editorial - The Sakala

ଚାଷୀଙ୍କ ବଢ଼ୁଛି ଭୀତି
ସମୟ ବଦଳିବା ସହ ଭାରତ କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିଛି। ଏହାସତ୍ତ୍ବେ କୃଷି ଉପରେ ନିର୍ଭରଶୀଳ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିନାହିଁ। ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା କରୁଥିବା ଚାଷୀଙ୍କ ସଂଖ୍ୟା କିଛି କମ୍‌‌ ନୁହେଁ। ପ୍ରତିକୂଳ ପରିସ୍ଥିତିରେ ଶିଳ୍ପପତିଙ୍କୁ ଋଣଛାଡ଼ କରାଯାଉଥିବା ବେଳେ ଚାଷୀ ଅନୁରୂପ ସୁଯୋଗରୁ ବଞ୍ଚିତ ହେଉଛି। ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଲା କୃଷିକୁ ଜୀବିକା ରୂପେ ଗ୍ରହଣ କରିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ସରକାରଙ୍କ ମାଗଣା ରାସନ ଉପରେ ନିର୍ଭର କରି ଜୀବନ ଜିଉଁଛି। ଏହାଠାରୁ ଦୁର୍ଭାଗ୍ୟଜନକ ପରିସ୍ଥିତି ଆଉ କ’ଣ ବା ହୋଇପାରେ! ସଂସଦରେ ଗୃହୀତ ଚାଷୀ ବିରୋଧୀ କୃଷି ଆଇନକୁ ସରକାର ସମ୍ମିଳିତ ଆନ୍ଦୋଳନର ସମ୍ମୁଖୀନ ହୋଇ ନପାରି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ତଥାପି ଆନ୍ଦୋଳନ ଶେଷ ହୋଇନାହିଁ। ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନର ମାନ୍ୟତା ଦେବା ଦାବିରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଛି। ଏହି ଦୁର୍ଦ୍ଦଶା ଓ ଦୁର୍ଭାଗ୍ୟର କିନ୍ତୁ ଅନ୍ତନାହିଁ। ଭାରତ ସରକାର ଆମେରିକା ସହ ଯେଉଁ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛନ୍ତି, ତାହା ମଧ୍ୟ ଚାଷୀଙ୍କ ସ୍ୱାର୍ଥ ବିରୋଧୀ। ଆମେରିକାର କୃଷି ଉତ୍ପାଦ ଆମ ଦେଶରେ ବିପଣନ କରିବାର ସୁଯୋଗ ହାସଲ କରିବାକୁ ଯାଉଛି। ଆମ ଚାଷୀ କ’ଣ ଏହି ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରିବେ? ତେଣୁ ଏ ଦୁଃଖରୁ ସେ ଦୁଃଖ ବଳିପଡ଼ିବ।

ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ ଗତି କିଛିବର୍ଷ ହେଲା ଚୀନ ଆମେରିକୀୟ କୃଷି ଉତ୍ପାଦ କ୍ରୟ ପ୍ରତି ବିମୁଖ ହୋଇଛି। ମୁକ୍ତ ବଜାର ବ୍ୟବସ୍ଥାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ଉପରେ ଚୀନର ନିର୍ଭରଶୀଳତା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ କୃଷି ଉତ୍ପାଦ ବେପାର ପାଇଁ ଆମେରିକା ଯେଉଁ ସାଲିସ ଓ ମୂଲଚାଲ ଆରମ୍ଭ କରିଛି, ସେଥିରେ ଭାରତୀୟ ଚାଷୀଙ୍କ ସ୍ୱାର୍ଥ ବଳି ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଗତ ମାର୍ଚ୍ଚମାସରେ ଭାରତ ଗସ୍ତରେ ଆସିଥିବା ଆମେରିକା ବାଣିଜ୍ୟ ବିଭାଗ ପ୍ରତିନିଧିମଣ୍ଡଳୀ ଆମ ଦେଶର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ କଥାବାର୍ତ୍ତାରେ ଟ୍ରମ୍ପଙ୍କ ଆଭିମୁଖ୍ୟ ପ୍ରତିଫଳିତ ହୋଇଥିଲା। ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ବ୍ରାଣ୍ଡନ ଲିଞ୍ଚ ମଧ୍ୟ ଆଲୋଚନା ପ୍ରସଙ୍ଗରେ ଆମେରିକୀୟ କୃଷି ଉତ୍ପାଦ, ବିଶେଷକରି ମକା, କପା ଓ ସୋୟାବିନ ରପ୍ତାନି ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମାର ରୂପରେଖ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ଗଣମାଧ୍ୟମରେ ପ୍ରସାରିତ ହୋଇନାହିଁ। ସବୁ ଚାଲିଛି ସଲାସୁତରାରେ। ଆମ ରପ୍ତାନି ସାମଗ୍ରୀ ଉପରେ ୨୬% ଶୁଳ୍କ ଘୋଷଣା କରିବା ପରେ ଆମେରିକା ସହ ସମର୍ପିତ ଭାବ ନେଇ ବାଣିଜ୍ୟ ନୀତି ନିର୍ଦ୍ଧାରଣରେ କେବଳ ଚାଷୀ ବଳି ପଡ଼ିବେନି, ଦେଶବାସୀଙ୍କ ବୃହତ୍ତର ସ୍ୱାର୍ଥ ବଳିପଡ଼ିବ। ଏହାର ସୂଚନା ମିଳିଛି ଘରୋଇ ଏଲ୍‌‌ପିଜି ସିଲିଣ୍ଡର ପିଛା ମୂଲ୍ୟ ୫୦ ଟଙ୍କା ବୃଦ୍ଧି ଏବଂ ପେଟ୍ରୋଲ ଓ ଡିଜେଲ୍‌‌ରେ ଅତିରିକ୍ତ ଦୁଇଟଙ୍କା ଉତ୍ପାଦନ ଶୁଳ୍କ ଲାଗୁ କରିବା ନିଷ୍ପତ୍ତିର। ଏଥିରୁ ସ୍ପଷ୍ଟ ମନେହୁଏ ଯେ ସରକାର ରୁଷିଆରୁ ଶସ୍ତାରେ ଅଶୋଧିତ ତୈଳ କିଣିବା ବଦଳରେ ଆମେରିକାରୁ କ୍ରୟ କରିବା ଏକପ୍ରକାର ଥୟ। ଏହାଛଡ଼ା ପ୍ରାକୃତିକ ବାଷ୍ପ କ୍ରୟ ପାଇଁ ଭାରତ ସରକାର ଆମେରିକା ସହ ବୁଝାମଣା କରିସାରିଛନ୍ତି। ଏ ବାବଦରେ ଯେଉଁ ଅତିରିକ୍ତ ବ୍ୟୟଭାର ସରକାର ବହନ କରିବେ, ତାହାର ଭରଣା ପାଇଁ ସରକାର ଆଗୁଆ ମୂଲ୍ୟବୃଦ୍ଧି କରିଛନ୍ତି। କେବଳ କଥା ଏତିକିରେ ସରିନି। ଆମ ଦେଶର ଶିଳ୍ପପତିଙ୍କୁ ସେମାନଙ୍କ ଉପଯୋଗ୍ୟ ସାମଗ୍ରୀ ଚୀନ୍‌‌ ବଦଳରେ ଆମେରିକାରୁ କିଣିବାକୁ ପଡ଼ିବ। ତେଣୁ ଆଗକୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିର ପଥ ପରିଷ୍କାର ହେଉଛି। ତାହାର ପ୍ରତିକୂଳ ପ୍ରଭାବରେ ବଜାର ଦର ବଢ଼଼ିବ ଓ ଉପଭୋକ୍ତା କ୍ଷତିଗ୍ରସ୍ତ ହେବେ।

ଏଠାରେ ସୂଚାଇ ଦିଆଯାଇପାରେ କି କୃଷି କ୍ଷେତ୍ରକୁ ଆନ୍ତର୍ଜାତିକ ବାଣିଜ୍ୟ ଚୁକ୍ତିନାମାରୁ ଭାରତ ଦୂରେଇ ରଖିଆସିଛି। ଆମ ଆଭ୍ୟନ୍ତରୀଣ କୃଷି ଉତ୍ପାଦକୁ ଯଥାସମ୍ଭବ ପ୍ରତିଯୋଗିତାରୁ ଦୂରେଇ ନ ରଖିଲେ ଚାଷୀଙ୍କ ସ୍ୱାର୍ଥହାନି ଘଟିବ। ଏଭଳି ଏକ ନୀତିଗତ ନିଷ୍ପତ୍ତିକୁ ଆମେରିକା ଚାପରେ ସରକାର ଅଣଦେଖା କରୁଥିବାର ସୂଚନା ମିଳିଛି। ଏପରିକି ‘ଜିଏମ୍‌‌’ ଭଳି ଗୁରୁତର ପ୍ରସଙ୍ଗକୁ ମଧ୍ୟ ଉପେକ୍ଷା କରାଯାଇଛି। ବିହନରେ ଜିନ୍‌‌ଗତ ପରିବର୍ତ୍ତନ (ଜିଏମ୍‌‌) ଘଟାଇ ଅଧିକ ଫସଲ ଅମଳର ସମ୍ଭାବ୍ୟ ବିପଦକୁ ବିଚାର କରି ନିଷିଦ୍ଧ ହୋଇଥିବା ଉତ୍ପାଦ ପ୍ରସଙ୍ଗକୁ ସ୍ୱତନ୍ତ୍ର ଭାବେ ବିଚାର କରାଯାଇପାରେ। ଭାରତର ସମ୍ପ୍ରସାରିତ ମାଂସ ବଜାରର ବ୍ୟବସାୟିକ ଦିଗ ସମ୍ପର୍କରେ ଅନୁଧ୍ୟାନ କରି ମକା ଓ ସୋୟାବିନ୍‌‌ ରପ୍ତାନି ଉପରେ ଆମେରିକା ଅଧିକ ଗୁରୁତ୍ୱ ଦେଇଛି। କୁକୁଡ଼ା ଓ ପଶୁଖାଦ୍ୟର ଚାହିଦା ବୃଦ୍ଧି ଦୃଷ୍ଟିରୁ ଏହା ବିଶେଷ ଭାବେ ଉପଯୋଗୀ ହେବ। ତେବେ ଆମେରିକାର ରପ୍ତାନି ଉପରେ ଆମର ବର୍ଦ୍ଧିତ ଆମଦାନୀ ଶୁଳ୍କ କିଭଳି ହ୍ରାସ ପାଇବ, ତାହା ମଧ୍ୟ ଆଲୋଚନା ପରିସରକୁ ଆସିଛି। ଆମ ଚାଷୀଙ୍କ ମକା ଓ ସୋୟାବିନ ଉତ୍ପାଦନ କିଛି କମ୍‌‌ ନୁହେଁ। ତେବେ କପା ଦୃଷ୍ଟିରୁ ଉତ୍ପାଦନ ଚାହିଦା ବେଶ୍‌‌ କିଛିଟା ହ୍ରାସ ପାଇଛି। ପରିସ୍ଥିତି ଏମିତି ହୋଇଛି ଯେ ଆମ ଚାଷୀଙ୍କ ଜୀବିକା ପଛେ ବୁଡ଼ିଯାଉ, ଏସବୁ ଉତ୍ପାଦ ଆମେରିକାରୁ ଆମଦାନୀ ପାଇଁ କିଛି କମ୍ପାନୀ ପକ୍ଷରୁ ଲବି ଆରମ୍ଭ ହୋଇଯାଇଛି। କପଡ଼ା ମିଲ ମାଲିକ କପା ଆମଦାନୀ ମାଧ୍ୟମରେ ଉତ୍ପାଦନ ଖର୍ଚ୍ଚ କମାଇବାକୁ ଅଣ୍ଟା ଭିଡ଼ିଛନ୍ତି।

ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି ଏବଂ ସେମାନଙ୍କ ଲାଭ ଦୁଇଗୁଣ ହେବ ବୋଲି ଯେତେ ପ୍ରଚାର କରାଗଲେ ମଧ୍ୟ ସେମାନେ ଯେ ଅବହେଳିତ ଓ ଲାଞ୍ଛିତ ଏହାକୁ ଯେକେହି ସ୍ୱୀକାର କରିବ। ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧରେ ସମଗ୍ର ବିଶ୍ୱ ଗୋଟେ ଆଡ଼େ, ଆମେ ଅନ୍ୟ ଆଡ଼େ। କାଳିଗାଈର ଭିନ୍ନ ଗୋଠ ଭଳି ଆମେ ସାଲିସ ଓ ବୁଝାମଣାର ଶେଷ ବିନ୍ଦୁରେ ପହଞ୍ଚିବାକୁ ପ୍ରସ୍ତୁତ ଅଛୁ। ତେଣିକି ଚାଷୀ ଓ ଖାଉଟି ଯିଏ ବଳିପଡ଼ୁଛି ପଡୁ। ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ନ ହେବା ପୂର୍ବରୁ ସରକାରଙ୍କ ପ୍ରାକ୍‌‌ ପ୍ରସ୍ତୁତିରୁ ବୁଝାପଡ଼ିଲାଣି ଆଗକୁ ଖାଉଟି କେତେ ହନ୍ତସନ୍ତ ହେବେ। କେବଳ ଅତିରିକ୍ତ ଟିକସ ଶେଷ କଥା ନୁହେଁ। ମନେ ରଖିବାକୁ ହେବ ଯେ ସମଗ୍ର ବାଣିଜ୍ୟ କ୍ଷତିକୁ ଟିକସ ମାଧ୍ୟମରେ ଭରଣା କରାଯାଇପାରିବନି। ଏମିତିରେ ଦେଶବାସୀ ଟିକସ ବୋଝରେ ଅତିଷ୍ଠ।

ବେପାର ବିରତି
ସମ୍ଭାବ୍ୟ ମାନ୍ଦାବସ୍ଥା ସମ୍ପର୍କରେ ଅର୍ଥନୀତି ବିଶାରଦଙ୍କ ପକ୍ଷରୁ କିଛିମାସ ତଳୁ ଚେତାଇ ଦିଆଯାଇଥିଲା। ପରିବର୍ତ୍ତିତ ସମୟରେ ବାଣିଜ୍ୟ ନୀତିକୁ ନେଇ ଯେଉଁ ଅସ୍ଥିରତା ସୃଷ୍ଟି ହୋଇଛି, ତାହା ମାନ୍ଦାବସ୍ଥାକୁ ଗତି ଦେଇଥିବା ଭଳି ମନେ ହେଉଛି। ବିଶ୍ୱବ୍ୟାପୀ ଷ୍ଟକବଜାର ଧରାଶାୟୀ ହୋଇଥିବା ବେଳେ ହଠାତ୍‌‌ ସୁନାଦର ହ୍ରାସ ପାଇବା ସମସ୍ତଙ୍କୁ ଆଚମ୍ବିତ କରିଛି। ସାଧାରଣତଃ ଷ୍ଟକବଜାର ଅସ୍ଥିରତା ଲାଗି ରହିଲେ ନିବେଶକଙ୍କ ଆକର୍ଷଣ ବଢ଼଼ିଯାଏ ସୁନାବଜାର ଉପରେ। ତେଣୁ ସୁନାଦର କମିବା ପରିବର୍ତ୍ତେ ବଢ଼଼ିବା କଥା। ଏଭଳି ଏକ ବିରୋଧାଭାସରୁ ଯେତେଦୂର ମନେହୁଏ, ମାନ୍ଦାବସ୍ଥା କ୍ରମେ ନିକଟତର ହେଉଛି। ୨୦୦୮-୦୯ରେ ବିଶ୍ୱବ୍ୟାପୀ ଭୟଙ୍କର ଆର୍ଥିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ସେହି ମାନ୍ଦାବସ୍ଥାର କେନ୍ଦ୍ର ସ୍ଥଳ ଥିଲା ଆମେରିକା। ଏବେ ତାହାର ପୁନରାବୃତ୍ତି ଘଟିବାକୁ ଯାଉଛି। ଅସ୍ପଷ୍ଟ ବାଣିଜ୍ୟନୀତିରୁ ସମଗ୍ର ବିଶ୍ୱରେ କାରବାର ଏକପ୍ରକାର ବନ୍ଦ ରହିଛି। ବିଶେଷକରି ଚୀନ୍‌‌ ଓ ୟୁରୋପୀୟ ରାଷ୍ଟ୍ର ସଂଘ ଉପୁଜିଥିବା ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ରଣକୌଶଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ତେଣୁ ବଜାର ଅର୍ଥନୀତିରେ ଏହି ବିରତି ସମୟ ମୁଦ୍ରାସ୍ଫୀତି ବା ମୂଲ୍ୟବୃଦ୍ଧିର କାରଣ ହୋଇଛି। ଅନ୍ୟ ଏକ ଉଲ୍ଲେଖନୀୟ ଘଟଣା ହେଲା ଅଶୋଧିତ ତୈଳଦର ମଧ୍ୟ ଅଣାୟତ୍ତ ଭାବେ ହ୍ରାସ ପାଇଛି। ଅବଶ୍ୟ ତୈଳ ଉତ୍ପାଦନକାରୀ ରାଷ୍ଟ୍ର (ଓପେକ) ପକ୍ଷରୁ ଉତ୍ପାଦନ ବୃଦ୍ଧି କରାଯାଇଥିବାରୁ ଏହି ପରିସ୍ଥିତି ଉପୁଜିଛି।

ଆମେରିକା ଷ୍ଟକ୍‌‌ ବଜାରରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଡାଓ ଜୋନ୍‌‌ସ କାରବାରରେ ୧୦୦୦ ପଏଣ୍ଟ ଏବଂ ଏସ୍‌‌ଆଣ୍ଡପିର ୫୦୦ ପଏଣ୍ଟ ହ୍ରାସ ଘଟିଛି। ସେହିଭଳି ନାସ୍‌‌ଡାକ୍‌‌ କାରବାର ମଧ୍ୟ ୩ ପ୍ରତିଶତ ହ୍ରାସ ଘଟିବା ଅନ୍ୟତମ ଉଲ୍ଲେଖନୀୟ ଘଟଣା। ଆମ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନ୍‌‌ସେକ୍ସ ୯୩୦ ପଏଣ୍ଟ ଓ ନିଫ୍ଟ ୩୪୫ ପଏଣ୍ଟ ହ୍ରାସ ପାଇଛି। ଇଏ ହେଲା ଗତ ସପ୍ତାହର ରିପୋର୍ଟ। ସୋମବାର ବଜାରରେ ଯେଉଁ ବିପର୍ଯ୍ୟୟ ଘଟିଛି, ତାହା ଏକ କଳା ସମୟକୁ ସୂଚନା ଦେଉଛି। ଏହାକୁ ତାଳଦେଇ ଗୋଟିଏ ଦିନରେ ୧୦ ଗ୍ରାମ୍‌ ପିଛା ୨୨ କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୬୦୦ ଟଙ୍କା ଓ ୨୪ କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୭୪୦ ଟଙ୍କା ହ୍ରାସ ପାଇଛି। ଏବେ ବିବାହ ଋତୁ ଜାରି ରହିଥିବାରୁ ଏହି ମୂଲ୍ୟହ୍ରାସ ନିଶ୍ଚୟ ଆଶ୍ୱସ୍ତି ସୃଷ୍ଟି କରିଥିବ। ଆମେ ଏଠାରେ ତୈଳ ବଜାର ସ୍ଥିତି ସମ୍ପର୍କରେ ଉଲ୍ଲେଖ କରିବା ଉଚିତ ହେବ। ୨୦୨୧ ଅଗଷ୍ଟ ପରଠାରୁ ଅଶୋଧିତ ତୈଳଦର ନିମ୍ନଗାମୀ ହେବା ସବୁଠାରୁ ବଡ଼ ଘଟଣା। ବ୍ୟାରେଲ୍‌‌ ପିଚ୍ଛା ମୂଲ୍ୟ ଏବେ ୬୪.୭୨ ଡଲାର ତଳେ ରହିଛି। କ୍ରେଣ୍ଟ ଫ୍ୟୁଚର ମୂଲ୍ୟ ୬୪.୭୨ ଡଲାର ଓ ଆମେରିକାର ୱେଷ୍ଟ ଟେକ୍ସାସରେ ଅଶୋଧିତ ତୈଳ ଦର ୬୧.୦୯ ଡଲାରରେ ପହଞ୍ଚିଛି। ଓପେକ୍‌‌ ରାଷ୍ଟ୍ର ସମୂହ ୧ଲକ୍ଷ ୩୫ ହଜାର ବ୍ୟାରେଲ୍‌‌ ତୈଳ ଉତ୍ପାଦନ ବୃଦ୍ଧି ପାଇଁ ଆଗରୁ ନିଷ୍ପତ୍ତି ନେଇଥିବା ବେଳେ ଆସନ୍ତା ମେ’ ମାସରୁ ଅଧିକ ୪ ଲକ୍ଷ ୧୧ ହଜାର ବ୍ୟାରେଲ୍‌‌ ତୈଳ ଉତ୍ପାଦନ କରିବାକୁ ସ୍ଥିର କରିଛନ୍ତି। ଏହାର ପ୍ରଭାବ ଆନ୍ତର୍ଜାତିକ ତୈଳ ବଜାରର ମୂଲ୍ୟ ଉପରେ ପ୍ରତିଫଳିତ ହୋଇଛି। ହେଲେ ପେଟ୍ରୋଲ ଓ ଡିଜେଲ୍‌‌ ମୂଲ୍ୟ ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ପରିବହନ ଖର୍ଚ୍ଚ ଦୃଷ୍ଟିରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସର ଜରୁରୀ ଆବଶ୍ୟକତା ରହିଛି। କାରଣ ବିଭିନ୍ନ ଖାଉଟି ସାମଗ୍ରୀର ମୂଲ୍ୟ ହ୍ରାସରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ବଜାର ଅର୍ଥନୀତିର ଚରମ ଶତ୍ରୁ ଯୁଦ୍ଧ ଘନଘଟା। ଅଥଚ ରୁଷ-ୟୁକ୍ରେନ୍‌‌ ଯୁଦ୍ଧ ଓ ଗାଜା ଉପରେ ଇସ୍ରାଏଲ୍‌‌ର କ୍ରମାଗତ ଆକ୍ରମଣ ଜାରି ରହିଛି। ଏହା ପଛକୁ ଇରାନ ପ୍ରସଙ୍ଗ ସମଗ୍ର ମଧ୍ୟପ୍ରାଚ୍ୟକୁ ଆଉ ଏକ ବୃହତ୍‌‌ ଯୁଦ୍ଧ କ୍ଷେତ୍ରରେ ପରିଣତ କରିବାକୁ ଯାଉଛି। ଏକଥା ସତ ଯେ ଯୁଦ୍ଧାସ୍ତ୍ର ବିକ୍ରି କରିବା ପାଇଁ ଏହା ଅନୁକୂଳ ପରିବେଶ ସୃଷ୍ଟି କରିଛି। କିନ୍ତୁ ଆମେ ଯେଉଁ ବଜାର କଥା କହୁଛୁ, ସେଥିରେ ସାଧାରଣ ଖାଉଟି ଜଡ଼ିତ ଅଛନ୍ତି। ସେ ବଜାରର ବିପଣନ ଯୁଦ୍ଧ ସକାଶେ କ୍ଷତିଗ୍ରସ୍ତ ହେବ। ସେହି ବଜାର ଉପରେ ରାଷ୍ଟ୍ରପତି ଟ୍ରମ୍ପ ଏକପାଖିଆ ପାଲଟା ଶୁଳ୍କ ଲାଗୁ କରି ଯେଉଁ ଅଚଳାବସ୍ଥା ସୃଷ୍ଟି କରିଛନ୍ତି, ସେଥିରେ ସାମଗ୍ରିକ ଭାବେ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି। ଆମକୁ ଏଠାରେ କହିବାକୁ ପଡୁଛି ଯେ ବେପାର କୌଣସି ପରିସ୍ଥିତିରେ ଏକପାଖିଆ ହୁଏନି। ପାରସ୍ପରିକ ନିର୍ଭରଶୀଳତା ରହୁଥିବାରୁ ଏକଚାଟିଆ କାରବାର ପ୍ରତ୍ୟାଖ୍ୟାନ ହେବା ସ୍ୱାଭାବିକ। ଏପ୍ରିଲ ୨ ତାରିଖରେ ଘୋଷିତ ଶୁଳ୍କ ୯ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିବାରୁ ସୃଷ୍ଟ ଅଚଳାବସ୍ଥା ଦୂର ସକାଶେ ଟ୍ରମ୍ପଙ୍କ ପକ୍ଷରୁ ଭାରତ, ଇସ୍ରାଏଲ୍‌‌ ଓ ଭିଏତନାମ ସହ ଆପୋସ ଆଲୋଚନା ଆରମ୍ଭ ହୋଇଛି। ପୂର୍ବ ଘୋଷଣା ଅନୁଯାୟୀ ଯଥାକ୍ରମେ ୨୬%, ୧୭% ଓ ୪୬% ଶୁଳ୍କ ଲାଗୁ କରାଯାଇଥିଲା। ଏହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ପରିସ୍ଥିତି ଦୃଷ୍ଟିରୁ ଟ୍ରମ୍ପ ନରମିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଚୀନ୍‌‌ ଆମେରିକୀୟ ସାମଗ୍ରୀ ଉପରେ ୩୪% ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଘୋଷଣା କରି ଟ୍ରମ୍ପ ପ୍ରଶାସନକୁ ଚେକ୍‌‌ ଦେଇଥିବା ଭଳି ମନେହୁଏ। କେବଳ ସେତିକି ନୁହେଁ, କେତେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ରପ୍ତାନୀ ଉପରେ କଟକଣା ମଧ୍ୟ ଜାରି କରିଛି। ସମୟର ଚାପ ନିକଟରେ ହାର୍‌‌ ମାନି ଚୀନ୍‌‌ ସହ ସାନି କଥାବର୍ତ୍ତା ପାଇଁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

ଏହି ଅସ୍ୱାଭାବିକ ଓ ଅବାସ୍ତବ ପରିବେଶ ଯୋଗୁଁଁ ସମଗ୍ର ବିଶ୍ୱରେ କାରବାର କିଛିମାସ ଧରି ସ୍ଥିର ଓ ମନ୍ଥର ରହିଛି। ବଜାର ଅର୍ଥନୀତିରେ ଏହି ଯେଉଁ ବିରତି ପରିଲକ୍ଷିତ ହୋଇଛି, ତାହା ମାନ୍ଦାବସ୍ଥାର ପଥ ପରିଷ୍କାର କରିଛି କହିଲେ ଭୁଲ୍‌‌ ହେବନି। ମୁଦ୍ରାସ୍ଫୀତି ଭଳି କଠିନ ପରିସ୍ଥିତିକୁ ସମ୍ମୁଖୀନ ହେଉଥିବା ବିଶ୍ୱ ଖାଉଟି ସମୁଦାୟ ସକାଶେ ସ୍ୱାଭାବିକ ପରିବେଶ ସୃଷ୍ଟି ହେବା ଏତେ ସହଜ ନୁହେଁ। ସବୁଠାରୁ ବିତ୍ତଶାଳୀ ନାଗରିକ ବସବାସ କରୁଥିବା ଆମେରିକା ବଜାର ହିଁ ଅଧିକ କ୍ଷତିଗ୍ରସ୍ତ ହେବ। ମାନ୍ଦାବସ୍ଥା ଆମେରିକାରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱକୁ ଗ୍ରାସ କରିବା କିଛି ଅସମ୍ଭବ ନୁହେଁ। ତାହା ହିଁ ଚଳିତ ଶତାବ୍ଦୀର ଆରମ୍ଭରେ ଉପୁଜିଥିଲା। ତେଣୁ ନିକଟ ଭବିଷ୍ୟତରେ ଏହାର ପୁନରାବୃତ୍ତି ଘଟିବାକୁ ଯାଉଥିବା ଅନୁମାନ ଅମୂଳକ ନୁହେଁ।

‘ଘିବ୍‌‌ଲି’ର ଦୁନିଆ
ସମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା(ଟ୍ରେଣ୍ଡି) ବିଶ୍ୱ, ପରିବେଶ, ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣି ନେଇ ଚାଲିଛି ତାହା ବୋଧହୁଏ କ୍ଷଣେ ଚିନ୍ତା କରିବା ପାଇଁ ଆମ ପାଖରେ ସମୟ ନାହିଁ। ପ୍ରତିଦିନ ପ୍ରତିକ୍ଷଣରେ କତିପୟ ବ୍ୟକ୍ତି/ଅନୁଷ୍ଠାନ/ସଂସ୍ଥା ଦ୍ୱାରା ନୂଆ ନୂଆ ଉଦ୍‌‌ଭାବନ ଅବଶିଷ୍ଟ ବିଶ୍ୱର ମଣିଷ ମନରେ ଯେଉଁ ‘ମାନିଆ’(ଅତିଶୟ ଆଗ୍ରହ) ରୂପକ ଭସ୍ମାସୁରଟିମାନଙ୍କୁ ଜନ୍ମ ଦେଇଚାଲିଛି ତାହାର ପରାଭବ ଜାଣି ମଧ୍ୟ ଆମେ ସମସ୍ତେ ସତେଯେମିତି ମୋହାଗ୍ରସ୍ତ ହୋଇପଡ଼ିଛୁ। ସମ୍ପ୍ରତି ‘ଘିବ୍‌‌ଲି ଇମେଜ୍‌‌(ମତାନ୍ତରରେ ଜିବ୍‌‌ଲି)’ ଭଳି ସେହିଭଳି ଏକ ‘ମାନିଆ’ ଦ୍ୱାରା ଆମ ଭିତରୁ ଅଧିକାଂଶ ଆକ୍ରାନ୍ତ ହୋଇଚାଲିଛୁ, ଯେଉଁଠାରେ ନିଜକୁ ଏକ କାର୍ଟୁନ୍‌‌(କଣ୍ଢେଇ) ଭାବେ ଦେଖିବା ପାଇଁ ଆମର ବ୍ୟଗ୍ରତା ବଢ଼଼ିଚାଲିଛି। ନିଜକୁ ଭିନ୍ନ ଭିନ୍ନ ରୂପରେ ଦେଖିବାର ଅତ୍ୟାଗ୍ରହ ମଣିଷର ଆଦିମ କାଳରୁ ରହିଆସିଛି। ବିବର୍ତ୍ତନରେ ଏହା ଅଧିକ ଶାଣିତ ହୋଇଛି ଏବଂ ବୈଜ୍ଞାନିକ ଜ୍ଞାନକୌଶଳକୁ ଉପଯୋଗ କରୁଛି। ଏଥିରେ ଅସ୍ୱାଭାବିକତା ନାହିଁ। କିନ୍ତୁ ଏଥିରେ ଯେଉଁ ବିପଦ ଆଶଙ୍କାଟି ଲୁଚି ରହିଛି ସେ ପ୍ରସଙ୍ଗରେ ଆମ ଅଜ୍ଞତା ତୁଳନାରେ ଉଦାସୀନତା ହିଁ ଉଦ୍‌‌ବେଗଜନକ।

ଜାପାନ୍‌‌ ଚିତ୍ରକର/ଫଟୋଗ୍ରାଫର ହାୟାଓ ମିୟାଜାକିଙ୍କ ମାନସସନ୍ତାନ କୁହାଯାଉଥିବା ଜାପାନ୍‌‌ର ଖ୍ୟାତନାମା ଆନିମେସନ୍‌‌ ଲାବ୍‌‌ ‘ଘିବ୍‌‌ଲି ଷ୍ଟୁଡିଓ’ର ନାମକୁ ବ୍ୟବହାର କରି ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ବିକାଶ ସଂସ୍ଥା ଓପନ୍‌‌ଏଆଇର ଚାଟ୍‌‌ଜିପିଟି ଯେତେବେଳେ ‘ଘିବଲ୍‌‌ି ଇମେଜ୍‌‌’ ସଫ୍ଟୱେରଟିକୁ ବିକଶିତ କଲା ସେତେବେଳେ ବୋଧହୁଏ ଚିନ୍ତା କରିନଥିଲା ଯେ ତାହା ଏତେ ଶୀଘ୍ର ବିଶ୍ୱର ବିଶାଳ ଅଞ୍ଚଳକୁ ନିଜ ହାତମୁଠାକୁ ନେଇଯିବ। ନିଜ ଚେହେରାକୁ କଣ୍ଢେଇ(ଘିବ୍‌‌ଲି ଇମେଜ୍‌‌) ଭାବରେ ଦେଖି କ୍ଷଣିକ ଆନନ୍ଦ ଲାଭର ମୋହାଗ୍ରସ୍ତମାନେ ପ୍ରତିଦିନ ଏତେ ବିପୁଳ ସଂଖ୍ୟାରେ ଫଟୋ ଅପ୍‌‌ଲୋଡ୍‌‌ କରିଚାଲିଛନ୍ତି ଯେ ତାହା ଚାଟ୍‌‌ଜିପିଟି ପାଇଁ ମଧ୍ୟ ଶକ୍ତି ଓ ସମ୍ବଳ ସଙ୍କଟ ସମସ୍ୟା ସୃଷ୍ଟି କରିସାରିଲାଣି। ଏହି ଅତ୍ୟାଗ୍ରହ ଏଭଳି ସ୍ତରକୁ ଚାଲିଗଲାଣି ଯେ ଲୋକମାନେ ନିଜ ଫଟୋ ସହିତ ପରଲୋକଗତ ଆତ୍ମୀୟ, ଏପରିକି ପୋଷ୍ୟଜନ୍ତୁଙ୍କ ଫଟୋ ଅପ୍‌‌ଲୋଡ୍‌‌ କରିବାରେ ପ୍ରତିଯୋଗିତା ଆରମ୍ଭ କରିସାରିଛନ୍ତି। ଏଣୁ ଦୈନିକ ଜଣକ ପିଛା ମାତ୍ର ତିନିଟି ଫଟୋ ଅପ୍‌‌ଲୋଡ୍‌‌ କରିବାର ସୀମା ଚାଟ୍‌‌ଜିପିଟି ନିର୍ଦ୍ଧାରଣ କରିବାକୁ ବାଧ୍ୟ ହୋଇଛି।

ଟ୍ରେଣ୍ଡି ମାନିଆର ଏହି ନୂତନ ସଂସ୍କରଣଟି ଏତେ ଉଦ୍‌‌ବେଗଜନକ ହୋଇ ନ ଥା’ନ୍ତା ଯଦି ବିଶେଷଜ୍ଞମାନେ ଏଥିସହିତ ଜଡ଼ିତ ବିପଦ ଆଶଙ୍କା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ନ ଥା’ନ୍ତେ। ଆମମାନଙ୍କ ମଧ୍ୟରୁ ଅନୁଭବୀମାନେ ବୋଧହୁଏ ଜାଣିସାରିଥିବେ ଯେ ଆମର ‘ଘିବ୍‌‌ଲି ଇମେଜ୍‌‌’ ପାଇଁ ଉଦ୍ଦିଷ୍ଟ ସାଇଟ୍‌‌ରେ ଆମ ଫଟୋଟିଏ ଅପ୍‌‌ଲୋଡ୍‌‌ କରିଦେବା ମାତ୍ରେ ଏଆଇ ଆପେ ଆପେ ଆମ ଇମେଲ୍‌‌ ଆଇଡିଟିକୁ ଖୋଜି ଆମ ସାମ୍ନାରେ ଉପସ୍ଥାପନ କରୁଛି ଏବଂ ତାହାକୁ ବ୍ୟବହାର କରିବାର ଅନୁମତି ମାଗୁଛି। ଆଜିର ଏଇଆଇ ଯୁଗରେ ଗୋପନୀୟତା ଓ ତଥ୍ୟ ସୁରକ୍ଷା ସବୁଠାରୁ ବଡ଼ ଆହ୍ୱାନ ପାଲଟିଥିବା ବେଳେ ଆମେ ନିଜକୁ ନିଜେ ଏଆଇ ଆଗରେ ଆମର ସମସ୍ତ ଗୋପନୀୟ ତଥ୍ୟ ସହିତ ଆତ୍ମସମର୍ପଣ କରିଦେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଓପନ୍‌‌ ଏଆଇର ଚାଟ୍‌‌ଜିପିଟି ସ୍ପଷ୍ଟ ଘୋଷଣା କରିସାରିଛି ଯେ ସଂସ୍ଥାର କର୍ମଚାରୀ/ଇଞ୍ଜିନିୟରମାନଙ୍କ ତାଲିମ୍‌‌ ପାଇଁ ଅପ୍‌‌ଲୋଡ୍‌‌ ହେଉଥିବା ଫଟୋସବୁକୁ ସେ ବ୍ୟବହାର କରିପାରିବ। ଏଥିସହିତ ସଂସ୍ଥା ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ ‘ଯେହେତୁ ଚାଟ୍‌‌ଜିପିଟି ବ୍ୟବହାରକାରୀମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଫଟୋ ଓ ତଥ୍ୟ ଅପ୍‌‌ଲୋଡ୍‌‌ କରୁଛନ୍ତି ତେଣୁ ଏ କ୍ଷେତ୍ରରେ ତଥ୍ୟ ଗୋପନୀୟତା ନିୟମ ମାନିବା ପାଇଁ ସଂସ୍ଥା ବାଧ୍ୟ ନୁହେଁ। ଯଦି ବ୍ୟବହାରକାରୀମାନେ ତଥ୍ୟ ଗୋପନୀୟତା ପାଇଁ ଏତେ ସମ୍ବେଦନଶୀଳ ତେବେ ସେମାନେ କାର୍ଟୁନ୍‌‌ ଇମେଜ୍‌‌ ପାଇଁ କୌଣସି ଅଫ୍‌‌ଲାଇନ୍‌‌ ସଫ୍ଟୱେର ବ୍ୟବହାର କରନ୍ତୁ।’ ତେଣୁ ଭବିଷ୍ୟତରେ ଯଦି କାହାର ଫଟୋ ବା ଚେହେରାର ଦୁୁରୁପଯୋଗ ହୁଏ ତେବେ ଚାଟ୍‌‌ଜିପିଟି ସେଥିପାଇଁ ଦାୟୀ ରହିବ ନାହିଁ ବା ଆମକୁ ଆଇନ ଅଦାଲତରୁ ମଧ୍ୟ ସହାୟତା ଓ ସମର୍ଥନ ମିଳିବ ନାହିଁ।

ହ୍ୱାଇଟ୍‌‌ହାଉସ୍‌‌ ଭିତରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ୍‌‌ ରାଷ୍ଟ୍ରପତି ଭୋଲ୍‌‌ଡିମିର ଜେଲେନ୍ସି ପରସ୍ପରକୁ କରାଟେ ଓ ବାହୁଯୁଦ୍ଧରେ ଆକ୍ରମଣ କରୁଥିବାର ଏକ ଭିଡିଓ ନିକଟରେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ଏଆଇର ଶକ୍ତି ବିଷୟରେ କିଛିଟା ଆଭାସ ମିଳିପାରିଥିଲା। ତେଣୁ ଆମେ ନିଜ ନିଜର ସବୁଠାରୁ ସ୍ପଷ୍ଟ ଚେହେରା ଯୁକ୍ତ ଯେଉଁ ଫଟୋଗୁଡ଼ିକୁ ଚାଟ୍‌‌ଜିପିଟିକୁ ଦେବାରେ ଉନ୍ମାଦନା ପ୍ରଦର୍ଶନ କରୁଛୁ ତାହାକୁ ଏଆଇ ଯେ ଭବିଷ୍ୟତରେ ଅନ୍ୟ କାର୍ଯ୍ୟରେ ବ୍ୟବହାର ନ କରିବ, ତାହା ନିଶ୍ଚିତ କରି ହେବ ନାହିଁ। ହୁଏତ କିଛି ଖଳପ୍ରକୃତିର ବ୍ୟକ୍ତି ଆମମାନଙ୍କର ଫଟୋକୁ ନେଇ କୌଣସି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ବିପୁଳ ଅର୍ଥ ରୋଜଗାର କରିପାରନ୍ତି କିମ୍ବା କୌଣସି ଆପରାଧିକ କାର୍ଯ୍ୟରେ ସଂଶ୍ଲିଷ୍ଟ କରିପାରନ୍ତି। ପରିସ୍ଥିତି ଏଭଳି ମଧ୍ୟ ହୋଇପାରେ ଯେ ପରବର୍ତ୍ତୀ ସମୟରେ ସେଭଳି ଭିଡିଓ ଚିତ୍ରକୁ ଆମ ପରିବାର, ଘନିଷ୍ଠ ସମ୍ପର୍କୀୟ ଦୂରେ ଥାଉ ଆମେ ନିଜେ ମଧ୍ୟ ନିଜକୁ ବିଶ୍ୱାସ କରିପାରିବା ନାହିଁ। ଆଜି ମନୋରଞ୍ଜନର ଦୁନିଆ ‘ଘିବ୍‌‌ଲି’ ଆସନ୍ତା କାଲି ଅବିଶ୍ୱାସର ଏଭଳି ବାତାବରଣ ସୃଷ୍ଟି କରିଦେବ ଯେ ଆମେ ଆମ ନିଜକୁ ସଚ୍ଚୋଟ ଓ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାରେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିବା। ଏହା ପାରିବାରିକ ପବିତ୍ର ସମ୍ପର୍କକୁ ଆବିଳ କରିବା ସହିତ ବିବାହ ବିଚ୍ଛେଦ ଭଳି ଅଗଣିତ ସମସ୍ୟାକୁ ଜନ୍ମ ଦେବା ଅସମ୍ଭବ ନୁହେଁ।। ଫଟୋରୁ ମୁଖ ଓ ଆଖିରେ ଆମ ବାୟୋମାଟ୍ରିକ୍‌‌ ତଥ୍ୟ ଲୁକ୍କାୟିତ ରହୁଥିବାରୁ ତା’ ଜରିଆରେ ଏଆଇ ଆମ ଆର୍ଥିକ କାରବାରର ବିବରଣୀ ମଧ୍ୟ ସାର୍ବଜନୀନ କରିପାରେ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି।

‘ଘିବ୍‌‌ଲି ଇମେଜ୍‌‌’ ପ୍ରତି ଆମ ଉନ୍ମାଦନା, ଦୁର୍ବଳତା, ଆକର୍ଷଣ ଓ ଲୋକପ୍ରିୟତାକୁ ଦେଖି ଚାଟ୍‌‌ଜିପିଟି ସହିତ ଗ୍ରୋକ୍‌‌-୩, ଜେମିନି ଆଦି ସଂସ୍ଥା ପ୍ରତିଯୋଗିତାକୁ ଓହ୍ଲାଇବାକୁ ଚୂଡ଼ାନ୍ତ ପ୍ରସ୍ତୁତି କରିସାରିଥିବା ସୂଚନା ମିଳିଛି। ଏବେ କେବଳ ପରୀକ୍ଷଣ ଓ ଗବେଷଣା ସ୍ତରରେ ଥିବା ଏହି ଟୁଲ୍‌‌ ଯେତେବେଳେ ସ୍ୱୟଂସମ୍ପୂର୍ଣ୍ଣ ହେବ ଏବଂ ଏକାଧିକ ବିକାଶକାରୀ ସଂସ୍ଥା ଆତ୍ମପ୍ରକାଶ କରିବେ ସେତେବେଳେ ତାହାର ପ୍ରଭାବ କୋଭିଡ୍‌‌ ବୈଶ୍ୱିକ ମହାମାରୀ ଭଳି ହେବ ନାହିଁ ତ – ଏହି ପ୍ରଶ୍ନ ଉଙ୍କି ମାରୁଛି। ଯଦି ବିଶ୍ୱରେ ଏକ ଭୟଙ୍କର ମହାମାରୀ ସୃଷ୍ଟି ହେବ ତାହାର ନିରାକରଣ ପାଇଁ ବିଶ୍ୱ କିଭଳି ପ୍ରସ୍ତୁତ ହେବା ଆବଶ୍ୟକ – ଏହି ପ୍ରତିଷେଧକମୂଳକ ମହତ୍‌‌ ଉଦ୍ୟମ ଓ ଗବେଷଣାରୁ ଅସାବଧାନତା ଓ ଯତ୍ନହୀନତାରୁ ୨୦୧୯ରେ ବେଜିଂରେ ଯେଉଁ ଭୂତାଣୁଟି ଜନ୍ମ ନେଇଥିଲା ତାହାର ଭୟାବହତା ଏବେ ମଧ୍ୟ ବିଶ୍ୱବାସୀଙ୍କ ମନରୁ ଲିଭିନାହଁ। ତେଣୁ ଆମେ ନିଜକୁ କ୍ୱାରେଣ୍ଟାଇନ୍‌‌ରେ ରଖିବାକୁ ବାଧ୍ୟ ହେବା ପୂର୍ବରୁ ସଂଯମ ଓ ଆତ୍ମସଚେତନ ହେବା ଜରୁରୀ। ‘ଘିବ୍‌‌ଲି ଦୁନିଆ’ରେ ବଞ୍ଚିବାର ଆମ ମାନିଆ ଆମକୁ ସେହି ସୋପାନକୁ ନେଇ ନ ଯାଉ ଯେଉଁଠାରୁ ଫେରିବା ସମ୍ଭବ ହେବ ନାହିଁ। କୁହାଯାଏ ଆବଶ୍ୟକତା ହିଁ ଉଦ୍‌‌ଭାବନର ଜନନୀ। କିନ୍ତୁ ଏବେ ସେହି ଉଦ୍‌‌ଭାବନର ମାନସ ସନ୍ତାନ ରୂପେ ଆମ ବିବଶତା ସାମ୍ନାକୁ ଆସୁଛି। ନିଜକୁ କଣ୍ଢେଇ ରୂପରେ ଦେଖିବାରୁ ଅତିଚ୍ଛା ଆମକୁ ଏଆଇ ହାତରେ କଣ୍ଢେଇ କରିଦେବା ଭଳି ଏବଂ ତା’ ନିର୍ଦ୍ଦେଶରେ ପରିଚାଳିତ ହେବା ଭଳି ସ୍ଥିତି ସୃଷ୍ଟି ନ ହେଉ।

ମୋ ଭାଷା: ସରଳ ଓ ସମ୍ପୂର୍ଣ୍ଣ
ମୋ ଭାଷା ସହଜ, ସରଳ ଓ ସମ୍ପୂର୍ଣ୍ଣ। ବାର୍ତ୍ତାଳାପର ଉଚ୍ଚାରଣ ଯୁକ୍ତିସମ୍ମତ ଓ ସୁସଂଯୋଜିତ। ଓଡ଼ିଆ ଭାଷା ସମ୍ପର୍କରେ ଜଣେ ବିଦେଶୀ ବିଦ୍ୱାନ ଓ ଗବେଷକଙ୍କ ଏହି ମନ୍ତବ୍ୟ ଶୁଣିଲେ ଛାତି କୁଣ୍ଢେମୋଟ ହୋଇଯାଏ। ସେ ହେଉଛନ୍ତି ଏଲ୍‌‌ଏସ୍‌‌ଏସ୍‌‌ ମାଲେ। ବେଙ୍ଗଲ ଡିଷ୍ଟ୍ରିକ୍ଟ ଗେଜେଟିୟରରେ ତାଙ୍କର ଏହି ମତାମତ ସ୍ଥାନିତ ହୋଇଛି। ଦେଶରେ ଭାଷାଭିତ୍ତିକ ରାଜ୍ୟଗଠନର ଭିତ୍ତିଭୂମି ପକାଇଲା ଓଡ଼ିଶା। ୧୯୩୬ ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିବା ବେଳେ ୨୦୧୪ ମାର୍ଚ୍ଚ ୧୧ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ହାସଲ କରି ଦେଶର ୬ଟି ଭାଷାଭାଷୀ ମଧ୍ୟରୁ ଅନ୍ୟତମର ବିରଳ ସ୍ୱୀକୃତି ପାଇଛି। ଇଏ ହେଲା ଅପୂର୍ବ ଅନୁଭବର କଥା। ଏଥିସହିତ ସମଗ୍ର ଓଡ଼ିଆ ଜାତିର ଅଭିମାନ ଓ ସ୍ୱାଭିମାନ ସଂଶ୍ଳିଷ୍ଟ। ଅହମିକା, ଅହଂଜ୍ଞାନ କିମ୍ବା ଅସ୍ମିତାରୁ ଯଥାସମ୍ଭବ ଦୂରେଇ ରହିବାକୁ ଆମ ପରମ୍ପରାସିଦ୍ଧ ସଂସ୍କୃତି ଓ ସଂସ୍କାର ଶିକ୍ଷା ଦେଇଛି। ଆଉ ୧୧ବର୍ଷ ପରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିବା ଓଡ଼ିଶାବାସୀ ଶତକ ପୂର୍ତ୍ତି ଉତ୍ସବ ପାଳନ କରିବେ। ଆମେ ଏଠାରେ ସେହି ପୂର୍ବସୂରୀଙ୍କ ସମ୍ପର୍କରେ ଆଲୋଚନା କରିବା, ଯେଉଁମାନେ ଭାଷାକୁ ବଞ୍ଚାଇ ରଖିବା ସହ ଜାତିକୁ ଜାତୀୟ ମାନ୍ୟତା ଦେବା ପାଇଁ ଏକନିଷ୍ଠ ଉଦ୍ୟମ କରିଥିଲେ।

ଗଞ୍ଜାମ ସମ୍ମିଳନୀରୁ ଉତ୍କଳ ସମ୍ମିଳନୀର ଉତ୍ତରଣ ହୋଇଥିଲା ସ୍ୱାଭିମାନୀ ମଧୁସୂଦନ ଦାସଙ୍କ ପ୍ରସ୍ତାବକ୍ରମେ। ଇଏ ୧୯୦୩ ଏପ୍ରିଲରୁ ଡିସେମ୍ବର ମାସର କଥା। ଏହାର ପୃଷ୍ଠଭାଗରେ ଥା’ନ୍ତି ଖଲ୍ଲିକୋଟ ରାଜାସାହେବ ହରିହର ମର୍ଦ୍ଦରାଜ। ପୁତ୍ର ରାମଚନ୍ଦ୍ରଙ୍କ ସ୍ୱନକ୍ଷତ୍ର ଉତ୍ସବ ହିଁ ଥିଲା ମାଧ୍ୟମ। କ୍ଷେତ୍ର ପ୍ରସ୍ତୁତି ଚାଲିଥିଲା ରମ୍ଭା ଓ ବ୍ରହ୍ମପୁରରେ। ଉତ୍କଳ ସମ୍ମିଳନୀର ପ୍ରଥମ ଆନୁଷ୍ଠାନିକ ବୈଠକ ବସିଲା କଟକରେ। ମୟୂରଭଞ୍ଜ ମହାରାଜ ରାମଚନ୍ଦ୍ର ଭଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଯୋଗ ଦେଇଥିଲେ ଉତ୍କଳଗୌରବ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପାଳଚନ୍ଦ୍ର ପ୍ରହରାଜ, ଉତ୍କଳମଣି ଗୋପବନ୍ଧୁ ଦାସ, କର୍ମବୀର ଗୌରୀଶଙ୍କର ରାୟ ପ୍ରମୁଖ ବହୁ ତୁଙ୍ଗ ନେତା। ରମ୍ଭା ରାଜପ୍ରାସାଦରୁ ହରିହର ମର୍ଦ୍ଦରାଜ ଆରମ୍ଭ କରିଥିବା ଏହି ପ୍ରୟାସକୁ ପୁତ୍ର ରାମଚନ୍ଦ୍ର ମର୍ଦ୍ଦରାଜ ଲଣ୍ଡନରେ ଆୟୋଜିତ ତୃତୀୟ ଗୋଲଟେବୁଲ ବୈଠକରେ ଉପସ୍ଥାପନ କରିଥିବା ଦଲିଲ ଓ ଦସ୍ତାବିଜ ସାକାର କରିବାରେ ସହାୟକ ହୋଇଥିଲା। ୧୯୩୨ ଡିସେମ୍ବର ୭ ତାରିଖ ବୈଠକର ପ୍ରଭାବ ୨୪ ତାରିଖ ପ୍ରତିନିଧି ସଭାରେ ପ୍ରତିଫଳିତ ହୋଇଥିଲା। ତତ୍କାଳୀନ ସେକ୍ରେଟାରୀ ଷ୍ଟେଟସ ସାଇ ସାମୁଏଲ କହିଥିଲେ ଯେ ପୃଥକ ଶାସନାଧୀନ ଓଡ଼ିଆ ଜାତି ପ୍ରତି ଅନ୍ୟାୟ କରାଯାଇଛି। ଏମାନଙ୍କୁ ଏକତ୍ର କରିବାକୁ ହେବ। ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ସକାଶେ ଏହି ବୈଠକର ସକାରାତ୍ମକ ମତ ଓ ମନ୍ତବ୍ୟ ସହାୟକ ହୋଇଥିଲା। ଭାରତରେ କ୍ଷମତାରେ ଥିବା ସରକାର ଓ ବିଲାତ ସରକାରଙ୍କ ପ୍ରସ୍ତାବ ସପକ୍ଷରେ ମତୈକ ପ୍ରତିଷ୍ଠା ସମ୍ପର୍କରେ ସାର ସାମୁଏଲ୍‌‌ଙ୍କ ସୂଚନା ଓଡ଼ିଆଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥିଲା। ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କୁ ବାର୍ତ୍ତା ମାଧ୍ୟମରେ ସମସ୍ତେ ପ୍ରଶଂସାରେ ପୋତି ପକାଇଥିଲେ।

ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଜୀବନଧାରା ପ୍ରତି ସୃଷ୍ଟି ହୋଇଥିବା ବିପଦ ସମସ୍ତଙ୍କୁ ଏକଜୁଟ୍‌‌ କରିଥିଲା ସ୍ୱତନ୍ତ୍ର ରାଜ୍ୟଗଠନ ପାଇଁ। ମଧୁବାବୁ ଏହାର କର୍ଣ୍ଣଧାର ହୋଇଥିଲେ। ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଏଥିଲାଗି କ୍ଷେତ୍ର ପ୍ରସ୍ତୁତ କରିଥିଲେ। ପୁତ୍ର ରାମଚନ୍ଦ୍ରଙ୍କ ସ୍ୱନକ୍ଷତ୍ର ହିଁ ଥିଲା କେବଳ ମାଧ୍ୟମ। ବିଲାତ ସରକାରଙ୍କ ନିଷ୍ପତ୍ତି ସତ୍ତ୍ବେ ଆନୁଷ୍ଠାନିକ ଘୋଷଣା ସକାଶେ ଅପେକ୍ଷା କରିବାକୁ ପଡ଼ିଥିଲା ୪ବର୍ଷ। ଏହି ଶେଷ କିଛିବର୍ଷ ହିଁ ଥିଲା ସବୁଠାରୁ କଷ୍ଟକର ସମୟ। ମଧୁବାବୁ କିଛି ସହଯୋଗୀଙ୍କୁ ଧରି ଚଳାଉଥିବା ଅବିଶ୍ରାନ୍ତ ଉଦ୍ୟମ ଶେଷରେ ଫଳବତୀ ହୋଇଥିଲା। ବାର୍ଦ୍ଧକ୍ୟରେ ମ୍ରିୟମାଣ ହୋଇପଡ଼ିଥିଲେ ମଧ୍ୟ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ଅପେକ୍ଷା କରୁଥିଲେ ଏହି ସୁଦିନକୁ। କିନ୍ତୁ ତାଙ୍କ ଦେହାବସାନର ଦୁଇବର୍ଷ ପରେ ହିଁ ତାହା ସାକାର ହୋଇଥିଲା। ଯେମିତି ଉତ୍କଳମଣି ଗୋପବନ୍ଧୁ ସାପ୍ତାହିକ ‘ସମାଜ’ ପ୍ରତିଷ୍ଠା କରିଥିଲେ ହେଁ ତାହା ଦୈନିକରେ ରୂପାନ୍ତରିତ ହୋଇଥିଲା ତାଙ୍କ ମହାପ୍ରୟାଣର ଦୁଇବର୍ଷ ପରେ। ମହାମନୀଷୀମାନେ ସଫଳତାକୁ ଅପେକ୍ଷା ନକରି ନିରବଚ୍ଛିନ୍ନ ଭାବେ ଅବିଶ୍ରାନ୍ତ ପରିଶ୍ରମ କରିଥା’ନ୍ତି, ଅସଲରେ ତାଙ୍କର ଦାୟଦମାନେ ହିଁ ତାହାକୁ ଉପଭୋଗ କରିଥା’ନ୍ତି। କେବଳ ସେମାନଙ୍କ ଯୋଗ୍ୟତା ଓ ପାରଦର୍ଶିତା ଉପରେ ନିର୍ଭର କରେ ଗଠିତ ଭାଷାକୁ ଉନ୍ନତିର ଶୀର୍ଷରେ କିଭଳି ପହଞ୍ଚାଇବା। ଓଡ଼ିଆ ଲିପି ଗୋଟିଏ ସତ, କିନ୍ତୁ ବିଭିନ୍ନ ପ୍ରାନ୍ତୀୟ ଲୋକଭାଷାର ସମ୍ମିଶ୍ରଣ ଓ ସମଷ୍ଟିରେ ଭାଷା ସାହିତ୍ୟ ସମୃଦ୍ଧି ହାସଲ କରିଛି। ସ୍ୱତନ୍ତ୍ର ଓଡ଼ିଶା ଦିବସରେ ଆଜି ବି ଆମକୁ ଚିନ୍ତା କରିବାକୁ ପଡୁଛି ଶାସ୍ତ୍ରୀୟ ମାନ୍ୟତା ହାସଲ ଶେଷକଥା ନୁହେଁ। ଆମ ଚଳଣି ଓ କଥନିରୁ ଦିନକୁ ଦିନ ଓଡ଼ିଆ ଭାଷା ଯେମିତି ହଜିଯିବା ଆରମ୍ଭ କରିଛି। ଆମେ ତ ଚାପରେ ନାହୁଁ, ତେବେ ଆମ ମୁହଁରୁ ଓଡ଼ିଆ ଭାଷା ଦିନକୁଦିନ କାହିଁକି ହଜିଯାଉଛି? ଏଭଳି ଏକ ପୀଡ଼ାଦାୟକ ପ୍ରଶ୍ନ ସମସ୍ତେ ସମସ୍ତଙ୍କୁ ପଚାରିବା ଉଚିତ।

ରତ୍ନଗର୍ଭା ଓଡ଼ିଶା। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। ବିସ୍ତୃତ ଉପକୂଳ ସାମୁଦ୍ରିକ ବାଣିଜ୍ୟର କ୍ଷେତ୍ର ପ୍ରସ୍ତୁତ କରି ଅପେକ୍ଷା କରିଛି ରାଜ୍ୟକୁ ସମ୍ବଳ ଓ ସମ୍ପତ୍ତିରେ ପରିପୂର୍ଣ୍ଣ କରିବା ସକାଶେ। ଆମେ କ’ଣ ସତରେ ଅଯୋଗ୍ୟ ଓ ଅସମର୍ଥ? ଆମେ କ’ଣ ଦେଶର ଦରିଦ୍ରତମ ରାଜ୍ୟ? ନା। ସମୟ ବଦଳିଛି। ଆମେ ମଧ୍ୟ ଅନ୍ୟମାନଙ୍କ ସହ କାନ୍ଧରେ କାନ୍ଧ ମିଳାଇ ବିକାଶ ପଥରେ ଆଗେଇ ଚାଲିଛୁ। ଏକଥା ସତ ଯେ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ବିଲକ୍ଷଣରୁ ଆମେ ମୁକ୍ତ ନୋହୁଁ। ଏସବୁ ସତ୍ତ୍ବେ ଖଣିଜ ସମ୍ପଦର ସଦୁପଯୋଗ କରି ରାଜ୍ୟରେ ମୁଣ୍ଡ ଟେକିଛି କଳ କାରଖାନା। କ୍ରମାଗତ ପ୍ରୟାସ ଫଳରେ ରାଜ୍ୟର ଦାରିଦ୍ର୍ୟ ହାର ହ୍ରାସ ପାଇଛି। ଅନାହାର ମୃତ୍ୟୁ ଭଳି ଅପବାଦରୁ ଆମେ ମୁକ୍ତ। ନିତି ଆୟୋଗ ରିପୋର୍ଟରୁ ପ୍ରକାଶ ୨୦୦୫-୦୬ରେ ବହୁମୁଖୀ ଦାରିଦ୍ର୍ୟ ହାର ଓଡ଼ିଶାରେ ୨୯.୩୪ ପ୍ରତିଶତ ଥିବାବେଳେ ତାହା ୨୦୧୯-୨୧ ମଧ୍ୟରେ ତାହା ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି। ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌‌ଡିଜି) ହାସଲ କରିବାରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ। ଏକଥା ସତ ଯେ ଆମେ ସେତେବେଳକୁ ଛତିଶଗଡ଼଼, ଝାଡ଼ଖଣ୍ଡ, ବିହାର ଓ ଉତ୍ତରପ୍ରଦେଶ ରାଜ୍ୟକୁ ଅତିକ୍ରମ କରି ନିଜର ସ୍ଥିତି ଜାହିର କରିବାକୁ ସମର୍ଥ ହୋଇଥାଉ। ସମୟର ସାରଣୀରେ ଅଗ୍ରଗତିର ଯେଉଁ ପଦଚିହ୍ନ ରାଜ୍ୟ ଥାପିବା ଆରମ୍ଭ କରିଥିଲା, ତାହା ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ବେଳେ ଏକ ଈର୍ଷଣୀୟ ସ୍ଥିତିରେ ପହଞ୍ଚିବ ବୋଲି ଆଶା କରାଯାଉଥିଲା। ସମୟର ଝଡ଼ ସବୁଦିନ ପାଇଁ ଯେ ଗତିଶୀଳ ହୋଇରହିବ, ଏକଥା ନୁହେଁ। ଆମେ ଆଶା କରିବା, ପ୍ରଗତିର ଗତି ଅନ୍ତତଃ ବ୍ୟାହତ ନହେଉ।

ଅପ୍ରସ୍ତୁତ ଭାରତ
ଓଡ଼ିଶାର ବିଭିନ୍ନ ସହରର ତାପମାତ୍ରା ବଢ଼଼ିବାରେ ଲାଗିଛି। ଏପରିକି ଅବିଶ୍ୱସନୀୟ ଭାବେ ବଣପାହାଡ଼ ଘେରା କେତେକ ସହରରେ ତାପମାତ୍ରା ଜାତୀୟ ରେକର୍ଡ ସ୍ଥାପନା କରିଛି। ଗତ କିଛିବର୍ଷ ହେଲା ଆମ ରାଜ୍ୟର କେତେକ ସହରର ତାପମାତ୍ରା ଧାରାବାହିକ ଭାବେ ପୂର୍ବବର୍ଷମାନଙ୍କର ରେକର୍ଡ ଭାଙ୍ଗି ଚାଲିଛି। ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସହିତ ଦୂରଦୃଷ୍ଟିହୀନ ବିକାଶ ଯୋଜନା ଏବଂ ସର୍ବୋପରି ଜନସାଧାରଣଙ୍କ ଅପରିଣାମଦର୍ଶୀ ଜୀବନଶୈଳୀ ଏଥିପାଇଁ ଅନେକାଂଶରେ ଦାୟୀ। ବିଶେଷକରି ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଏହି ସମସ୍ୟା ଅଧିକ ଗମ୍ଭୀର। ଗତ ସରକାର ଅମଳରେ ଏଭଳି ସମସ୍ୟାର ନିରାକରଣ ଦିଗରେ ବହୁ ଉଦାହରଣୀୟ ପ୍ରଭାବୀ ପଦକ୍ଷେପ ନିଆଯାଇଥିଲେ ହେଁ କେନ୍ଦ୍ର ସରକାରଙ୍କ ଉପେକ୍ଷା କାରଣରୁ ଦୀର୍ଘମିଆଦୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ଭବ ହୋଇପାରୁନାହିଁ। ଅଂଶୁଘାତ, ବନ୍ୟା, ବାତ୍ୟା ଆଦିକୁ କେବଳ ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକ କହି ସରକାର ନିଜ ଦାୟିତ୍ୱରୁ ଓହରି ପାରିବେ ନାହିଁ। ଏ ଦିଗରେ ତତ୍ପରତାର ଅଭାବ ପ୍ରତି ଅତୀତରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସରକାରଙ୍କୁ ସଚେତନ କରିଛନ୍ତି।

ନୂଆଦିଲ୍ଲୀସ୍ଥିତ ସଷ୍ଟେନେବଲ୍‌‌ ଫିଚରସ୍‌‌ କୋଲାବରେସନ୍‌‌ ନାମକ ଏକ ଘରୋଇ ସଂସ୍ଥା ଦ୍ୱାରା ନିକଟରେ ସେଭଳି ଏକ ସର୍ବେକ୍ଷଣ କରାଯାଇଛି, ଯେଉଁଥିରେ ଭାରତରେ କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଜନିତ କୁପ୍ରଭାବକୁ ପ୍ରତିହତ କରିବାରେ ଦୀର୍ଘମିଆଦୀ ଯୋଜନା କରାଯାଉନାହିଁ କି ଯେଉଁ ଯୋଜନାମାନ ହେଉଛି ତାହାକୁ ଆନ୍ତରିକତାର ସହିତ ପାଳନ କରାଯାଉ ନ ଥିବା ଦର୍ଶାଯାଇଛି। ଲଣ୍ଡନର କିଙ୍ଗସ୍‌‌ କଲେଜ୍‌‌, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଭଳି ଉଚ୍ଚଶିକ୍ଷା-ଗବେଷଣା ଅନୁଷ୍ଠାନମାନଙ୍କର ମିଳିତ ସହଯୋଗରେ ‘ଉତ୍ତପ୍ତ ବିଶ୍ୱର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ତ?’ ଶୀର୍ଷକରେ ହୋଇଥିବା ଏହି ସର୍ବେକ୍ଷଣ ରିପୋର୍ଟର ତଥ୍ୟ ଓ ନିଷ୍କର୍ଷ ଭାରତ ପାଇଁ ଏକ ସତର୍କ ଘଣ୍ଟି। ଜଳବାୟୁ ପରିବର୍ତ୍ତନର ପରିଣତି ବିଷୟରେ ସଚେତନ ଥାଇ ମଧ୍ୟ ତାହାର ନିରାକରଣ ଦିଗରେ ଆଗ୍ରହହୀନତା ଏବଂ ଯୋଜନା-ରୂପାୟନ ମଧ୍ୟରେ ବଢ଼଼ୁଥିବା ଦୂରତ୍ୱ ଆଗାମୀ ଦିନରେ ଅଂଶୁଘାତ ଭଳି ସମସ୍ୟାକୁ ଆହୁରି ଉତ୍କଟ କରିବ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ତେଣୁ ଏ ଦିଗରେ ବେଳ ହୁଁ ପଦକ୍ଷେପ ନେବା କେବଳ ଆବଶ୍ୟକତା ନୁହେଁ, ଅପରିହାର୍ଯ୍ୟତା ମଧ୍ୟ।

୨୦୨୪ ଜୁଲାଇରେ, ଲୋକସଭାରେ କେନ୍ଦ୍ର ବିଜ୍ଞାନ, ବୈଷୟିକ ଓ ଭୂବିଜ୍ଞାନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର ୨୩ଟି ଅଂଶୁଘାତ ପ୍ରବଣ ଓ ଉତ୍ତାପ ସମ୍ବେଦନଶୀଳ ସହରରେ କେନ୍ଦ୍ର ସରକାର ଦୀର୍ଘମିଆଦୀ ଯୋଜନା ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି। ଏହାସତ୍ତ୍ବେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବର୍ଷକୁ ବର୍ଷ ବଢ଼଼ିବାରେ ଲାଗିଛି। କିନ୍ତୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ପରିସଂଖ୍ୟାନ କିଛି ଭିନ୍ନ ଦର୍ଶାଉଛି। ଅଂଶୁଘାତ ଜନିତ ଅଘଟଣ ଜନିିତ ସରକାରୀ ତଥ୍ୟ ସହିତ କ୍ଷତିପୂରଣ ରାଶି ଜଡ଼ିତ ଥିବାରୁ ସରକାରୀ ପରିସଂଖ୍ୟାନ କମ୍‌‌ କରି ପ୍ରକାଶିତ ହେବା ସ୍ୱାଭାବିକ। ଉଦାହରଣ ସ୍ୱରୂପ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂଚନାରେ ୨୦୨୪ରେ ମୋଟ ଅଂଶୁଘାତ ଜନିତ ଜୀବନହାନି ସଂଖ୍ୟା ୧୬୧ ଦର୍ଶାଯାଇଥିବା ବେଳେ ‘ହିଟ୍‌‌ ୱାଚ୍‌‌’ ନାମକ ଏକ ବେସରକାରୀ ସଂସ୍ଥାର ତଥ୍ୟ ଅନୁଯାୟୀ ୧୭ଟି ରାଜ୍ୟର ଏହି ସଂଖ୍ୟା ୭୩୩।

କେନ୍ଦ୍ର ସରକାର ବିପର୍ଯ୍ୟୟ ପ୍ରଶମନ(ସଂ) ବିଧେୟକ-୨୦୨୪ ପାରିତ କରିଛନ୍ତି। ଏଥିରେ ଅନ୍ୟାନ୍ୟ କେତେକ ପ୍ରାବଧାନ ସହିତ ସହରାଞ୍ଚଳ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର କର୍ତ୍ତୃପକ୍ଷ ଗଠନ ବ୍ୟବସ୍ଥା ରହିଛି। ଅଂଶୁଘାତ ଜନିତ ବିପର୍ଯ୍ୟୟ ମୁଖ୍ୟତଃ ସହରାଞ୍ଚଳରେ ଅଧିକ ଦେଖାଯାଉଥିବାରୁ ଏଭଳି ସ୍ୱତନ୍ତ୍ର କର୍ତ୍ତୃପକ୍ଷ ଗଠନ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ଏ ଦିଗରେ ଥିବା ମୁଖ୍ୟ ସମସ୍ୟାଟି ହେଉଛି ଉପର ବର୍ଣ୍ଣିତ ଯୋଜନା ଓ କାର୍ଯ୍ୟାନ୍ୱୟନ ମଧ୍ୟରେ ସମନ୍ୱୟର ଅଭାବ। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ସ୍ଥାନରେ ପ୍ରଣୀତ ହୋଇଥିବା ଏହି ନୂଆଇ ଆଇନରେ ପାଣ୍ଠି ପରିଚାଳନା ଓ କ୍ଷତିପୂରଣ ଭଳି କେତେକ ସମ୍ବେଦନଶୀଳ ପ୍ରସଙ୍ଗର କେନ୍ଦ୍ରୀକରଣ ହୋଇଥିବା ଅଭିଯୋଗ ଦୃଷ୍ଟିରୁ ଏହି ଆଇନ ବାସ୍ତବ ସମସ୍ୟା ସମାଧାନରେ କେତେ ସହାୟକ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଦାହରଣ ସ୍ୱରୂପ ଅଂଶୁଘାତ ସମସ୍ୟା ବଢ଼଼ିଚାଲିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଏହା ଜାତୀୟ ବିପର୍ଯ୍ୟୟ ତାଲିକାରେ ସ୍ଥାନ ପାଇନାହିଁ। ତେଣୁ ବାଧ୍ୟ ହୋଇ ରାଜ୍ୟ ସରକାର ଏହି କ୍ଷତିପୂରଣ ରାଶିକୁ ନିଜ ରାଜକୋଷରୁ ଭରଣା କରୁଛନ୍ତି। ନୂଆ ଆଇନରେ ସାମ୍ପ୍ରତିକ ଏହି ମୁଖ୍ୟ ସମସ୍ୟା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲେ ପ୍ରଭାବିତ ରାଜ୍ୟବାସୀ ଉପକୃତ ହୋଇଥା’ନ୍ତେ।

ଆହୁରି ମଧ୍ୟ ନୂଆ ଆଇନରେ ବିପର୍ଯ୍ୟୟ ସୂଚନାକୁ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଧାରିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ମୂଳ ସମସ୍ୟା ହେଲା ସୂଚନା ଦେବାରେ କର୍ତ୍ତୃପକ୍ଷ ଅବହେଳା କରୁ ନ ଥିବା ବେଳେ ଏହାର ନିରାକରଣ ବା ପ୍ରଶମନ ଦିଗଟି ଶୂନ୍ୟ ରହିଯାଉଛି। ତେଣୁ ନୂଆ ଆଇନରେ ରୂପାୟନ ଉତ୍ତରଦାୟିତ୍ୱକୁ ଆହୁରି ଦୃଢ଼ କରିବାର ଆବଶ୍ୟକ ଥିଲା। ଉଦାହରଣ ସ୍ୱରୂପ ପ୍ରତି ଗ୍ରୀଷ୍ମ ଋତୁରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅତି ଆବଶ୍ୟକ ନ ପଡ଼ିଲେ ବାହାରକୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ବାରଣ କରାଯାଉଛି। ଏହି ସମୟରେ ଶ୍ରମିକମାନଙ୍କୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ମଧ୍ୟ ଚେତାବନୀ ଦିଆଯାଉଛି। ଦୃଢ଼ ଆଇନ୍‌‌ କାନୁନର ଅଭାବରୁ ଏହି କଟକଣାକୁ ଠିକାଦାରମାନେ ମାନୁ ନାହାନ୍ତି। ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ବାବୁମାନଙ୍କ ଆଖି ସାମ୍ନାରେ ଏହି କଟକଣାର ଉଲ୍ଲଙ୍ଘନ ହେଉଥିବା ଦେଖାଯାଉଛି। ତେଣୁ ଅଂଶୁଘାତ ଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିବା ସ୍ୱାଭାବିକ। ଏ ଦିଗରେ କଟକଣା ଆହୁରି କଡ଼ା ହେବା ସହିତ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ଆଇନରେ ଆଣିବା ଉଚିତ ଥିଲା।

ସର୍ବୋପରି ଆତ୍ମସଚେତନ ଓ ଆତ୍ମନିୟନ୍ତ୍ରିତ ଜୀବନଶୈଳୀ ହିଁ ଏଭଳି ସମସ୍ୟାରୁ ନିଜକୁ, ସମାଜକୁ ଓ ପ୍ରକୃତିକୁ ଧ୍ୱଂସମୁଖରୁ ରକ୍ଷା କରିପାରିବ। ବିଡ଼ମ୍ବନା ଯେ ନୀତି ନିର୍ଦ୍ଧାରଣ କରୁଥିବା ଏବଂ ଏହାର ରୂପାୟନ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଂଶୀଦାରମାନେ ହିଁ ଅନୁପାଳନ କରିବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଆଗାମୀ ଦିନରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଜନିତ ଦୁର୍ବିପାକ ଗୁରୁତର ହେବାକୁ ଯାଉଛି। ଏହି ବୈଶ୍ୱିକ ସମସ୍ୟାର ମୁକାବିଲା ପାଇଁ ଭାରତ ସେଭଳି ପ୍ରସ୍ତୁତ ହୋଇଥିବା ହୃଦବୋଧ ହେଉନାହିଁ। ଏଭଳି ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ସବୁସ୍ତରରେ ପ୍ରସ୍ତୁତି ତ୍ୱରାନ୍ୱିତ ହେବା ଆବଶ୍ୟକ।

ଶସ୍ତା-ମହଙ୍ଗା ଭେଳିକି
ସମଗ୍ର ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ବଳବତ୍ତର ରହିଥିବା ବେଳେ ଆମ ଦେଶରେ ପରିଲକ୍ଷିତ କିଛି ସକାରାତ୍ମକ ଦିଗକୁ ନେଇ କିଛି ଅର୍ଥନୀତି ବିଶାରଦ ସମ୍ଭାବନାର ଅଙ୍କ କଷିବା ଆରମ୍ଭ କରି ଦେଇଛନ୍ତି। ଗତ ସପ୍ତାହରେ କାରବାରକୁ ଲକ୍ଷ୍ୟକଲେ ମନେ ହେଉଛି ପୁଞ୍ଜିବଜାର ସ୍ଥିତି ସୁଧାରିବା ଆରମ୍ଭ କରିଛି। ଫେବୃଆରୀ ମାସରେ ଖାଉଟି ମୁଦ୍ରାସ୍ଫୀତି ହାର ୩.୬ ପ୍ରତିଶତକୁ ହ୍ରାସ ପାଇବା ମଧ୍ୟ ଆସ୍ୱସ୍ତିର ବିଷୟ। ଏହି ଧାରା ଆଗକୁ ବଳବତ୍ତର ରହିଲେ ଜିଡିପି ବା ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧିରେ ସହାୟକ ହେବ ବୋଲି ମନେ କରାଯାଇଛି। ଏସବୁ ସତ୍ତ୍ବେ ଅର୍ଥନୀତି ଉପରୁ ବିପଦର କଳାବାଦଲ ଯେ ସମ୍ପୂର୍ଣ୍ଣ ଭାବେ ହଟି ଯାଇଛି, ଏକଥା କୁହାଯାଇ ନପାରେ। ଏପ୍ରିଲ ୨ତାରିଖ ଯେତିକି ନିକଟତର ହେଉଛି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ଶୁଳ୍କକୁ ନେଇ ସେତିକି ଆତଙ୍କ ଓ ଅବିଶ୍ୱାସର ବାତାବରଣ ଘନୀଭୂତ ହେଉଛି। ତେଣୁ ଆଜିର ଅନୁକୂଳ ପରିସ୍ଥିତି ଯେ କାଲିକୁ ପ୍ରତିକୂଳ ସ୍ଥିତି ନ ଉପୁଜାଇବ ଏକଥା କେହି ଜୋରଦେଇ କହିପାରିବେନି। ଏକପକ୍ଷରେ ୟୁରୋପୀୟ ରାଷ୍ଟ୍ରସଂଘ ଏକଜୁଟ ହେଉଥିବା ବେଳେ ପରସ୍ପର ବିରୋଧୀ ଏସୀୟରାଷ୍ଟ୍ର ମଧ୍ୟରେ ବୁଝାମଣା ଆରମ୍ଭ ହୋଇଛି। ଚୀନ୍‌‌, କୋରିଆ ଓ ଜାପାନ ପରିସ୍ଥିତିର ସମ୍ମୁଖୀନ ହେବା ସକାଶେ ମିଳିତ ନିଷ୍ପତ୍ତି ନେବାକୁ ସ୍ଥିର କରିଥିବା ଘଟଣାରୁ ସ୍ପଷ୍ଟ ହୋଇଛି ଯେ ଆଗ ସ୍ଥିତିରକ୍ଷା, ପରେ ଶତ୍ରୁତା। ଆମେ କିନ୍ତୁ କୂଟନୈତିକ ସ୍ତରରେ ଏ ପର୍ଯ୍ୟନ୍ତ କୌଣସି ସହଯୋଗୀଙ୍କ ସହ ବିଚାରବିମର୍ଶ ଆରମ୍ଭ କରିନାହୁଁ। ବରଂ ଆମେରିକା ସହ ଏକକ ବୁଝାମଣା ମାଧ୍ୟମରେ ଆମେ ସାଲିସ କରିବାକୁ ପ୍ରସ୍ତୁତ ଥିବା ଭଳି ମନେ ହେଉଛି।

ପୁଞ୍ଜି ବଜାରରେ ପରିଲକ୍ଷିତ କାରବାର ପଛରେ ବୈଦେଶିକ ଆନୁଷ୍ଠାନିକ ପୁଞ୍ଜି ନିବେଶ(ଏଫ୍‌‌ଆଇଆଇ)ର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେୟାର କ୍ରୟ କରି ଗତିଶୀଳତାକୁ ଏକ ବିଶ୍ୱସ୍ତରୀୟ ସ୍ଥିତିରେ ପହଞ୍ଚାଇବା ସେମାନଙ୍କ ଲକ୍ଷ୍ୟ। ଯେତେଦୂର ମନେହୁଏ ଝଡ଼ ଆସିବା ପୂର୍ବରୁ ସେୟାର ବିକ୍ରି କରି ଫାଇଦା ହାସଲ କରିବା ଲକ୍ଷ୍ୟରେ ସେମାନେ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଟକା ବଜାରର ଲାଭ-କ୍ଷତିର ଗଣିତ ଭିତରେ ଏବେ ୪ ପ୍ରତିଶତ କାରବାର ବୃଦ୍ଧିକୁ ନେଇ ହଠାତ୍‌‌ କିଛି ଆଶା କରିବା ଠିକ୍‌‌ ହେବ ନାହିଁ। ଅନ୍ୟ ଦିଗଟି ହେଲା ମୁଦ୍ରାସ୍ଫୀତି ଏକ ନମନୀୟ ସ୍ତରରେ ପହଞ୍ଚିଛି। ରିଜର୍ଭବ୍ୟାଙ୍କ ମୁଦ୍ରା ପ୍ରଚଳନକୁ କ୍ରମାଗତ ଭାବେ ନିୟନ୍ତ୍ରଣ କରି ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଦିଗରେ ଯେଉଁ ପ୍ରୟାସ କରିଥିଲେ, ତାହାର ସୁଫଳ ମିଳିଛି ଏକଥା ନୁହେଁ। ଅନୁକୂଳ ପାଣିପାଗ ଯୋଗୁଁଁ କୃଷି ଉତ୍ପାଦନ, ବିଶେଷକରି ପନିପରିବା, ଚାହିଦାଠାରୁ ଅଧିକ ବଜାରରେ ଉପଲବ୍ଧ ହେବାରୁ ଶସ୍ତା ହୋଇଛି। ତେଣୁ ଖାଉଟି ମୁଦ୍ରାସ୍ଫୀତି ହାର କିଛିଟା ହ୍ରାସ ପାଇଛି। ଖାଉଟି ଶସ୍ତାରେ ପାଉଥିବା ବେଳେ ଚାଷୀ ଉତ୍ପାଦନ ଖର୍ଚ୍ଚ ନ ପାଇ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛି। ସେ ଯାହାହେଉ ରିଜର୍ଭବ୍ୟାଙ୍କ ଖାଉଟି ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରେ ସୀମିତ ରଖିବା ସକାଶେ ଯେଉଁ କଟକଣା ରଖିଥିଲେ, ତାହାଠାରୁ କମ୍‌‌ ଅର୍ଥାତ ୩.୬ ପ୍ରତିଶତକୁ ହ୍ରାସ ପାଇଛି। ଏହା କିନ୍ତୁ ଋତୁକାଳୀନ ଫସଲ ଅମଳର ପ୍ରଭାବ। ଏହା ଆଗକୁ କେତେଦୂର ବଳବତ୍ତର ରହିବ, ସେ ନେଇ ସନ୍ଦେହ ଉଠିବା ସ୍ୱାଭାବିକ। ଖାଦ୍ୟ ସାମଗ୍ରୀ କହିଲେ କେବଳ ପନିପରିବାକୁ ବୁଝାଏ ନାହିଁ। ତେଲ, ଗହମ ଓ ଗହମଜାତ ଦ୍ରବ୍ୟ ଓ ଡାଲିର ବର୍ଦ୍ଧିତ ମୂଲ୍ୟ ଏବେ ମଧ୍ୟ ଅପରିବର୍ତ୍ତିତ ରହିଛି। ସେହିଭଳି ବିସ୍କୁଟ, କେକ୍‌‌ ଓ ମଇଦାରୁ ପ୍ରସ୍ତୁତ ଅନ୍ୟାନ୍ୟ ସାମଗ୍ରୀ ମୂଲ୍ୟ ବଢ଼଼ିଛି ଏବଂ ଆଗକୁ ଆହୁରି ବଢ଼଼ିବାର ସଙ୍କେତ ମିଳୁଛି। ଦୈନନ୍ଦିନ ବ୍ୟବହାର ଉପଯୋଗୀ ଏହି ସାମଗ୍ରୀ ଉପରେ ମୁଦ୍ରାସ୍ଫୀତି ହ୍ରାସର କୌଣସି ପ୍ରଭାବ ପଡ଼ିନାହିଁ।

ଏହି ଅଙ୍କକଷା ପଛରେ ବ୍ୟାଙ୍କ ସୁଧହାର ହ୍ରାସ ନିର୍ଭର କରୁଥିବାରୁ ଉଭୟ ସରକାର ଓ ରିଜର୍ଭବ୍ୟାଙ୍କ ଚାପରେ ଥିଲେ। ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସମସ୍ତ ଚାପ ସତ୍ତ୍ବେ ମୁଦ୍ରା ପ୍ରଚଳନକୁ ନିୟନ୍ତ୍ରଣରେ ରଖିଥିଲେ। ତେଣୁ ରେପୋରେଟ୍‌‌ କ୍ରମାଗତ ଭାବେ ଦୀର୍ଘଦିନ ଧରି ହ୍ରାସ ପାଇ ନ ଥିଲା। ସରକାରଙ୍କ ପକ୍ଷରୁ ଘନ ଘନ ଚାପ ସତ୍ତ୍ବେ ଖାଦ୍ୟଦ୍ରବ୍ୟର ମୁଦ୍ରାସ୍ଫୀତି ହାର ୪ ପ୍ରତିଶତକୁ ହ୍ରାସ ନ ପାଇବା ପର୍ଯ୍ୟନ୍ତ ସେ ସୁଧହାର ହ୍ରାସ କରିନଥିଲେ। ପରବର୍ତ୍ତୀ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଦୁଇମାସ ତଳେ ରେପୋ ରେଟ୍‌‌ ୬.୫ ପ୍ରତିଶତରୁ ୬.୨୫କୁ ହ୍ରାସ କରିଥିଲେ। ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ବୈଠକର ଏହି ନିଷ୍ପତ୍ତିକୁ ସେତେବେଳେ ସମୟର ଆବଶ୍ୟକତା ବୋଲି କୁହାଗଲା। ଅଥଚ ସେତେବେଳେ ଖାଉଟି ମୁଦ୍ରାସ୍ଫୀତି ହାର ୪.୩ ପ୍ରତିଶତ ଥିଲା। ଆଗାମୀ କମିଟି ବୈଠକରେ ସୁଧହାର ଅଧିକ ହ୍ରାସ କରିବା ସକାଶେ ପଥ ପରିଷ୍କାର କରାଯାଇଥିବା ଭଳି ମନେହୁଏ। ସରକାରୀ ପରିସଂଖ୍ୟାନରେ ଦର୍ଶାଯାଇଛି ଯେ ଖାଦ୍ୟଦ୍ରବ୍ୟରେ ପରିଲକ୍ଷିତ ମୁଦ୍ରାସ୍ଫୀତି ହାର ୩.୭୫ ପ୍ରତିଶତ ୨୦୨୩ ମେ’ ପରଠାରୁ ସର୍ବନିମ୍ନ ସ୍ଥିର। ଗତ ଅକ୍ଟୋବର ମାସରେ ଏହି ହାର ୧୦ ପ୍ରତିଶତ ଅତିକ୍ରମ କରିଯାଇଥିଲା।

ଏବେ ଯେଉଁ ଖାଉଟି ମୁଦ୍ରାସ୍ଫୀତି ହାର ହ୍ରାସ ସମ୍ପର୍କରେ ପରିସଂଖ୍ୟାନରେ ଦର୍ଶାଯାଉଛି, ତାହାର ପ୍ରଭାବ ଅନେକାଂଶରେ ପରିଲକ୍ଷିତ ହେଉନାହିଁ। ଅମଳ ଋତୁ ସତ୍ତ୍ବେ ଆଳୁ ଓ ପିଆଜ ମୂଲ୍ୟ କମିବା ପରିବର୍ତ୍ତେ ବଢ଼଼ିଚାଲିଛି। ଆମ ବଜାରରେ ଆଳୁ (୩ କିଲୋପ୍ରତି) ଧଡ଼ା ୬୦ ଟଙ୍କା ଓ ପିଆଜ ଧଡ଼ା ୯୦ ଟଙ୍କା। ପରିସଂଖ୍ୟାନ କହେଁ ଯେ ପିଆଜର ବାର୍ଷିକ ଦରବୃଦ୍ଧି ହାର ୩୦.୪ ପ୍ରତିଶତ ହୋଇଥିବା ବେଳେ ଆଳୁରେ ଏହା ୨୬.୪ ପ୍ରତିଶତ। ଏହି ପରିବା ଉପରେ ସବୁଠାରୁ ଅଧିକ ଚାପ ବା ଚାହିଦା ଥିଲେ ମଧ୍ୟ ତାହାର ମୂଲ୍ୟକୁ ନିୟନ୍ତ୍ରଣ କରାଯାଇପାରୁନାହିଁ। ସେହିଭଳି ସମସ୍ତ ପ୍ରକାରର ଡାଲି ମୂଲ୍ୟ କ୍ରମାଗତ ଭାବେ ବଢ଼଼ିଚାଲିଛି। ରିଫାଇନ୍‌‌ ଓ ସୋରିଷ ତେଲ ମୂଲ୍ୟ ୨୦ ରୁ ୨୨ ପ୍ରତିଶତ ବଢ଼଼ିଛି। ଗହମ ଓ ଗହମଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳତା ସବୁଠାରୁ ଅଧିକ ହୋଇଥିବାରୁ ତାହାର ମୂଲ୍ୟ ଗତ ଫେବୃଆରୀରେ ୯ ରୁ ୧୦ ପ୍ରତିଶତ ବଢ଼଼ିଛି। ଖରିଫ ଓ ରବି ଋତୁର କୃଷି ଉତ୍ପାଦନ ବୃଦ୍ଧି ନେଇ କୃଷି ବିଶେଷଜ୍ଞ ଆଶାବାଦୀ। ଉତ୍ପାଦନ କେବେ ବୃଦ୍ଧି ପାଇବ, ତାହାର ଆକଳନ ଏଠାରେ ଉଲ୍ଲେଖ କରିବାର କୌଣସି ଯଥାର୍ଥନା ନାହିଁ। କାରଣ ସବୁବର୍ଷ ସରକାର ଲକ୍ଷ୍ୟ ଧାର୍ଯ୍ୟ କରି ଆଶାର ଫସଲ ବୁଣନ୍ତି। କିନ୍ତୁ କାର୍ଯ୍ୟରେ ତାହା ପୂରଣ ହୋଇପାରେନି ଓ ଖାଉଟିଙ୍କ ଦୁଃଖ ଘୁଞ୍ଚେନି।

ଏତେ ସବୁ ତର୍ଜମାର ଉଦ୍ଦେଶ୍ୟ ହେଲା ଆଗକୁ କିଭଳି ସୁଧହାର ହ୍ରାସ ପାଇବ। ଦୀର୍ଘ ସମୟ ଧରି ବର୍ଦ୍ଧିତ ସୁଧହାର ଯୋଗୁଁଁ ନିବେଶ ବାଧାପ୍ରାପ୍ତ ହେଉଥିବା ସରକାର ଦର୍ଶାଇ ଆସିଛନ୍ତି। ଋଣ ପ୍ରଦାନ ଓ ପରିଶୋଧ କ୍ଷେତ୍ରରେ ସରକାର ଦୋହରା ନୀତି ଅବଲମ୍ବନ କରିଆସୁଥିବା ବେଳେ ବଜାର ଅବସ୍ଥାରେ ପରିଲକ୍ଷିତ ଶିଥିଳତା ପ୍ରେକ୍ଷାପଟ୍ଟରେ ନିବେଶ ପ୍ରତି ସେଭଳି ସ୍ୱତନ୍ତ୍ର ଆଗ୍ରହ ପରିଲକ୍ଷିତ ହେଉନି। କେବଳ ଏତିକି କୁହାଯାଇପାରେ କି ବାସଗୃହ, ଗାଡ଼ିମୋଟର ଓ ଅନ୍ୟାନ୍ୟ ସୌଖୀନ ସାମଗ୍ରୀ କ୍ରୟ କ୍ଷେତ୍ରରେ ଏହି ସୁଧହାର ସହାୟକ ହେବ। ଉଚ୍ଚ ମଧ୍ୟବିତ୍ତଙ୍କ ମାଧ୍ୟମରେ ବଜାର ଅର୍ଥନୀତିକୁ ସକ୍ରିୟ କରିବାରେ ଏହା ସହାୟକ ହୋଇପାରେ।

ପାକ୍‌କୁ ଆତଙ୍କୀ ଆତଙ୍କ
ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ଲୋମହର୍ଷକ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ସୁରକ୍ଷାବାହିନୀର ଅସାମର୍ଥ୍ୟ ପଦାରେ ପଡ଼ିଯାଇଛି। ମୃତାହତଙ୍କ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ଦେଇ ବିଶ୍ୱ ଜନସମୁଦାୟର ଦୃଷ୍ଟି ଏଡ଼ାଇବା ସକାଶେ ହୋଇଥିବା ଉଦ୍ୟମ ଆଉ ଲୁଚି ଛପି ନାହିଁ। ସ୍ୱୟଂଶାସନ ଓ ସ୍ୱାଧୀନତା ଦାବି କରୁଥିବା ବେଲୁଚିସ୍ତାନବାସୀଙ୍କ ସ୍ୱର ପାଲଟିଥିବା ମାନବାଧିକାର କର୍ମୀ ମେହରଙ୍ଗ ବେଲୋଚ ପ୍ରଭାବୀ ଢଙ୍ଗରେ ଜନମତ ସୃଷ୍ଟି କରୁଥିବା ବେଳେ ବେଲୋଚ ମୁକ୍ତି ସେନା (ବିଏଲ୍‌‌ଏ) ପାକିସ୍ତାନ ଉପରେ କ୍ରମାଗତ ପ୍ରହାର ଜାରି ରଖିଛନ୍ତି। ପ୍ରଥମ ଆତଙ୍କବାଦୀ ଆକ୍ରମଣ ଘଟିଛି ଗତ ମଙ୍ଗଳବାର। କ୍ୱେଟା ସହରରୁ ପେଶୱାର ଯାଉଥିବା ଜାଫର ଏକ୍ସପ୍ରେସ୍‌‌ ଉପରେ ବିଏଲ୍‌‌ଏ ଆକ୍ରମଣ କରିଥିଲା। ବିସ୍ଫୋରଣ ଘଟାଇ ରେଳଲାଇନକୁ ଧ୍ୱଂସ କରିବା ପରେ ୫୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରେନ୍‌‌ ଉପରେ ହୋଇଥିଲା ଆକ୍ରମଣ। ୩୦ ପାକ୍‌‌ ଯବାନଙ୍କୁ ନିପାତ କରିବା ପରେ ଆତଙ୍କୀ ସଂଗଠନ ୧୮୨ ଯାତ୍ରୀଙ୍କୁ ପଣବନ୍ଦୀ ରଖିଥିଲେ। ବିନିମୟରେ ସେମାନେ ପାକିସ୍ତାନରେ ଅଟକ ଥିବା ବେଲୁଚ ନାଗରିକଙ୍କ ମୁକ୍ତି ଦାବି କରିଥିଲେ। ତେବେ ଘଟଣାକ୍ରମକୁ ପାକ୍‌‌ ସେନା ଓ ବିଏଲଏ ନିଜ ନିଜ ଢଙ୍ଗରେ ତଥ୍ୟ ଉପସ୍ଥାପନ ମାଧ୍ୟମରେ ସଫଳତା ଦାବି କରିଥିଲେ ମଧ୍ୟ ଏହା ନିଶ୍ଚୟ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି। କଥା ସେତିକିରେ ଅଟକି ଯାଇନି ଗତ ଶନିବାର ପୁଲୱାମା ଘଟଣାର ପୁନରାବୃତ୍ତି ଘଟିଛି ବେଲୁଚିସ୍ତାନରେ ନୁସ୍‌‌କି ଜିଲ୍ଲାରେ। ସାତଟି ବସ୍‌‌ ଓ ଦୁଇଟି ସାମରିକ ଯାନରେ ଥିବା ପାକ୍‌‌ ସେନାଙ୍କ ଉପରେ ଅତର୍କିତ ଆକ୍ରମଣ କରାଯାଇଥିଲା। ଆଇଡି ବିସ୍ଫୋରକ ଖଚିତ କାର୍‌‌ ବସ୍‌‌କୁ ଧକ୍କା ଦେବାରୁ ତାହା ଜଳିପୋଡ଼ି ନାରଖାର ହୋଇଯାଇଥିଲା। କ୍ଷତିଗ୍ରସ୍ତ ଦୁଇଟି ବସରେ କେତେ ଯବାନ ଥିଲେ, ତାହା ସ୍ପଷ୍ଟ ହୋଇଥିଲେ ମଧ୍ୟ ବିଏଲଏ ୯୦ ନିହତ ହୋଇଥିବାର ଦାବି କରିଛି। ସରକାରୀ ଇସ୍ତାହାରରେ ଏହା କିନ୍ତୁ ୭ରେ ସୀମିତ ରହିଛି। ବେଲୁଚିସ୍ତାନ ସ୍ୱାର୍ଥ ବିନିମୟରେ ଚୀନ୍‌‌କୁ ପ୍ରାଧାନ୍ୟ ଦେଇ ପାକିସ୍ତାନ ଗ୍ରହଣ କରିଥିବା ଅର୍ଥନୈତିକ କାର୍ଯ୍ୟକ୍ରମ ବିଦ୍ୱେଷ ଓ ବିଦ୍ରୋହର ଅଗ୍ନି ସଂଯୋଗ କରିଛି।

ବେଲୁଚିସ୍ତାନର ଅସନ୍ତୋଷ ଓ ଅବିଶ୍ୱାସ ଆଜିର ନୁହେଁ। ୧୯୪୭ରେ ପାକିସ୍ତାନ ସ୍ୱାଧୀନ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କଲାବେଳେ ଏହି ବିଶାଳ ଭୂଖଣ୍ଡ ବେଲୁଚିସ୍ତାନର ଅଧିବାସୀ ସ୍ୱତନ୍ତ୍ର ରାଷ୍ଟ୍ର ଦାବି କରିଥିଲେ। କିନ୍ତୁ ପାକ୍‌‌ ସରକାର ସେନାବାହିନୀ ମାଧ୍ୟମରେ ବେଲୁଚିସ୍ତାନକୁ ନିଜ ରାଷ୍ଟ୍ରର ପରିସରଭୁକ୍ତ କରିଥିଲେ। ସେମାନଙ୍କର ସାମାଜିକ ଓ ସାଂସ୍କୃତିକ ସ୍ୱାତନ୍ତ୍ର୍ୟର ସୁରକ୍ଷା କ୍ଷେତ୍ରରେ ପଞ୍ଜାବୀ ମୁସଲମାନଙ୍କ ହସ୍ତକ୍ଷେପ ବିଦ୍ରୋହର ବୀଜ ବୁଣିଥିଲା। ରାଜନୈତିକ ସ୍ତରରେ ପଞ୍ଜାବୀ ମୁସଲମାନଙ୍କ ପାକିସ୍ତାନରେ ପ୍ରଭାବ ଓ ପତିଆରା ଏ କ୍ଷେତ୍ର ପ୍ରତିବନ୍ଧକ ସାଜିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ କି ପାକିସ୍ତାନ ସମଗ୍ର ଭୂଭାଗର ୪୪ ପ୍ରତିଶତ ଅଞ୍ଚଳର ଅଧିକାରୀ ବେଲୁଚବାସୀ। ଅଥଚ ଦେଶର ମାତ୍ର ୫ ପ୍ରତିଶତ ଲୋକ ଏହି ବୃହତ ଭୂଖଣ୍ଡରେ ଅବସ୍ଥାନ କରନ୍ତି। ସବୁଠାରୁ ବୃହତ ସୁନା ଓ ତମ୍ବା ଖଣି ଏହି ଅଞ୍ଚଳରେ ରହିଛି। ଏହାଛଡ଼ା ପ୍ରାକୃତ ଗ୍ୟାସରେ ସମୃଦ୍ଧ ରାଜ୍ୟ ଦେଶରେ ଗୁରୁତ୍ୱହୀନ ହୋଇପଡ଼ିବା କ୍ଷୋଭର ବିଷୟ। ଆରବ ସାଗରରେ ବିସ୍ତୃତ ବେଳାଭୂମି ନୌସାମର୍ଥ୍ୟ ବୃଦ୍ଧି ଦୃଷ୍ଟିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତାହାକୁ ଦୃଷ୍ଟିରେ ରଖି ଚୀନ୍‌‌ ସହାୟତାରେ ଗ୍ୱାଦର ବନ୍ଦର ନିର୍ମାଣ ଭୂ-ରାଜନୈତିକ ସାମର୍ଥ୍ୟ ବୃଦ୍ଧିରେ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ସେହିଭଳି ୫୬ ବିଲିୟନ ଡଲାର ବ୍ୟୟବରାଦରେ ଚୀନ୍‌‌ ନିର୍ମାଣ କରୁଥିବା ଚୀନ୍‌‌-ପାକିସ୍ତାନ ଇକୋନୋମିକ୍‌‌ କରିଡରର ବିରୋଧୀ ହେଉଛନ୍ତି ବେଲୁଚ ଅଧିବାସୀ। କାରଣ ବେଲୁଚିସ୍ତାନରେ ମହଜୁଦ ଥିବା ବିପୁଳ ଖଣିଜ ସମ୍ପଦର ଅଧିକାରୀ ଚୀନ ହେବା କିଛି ବିଚିତ୍ର ନୁହେଁ। ତେଣୁ ଚୀନା ଇଂଜିନିୟର ଓ ଅଧିକାରୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଜାରିରହିଛି।

ଏକ ପାକିସ୍ତାନ, ଏକ ଧର୍ମ, ଏକ ସରକାର ଓ ଏକ ଶାସନ ଭଳି ଆଭିମୁଖ୍ୟକୁ ସାକାର କରିବା ସକାଶେ ସ୍ୱାଧୀନତା ପରବର୍ତ୍ତୀ ନିଷ୍ପତ୍ତି ଓ ପଦକ୍ଷେପ ପ୍ରତି ସେ ସମୟର ଅକୁଣ୍ଠ ସମର୍ଥନରେ ବଳି ପଡ଼ିଥିଲା ବେଲୁଚିସ୍ତାନ। ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିବାର ଶକ୍ତି ଓ ସାମର୍ଥ୍ୟ ନଥିଲା ସ୍ଥାନୀୟ ଅଧିବାସୀଙ୍କର। ଜୁଲଫିକର ଅଲ୍ଲୀ ଭୁଟୋ ସରକାର ବେଲୁଚିସ୍ତାନକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରି ଯେଉଁ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିଥିଲେ, ତାହା ଦୁଇବର୍ଷ ପରେ ଭୁଶୁଡ଼ି ପଡ଼ିଥିଲା। ରାଜ୍ୟର କ୍ଷମତାସୀନ ସରକାରକୁ ଭାଙ୍ଗିଦିଆଯିବା ପରେ ସେଠାରେ ବିଦ୍ରୋହ ମୁଣ୍ଡ ଟେକିଥିଲା। ସୂଚନାଯୋଗ୍ୟ କି ସେହି ସତୁରୀ ଦଶକରେ ବେଲୁଚ ବିଦ୍ରୋହ ଦମନ କରିବା ସକାଶେ ପାକିସ୍ତାନ ସରକାର ୮୦ ହଜାର ସୈନ୍ୟ ମୁତୟନ କରି ଯେଉଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା, ସେଥିରେ ୫୦୦୦ ବେଲୁଚ ବିଦ୍ରୋହୀ ନିହତ ହେଲେ ସତ, ଇସଲାମବାଦ ମଧ୍ୟ କିଛି କମ୍‌‌ କ୍ଷତି ସହିନାହିଁ। ସେହି ଯୁଦ୍ଧରେ ୩୦୦୦ ପାକିସ୍ତାନ ସୈନ୍ୟ ନିହତ ହୋଇଥିଲେ। ଜେନେରାଲ ପରଭେଜ ମୁଶାରଫ ନିଜର ମହତାକାଂକ୍ଷା ସାକାର କରିବା ସକାଶେ ଚୀନ୍‌‌ର ପ୍ରାଧାନ୍ୟ ଓ ପତିଆରା ବୃଦ୍ଧି ସକାଶେ ଗୋଟିକ ପରେ ଗୋଟିଏ ବୃହତ୍‌‌ ପ୍ରକଳ୍ପ ତାହା ହାତକୁ ଟେକିଦେଲେ। ବେଲୁଚିସ୍ତାନର ବୃହତ୍ତର ସ୍ୱାର୍ଥ କ୍ଷତିଗ୍ରସ୍ତ ହୋଇଥିବାରୁ ବେଲୁଚି ଆତଙ୍କବାଦୀ ଆକ୍ରମଣର ନିଶାଣକୁ ଆସିଗଲେ ଚୀନ୍‌‌ ଇଂଜିନିୟର ଓ କର୍ମକର୍ତ୍ତା। ବ୍ରିଟେନ୍‌‌ ପରେ ଚୀନର ଉପନିବେଶ ସ୍ଥାପନ ଉଦ୍ୟମ ବିରୋଧରେ ଦିନକୁ ଦିନ ଜନମତ ବୃଦ୍ଧି ପାଇଲା।। କେବଳ ବିଏଲଏ ନୁହେଁ ଅନ୍ୟ ଦୁଇଟି ଆତଙ୍କବାଦୀ ସଂଗଠନ ମଧ୍ୟ ସକ୍ରିୟ ଅଛନ୍ତି। ବୃହତ୍ତର ସ୍ୱାର୍ଥରକ୍ଷା ପାଇଁ ଏମାନଙ୍କ ମଧ୍ୟରେ ତାଳମେଳ ପ୍ରତିଷ୍ଠା ହୋଇପାରିଥିବାରୁ ନିର୍ଣ୍ଣାୟକ ଆକ୍ରମଣ ପରିଲକ୍ଷିତ ହେଉଛି।

ଅବଶ୍ୟ ବେଲୁଚ ନାଗରିକଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ବେଳେ ମହିଳାଙ୍କୁ ମଣ୍ଡିରେ ନିଲାମ ଭଳି ଅମାନବୀୟ ଘଟଣା ସମ୍ପର୍କରେ ବିଶ୍ୱଜନ ସମୁଦାୟର ଦୃଷ୍ଟି ଆକର୍ଷଣ କରୁଛନ୍ତି ମେହରଙ୍ଗ ବେଲୋଚ। ଆନ୍ତର୍ଜାତିକ ମଞ୍ଚରେ ସେ ହିଁ ବେଲୁଚି ଅଧିବାସୀ ଆଶା ଓ ଆକାଂକ୍ଷାର ପ୍ରତୀକ ପାଲଟିଛନ୍ତି। ଘଟଣାକ୍ରମ ଯାହା ହେଉନା କାହିଁକି ୧୯୭୧ର ଦୁଃସ୍ୱପ୍ନ ଏବେ ମଧ୍ୟ ପାକିସ୍ତାନ ପାଇଁ ଚିନ୍ତା ଓ ଉଦ୍‌‌ବେଗର କାରଣ ହୋଇ ରହିଛି। ତେଣୁ ବେଲୁଚିସ୍ତାନ ବିଦ୍ରୋହ ପଛରେ ଭାରତର ସହଯୋଗ ଓ ସମର୍ଥନ ନାହିଁ ତ? ଏଭଳି ଏକ ପ୍ରଶ୍ନରେ ସେମାନେ ଭାରାକ୍ରାନ୍ତ। ବେଳେବେଳେ ଭାରତକୁ ଦୋଷାରୋପ ମଧ୍ୟ କରିଚାଲିଛନ୍ତି। ଅଧିକୃତ କାଶ୍ମୀର ଓ ବେଲୁଚିସ୍ତାନ ଉଭୟେ ନିଜର ସ୍ୱାଧୀନତା ଓ ସ୍ୱତନ୍ତ୍ରତା ଦାବି କରୁଛନ୍ତି। କାଶ୍ମୀରକୁ ସେମାନେ ଆତଙ୍କବାଦୀଙ୍କ ଆଡ୍ଡା ସ୍ଥଳରେ ପରିଣତ କରିଥିବାରୁ ସ୍ଥାନୀୟ ଅଧିବାସୀଙ୍କ ସ୍ୱର ନରମିଯାଇଛି। ହେଲେ ବେଲୁଚ ଅଧିବାସୀ ବିଦ୍ରୋହ ପଛରେ ଯାହାର ସହଯୋଗ କି ସମର୍ଥନ ଥାଉନା କାହିଁକି ପାକିସ୍ତାନ ଆଗକୁ ଅଧିକ ଋଣଗ୍ରସ୍ତ ହେବ ଓ ଆମ କାଶ୍ମୀର ସୀମାରେ ସାମରିକ କାର୍ଯ୍ୟକ୍ରମ ହ୍ରାସ ପାଇବ।

ଚୀନର ଚେତାବନୀ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାସୀନ ହେବା ମାତ୍ରେ ସହଯୋଗୀ ରାଷ୍ଟ୍ରଙ୍କ ବିରୋଧରେ ଯେଉଁ ଟାରିଫ ଯୁଦ୍ଧ ଆରମ୍ଭ କରିଛନ୍ତି, ତାହାର ଯେଉଁ ପ୍ରତିକୂଳ ପ୍ରଭାବ ପଡ଼ିବ ସେଥିପ୍ରତି ସଚେତନ ଥିଲା ଭଳି ମନେହୁଏନି। ଆମେରିକାବାସୀ ଭୟଙ୍କର ମୁଦ୍ରାସ୍ଫୀତି ସଂକଟର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଦେଶର ରପ୍ତାନି ସାମଗ୍ରୀ ଉପରେ ଯଦି ଟ୍ରମ୍ପ ସରକାର ଅଧିକ ଟାରିଫ ବା ଶୁଳ୍କ ଆଦାୟ କରନ୍ତି, ତେବେ ଆମେରିକା ବଜାରରେ ତାହାର ମୂଲ୍ୟ ବଢ଼଼ିବ। ତେଣୁ ବଜାର ଦର କମିବା ପରିବର୍ତ୍ତେ ବଢ଼଼ିଲେ ଦେଶର ଉପଭୋକ୍ତାଙ୍କୁ ଅଧିକରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଅବଶ୍ୟ ସେ ବାବଦରେ ଟ୍ରମ୍ପ ସରକାର ଅପେକ୍ଷାକୃତ ଅଧିକ ରାଜସ୍ୱ ଆଦାୟ କରିବେ। ଅନ୍ୟପକ୍ଷରେ ସେ ଯେଉଁ ରେସିପ୍ରୋକାଲ୍‌‌ ଟାରିଫ ପ୍ରସଙ୍ଗ ଉଠାଇଛନ୍ତି, ସେଥିରେ କିଛି ରାଷ୍ଟ୍ର ଆମେରିକୀୟ ସାମଗ୍ରୀ ଉପରୁ ଶୁଳ୍କ ହାର ହ୍ରାସ କରିବାକୁ ବାଧ୍ୟହେବେ। ଏ କ୍ଷେତ୍ରରେ ଆମେରିକାର କର୍ପୋରେଟ୍‌‌ ସଂସ୍ଥା ହିଁ କେବଳ ଉପକୃତ ହେବ। କିନ୍ତୁ ସ୍ଥାନୀୟ ବଜାର ଉପରେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବିଶ୍ୱର ପ୍ରଭାବଶାଳୀ ନିବେଶକ ୱାରେନ୍‌‌ ବଫେଟ୍‌‌ ମଧ୍ୟ ଟ୍ରମ୍ପଙ୍କ ଏହି ଟାରିଫ ନୀତିକୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଏହି ଟାରିଫ ବୋଝ ସିଧାସଳଖ ସାମଗ୍ରୀ ଉପରେ ଟିକସରେ ପରିଣତ ହେଉଥିବାରୁ ଗ୍ରାହକଙ୍କୁ ହିଁ ଏହା ଦେବାକୁ ପଡ଼ିଥାଏ। ଟ୍ରମ୍ପ ନିଜେ ଜଣେ ବ୍ୟବସାୟୀ ହୋଇଥିବାରୁ ସେ କେବଳ ଆମେରିକାର କର୍ପୋରେଟ ସଂସ୍ଥାର ସ୍ୱାର୍ଥକୁ ହିଁ ପ୍ରାଧାନ୍ୟ ପ୍ରଦାନ କରୁଛନ୍ତି। ବିପୁଳ ଭୋଟ୍‌‌ ଦେଇ ତାଙ୍କୁ ନିର୍ବାଚିତ କରିଥିବା ମତଦାତାଙ୍କୁ ଏହା ବୁଝିବା ପାଇଁ ବେଶୀ ସମୟ ଲାଗିବ ନାହିଁ।

ଆମେରିକା ବିଶ୍ୱର ସବୁଠାରୁ ବିତ୍ତଶାଳୀ ରାଷ୍ଟ୍ର। କିନ୍ତୁ ବିଶ୍ୱ ସମୁଦାୟ କହିଲେ କେବଳ ଆମେରିକାକୁ ବୁଝାଏ ନାହିଁ। ପାରସ୍ପରିକ ସମ୍ପର୍କ ଓ ବୁଝାମଣା ଭିତ୍ତିରେ ଅନ୍ୟ ରାଷ୍ଟ୍ର ସହ ସମ୍ପର୍କ ରଖିବାକୁ ପଡ଼ିଥାଏ। ଏ କ୍ଷେତ୍ରରେ କୂଟନୈତିକ ଆଚରଣ ଓ ଶାଳୀନତା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରନ, ବ୍ରିଟେନ୍‌‌ ପ୍ରଧାନମନ୍ତ୍ରୀ ଷ୍ଟାର୍ମର ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଟ୍ରମ୍ପ ଯେଉଁ ଆଚରଣ ଓ ବ୍ୟବହାର ପ୍ରଦର୍ଶନ କରିଛନ୍ତି, ତାହା ବିଶ୍ୱବାସୀଙ୍କୁ ଚକିତ କରିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବାଦ୍‌‌ ଦେଲେ ସେ ଅନ୍ୟ କୌଣସି ରାଷ୍ଟ୍ର ସହ ସୁସମ୍ପର୍କ ସ୍ଥାପନ କଲାଭଳି ମନେହେଉନାହିଁ। ଯେଉଁ ରାଷ୍ଟ୍ର ବିରୋଧରେ ନାଟୋ ସାମରିକ ମେଣ୍ଟ ଆମେରିକା ନେତୃତ୍ୱରେ ଗଠିତ ହୋଇଥିଲା, ତାହା ଏହି ପରିବର୍ତ୍ତିତ ପରିବେଶରେ ଅର୍ଥହୀନ ହୋଇପଡ଼ିଛି। ସମସ୍ତେ ଅପେକ୍ଷା କରିଛନ୍ତି ଟ୍ରମ୍ପଙ୍କୁ କିଏ ଠିକଣା ଜବାବ ଦେବ।

ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଆମେରିକାର ପ୍ରଥମ କଂଗ୍ରେସ ଅଧିବେଶନରେ ଅଭିଭାଷଣ ଦେଇ ପୁଣି ସେହି ଟାରିଫ ଯୁଦ୍ଧକୁ ଦୋହରାଇଥିଲେ। ଗତ ବୁଧବାର ଚୀନ ତାହାର ଉଚିତ ଜବାବ ରଖିଛି। ଆମେରିକାରେ ଅବସ୍ଥାପିତ ଚୀନ୍‌‌ ରାଷ୍ଟ୍ରଦୂତ କହିଛନ୍ତି ଯେ ଟ୍ରମ୍ପ ଯେଭଳି ଆଭିମୁଖ୍ୟ ରଖିବେ ତାହାର ମୁକାବିଲା କରିବାକୁ ତାଙ୍କ ଦେଶ ପ୍ରସ୍ତୁତ। ଟାରିଫ ଯୁଦ୍ଧ ହେଉ କି ବାଣିଜ୍ୟ ଯୁଦ୍ଧ, ଯେକୌଣସି ପ୍ରକାର ବିପଦକୁ ନେଇ ଚୀନ୍‌‌ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବାକୁ ପ୍ରସ୍ତୁତ ଅଛି। ସେ ଦେଇଥିବା ଆହ୍ୱାନ କେବଳ ଟ୍ରମ୍ପ ପ୍ରଶାସନ ନୁହେଁ ସମଗ୍ର ବିଶ୍ୱବାସୀଙ୍କୁ ହତଚକିତ କରିଛି। ଦୁଇପଡ଼ୋଶୀ ରାଷ୍ଟ୍ର ମେକ୍ସିକୋ ଓ କାନାଡ଼ା ଉପରେ ୨୫ ପ୍ରତିଶତ ହାରରେ ଟାରିଫ ଲଗାଇବାକୁ ଟ୍ରମ୍ପ ଘୋଷଣା କରିଛନ୍ତି। ସେହିଭଳି ଚୀନ୍‌‌ ସାମଗ୍ରୀ ଉପରୁ ୨୦ ପ୍ରତିଶତ ଶୁଳ୍କ ଆଦାୟ କରାଯିବ। ଭାରତ ଉପରେ ଏପ୍ରିଲ ୨ରୁ ରେସିପ୍ରୋକାଲ୍‌‌ ଟାରିଫ ଲାଗୁ କରାଯିବ। ବର୍ଦ୍ଧିତ ଶୁଳ୍କକୁ ନେଇ ବିଶ୍ୱ ବାଣିଜ୍ୟ ସଂଗଠନରେ ଚୀନ୍‌‌ ପଛକୁ କାନାଡ଼ା ମଧ୍ୟ ଫେରାଦ ହୋଇଛି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌‌ ଟ୍ରୁଡୋ କହିଛନ୍ତି ଯେ ଆମେରିକା ପ୍ରାୟ ୩୦ ବିଲିୟନ ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ତାଙ୍କ ଦେଶରୁ ଆମଦାନୀ କରୁଛି। ଏହା ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେଲେ କାନାଡ଼ାର ଘରୋଇ ଅର୍ଥନୀତିରେ ଗୁରୁତର ସଂକଟ ସୃଷ୍ଟି ହେବ। ଏହା ଡବ୍ଲୁଟିଓ ନିୟମର ଖୋଲା ଉଲ୍ଲଂଘନ।

ନିଜର ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ଚୀନ୍‌‌ ବିଶ୍ୱର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ହୋଇଥିବାରୁ ଟ୍ରମ୍ପଙ୍କ ଧମକରେ ଚମକି ପଡ଼ି ଲାଙ୍ଗୁଳ ଜାକିବା ଅବସ୍ଥାରେ ନାହିଁ। ବୈଷୟିକ ଜ୍ଞାନ କୌଶଳରେ ଚୀନ୍‌‌ ନିଜେ ସ୍ୱୟଂସମ୍ପୂର୍ଣ୍ଣ। ଏହାଛଡ଼ା ବିପୁଳ ମାନବ ସମ୍ବଳର ସଦୁପଯୋଗ କରି କମ୍‌‌ ଖର୍ଚ୍ଚରେ ଉତ୍ପାଦ ପ୍ରସ୍ତୁତ କରିପାରୁଥିବାରୁ ସମଗ୍ର ବିଶ୍ୱ ବଜାରରେ ତାହାର ପ୍ରାଧାନ୍ୟ ଜାହିର କରୁଛି। ଆମେରିକୀୟ ବଜାରରେ ଚୀନ୍‌‌ ସାମଗ୍ରୀର ଚାହିଦା ଅଧିକ। ତେଣୁ ବର୍ଦ୍ଧିତ ଟାରିଫରେ ସେ ଅନ୍ୟମାନଙ୍କ ଅପେକ୍ଷା କମ୍‌‌ କ୍ଷତି ସହିବ। ଆମେରିକାକୁ ବାଦ ଦେଲେ ବିଶ୍ୱର ଅନ୍ୟତ୍ର ବେପାରବଣିଜ ସମ୍ପ୍ରସାରଣ କରିବାରେ ଚୀନ୍‌‌ ସେଭଳି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବ ନାହିଁ। ଆମେରିକା ସହ ୨୦୨୪ରେ ଚୀନ୍‌‌ର ମୋଟ ବାଣିଜ୍ୟିକ କାରବାର ୫୮୨.୪ ବିଲିୟନ ଡଲାର। ସେଥିମଧ୍ୟରୁ ଚୀନ୍‌‌କୁ ମାତ୍ର ୧୪୩.୫ ବିଲିୟନ ଡଲାର ସାମଗ୍ରୀ ଆମେରିକା ରପ୍ତାନି କରୁଥିବା ବେଳେ ୪୩୮.୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରିଛି। କହିବାକୁ ଗଲେ ଆମେରିକୀୟ ବଜାର ଚୀନ ସାମଗ୍ରୀ ଉପରେ ଅଧିକ ନିର୍ଭରଶୀଳ। ସେହିଭଳି କାନାଡ଼ା ଉତ୍ପାଦନ କରୁଥିବା ସାମଗ୍ରୀର ୭୫.୯ ପ୍ରତିଶତ ଆମେରିକାକୁ ରପ୍ତାନି କରିଥାଏ। ଏହାର ମୂଲ୍ୟ ୪୧୦ ବିଲିୟନ ଡଲାର, ସେଥିମଧ୍ୟରେ ୧୦୭ ବିଲିୟନ ଡଲାର ମୂଲ୍ୟର ବିଶୋଧିତ ତୈଳ ରହିଛି। ତେଣୁ ଟ୍ରମ୍ପ ଏବେ ଯେଉଁ ବାଣିଜ୍ୟିକ ଯୁଦ୍ଧ ଆରମ୍ଭ କରିଛନ୍ତି, ତାହାର ଗୁରୁତର ପ୍ରଭାବ ଆଗାମୀ ଦିନରେ ଅନୁଭୂତ ହେବ।

ଭାରତ ପକ୍ଷରୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ସକାଶେ କିଛି ଆମେରିକୀୟ ସାମଗ୍ରୀ ଉପରୁ ଆଗୁଆ ଶୁଳ୍କ ହ୍ରାସ କରାଯାଇଛି। ଟ୍ରମ୍ପ-ମୋଦୀ ସାକ୍ଷାତ ଆଲୋଚନା ପୂର୍ବରୁ ଏହି ପ୍ରାକ୍‌‌ପ୍ରସ୍ତୁତି ହୋଇଯାଇଥିଲେ ହେଁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସେହି ରେସିପ୍ରୋକଲ ଟାରିଫ ପ୍ରସଙ୍ଗ ମଧ୍ୟ ଉଠିଥିଲା। ମାଗା + ମିଗା = ମୋଗା ସମ୍ପର୍କ ଉଲ୍ଲେଖ କରି କଥାକୁ ସୁଧାରି ନେଇଥିଲେ ମୋଦୀ। ଏସବୁ ସତ୍ତ୍ବେ ପରିସ୍ଥିତିର ଗୁରୁତ୍ୱକୁ ବିଚାର କରି ଆମେରିକୀୟ ପ୍ରତିପକ୍ଷଙ୍କ ସହ ଆଲୋଚନା ପାଇଁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ସାତଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନି ଆଲୋଚନା ପ୍ରସଙ୍ଗରେ ଯେଉଁ ଦକ୍ଷିଣପନ୍ଥୀ ରାଜନୀତି କଥା ଉଲ୍ଲେଖ କରିଛନ୍ତି, ତାହା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ଆଗାମୀ ଦିନରେ ଆମେରିକା, ଭାରତ, ଇଟାଲୀ ଓ ଆର୍ଜେଣ୍ଟିନାକୁ ନେଇ ଦକ୍ଷିଣପନ୍ଥୀ ମେଣ୍ଟ ଗଠନ ସମ୍ଭାବନା ମେଲାନିଙ୍କ ପ୍ରଚେଷ୍ଟାରେ କେତେ ଦୂର ଫଳପ୍ରଦ ହେଉଛି, ତାହା ଉପରେ ବିଶ୍ୱ ନେତୃବର୍ଗଙ୍କ ନିଶ୍ଚୟ ନଜର ରହିବ। ଏ କ୍ଷେତ୍ରରେ ମୋଦୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରନ୍ତି। କାରଣ ବିଶ୍ୱ ଦକ୍ଷିଣପନ୍ଥୀ ରାଜନୀତିର ସେ ଜଣେ ଅବିକଳ୍ପ ନେତା।

ଖସି ଯାଉଥିବା ଗୋଡ଼
ପ୍ରତିଭୂତି ବଜାର ଯେକୌଣସି ଦେଶର ଅର୍ଥନୀତି(ମାକ୍ରୋ ଇକୋନୋମି)ର ବାହକ ଓ ପ୍ରତୀକ। ଏହାର ସୂଚକାଙ୍କରେ ବୃଦ୍ଧି ଘଟିଲେ ଦେଶର ଅର୍ଥନୀତି ପ୍ରତି ନିବେଶକଙ୍କ ଆସ୍ଥା ଓ ଆଶା ପ୍ରତିଫଳିତ ହୁଏ। ପୁଞ୍ଜିର ଅନ୍ତଃସ୍ରୋତରେ ଶିଳ୍ପାୟନର ପ୍ରସାର ଓ ଭିତ୍ତିଭୂମି ବିକାଶ ତ୍ୱରାନ୍ୱିତ ହେବା ସହିତ ନିଯୁକ୍ତି ବଜାର ସମ୍ପ୍ରସାରିତ ହୋଇ ମୁଣ୍ଡପିଛା ଆୟ ବଢ଼େ ଓ ବଜାର ଅର୍ଥନୀତି ଚଳଚଞ୍ଚଳ ହୁଏ। ପ୍ରତିଭୂତି ବଜାର ସୂଚକାଙ୍କରେ ଯଦି ହ୍ରାସ ଘଟେ ତେବେ ଅର୍ଥନୀତିରେ ଏହାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୁଏ। ସମ୍ପ୍ରତି ଭାରତୀୟ ପ୍ରତିଭୂତି ବଜାରରେ ଲାଗି ରହିଥିବା ଅନିଶ୍ଚିତତା ଓ ସୂଚକାଙ୍କ ହ୍ରାସର ଧାରାରୁ ଦେଶର ଅର୍ଥନୀତି ଯେ ଠିକ୍‌‌ଠାକ୍‌‌ ନାହିଁ ତାହା ସୂଚାଇ ଦେଉଛି। ଗତ ଶୁକ୍ରବାର ତଥା ମାସର ଶେଷଦିନରେ ନିଫ୍ଟିରେ ୧.୮ % ହ୍ରାସ ଘଟି ଗତ ୨୯ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଥିବା ବେଳେ ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜ ସେନ୍‌‌ସେକ୍ସରେ ୧.୯% ହ୍ରାସ ଘଟି ଗତ ୮ ମାସର ସର୍ବନିମ୍ନ ସ୍ତରକୁ ଖସି ଆସିଛି। ଏହି ବଡ଼ଧରଣର ସ୍ଖଳନ ଯୋଗୁଁଁ ନିବେଶକମାନେ ଗୋଟିଏ ଦିନରେ ୯.୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ସେହିପରି ଗତ ପାଞ୍ଚ ମାସ ଭିତରେ ବମ୍ବେ ଷ୍ଟକ୍‌‌ ଏକ୍ସଚେଞ୍ଜର ସେନ୍‌‌ସେକ୍ସରେ ୧୪.୭ ପ୍ରତିଶତ ହ୍ରାସ ଘଟିଥିବା ବେଳେ ନିଫ୍ଟିରେ ୧୬% ହ୍ରାସ ଘଟିଛି ଏବଂ ନିବେଶକମାନେ ଏହି ପାଞ୍ଚମାସ ଭିତରେ ପ୍ରାୟ ୯୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ପ୍ରତିଭୂତି ବଜାରରେ ସ୍ଖଳନ ବାହ୍ୟ ଓ ଆଭ୍ୟନ୍ତରୀଣ ଦୁଇଟି କାରଣ ଯୋଗୁଁଁ ହୋଇଥାଏ। ଉଲ୍ଳେଖନୀୟ ଯେ ଭାରତୀୟ ପ୍ରତିଭୂତି ବଜାର ଉପରୋକ୍ତ ଦୁଇଟିଯାକ କାରକ ଦ୍ୱାରା ଆକ୍ରାନ୍ତ। ବିଶେଷକରି ବୈଦେଶିକ ପୁଞ୍ଜି ନିବେଶକମାନେ ଅଧିକରୁ ଅଧିକ ପରିମାଣରେ ଭାରତୀୟ କମ୍ପାନୀମାନଙ୍କରୁ ପୁଞ୍ଜି ପ୍ରତ୍ୟାହାର କରିନେବାରୁ ଏହି ସ୍ଥିତି ଉପୁଜିଛି। ପ୍ରଥମତଃ, ଆମେରିକା ରାଷ୍ଟ୍ରପତିଙ୍କ ନୂଆ ତାରିଫ୍‌‌ ନୀତି ଘୋଷଣା ପରେ ଭାରତର ରପ୍ତାନୀ ବାଣିଜ୍ୟ ଉତ୍କଟ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ଯାଉଥିବା ଏବଂ ଭାରତର ଶିଳ୍ପ ଓ କୃଷି ଅର୍ଥନୀତି ଗୁରୁତର ପ୍ରଭାବିତ ହେଉଥିବା ଆଶଙ୍କା କରି ବୈଦେଶିକ ପୁଞ୍ଜି ନିବେଶକମାନେ ଭାରତୀୟ ଶିଳ୍ପ ଅଂଶଧନରୁ ପ୍ରାୟ ୨.୧୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଅପରପକ୍ଷରେ ଇତିମଧ୍ୟରେ ଆମେରିକୀୟ ଡଲାର ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିବାରୁ ସେମାନେ ଆମେରିକାର ଟ୍ରେଜେରି ବଣ୍ଡରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ସ୍ୱାଭାବିକ ଧାରାର ପ୍ରଭାବ ଭାରତୀୟ ପ୍ରତିଭୂତି ବଜାରରେ ପଡ଼ିଛି। ଏହା କିନ୍ତୁ ଏକମାତ୍ର କାରଣ ନୁହେଁ। ଇତିମଧ୍ୟରେ ଭାରତୀୟ ଶିଳ୍ପ ଆଭ୍ୟନ୍ତରୀଣ ବଜାରରେ ହିଁ ଚୀନ୍‌‌ ଶିଳ୍ପ ତୁଳନାରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେଉଛି ଏବଂ ବଜାରରେ ତିଷ୍ଠି ରହିବା ପାଇଁ ସରକାରୀ ସହାୟତା ଉପରେ ନିର୍ଭର କରୁଛି। ଇତିମଧ୍ୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ଅବନତି ଘଟୁଥିବାରୁ ଆଗାମୀ ଦିନରେ ସରକାର ଆଉ ଅଧିକ ପ୍ରୋତ୍ସାହନ ଦେବାର ସମ୍ଭାବନା ‌‌କ୍ଷୀଣ। ଏହାଦ୍ୱାରା ଭାରତୀୟ ଶିଳ୍ପ ବଜାର କ୍ଷତି ସହିବା ଏକପ୍ରକାର ନିଶ୍ଚିତ। ତେଣୁ ଲାଭାଂଶ କମିବା ଭୟରେ ବୈଦେଶିକ ପୁଞ୍ଜି ନିବେଶକମାନେ ପୁ୍‌‌ଞ୍ଜି ପ୍ରତ୍ୟାହାର କରିନେବାକୁ ଉଚିତ ମଣିଛନ୍ତି।

ଭାରତୀୟ ଅର୍ଥନୀତିର ମୌଳିକ ଭିତ୍ତିଭୂମି ସୁଦୃଢ଼ ଥିବାରୁ ଭୟ କରିବାର କୌଣସି ନାହିଁ ବୋଲି ସରକାରୀ ଭାବେ କୁହାଯାଉଛି। କେବଳ ବଡ଼ବଡ଼ କମ୍ପାନୀର ଅଂଶଧନର ବଜାର ମୂଲ୍ୟ ହ୍ରାସ ପାଇଥିଲେ ମଧ୍ୟ ମଧ୍ୟମ ଓ କ୍ଷୁଦ୍ର ପ୍ରତିଭୂତି ବିଶେଷ ପ୍ରଭାବିତ ହୋଇନାହିଁ। ତେଣୁ ନିବେଶକମାନେ ଅଧୈର୍ଯ୍ୟ ଓ ଅଯଥା ଆତଙ୍କିତ ହୋଇ ଅଂଶଧନ ବିକ୍ରି କରିବା ଅନୁଚିତ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କିନ୍ତୁ ବଜାର କାରବାର ମୌଳିକ ଭିତ୍ତିଭୂମି ନୁହେଁ, ବରଂ ଚାହିଦା-ଭିତ୍ତିକ ହୋଇଥାଏ। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଗତ ଦଶବର୍ଷ ଧରି ହାରାହାରି ୬%ରୁ କମ୍‌‌ ରହିଛି। ବିଶ୍ୱ ବାଣିଜ୍ୟ ଯୁଦ୍ଧ ଉତ୍କଟ ହେବାକୁ ଯାଉଥିବାରୁ ଏହାର ପ୍ରଭାବରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ଆହୁରି ହ୍ରାସ ପାଇପାରେ। ଅପରପକ୍ଷରେ ଦରଦାମ୍‌‌ର ଉତ୍କଟ ବୃଦ୍ଧି ଯୋଗୁଁଁ ଘରୋଇ ବଜାର ମଧ୍ୟ ମାନ୍ଦା ହେବାରେ ଲାଗିଛି। ଅର୍ଥନୀତି ଉପରେ ବାହ୍ୟ ପ୍ରଭାବକୁ ନିଷ୍ପ୍ରଭ କରିବାରେ ଆଭ୍ୟନ୍ତରୀଣ ବା ଉପଭୋକ୍ତା ଅର୍ଥନୀତି(ମାଇକ୍ରୋ ଇକୋନୋମି) ଏକ ଶକ୍ତିଶାଳୀ ଓ ପ୍ରଭାବଶାଳୀ ଅସ୍ତ୍ର ରୂପେ କାର୍ଯ୍ୟ କରେ। ସୁଦୃଢ଼ ମାଇକ୍ରୋ ଇକୋନୋମି ବଳରେ ହିଁ ୨୦୦୮ରେ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାକୁ ଭାରତ ଏକମାତ୍ର ଦେଶ ଭାବେ ସଫଳତାର ସହ ମୁକାବିଲା କରିପାରିଥିଲା। ପଡ଼ୋଶୀ ଚୀନ୍‌‌ର ଏକ ସୁଦୃଢ଼ ଆଭ୍ୟନ୍ତରୀଣ ଗତିଶୀଳ ବଜାର ଥିବାରୁ ବାହ୍ୟ ପ୍ରଭାବ କିମ୍ବା ବର୍ତ୍ତମାନ ଆମେରିକାର ତାରିଫ୍‌‌ ବୃଦ୍ଧି ଘୋଷଣା ସେହି ଦେଶର ଅର୍ଥନୀତିକୁ ସେତେଟା ପ୍ରଭାବିତ କରିପାରୁନାହିଁ। ଭାରତରେ ଗତ କିଛିବର୍ଷ ହେଲା ଉପଭୋକ୍ତା ବଜାରର ମୂଳଦୁଆ ଦୋହଲିବାକୁ ଆରମ୍ଭ କରିଛି।

ଭାରତର ଆଭ୍ୟନ୍ତରୀଣ ବଜାର ସ୍ଥିତି, ଗତି, ପ୍ରକୃତିକୁ ନିବେଶକମାନେ ପରଖିବାରେ ଭୁଲ କରିନାହାନ୍ତି। ଏକପକ୍ଷରେ ନିଯୁକ୍ତି ସଂକୋଚନ ଯୋଗୁଁଁ ଉପଭୋକ୍ତାଙ୍କର କ୍ରୟଶକ୍ତି ହ୍ରାସ ପାଇ ଚାଲିଥିବା ବେଳେ ଜିଏସ୍‌‌ଟି ଜୁଲମ୍‌‌ ବଢ଼଼ିବାରେ ଲାଗିଛି। ଯେଉଁ ବିପୁଳ ରାଜସ୍ୱକୁ ନେଇ ସରକାର ପାଞ୍ଚ ଟ୍ରିଲିୟନ୍‌‌ ଡଲାର ଅର୍ଥନୀତିର ସ୍ୱପ୍ନ ଦେଖୁଛନ୍ତି, ତାହାର ମୂଳାଧାର ହେଉଛି ଜିଏସ୍‌‌ଟି। ସାଧାରଣ ଖାଉଟି ଜିଏସ୍‌‌ଟି ଜରିଆରେ ନିଜ ଆୟରୁ ସିଂହଭାଗ ସରକାରୀ ରାଜକୋଷକୁ ଦେଇସାରିବା ପରେ ଯାହା ବଳକା ରହୁଛି ସେଥିରେ ଜୀବନର ମାନ ରକ୍ଷା ଓ ସାମାଜିକ ଚଳଣି କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ସଞ୍ଚୟ ସାତସପନ ହୋଇଛି। ପୂର୍ବରୁ ସରକାରୀ ପୁଞ୍ଜି ନିବେଶରେ ଘରୋଇ ସଞ୍ଚୟର ଏକ ବଡ଼ ଅଂଶ ରହୁଥିଲା। ଏବେ କିନ୍ତୁ ସଞ୍ଚୟ ଜମା ପାଣ୍ଠି ଧୀରେ ଧୀରେ ହ୍ରାସ ପାଇ ଚାଲିଥିବାରୁ ସରକାର ବାଧ୍ୟ ହୋଇ ସମ୍ବଳ ଯୋଗାଡ଼ ପାଇଁ ଖୋଲା ବଜାର ଋଣ ଓ ବାହ୍ୟ ପୁଞ୍ଜି ଉପରେ ନିର୍ଭର କରୁଛନ୍ତି। ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଇ ଚାଲିଥିବାରୁ ଋଣ ମହଙ୍ଗା ହୋଇଚାଲିଛି। ସ୍ଥିତିରେ ସାମାନ୍ୟ ଓଲମବିଲୋମ ହେଲେ ତାହାର ପ୍ରତିଫଳନ ପ୍ରତିଭୂତି ବଜାରରେ ଦେଖାଯାଉଛି।

ତଥ୍ୟ ଓ ପରିସଂଖ୍ୟାନକୁ ବିଭ୍ରାନ୍ତ କରି ଜନମତ ହାସଲ କରାଯାଇପାରେ, କିନ୍ତୁ ତାହା ଦେଶର ସମାବେଶୀ ଓ ଦୀର୍ଘକାଳୀନ ବିକାଶର ପରିପନ୍ଥୀ। ଦୀର୍ଘଦଶବର୍ଷ ଧରି ତଥ୍ୟବିଭ୍ରାଟ ବଳରେ ବିକାଶର ବାହୁସ୍ଫୋଟର ଅସଲ ପ୍ରଭାବ ଏବେ ଅନୁଭୂତ ହେଲାଣି। କଥାରେ ଅଛି ଖସିଗଲା ଗୋଡ଼ ତଳକୁ ତଳକୁ। ଏବେ ଭାରତୀୟ ଅର୍ଥନୀତିରେ ସେହି ଆପ୍ତବାକ୍ୟର ପ୍ରତିଫଳନ ଘଟିଛି। ତେଣୁ ସରକାର ଅର୍ଥନୀତିକୁ ରାଜନୀତିର ପୁଟ ଦେଇ ରଙ୍ଗୀନ କରିବାର ମାନସିକତା ପରିହାର କରି ଏହାକୁ ଉଦ୍ଧାର କରିବାର ଉଦ୍ୟମ ଏବେଠାରୁ କରନ୍ତୁ।

ମୋଦୀଙ୍କ ମେଦ ନୀତି
ବିକଶିତ ଭାରତର ଅଗ୍ରଦୂତ ହେବେ ସୁସ୍ଥ ଓ ସୁଯୋଗ୍ୟ ମାନବ ସମ୍ବଳ। ଏ ଦିଗରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି ପୃଥୁଳକାୟ ଚେହେରା, ଯାହାକୁ ଆମେ ଓବେସିଟି ବା ମେଦବହୁଳତା ବା ମୋଟାପା କହୁଛେ। ଆମ ଦେଶରେ ପ୍ରତି ୮ ଜଣରେ ଜଣେ ପୃଥୁଳକାୟ ହୋଇଥିବାରୁ ସେମାନେ ନାନାଦି ସମସ୍ୟାର ସମ୍ମୁଖୀନ। ଆଧୁନିକ ଜୀବନଶୈଳୀରୁ ଏହା ଉଦ୍ଭବ। ବୟସ ଓ ଉଚ୍ଚତା ଅନୁପାତରେ ଶରୀର ମାଂସପେଶୀ କ୍ରମାଗତ ବୃଦ୍ଧିରୁ ଏହି ମୋଟାପଣ ସୃଷ୍ଟି ହୋଇଥାଏ। ସେମାନଙ୍କ ଚଳଣିରେ କେବଳ ଅସହଜତା ପରିଲକ୍ଷିତ ହୁଏନାହିଁ, ନାନା ମାରାତ୍ମକ ରୋଗ ମଧ୍ୟ ସେମାନଙ୍କୁ ଗ୍ରାସ କରିଥାଏ। ମଧୁମେହ, ହୃଦରୋଗ, ଯକୃତଜନିତ ସମସ୍ୟା, କର୍କଟ ଓ ମାନସିକ ରୋଗ ସେମାନଙ୍କ ଜୀବନକୁ ଦୁର୍ବିସହ କରିପକାଏ। ଏପରିକି ବ୍ୟୟବହୁଳ ଚିକିତ୍ସା ସତ୍ତ୍ବେ ସେମାନଙ୍କର ଅସମୟରେ ପ୍ରାଣହାନି ଘଟୁଥିବାର ପରିଲକ୍ଷିତ ହୋଇଛି। ଏହା ବିରୋଧରେ ସଚେତନତା ସୃଷ୍ଟି ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ କି ବାତ’ରେ ଆହ୍ୱାନ ଦେଇଛନ୍ତି। ଦେଶବ୍ୟାପୀ ଏହା ବିରୋଧରେ ସଚେତନତା ସୃଷ୍ଟି ପାଇଁ ୧୦ଜଣ ଯୋଦ୍ଧାଙ୍କୁ ମଧ୍ୟ ମନୋନୀତ କରିଛନ୍ତି। ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ଥିବା ବିଭିନ୍ନ ବର୍ଗର ପ୍ରତିନିଧି ସ୍ଥାନୀୟ ବ୍ୟକ୍ତିବିଶେଷଜ୍ଞ ଏହି କମିଟିରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ୱ ହେଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଆନନ୍ଦ ମହିନ୍ଦ୍ରା, ମୀରାବାଈ ଚାନୁ, ମନୁଭାକର, ନନ୍ଦନ ନିଲେକାନି ପ୍ରମୁଖ। ସେମାନେ ନିଜ ନିଜ ଦଳ ଗଢ଼ି ସମଗ୍ର ଦେଶରେ ‘ଫିଟ୍‌‌ନେସ୍‌‌ ସଚେତନତା’ ସୃଷ୍ଟି କରିବେ।

ଗତ ୧୧ବର୍ଷ ଧରି ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ‘ମନ୍‌‌ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟକ୍ତିବିଶେଷଙ୍କ ସଫଳତା ଓ ସରକାରୀ କାର୍ଯ୍ୟକ୍ରମର ସୂଚନା ଦେଉଛନ୍ତି। ତେବେ ହଠାତ ଏହି ‘ମୋଟାପା’ ନେଇ ସେ ଏଭଳି ଚିନ୍ତାବ୍ୟକ୍ତ କଲେ କାହିଁକି? ଏଭଳି ଏକ ପ୍ରଶ୍ନ ଅନେକଙ୍କୁ ନିଶ୍ଚୟ ଚିନ୍ତିତ କରିଥିବ। ମାତ୍ରାଧିକ ତେଲ, ମସଲା ବ୍ୟବହାର ଯଥାସମ୍ଭବ କମ୍‌‌ କରିବା ସହ ନିୟମିତ ଶାରୀରିକ ବ୍ୟାୟାମ ମାଧ୍ୟମରେ ଶାରୀରିକ ସୁସ୍ଥତା ବଜାୟ ରଖାଯାଇପାରିବ। ନିଜେ ମୋଦୀ ମଧ୍ୟ ଏଭଳି ଶୃଙ୍ଖଳା ଅନୁପାଳନ କରି ନିଜକୁ ସୁସ୍ଥ ଓ ସକ୍ରିୟ ରଖିପାରିଛନ୍ତି। ସେ ଦୃଷ୍ଟିରୁ ତାଙ୍କୁ ଆଦର୍ଶରୂପେ ଗ୍ରହଣ କରାଯାଇପାରେ। ତାଙ୍କ ‘ମନ କି ବାତ’କୁ ଅନୁଶୀଳନ କଲାବେଳେ ଗୋଟିଏ କଥା ମନକୁ ଛୁଇଁଛି। ତାହାହେଲା ପ୍ରତ୍ୟହ ଆମ ଖାଦ୍ୟରୁ ଅନ୍ୟୂନ ୧୦ ପ୍ରତିଶତ ତେଲ କମ କରିବା। ଏମିତି ଆମ ପାରିବାରିକ ଜୀବନରେ ଲକ୍ଷ୍ୟ କରିଛେ, ଖାଇବା ତେଲ ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପିଲାଙ୍କ ବରାଦ ଅନୁଯାୟୀ ସୁସ୍ୱାଦୁ ଖାଦ୍ୟ ପାଇଁ ଅଧିକ ତେଲ ବ୍ୟବହାର କରିବାକୁ ପଡୁଛି। ଏହି ଖାଦ୍ୟ ହିଁ ପିଲାଙ୍କୁ ଆବଶ୍ୟକତାଠାରୁ ଅଧିକ ମୋଟା କରିପକାଉଛି। ପିଲାଙ୍କୁ ସଚେତନ କରିବା ବା ବୁଝାଇବା ପାଇଁ ନିଜ ନିଜ ଚାକିରି ଦାୟିତ୍ୱରେ ବ୍ୟସ୍ତ, ବାପା ମା’ଙ୍କ ପାଖରେ ସମୟ ନାହିଁ। ସେହିଭଳି ଏକକ ସନ୍ତାନରେ ବିଶ୍ୱାସୀ ବାପମା’ଙ୍କ ଆଖିରେ ପିଲାଙ୍କ କ୍ୟାରିୟର ବଡ଼କଥା। ଖେଳକୁଦକୁ ଛାଡ଼ି କେବଳ ପାଠପଢ଼଼ା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ ଉତ୍ତର ପିଢ଼ିରେ ଏହି ମୋଟାପା ଅଧିକ ପରିଲକ୍ଷିତ ହେଉଛି।

ଏବେ ମୋଦୀଙ୍କ ଆହ୍ୱାନର ଅନ୍ତଃସ୍ରୋତ କ’ଣ ତାହା ଜାଣିବା। ଭାରତ ଓ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ପ୍ରେକ୍ଷାପଟ୍ଟରେ ଯଥାସମ୍ଭବ ଆମଦାନୀ ହ୍ରାସ ସକାଶେ ସରକାର ଗୁରୁତ୍ୱ ଦେଉଛନ୍ତି। ଆମେ ରୁଷରୁ ପେଟ୍ରୋଲିୟମ ଶସ୍ତାରେ ଆମଦାନୀ କରୁଥିବାରୁ ତାହା ଏବେ ୧୨୦.୧୬ ବିଲିୟନ ଡଲାରରେ ସୀମିତ ଅଛି। କିଏ ଜାଣେ ଆଗକୁ ଆମେରିକା ଚାପରେ ସେଠାରୁ ଅଧିକ ମୂଲ୍ୟଦେଇ ତେଲ କିଣିବାକୁ ପଡ଼ିପାରେ। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟଗତ କାରଣରୁ ଖାଇବା ତେଲ ଆମଦାନୀ ହ୍ରାସ ପ୍ରତି ମୋଦୀ ଗୁରୁତ୍ୱ ଦେଇଥିବା ଭଳି ମନେହୁଏ। ଏଠାରେ ଉଲ୍ଲେଖ କରାଯାଇପାରେ କି ୨୦୦୬-୦୭ରେ ଆମେ ୨.୨ ବିଲିୟନ ଡଲାର ମୂଲ୍ୟର ଖାଇବା ତେଲ ଆମଦାନୀ କରୁଥିଲୁ, ତାହା ୨୦୨୩-୨୪ରେ ୩୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରେ ଅଛି ଆମେରିକାରୁ ସବୁଠାରୁ ଅଧିକ ଆମଦାନୀ କରୁଥିବା ସୋୟାବିନ ତେଲ। ବର୍ତ୍ତମାନର ବିଷମ ପରିସ୍ଥିତି ଓ ଦେଶବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଖାଇବା ତେଲ ବ୍ୟବହାର ହ୍ରାସ କରିବା ସକାଶେ ମୋଦୀଙ୍କ ଆହ୍ୱାନର ଯଥାର୍ଥତା ରହିଛି।

ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ରାଷ୍ଟ୍ର ଆମେରିକା ଓ ଚୀନରେ ସବୁଠାରୁ ଅଧିକ ପୃଥୁଳକାୟ ବ୍ୟକ୍ତି ପରିଲକ୍ଷିତ ହେଉଥିବା ବେଳେ ଭାରତର ସ୍ଥାନ ଏ କ୍ଷେତ୍ରରେ ତୃତୀୟ। ବିଶ୍ୱର ତୃତୀୟ ଆର୍ଥିକ ଶକ୍ତି ରୂପେ ଆମେ ଏ ପର୍ଯ୍ୟନ୍ତ ନିଜକୁ ସମୃଦ୍ଧ କରିପାରି ନ ଥିଲେ ହେଁ ଏ ଦିଗରେ ଆମର ପ୍ରୟାସ ଜାରି ରହିଛି। ସମୃଦ୍ଧି ଦୃଷ୍ଟିକୋଣରୁ ମୋଟାପଣକୁ ଯଦି ବିବେଚନା କରାଯାଏ, ତେବେ ଆମର ତୃତୀୟ ସ୍ଥାନକୁ ଆର୍ଥିକ ପ୍ରଗତିର ସୂଚକ ରୂପେ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ। ଏଠାରେ ସୂଚାଇ ଦିଆଯାଇପାରେ କି ବିଶ୍ୱରେ ୧୦୩ କୋଟି ୮୦ ଲକ୍ଷ ଲୋକ ଏହି ମୋଟାପା ରୋଗରେ ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ଅଛନ୍ତି ୧୫ କୋଟି ୯୦ ଲକ୍ଷ ଶିଶୁ। ସଚେତନତା ଅଭାବରୁ ଏହା ଯେଉଁ ଅନୁପାତରେ ବୃଦ୍ଧି ପାଉଛି, ସେଥିରେ ୨୦୩୫ ସୁଦ୍ଧା ଏହା ୩୩୦ କୋଟିରେ ପହଞ୍ଚିବା କିଛି ବିଚିତ୍ର ନୁହେଁ। ୨୦୩୦ ବେଳକୁ ଆମ ଦେଶରେ ଏହି ସଂଖ୍ୟା ୨ କୋଟି ୭୦ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ମାନବ ସମ୍ବଳକୁ ଉପଯୋଗୀ ଓ ରାଷ୍ଟ୍ରଗଠନର ଆୟୁଧ ରୂପେ ଗଢ଼ିତୋଳିବା ସବୁଠାରୁ ଜରୁରୀ। ସଚେତନତା ଅଭାବରୁ ଦେଶରେ ଏହି ମୋଟାପା କ୍ରମେ ବୃଦ୍ଧି ପାଉଛି। ଏଥିରୁ ସୃଷ୍ଟ ବିଭିନ୍ନ ରୋଗ ଚିକିତ୍ସାରେ ମଧ୍ୟ ବିପୁଳ ଅର୍ଥ ବ୍ୟୟ କରାଯାଉଛି। ‘ମନ୍‌‌ କି ବାତ’ରେ ପ୍ରଧାନମନ୍ତ୍ରୀ ଯେଉଁ ସଚେତନତାର ବାର୍ତ୍ତା ଦେଇଛନ୍ତି, ତାହାକୁ ପ୍ରତି ଦେଶବାସୀଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ନେଉଛନ୍ତି ତାଙ୍କ ଯୋଦ୍ଧାମଣ୍ଡଳୀ। ଏହା ଯେ ଏକ ସମୟୋପଯୋଗୀ ଉଦ୍ୟମ, ଏଥିରେ କାହାର ଦ୍ୱିମତ ହେବାର ନାହିଁ।

ଗଣମାଧ୍ୟମର ଅତିକ୍ରିୟା
ଗଣମାଧ୍ୟମ ଲୋକଙ୍କ ସ୍ୱର ଏବଂ ସରକାର-ଜନତା ମଧ୍ୟରେ ସେତୁ ଭାବେ କାର୍ଯ୍ୟକରେ। ତେଣୁ ଗଣତନ୍ତ୍ରରେ ଗଣମାଧ୍ୟମର ମର୍ଯ୍ୟାଦା ଅତିଉଚ୍ଚରେ। ଏହା ମଧ୍ୟ ସରକାର ବଦଳାଇଦେବାର କ୍ଷମତା ରଖେ। କିନ୍ତୁ ଯଦି ଏହାର ଅପବ୍ୟବହାର ବା ଦୁରୁପଯୋଗ ହୁଏ ତେବେ ସମାଜ ଓ ଗଣତନ୍ତ୍ର ପ୍ରତି ହାନିକାରକ ସାବ୍ୟସ୍ତ ହୁଏ। ଇଣ୍ଟରନେଟ୍‌‌ର ବହୁଳ ପ୍ରସାର ଓ ହାତପାଆନ୍ତାରେ ଉପଯୋଗ ବଢିବା ସହିତ ସାମାଜିକ ଗଣମାଧ୍ୟମ ବା ଡିଜିଟାଲ୍‌‌ ମିଡିଆ ନାମରେ ଯେଉଁ ନୂଆ ଯୁଗାବତାର ଜନ୍ମ ନେଇଛି ତାହା ସେଭଳି କିଛି ନକାରାତ୍ମକ ଧାରଣାକୁ ଜନ୍ମ ଦେଉଛି। ସାମାଜିକ ଗଣମାଧ୍ୟମ ସୂଚନା ବିନିମୟ ଓ ଅଭିବ୍ୟକ୍ତିର ସ୍ୱାଧୀନତା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ସତ; କିନ୍ତୁ ଏହା ଯଦି କେବଳ ସକାରାତ୍ମକ ଉପଯୋଗରେ ସୀମିତ ରହିଥା’ନ୍ତା ତେବେ ଆଧୁନିକ ମାନବ ସଭ୍ୟତା ପ୍ରତି ବରଦାନ ସାବ୍ୟସ୍ତ ହୋଇଥା’ନ୍ତା। ଅବାଞ୍ଛିତ ଭାବେ ସାମାଜିକ ଗଣମାଧ୍ୟମର ଅଭୂତପୂର୍ବ ଲୋକପ୍ରିୟତା ସତ୍ତ୍ବେ ସମାନ୍ତରାଳ ଭାବେ ଏହା ଏକ ମିଛୁଆ ମାଧ୍ୟମର ଅପଖ୍ୟାତି ଅର୍ଜନ କରିଛି। ଏବେ ଯାହା ପାଖରେ ସ୍ମାର୍ଟଫୋନଟିଏ୍‌‌ ଅଛି ଏବଂ ସେ ଯଦି କାହା ସମ୍ପର୍କରେ କିମ୍ବା ବିରୋଧରେ କିଛି ବିଷୟରେ ଲେଖିବାକୁ ଚାହୁଁଛି, ତାହାକୁ ତନଖି କରିବାକୁ କେହି ନାହିଁ। ଯିଏ ଯାହା ପାଇଲା ସାମାଜିକ ଗଣମାଧ୍ୟମରେ ତାହା ଛାଡ଼ିଲା ଏବଂ ମାନ ନିୟନ୍ତ୍ରଣର ଅଭାବ ଏହି ମାଧ୍ୟମକୁ ଅସାମାଜିକ କରିବାରେ ବେଶି ସମୟ ଲାଗୁନାହିଁ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ଏବେ ସେଭଳି ଏକ ସାଧାରଣ ଘଟଣା ଘଟିଛି, ଯାହା ସାମାଜିକ ଗଣମାଧ୍ୟମର କୋଳାହଳରେ କ୍ରମଶଃ ଜଟିଳ ହେଉଛି। ପରିତାପର ବିଷୟ ଯେ ସାମାଜିକ ଗଣମାଧ୍ୟମର ଏଭଳି କୋଳାହଳମୟ ପରିବେଶରେ ସାମିଲ୍‌‌ ହେବା ପାଇଁ ମୁଖ୍ୟସ୍ରୋତର ଟିଆରପି ମନସ୍କ ଟିଭି ନ୍ୟାନେଲ୍‌‌ମାନେ ମଧ୍ୟ ଲୋଭ ସମ୍ବରଣ କରିପାରୁନାହାନ୍ତି। ଏଭଳି ଘଟଣାମାନ ଅତୀତରେ ଘଟିଛି, ଏବେ ଦେଖିବାକୁ ମିଳୁଛି ଏବଂ ଆଗକୁ ମଧ୍ୟ ଏଥିରେ ପ୍ରତିବନ୍ଧକ ଲାଗିବାରେ ସେଭଳି କୌଣସି ସମ୍ଭାବନା ଦିଶୁନାହିଁ।

ଏବେ ଗଣମାଧ୍ୟମରେ ଯେଉଁ ଢଙ୍ଗ ଓ ଉଦ୍ଦେଶ୍ୟରେ କିଛି ଖବର ରୀତିମତ ପ୍ରସାରିତ ହେଉଛି, ସେଥିମଧ୍ୟରୁ ଅଧିକାଂଶ ବାସ୍ତବତାଠାରୁ ଦୂରରେ। କେବଳ ସ୍ଥାନ, କାଳ, ପାତ୍ର ଅନୁଯାୟୀ ଗଣମାଧ୍ୟମ ସଂସ୍ଥାମାନଙ୍କର ଭୂମିକା ବଦଳୁଛି ଏବଂ ମଞ୍ଚରେ ଆବିର୍ଭାବ ଘଟୁଛି। ଫଳରେ ଗଣମାଧ୍ୟମ ‘କୋଳାଶ୍ରିତ’, ‘ସ୍ୱାର୍ଥାନ୍ୱେଷୀ’ ପରି ଅଯଥା ଅପବାଦ ମୁଣ୍ଡାଉଛି। ଏଭଳି ଖବର ପ୍ରସାରଣରେ କେବଳ ସରକାର, ବିଶିଷ୍ଟ ବ୍ୟକ୍ତି, ପଦାଧିକାରୀ ଅଡୁଆ ପରିସ୍ଥିତିରେ ସମ୍ମୁଖୀନ ହେଉନାହାନ୍ତି, ସାଧାରଣ ଜନତାଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ମର୍ଯ୍ୟାଦାହାନି ମଧ୍ୟ ଘଟୁଛି। ପାରମ୍ପରିକ ଗଣମାଧ୍ୟମ ନିୟନ୍ତ୍ରଣ ବ୍ୟବସ୍ଥା ସାମାଜିକ ଗଣମାଧ୍ୟମରେ ନ ରହିବାରୁ ଏଭଳି ବିଭ୍ରାଟ ଘଟୁଛି। ଏହିକ୍ରମରେ ସ୍ୱାଭାବିକ ପ୍ରଶ୍ନ ଉଠୁଛି ଯେ କେଉଁ ଖବର ମିଛ ଓ ବିଭ୍ରାନ୍ତିକର, ତାହାକୁ ନିର୍ଣ୍ଣୟ କରିବ କିଏ ବା ଏହାର ପରିଭାଷା କ’ଣ? ଏହି ପ୍ରଶ୍ନର ଉତ୍ତର ଅବଶ୍ୟ ମିଳିବା କଷ୍ଟ।

ଆମ ଦେଶରେ ସମ୍ବାଦପତ୍ରଗୁଡ଼ିକର ସୁସ୍ଥ ସାମ୍ବାଦିକତା ପରମ୍ପରାର ସଂରକ୍ଷଣ ଓ ନିୟନ୍ତ୍ରଣ ପାଇଁ ‘ପ୍ରେସ୍‌‌ କାଉନସିଲ୍‌‌ ଆଇନ-୧୯୭୮’ର ବ୍ୟବସ୍ଥା କରାଯାଇଛି। ପ୍ରଶାସନର ତ୍ରୁଟିବିଚ୍ୟୁତି ଆଦିର ଖବର ଓ ସମୀକ୍ଷାର ଅଧିକାରକୁ ଉଦ୍ଦେଶ୍ୟମୂଳକ ଭାବେ ବ୍ୟବହାର କଲେ ବା ତ୍ରୁଟିପୂର୍ଣ୍ଣ ଖବର ପ୍ରସାରିତ କଲେ ସମ୍ପୃକ୍ତ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ବିଚାର କରାଯାଇ ସେମାନଙ୍କୁ ଭୁଲ୍‌‌ ସ୍ୱୀକାର ପାଇଁ ବାଧ୍ୟ କରାଯାଉଛି। ଏହିଭଳି ଆଇନ ବ୍ୟବସ୍ଥା କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତି ଲାଗୁ ହେଉ ନାହିଁ। କାରଣ ସେମାନେ ଆତ୍ମନିୟନ୍ତ୍ରଣ ବ୍ୟବସ୍ଥାରେ ସହମତ ହୋଇଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମ ଏ ସବୁ ନିୟନ୍ତ୍ରଣ କିମ୍ବା ଆତ୍ମନିୟନ୍ତ୍ରଣରୁ ସମ୍ପୂର୍ଣ୍ଣ ମୁକ୍ତ। ଯାହା ଆଇନ କାନୁନ ଅଛି ତାହାର କାର୍ଯ୍ୟକାରିତା ତନଖି କରିବାର ବ୍ୟବସ୍ଥା ନଥିବାରୁ ପରିସ୍ଥିତି ଆହୁରି ଶୋଚନୀୟ ହୋଇପଡ଼ୁଛି।

ଏହା ଅବଶ୍ୟ ଅସ୍ୱୀକାର କରିବାର ନୁହେଁ ଯେ ସାମାଜିକ ଗଣମାଧ୍ୟମର ସୂଚନା ଓ ଖବର ପ୍ରସାରଣ ସହିତ ନିରନ୍ତର ଚାପ ଯୋଗୁଁଁ ସରକାରୀ କଳ ସକ୍ରିୟ ହେଉଛି, ଜନତାଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ହେଉଛି ଏବଂ ଅନେକ ଲୁକ୍କାୟିତଙ୍କ ଚେହେରା ପଦାକୁ ଆସୁଛି। କିନ୍ତୁ ବେଳେ ବେଳେ ସାମାଜିକ ଗଣମାଧ୍ୟମର ଅତିକ୍ରିୟା ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ବିଭ୍ରାନ୍ତ ଓ ପ୍ରଭାବିତ କରୁଛି। ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟ ଗଣମାଧ୍ୟମର ଏଭଳି ଅତିକ୍ରିୟା ପାଇଁ କ୍ଷୋଭ ପ୍ରକାଶ କରି ମନ୍ତବ୍ୟ ଦେଇଥିଲେ ଯେ ସମ୍ବାଦ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ଯେଉଁଭଳି ସାମୂହିକ ସମସ୍ୟାଗୁଡ଼ିକର ଚର୍ଚ୍ଚା କରାଯାଉଛି ସେଥିରେ ନିରପେକ୍ଷତା ରହୁନାହିଁ। ଏହା ମଧ୍ୟ ଦେଶରେ ଅଯଥା ହିଂସା ଓ ଉତ୍ତେଜନାର ପ୍ରସାରଣ ପାଇଁ ସୁଯୋଗ ଦେଉଛି। ଟିଭି ଚ୍ୟାନେଲ୍‌‌ଗୁଡ଼ିକର ନିଜସ୍ୱ କାର୍ଯ୍ୟକ୍ରମ କିମ୍ବା ଆଭିମୁଖ୍ୟ ରହିଛି ବୋଲି ସ୍ପଷ୍ଟ ଜଣାପଡ଼ୁଛି ଏବଂ ଏହା ସମାଜିକ ବିଭେଦ ଓ ବିଦ୍ୱେଷ ସୃଷ୍ଟି କରୁଛି। ସରକାର ଏହାର ନିରବ ଦ୍ରଷ୍ଟା ହୋଇ ରହିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେଇଥିଲେ। ଗଣମାଧ୍ୟମର ଉଦ୍ୟୋକ୍ତାମାନେ ମନେ ରଖିବାକୁ ହେବ ଯେ ସମ୍ବିଧାନରେ ଯେଉଁ ବାକ୍‌‌ ସ୍ୱାଧୀନତା ଅଧିକାର ଦିଆଯାଇଛି, ତାହା ସମ୍ପୂର୍ଣ୍ଣ ନିରଙ୍କୁଶ ନୁହେଁ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସମ୍ବାଦପତ୍ର ଓ ଗଣମାଧ୍ୟମମାନଙ୍କ ବାକ୍‌‌ ସ୍ୱାଧୀନତା ବିଶ୍ୱରେ ଅଗ୍ରଣୀ। କିନ୍ତୁ ସେହି ଆଳରେ ବ୍ୟକ୍ତିତ୍ୱ ହନନ ସ୍ପୃହଣୀୟ ନୁହେଁ।

ବାସ୍ତବତା ହେଉଛି ଆଜିର ନ୍ୟୁ ମିଡିଆ, ବିଶେଷକରି ସାମାଜିକ ଗଣମାଧ୍ୟମ ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିରୁ ଅତି ଉନ୍ନତ ଓ ବ୍ୟାପକ। ଏହାକୁ ନିୟନ୍ତ୍ରଣ କରିବାକୁ ଯେଉଁ କୋହଳ ଆଇନକାନୁନ ବା କଟକଣା ଅଛି, ତାହାକୁ ବ୍ୟବହାରକାରୀ ଅନାୟାସରେ ଅତିକ୍ରମ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସରକାର ଇଣ୍ଟରନେଟ୍‌‌, ସୂଚନା ଓ ମନୋରଞ୍ଜନକାରୀ ସଂସ୍ଥାଙ୍କ ପାଇଁ ଆଇନ କରିଛନ୍ତି। ଆଇନ୍‌‌ ବିରୁଦ୍ଧରେ ଯାଇ ସମାଜ ଓ ମଣିଷର କ୍ଷତି କରୁଥିବା ତଥ୍ୟ, ଦୃଶ୍ୟ ଓ ଭିଡିଓ ପ୍ରସାରିତ ହେବା କଥା ନୁହେଁ। ଏବେ କିନ୍ତୁ ବ୍ୟକ୍ତିବିଶେଷ, ହ୍ୟାକର୍ସ ଏସବୁ ପ୍ଲାଟ୍‌‌ଫର୍ମରେ ବିନା ଦ୍ୱନ୍ଦ୍ୱରେ ଓ ନିର୍ଭୟରେ ଅତ୍ୟନ୍ତ ଚତୁରତାର ସହିତ ବିଭ୍ରାନ୍ତ ଓ ବିଘ୍ନକାରୀ ଭିଡିଓ ଛାଡୁଛନ୍ତି, ଖବର ପ୍ରଚାର ପ୍ରସାର କରୁଛନ୍ତି। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆହୁରି କଠୋର ଆଇନ ଏବଂ ସୁଦୃଢ଼ ତଦାରଖକାରୀ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଭ୍ରମ ସୃଷ୍ଟିକାରୀ ଓ ମିଥ୍ୟା ଅପପ୍ରଚାର ଅନିୟନ୍ତ୍ରିତ ଡିଜିଟାଲ୍‌‌ ମଞ୍ଚଗୁଡ଼ିକ ଉପରେ ଜୋରଦାର ଲଗାମ ନ କଷିଲେ ଅର୍ଥନୀତି, ରାଜନୀତି, କୂଟନୀତି ଓ ସମାଜ ବ୍ୟବସ୍ଥା ଉପରେ ଯେଉଁ ପ୍ରଚଣ୍ଡ ଆଘାତ ହେବ, ତାହା ଅକଳନୀୟ। ଏହି ସମସ୍ୟା କେବଳ ଓଡ଼ିଶା କିମ୍ବା ଭାରତର ନୁହେଁ; ବରଂ ସମଗ୍ର ବିଶ୍ୱର। ତେଣୁ ସର୍ବୋପରି ସାମାଜିକ ଗଣମାଧ୍ୟମ ଦାୟିତ୍ୱବାନ, ବାସ୍ତବବାଦୀ ଏବଂ ବିଶ୍ୱସନୀୟ ହେବା ଆବଶ୍ୟକ।

ପୁଣି ଦଳାଚକଟା
ପ୍ରୟାଗରାଜରେ ମହାକୁମ୍ଭ ପବିତ୍ର ସ୍ନାନ ସକାଶେ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ଆଗ୍ରହ କିଛି ନୂଆ କଥା ନୁହେଁ। କିନ୍ତୁ ଆୟୋଜକଙ୍କ ପକ୍ଷରୁ ଯେଭଳି ପ୍ରଚାର ଓ ପ୍ରସାର କ୍ରମାଗତ ଭାବେ ଚାଲିଛି, ତାହାକୁ ଦୃଷ୍ଟିରେ ରଖି ଭିଡ଼ ସମ୍ଭାଳିବା ପାଇଁ ବ୍ୟବସ୍ଥିତ ଢଙ୍ଗରେ ଶୃଙ୍ଖଳାରକ୍ଷା ଦିଗରେ ଯେ ଉଚିତ ଧ୍ୟାନ ଦିଆଯାଇନାହିଁ, ତାହା ଘଟଣାକ୍ରମରୁ ସ୍ପଷ୍ଟ ହୋଇଛି। ମୌନୀ ଅମାବାସ୍ୟାରେ ଘଟିଥିବା ଦଳାଚକଟାର ଭୟାବହତା କେବଳ ଏକମାତ୍ର ଘଟଣା ନୁହେଁ। ପ୍ରୟାଗରାଜରେ ପରିଲକ୍ଷିତ ଅବ୍ୟବସ୍ଥା ଏକାଧିକ ଘଟଣାରୁ ସ୍ପଷ୍ଟ ହୋଇଛି। ଭିଡ଼ ପରିଚାଳନାରେ ବ୍ୟବସ୍ଥାଗତ ଦୁର୍ବଳତାକୁ କର୍ତ୍ତୃପକ୍ଷ ସୁଧାରିବା ପରିବର୍ତ୍ତେ ସେଥିପ୍ରତି ଆଖିବୁଜି ଦେଇଥିବା ଭଳି ମନେହୁଏ। ପ୍ରଚାର ମାଧ୍ୟମରେ ମହାକୁମ୍ଭ ପ୍ରତି ସ୍ୱତନ୍ତ୍ର ଆଗ୍ରହ ସୃଷ୍ଟି କରାଯାଉଥିବା ବେଳେ ଯାତ୍ରୀ ପରିବହନ କ୍ଷେତ୍ରରେ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ତାହା କେବଳ ସ୍ୱତନ୍ତ୍ର ଟ୍ରେନ୍‌‌ ଚଳାଚଳରେ ସୀମିତ ରହିଥିବା ଭଳି ମନେହୁଏ। ଦେଶର ସବୁଠାରୁ ଜନଗହଳିପୂର୍ଣ୍ଣ ଦିଲ୍ଲୀ ଷ୍ଟେସନରେ ସ୍ୱାଭାବିକ ଭାବେ ଯାତ୍ରୀ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବାର ଗୁରୁତ୍ୱ ରହିଛି। ଅଥଚ ସେଠାରେ ଶନିବାର ରାତିରେ ଯେଉଁ ଦଳାଚକଟା ଘଟିଲା, ତାହାକୁ ବ୍ୟବସ୍ଥାଗତ ବିଫଳତା କୁହାଯାଇପାରେ। ହାତପାହାନ୍ତା ଦୂରରେ ଅବସ୍ଥିତ ମନ୍ତ୍ରାଳୟ ଓ ଦାୟିତ୍ୱରେ ଥବା କର୍ତ୍ତୃପକ୍ଷ ଏଭଳି ଏକ ଘଟଣାକୁ କିଭଳି ଅଣଦେଖା କଲେ, ତାହା ସତରେ ଅଚିନ୍ତନୀୟ।

ସପ୍ତାହନ୍ତ ଶନିବାର ଦିଲ୍ଲୀ ଷ୍ଟେସନରୁ ପ୍ରୟାଗରାଜ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍‌‌ ଚଳାଚଳ ଘୋଷଣା କଲା ବେଳେ କର୍ତ୍ତୃପକ୍ଷ ସମ୍ଭାବ୍ୟ ଭିଡ଼ ନେଇ ପ୍ରସ୍ତୁତି ଆରମ୍ଭ କରିଦେବାର ଥିଲା। ସନ୍ଧ୍ୟାରୁ ଅସମ୍ଭାଳ ଯାତ୍ରୀ ଭିଡ଼। କ୍ରମାଗତ ଭାବେ ଭିଡ଼ ବଢ଼଼ିଚାଲିଥିବା ବେଳେ ଷ୍ଟେସନ କର୍ତ୍ତୃପକ୍ଷ ସତର୍କ ହେଲେନି କି ପରିସ୍ଥିତି ନିୟନ୍ତ୍ରଣ ସକାଶେ ସୁରକ୍ଷାବାହିନୀର ସହଯୋଗ ଲୋଡ଼ିଲେନି। ପ୍ରତି ପ୍ଲାଟଫର୍ମରେ ଲାଗିଥିବା ସିସିଟିଭି କ୍ୟାମେରାରୁ ସ୍ଥିତି ଆକଳନ କରିବାରେ କିଛି ଅସୁବିଧା ନଥିଲା। ଏପରିକି ଭିଡ଼ ଆକଳନ ସକାଶେ ସ୍ୱତନ୍ତ୍ର ସଫ୍ଟୱେର ବ୍ୟବସ୍ଥା ମଧ୍ୟ ରହିଛି। ଏତେସବୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଦିଲ୍ଲୀ ଷ୍ଟେସନରେ ଉପଲବ୍ଧ ଥିବା ବେଳେ ଏଭଳି ଅବ୍ୟବସ୍ଥାକୁ ଦୂର କରା ଯାଇ ନ ପାରିବା ନିଶ୍ଚୟ ଏକ ଅକ୍ଷମଣୀୟ ଅପରାଧ। ଉଲ୍ଲେଖଯୋଗ୍ୟ ଘଟଣା ହେଲା, ରାତି ୧୦ଟାରୁ ଆହତ ରେଳଯାତ୍ରୀଙ୍କୁ ନିକଟସ୍ଥ ଏଲ୍‌‌ଏନ୍‌‌ଜେପି ହସ୍ପିଟାଲରେ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତଙ୍କୁ ଘଟଣା ସମ୍ପର୍କରେ ଅନ୍ଧକାରରେ ରଖାଯାଇଥିଲା। ଆମର ଏଠାରେ କହିବାର କଥା ଯେ ଦୁର୍ଘଟଣା ଆଗୁଆ ସୂଚନା ଦେଇ ଘଟେନି। କିନ୍ତୁ ଷ୍ଟେସନରେ ହୋଇଥିବା ଦଳାଚକଟା ତ ଦୁର୍ଘଟଣା ନୁହେଁ, ବରଂ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ଏଭଳି ଏକ ଦୁର୍ଭାଗ୍ୟଜନକ ଦଳାଚକଟା ଘଟିବାକୁ ଦିଆଗଲା। ଅନିୟନ୍ତ୍ରିତ ଯାତ୍ରୀଭିଡ଼ ମଧ୍ୟରେ ଶେଷପର୍ଯ୍ୟନ୍ତ ମହାକୁମ୍ଭଯାତ୍ରୀଙ୍କ ଟିକଟ କଟା ଚାଲିଥିଲା। ଏକଥା ସତ ଯେ ସ୍ୱତନ୍ତ୍ର ଟ୍ରେନ ପହଞ୍ଚିବାରେ ବିଳମ୍ବ ଘଟିଛି। ଏହି ଅସମ୍ଭାଳ ଅବସ୍ଥାରେ କର୍ତ୍ତୃପକ୍ଷ ଶେଷ ମୁହୂର୍ତ୍ତରେ ପ୍ଲାଟଫର୍ମ ବଦଳାଇଦେଲେ। ଟ୍ରେନ୍‌‌ ଧରିବା ସକାଶେ ବିକଳରେ ଥିବା ଯାତ୍ରୀ ଏକ୍ସାଲେଟରରେ ତରବର ହୋଇ ୧୬ ନମ୍ବର ପ୍ଲାଟଫର୍ମ ଅଭିମୁଖେ ମାଡ଼ିଚାଲିଲେ। ତାହା ହିଁ ଥିଲା ଦଳାଚକଟାର ମୁଖ୍ୟ କାରଣ। ଏଥିରେ ୯ ମହିଳା ଓ ୫ ଶିଶୁଙ୍କ ସମେତ ୧୮ ଜଣଙ୍କ ପ୍ରାଣହାନି ଘଟିଛି। ଆମେ ପୁଣି ଥରେ କହୁଛୁ ଯେ ଏହାକୁ ରୋକାଯାଇ ପାରିଥା’ନ୍ତା। ପରିବର୍ତ୍ତିତ ବ୍ୟବସ୍ଥା ଏପରି ହୋଇଛି ଯେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଅପାରଗତା ଧରା ପଡ଼ିଯିବା ଭୟରେ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି, ଯାହା ଘଟୁଛି ଘଟିଯାଉ।

ସବୁଠାରୁ ବଡ଼ କଥା ହେଉଛି, ପ୍ରୟାଗରାଜ ଦଳାଚକଟା ହେଉ କି ଦିଲ୍ଲୀ ଷ୍ଟେସନ ଘଟଣା ହେଉ, ସବୁକଥାରେ ଦୋଷତ୍ରୁଟିକୁ ଲୁଚାଇବା ଓ ଅସଲରେ କେତେ ମଲେ ଗଲେ ତାହାକୁ ଲୋକଲୋଚନକୁ ନ ଆଣିବାରେ ଯେତେ ପ୍ରୟାସ ହେଉଛି, ସ୍ଥିତି ସୁଧାରିବାରେ ସେତିକି ହେଉନି। ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଦେଲେ କାମ ସରିଲା। ଦଳାଚକଟାରେ ଯେଉଁ ଅମୂଲ୍ୟ ଜୀବନ ହାନି ଘଟିଲା ତାହାର ମୂଲ୍ୟ ନିର୍ଦ୍ଧାରଣ କରିବ କିଏ? ସେ କ୍ଷତି କୌଣସି ସରକାର ଭରଣା କରି ପାରିବେନି। ଅତୀତରେ ଉପୁଜିଥିବା ଅନୁରୂପ ଘଟଣାବଳୀ ସମ୍ପର୍କରେ ଉଲ୍ଲେଖକରି ଏବେ ଯାହା ଘଟିଲା, ତାହା କିଛି ନୂଆ ନୁହେଁ ବୋଲି ନିଜ ଦୋଷ ଘୋଡ଼ାଇଲେ କ’ଣ କାମ ସରିଗଲା? ମହାକୁମ୍ଭରୁ ରାଜନୈତିକ ଫାଇଦା ହାସଲ ସକାଶେ ୫୦ ରୁ ଊର୍ଦ୍ଧ୍ବ କୋଟି ଲୋକ ପବିତ୍ର ସ୍ନାନ କରିବା ସମ୍ପର୍କରେ ତୁହାକୁତୁହା ପ୍ରଚାର କରି ଦେଶବାସୀଙ୍କ ମନରେ ଭାବାବେଗ ସୃଷ୍ଟି କରାଯିବାରେ କିଛି ଆପତ୍ତି ନାହିଁ। ତେବେ ସମସ୍ତଙ୍କ ପାଇଁ ସୁରକ୍ଷିତ ସୁଯୋଗ ସୃଷ୍ଟି କରିବା ଭଳି ବୃହତ୍ତର ଦାୟିତ୍ୱ ମୁଣ୍ଡାଇବାର ଯେଉଁ ଗୁରୁଦାୟିତ୍ୱ ଅଛି, ତାହାକୁ ନିଭାଇ ନପାରିଲେ ଯେ କେହି ଅଙ୍ଗୁଳି ନିର୍ଦ୍ଦେଶ କରିବ। ଅତୀତରେ କ’ଣ ଘଟିଥିଲା ତାହା ବଡ଼କଥା ନୁହେଁ, ଏବେ ତମେ ଯେ ଅସମର୍ଥ ଓ ନିପରବାୟ, ତାହା ପ୍ରମାଣିତ ହୋଇଗଲା। ଏଭଳି ଏକ ଅପ୍ରତ୍ୟାଶିତ ଘଟଣାର ଜନ୍ମଦାତା ନିଜର ଦାୟିତ୍ୱହୀନତାକୁ ସ୍ୱୀକାର ନ କଲେ ସଂଶୋଧନ ଓ ସୁଧାର ପ୍ରକ୍ରିୟା ନେଇ ଉଚିତ ଶିକ୍ଷାଲାଭ କରିପାରିବନି। କିଛି ଘଟଣା ତା’ବାଟରେ ଘଟିଯାଏ। ଆମକୁ ଆଗାମୀ ଦିନରେ ତାହାର ଯେଭଳି ପୁନରାବୃତ୍ତି ନ ଘଟେ, ସେଥିପାଇଁ ସତର୍କ ହେବାକୁ ପଡ଼ିବ। ଏଠାରେ ମନେ ରଖିବାକୁ ହେବ ଯେ ଦେଶର ବିଭିନ୍ନ ସ୍ଥାନରୁ ଶତାଧିକ ସ୍ୱତନ୍ତ୍ର ଟ୍ରେନ ପ୍ରୟାଗରାଜ ଅଭିମୁଖେ ଏବେ ମଧ୍ୟ ଯାତ୍ରା କରୁଛି। ନୂଆଦିଲ୍ଲୀ ଘଟଣାରୁ ରେଳମନ୍ତ୍ରୀ ଓ ବିଭାଗୀୟ କର୍ତ୍ତୃପକ୍ଷ ନିଶ୍ଚୟ ଉଚିତ ଶିକ୍ଷାଲାଭ କରିଥିବେ।

ମହାକୁମ୍ଭ ମେଳା ଶେଷ ହୋଇନି। ଏହା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଏହି ଶେଷଦିନରେ ପବିତ୍ର ମହାଶିବରାତ୍ରି ପଡୁଥିବାରୁ ପ୍ରୟାଗରାଜରେ ଭକ୍ତଜନତାଙ୍କ ଅସମ୍ଭବ ଭିଡ଼ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଆଶା କରିବା, ଯାହା ଘଟିଗଲାଣି ଏଥିମଧ୍ୟରେ ତାହାକୁ କିଏ ସ୍ୱୀକାର କରୁ ବା ନକରୁ, ଅନ୍ତତଃ ତାହାର ପୁନରାବୃତ୍ତି ନ ହେଉ। ଏହି ପବିତ୍ର ଦିବସର ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଜରୁରୀ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତାୟତ ଓ ମହାସ୍ନାନ ପ୍ରତି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେଇପାରିଲେ ଚଳିତବର୍ଷର ମହାକୁମ୍ଭ ପାଇଁ ଯେଉଁ ସ୍ୱତନ୍ତ୍ର ଆୟୋଜନ ହୋଇଛି, ତାହା ଅନ୍ତତଃ ସାର୍ଥକ ହେବ। ଏଠାରେ ମନେରଖିବାକୁ ହେବ ଯେ ସମୟ ସ୍ଥିର କରିବ, ଆୟୋଜନ କେତେ ସଫଳ ଓ ବିଫଳ ହୋଇଛି।