ଦୀ ପ୍ରଚଳନ କରିବା ପାଇଁ ଏହି ସବୁ ପ୍ରୋଭିନ୍ସରୁ ଦାବି ଉଠୁଥିଲା।

ଓଡ଼ିଆ ଭାଷା ତଥା ସ୍ୱତନ୍ତ୍ର ପ୍ରଦେଶ ଗଠନ ଆନ୍ଦୋଳନରେ ୧୫ ଜାନୁୟାରୀ ୧୮୯୫ ଦିନଟି ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଭାବେ ଗଣାହୁଏ। କାରଣ ଏହିଦିନ ବ୍ରିଟିଶ ସରକାର ଘୋଷଣା କରିଥିଲେ ଯେ ସମ୍ୱଲପୁର ଅଞ୍ଚଳ, ଯାହାକି କେନ୍ଦ୍ରୀୟ ପ୍ରୋଭିନ୍ସ ଅଧୀନରେ ଥିଲା, ସେଠାରେ ସ୍କୁଲ, ଅଦାଲତ ଓ ସରକାରୀ ଅଫିସରେ ଓଡ଼ିଆ ବଦଳରେ ହିନ୍ଦୀ ବ୍ୟବହାର କରାଯିବ। ଏହି ନିଷ୍ପତ୍ତି ବିରୁଦ୍ଧରେ ସମ୍ୱଲପୁର ଅଞ୍ଚଳରେ ଆନ୍ଦୋଳନର ନିଅାଁ ବ୍ୟାପୀ ଯାଇଥିଲା। ମଧୁବାବୁଙ୍କ ନେତୃତ୍ୱରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇଥିଲା। ବ୍ରିଟିଶ ସାଂସଦ ପର୍ଯ୍ୟନ୍ତ ଏହି କଥା ଗଲା। ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ସହିତ ସମ୍ୱଲପୁର ଅଞ୍ଚଳକୁ ଓଡ଼ିଶା ସହିତ ମିଶ୍ରଣ କରିବାକୁ ଆନ୍ଦୋଳନକାରୀମାନେ ଦାବି ରଖିଥିଲେ। ଦଶବର୍ଷର ନିରବଚ୍ଛିନ୍ନ ଆନ୍ଦୋଳନ ଫଳରେ ବ୍ରିଟିଶ ସରକାର ଏହି ଦୁଇଦାବିକୁ ମାନି ନେଇଥିଲେ। ଯେଉଁ ସମ୍ୱଲପୁର ଅଞ୍ଚଳ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଏପରି ଭୂମିକା ତୁଲାଇଥିଲା, ସେଇ ମିଶ୍ରଣକୁ ‘ଐତିହାସିକ ଭୁଲ’ କହିବା ଆନ୍ଦୋଳନକାରୀଙ୍କୁ ଅପମାନ ସଦୃଶ।

୨୨ ମାର୍ଚ୍ଚ ୧୯୧୨ ମସିହାରେ ଯେତେବେଳେ ବିହାର-ଓଡ଼ିଶା ପ୍ରୋଭିନ୍ସ ଗଠନ ହେଲା, ତାହା ଆଉ ଏକ ସମସ୍ୟା ସୃଷ୍ଟି କଲା। ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର ନ କରି ଓଡ଼ିଶା ଦୁଇଭାଗରେ ବିଭକ୍ତ ହୋଇଗଲା। ସମ୍ୱଲପୁର ଓ ତଟବର୍ତ୍ତୀ ଓଡ଼ିଶା ବିହାର-ଓଡ଼ିଶା ପ୍ରୋଭିନ୍ସରେ ଥିବା ବେଳେ ଗଞ୍ଜାମ ଓ ଦକ୍ଷିଣ ଓଡ଼ିଶା ମାଡ୍ରାସ ପ୍ରୋଭିନ୍ସରେ ସମ୍ମିଳିତ ହୋଇଥିଲା। ଫଳରେ ସେହିସବୁ ଅଞ୍ଚଳରେ ହିନ୍ଦୀ ଓ ତେଲୁଗୁ ଭାଷା ଏବଂ ସଂସ୍କୃତିର ଆଧିପତ୍ୟ ବଢ଼଼ିବା ଆଶଙ୍କା ସୃଷ୍ଟି ହୋଇଥିଲା।

ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ଏକ ସ୍ୱତନ୍ତ୍ର ଓଡ଼ିଶା ଗଠନ କରିବା ଲକ୍ଷ୍ୟରେ ୧୯୦୩ ମସିହାରେ ସୃଷ୍ଟି ହୋଇଥିବା ‘ଉତ୍କଳ ସମ୍ମିଳନୀ’ ଏହି ନିଷ୍ପତ୍ତି ବିରୁଦ୍ଧରେ ସମଗ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଜନମତ ସୃଷ୍ଟି କରିଥିଲା। ଉତ୍କଳଗୌରବ ମଧୁସୂଦନ ଦାସଙ୍କ ନେତୃତ୍ୱରେ ଏହି ଆନ୍ଦୋଳନକୁ ପାରଳା ରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ, କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରମୁଖ ଘରେ ଘରେ ପହଞ୍ଚାଇଥିଲେ।

ଓଡ଼ିଶା ପ୍ରଦେଶ ଗଠନ ସହିତ ଓଡ଼ିଆ ଭାଷା ଆନ୍ଦୋଳନ ମଧ୍ୟ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଓଡ଼ିଆ ଭାଷା, ସାହିତ୍ୟ ଓ ଓଡ଼ିଆ ସଂସ୍କୃତିକୁ ପୁନଃଜାଗ୍ରତ କରିବା ପାଇଁ ଉଦ୍ୟମ ହୋଇଥିଲା। ଏହି ଦିଗରେ କବିବର ରାଧାନାଥ ରାୟ, ସ୍ୱଭାବକବି ଗଙ୍ଗାଧର ମେହେର, ବ୍ୟାସକବି ଫକିର ମୋହନ ସେନାପତି, ଏପରିକି ମଧୁବାବୁ ଓ ଗୋପବନ୍ଧୁ ଦାସ ନିଜ ରଚନା ମାଧ୍ୟମରେ ଓଡ଼ିଆ ଭାଷା ସାହିତ୍ୟକୁ ଲୋକଙ୍କ ପାଖରେ ଆଦୃତ କରାଉଥିଲେ। ସେମାନଙ୍କ ରଚିତ କାଳଜୟୀ କୃତି ଉତ୍କଳ ସମ୍ମିଳନୀର ଏକ ଅଂଶବିଶେଷ ହୋଇଯାଇଥିଲା।

ତିନି ଦଶନ୍ଧିରୁ ଅଧିକ ସମୟ ସଂଗ୍ରାମ ପରେ ଶେଷରେ ୧୯୩୫ ମସିହାରେ ଭାରତ ସରକାରଙ୍କ ବିଧେୟକ ଦ୍ୱାରା ଦୁଇଗୋଟି ଭାଷାଭିତ୍ତିକ ରାଜ୍ୟ ଗଠନ ହେଲା। ୧ ଏପ୍ରିଲ ୧୯୩୬ ମସିହାରେ ବହୁଦିନର ସ୍ୱପ୍ନ ସାର୍ଥକ ହୋଇଥିଲା ଏବଂ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ସରକାରୀ ମାନ୍ୟତା ପାଇଥିଲା। ଅନ୍ୟ ରାଜ୍ୟଟି ହେଲା ସିନ୍ଧ ପ୍ରଦେଶ, ଯାହା ସ୍ୱାଧୀନତା ପରେ ପାକିସ୍ତାନରେ ଅଛି।

ଓଡ଼ିଶା ପ୍ରଦେଶ ଗଠନ ପରେ ପରବର୍ତ୍ତୀ ଆହ୍ୱାନ ଥିଲା ରାଜ୍ୟର ବିକାଶ କରିବା। ଯେହେତୁ, ଓଡ଼ିଶା ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ଶାସକଙ୍କ ଅଧୀନରେ ଥିଲା, ସେ ସମୟରେ ଓଡ଼ିଶାର ନେତୃମଣ୍ଡଳୀଙ୍କ ବିଶେଷକିଛି କରିବାର ସୁଯୋଗ ନ ଥିଲା। କିନ୍ତୁ ପରିତାପର ବିଷୟ ଯେ ସ୍ୱାଧୀନତା ପରେ ମଧ୍ୟ ଓଡ଼ିଶା ଗରିବ ଓ ଅବହେଳିତ ହୋଇ ରହିଗଲା। ଏପରିକି ଓଡ଼ିଶା ୨୦୦୦ ମସିହା ପର୍ଯ୍ୟନ୍ତ ଦେଶର ସବୁଠାରୁ ଗରିବ ରାଜ୍ୟ ଭାବେ ପରିଗଣିତ ହେଉଥିଲା। ଏଥିପାଇଁ ସେ ସମୟର ସରକାର ନିଶ୍ଚିତ ଭାବେ ଦାୟୀ। ସମାନ କାଳଖଣ୍ଡରେ ଅନ୍ୟ ରାଜ୍ୟମାନେ ଓଡ଼ିଶା ଅପେକ୍ଷା ନିଶ୍ଚିତ ଭାବେ ଅଧିକ ବିକାଶ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା, ପାରିବାରିକ ଆୟ, ଭିତ୍ତିଭୂମି, ଶିଳ୍ପାୟନ, ନାଗରିକଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ସେହି ସମୟରେ ଓଡ଼ିଶା ଦେଶର ସବୁଠାରୁ ପଛରେ ଥିଲା। ଏପରିକି, ରାଜ୍ୟର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା। କିନ୍ତୁ ୨୦୦୦ ମସିହା ପରଠାରୁ ‘ନୂତନ ଓଡ଼ିଶାର ନିର୍ମାଣ’ ଆକ୍ଷରିକ ଭାବେ ଆରମ୍ଭ ହୋଇଥିଲା। ପ୍ରାୟ ୨୪ ବର୍ଷର ଉତ୍ତମ ଶାସନ ଫଳରେ ଆଜି ଓଡ଼ିଶା ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି। ବିଭିନ୍ନ ମାନଦଣ୍ଡରେ ଓଡ଼ିଶା ଆଜି ଅନ୍ୟ ବିକଶିତ ରାଜ୍ୟ ସହିତ ତୁଳନୀୟ।

ଏ କଥା ମଧ୍ୟ ସତ୍ୟ ଯେ ପ୍ରଥମ ପଚାଶ ବର୍ଷରେ ଓଡ଼ିଶାର ସାମଗ୍ରିକ ବିକାଶ ହୋଇପାରିନାହିଁ। ରାଜ୍ୟର ଅନେକ ଅଞ୍ଚଳ ବିଶେଷଭାବେ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ଅନ୍ୟ ଅଞ୍ଚଳ, ବିଶେଷଭାବେ ଉପକୂଳ ଓଡ଼ିଶାଠାରୁ ଅଧିକ ଅବହେଳିତ। ଏହି ଆଞ୍ଚଳିକ ବୈଷମ୍ୟ ବିଭିନ୍ନ ସମୟରେ ସେହିସବୁ ଅଞ୍ଚଳରେ ଜନଅସନ୍ତୋଷର କାରଣ ହୋଇଛି, ଯାହା ସ୍ୱାଭାବିକ। ପୂର୍ବବର୍ତ୍ତୀ ସରକାର ତରବରିଆ ଭାବେ ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଦେଲେ। କିନ୍ତୁ ଏହା ଥିଲା ଏକ ଦାନ୍ତବିହୀନ ବାଘ। କାରଣ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ନା ଥିଲା ଅର୍ଥ, ନା ଥିଲା ସ୍ୱାଧୀନତା। ୨୦୦୦ ମସିହା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଅଧିକ କ୍ଷମତା ଏବଂ ଅଧିକ ଅର୍ଥ ପ୍ରାବଧାନ କରାଗଲା। ଯାହାଫଳରେ ସମଗ୍ର ପଶ୍ଚିମ ଓଡ଼ିଶାରେ ବିକାଶ ତ୍ୱରାନ୍ୱିତ ହୋଇଛି।

ଆଞ୍ଚଳିକ ବୈଷମ୍ୟକୁ ପ୍ରସଙ୍ଗ କରି ନିଛକ ରାଜନୀତି ପାଇଁ ବିଚ୍ଛିନ୍ନତାବାଦୀ ମାନସିକତା କେତେଦୂର ଗ୍ରହଣୀୟ? ଏଇଟା କି ପ୍ରକାର ଓଡ଼ିଆ ଅସ୍ମିତା? ଓଡ଼ିଶା ଏପରି ଏକ ରାଜ୍ୟ, ଯେଉଁଠି ପ୍ରତି ୫୦ କିଲୋମିଟର ଦୂରତାରେ ଭାଷା, ଖାଦ୍ୟପେୟ, ରୀତିନୀତି ତଥା ସାମାଜିକ ଚଳଣି ବଦଳି ଯାଇଥାଏ। ତଥାପି ଏହି ବିବିଧତା ସାରା ଓଡ଼ିଶାକୁ ଏକତା ସୂତ୍ରରେ ବାନ୍ଧି ରଖିଛି। କାରଣ ବିବିଧତା ଭିତରେ ଏକତା ହେଉଛି ଓଡ଼ିଆ ଅସ୍ମିତାର ପରିଚାୟକ। ବିଚ୍ଛିନ୍ନତାବାଦୀ ଶକ୍ତିମାନେ ଓଡ଼ିଶାର ଇତିହାସକୁ ପଢ଼଼ିବା ଆବଶ୍ୟକ – କିପରି ଓ କେଉଁଭଳି ଭାବେ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତି ସମଗ୍ର ଓଡ଼ିଆଜାତିକୁ ଏକତାର ସୂତ୍ରରେ ଆବାହମାନ କାଳରୁ ବାନ୍ଧି ରଖିଛି।

‘ଓଡ଼ିଶା ଦିବସ’ ଉତ୍ସବ ଏକତାର ଉତ୍ସବ ହେଉ, ସୌହାର୍ଦ୍ଦର ପର୍ବ ହେଉ ଏବଂ ଓଡ଼ିଶାକୁ ଏକ ସଶକ୍ତ ରାଜ୍ୟ ଗଠନ କରିବାରେ ସମସ୍ତେ ବ୍ରତୀ ହେବା ଆବଶ୍ୟକ। ଏହାହିଁ ହେଉଛି ଆଜିର ଏହି ପବିତ୍ର ଦିନର ଅନୁଚିନ୍ତା।

ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ବିଧାୟକ, ଆଠଗଡ଼଼

ବନ ସଂରକ୍ଷଣର ସ୍ୱଦେଶୀ ଉପାୟ
ଜଙ୍ଗଲ ସୁରକ୍ଷା ପାଇଁ ପ୍ରାଚୀନ କାଳରେ ଲୋକମାନେ ‘ବନ ପଞ୍ଚାୟତ’ ଗଠନ କରିଥିଲେ। ଆଜି ଏହା ‘ଜଙ୍ଗଲ ସୁରକ୍ଷା ସମିତି’ ନାମରେ ପରିଚିତ। ଗାଁରେ କୃଷି ଓ ଜଙ୍ଗଲ ସୁରକ୍ଷା ପାଇଁ ‘ବନ ଚୌକିଦାର’ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଥିଲା। ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କ ପାଇଁ ଜଙ୍ଗଲରୁ ଘାସ, କାଠ ଆଦି ବନଜାତ ନେବା ସକାଶେ ସ୍ୱତନ୍ତ୍ର ନିୟମ ଥିଲା। ବଣ, ପାହାଡ଼ ଘେରା ଆଦିବାସୀ ଗ୍ରାମଗୁଡ଼ିକରେ ଏହା ଆଜି ମଧ୍ୟ ଦେଖାଯାଉଛି। ଏବେ ବି ଆମଦେଶର ଅନେକ ସ୍ଥାନରେ, ବିଶେଷକରି ଜଙ୍ଗଲ ରାସ୍ତାକଡ଼ରେ, କାଠ ନିର୍ମିତ ତରାଜୁ ଦେଖିବାକୁ ପାଇବା। ନିକଟସ୍ଥ ଜଙ୍ଗଲରୁ ଲୋକମାନେ ଘାସ, କାଠ ଆଦି ବନଜାତ ସଂଗ୍ରହ କରି ଆଣିବା ସମୟରେ ବନ ପଞ୍ଚାୟତ ଦ୍ୱାରା ନିଯୁକ୍ତ ବନ ଚୌକିଦାର ତାହାକୁ ଓଜନ କରନ୍ତି। ସମସ୍ତେ ବନ ଚୌକିଦାରକୁ ଶସ୍ୟ ରୂପରେ ପାଉଣା ଦେଉଥିଲେ। ଜୁନ୍‌‌ରୁ ସେପ୍ଟେମ୍ୱର ପର୍ଯ୍ୟନ୍ତ ଜଙ୍ଗଲରେ ନୂତନ ଘାସ ଏବଂ ଉଦ୍ଭିଦ ଜନ୍ମୁଥିବାରୁ ଏହାର ସୁରକ୍ଷା ପାଇଁ ଲୋକମାନେ ଗୃହପାଳିତ ପଶୁଙ୍କୁ ଘରେ ରଖି ଖାଇବା ବ୍ୟବସ୍ଥା କରୁଥିଲେ।

ଏସବୁ କଥା ଆଜିକାଲି ବିଦ୍ୟାଳୟରେ ଆଉ ପଢ଼଼ାଯାଉ ନାହିଁ। ଫଳସ୍ୱରୂପ ପରବର୍ତ୍ତୀ ପିଢ଼ିଙ୍କ ଦ୍ୱାରା ଆମ ପରିବେଶ ସୁରକ୍ଷା ଦିଗଟି ଉପେକ୍ଷିତ ହୋଇ ଚାଲୁଛି। ସେହି ସମୟରେ ବିଜ୍ଞାନର କୌଣସି ସିଦ୍ଧାନ୍ତ ଉପଲବ୍ଧ ନଥିଲା। ନା ଥିଲା ବହି କିମ୍ୱା କୌଣସି ଉନ୍ନତ ଯାନ୍ତ୍ରିକ କୌଶଳର ସୁବିଧା। ତଥାପି ପ୍ରାଚୀନ କାଳରୁ ମନୁଷ୍ୟ ଚାଷର ମହତ୍ତ୍ୱ ବୁଝି ଜଙ୍ଗଲ ସଂରକ୍ଷଣ ଆରମ୍ଭ କରିଥିଲା।

ବ୍ରିଟିଶମାନଙ୍କ ଭାରତ ଆଗମନ ପୂର୍ବରୁ ଜୀବିକା ନିର୍ବାହ ପାଇଁ ଭାରତୀୟମାନେ ଜଙ୍ଗଲ ସଂରକ୍ଷଣ ପ୍ରତି ଗୁରୁତ୍ୱ ଦେଉଥିଲେ। ୧୮୫୦ ପର୍ଯ୍ୟନ୍ତ ଫ୍ରେଡେରିକ୍‌‌ ୱିଲସନ୍‌‌ ନାମକ ଜଣେ ବ୍ରିଟିଶ ଯୁବକ ଗାଙ୍ଗେୟ ଉପତ୍ୟକାର ଉଦଗମ ସ୍ଥଳରେ ଅବସ୍ଥିତ ହର୍ଷିଲରେ ତତ୍କାଳୀନ ଟିହେରୀ ରାଜା ସୁଦର୍ଶନ ଶାହାଙ୍କ ଠାରୁ ମାତ୍ର ୪୦୦ଟଙ୍କାରେ ଏକ କ୍ଷୁଦ୍ର ଜଙ୍ଗଲର ପଟ୍ଟା କରାଇ ନେଇଥିଲେ। ସେହି ଜଙ୍ଗଲକୁ ସେ ଆଖିବୁଜି ନଷ୍ଟ କରି ଚାଲିଲେ। ଗାଙ୍ଗେୟ ଉପତ୍ୟକାର ବିଭିନ୍ନ ପ୍ରଜାତିର ମୂଲ୍ୟବାନ ବୃକ୍ଷ କାଟି ନଦୀ ପ୍ରବାହରେ ତାହାକୁ ହରିଦ୍ୱାରକୁ ଏବଂ ସେଠାରୁ ରେଳ ଲାଇନ ସ୍ଥାପନ ପାଇଁ କୋଲକାତାକୁ ପରିବହନ କରାଯାଇଥିଲା। ଏହାର ପ୍ରଚ୍ଛଦପଟରେ ୱିଲସନ ଅନେକ ବନ୍ୟଜନ୍ତୁଙ୍କୁ ମଧ୍ୟ ଶିକାର କରିଥିଲେ।

୧୮୨୩ରେ ଗାଁ’ର ସୀମା ନିର୍ଦ୍ଧାରଣ ହୋଇଥିଲା। ଏଥିସହ ଜଙ୍ଗଲ ଜମି ଉପରେ ଲୋକଙ୍କ ଅଧିକାରକୁ ସୀମିତ ରଖିବା ପାଇଁ ଉଦ୍ୟମ ଆରମ୍ଭ ହେଲା। ୧୮୬୫ରେ ବ୍ରିଟିଶମାନେ ପ୍ରଥମ ଜଙ୍ଗଲ ଅଧିନିୟମ ପ୍ରଣୟନ କରିଥିଲେ। ୧୮୭୭ରେ ଜଙ୍ଗଲର ସୀମା ନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ପ୍ରକ୍ରିୟାରେ ଚାଷ ଜମିକୁ ଛାଡ଼ି ବଳକା ସମସ୍ତ ଜମି ସଂରକ୍ଷିତ ଜଙ୍ଗଲ ଜମିରେ ପରିବର୍ତ୍ତିତ ହେଲା। ବ୍ରିଟିଶରମାନଙ୍କର ଏହି ନିୟମ ହେତୁ ଜଙ୍ଗଲ ଜମିରେ ଲୋକଙ୍କ ଅନଧିକାର ପ୍ରବେଶ ତଥା ଆତଯାତକୁ ଦଣ୍ଡନୀୟ ଅପରାଧ ରୂପେ ବିଚାର କରାଗଲା। ଏଥିପାଇଁ ନୀତି ପ୍ରଣୟନ ହୋଇଥିଲା। ଏହାକୁ ଜନବିରୋଧୀ ଦର୍ଶାଇ ଲୋକମାନେ ଇଂରେଜ୍‌‌ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଇନକୁ ବିରୋଧ କରି ଲୋକମାନେ ଜଙ୍ଗଲରେ ନିଅାଁ ଲଗାଇଦେଲେ। ଏହି ଘଟଣା ୧୯୧୫ରୁ ୧୯୨୧ ମଧ୍ୟରେ ଘଟିଥିଲା। ଦିନକୁ ଦିନ ଲୋକଙ୍କ ଆକ୍ରୋଶ ବୃଦ୍ଧି ପାଇବା ସହିତ ସରକାର ବିରୋଧୀ ଆନ୍ଦୋଳନ ତୀବ୍ରତର ହେଲା। ଫଳରେ ବ୍ରିଟିଶ ସରକାର ଏକ ’ଅଭିଯୋଗ କମିଟି’ ଗଠନ କରି ସଂରକ୍ଷିତ ଜଙ୍ଗଲକୁ ‘ପ୍ରଥମ’ ଏବଂ ‘ଦ୍ୱିତୀୟ’ ଶ୍ରେଣୀ ଭାବରେ ବର୍ଗୀକରଣ କରିଥିଲେ। ଏଥିରେ ଲୋକମାନେ ନିଜ ଅଧିକାର ଫେରି ପାଇବାର ବ୍ୟବସ୍ଥା ରହିଲା।

୧୯୨୫ରେ ‘ଅଭିଯୋଗ କମିଟି’ର ସୁପାରିସ ଆଧାରରେ ମାଡ୍ରାସ ପ୍ରେସିଡେନ୍ସିର ‘ଗୋଷ୍ଠୀ ଜଙ୍ଗଲ’ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ତରାଖଣ୍ଡରେ ‘ବନ ପଞ୍ଚାୟତ’ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୧୯୩୧ରେ ବନ ପଞ୍ଚାୟତର ନିୟମାବଳୀ ପ୍ରସ୍ତୁତି ସହିତ ୧୯୩୨ରେ ଏହାର ଗଠନ ପ୍ରକ୍ରିୟା ଆରମ୍ଭ ହେଲା। ସେହି ସମୟରେ ଉତ୍ତରାଖଣ୍ଡର ରାଜସ୍ୱ ଗ୍ରାମ ସଂଖ୍ୟା ଥିଲା ୧୩, ୭୩୯। ଏହା ଅଧୀନରେ ପ୍ରଥମ ଓ ଦ୍ୱିତୀୟ ବର୍ଗର ସଂରକ୍ଷିତ ଜଙ୍ଗଲ ସହିତ ବନ ପଞ୍ଚାୟତ ଏବଂ ସାଧାରଣ ନାଗରିକଙ୍କ ସହଯୋଗରେ ନୂତନ ଜଙ୍ଗଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୭୬ରେ ଭାରତୀୟ ଜଙ୍ଗଲ ଅଧିନିୟମ ୧୯୨୭ର ଧାରା ୨୮ ଅନ୍ତର୍ଗତ ବନ ପଞ୍ଚାୟତ ନିୟମରେ ସଂଶୋଧନ କରାଯାଇ ରାଜସ୍ୱ ବିଭାଗକୁ କ୍ଷମତା ପ୍ରଦାନ କରାଗଲା। ଅରଣ୍ୟ ଉପରେ ନିର୍ଭରଶୀଳ ଲୋକେ ଏହି ସଂଶୋଧନକୁ ତୀବ୍ର ବିରୋଧ କରିଥିଲେ। ଏଥିଯୋଗୁଁଁ ତତ୍କାଳୀନ ଉତ୍ତରପ୍ରଦେଶ ସରକାର ୧୯୮୨ରେ ୧୯ ସଦସ୍ୟ ବିଶିଷ୍ଟ ‘ସୁଲତାନ ସିଂ ଭଣ୍ଡାରୀ କମିଟି’ ଗଠନ କରିଥିଲେ। କିନ୍ତୁ ଏହି କମିଟି ଦ୍ୱାରା ପ୍ରସ୍ତାବିତ ସଂଶୋଧନଗୁଡ଼ିକ ସ୍ୱୀକୃତି ପାଇ ନଥିଲା।

୧୯୯୭ ବେଳକୁ ସାରାଦୁନିଆରେ ଘରୋଇକରଣ, ଉଦାରୀକରଣ ଏବଂ ଜଗତୀକରଣର ଯୁଗ ଆରମ୍ଭ ହୋଇସାରିଥିଲା। ଏହି ସମୟରେ ବିଶ୍ୱବ୍ୟାଙ୍କ୍‌‌ ସହାୟତାରେ ‘ମିଳିତ ଜଙ୍ଗଲ ପରିଚାଳନା’ ଯୋଜନା କାର୍ଯ୍ୟକାରୀ ହେଲା। ଏଥିପାଇଁ ବନ ପଞ୍ଚାୟତ ନିୟମାବଳୀକୁ ସଂଶୋଧନ କରାଗଲା। ଏହା ଆଧାରରେ ବନ ପଞ୍ଚାୟତଗୁଡ଼ିକର ସ୍ୱାୟତ୍ତତା ରଦ୍ଦ ହୋଇଥିଲା। ସରକାରଙ୍କ ବନ ବିଭାଗର ତତ୍ତ୍ୱାବଧାନରେ ଏହା କାର୍ଯ୍ୟ କଲା, ଯାହା ଅନେକଙ୍କ ଅଧିକାରକୁ ପ୍ରଭାବିତ କରିଥିଲା। ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଅନୁସୂଚିତ ଜାତି ସହିତ ବଣ ମୂଲକରେ ବସବାସ କରୁଥିବା ସାଧାରଣ ଲୋକ ଏବଂ କାରିଗର ଶ୍ରେଣୀର ଲୋକ ନିଜ କାମଧନ୍ଦା ହରାଇଲେ। ଜୀବିକା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଲା। ବର୍ତ୍ତମାନ କେବଳ ଉତ୍ତରାଖଣ୍ଡରେ ୧୨ ହଜାରରୁ ଊର୍ଦ୍ଧ୍ବ ବନ ପଞ୍ଚାୟତ ରହିଛି। ସରକାରୀ ନିୟମାବଳୀ ଅନୁଯାୟୀ ଏଗୁଡ଼ିକ ପରିଚାଳିତ। କିନ୍ତୁ ସେମାନେ ନିଜ ଅଞ୍ଚଳର ବନାଗ୍ନି ନିୟନ୍ତ୍ରଣରେ ସକ୍ଷମ ନୁହନ୍ତି। ପୂର୍ବପୁରୁଷ ଅମଳରୁ ରହିଆସିଥିବା ଜଙ୍ଗଲ ଓ କୃଷି ସଂରକ୍ଷଣର ପାରମ୍ପରିକ ନିୟମ ଉଚ୍ଛେଦ ଏହାର ପ୍ରମୁଖ କାରଣ। ଜଙ୍ଗଲ ସୁରକ୍ଷା ପାଇଁ ରହିଥିବା ପାରମ୍ପରିକ ବ୍ୟବସ୍ଥା ଉପେକ୍ଷିତ ହେତୁ ଫସଲକୁ ହାତୀ, ମାଙ୍କଡ଼ ଓ ବାରହା ପରି ବନ୍ୟଜନ୍ତୁଙ୍କ କବଳରୁ ସୁରକ୍ଷା ଦେବାରେ ମଧ୍ୟ ଲୋକେ ଆଜି ଅସମର୍ଥ।

ବୀରେନ୍‌‌ କୁମାର ଧଳ

ବୈପାରୀଗୁଡ଼ା(କୋରାପୁଟ),

ମୋ: ୯୪୩୮୧୦୪୮୫୭

ଭାରତରେ ଷ୍ଟାରଲିଙ୍କର ବିପଦ !
ନିକଟରେ ଭାରତର ଦୁଇଟି ପ୍ରମୁଖ ଘରୋଇ ସଞ୍ଚାର ସେବାପ୍ରଦାନକାରୀ ସଂସ୍ଥା ସ୍ପେସଏକ୍ସ ନାମକ ଏକ ଆମେରିକୀୟ ଘରୋଇ ମହାକାଶ ଗବେଷଣା ସଂସ୍ଥା ସହିତ ଚୁକ୍ତିପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହା ମାଧ୍ୟମରେ ଏହାର ସହଯୋଗୀ ସଂସ୍ଥା ଷ୍ଟାରଲିଙ୍କ ସଞ୍ଚାର କମ୍ପାନୀର ସହାୟତାରେ କୃତ୍ରିମ ଉପଗ୍ରହ ମାଧ୍ୟମରେ ଭାରତରେ ଦ୍ରୁତ ଇଣ୍ଟରନେଟ୍‌‌ ସେବା ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ଭାରତ ଆଜି ଯେତେବେଳେ ମହାକାଶ ବିଜ୍ଞାନ ଗବେଷଣା ଓ କୃତ୍ରିମ ଉପଗ୍ରହ ପ୍ରେରଣ କ୍ଷେତ୍ରରେ ଏକ ଅଗ୍ରଣୀ ଓ ସ୍ୱାବଲମ୍ୱୀ ରାଷ୍ଟ୍ର ରୂପେ ନିଜକୁ ପ୍ରମାଣିତ କରିସାରିଛି ଘରୋଇ ସଞ୍ଚାର କମ୍ପାନୀମାନେ ସ୍ପେସଏକ୍ସ ସହିତ ଅନୁବନ୍ଧିତ ହେବାର ଯଥାର୍ଥତା ପ୍ରତିପାଦନ ହୋଇପାରୁ ନାହିଁ।

ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ ସେବା ଯୋଗାଇ ଦେବା ଆଜିକାଲି ଏକ ବିଶେଷ ବଡ଼ କାର୍ଯ୍ୟ ନୁହେଁ। ଏହା ବର୍ତ୍ତମାନ ଡାଇରେକ୍ଟ-ଟୁ-ହୋମ୍‌‌ ପରି ସାଟେଲାଇଟ ଟେଲିଭିଜନ ସେବା ସହିତ ପ୍ରାୟ ସମାନ। ଭାରତରେ ଅନେକ ଛୋଟ ବଡ଼ କମ୍ପାନୀ ବର୍ତ୍ତମାନ ସାଟେଲାଇଟ୍‌‌ ଟେଲିଭିଜନ ସେବା ଯୋଗାଇ ଦେଉଛନ୍ତି ଏବଂ ଏହାର କୋଟି କୋଟି ଗ୍ରାହକ ମଧ୍ୟ ଅଛନ୍ତି। ଭାରତ ସରକାରଙ୍କ ମହାକାଶ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ବର୍ତ୍ତମାନ ସୁଦ୍ଧା ଦେଢ଼ଶହରୁ ଅଧିକ କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍‌‌ ସଫଳତାର ସହିତ ଉତ୍‌‌କ୍ଷେପଣ କରି ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରି କାର୍ଯ୍ୟକ୍ଷମ କରିପାରିଛି। ୪୩୩ ଟି ବିଦେଶୀ ଉପଗ୍ରହକୁ ମଧ୍ୟ ମହାକାଶକୁ ପଠାଇଛି। ବର୍ତ୍ତମାନ ସମୟରେ ଷ୍ଟାରଲିଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଇସ୍ରୋ। ଯେହେତୁ ଇସ୍ରୋ ଭାରତର ସଞ୍ଚାର ବଜାରରେ ସିଧାସଳଖ ଭାବରେ କୌଣସି ସେବା ପ୍ରଦାନ କରୁ ନାହିଁ ତେଣୁ ଷ୍ଟାରଲିଙ୍କ ଓ ଘରୋଇ ସଞ୍ଚାର କମ୍ପାନୀମାନେ ଏହାର ଶକ୍ତିକୁ ଠିକ୍‌‌ ଭାବରେ ଆକଳନ କରି ପାରୁନାହାନ୍ତି। ବାସ୍ତବତା ହେଉଛି ବିଶ୍ୱର ସର୍ବୋଚ୍ଚ ଧନୀ ସଂସ୍ଥା ଭାରତରେ ଶସ୍ତାରେ ଅତି ଦ୍ରୁତଗତି ଇଣ୍ଟରନେଟ ସେବା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ବିଶ୍ୱର ଦ୍ୱିତୀୟ ସର୍ବବୃହତ ସଞ୍ଚାର ବଜାରରେ ପ୍ରବେଶ କରିବାକୁ ଅନବରତ ଉଦ୍ୟମ ଜାରି ରଖିଛନ୍ତି। କିନ୍ତୁ ଏହି ସମୟରେ ଇସ୍ରୋର ଅନୁରୂପ ଯୋଜନା ସଫଳତାର ସହିତ ଆଗେଇ ଚାଲିଛି। ୨୦୧୮ ରେ ଇସ୍ରୋ ଜିସ୍ୟାଟ୍‌‌-୧୧ ଓ ଜିସ୍ୟାଟ୍‌‌- ୨୯ ନାମକ ଦୁଇଟି ଉପଗ୍ରହକୁ ଉତକ୍ଷେପଣ କରିଥିଲା। ବର୍ତ୍ତମାନ ଏହାକୁ କାର୍ଯ୍ୟକ୍ଷମ କରାଯାଇ ସାରିଛି। ଏହି ଉପଗ୍ରହ ବ୍ୟବସାୟ ପାଇଁ ଉଦ୍ଦିଷ୍ଟ ଥିବାରୁ ଏହାର ଟ୍ରାନ୍ସପୋଣ୍ଡରକୁ ସଞ୍ଚାର କମ୍ପାନୀମାନେ ଭଡ଼ାରେ ନେଇ ଉପଗ୍ରହ ମାଧ୍ୟମରେ ଦ୍ରୁତଗତିରେ ଇଣ୍ଟରନେଟ ସେବା ଯୋଗାଇ ଦେଇପାରିବେ। ହିଉଜ୍‌‌ ନାମକ ଏକ ଆମେରିକୀୟ ସଞ୍ଚାର କମ୍ପାନୀ ଇସ୍ରୋ ଓ ଭାରତୀ ଏୟାରଟେଲ ସହିତ ଅନୁବନ୍ଧିତ ହୋଇ ଉପଗ୍ରହ ମାଧ୍ୟମରେ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇ ଦେବାର ଯୋଜନା ରହିଛି। ଉତ୍ତର ପୂର୍ବାଞ୍ଚଳର କିଛି ଜିଲ୍ଲାରେ ମଧ୍ୟ ଏହାକୁ ସଫଳତାର ସହିତ ପରୀକ୍ଷା କରାଯାଇଛି। ଏହାସହ ଇସ୍ରୋ ଏହି ଉପଗ୍ରହ ମାଧ୍ୟମରେ ଭାରତୀୟ ସେନାବାହିନୀକୁ ମଧ୍ୟ ଇଣ୍ଟରନେଟ୍‌‌ ସେବା ଯୋଗାଇ ଦେବାକୁ ସକ୍ଷମ ହେଉଛି।

ଇଣ୍ଟରନେଟ୍‌‌ ଦୁନିଆରେ ସବୁଠୁ ବଡ଼ ବିପଦ ହେଉଛି ତଥ୍ୟ ଚୋରି ଏବଂ ତାହାର ଅପବ୍ୟବହାର। ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଷ୍ଟାରଲିଙ୍କ କମ୍ପାନୀ ସହିତ ଇଣ୍ଟରନେଟ୍‌‌ ମାଧ୍ୟମରେ ତଥ୍ୟ ଚୋରିର ଅନେକଗୁଡ଼ିଏ ଦୁର୍ନାମ ରହିଛି। ୟୁରୋପ ଓ ଆମେରିକାର ଅନେକ ଇଣ୍ଟରନେଟ ବିଶେଷଜ୍ଞ ଅଭିଯୋଗ କରିଛନ୍ତି ଯେ ଷ୍ଟାରଲିଙ୍କ ସେବାରେ ସ୍ୱଚ୍ଛତା ନାହିଁ। ସରକାରୀ ଓ ବ୍ୟକ୍ତିଗତ ଗୋପନୀୟ ତଥ୍ୟ ପ୍ରଘଟ ହେଉଛି। ଇରାନ ଇଣ୍ଟରନ୍ୟାସନାଲ ନାମକ ଏକ ପ୍ରମୁଖ ସମ୍ୱାଦ ସରବରାହ ସଂସ୍ଥାର ତଥ୍ୟ ଅନୁଯାୟୀ ଇରାନ ସରକାର ଷ୍ଟାରଲିଙ୍କ ସେବାକୁ ନିଜ ଦେଶରେ ଅନୁମତି ପ୍ରଦାନ କରି ନ ଥିଲେ ମଧ୍ୟ ଇରାନରେ ପ୍ରାୟ ଏକ ଲକ୍ଷରୁ ଅଧିକ ଷ୍ଟାରଲିଙ୍କର ଗ୍ରାହକ ଗୁପ୍ତ ଭାବରେ ରହିଛନ୍ତି। ୟୁକ୍ରେନ, ପାକିସ୍ତାନ, ମ୍ୟାଁମାର୍‌‌ ଓ ଆଫ୍ରିକୀୟ ଦେଶରେ ମଧ୍ୟ ଷ୍ଟାରଲିଙ୍କ ଗୁପ୍ତ ସେବା ଚାଲିଛି। ବିଶ୍ୱର ଯେଉଁ ସ୍ଥାନରେ ଯୁଦ୍ଧ ଆରମ୍ଭ ହୁଏ ସେଠାରେ ଷ୍ଟାରଲିଙ୍କର ସଞ୍ଚାର ଉପକରଣ ଅତି ସହଜରେ ପହଞ୍ଚିଯାଏ। ଡିସେମ୍ୱର ମାସରେ ମଣିପୁର ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଅଞ୍ଚଳରେ ସକ୍ରିୟ ଥିବା ନିଶା ଦ୍ରବ୍ୟ ତସ୍କର ସମେତ ଅନୁପ୍ରବେଶକାରୀ ଓ ବିଦ୍ରୋହୀମାନଙ୍କଠାରୁ ଷ୍ଟାରଲିଙ୍କର ଅନେକ ସଞ୍ଚାର ଉପକରଣ ଜବତ ହୋଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓ ସଞ୍ଚାର ବିଭାଗ ପକ୍ଷରୁ ଏହା ଉପରେ ତଦନ୍ତ କରାଯିବା ସମୟରେ ଷ୍ଟାରଲିଙ୍କ ସହାୟତା ଲୋଡ଼ିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ତଥ୍ୟ ଗୋପନୀୟତା ନୀତିର ଦ୍ୱାହି ଦେଇ ସହଯୋଗ କରି ନ ଥିଲେ।

ଷ୍ଟାରଲିଙ୍କ ଯେଉଁ ଦେଶର ବଜାରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଛି, ସେହି ଦେଶର ସାର୍ବଜନୀନ ସୁରକ୍ଷାକୁ ନେଇ ଆଦୌ ଗମ୍ଭୀର ନୁହେଁ। ଗତବର୍ଷ ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ ସମ୍ୱାଦ ପରିବେଷଣକାରୀ ସଂସ୍ଥା ରଏଟର୍ସ ଷ୍ଟାରଲିଙ୍କ ବିଷୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ନିଜର ୱେବସାଇଟରେ ପ୍ରକାଶିତ କରିଥିଲା। ସେହି ତଥ୍ୟ ଅନୁଯାୟୀ ଆମେରିକାର ଗୁଇନ୍ଦା ସଂସ୍ଥା ଓ ଷ୍ଟାରଲିଙ୍କ ମଧ୍ୟରେ ୧.୮ ବିଲିୟନ୍‌‌ ଆମେରିକୀୟ ଡଲାରର ଏକ ରାଜିନାମା ହୋଇଛି। ଏହାଦ୍ୱାରା ଷ୍ଟାରଲିଙ୍କ ଆଗାମୀ ଦିନରେ ପ୍ରାୟ ଏକ ଶହରୁ ଅଧିକ ଗୁଇନ୍ଦା ଉପଗ୍ରହ ନିର୍ମାଣ କରି ପୃଥିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ। ଏହାଦ୍ୱାରା ଆମେରିକାର ଗୁଇନ୍ଦା ବିଭାଗ ଯେକୌଣସି ଦେଶର ସାମରିକ ଶକ୍ତି ବିଷୟରେ ବ୍ୟାପକ ତଥ୍ୟ ସଂଗ୍ରହ କରିବା ପାଇଁ ସମର୍ଥ ହେବ। ଦେଶର କିଛି ସଞ୍ଚାର ବିଶେଷଜ୍ଞ ଷ୍ଟାରଲିଙ୍କ ପକ୍ଷରୁ ସାମରିକ ଗୁଇନ୍ଦାଗିରିର ଭୟ ଭିତ୍ତିହୀନ ବୋଲି କହିଛନ୍ତି। କିନ୍ତୁ ଗୋଟିଏ ବିଦେଶୀ ସଞ୍ଚାର କମ୍ପାନୀ ଯଦି ନିଜ ଦେଶ ପାଇଁ ଗୁଇନ୍ଦାଗିରି ଓ ଜାତୀୟ ସୁରକ୍ଷା ବିକାଶ କାର୍ଯ୍ୟରେ ଲିପ୍ତ ଥାଏ ତେବେ ଏହା ଅନ୍ୟ ଦେଶର ସାଧାରଣ ଲୋକଙ୍କ ପାଇଁ ଏହା କେତେ ଦୂର ବିଶ୍ୱସନୀୟ ହୋଇପାରିବ?

ଭାରତର ବଡ଼ ବଡ଼ ସହରରେ ଷ୍ଟାରଲିଙ୍କ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଗ୍ରାହକ ମାନେ ଉତ୍ସାହିତ ଅଛନ୍ତି। ଷ୍ଟାରଲିଙ୍କ ସେବା ଆରମ୍ଭ ହେଲେ ଦୁର୍ଗମ ଅଞ୍ଚଳରେ ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇ ଦେବା ସମ୍ଭବ ହେବ ବୋଲି କୁହାଯାଉଛି। ଏହି ସବୁ ଅଞ୍ଚଳ ଅତ୍ୟନ୍ତ ସମ୍ୱେଦନଶୀଳ ହୋଇଥାଏ। ସାମରିକ ବାହିନୀ ଏହି ଅଞ୍ଚଳରେ ସର୍ବଦା ସଜାଗ ରହିଥା’ନ୍ତି। ଷ୍ଟାରଲିଙ୍କର ସଞ୍ଚାର ଉପକରଣ ଓ ସେବା ବ୍ୟୟବହୁଳ। ଭାରତର ଦୁର୍ଗମ ଅଞ୍ଚଳରେ, ଯେଉଁଠାରେ ସାଧାରଣ ଲୋକମାନେ ଏକ ସ୍ୱାଦିଷ୍ଟ ବିସ୍କୁଟ୍‌‌୍ ପ୍ୟାକେଟଟିଏ କିଣିବା ପାଇଁ ସମର୍ଥ ହୋଇ ପାରନ୍ତି ନାହିଁ ସେମାନେ ଷ୍ଟାରଲିଙ୍କ ଅନ୍ତର୍ଜାତୀୟ ଇଣ୍ଟରନେଟ୍‌‌ ସେବା କ୍ରୟ କରିବା ପାଇଁ କେତେ ଦୂର ସମର୍ଥ ହେବେ? ଏହାସହିତ ସେସବୁ ଅଞ୍ଚଳରେ ସରକାରୀ କାର୍ଯ୍ୟ, ଉଦ୍ୟୋଗ କିମ୍ବା ସାମରିକ ବାହିନୀ ପାଇଁ ଏହା ସୁରକ୍ଷିତ ନୁହେଁ।

ଯଦି ବର୍ତ୍ତମାନ ସ୍ଥିତିରେ ଯେଉଁ ସଞ୍ଚାର କମ୍ପାନୀମାନେ ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ୍‌‌ ସେବା ଯୋଗାଇ ଦେବା ପାଇଁ ଆଗ୍ରହୀ, ସେମାନେ ଅତି ସହଜରେ ଇସ୍ରୋର ଉପଗ୍ରହକୁ ବ୍ୟବହାର କରି ପାରିବେ। ଇସ୍ରୋ ମଧ୍ୟ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକ ଉପଗ୍ରହ ପ୍ରେରଣ କରି ପାରିବ କିମ୍ବା ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ନୂତନ ଜ୍ଞାନକୌଶଳକୁ ବ୍ୟବହାର କରି ଉପଗ୍ରହ ଉତ୍ପାଦନ କରି ପାରିବ। ଏହାଦ୍ୱାରା ତଥ୍ୟ ଚୋରି ପରି ସମସ୍ୟା ରହିବ ନାହିଁ ଏବଂ ସେବା ମଧ୍ୟ ସୁଲଭ ମୂଲ୍ୟରେ ମିଳି ପାରିବ। ସଞ୍ଚାର କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ। ଯଦି ଷ୍ଟାରଲିଙ୍କ ଦେଶରେ ସେବା ଆରମ୍ଭ କରେ ତେବେ ଇସ୍ରୋ ଦ୍ୱାରା ପରିଚାଳିତ ଯୋଜନା ସ୍ଥାଣୁ ହୋଇଯିବ ଏବଂ ଇସ୍ରୋର ବ୍ୟବସାୟିକ ଦିଗ କ୍ଷତିଗ୍ରସ୍ତ ହେବ। ଏହି କ୍ଷେତ୍ରରେ ଇସ୍ରୋର କାର୍ଯ୍ୟ କେବଳ ଗବେଷଣାରେ ସିମୀତ ରହିଯିବ।

ଯଦିଓ ଭାରତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଷ୍ଟାରଲିଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରି ନାହାନ୍ତି, ତଥାପି ସରକାର କମ୍ପାନୀ ପାଇଁ ପଥ ପରିଷ୍କାର କରୁଛନ୍ତି। ଭାରତ ଆଜି ସ୍ୱାବଲମ୍ୱୀ ହୋଇଥିବା ବେଳେ ଘରୋଇ ସଞ୍ଚାର କମ୍ପାନୀମାନେ ବିଦେଶୀ ଘରୋଇ ମହାକାଶ ଗବେଷଣା ସଂସ୍ଥା ପ୍ରତି ଅଯଥାରେ ଆଗ୍ରହ ପ୍ରକାଶ କରିବା ସ୍ପୃହଣୀୟ ନୁହେଁ। ମେକ୍‌‌ ଇନ୍‌‌ ଇଣ୍ଡିଆ ଅଭିଯାନରେ ସଞ୍ଚାର ସେବା ମଧ୍ୟ ଅନ୍ତର୍ଭୁକ୍ତ। ଷ୍ଟାରଲିଙ୍କ ସେବା ମେକ୍‌‌ ଇନ୍‌‌ ଇଣ୍ଡିଆ ଯୋଜନାକୁ ଦୁର୍ବଳ କରିବ। ସଞ୍ଚାର କମ୍ପାନୀ ଓ ସରକାରଙ୍କ ମିଳିତ ସାଧୁ ଉଦ୍ୟମ ଅବ୍ୟାହତ ରହିଲେ ଇସ୍ରୋ ମାଧ୍ୟମରେ ସମଗ୍ର ଦେଶରେ ଉପଗ୍ରହ ଦ୍ୱାରା ଦ୍ରୁତ ଇଣ୍ଟରନେଟ ସେବା ଯୋଗାଇ ଦେବା ସମ୍ଭବ ହେବ।

ସନ୍ତୋଷ କୁମାର ମିଶ୍ର

ବେଲେଶ୍ୱର(କଟକ), ମୋ: ୯୪୩୭୧୨୮୪୬୪

ମହାକାଶ କନ୍ୟା ସୁନୀତା
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଅତିବାହିତ କରିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍‌‌ସ ମାର୍ଚ୍ଚ ୧୯ ତାରିଖରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୨୪ ଜୁନ୍‌‌ ୫ ତାରିଖରେ ବୋଇଂର ଷ୍ଟାରଲାଇନରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ୮ ଦିନ ପାଇଁ ଯାଇଥିଲେ ନାସାର ଦୁଇ ମହାକାଶଚାରୀ ସୁନୀତା ଓ ବୁଚ୍‌‌ ୱିଲମୋର। ଅପ୍ରତ୍ୟାଶିତ ଭାବେ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ହେତୁ ସେମାନଙ୍କୁ ପୃଥିବୀ ପ୍ରତ୍ୟାବର୍ତ୍ତନ ପାଇଁ ଦୀର୍ଘମାସ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ସେମାନଙ୍କୁ ସୁରକ୍ଷିତ ପୃଥିବୀ ପୃଷ୍ଠକୁ ଆଣିବା ଲାଗି ନାସା ପକ୍ଷରୁ ସ୍ପେସ ଏକ୍ସ କ୍ରୁ-୧୦କୁ ଫାଲକନ୍‌‌ ୯ ରକେଟ୍‌‌ ଜରିଆରେ ଡ୍ରାଗନ୍‌‌ କ୍ୟାପସୁଲ ସହିତ ପ୍ରେରଣ କରାଯାଇଥିଲା। ସଫଳତାର ସହ ଡକିଂ ଓ ଅନଡକିଂ ପରେ ଦୀର୍ଘ ୧୭ ଘଣ୍ଟାର ବିପଦପୂର୍ଣ୍ଣ ଯାତ୍ରା ପରେ ଦୁଇ ମହାକାଶଚାରୀ ପୃଥିବୀରେ ପହଞ୍ଚି ପାରିଛନ୍ତି। ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ମାତ୍ରାଧିକ ତାପମାତ୍ରା ସୃଷ୍ଟି ହେଉଥିବାରୁ ଏହାକୁ ମନ୍ଥର ଗତିରେ ଆକାଶଛତାର ସାହାଯ୍ୟ ନେଇ ଆମେରିକାର ଫ୍ଲୋରିଡ଼ା ନିକଟସ୍ଥ ମହାସାଗରର ନୀଳ ଜଳରାଶିରେ ସୁରକ୍ଷିତ ଅବତରଣ କରାଯାଇଛି।

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌‌ଏସ୍‌‌) ପୃଥିବୀର କକ୍ଷ ପଥରେ ଘଣ୍ଟାପ୍ରତି ୨୮ ହଜାର କିଲୋମିଟର ବେଗରେ ବୁଲିଥାଏ। ପୃଥିବୀଠାରୁ ଏହାର ଦୂରତା ପ୍ରାୟ ୪୨୦ କିଲୋମିଟର। ପୃଥିବୀରେ ପହଞ୍ଚିବା ପରେ ମହାକାଶଚାରୀମାନଙ୍କର ଅନେକ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେଣୁ ସେମାନଙ୍କୁ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଥାଏ। ମହାକାଶରେ ଅଧିକ ବିକିରଣ ହେତୁ ସେମାନେ ଅନେକ ପ୍ରକାର ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି।

ସୁନୀତା ୱିଲିୟମ୍‌‌ସ ଗୁଜରାଟ ରାଜ୍ୟର ମେହସନା ଜିଲ୍ଲାର ଝୁଲାସାନ ଗ୍ରାମରେ ରହୁଥିବା ପାଣ୍ଡେ ପରିବାରର ମୂଳସଦସ୍ୟା। ସେ ୧୯୬୫ ମସିହା ସେପ୍ଟେମ୍ବର ମାସ ୧୯ ତାରିଖରେ ଓହିଓରେ ଦୀପକ ଓ ବୋନି ପାଣ୍ଡ୍ୟାଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଏହାର ବହୁ ପୂର୍ବରୁ ୧୯୫୭ ମସିହାରେ ଆମେରିକା ଚାଲିଯାଇଥିଲେ। ଗାଁରେ ତାଙ୍କ ଜେଜେବାପା ଓ ପୈତୃକ ଘର ନାମରେ ଏକ ପାଠାଗାର ମଧ୍ୟ ରହିଛି। ଆମେରିକାରେ ସୁନିତା ଜଣେ ନୌସେନା ଇଞ୍ଜିନିୟର ଭାବେ କାମ କରୁଥିଲେ। ୧୯୯୮ ମସିହାରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଦ୍ୱାରା ମହାକାଶଚାରୀ ଭାବେ ମନୋନୀତ ହୋଇଥିଲେ। ତାଙ୍କୁ ଜନ୍‌‌ସନ ମହାକାଶ କେନ୍ଦ୍ରରେ ପ୍ରଶିକ୍ଷଣ ଦିଆଯାଇଥିଲା। ଡିସେମ୍ବର ୯ ତାରିଖ ୨୦୦୬ ମସିହାରେ ସେ ପ୍ରଥମେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିଲେ। ଇତିମଧ୍ୟରେ ୩ଥର ଅନ୍ତରୀକ୍ଷରେ ନିଜର ଗବେଷଣା ସମୟରେ ଅନେକଥର ଅନ୍ତରୀକ୍ଷ ପଦଚାରଣ କରିଥିବାବେଳେ ଚଳିତଥର ୬୨ ଘଣ୍ଟା ସ୍ପେଶ୍‌‌ୱାକ୍‌‌ କରି ରେକର୍ଡ ସୃଷ୍ଟି କରିଛନ୍ତି। ମହାକାଶ ରହଣିର ତିନିମାସ ପରେ ଷ୍ଟେସନ କମାଣ୍ଡରର ଦାୟିତ୍ୱ ଗ୍ରହଣ କରିଥିଲେ। ସୁନିତା ୭୦୮ ଦିନ ମହାକାଶରେ ରହି ମଧ୍ୟ ରେକର୍ଡ କରିଛନ୍ତି। ଏହି ସମୟରେ ସେ ୧୨୧, ୪୯୧ ମାଇଲ ରାସ୍ତା ଅତିକ୍ରମ କରିଥିବା ବେଳେ ୪୫୭୬ ଥର ପୃଥିବୀ ଚାରିପଟେ ବୁଲିଛନ୍ତି। ସୁନୀତା ମାଇକ୍ରୋଗ୍ରାଭିଟି ଏବଂ ପୋଷକତତ୍ତ୍ୱ ସମ୍ବନ୍ଧୀୟ ଅନେକ ଗବେଷଣା ମଧ୍ୟ ସମ୍ପାଦନ କରିଛନ୍ତି। ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଦୀର୍ଘ ୨୫ ବର୍ଷ ଧରି ଚାରିହଜାରରୁ ଅଧିକ ଗବେଷଣା ହୋଇସାରିଛି ଏବଂ ୪୪୦୦ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ପୃଥିବୀର ପାଞ୍ଚଟି ମହାକାଶ ଗବେଷଣା ସଂସ୍ଥା ସହ ୧୫ଟି ଦେଶର ସହଯୋଗରେ ଏହି କେନ୍ଦ୍ର ପରିଚାଳିତ। ଏଠାରେ ପ୍ରକାଶ ଥାଉ କି ଭାରତ ମଧ୍ୟ ୨୦୩୫ ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ସ୍ଥାପନ କରିବା ପାଇଁ କାର୍ଯ୍ୟ କରୁଛି। ଏହା ମଧ୍ୟ ପୃଥିବୀଠାରୁ ୪୦୦ କିମି ଉପରେ ସ୍ଥାପିତ ହେବ।

ମହାକାଶରେ ତରଳ ପଦାର୍ଥର ବିତରଣ ବଦଳୁଥିବାରୁ ହୃଦୟ ଓ ଶିରାପ୍ରଶିରା ଉପରେ ପ୍ରଭାବକୁ ନେଇ ଅନେକ ଗବେଷଣା କରାଯାଇଥାଏ। ଏହାଛଡ଼ା ବୃକ୍ଷଲତାର ବୃଦ୍ଧି, ସୂକ୍ଷ୍ମଜୀବଙ୍କ ଅଧ୍ୟୟନ, ମହାକାଶରେ ଅନ୍ୟ ଜୀବଜନ୍ତୁଙ୍କ ଉପରେ ପ୍ରଭାବ, ମହାକାଶ ବିଜ୍ଞାନର ବିକାଶ ତଥା ବିଶ୍ୱର ଗଠନ ପ୍ରଣାଳୀ ଓ ଗତିବିଧି ଛଡ଼ା ପୃଥିବୀପୃଷ୍ଠର ଜଳବାୟୁ, ପରିବେଶ, ଭୂବିଜ୍ଞାନ, ମହାସାଗରର ରହସ୍ୟ ଉନ୍ମୋଚନ ସହ ଅନେକ ବିଷୟରେ ଏଠାରେ ଗବେଷଣା ଚାଲୁରହିଛି, ଯାହା ସାମଗ୍ରିକ ଭାବେ ମାନବ ସମାଜ ପାଇଁ ବରଦାନ ବିବେଚିତ ହୋଇପାରିବ। ଏହାଛଡ଼ା ଅମ୍ଳଜାନ ଉତ୍ପାଦନ ପାଇଁ ମାଇକ୍ରୋ ଶୈବାଳ, ଯାହା ଦୀର୍ଘକାଳୀନ ମହାକାଶ ଅଭିଯାନ ସମୟରେ ସତେଜ ଖାଦ୍ୟ ଉପଳବ୍ଧ କରିବାରେ ସାହାଯ୍ୟ କରିବ, ମହାକାଶଚାରୀମାନଙ୍କୁ ସୁସ୍ଥ ରଖିବା ପାଇଁ ଡିଭାଇସ ସାଇକ୍ଲିଂ, ରୋଇଂ ହାଡ଼ ଓ ମାଂସପେଶୀ କ୍ଷୟକୁ ରୋକିବା ଏବଂ ହୃଦୟ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମଧ୍ୟ ମଡ୍ୟୁଲ ପ୍ରସ୍ତୁତ କରାଯାଇଛି। ରେଡ୍‌‌ ରୋମେନ ଲେଟୁସ ମାଧ୍ୟମରେ ମହାକାଶଯାତ୍ରାରେ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ପାଇଁ ଅଧ୍ୟୟନ କରାଯାଉଛି। ଏହାଛଡ଼ା ପ୍ୟାକ୍‌‌ଡ ବେଡ୍‌‌ ରିଆକ୍ଟର ପରୀକ୍ଷଣ ମାଧ୍ୟମରେ ମହାକାଶରେ ତରଳ ଓ ଗ୍ୟାସ ପ୍ରବାହିତର ଅଧ୍ୟୟନ କରାଯାଇଥିବା ବେଳେ ମହାକାଶରେ ଭିଟାମିନ୍‌‌ ସମ୍ବନ୍ଧୀୟ ଗବେଷଣାରେ ଇଷ୍ଟଭଳି ବିଶେଷ ଅଣୁଜୀବ ବ୍ୟବହାର କରି ଦୀର୍ଘସମୟ ଧରି ମହାକାଶ ଅଭିଯାନ ସମୟରେ ମହାକାଶଚାରୀମାନଙ୍କୁ ଅତ୍ୟାବଶ୍ୟକ ପୋଷକତତ୍ତ୍ୱ ପାଇବା ପାଇଁ ଓ ଆବଶ୍ୟକ ସ୍ଥଳେ ତାଜା ଖାଦ୍ୟ ସପ୍ଲିମେଣ୍ଟ ତିଆରି କରିବାରେ ସାହାଯ୍ୟ କରିବ।

ବନବିହାରୀ ଦାଶ

ଝାରସୁଗୁଡ଼ା, ମୋ: ୮୨୬୦୪୧୫୯୯୬

‘ବେରବୋଇ’ର ରାଜନୈତିକ ସନ୍ଦେଶ
‘ଭବିଷ୍ୟତ ବଂଶଧରମାନେ ହୁଏତ ବିଶ୍ୱାସ କରିବେ ନାହିଁ ଯେ ଏପରି ଜଣେ ଲୋକ ରକ୍ତ, ମାଂସର ଦେହ ଧରି ପୃଥିବୀରେ ବିଚରଣ କରୁଥିଲେ’- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ୧୯୩୯ରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନ୍‌‌ଷ୍ଟାଇନ୍‌‌ଙ୍କର ଏହି ବକ୍ତବ୍ୟ ସଦା ପ୍ରାସଙ୍ଗିକ। ଏବେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ରାଜନୀତି କରୁଥିବା ନେତା ଓ ସଂଖ୍ୟାଧିକ ପଦାଧିକାରୀଙ୍କ ଥାଟବାଟକୁ ଦେଖିଲେ ବର୍ତ୍ତମାନର ପିଢ଼ି ହୁଏତ ବିଶ୍ୱାସ କରିବେ ନାହିଁ ଯେ ୬୯ ବର୍ଷ ବୟସ୍କ ଗାନ୍ଧିଜୀଙ୍କ ସମେତ ସ୍ୱାଧୀନତା ଆନ୍ଦୋଳନର ଅଗ୍ରଗଣ୍ୟ ନେତାମାନେ ପୁରୀ ଜିଲ୍ଲାର ଡେଲାଙ୍ଗ ନିକଟବର୍ତ୍ତୀ ବେରବୋଇ ଗାଁ ଗହିରରେ ପତ୍ରକୁଡ଼ିଆରେ ମାର୍ଚ୍ଚ ମାସର ମୁଣ୍ଡଫଟା ଖରା ଓ ପ୍ରଚଣ୍ଡ ଗୁଳୁଗୁଳିରେ ବିନା ବିଜୁଳିରେ ମାଟି ମା’ କୋଳରେ ସପ୍ତାହେ କାଟି ଦେଶ ଗଠନର ନକ୍ସା ଆଙ୍କୁଥିଲେ ବୋଲି। ‘ଛୋଟ ମୋର ଗାଁଟି/ଭୂଗୋଳ ପୋଥି ପତରେ ପଛେ ନଥାଉ ତା’ର ନାଅାଁଟି’- କାଳଜୟୀ କବି ସଚ୍ଚି ରାଉତରାୟଙ୍କ ମର୍ମସ୍ପର୍ଶୀ ଏହି କବିତାର ପଂକ୍ତି ବାସ୍ତବରେ ବେରବୋଇ ଗାଁ ପ୍ରତି ପ୍ରଯୁଜ୍ୟ। ଭୂଗୋଳ ବହିରେ ସିନା ବେରବୋଇ ଗାଁର ନାଁ ନାହିଁ, କିନ୍ତୁ ଇତିହାସ ପୃଷ୍ଠାରେ କାଳକାଳ ପାଇଁ ଏହି ଗାଁର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ।

୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ବେରବୋଇ ଗାଁରେ ଚାଲିଥିଲା ଗାନ୍ଧୀ ସେବାସଂଘର ସପ୍ତାହବ୍ୟାପୀ ଐତିହାସିକ ବୈଠକ। ଏଥିରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡ. ରାଜେନ୍ଦ୍ର ପ୍ରସାଦ, ଆଚାର୍ଯ୍ୟ ଜେ.ବି କୃପାଳିନୀ, ମୌଲାନା ଅବୁଲ କାଲାମ୍‌‌ ଆଜାଦ, ଡା. ପ୍ରଫୁଲ୍ଲ ଚନ୍ଦ୍ର ଘୋଷ, ଯମୁନାଲାଲ ବଜାଜ୍‌‌, ଗୋବିନ୍ଦ ବଲ୍ଲଭ ପନ୍ଥ, ଆନାସାହେବ ସହସ୍ରବୁଦ୍ଧେ , କିଶୋରଲାଲ ମସ୍ରୁୱାଲା, ହୃଦୟନାଥ କୁଞ୍ଜ୍‌‌ରୁ, ମହାଦେବ ଦେଶାଇ, ପ୍ୟାରେଲାଲ, ଆର୍‌‌.ଆର୍‌‌ ଦିବାକର, କ୍ଷିତୀଶ୍‌‌ ରାୟ ଚୌଧୁରୀ, କାକା କାଲେଲ୍‌‌କରଙ୍କ ସମେତ ଦେଶର ଅଧିକାଂଶ ଅଗ୍ରଗଣ୍ୟ ନେତା ଯୋଗ ଦେଇଥିଲେ। ଗାନ୍ଧିଜୀଙ୍କ ଜୀବନସାଥୀ କସ୍ତୂରବା, ପୁଅ ମଣିଲାଲ, ବୋହୂ ଶୁଶୀଳା, ନାତି ଅରୁଣ ବି ଏହି ସମାବେଶରେ ସାମିଲ ହୋଇଥିଲେ। ଏହି ଅବସରରେ ଲକ୍ଷାଧିକ ଲୋକ ସୁଯୋଗ ପାଇଥିଲେ ଗାନ୍ଧିଜୀ ଓ ତାଙ୍କ ସତୀର୍ଥମାନଙ୍କ ସାମୂହିକ ଦର୍ଶନର।

ସ୍ୱାଧୀନୋତ୍ତର ଭାରତବର୍ଷରେ ତ୍ୟାଗ ପରିବର୍ତ୍ତେ ଭୋଗ ଓ ସେବା ନ କରି ନେବା ସଂଖ୍ୟାଧିକ ରାଜନେତାଙ୍କ ଭୂଷଣ ହୋଇଛି। ଏମାନଙ୍କ ରହଣି, ସୁରକ୍ଷା ଓ ଯାତାୟତ ଲାଗି ସ୍ଥଳବିଶେଷରେ ବିମାନ, ହେଲିକପ୍ଟରଠାରୁ କାର୍‌‌କେଡ୍‌‌ରେ ଡଜନ୍‌‌ ଡଜନ୍‌‌ ଦାମୀ ଗାଡ଼ି ଦେଖିବାକୁ ମିଳେ। ଏହାଛଡ଼ା ଆଭିଜାତ୍ୟ ସୁରକ୍ଷା ଲାଗି ଶହଶହ ପୁଲିସ ନିୟୋଜିତ ହେବା ସଙ୍ଗେ ସଙ୍ଗେ ନେତାମାନଙ୍କ ରହଣି ଲାଗି ରାଜଭବନରୁ ସରକାରୀ ଅତିଥିଭବନ ଓ ତାରକା ହୋଟେଲମାନଙ୍କରେ ବ୍ୟବସ୍ଥା ହୁଏ। ବର୍ତ୍ତମାନର ନେତାମାନଙ୍କ ଭୋଜନ ଓ ଜଳପାନ ଲାଗି ବି ବହୁ କିସମର ନାମୀଦାମୀ ଖାଦ୍ୟ ପରସା ଯାଏ। କିନ୍ତୁ ମହାମାନବ ମହାତ୍ମା ଗାନ୍ଧୀ ଓ ତାଙ୍କ ଅନୁଗାମୀ ସେ ସମୟର ସଂଗ୍ରାମୀମାନଙ୍କ କଥା ନିଆରା। ୧୯୩୮ ମସିହା ବେଳକୁ ବେରବୋଇ ପାଇଁ ବିଜୁଳି ଆଲୁଅ ନ ଥିଲା। ମାର୍ଚ୍ଚ ମାସର ଗୁଳୁଗୁଳି ଓ ଖରାରେ ଏହି ଜାତୀୟ ନେତାମାନଙ୍କର ରହଣି ଲାଗି ବେରବୋଇ ଗାଁ ଗହିରରେ ବାଉଁଶ ଖୁଣ୍ଟି ପୋତି ତିଆରି କରାଯାଇଥିଲା ପ୍ରାୟ ୪୦୦ କୁଡ଼ିଆ। ସମ୍ମିଳନୀ ପାଇଁ ଲୋକେ ଗାଁ ଗହିରରେ ଥିବା ନିଜନିଜ ଜମିରୁ ହିଡ଼ ଉଠାଇ ସମତୁଲ କରିଦେଇଥିଲେ। ଅସ୍ଥାୟୀ ପାଇଖାନା ବ୍ୟବହାର କରିବା ସହିତ ଗାନ୍ଧୀ, କସ୍ତୂରବା, ପଟେଲ, ପ୍ରସାଦ, ଆଜାଦ୍‌‌ଙ୍କ ସମେତ ନେତାମାନେ ସ୍ନାନ କରୁଥିଲେ ବେରବୋଇ ଗାଁର ବ୍ରହ୍ମେଶ୍ୱର ପୁଷ୍କରିଣୀରେ। ସମ୍ମିଳନୀ ସ୍ଥଳର ୧୦ ମାଇଲ୍‌‌ ଅଞ୍ଚଳ ମଧ୍ୟରେ ଉତ୍ପାଦିତ ଖାଦ୍ୟଶସ୍ୟ, ନଡ଼ିଆ, ପଇଡ଼, ଦୁଗ୍ଧ, ଘିଅ, ପନିପରିବା ବ୍ୟବହାର କରି ପରସା ଯାଉଥିଲା ସମ୍ପୂର୍ଣ୍ଣ ଓଡ଼ିଆ ଖାଦ୍ୟ। ଭୂମି ଉପରେ ବସି କଦଳୀ ପତ୍ରରେ ଏହି ନେତାମାନେ କରୁଥିଲେ ପଂକ୍ତି ଭୋଜନ।

ଏହି ସମ୍ମିଳନୀର ମୁଖ୍ୟ ଉଦ୍ୟୋକ୍ତା ଥିଲେ ପଣ୍ଡିତ କୃପାସିନ୍ଧୁ ହୋତା, ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର, ମା’ ରମାଦେବୀ ପ୍ରମୁଖ। ସେତେବେଳର ଓଡ଼ିଶାର ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ, ଅନ୍ୟତମ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍‌‌ଗୋଙ୍କ ସମେତ ଅଧିକାଂଶ ବିଧାୟକ ଓ ଟାଣୁଆ ନେତା ଏଠି ସ୍ୱେଚ୍ଛାସେବକ ଭାବେ ନିୟୋଜିତ ହୋଇଥିଲେ। ଲିଙ୍ଗରାଜ ମିଶ୍ର, ରାଧାନାଥ ରଥ, ବିନୋଦ କାନୁନ୍‌‌ଗୋ, ରାଜକୃଷ୍ଣ ବୋଷ, ହରେକୃଷ୍ଣ ମହତାବ, ମନମୋହନ ଚୌଧୁରୀ, ମଦନମୋହନ ସାହୁ, ଅନ୍ନପୂର୍ଣ୍ଣା ମହାରଣା, ସୁନାମଣି ଦେବୀ, କିରଣଲେଖା ମହାନ୍ତି, ଗୋଦାବରୀ ଦେବୀ, ସତ୍ୟବାଦୀ ନନ୍ଦ, ଗୁଣନିଧି ମହାନ୍ତି, ବିଶ୍ୱନାଥ ପଟ୍ଟନାୟକ, କଣ୍ଡୁରି ଚରଣ ନାୟକ, ବୈକୁଣ୍ଠନାଥ ମହାନ୍ତିଙ୍କ ଭଳି ଉତ୍କଳର କୃତି ସନ୍ତାନମାନେ ଏହି ସମ୍ମିଳନୀରେ ଶ୍ରମଦାନ କରିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ତ୍ରିରଙ୍ଗା ଝଣ୍ଡା ଉଡ଼ାଇ ଏହି ସମ୍ମିଳନୀ ୧୯୩୮ ମାର୍ଚ୍ଚ ୨୫ରେ ଉଦ୍‌‌ଘାଟନ କରିବା ପରେ ଗାନ୍ଧିଜୀ ଏକ କୃଷି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀର ଶୁଭାରମ୍ଭ କରିଥିଲେ। ବେରବୋଇରେ ଉତ୍କଳବାସୀ ଯେଭଳି ଚମତ୍କାର କୃଷି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ କରିଛନ୍ତି ସେଥିରୁ ସେମାନେ ନିଜ ରାଜ୍ୟକୁ ସମୃଦ୍ଧ କରିବା ପାଇଁ ସମର୍ଥ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିବା ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ।

ଏଠି ୭ ଦିନ ଧରି ଘମାଘୋଟ ଚର୍ଚ୍ଚା ଚାଲିଥିଲା ଦେଶର ସ୍ୱାଧୀନତା ଆନ୍ଦୋଳନ, ଆର୍ଥିକ ବିକାଶ, ଦରିଦ୍ରତମ ଲୋକଙ୍କ ଉତ୍‌‌ଥାନ, ଅସ୍ପୃଶ୍ୟତା ନିବାରଣ, ନିଶା ନିବାରଣ, ସାମ୍ପ୍ରଦାୟିକ ସଦ୍‌‌ଭାବ, ନାରୀ ଜାଗରଣ, ଖଦିର ପ୍ରସାର, କୁଟୀର ଶିଳ୍ପର ବିକାଶ, ମୌଳିକ ଶିକ୍ଷା, ସବୁହାତକୁ କାମ, ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, କୃଷି, ଗୋ-ପାଳନ, ଗ୍ରାମୋତ୍‌‌ଥାନ, ସ୍ୱଦେଶୀ, ସ୍ୱାବଲମ୍ବନ, ରଚନାତ୍ମକ କାର୍ଯ୍ୟକ୍ରମ ଆଦି ବିଭିନ୍ନ ପ୍ରସଙ୍ଗରେ। ଏଇ ନିପଟ ମଫସଲ ଗାଁକୁ ସେତେବେଳେ ଦେଶବିଦେଶର ଅଗ୍ରଣୀ ସାମ୍ବାଦିକମାନଙ୍କ ସୁଅ ଛୁଟିଥିଲା ସମ୍ମିଳନୀର ବିବରଣୀ ସହିତ ଗାନ୍ଧିଜୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରମାନ ପ୍ରକାଶ କରିବାକୁ।

ବେରବୋଇ ଗାଁର ଯେଉଁ ସ୍ଥାନରେ ଗାନ୍ଧିଜୀଙ୍କ ପତ୍ର କୁଡ଼ିଆ ଥିଲା ସେଠି ଏବେ ରହିଛି ତାଙ୍କ ପ୍ରତିମୂର୍ତ୍ତି। ଏହିଠାରେ ପରେ ମୌଳିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା ଯାହା ପରବର୍ତ୍ତୀ ସମୟରେ ସରକାରୀ ହାଇସ୍କୁଲର ରୂପ ନେଇଛି। ଏଇଠି କୃପାସିନ୍ଧୁ ହୋତା ପ୍ରତିଷ୍ଠା କରିଥିଲେ ସେବାକୁଟୀର। ପରବର୍ତ୍ତୀ ସମୟରେ ୧୯୪୨ ଆନ୍ଦୋଳନ କାଳରେ ଏହାକୁ ସରକାରୀ କଳ ପୋଡ଼ି ଦେଇଥିଲା। ସେଠି ଏବେ ଚାଲିଛି କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକ ଟ୍ରଷ୍ଟର ମାତୃମଙ୍ଗଳ କେନ୍ଦ୍ର ଓ ବାଲବାଡ଼ି। ଏହି ସମ୍ମିଳନୀ ସମୟରେ ଭୁଲ୍‌‌ ବୁଝାମଣାବଶତଃ କସ୍ତୂରବା କିଛି ସହକର୍ମୀଙ୍କ ସହିତ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହି ଘଟଣାରେ ମର୍ମାହତ ହୋଇ ସତ୍ୟାଗ୍ରହୀ ଗାନ୍ଧୀ ବେରବୋଇରେ ବି ମୌନ-ଉପବାସ କରିଥିଲେ। ଏହି ସମୟରେ ପାରଳା ମହାରାଜା ଗାନ୍ଧିଜୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ। ବେରବୋଇ ଗାଁରେ ଅନୁଷ୍ଠିତ ସମ୍ମଳିନୀରେ ବି ମୃତ୍ୟୁଦଣ୍ଡ ଉଚ୍ଛେଦ ପାଇଁ ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏବେ ଯେଉଁ ସ୍ୱଚ୍ଛ ଭାରତ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ତାହାର ନାରା ବି ଏଇଠି ନିଜେ ଗାନ୍ଧିଜୀ ଦେଇଥିଲେ। ‘ସ୍ୱଚ୍ଛତା ଯେଉଁଠି, ଈଶ୍ୱର ସେଇଠି’ ବୋଲି ଉଲ୍ଲେଖ କରି ନିଜ ଅନ୍ତରର ସ୍ୱଚ୍ଛତା ସହିତ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଦେଶକୁ ସ୍ୱଚ୍ଛ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ଏମିତି ବହୁ ଘଟଣାର ମୂକସାକ୍ଷୀ ବେରବୋଇ ଗାଁ ଗହିର।

ସ୍ୱାଧୀନତା ପରେ ଆଚାର୍ଯ୍ୟ ହରିହର ଥରେ ବେରବୋଇରେ କହିଥିଲେ, ‘ଏ ମାଟିରେ ଗାନ୍ଧିଜୀଙ୍କ ଚିନ୍ତାଧାରାର ମଞ୍ଜି ବୁଣାଯାଇଛି। ପାଣି ଦେଉଥିଲେ ଦିନେ ସେଥିରୁ ଚାରା ବାହାରି ମହାଦ୍ରୁମ ହୋଇପାରେ।’ ଆଜି ଆମ ରାଜ୍ୟ ଓ ଦେଶ ଯେଉଁ ବିଷାକ୍ତ ପରିବେଶ ଓ ସମୟ ଦେଇ ଗତି କରୁଛି ସେଥିରୁ ତା’କୁ ଉଦ୍ଧାର କରିବା ଲାଗି ଆଚାର୍ଯ୍ୟ ମହାଶୟଙ୍କ କଳ୍ପିତ ମହାଦ୍ରୁମକୁ ଖୋଜା ଚାଲିଛି। ଏ ପରିପ୍ରେକ୍ଷୀରେ ଯେଉଁ ସ୍ୱାଧୀନତା ପାଇଁ ଗାନ୍ଧିଜୀଙ୍କ ନେତୃତ୍ୱରେ ଲଢ଼େଇ ହୋଇଥିଲା ତା’ର ସ୍ୱରୂପ ଆଜି କ’ଣ ତାହା ସମୀକ୍ଷା କରିବାର ବେଳ ଆସିଛି। ଭଗତ୍‌‌ ସିଂହ, ଲକ୍ଷ୍ମଣ ନାୟକ, ବାଘାଯତୀନ୍‌‌, ରଘୁ ଦିବାକରଙ୍କ ଭଳି ଯେଉଁ ହଜାର ହଜାର ସଂଗ୍ରାମୀ ଦେଶ ମାତୃକା ପାଇଁ ସହିଦ ହେଲେ; ଇରମ୍‌‌, ଆମ୍‌‌କୋ ସିମ୍‌‌କୋ, ଖଇରାଡିହି, ତୁଡ଼ିଗଡ଼଼ିଆ, ଲୁଣିଆ, ତାଥିଲି, ପାପଡ଼ାହାଣ୍ଡି, କାଈପଡ଼ା, ନିମାପଡ଼ା ଆଦି ସ୍ଥାନରେ ଯେଉଁ ସଂଗ୍ରାମୀମାନେ ବ୍ରିଟିଶ୍‌‌ ଫୌଜର ଗୁଳି ଆଗରେ ଛାତି ପତାଇ ଦେଲେ; ବାଜି ରାଉତ ଭଳି ବୀର ଶିଶୁମାନେ ବଳିଦାନର କୀର୍ତ୍ତିସ୍ତମ୍ଭ ସ୍ଥାପନ କଲେ; ଲକ୍ଷ ଲକ୍ଷ ଦେଶପ୍ରେମୀ ଜେଲ୍‌‌ ବରଣ କଲେ। ସେମାନଙ୍କ ତ୍ୟାଗ ଓ ତପସ୍ୟାର ଯଜ୍ଞବେଦୀରୁ ଜନ୍ମ ନେଇଥିବା ସ୍ୱାଧୀନତାକୁ ସୁରକ୍ଷିତ ରଖିବା ଓ ବିକାଶିତ କରିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଏହାର ଗୋଟିଏ ମାତ୍ର ଉପଚାର ହେଉଛି ଗାନ୍ଧୀ-ଗୋପବନ୍ଧୁଙ୍କ ବିଚାର। ଏଥିପାଇଁ ବେରବୋଇ ଭଳି ତୀର୍ଥ ଭୂଇଁ କେବଳ ବତୀଘର ପରି ଆମକୁ ଚେତାଇ ଦେଉଛି। ଗାନ୍ଧୀ ସ୍ମାରକୀ ସମିତି ପାଉଁଶ ତଳର ନିଅାଁ ଭଳି ବେରବୋଇର ସ୍ମୃତିକୁ ବଞ୍ଚାଇ ରଖିଛି। କଷ୍ଟଲବ୍ଧ ସ୍ୱାଧୀନତାକୁ ସୁରକ୍ଷିତ ରଖି ସମୃଦ୍ଧି, ସ୍ୱାବଲମ୍ବୀ, ବିକଶିତ ଭାରତ ଗଠନ ପାଇଁ ଏଥିରେ ଅଗ୍ନି ପ୍ରଜ୍ଜ୍ୱଳନ ଲାଗି ସତ୍ୟ, ସେବା, ସଂଗ୍ରାମ ଓ ସମର୍ପଣ ଆଧାରରେ ଆମ ସମସ୍ତଙ୍କୁ କିଛି ନା କିଛି କରିବାକୁ ପଡ଼ିବ।

ପ୍ରହଲାଦ କୁମାର ସିଂହ

ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫