The Sakala Odia Daily Newspaper - The Sakala

ବୃକ୍ଷ ରୁଷିଲେ ପ୍ରଳୟ !
କେଉଁ ଆଦିମ କାଳରୁ ବୃକ୍ଷ ବା ଗଛ ସହିତ ଆମ ଭାରତୀୟ ସଂସ୍କୃତିର ଏକ ପୁରାତନ ସମ୍ପର୍କ ଜଡ଼ିତ, ତାହା ଅକଳନୀୟ। ତଥାପି ବିଭିନ୍ନ ସମୟରେ ବିଭିନ୍ନ ଯୁଗପୁରୁଷଙ୍କ ଆବିର୍ଭାବ ଏବଂ ସେମାନଙ୍କ ଲେଖନୀ ନିଃସୃତ ସୃଜନ, ବୃକ୍ଷ ସମ୍ପର୍କିତ ବିଭିନ୍ନ ତଥ୍ୟ ଆମ ସଂସ୍କୃତିରେ ବୃକ୍ଷର ଗୁରୁତ୍ୱକୁ ମନନ କରାଇବା ସହ ଏ ମହାଜାଗତିକ ଭାବନାକୁ ଅଧିକ ଶକ୍ତିଶାଳୀ କରି ଗଢ଼ିତୋଳେ।

ଭାରତୀୟ ସଭ୍ୟତା ବହୁ ପ୍ରାଚୀନ। ସେଥିପାଇଁ ଆମ ସଭ୍ୟତା ଓ ଆମ ସଂସ୍କୃତି ସୃଷ୍ଟିରେ ବୃକ୍ଷର ଗୁରୁତ୍ୱକୁ ସିଦ୍ଧ କରିବା ତଥା ବିଶ୍ୱସ୍ତରରେ ଏହାର ଗୁରୁତ୍ୱକୁ ଅନୁଭବ କରାଇବା ପାଇଁ ବୃକ୍ଷକୁ ଦେବତାର ସ୍ଥାନ ଦେଇଛି। ଏହା ହିଁ ପ୍ରମାଣିତ କରେ ବୃକ୍ଷ ସହିତ ଆମର ଏ ସମ୍ପର୍କ କେଡ଼େ ନିର୍ମଳ ଓ ନିବିଡ଼। ଆମ ସଂସ୍କୃତି ସର୍ବଦା ମହାନ। ଏହାକୁ ବୈଜ୍ଞାନିକ, ଦାର୍ଶିନିକ ଆଦି ଯେକୌଣସି ଦୃଷ୍ଟିକୋଣରୁ ବିଶ୍ଳେଷଣ କରାଯାଇପାରେ।

ଏହି ଚିରନ୍ତନ ଭାବନାର ବାସ୍ତବତାକୁ ଆମେ ଆଜି କିନ୍ତୁ ଅନୁଭବ କରିବାରେ ଏକ ବ୍ୟତିକ୍ରମର ବିବର୍ତ୍ତନ ମଧ୍ୟକୁ ଠେଲି ହୋଇଯାଉଛୁ; ଯାହାର ଫଳସ୍ୱରୂପ ବୃକ୍ଷ ପ୍ରତି ଥିବା ଆମର ସେ ପୁରାତନ ଭଲପାଇବା ଓ ବର୍ତ୍ତମାନ ଭଲପାଇବା ମଧ୍ୟରେ ଏକ ବିଭେଦ ସୃଷ୍ଟି ହୋଇଯାଇଛି। ଏହି ବିଭେଦକୁ ଏକାକାର କରିବା ପାଇଁଁ ଆମକୁ ଆମର ପୁରାତନ ଭାବନାକୁ ଫେରାଇ ଆଣିବାକୁ ପଡ଼ିବ। ଜାତିସଂଘ ଅଧୀନରେ କାର୍ଯ୍ୟରତ ସଂସ୍ଥା ୟୁଟିଲିଟି ବିଡର ତଥ୍ୟ ଅନୁସାରେ ଭାରତ ଗତ ୩୦ ବର୍ଷ ମଧ୍ୟରେ ପାଖାପାଖି ୬, ୬୮, ୪୦୦ ହେକ୍ଟର ଜଙ୍ଗଲ ହରାଇ ବିଶ୍ୱ ଜଙ୍ଗଲ କ୍ଷୟ କଳାତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ତାଲିକାରେ ବ୍ରାଜିଲ ଓ ଇଣ୍ଡୋନେସିଆ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ୩୦ ବର୍ଷ ମଧ୍ୟରେ ବ୍ରାଜିଲ ୧୬, ୯୫, ୭୦୦ ହେକ୍ଟର ଓ ଇଣ୍ଡୋନେସିଆ ୬, ୫୦, ୦୦୦ ହେକ୍ଟର ଜଙ୍ଗଲ ହରାଇଛନ୍ତି। ଭାରତ କେତେକ ସମୟରେ ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ୧୯୯୦ ରୁ ୨୦୨୦ ମସିହା ମଧ୍ୟରେ ସର୍ବାଧିକ ଜଙ୍ଗଲ ହରାଇଥିବା ଦେଶ ତାଲିକାରେ ଭାରତ ଥିଲା ପ୍ରଥମ। ଏହି ସମୟରେ ଭାରତ ପ୍ରାୟ ୨, ୮୪, ୪୦୦ ହେକ୍ଟର ଜଙ୍ଗଲ ହରାଇଥିଲା। ପୂର୍ବ ତୁଳନାରେ ଭାରତ ୨୦୦୦ ମସିହାଠାରୁ ଏଯାବତ ପାଖାପାଖି ୫.୬ % ଗଛ ହରାଇଛି।

ଜାତିସଂଘର ଅନ୍ୟ ଏକ ଚିନ୍ତନୀୟ ତଥ୍ୟ ଅନୁସାରେ ଆମ ସବୁଜ ଗ୍ରହ ତା’ର ସବୁଜତାକୁ ହରାଇବାରେ ଦ୍ରୁତ ଅଗ୍ରସର। ୨୦୨୦ ମସିହାର ଜାତିସଂଘର ଏହି ରିପୋର୍ଟ ଅନୁସାରେ ପୃଥିବୀ ପ୍ରତିବର୍ଷ ୭୦, ୦୦, ୦୦୦ ହେକ୍ଟର ଜଙ୍ଗଲ ହରାଉଛି। ପରିଣାମ ସ୍ୱରୂପ ପ୍ରତିବର୍ଷ ବିଶ୍ୱତାପନର ବିଷ ବଳୟ ମଧ୍ୟକୁ ଆମେ ଆପଣାଛାଏଁ ଝାସ ଦେଇଚାଲିଛୁ। ଅଙ୍ଗାରକାମ୍ଳର ଅାଁ ମଧ୍ୟରେ କବଳିତ ହେବାରେ ଆମେ ମଧ୍ୟ ପଛରେ ନାହୁଁ। ବର୍ଷକୁ ବର୍ଷ ଅଙ୍ଗାରକାମ୍ଳର ନିର୍ଗମନ ବଢ଼଼ିବାରେ ଲାଗିଛି। ଏହି ସୂତ୍ରରେ ଆମ ରାଜଧାନୀ ଦିଲ୍ଳୀର କଥା କାହାକୁ ଅବା ଅଜଣା। ଏଥିସହିତ ତାପମାତ୍ରାର ଅହେତୁକ ବୃଦ୍ଧି ଜଳଭାଗ ମଧ୍ୟରେ ଦଣ୍ଡାୟମାନ ସୁଉଚ୍ଚ ବରଫ ପାହାଡ଼କୁ ଦ୍ରୁତ ବେଗରେ ତରଳାଇବାରେ ଲାଗିଛି ଓ ସ୍ଥଳଭାଗର ପରିମାଣକୁ ଗିଳି ଚାଲିଛି। ଏହି ଧାରା ଯଦି ବଜାୟ ରହେ ବିଶ୍ୱର ପ୍ରମୁଖ ମହାନଗରୀ ଯଥା ଭାରତର ମୁମ୍ୱାଇ, ଜାପାନର ଟୋକିଓ, ଆମେରିକାର ନ୍ୟୁୟର୍କ, ମାୟାମି, ଚୀନର ସାଂଘାଇ ୨୦୫୦ ସୁଦ୍ଧା ଜଳସମାଧି ନେବାର ଆଶଙ୍କା ଅସତ୍ୟ ହୋଇ ନ ପାରେ। ପୁଣି ବିଶ୍ୱତାପନ ଏହି ବେଗରେ ବଢ଼଼ିଚାଲିଲେ ୨୦୫୦ ମସିହା ବେଳକୁ ଏହା ଶିଳ୍ପ ବିପ୍ଳବ ପୂର୍ବବର୍ତ୍ତୀ ସମୟର ୨-୪ ଡିଗ୍ରୀ ବୃଦ୍ଧି ପାଇଯିବ। ଏହାଫଳରେ ସମ୍ଭବତଃ ଜୀବଜଗତ ଏକ ମରୁଭୂମିରେ ପରିଣତ ହୋଇପାରେ।

ଆମେ ମିଳିମିଶି ଜୀବଜଗତକୁ ଜୀବନ ଧାରଣ ପାଇଁ ଅଯୋଗ୍ୟ କରିପକାଉଛୁ। ତଥାପି ଗଛଟିଏ ସବୁ ବିପଦର ବିଷକୁ ପାନ କରି ଆମ ପାଇଁ ଶିବ ପାଲଟିଛି। ସକଳ ଜୀବଜଗତର କଲ୍ୟାଣାର୍ଥେ ଦେବାଧିଦେବ ମହାଦେବ ଶିବ ସଦାସର୍ବଦା ସ୍ଥିର, ଧ୍ୟାନମଗ୍ନ। ସେହିପରି ଗଛଟିଏ ମଧ୍ୟ ଗୋଟିଏ ସ୍ଥାନରେ ସ୍ଥିର ହୋଇ ସଦାସର୍ବଦା ଧ୍ୟାନମଗ୍ନ ଆମ ଜୀବଜଗତର ସକଳ କଲ୍ୟାଣ ପାଇଁ। ଶିବ ସକଳ ଶକ୍ତିର ପ୍ରତିରୂପ। ଏହି ଶକ୍ତି ପରି ବୃକ୍ଷ ସୂର୍ଯ୍ୟଙ୍କ ତାପଶକ୍ତିର ଜ୍ୱାଳାକୁ ଶୋଷଣ ପୂର୍ବକ ଖାଦ୍ୟରୂପରେ ଆମଠାରେ ଉପଲବ୍ଧ କରାଏ। ପ୍ରତିକ୍ଷଣରେ ଅଙ୍ଗାରକାମ୍ଳ ରୂପକ ବିଷକୁ ଅନବରତ ପାନକରି ଆମକୁ ଅମ୍ଳଜାନର ଅମୃତ ଦେଇଚାଲିଛି। ଏଣୁ ଗଛଟିଏ ଆମ ପାଇଁ ସତ୍ୟ ସନାତନର ଅନ୍ୟତମ ରୂପ – ଶିବ।

ବୃକ୍ଷଲତାକୁ କେବଳ ଶିବ ରୂପରେ ଗ୍ରହଣ କରିନେଲେ ଆମର ଦାୟିତ୍ୱ ସରିଯିବ ନାହିଁ। ଆମ ମନରେ ଏ ପ୍ରଶ୍ନ ମଧ୍ୟ ଉଠିବା ଦରକାର ଯେ ଆମେ ଆଉ କେତେଦିନ ଭସ୍ମାସୁର ସାଜି ଏ ଶିବରୂପୀ ବୃକ୍ଷ ଦେବତାଙ୍କୁ ବିଷ ପିଆଇ ଚାଲିବୁ! ଆମେ ଯଦି ଆମର ଶିବ ପୂଜାକୁ କେବଳ ମନ୍ଦିର ମଧ୍ୟରେ ସୀମିତ ନ ରଖି ସେହି ପରମ ଆରାଧ୍ୟଙ୍କୁ ଆମ ଚତୁଃପାର୍ଶ୍ବରେ ବୃକ୍ଷ ରୂପରେ ପ୍ରତିଷ୍ଠା କରି ମନ ତଥା ହୃଦୟର ସମର୍ପଣ କରୁ ତାହା ହେବ ଆମ ପାଇଁ ଶ୍ରେଷ୍ଠ ଶିବପୂଜା।

ମନେ ରଖିବାକୁ ହେବ ଶିବ ରୁଷିଲେ ତାଣ୍ଡବ, ବୃକ୍ଷ  ରୁଷିଲେ ପ୍ରଳୟ। ତେଣୁ ଆମର ଏ ସର୍ବପୁରାତନ ସମ୍ପର୍କକୁ ଚିରନ୍ତନ କରିବା ପୂର୍ବକ ବୃକ୍ଷରୋପଣର ପବିତ୍ରତମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଆଜିର ଅବକ୍ଷୟମୁଖୀ ପ୍ରକୃତିର ଆହ୍ୱାନ ଅଟେ। ଏଣୁ ଏହି ଆହ୍ୱାନକୁ ସହୃଦୟତାର ସହ ସ୍ୱୀକାର କରିବା ସହିତ ପ୍ରକୃତିର ପ୍ରିୟ ପୁତ୍ର ଓ ପୁତ୍ରୀ ହୋଇ ଜୀବଜଗତ ତଥା ପରିବେଶକୁ ଶିବମୟ କରିବା।

ଚନ୍ଦନ କୁମାର ଦାସ

ଭୋଗରାଇ, ମୋ: ୮୧୧୪୩୪୫୯୮୮

ଚଳଚଞ୍ଚଳ ବିଶ୍ୱ ସୁନାବଜାର
ବିଶ୍ୱବଜାରରେ ଯୁଗପତ୍‌‌ ସୁନାର ମୂଲ୍ୟ ଓ ଚାହିଦା ବଢ଼଼ିବା ଭାରତ ଭଳି ଅନେକ ବିକାଶଶୀଳ ରାଷ୍ଟ୍ରଙ୍କ ପାଇଁ ଚିନ୍ତାଜନକ ଖବର। ଏହି ଦାମୀ ହଳଦିଆ ଧାତୁ ବିଶ୍ୱ ଅର୍ଥନୀତିର ସ୍ଥିରତା ରକ୍ଷାକାରୀ। ଅନେକଙ୍କ ପାଇଁ ଏହା ସମସ୍ତଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ନଗଦ ଅର୍ଥ କିମ୍ବା ବାସ୍ତବ ବୀମା ପଲିସି। କେବଳ ସେତିକି ନୁହେଁ ଆଜିକାଲିର ନୂଆ ଆଇଟି ଟେକ୍‌‌ନୋଲୋଜି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ସଫ୍ଟଓୟାର ପ୍ରସ୍ତୁତିରେ ସୁନା ଏବଂ ଅନ୍ୟାନ୍ୟ ବିରଳ ମୂଲ୍ୟବାନ ଧାତୁର ବ୍ୟବହାର ଅଧିକ ହେଉଛି। ଏପରିକି ଆମ ସ୍ମାର୍ଟଫୋନ୍‌‌, ସେମିକଣ୍ଡକ୍ଟର ଆଦିରେ ଅଳ୍ପ ପରିମାଣରେ ସୁନା ବ୍ୟବହାର କରାଯାଉଛି, ଏହାର ବିଶେଷ ନମନୀୟତା ଗୁଣ ପାଇଁ।

ସୁନାର ଚାହିଦା ଅନୁସାରେ ଏହାର ଉତ୍ପାଦନ କମ୍‌‌। କୋଭିଡ୍‌‌ ମହାମାରୀ ପରଠାରୁ ସୁନାର ଦାମ ବଢ଼଼ିବାକୁ ଲାଗିଛି। ଯୁଦ୍ଧ, ଆନ୍ତର୍ଜାତିକ ଅର୍ଥ ବ୍ୟବସ୍ଥା ଓ ତୈଳ ମୂଲ୍ୟ ସହ ସୁନା ମୂଲ୍ୟର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। ନିବେଶକ ତୈଳବଜାର ଓ ଅର୍ଥ ବ୍ୟବସ୍ଥାରେ ଅସ୍ଥିରତା ଦେଖିଲେ ସୁନା ଅଧିକ କିଣି ନିଜର ଅର୍ଥକୁ ସୁରକ୍ଷିତ ରଖିଥା’ନ୍ତି। ତେଣୁ ସୁନାର ମୂଲ୍ୟ ସର୍ବଦା ବଢ଼େ, ଏହାର ଲାଭ କ୍ୱଚିତ କମେ। ଯାହା କମେ ତାହା କିଛି ନୁହେଁ। ତେଣୁ ଏହା ନିବେଶକଙ୍କ ପାଇଁ ସବୁଠୁ ନିରାପଦ ନିବେଶ।

ରୁଷ-ୟୁକ୍ରେନ୍‌‌ ଯୁଦ୍ଧ ପରେ ଆନ୍ତର୍ଜାତିକ ବଜାରରେ ସୁନାର ମୂଲ୍ୟ ହଠାତ୍‌‌ ଆକାଶଛୁଆଁ ହେବା ଆରମ୍ଭ କଲା। ତତ୍‌‌ପରବର୍ତ୍ତୀ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା, ଇସ୍ରାଏଲ୍‌‌-ହମାସ ଲଢ଼େଇ ଓ ଆନ୍ତର୍ଜାତିକ ତୈଳବଜାରର ଅସ୍ଥିରତା ଫଳରେ ନିବେଶକ, ଧନାଢ଼୍ୟ ବ୍ୟକ୍ତି ସୁନାରେ ଅଧିକରୁ ଅଧିକ ନିବେଶ କରିବାକୁ ଲାଗିଲେ। ତେଣୁ ବଜାରରେ ସୁନା ଭାଉ ହୁ ହୁ ହୋଇ ବଢ଼଼ିଲା। ଆହୁରି ମଧ୍ୟ ଚୀନ୍‌‌, ଭାରତ ସମେତ ବିଶ୍ୱର ବଡ଼ ବଡ଼ ଦେଶ ନିଜର ଅର୍ଥନୀତିକୁ ସୁଦୃଢ଼ କରିବାକୁ ନିଜ ନିଜ କେନ୍ଦ୍ରୀୟ ବ୍ୟାଙ୍କ ଜରିଆରେ ଅଧିକରୁ ଅଧିକ ସୁନା କିଣି ଚାଲିଛନ୍ତି। ତେଣୁ ସୁନାର ମୂଲ୍ୟ ବଢ଼଼ିବା ସ୍ୱାଭାବିକ।

ଏବେ ଚୀନ୍‌‌ ସରକାର ଯେଉଁ ପରିମାଣର ସୁନା କିଣୁଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଦେବାଭଳି। କୁହାଯାଉଛି ଯେ ଚୀନ୍‌‌ରେ ଯେଉଁ ମାତ୍ରାରେ ସୁନା କିଣାଯାଉଛି, ସେଥିରୁ ମନେ ହେଉଛି ଯେ ସତେଯେପରି ଆଗକୁ ସୁନା ଆଉ ମୋଟେ ମିଳିବ ନାହିଁ। ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌‌ ଅର୍ଥନୀତି ଚୀନ୍‌‌ ଏହି ପ୍ରଚୁର ସୁନା କିଣିବା ପଛରେ ରହିଛି ତାହାର ଆର୍ଥିକ ମାନ୍ଦାବସ୍ଥା ଏବଂ ବିଶ୍ୱରେ ଚାଲିଥିବା ଯୁଦ୍ଧ ବିଗ୍ରହ ଜନିତ ସ୍ଥିତି। ଚୀନ୍‌‌ ଅର୍ଥନୀତି ଏବେ ମାନ୍ଦା ଥିବାରୁ ନିବେଶକ ସେଠାରେ କମ୍‌‌ ପୁଞ୍ଜି ଲଗାଉଛନ୍ତି। ତେଣୁ ନିଜ ଅର୍ଥନୀତିକୁ ସମ୍ଭାଳି ରଖିବାକୁ ଚୀନ୍‌‌ ନିଜପାଖରେ ଥିବା ପ୍ରଚୁର ଅର୍ଥକୁ ସୁନାରେ ନିବେଶ କରି ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚାହୁଁଛି। ଏବେ କୋଠାବାଡ଼ି ନିର୍ମାଣ ବ୍ୟବସାୟ ଓ ଷ୍ଟକ୍‌‌ମାର୍କେଟରେ ନିବେଶ ବିଶେଷ ଲାଭଜନକ ହେଉନାହିଁ। ତେଣୁ ପଇସାବାଲା ଲୋକେ ସୁନା ଅଧିକ ପରିମାଣରେ କିଣିବାରୁ ବିଶ୍ୱ ବଜାରରେ ଏହି ହଳଦିଆ ଧାତୁର ମୂଲ୍ୟ ଆଉନ୍ସ (୨୮.୩୫ଗ୍ରାମ) ମୂଲ୍ୟ ପ୍ରାୟ ୨୩୨୮ ଆମେରିକୀୟ ଡଲାର। ଭାରତୀୟ ମୁଦ୍ରାରେ ପ୍ରାୟ ଦୁଇଲକ୍ଷ ଟଙ୍କା। ଚୀନ୍‌‌ ସରକାର ଆମେରିକୀୟ ଋଣ ପରିଶୋଧ କରିବାକୁ ଏବେ ସୁନାର ଆଶ୍ରୟ ନେଇଛି।

ଆମେରିକୀୟ ଡଲାର ବିଶ୍ୱର ସବୁଠୁ ପ୍ରଭାବଶାଳୀ ମୁଦ୍ରା ଓ ଏହାର ଚାହିଦା ସର୍ବାଧିକ। ସମଗ୍ର ବିଶ୍ୱର ସର୍ବାଧିକ ବାଣିଜ୍ୟ କାରବାର ଆମେରିକୀୟ ଡଲାରରେ ହୋଇଥାଏ। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ତାହାର ସୁଧହାର ଉଚ୍ଚା ରଖିଛି ଓ ଏହା ଅଧିକ କାଳ ରହିବ ବୋଲି ଘୋଷଣା କରିଛି। ଏହାଫଳରେ ଟଙ୍କା (ରୁପି) ସମେତ ବିଶ୍ୱର ସବୁ ପ୍ରମୁଖ ଦେଶର ମୁଦ୍ରାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ହ୍ରାସ ପାଉଛି। ତେଣୁ ନିବେଶକ ଓ ବିଭିନ୍ନ ଦେଶ ସୁନା କିଣି ନିଜର ମୁଦ୍ରାର ମୂଲ୍ୟକୁ ସ୍ଥିର ରଖିବାକୁ ଚେଷ୍ଟା କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ପରିସ୍ଥିତିର ମୁକାବିଲା ପାଇଁ ସୁନା କିଣିବାକୁ ବାଧ୍ୟ ହେଉଛି।

ଭାରତ ପାରମ୍ପରିକ ଭାବେ ଏକ ସୁନାପ୍ରେମୀ ଦେଶ। ପ୍ରତ୍ୟେକ ସ୍ୱଚ୍ଛଳ ପରିବାର ଗହଣା ଗାଣ୍ଠି ରୂପେ ସୁନା କିଣିବାକୁ ପସନ୍ଦ କରନ୍ତି ଏବଂ ଏହାକୁ ଜୀବନ ତଥା ପରିବାରର ଏକ ସ୍ଥାୟୀ ଜମା ଭାବେ ବିଚାର କରିଥା’ନ୍ତି। ବିବାହବ୍ରତ ଆଦି ସାଂସ୍କୃତିକ ଉତ୍ସବାନୁଷ୍ଠାନରେ ମଧ୍ୟ ସୁନାର ଚାହିଦା ଭାରତରେ ବୃଦ୍ଧି ପାଇଥାଏ। ଭାରତରେ କନ୍ୟାପିତା ଯେତେ ଗରିବ ହେଲେ ମଧ୍ୟ ବର ଓ କନ୍ୟା ପାଇଁ ସୁନା ଅଳଙ୍କାର କିଣିବା ଏକ ଅଲିଖିତ ନିୟମ ଓ ପରମ୍ପରା ହୋଇଆସିଛି। ଅକ୍ଷୟ ତୃତୀୟା, ଧନ୍‌‌ ତେରାଶ, ଦୀପାବଳି ଭଳି ଉତ୍ସବାନୁଷ୍ଠାନରେ ଲୋକେ ସୁନା କିଣିବାକୁ ଶୁଭ ବୋଲି ବିଚାର କରନ୍ତି। ତେବେ ପରିତାପର ବିଷୟ ହେଲା ସୁନା ଉତ୍ପାଦନରେ ଭାରତର ସ୍ଥିତି ନଗଣ୍ୟ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଆମଦାନି ଉପରେ ନିର୍ଭର କରେ। ମାତ୍ର ଦେଢ଼ବର୍ଷ ମଧ୍ୟରେ କିନ୍ତୁ ସୁନାର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ୫୦ ଶତାଂଶରୁ ଅଧିକ ବଢ଼଼ିଥିବା ବେଳେ ଭାରତରେ ଏହା ପ୍ରାୟ ଦୁଇଗୁଣ ହୋଇଛି।

ଘରୋଇ ଗ୍ରାହକ ସମେତ ନିବେଶକ, ସରକାର, କେନ୍ଦ୍ରୀୟ ବ୍ୟାଙ୍କ, ଦେଶର ଅର୍ଥନୀତି, ଆନ୍ତର୍ଜାତିକ ବାଣିଜ୍ୟ ଓ ଋଣ ପରିଶୋଧ ପାଇଁ ସୁନାର ଆବଶ୍ୟକତା ବହୁ ଅଧିକ। ଆମ ଅର୍ଥନୀତି ବିଶ୍ୱର ତୃତୀୟ ସର୍ବବୃହତ୍‌‌ ହେବାକୁ ଯାଉଛି। ଏବେ ଭାରତର ଅର୍ଥନୀତିର ଆକାର ୩.୭ ଟ୍ରିଲିୟନ ଡଲାର। ୨୦୩୦ ସୁଦ୍ଧା ଏହା ଛ’ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଏତେବଡ଼ ଅର୍ଥନୀତିକୁ ଗ୍ୟାରେଣ୍ଟି ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ପାଖରେ ଆବଶ୍ୟକ ପରିମାଣର ସୁନା ରହିବା ଦରକାର। ସରକାର ସେ ଦିଗରେ ସଚେତନ ଥିବେ, ସେ ବିଶ୍ୱାସ ଆମର ରହିଛି। ବଡ଼ କଥା ହେଲା ସ୍ୱର୍ଣ୍ଣପ୍ରିୟ ଭାରତୀୟଙ୍କ ପାଖରେ ବ୍ୟକ୍ତିଗତ ଯେତେ ପରିମାଣର ସୁନା ଓ ଅଳଙ୍କାର ରହିଛି, ତାହା ସମସ୍ତଙ୍କୁ ଚକିତ କରିପାରେ। ଗଣମାଧ୍ୟମ ତଥ୍ୟ ଅନୁସାରେ ଭାରତରେ ବିଭିନ୍ନ ପରିବାରରେ ଥିବା ସୁନାର ପରିମାଣ ପ୍ରାୟ ୨୧ ହଜାର ଟନ୍‌‌। ଏହା ବିଶ୍ୱବ୍ୟାଙ୍କର ସ୍ୱର୍ଣ୍ଣ ମହଜୁଦ (ଗୋଲ୍ଡ ରିଜର୍ଭ) ଠାରୁ ମଧ୍ୟ ଅଧିକ। ତେବେ ଏଥିରେ ସରକାର ହାତ ମାରିବା ସହଜ ନୁହେଁ।

ଏସବୁ ପାରମ୍ପରିକ ପୁଞ୍ଜି ଓ ଧନାଢ଼୍ୟ ବ୍ୟକ୍ତିଙ୍କ ପାଖରେ ଅଧିକ ରହିଛି। ସୁତରାଂ ଏହା ଉପରେ ରାଜନୈତିକ ନଜର ପଡ଼ିଲେ ଅସନ୍ତୋଷ ବଢ଼଼ିବା ସ୍ୱାଭାବିକ। ନିକଟରେ କଂଗ୍ରେସର ନିର୍ବାଚନ ଇସ୍ତାହାରରେ ଘରୋଇ ସଞ୍ଚିତ ଧନକୁ ଥିବାବାଲାଙ୍କଠାରୁ ଆଣି ଗରିବଙ୍କୁ ବାଣ୍ଟିବା କଥା ଉଲ୍ଲେଖଥିବାରୁ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଏଭଳି ଉଗ୍ର ବାମପନ୍ଥୀ ବିଚାର ଭାରତୀୟ ଗଣତନ୍ତ୍ର ପାଇଁ କ୍ଷତିକାରକ ନିଶ୍ଚୟ। ଯେଉଁ ଦେଶ ସମ୍ପଦ ସୃଷ୍ଟି କରିବାକୁ ନାଗରିକଙ୍କୁ ସୁଯୋଗ ଦିଏ ସେ ଦେଶ ଉନ୍ନତି କରେ ଓ ଲୋକଙ୍କ ଆର୍ଥିକ ସ୍ଥିତି ବଦଳେ। ଆର୍ଥିକ ସ୍ଥିତି ବଦଳିଲେ ସାମାଜିକ ସ୍ଥିତିରେ ପରିବର୍ତ୍ତନ ଆସେ। ନିଜର ଆବଶ୍ୟକତା ପୂରଣ ପାଇଁ ଭାରତ ତ ଅଧିକ ସୁନା କିଣିବାକୁ ଚାହିଁବ। ତେବେ ବର୍ଦ୍ଧିତ ମୂଲ୍ୟ ଏ କ୍ଷେତ୍ରରେ ଏକ ପ୍ରତିବନ୍ଧକ। ଆମ ଲୋକକଥାରେ ଉକ୍ତିଟିଏ ଅଛି ‘ସୁନା ଓ ଭୂମି ଯେତେବେଳେ କିଣାଯାଏ, ତାହା ସେତେବେଳେ ଶସ୍ତା’। ଏହାର ସରଳ ଅର୍ଥ ହେଲା ପ୍ରତି ମୁହୂର୍ତ୍ତରେ ସୁନାର ମୂଲ୍ୟ ବଢ଼଼ିଥାଏ। କିନ୍ତୁ ସୁନା ବଜାରର ଏକ ବିଡ଼ମ୍ବନା ହେଲା ଏହା ବ୍ୟକ୍ତିଗତ ସମ୍ପଦ ବା ଅର୍ଥନୀତି(ମାଇକ୍ରୋ ଇକୋନମି) ସୁରକ୍ଷା ଦେଉଥିବା ବେଳେ ଦେଶର ସାମଗ୍ରିକ ଅର୍ଥନୀତି(ମାକ୍ରୋ ଇକୋନମି)କୁ କ୍ଷତିଗ୍ରସ୍ତ କରେ। କାରଣ ସୁନାରେ ନିବେଶ ହୋଇଥିବା ବିପୁଳ ଅର୍ଥ ସ୍ଥାଣୁ ଭାବରେ ରହି ଅର୍ଥନୀତିକୁ ମଧ୍ୟ ସ୍ଥାଣୁ କରିଦିଏ। ଏହି କାରଣରୁ ସୁନା କିଣି ଘରେ ଗଚ୍ଛିତ କରି ରଖିବା ମାନସିକତାକୁ ନିରୁତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଭାରତୀୟମାନଙ୍କର ସୁନା ମନସ୍କତା କାରଣରୁ ଏହା ବିଶେଷ ଫଳପ୍ରଦ ହୋଇପାରିନାହିଁ। ସେହିପରି ସୁନା ଆମଦାନୀ ଉପରେ ସରକାର ଅଧିକ ଶୁଳ୍କ ଲାଗୁ କରିବା ଉଦ୍ୟମ ମଧ୍ୟ ବ୍ୟର୍ଥ ହୋଇଛି। ଲୋକଙ୍କ ସୁନା ପ୍ରତି ମୋହ ଯେ ପର୍ଯ୍ୟନ୍ତ ନ କମିଛି ସୁନା ମୂଲ୍ୟ ମଧ୍ୟ କମିବ ନାହିଁ। ଅର୍ଥର ମୂଳ ସୁନାର କ୍ରମବର୍ଦ୍ଧିଷ୍ଣୁ ଚାହିଦା ଅନର୍ଥର କାରଣ ନ ହେଉ। କିନ୍ତୁ ବ୍ୟକ୍ତି, ଅନୁଷ୍ଠାନ, ଦେଶ ସମସ୍ତେ ସୁନା ପଛରେ ଦୌଡ଼ୁଛନ୍ତି। ଏହି ଦୌଡ଼ରୁ ସେମାନଙ୍କୁ ନିବୃତ କରିବ କିଏ?

ଇଭିଏମ୍‌‌ର ବିଶ୍ୱସନୀୟତାକୁ ନେଇ ବିବାଦର ଅନ୍ତ
ଦେଶରେ ସାଧାରଣ ନିର୍ବାଚନ ସମୟରେ ଇଲେକ୍‌‌ଟ୍ରୋନିକ୍ସ ଭୋଟିଂ ମେସିନ୍‌‌ (ଇଭିଏମ୍‌‌) ଓ ଭିଭିପାଟ୍‌‌କୁ ନେଇ ଯେଉଁ ଆଇନଗତ ବିବାଦ ଦେଖାଦେଇଥିଲା ଦେଶର ସର୍ବୋଚ୍ଚ ଅଦାଲତ ତାହାର ଅବସାନ ଘଟାଇଛନ୍ତି। ବିଶ୍ୱର ସର୍ବବୃହତ୍‌‌ ଗଣତାନ୍ତ୍ରିକ ଉତ୍ସବ ସାଧାରଣ ନିର୍ବାଚନ ଋତୁ ଆସିଲେ କେତେକ ସଂଶୟବାଦୀ ଏହି ଭୋଟିଂ ମେସିନ୍‌‌ର ବିଶ୍ୱସନୀୟତା ଏବଂ ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ନ୍ୟାୟପାଳିକାର କବାଟ ବାଡ଼ାନ୍ତି। ଅଳ୍ପଦିନ ତଳେ ସୁପ୍ରିମକୋର୍ଟ ଇଭିଏମ୍‌‌ର ବିଶ୍ୱସନୀୟତା ଓ ନିରପେକ୍ଷତାକୁ କାଏମ ରଖିବା ସହିତ ସ୍ପଷ୍ଟ କରିଦେଇଥିଲେ ଯେ ତଥ୍ୟ ପ୍ରମାଣ ଅଭାବରେ କେବଳ ଅନୁମାନ ତଥା ସନ୍ଦେହରେ ଇଭିଏମ୍‌‌କୁ ତ୍ରୁଟିପୂର୍ଣ୍ଣ କହିହେବ ନାହିଁ। ଯେଉଁ ବ୍ୟବସ୍ଥା ମତଦାନ ଓ ଭୋଟଗଣତିର ସୁବିଧା ପାଇଁ ଦେଶରେ ବେଶ୍‌‌ କିଛି ଦିନ ଧରି ଚାଲିଛି, ତାହାକୁ ଠୋସ୍‌‌ ପ୍ରମାଣ ବିନା କେବଳ ଅନୁମାନରେ ତ୍ରୁଟିପୂର୍ଣ୍ଣ କହି ବଦଳା ଯାଇପାରିବ ନାହିଁ। ଏହା ଫଳରେ ଗୋଟିଏ ଲମ୍ବା ବିବାଦର ଅବସାନ ଘଟିବା ସହିତ ସଂଶୟବାଦୀମାନେ ନିରାଶ ହୋଇଛନ୍ତି।

ଏହି ବିବାଦକୁ ଆହୁରି ଆଗକୁ ବଢ଼଼ାଇବା ପାଇଁ ଇଭିଏମ୍‌‌ର ଭିଭିପାଟ୍‌‌ କାଗଜକୁ ଅଲଗା ଭୋଟ୍‌‌ବାକ୍ସରେ ପକାଇ ମଣିଷ ଦ୍ୱାରା ତାହାର ଗଣନା କରିବାକୁ ଅନେକ ପକ୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଦାଲତ ନିର୍ବାଚନ କମିଶନ ଓ ଅନ୍ୟାନ୍ୟ ପକ୍ଷଙ୍କ ମତାମତ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ। ନିର୍ବାଚନ କମିଶନ ସ୍ପଷ୍ଟ କରି ଦେଇଥିଲେ ଯେ ଭିଭିପାଟ୍‌‌ ସ୍ଳିପ୍‌‌ (ଯାହା ଭୋଟର ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଦେଇଥିବା ଭୋଟର ପ୍ରମାଣ)କୁ ଅଲଗା ବାକ୍ସରେ ରଖି ହାତ ଗଣତି କରିବା ଦ୍ୱାରା ମତ ଗଣନା ଅଯଥା ବହୁ ବିଳମ୍ବିତ ହେବ ଏବଂ ଏହା ନିର୍ବାଚନ ପରିଚାଳନାରେ ବାଧା ସୃଷ୍ଟି କରିବ।

ଭିଭିପାଟ୍‌‌ ଉପରେ ସବୁ ପକ୍ଷଙ୍କ ମତାମତ, ଯୁକ୍ତି ଓ ତଥ୍ୟ ଶୁଣିବା ପରେ ବିଚାରପତି ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତ ଯେଉଁ ରାୟ ସଂରକ୍ଷିତ ରଖିଥିଲେ, ତାହାକୁ ଗତକାଲି ସାର୍ବଜନୀନ କରିଛନ୍ତି। ଉଭୟ ବିଚାରପତି ପଡ଼ିଥିବା ଭୋଟ୍‌‌ର ଭିଭିପାଟ୍‌‌ ସହିତ ଶତ ପ୍ରତିଶତ ତଦାରଖ (ଭେରିଫିକେସନ) ସଂକ୍ରାନ୍ତ ପ୍ରାୟ ଶହେଟି ଆବେଦନକୁ ମିଳିତ ଭାବେ ଖାରଜ କରିଦେଇଛନ୍ତି। ଦୁଇ ବିଚାରପତି ସେମାନଙ୍କ ରାୟରେ କହିଛନ୍ତି ଯେ ଇଭିଏମ୍‌‌ରେ ସୁଇଚ୍‌‌ ଟିପି ଭୋଟର ନିଜର ପ୍ରାର୍ଥୀଙ୍କୁ ଭୋଟ୍‌‌ ଦେଇ ସାରିବା ପରେ ତାଙ୍କୁ ଯେଉଁ ଭିଭିପାଟର ରେକର୍ଡ ରହୁଛି, ତାହାକୁ ନିର୍ବାଚନ କମିଶନ ସର୍ବାଧିକ ୪୫ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିପାରିବେ। ଏହି ନିର୍ଦ୍ଧାରିତ ସମୟସୀମା ପରେ ଏହା ବିଚାରକୁ ନିଆଯିବ ନାହିଁ। ଏହି ରାୟର ଅର୍ଥ ହେଲା ସଂଶୟବାଦୀଙ୍କ ଆବେଦନ ଅନୁସାରେ ଭିଭିପାଟର ସ୍ୱତନ୍ତ୍ର ଗଣନା ହେବ ନାହିଁ ଏବଂ ଫଳାଫଳ ଜାଣିବାକୁ ଇଭିଏମ୍‌‌ରେ ରେକର୍ଡିଂ କରାଯାଇଥିବା ଭୋଟ ସଂଖ୍ୟା ହିଁ ଚୂଡ଼ାନ୍ତ ବୋଲି ଧରାଯିବ। ତେଣୁ ଯଦି ନିର୍ବାଚନର ଫଳାଫଳ ନେଇ କାହାର କିଛି ସନ୍ଦେହ ଥାଏ, ତା’ହେଲେ ଫଳ ପ୍ରକାଶର ୪୫ଦିନ ଭିତରେ ଭିଭିପାଟକୁ ପ୍ରମାଣ ଭାବେ ଗ୍ରହଣ କରାଯିବ। ଏହି ରାୟ ଦେଇ ବିଚାରପତି ଦ୍ୱୟ ଯଥୋଚିତ ନ୍ୟାୟ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ବଡ଼ କଥା ହେଉଛି ପୁରୁଣା, ଜଟିଳ ଓ ସମୟସାପେକ୍ଷ ଭୋଟିଂ ତଥା ଗଣନା ବ୍ୟବସ୍ଥା ପରିବର୍ତ୍ତେ ନୂଆ ପ୍ରଗତିଶୀଳ ଇଭିଏମ୍‌‌ ବ୍ୟବସ୍ଥାର ପ୍ରବର୍ତ୍ତନକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।

ଗୋଟିଏ ଉନ୍ନତ ବ୍ୟବସ୍ଥାର ପ୍ରବର୍ତ୍ତନ ସର୍ବଦା ସ୍ୱାଗତଯୋଗ୍ୟ। ଏଥିରେ କୌଣସି ବ୍ୟତିକ୍ରମ ଥିଲେ ତାହାର ସଂଶୋଧନ କରାଯିବା ଆବଶ୍ୟକ। ତ୍ରୁଟିର ପ୍ରମାଣ ନ ଦର୍ଶାଇ ଇଭିଏମ୍‌‌ ଭଳି ଏକ ଉନ୍ନତ ଭୋଟିଂ ବ୍ୟବସ୍ଥାକୁ କେବଳ ସନ୍ଦେହରେ ରଦ୍ଦ କରିବା କେବେ ଗ୍ରହଣୀୟ ନୁହେଁ। ତେଣୁ ଇଭିଏମ୍‌‌ ଉପରେ ବିଶ୍ୱାସ ରଖିବା ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ମନ୍ତବ୍ୟ ଦେଇଥିଲେ। ଆମ ବିଚାରରେ ସୁପ୍ରିମକୋର୍ଟଙ୍କ ଏହି ରାୟ ଫଳରେ ଇଭିଏମ୍‌‌ର ବିଶ୍ୱସନୀୟତା ଓ ନିରପେକ୍ଷତା ନେଇ ସବୁ ବିବାଦର ସମାଧାନ ଆପାତତଃ ସବୁଦିନ ପାଇଁ ଘଟିଛି। ‘ଭୋଟରେ ନିଜେ ଜିତିଲେ ଇଭିଏମ୍‌‌ ବ୍ୟବସ୍ଥା ଠିକ୍‌‌, ଅଥଚ ନିଜେ ଭୋଟରେ ହାରିଲେ ଇଭିଏମ୍‌‌ ମେସିନ୍‌‌ ତ୍ରୁଟିପୂର୍ଣ୍ଣ’- ଏଭଳି ଭାବନା ଏକ ରୁଗ୍‌‌ଣ ମାନସିକତାର ପରିଚୟ ଦିଏ। ଏଥିରେ ସ୍ୱାର୍ଥପର ଓ ସନ୍ଦେହୀ ଚିନ୍ତାଧାରା ଅଧିକ ଥାଏ।

ବିଚାରପତି ଦ୍ୱୟ ଏହି ପ୍ରସଙ୍ଗରେ ଯାହା କହିଛନ୍ତି ତାହା ମଧ୍ୟ ପ୍ରଣିଧାନଯୋଗ୍ୟ। ଉଭୟ କହିଛନ୍ତି, ‘ଇଭିଏମ୍‌‌ର ବିଶ୍ୱସନୀୟତା ଘେନି କେବଳ ସନ୍ଦେହ ଭିତ୍ତିରେ ସର୍ବୋଚ୍ଚ ଅଦାଲତ ଦେଶର ନିର୍ବାଚନକୁ ନିୟନ୍ତ୍ରଣ କରିପାରିବେ ନାହିଁ କିମ୍ବା କର୍ତ୍ତୃପକ୍ଷଙ୍କୁ କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ।’ ଦେଶର ନିର୍ବାଚନ କମିଶନ ଏକ ସ୍ୱାଧୀନ ଓ ସାମ୍ବିଧାନିକ ସଂସ୍ଥା। ଥରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଗଲେ ତାହାକୁ ରୋକିବା ଆଇନତଃ ଅସମ୍ଭବ। ତେଣୁ ଦେଶର ସ୍ୱାଧୀନ ସାମ୍ବିଧାନିକ ସଂସ୍ଥା ନିର୍ବାଚନ କମିଶନର କାମରେ କୌଣସି ପ୍ରକାର ଅଯଥା ହସ୍ତକ୍ଷେପ ଏବଂ ସଂସଦରେ ପ୍ରଣୀତ ଆଇନ ଅନୁସାରେ ବ୍ୟବହୃତ ‘ଇଭିଏମ୍‌‌’ର ବିଶ୍ୱସନୀୟତାକୁ ସନ୍ଦେହ କରି ତାହାକୁ ବ୍ୟବହାରରୁ ହଟାଇବାର ପ୍ରୟାସ ଅନୁଚିତ।

ସର୍ବୋଚ୍ଚ ନ୍ୟାୟାଳୟ ଗଣତନ୍ତ୍ରର କେବଳ ରକ୍ଷାକର୍ତ୍ତା ନୁହେଁ, ଏହା ମଧ୍ୟ ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରି ଉଲ୍ଲେଖନୀୟ ପରମ୍ପରା ସୃଷ୍ଟି କରିଛି। ଯେଉଁଠି ତ୍ରୁଟି ବା ବ୍ୟତିକ୍ରମ ଘଟୁଥିବାର ଅନୁଭବ ହେଉଛି, ତାହାର ଉପଯୁକ୍ତ ଅନୁସନ୍ଧାନ କରି ତଥ୍ୟ ପ୍ରମାଣ ଉପସ୍ଥାପନ କରାଯାଉ। ତାହା ନ କରି କେବଳ ସନ୍ଦେହରେ ଗୋଟିଏ ନିୟମ, ବ୍ୟବସ୍ଥା ଓ ଯନ୍ତ୍ରକୁ ତ୍ରୁଟିପୂର୍ଣ୍ଣ, ଅବିଶ୍ୱସନୀୟ କହିବା ଅନୁଚିତ। ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରୁଛୁ ଓ ଆଶା କରୁଛୁ ଯେ ଏହି ଇଭିଏମ୍‌‌, ଭିଭିପାଟ ବିବାଦର ସମାଧାନ ସବୁଦିନ ପାଇଁ ଘଟିଲା।

ଯୁଗପୁରୁଷ କୃଷ୍ଣଚନ୍ଦ୍ର ଗଜପତି
ଗୌରଚନ୍ଦ୍ର ଗଜପତି ଦେବ (ଦ୍ୱିତୀୟ) ଓ ରାଣୀ ବିଷ୍ଣୁପ୍ରିୟା ଦେବୀଙ୍କର ଜ୍ୟେଷ୍ଠ ପୁତ୍ର ରୂପେ କୃଷ୍ଣଚନ୍ଦ୍ର ୧୮୯୨ ମସିହା ଅପ୍ରେଲ ମାସ ୨୬ତାରିଖ, ବୈଶାଖ ମାସ ଅମାବାସ୍ୟା ଦିନ ପାରଳାଖେମୁଣ୍ଡିଠାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଓ ପିତୃବ୍ୟ ପଦ୍ମନାଭ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ୟାମସୁନ୍ଦର ରାଜଗୁରୁ ଓ ମି.ଏଡମଣ୍ଡ କ୍ୟାଣ୍ଡଲର ଗୃହଶିକ୍ଷକଙ୍କ ଦାୟିତ୍ୱରେ ସେ ବାଲ୍ୟଶିକ୍ଷା ସମାପ୍ତ କରିବା ପରେ ଉଚ୍ଚଶିକ୍ଷା ପାଇଁ ମାନ୍ଦ୍ରାଜ ଗଲେ। ସେଠାରେ ନିଉଙ୍ଗଟନ ପ୍ରିନ୍ସ କଲେଜରୁ ପାଠପଢ଼଼ା ଶେଷ ପରେ କୃଷ୍ଣଚନ୍ଦ୍ର ୧୯୧୩ ମସିହାରେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରି ଖରସୁଅାଁ ରାଜ୍ୟର ରାଜଜେମା ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ। ସେ ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ ଥିଲେ। କଲେଜରେ ପଢ଼଼ିଲା ବେଳେ କିଶୋର କୃଷ୍ଣଚନ୍ଦ୍ର ସର୍ବଦା ପାରଳାଖେମୁଣ୍ଡି ଏବଂ ଓଡ଼ିଆ ଜାତିର ଉନ୍ନତି ବିଷୟରେ ଚିନ୍ତା କରୁଥିଲେ।

ପଦ୍ମନାଭ ଗଜପତି ପାରଳାଖେମୁଣ୍ଡିରେ ପ୍ରତିଷ୍ଠା କରିଥିବା ମହାବିଦ୍ୟାଳୟକୁ ଖର୍ଚ୍ଚ କାଟ କରିବା ଆଳରେ ଇଂରାଜ ସରକାର ଉଠାଇଦେବାକୁ ମସୁଧା କରିବା ଜାଣି କୃଷ୍ଣଚନ୍ଦ୍ର ଏହାର ଘୋର ବିରୋଧ କରିଥିଲେ। ଫଳରେ ସେହି କଲେଜ ନ ଉଠି ରହିଗଲା। ବିବାହ ଉତ୍ସବ ପାଳନ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟର ଏକ ଛାତ୍ରାବାସ ନିର୍ମାଣ ଲାଗି ପାଞ୍ଚଶହ ଟଙ୍କା ଦାନ କରିଥିଲେ। ତା’ଛଡା ଓଡ଼ିଆ ସାହିତ୍ୟର ବିକାଶ ଲାଗି ଉତ୍କଳ ସାହିତ୍ୟ ସମାଜକୁ ଏକଶତ ଟଙ୍କା ଦାନ କରିଥିଲେ। ତାଙ୍କ ମତରେ ରାଜ୍ୟ ତଥା ଓଡ଼ିଶାରୁ ଅଜ୍ଞାନ ଅନ୍ଧକାର ଦୂରୀଭୂତ ହୋଇପାରିଲେ ଜନସାଧାରଣଙ୍କ ଆର୍ଥିକ, ମାନସିକ, ସାମୂହିକ ଉନ୍ନତି ସାଧିତ ହୋଇପାରିବ। ଶିକ୍ଷାର ବିକାଶ ପାଇଁ ସେ ଅନେକଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ। ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ମଧୂସୁଦନ ଦାସଙ୍କ ନାରୀ ଶିକ୍ଷାକୁ ପ୍ରାଧାନ୍ୟ ପ୍ରତି ଗୁରୁତ୍ୱଦେଇ କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ। ପ୍ରତିବର୍ଷ ପାଠପଢ଼଼ାରେ ଭଲ କରୁଥିବା ଝିଅମାନଙ୍କୁ ସୁନା ଓ ରୁପା ଗହଣା ସହିତ ଶାଢ଼ି ପୁରସ୍କାର ଆକାରରେ ଦେଉଥିଲେ। ଫଳରେ ବାଳିକା ସଂଖ୍ୟା ବୃଦ୍ଧି ପାଇଲା ଓ କ୍ରମଶଃ ଏହା ବାଳିକା ଉଚ୍ଚବିଦ୍ୟାଳୟରେ ପରିଣତ ହେଲା। ପଦ୍ମନାଭ ଛାତ୍ରବୃତ୍ତି ପାଣ୍ଠି ଗଠନ କରି ସେହି ଅର୍ଥରୁ ଛାତ୍ରାବାସ ନିର୍ମାଣ କରାଇ ସେମାନଙ୍କ ଲାଗି ମାଗଣାରେ ଖାଇବା ଓ ରହିବାର ବ୍ୟବସ୍ଥା କରିଥିଲେ। କଲେଜ ପାଠ ଶେଷ ହେବା ପରେ ଛାତ୍ରମାନଙ୍କୁ ମାସିକ ବୃତ୍ତି ଦେଇ ଦେଶର ବିଭିନ୍ନ ପ୍ରଦେଶରେ ଥିବା କୃଷି, ଇଂଜିନିୟରିଂ, ମେଡିକାଲ, ପଶୁଚିକିତ୍ସା ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷାୟତନମାନଙ୍କରେ ପଢ଼଼ିବାକୁ ପଠାଇ ଦିଆଯାଉଥିଲା। ସଂସ୍କୃତ ଶିକ୍ଷାର ବିକାଶ ଲାଗି କୃଷ୍ଣଚନ୍ଦ୍ର ଗଜପତି ବହୁବିଧ ପଦକ୍ଷେପ ନେଇଥିଲେ। ଶିକ୍ଷାୟତନ ନିର୍ମାଣ ସହିତ ସେଠାରେ ଛାତ୍ରମାନଙ୍କୁ ଶିକ୍ଷାଦାନ ସହିତ ରହିବାର ବ୍ୟବସ୍ଥା କରିଥିଲେ। ଏହାସହିତ ପ୍ରତି ଛାତ୍ରକୁ ମାସକୁ ପାଞ୍ଚ ଟଙ୍କା ଓ ସାତ ମାଣ ଚାଉଳ ଦିଆଯାଉଥିଲା। ପରବର୍ତ୍ତୀ ସମୟରେ ପାରଳାଖେମୁଣ୍ଡି ସଂସ୍କୃତ କଲେଜ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରୁ ସ୍ୱୀକୃତିପ୍ରାପ୍ତ ହୋଇଥିଲା। କୃଷ୍ଣଚନ୍ଦ୍ରଙ୍କର ପ୍ରଧାନ ଲକ୍ଷ୍ୟ ଥିଲା ଓଡ଼ିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ବିକାଶ ଘଟାଇ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା। ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ। ତାଙ୍କର ନିଷ୍ଠା ଓ ନିରନ୍ତର ଉଦ୍ୟମ ଯୋଗୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ଜନ୍ମ ନେଇଥିଲା। ଶିକ୍ଷା ସହିତ ସାହିତ୍ୟ ଓ ସଂସ୍କୃତିର ବିକାଶ ଲାଗି କୃଷ୍ଣଚନ୍ଦ୍ର ସମର୍ପିତ ଥିଲେ। ପଣ୍ଡିତ ଗୋପୀନାଥ ନନ୍ଦଙ୍କ ସଙ୍କଳିତ ‘ଓଡ଼ିଆ ଶବ୍ଦତତ୍ତ୍ୱ ବୋଧ ଅଭିଧାନ’ ମୁଦ୍ରଣ କରାଇବା ସହିତ ଗବେଷକମାନଙ୍କ ପାଇଁ ରାଜଉଆସରେ ଏକ ବିରାଟ ପାଠାଗାରର ସ୍ଥାପନା କରିଥିଲେ।

ସେସମୟରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ବିଭିନ୍ନ ପ୍ରୋଭିନ୍ସ ଅଧୀନରେ ରହିଥିଲା। ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ କରିବାକୁ ସେ ଶପଥ ନେଇଥିଲେ। ୧୯୧୪ ମସିହା ଡିସେମ୍ୱର ୨୭ ଓ ୨୮ ତାରିଖରେ ସେ ଦଶମ ଉତ୍କଳ ସମ୍ମିଳନୀ ପାରଳାଖେମୁଣ୍ଡିଠାରେ ଆହୂତ କରି ସେ ଦିଗରେ ପୁରୋଧା ସାଜିଥିଲେ। ସେଠାରେ ପ୍ରଥମଥର ପାଇଁ ସେ ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ। ଏହି ସମ୍ମିଳନୀର ପ୍ରାରମ୍ଭରେ କୃଷ୍ଣଚନ୍ଦ୍ର ଗଜପତି ଦୃଢ଼ତାର ସହିତ ପ୍ରସ୍ତାବ ଦେଇ କହିଲେ, ‘ଓଡ଼ିଆ ଭାଷାଭାଷୀଙ୍କୁ ଏକଶାସନାଧୀନ କରିବା ପାଇଁ କେବଳ ଦାବି ନ କରି ସମଗ୍ର ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ରିତ କରି ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ।’ କୃଷ୍ଣଚନ୍ଦ୍ରଙ୍କର ଏଇଭଳି ବଳିଷ୍ଠ ଓ ଅକାଟ୍ୟ ଯୁକ୍ତି ସମ୍ମିଳନୀର ନେତୃବର୍ଗ ଏପରିକି ବୟୋଜ୍ୟେଷ୍ଠ ମଧୁବାବୁଙ୍କୁଚକିତ କରି ଦେଇଥିଲା। ଗଜପତିଙ୍କର ଏହି ବଜ୍ର ନିର୍ଘୋଷ ନିନାଦ ବହୁସମର୍ଥନ ପାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏକ ପ୍ରସ୍ତାବ ସେହି ଉତ୍କଳ ସମ୍ମିଳନୀରେ ଗୃହୀତ ହେଲା। ୧୯୧୭ ମସିହାରେ ମଣ୍ଟେଗୁ-ଚେମସ୍‌‌ ଫୋର୍ଡ କମିଟି ଭାଷାଭିତ୍ତିକ ପ୍ରଦେଶ ଗଠନ ସପକ୍ଷରେ ମତ ପ୍ରକାଶ କରିଥିଲେ। ଏ ସମ୍ପର୍କରେ ଉତ୍କଳର ସଦସ୍ୟଭାବେ କୃଷ୍ଣଚନ୍ଦ୍ର ଦିଲ୍ଲୀଠାରେ ମଣ୍ଟେଗୁଙ୍କ ସହିତ ସାକ୍ଷାତ କରିଥିଲେ। ଫିଲିପ୍‌‌ ଡଫ୍‌‌ କମିଟି ବିଶାଖାପାଟଣା ଓ ଗଞ୍ଜାମ ଗସ୍ତ ବେଳେ ଗଜପତିଙ୍କ ସହିତ ସାକ୍ଷାତ କରିଥିଲେ। ୧୯୨୭ ମସିହାରେ ଭାରତରେ ଶାସନ ସଂସ୍କାର ପାଇଁ ବ୍ରିଟିଶ୍‌‌ ସରକାରଙ୍କ ଦ୍ୱାରା ଗଠିତ ସାଇମନ୍‌‌ କମିଶନ୍‌‌ କମିଶନଙ୍କୁ ଯେତେବେଳେ ସାରା ଦେଶ ବାସନ୍ଦ କରିଥିଲେ, ଓଡ଼ିଶାର ବୃହତ୍ତର ସ୍ୱାର୍ଥ ନିମନ୍ତେ ଗଜପତି ଅଣ୍ଟା ଭିଡ଼ିଥିଲେ। ଫଳସ୍ୱରୂପ ଓଡ଼ିଶା ଦାବି ବିଚାର କରିବା ପାଇଁ ଅଟଲିଙ୍କ ଅଧ୍ୟକ୍ଷତାରେ ଏକ ସବ୍‌‌କମିଟି ଗଠନ କରାଗଲା। ସେହି କମିଟି ଓଡ଼ିଶା ପାଇଁ ଅନୁକୂଳ ମତ ପ୍ରକାଶ କଲେ।

ଲଣ୍ଡନରେ ୧୯୩୦-୩୧ରେ ଅନୁଷ୍ଠିତ ପ୍ରଥମ ଗୋଲ ଟେବୁଲ ବୈଠକରେ ବିହାର ଓ ଓଡ଼ିଶା ସରକାଙ୍କ ତରଫରୁ କୃଷ୍ଣଚନ୍ଦ୍ର ଗଜପତି ମନୋନୀତ ସଭ୍ୟଭାବେ ଯୋଗ ଦେଇ ଓଡ଼ିଶାର ଦାବି ଉତ୍‌‌ଥାପନ କରି ଏକ ଐତିହାସିକ ଭାଷଣ ଦେଇ ବ୍ରିଟିଶ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ‘ଏକ କୋଟି ଓଡ଼ିଆଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଅନୁମତି ନଦେଇ ଆପଣମାନେ ଭାରତରେ ନୂତନ ଶାସନ ସଂସ୍କାର କରିପାରିବେ ନାହିଁ’ ବୋଲି ସେଠାରେ ସେ ଦୃପ୍ତ କଣ୍ଠରେ ଘୋଷଣା କରିଥିଲେ। ବିଲାତ ସରକାର ୧୯୩୧ ମସିହାରେ ଓଡୋନେଲ କମିଟି ବସାଇଲେ ଓ ଏହି କମିଟି ମୁଖ୍ୟତଃ ତିନୋଟି ବିଷୟ ପ୍ରତି ଧ୍ୟାନ ଦେଇଥିଲେ। ତନ୍ମଧ୍ୟରୁ ଗୋଟିଏ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସୀମା ନିର୍ଦ୍ଧାରଣ। ୧୯୩୨ ମସିହାରେ ଓଡୋନେଲ କମିଟି ରିପୋର୍ଟ ପ୍ରକାଶ ପାଇଲା। ଫିଲିପ୍‌‌ ଡଫ୍‌‌ କମିଟିର ଅନୁମୋଦନ ଲାଭକରି ୧୯୩୩ ମସିହାରେ ଯେଉଁ ଶ୍ୱେତପତ୍ରରେ ପ୍ରକାଶ ପାଇଲା ସେଥିରେ ପାରଳାଖେମୁଣ୍ଡି ଓ ଜୟପୁର ଜମିଦାରୀ ବାଦ୍‌‌ ପଡ଼ିଥିଲା। କୃଷ୍ଣଚନ୍ଦ୍ର ଜଏଣ୍ଟ ସିଲେକ୍ଟ କମିଟି ଆଗରେ ଏହି କଥା ଉପସ୍ଥାପନା କରିବା ନିମନ୍ତେ ୧୯୩୪ ମସିହାରେ ପୁଣି ଥରେ ବିଲାତ ଯାଇ କମିଟିର ଅଧ୍ୟକ୍ଷ ଲର୍ଡ ଲିନ୍‌‌ଲିଥ୍‌‌ଗୋଙ୍କୁ ପ୍ରଭାବିତ କରିପାରିଥିଲେ ଏବଂ ଓଡ଼ିଶା ସହିତ ପାରଳାଖେମୁଣ୍ଡି ଓ ଜୟପୁରକୁ ମିଶାଇବା ପାଇଁ ଭାରତର ତତ୍କାଳୀନ ବଡ଼ଲାଟ ଲର୍ଡ ଉଇଲିଂଡନ୍‌‌ଙ୍କୁ ରାଜି କରାଇ ପାରିଥିଲେ। କୃଷ୍ଣଚନ୍ଦ୍ର ଗଜପତିଙ୍କ ଏହି ଅକ୍ଳାନ୍ତ ନିଃସ୍ୱାର୍ଥପର ଉଦ୍ୟମ, ଜାତିପ୍ରେମ ଓ ନିଷ୍ଠା ଯୋଗୁଁ ୧୯୩୬ ଏପ୍ରିଲ ପହିଲାରେ ୬ ଗୋଟି ଜିଲ୍ଲାକୁ ନେଇ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଜନ୍ମ ନେଲା। ଶୁଣାଯାଏ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ସ୍ୱତନ୍ତ୍ର ଉତ୍କଳ ଗଠନ ପାଇଁ ବାରମ୍ୱାର ଲଣ୍ଡନ ଯିବାଫଳରେ ଅର୍ଥନୈତିକ ଚାପରେ ପଡ଼ି ରାଜପ୍ରସାଦର ବହୁ ମୂଲ୍ୟବାନ ଅଳଙ୍କାର ବିକ୍ରି କରିଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ପ୍ରଥମ ଗଣତାନ୍ତ୍ରିକ ନିର୍ବାଚନ ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ପରେ ୧୯୪୧ ମସିହା ନଭେମ୍ୱର ମାସ ଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।

ସେ ନିଜ ଶାସନ କାଳରେ ଅନେକ ଯୁଗାନ୍ତକାରୀ, ସମୟୋପଯୋଗୀ ଓ ଜନକଲ୍ୟାଣକାରୀ ନିଷ୍ପତ୍ତିମାନ ନେଇଥିଲେ। ନୂଆପଡ଼ା-ପାରଳାଖେମୁଣ୍ଡି-ଗୁଣୁପୁର ରେଳପଥ ନିର୍ମାଣ, ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ଆଦି ସେଥିମଧ୍ୟରୁ କେତୋଟି ଉଦାହରଣ। ୧୯୧୩ ମସିହାରେ ରାଜ୍ୟାଭିଷେକ ବେଳେ ପିତାଙ୍କ ସଂରକ୍ଷିତ ରାଜକୋଷକୁ ନିଜ ସୁଖ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଖର୍ଚ୍ଚ କରିବେ ନାହିଁ ଏବଂ ସେହି ଗଚ୍ଛିତ ଧନ କେବଳ ଦେଶୋପକାରରେ ଲାଗିବ ବୋଲି ସେ ଯେଉଁ ଶପଥ ନେଇଥିଲେ ତାହା କାର୍ଯ୍ୟରେ କରି ଦେଖାଇଥିଲେ। ଏଥିସହିତ ପୂର୍ବପୁରୁଷଙ୍କ ଦ୍ୱାରା ନିର୍ମିତ କୀର୍ତ୍ତିମାଳାର ଉନ୍ନତି ସାଧନ ଓ ପ୍ରଜାମଙ୍ଗଳ ନିମନ୍ତେ ଲୋକହିତକର କାର୍ଯ୍ୟ କରିଥିଲେ। ସେହି ଜାତିପ୍ରାଣ ଥିଲେ ଯଥାର୍ଥରେ ଯୁଗପୁରୁଷ। ଓଡ଼ିଶାର ବରପୁତ୍ର ସମସ୍ତଙ୍କ ଚିରନମସ୍ୟ ସ୍ୱାଭିମାନୀ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।

ପ୍ରଦୀପ କୁମାର ପଣ୍ଡା

ପାରଳାଖେମଣ୍ଡି, ମୋ: ୮୩୭୭୮୮୪୯୮୨

ଦାରିଦ୍ର୍ୟ ଦୂରୀକରଣ ପାଇଁ ‘ସାର୍ବଜନୀନ ମୌଳିକ ଆୟ’
ମିଳିତ ଜାତିସଂଘ ଦ୍ୱାରା ଧାର୍ଯ୍ୟ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌‌ଡିଜି)ର ଅନ୍ୟତମ ସୋପାନ ହେଉଛି ବିଶ୍ୱର ସବୁ ରାଷ୍ଟ୍ର ୨୦୩୦ ସୁଦ୍ଧା ବହୁମୁଖୀ ଦାରିଦ୍ର୍ୟମୁକ୍ତ ହେବା ଆବଶ୍ୟକ। ଜାତିସଂଘ ଦ୍ୱାରା ବହୁମୁଖୀ ଦାରିଦ୍ର୍ୟର ଯେଉଁ ସଂଜ୍ଞା ନିରୂପଣ କରାଯାଇଛି ସେଥିରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ଖାଦ୍ୟ ନିରାପତ୍ତା, ପୁଷ୍ଟିସାଧନ, ଶିକ୍ଷାରେ ସ୍ୱାବଲମ୍ବନଶୀଳତା, ସାମାଜିକ-ଅର୍ଥନୈତିକ ମାନଦଣ୍ଡର ବିକାଶ ଆଦି କାରକ ଅନ୍ତର୍ଭୁକ୍ତ। ୟୁଏନ୍‌‌ଡିପିର ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱରେ ଏବେ ୧୧୦ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ ବର୍ଗରେ ଥିବା ବେଳେ ଭାରତ ସମେତ ଦକ୍ଷିଣ-ଏସିଆ ଓ ଆଫ୍ରିକାରେ ସେମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ। ତେଣୁ ଭାରତ ପରି ବିଶାଳ ଓ ବିଶ୍ୱର ସର୍ବବୃହତ୍‌‌ ଜନସଂଖ୍ୟା ବିଶିଷ୍ଟ ଦେଶରେ ବହୁମୁଖୀ ଦାରିଦ୍ର୍ୟ ଦୂରୀକରଣ ପ୍ରସଙ୍ଗ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ।

ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରୁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟସ୍ତରରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ସରକାରୀ, ଅର୍ଦ୍ଧସରକାରୀ ଓ ବେସରକାରୀ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଚାଲିଛି। ଖାଦ୍ୟ ନିରାପତ୍ତା, ନିଶ୍ଚିତ ରୋଜଗାର ଯୋଜନା, ମାଗଣା ବା ରିହାତି ଦରରେ ବିଜୁଳି, ପାଣି, ଇନ୍ଧନ, ଘର, ସ୍ୱାସ୍ଥ୍ୟସେବା, ପୁଷ୍ଟିସାଧନ, କୃଷି ବୀମା ଓ ରିହାତି ବାବଦ ନଗଦ ହସ୍ତାନ୍ତର ଆଦି ବିଭିନ୍ନ ଯୋଜନା ଜରିଆରେ ସରକାର ବିପୁଳ ପରିମାଣର ଅର୍ଥ ସମାଜରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ହିତାଧିକାରୀମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଯୋଗାଇ ଆସୁଛନ୍ତି। ଏ ଦିଗରେ ଯୋଜନା ଆୟୋଗ, ନିତି ଆୟୋଗ, ଜେ-ପଲ୍‌‌ ସାଉଥ ଏସିଆ, ଅମିଜ୍‌‌ ପ୍ରେମଜୀ ଫାଉଣ୍ଡେସନ୍‌‌, ସେୱା ପରି ଅନେକ ସଂସ୍ଥା ମଧ୍ୟ ନିରନ୍ତର ଗବେଷଣା ଓ ପ୍ରୟୋଗ ଜାରି ରଖିଛନ୍ତି। ଦାରିଦ୍ର୍ୟ ଦୂରୀକରଣରେ ଏସବୁର ପ୍ରଭାବ ମଧ୍ୟ ଅନେକାଂଶରେ ଉପଲବ୍ଧ ହେଉଛି। କିନ୍ତୁ ଦାରିଦ୍ର୍ୟ ଦୂରୀକରଣ ହାରକୁ ଅନୁଶୀଳନ କଲେ ମିଳିତ ଜାତିସଂଘର ଲକ୍ଷ୍ୟ ସୁଦୂର ପରାହତ ହେବାର ଆଶଙ୍କା ସୃଷ୍ଟି ହେଉଛି। ଏହି ପୃଷ୍ଠଭୂମିରେ ସାର୍ବଜନୀନ ମୌଳିକ ଆୟ ବା ୟୁନିଭର୍ସାଲ୍‌‌ ବେସିକ୍‌‌ ଇନ୍‌‌କମ୍‌‌(ୟୁବିଆଇ)କୁ ଦାରିଦ୍ର୍ୟ ଦୂରୀକରଣର ଏକ ବିକଳ୍ପ ଯୋଜନା ଭାବେ କାର୍ଯ୍ୟକାରୀ କରିବାକୁ ମତ ପ୍ରକାଶ ପାଇ ଆସୁଛି। ବହୁମୁଖୀ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ପ୍ରତ୍ୟକ୍ଷ ନଗଦ ବା ଅର୍ଥର ଗୁରୁତ୍ୱ ଅଧିକ ଥିବାରୁ ୟୁବିଆଇ ଏକ ଫଳପ୍ରଦ ବିକଳ୍ପ ସାବ୍ୟସ୍ତ ହେବାର ଆଶା ରହିଛି।

ଅନେକ ଦେଶରେ ଓ ଭାରତର ବିଭିନ୍ନ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଶିଶୁ କଲ୍ୟାଣ ଭତ୍ତା, ମାତୃତ୍ୱ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଆଦି ଯୋଜନାରେ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତର ଜରିଆରେ ସମାଜର ଗରିବ ବର୍ଗର ଜନସାଧାରଣଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ପଦକ୍ଷେପମାନ ନିଆଯାଉଛି। କିନ୍ତୁ ୟୁବିଆଇ ହେଉଛି ଏପରି ଏକ ଚିନ୍ତାଧାରା, ଯେଉଁଥିରେ ସମାଜର ଆର୍ଥିକ ଦୃଷ୍ଟିରୁ ବୃହତ୍ତର ଦୁର୍ବଳ ବର୍ଗର ସମସ୍ତ ଲୋକଙ୍କୁ(ବୃଦ୍ଧ, ମହିଳା, ଶିଶୁ, ସକ୍ଷମ, ଭିନ୍ନକ୍ଷମ ନିର୍ବିଶେଷରେ) ମାସିକ ଏକ ନିର୍ଦ୍ଦିଷ୍ଟ ପରିମାଣର ନିଶ୍ଚିତ ଓ ନିୟମିତ ନଗଦ ରାଶି ନିଃସର୍ତ୍ତ ଭାବରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ସାଧାରଣତଃ ନିର୍ବାଚନରେ ସମୟରେ ୟୁବିଆଇ ଏବଂ ପ୍ରାୟତଃ ସେହି ଧରଣର ଯୋଜନା(କ୍ୱାସିୟୁବିଆଇ) ଘୋଷଣା କିମ୍ବା ଚର୍ଚ୍ଚା ହୁଏ।

ୟୁବିଆଇ ଚିନ୍ତାଧାରାର ଆଦ୍ୟଜନକ ହେଉଛନ୍ତି ଇଂଲିଶ୍‌‌ ଦାର୍ଶନିକ ଥୋମାସ୍‌‌ ମୋର। ୧୫୧୬ ମସିହାରେ ସେ ଯେଉଁ ସମାଜ ବ୍ୟବସ୍ଥାର ପରିକଳ୍ପନା କରିଥିଲେ ସେଥିରେ ସମସ୍ତଙ୍କୁ ନିଶ୍ଚିତ ଆୟର ପ୍ରସ୍ତାବ ଥିଲା। ତାଙ୍କର ପ୍ରସିଦ୍ଧ ଉକ୍ତି ଥିଲା କଠୋରରୁ କଠୋରତମ ଦଣ୍ଡ ନୁହେଁ, ବରଂ ଯଦି ସମସ୍ତଙ୍କୁ ବଞ୍ଚିବା ପାଇଁ ଅପରିହାର୍ଯ୍ୟ ଅର୍ଥରାଶି ଯୋଗାଇବା ନିଶ୍ଚିତ କରିଦିଆଯାଏ ତେବେ ଚୋରି ଭଳି ଅପରାଧ ଉଲ୍ଲେଖନୀୟ ହ୍ରାସ ପାଇପାରିବ। ପରବର୍ତ୍ତୀ ସମୟରେ ଥୋମାସ୍‌‌ ସ୍ପେନ୍‌‌ସ, ଥୋମାସ୍‌‌ ପାଇନ୍‌‌, ବର୍ଟ୍ରାଣ୍ଡ ରସେଲ୍‌ଙ୍କ ପରି ଅର୍ଥନୀତିଜ୍ଞମାନେ ନିଜସ୍ୱ ପରିକଳ୍ପନାରେ ୟୁବିଆଇ ଚିନ୍ତାଧାରାକୁ ଆହୁରି ପରିବର୍ଦ୍ଧିତ ଓ ପରିବ୍ୟାପ୍ତ କରିଥିଲେ। ମଡେଲ୍‌‌ ଭିନ୍ନ ହେଲେ ମଧ୍ୟ ସମସ୍ତଙ୍କର ପ୍ରାୟ ସମାନ ଉଦ୍ଦେଶ୍ୟ ଥିଲା ଯେ ଦାରିଦ୍ର୍ୟକୁ ଗୋଟିଏ ପିଢ଼ିରେ ହିଁ ସୀମିତ କରି ସମାଜରେ ଅର୍ଥନୈତିକ ସମାନତା ଆଣିବାରେ ୟୁବିଆଇ ଏକ ଶ୍ରେଷ୍ଠ ବିକଳ୍ପ। ଐତିହାସିକଙ୍କ ମତରେ ୟୁବିଆଇ ଚିନ୍ତାଧାରା ଖ୍ରୀଷ୍ଟପୂର୍ବ ୪୬ରୁ ରୋମରେ କାର୍ଯ୍ୟକାରୀ ହୋଇସାରିଥିଲା। ତେବେ ଏହାର ବ୍ୟବସ୍ଥିତ ଓ ପ୍ରୟୋଗାତ୍ମକ ରୂପରେଖ ସାମ୍ନାକୁ ଆସିଲା ୨୦୦୮ ମସିହାରେ। ସେହିବର୍ଷ ନାମିବିଆରେ ବିଶ୍ୱର ପ୍ରଥମ ୟୁବିଆଇ ପାଇଲଟ୍‌‌ ପ୍ରକଳ୍ପ କାର୍ଯ୍ୟକାରୀ ହେଲା। ଇତିମଧ୍ୟରେ ଭାରତ ସମେତ ବିଶ୍ୱର ଆଠଟି ଦେଶରେ ୟୁବିଆଇର ପାଇଲଟ୍‌‌ ପ୍ରକଳ୍ପ ସଫଳ ଭାବେ କାର୍ଯ୍ୟକାରୀ ହୋଇସାରିଛି। କିନ୍ତୁ କେବଳ ଇରାନ୍‌‌ ଓ ମଙ୍ଗୋଲିଆ(ସାମୟିକ)କୁ ଛାଡ଼ିଦେଲେ କୌଣସି ଦେଶର ସରକାର ଏହାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ନାହାନ୍ତି।

ଭାରତରେ ସରକାରୀ ଭାବେ ୟୁବିଆଇ କାର୍ଯ୍ୟକାରୀ କରିବାର ପ୍ରଥମ ପ୍ରୟାସ ଆରମ୍ଭ ହୋଇଥିଲା ୨୦୧୬-୧୭ରେ। ସେହିବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ୟୁବିଆଇ ସପକ୍ଷରେ ତତ୍କାଳୀନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌‌ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଦ୍ୱାରା ଗଠିତ ‘ଅସମାନତା ଆୟୋଗ’ ରିପୋର୍ଟରେ ମଧ୍ୟ ଏହା ସପକ୍ଷରେ ସୁପାରିସ କରାଯାଇଥିଲା। ସୁବ୍ରମଣ୍ୟନ୍‌‌ଙ୍କ ଏହି ପ୍ରସ୍ତାବର ଆଧାର ଥିଲା ୨୦୧୦ରେ ଭାରତ ଓ ଏସିଆର ପ୍ରଥମ ୟୁବିଆଇ ପାଇଲଟ୍‌‌ ପ୍ରକଳ୍ପର ସଫଳତା ଓ ନିଷ୍କର୍ଷ। ୨୦୧୦ ରୁ ୨୦୧୩ ମଧ୍ୟରେ ‘ସେୱା’ ନାମକ ମହିଳା ସଂଗଠନ, ମଧ୍ୟପ୍ରଦେଶ ସରକାର ଓ ୟୁନିସେଫ୍‌‌ ଆନୁକୂଲ୍ୟରେ ମଧ୍ୟପ୍ରଦେଶରେ ‘ମଧ୍ୟପ୍ରଦେଶ ଅନ୍‌‌କଣ୍ଡିସନାଲ୍‌‌ କ୍ୟାସ୍‌‌ ଟ୍ରାନ୍ସଫର ପ୍ରୋଜେକ୍ଟ’ ନାମରେ କେତୋଟି ପାଇଲଟ୍‌‌ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଦିଲ୍ଲୀରେ ମଧ୍ୟ ଏକା ସମୟରେ ଦୁଇଟି ପ୍ରକଳ୍ପ ଆରମ୍ଭ ହେଲା। ଏ ସମସ୍ତ ପ୍ରକଳ୍ପ ରିପୋର୍ଟରେ ଉଲ୍ଲେଖ ଥିଲା ଯେ ଏହି ଯୋଜନାର ହିତାଧିକାରୀମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସାମାଜିକ କ୍ଷେତ୍ର ସହିତ ଆର୍ଥିକ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି, ଋଣ ଭାର ହ୍ରାସ ପାଇଛି, ଉତ୍ପାଦକତା ବଢ଼଼ିଛି। ଅଧିକ ଟଙ୍କା ନିଶାସକ୍ତିକୁ ପ୍ରୋତ୍ସାହିତ କରିବ ବୋଲି ଯେଉଁ ଅଭିଯୋଗ ହେଉଛି ତାହା ମଧ୍ୟ ଉପରୋକ୍ତ ପ୍ରକଳ୍ପ ରିପୋର୍ଟରେ ଭୁଲ୍‌‌ ବୋଲି ଦର୍ଶାଯାଇଥିଲା। ସେହିପରି ୨୦୨୨ ମସିହାରେ ବାଥ୍‌‌ ବିଶ୍ୱବିଦ୍ୟାଳୟ, ମଣ୍ଟଫୋର୍ଟ ସୋସିଆଲ୍‌‌ ଇନ୍‌‌ଷ୍ଟିଚ୍ୟୁଟ୍‌‌, ୟୁରୋପିଆନ୍‌‌ ରିସର୍ଚ୍ଚ କାଉନ୍‌‌ସିଲ୍‌‌ ଦ୍ୱାରା ପରିଚାଳିତ ଇଣ୍ଡିଆ ନେଟ୍‌‌ୱର୍କ ଫର ବେସିକ୍‌‌ ଇନ୍‌‌କମ୍‌‌ର ମିଳିତ ଆନୁକୂଲ୍ୟରେ ତେଲଙ୍ଗାନାରେ ‘ୱାର୍କଫ୍ରି’ ନାମରେ ୟୁବିଆଇର ଆଉ ଏକ ପାଇଲଟ୍‌‌ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ୧୮ ମାସ ପରେ ଦେଖାଗଲା ଯେ ହିତାଧିକାରୀମାନେ ସେହି ଟଙ୍କାରେ ଚୁଡ଼ି ବ୍ୟବସାୟ ଆରମ୍ଭ କରି ସେମାନଙ୍କ ଆର୍ଥିକ ସ୍ଥିତି ଓ ଜୀବନଧାରଣ ମାନରେ ଉଲ୍ଳେଖନୀୟ ପରିବର୍ତ୍ତନ ଆଣିପାରିଥିଲେ।

ଓଡ଼ିଶାର କେଉଁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ୟୁବିଆଇର ସଫଳ ପ୍ରୟୋଗ ହୋଇସାରିଛି। ଅର୍ଥନୀତିରେ ନୋବେଲ୍‌‌ ପୁରସ୍କାର ପ୍ରାପ୍ତ ଅଭିଜିତ୍‌‌ ବାନାର୍ଜୀ, ଇ ଡୁଫ୍‌‌ଲୋଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଜେ-ପଲ୍‌‌(ଅବଦୁଲ୍‌‌ ଲତିଫ୍‌‌ ଜମିଲ୍‌‌ ପୋଭର୍ଟି ଆକ୍‌‌ସନ୍‌‌ ଲାବ୍‌‌) ସାଉଥ ଏସିଆ’ ଉପରୋକ୍ତ ଦୁଇ ଜିଲ୍ଲାର ପ୍ରାୟ ୪୦୦ ଗ୍ରାମ ପଞ୍ଚାୟତରେ ପାଇଲଟ୍‌‌ ପ୍ରୋଜେକ୍ଟ ଭାବେ ୨୦୨୦ ମସିହାରେ ଏହି ପ୍ରୟୋଗ ଆରମ୍ଭ କରିଥିଲା। ଏହି ଦୀର୍ଘ ସମାବେଶୀ ପ୍ରୟୋଗାତ୍ମକ ଗବେଷଣାତ୍ମକ ରିପୋର୍ଟରେ ଜେ-ପଲ୍‌‌ ଉଲ୍ଲେଖ କରିଥିଲା ଯେ ମାସିକ ଶହେ ଟଙ୍କା ଆଜିର ଯୁଗରେ ମାମୁଲି ହେଲେ ମଧ୍ୟ ଗରିବରୁ ଅତିଗରିବ ହିତାଧିକାରୀଙ୍କ ମଧ୍ୟରୁ ୧୦ ଭାଗ ଲୋକଙ୍କର ମାସିକ ଉପଭୋଗ(କଞ୍ଜପସନ୍‌‌) ୨୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଏବଂ ସାମଗ୍ରିକ ଭାବେ ସମସ୍ତ ହିତାଧିକାରୀଙ୍କ ମାସିକ ଉପଭୋଗ ୧୪% ବଢ଼଼ିଛି। ନାବାଳକମାନଙ୍କ ପ୍ରାପ୍ୟ ସେମାନଙ୍କ ମାଆମାନଙ୍କ ଆକାଉଣ୍ଟରେ ଜମା ହେବା ଫଳରେ ସେହି ବର୍ଗର ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣରେ ଉଲ୍ଲେଖନୀୟ ଉନ୍ନତି ଦେଖାଦେଇଛି। ତେଣୁ ୟୁବିଆଇ ଜରିଆରେ ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ସଫଳତା ମିଳିପାରିବ ବୋଲି ଜେ-ପଲ୍‌‌ ପ୍ରସ୍ତାବ ଦେଇଥିଲା।

କେତେକ ସମାଜ-ଅର୍ଥ ଶାସ୍ତ୍ରୀ ୟୁବିଆଇକୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ଉତ୍ତମ, ଦୁର୍ନୀତିମୁକ୍ତ ଏବଂ ସରଳ, ସୁଲଭ ପ୍ରଶାସନିକ ବ୍ୟବସ୍ଥାଗତ ବିକଳ୍ପ ଭାବେ ଅଭିହିତ କରୁଥିବା ବେଳେ ଆଉ କେତେଜଣ ଏହାର ରୂପାୟନରେ ଥିବା ଜଟିଳତା ପ୍ରତି ସତର୍କ କରାଇ ଦେଇଛନ୍ତି। ସେହିପରି ଆଉ କେତେକ ଦର୍ଶାଇଛନ୍ତି ଯେ ଏହାଦ୍ୱାରା ଲୋକେ କର୍ମକୁଣ୍ଠ ଓ ଶ୍ରମବିମୁଖ ହୋଇଯିବାର ଆଶଙ୍କା ଅଧିକ ରହିଥିବାରୁ ଦେଶର ମାନବ ସମ୍ବଳର ଉତ୍ପାଦକତା ହ୍ରାସ ପାଇବ। ଏହାଛଡ଼ା ଦେଶର ରାଜକୋଷ ଉପରେ ଅଧିକ ଚାପ ସୃଷ୍ଟି ହେବ, ଦେଶର ଋଣ ଭାର, ମୁଦ୍ରାସ୍ଫୀତି, କର ଓ ଟିକସ ହାର ବୃଦ୍ଧି ପାଇବ, ଯୋଜନା ବ୍ୟୟବରାଦ କାଣ୍ଟଛାଣ୍ଟ ହେବ ଏବଂ ସ୍ୱାସ୍ଥ୍ୟ ଓ ଶିକ୍ଷା ପରି ମୌଳିକ ଆବଶ୍ୟକତା ପ୍ରତି ସରକାର ଅଧିକ ବ୍ୟୟବରାଦ କରିବେ ନାହିଁ। ବର୍ତ୍ତମାନର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଭି ଅନନ୍ତ ନାଗେଶ୍ୱରନ୍‌‌ ମଧ୍ୟ ସାମ୍ପ୍ରତିକ ସ୍ଥିତିରେ ଭାରତ ପାଇଁ ୟୁବିଆଇର ପ୍ରାସଙ୍ଗିକତା ଓ ଉପଯୋଗିତା ନାହିଁ ବୋଲି ଦର୍ଶାଇଛନ୍ତି। ଭାରତରେ ବହୁଦଳୀୟ ଶାସନ ବ୍ୟବସ୍ଥା କେନ୍ଦ୍ର ଓ ବିଭିନ୍ନ ରାଜ୍ୟରେ ଥିବାରୁ ୟୁବିଆଇ କାର୍ଯ୍ୟକାରୀ କରିବାରେ ଦଳୀୟ ଆଦର୍ଶଗତ ବିରୋଧାଭାସ ଉଠି ପାରେ ବୋଲି କେତେକ ରାଜନୀତି-ଅର୍ଥନୀତିଜ୍ଞ ମତ ଦେଇଛନ୍ତି।

ଉପରୋକ୍ତ କେତେକ ପାଇଲଟ୍‌‌ ପ୍ରକଳ୍ପର ସିଦ୍ଧାନ୍ତରୁ ଏହା ଜଣାପଡ଼େ ଯେ ସମାଜର ସବୁଠାରୁ ଅବହେଳିତ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପ୍ରତିଟି ସଦସ୍ୟଙ୍କୁ ସରକାରଙ୍କ ସର୍ବନିମ୍ନ ମୌଳିକ ସୁବିଧା ଯୋଜନା ସହିତ ସମାନ୍ତରାଳ ଭାବରେ ୟୁବିଆଇ କାର୍ଯ୍ୟକାରୀ କରାଗଲେ ସେମାନଙ୍କ ଆର୍ଥିକ ସ୍ୱାଧୀନତା, ମାନସିକ ଓ ସ୍ବାସ୍ଥ୍ୟଗତ ସ୍ଥିତିରେ ଉନ୍ନତି ଆସିବା ସହିତ ଜୀବନଧାରଣ ମାନ ବିକଶିତ ହୋଇପାରିବ। ସାମଗ୍ରିକ ଭାବରେ ଚାହିଦା ଓ ଯୋଗାଣ ବୃଦ୍ଧି ଜରିଆରେ ସ୍ଥାନୀୟ ଅର୍ଥନୀତି ସମୃଦ୍ଧ ହେବା ସହିତ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗର ସମ୍ପ୍ରସାରଣ, ମୁଣ୍ଡ ପିଛା ଆୟ ବୃଦ୍ଧି ପାଇପାରିବ। ଅନେକେ ମଧ୍ୟ ଯୁକ୍ତି କରନ୍ତି ଯେ ଭାରତରେ ମାଗଣା ରାସନ୍‌‌, ବିଭିନ୍ନ ରିହାତିମୂଳକ ଯୋଜନା ବାବଦରେ ଉପଭୋକ୍ତାଙ୍କୁ ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତର(ଡିବିଟି) କରାଯାଉଥିବାରୁ ୟୁବିଆଇର ଆବଶ୍ୟକତା ନାହିଁ। କିନ୍ତୁ ଡିବିଟି କେବଳ ବ୍ୟାବହାରିକ ବା ଉପଭୋଗ ଭିତ୍ତିକ ହୋଇଥିବାରୁ ଏହା ସମାଜରେ ଆର୍ଥିକ ସମାନତା ଆଣିପାରିବ ନାହିଁ। ଅରବିନ୍ଦ ସୁବ୍ରମଣ୍ୟନ୍‌‌ ମତ ଦେଇଥିଲେ ଯେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଥିବା ସଂଗ୍ରହ, ଭଣ୍ଡାରଣ, ପରିବହନ, ସୁଲଭ ବିକ୍ରୟ କେନ୍ଦ୍ରର ବିକେନ୍ଦ୍ରୀକରଣ ପ୍ରକ୍ରିୟାରେ ଯେତିକି ଅର୍ଥ ଖର୍ଚ୍ଚ ହେଉଛି ତାହା ତୁଳନାରେ ୟୁବିଆଇରେ ତୁଳନାତ୍ମକ ଭାବେ କମ୍‌ ଖର୍ଚ୍ଚ ହେବ। ଅପରପକ୍ଷରେ ସାଧାରଣ ବଣ୍ଟନ ବ୍ୟବସ୍ଥା ବନ୍ଦ କରିଦିଆଗଲେ ଖାଉଟି ସାମଗ୍ରୀର ବଜାର ଦର ବଢ଼଼ିଯିବ, ଯାହାକୁ ୟୁବିଆଇ ଦ୍ବାରା ସମାଧାନ କରିହେବ ନାହିଁ। ତେଣୁ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ସହିତ ୟୁବିଆଇ କାର୍ଯ୍ୟକାରୀ ହେବା ସର୍ବାଦୌ ବାଞ୍ଛନୀୟ।

ଗୌରୀ ପ୍ରସାଦ ମହାପାତ୍ର

ଭୁବନେଶ୍ୱର, ମୋ: ୯୩୩୮୦୮୭୯୦୦

ଉଚ୍ଚତମ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ସ୍ତ୍ରୀ-ଧନ ଉପରେ ମହିଳାଙ୍କର ନିରଙ୍କୁଶ ଅଧିକାର’
ସ୍ତ୍ରୀ-ଧନ ଉପରେ ମହିଳାଙ୍କ ସମ୍ପୂର୍ଣ୍ଣ ଅଧିକାରକୁ ସର୍ବୋଚ୍ଚ ନ୍ୟାୟଳୟ ସ୍ପଷ୍ଟ ସ୍ୱୀକୃତି ଦେଇଛନ୍ତି। ଏକ ବୈବାହିକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସୁପ୍ରିମକୋର୍ଟର ବିଚାରପତି ସଞ୍ଜୀବ ଖନ୍ନା ଓ ଦୀପଙ୍କର ଦତ୍ତଙ୍କ ପୀଠ ବୁଧବାର ସ୍ପଷ୍ଟ କରି ଦେଇଛନ୍ତି ଯେ ସ୍ତ୍ରୀ-ଧନ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ମିଳିତ ସମ୍ପତ୍ତି ହୋଇପାରିବ ନାହିଁ। କାରଣ ପତ୍ନୀଙ୍କ ସମ୍ପତ୍ତି ଓ ଧନ ଉପରେ ପତିଙ୍କର କୌଣସି ଆଇନଗତ ଅଧିକାର ନାହିଁ। ଅଭାବ ଅସୁବିଧା ବା ଜରୁରୀ ଆବଶ୍ୟକତା ସମୟରେ ସ୍ୱାମୀ ଯଦି ସ୍ତ୍ରୀଙ୍କ ଧନ ବ୍ୟବହାର କରନ୍ତି, ତାହା ହେଲେ ତାଙ୍କୁ ସେହି ଅର୍ଥ ପରିଶୋଧ କରିବାକୁ ପଡ଼ିବ। ଅଦାଲତ ଆହୁରି କହିଛନ୍ତି ଯେ ସ୍ତ୍ରୀ-ଧନ ଉପରେ ମହିଳାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ଏବଂ ଏଥିରେ କେହି ଭାଗିଦାର ହୋଇପାରିବେ ନାହିଁ। ମହିଳାଙ୍କ ଅଧିକାର ସୁରକ୍ଷା ଦିଗରେ ଏହା ଯେ ଏକ ଐତିହାସିକ ରାୟ ଏଥିରେ ସନ୍ଦେହ ନାହିଁ।

ସ୍ତ୍ରୀ-ଧନ ସହିତ ଆମ ସଂସ୍କୃତି ଓ ପରମ୍ପରା ଜଡ଼ିତ। ସ୍ତ୍ରୀ-ଧନ ମଧ୍ୟ ଅଭିଧାନରେ ସ୍ଥାନ ପାଇଛି, ଯାହାର ଅର୍ଥ ପତ୍ନୀଙ୍କର ଧନ, ଯାହା ବିବାହ ସମୟରେ ଓ ଏହା ପରେ ତାଙ୍କୁ ବିଭିନ୍ନ ସୂତ୍ରରୁ ବ୍ୟକ୍ତିଗତ ଉପହାର ଆକାରରେ ମିଳିଥାଏ। ଏହାପଛରେ ଜଣେ ବିବାହିତ ନାରୀଙ୍କୁ ଆର୍ଥିକ ନିରାପତ୍ତା ଓ ଜରୁରିକାଳୀନ ସହାୟତା ଦେବାର ବିଚାର ଜଡ଼ିତ। ସେମିତି ଦେଖିଲେ ସ୍ତ୍ରୀ-ଧନ ସମ୍ପୃକ୍ତ ମହିଳାଙ୍କ ଦ୍ୱାରା ନିଜର କନ୍ୟା, ପୁତ୍ରବଧୂ ଆଦିଙ୍କୁ ଉତ୍ତରାଧିକାର ସୂତ୍ରରେ ପ୍ରଦାନ କରାଯାଇଥାଏ ଏବଂ ଏହା ଏକ ପରମ୍ପରା ଭାବେ ଚଳି ଆସିଛି। ଏପରିକି ପରିବାରର ଜରୁରୀ ଆବଶ୍ୟକତା କାଳରେ ମଧ୍ୟ ପତି, ପତ୍ନୀଙ୍କ ଅନୁମତିକ୍ରମେ ତାଙ୍କ ଦ୍ୱାରା ସଞ୍ଚିତ ଅର୍ଥ ଓ ଗହଣାଗାଣ୍ଠିକୁ ବିକ୍ରି କରିଥା’ନ୍ତି। ହେଲେ ଆମ ପରମ୍ପରାରେ ସ୍ତ୍ରୀ-ଧନ ସୁରକ୍ଷିତ ଏବଂ ଏହା ଉପରେ ସମ୍ପୃକ୍ତ ନାରୀଙ୍କ ବ୍ୟତୀତ ଆଉ କାହାର ଅଧିକାର ନ ଥାଏ। ଅବଶ୍ୟ ସୁପ୍ରିମକୋର୍ଟଙ୍କ ସଦ୍ୟତମ ରାୟରେ ପତିଙ୍କୁ ଉକ୍ତ ଅର୍ଥ ପରିଶୋଧ କରିବାକୁ ବାଧ୍ୟ ବୋଲି କୁହାଯାଇଛି।

ଆଗରୁ ଭାରତୀୟ ଆଇନ ମଧ୍ୟ ସ୍ତ୍ରୀ-ଧନର ବର୍ଗୀକରଣ ଓ ବ୍ୟାଖ୍ୟା କରିଛି। ଏଥିରେ କୁହାଯାଇଛି ଯେ ଜଣେ ମହିଳାଙ୍କୁ ବିବାହ ପୂର୍ବରୁ, ବିବାହ କାଳରେ ଓ ବିବାହ ପରେ ପିତାମାତା, ଭାଇବନ୍ଧୁ ପରିଜନ, ସମ୍ପର୍କୀୟମାନଙ୍କ ଦ୍ୱାରା ମିଳୁଥିବା ଗହଣାପତ୍ର, ଟଙ୍କା, ବାସନକୁସନ, ଭୂସମ୍ପତ୍ତି ଓ ଅନ୍ୟାନ୍ୟ ଉପକରଣ ସ୍ତ୍ରୀ-ଧନ ପର୍ଯ୍ୟାୟଭୁକ୍ତ। ସେ ସମ୍ପତ୍ତିର ବିନିଯୋଗ, ଖର୍ଚ୍ଚ ବା ରକ୍ଷଣାବେକ୍ଷଣ କିପରି ହେବ, ସେ ଦାୟିତ୍ୱ ସମ୍ପୃକ୍ତ ମହିଳାଙ୍କର। ବାଧ୍ୟବାଧକତା କରି ସ୍ତ୍ରୀ-ଧନ ଖର୍ଚ୍ଚ କଲେ ବା ନେଇଗଲେ ସମ୍ପୃକ୍ତ ସ୍ୱାମୀ ଓ ତାଙ୍କ ପରିବାରର ସଦସ୍ୟଙ୍କ ବିରୋଧରେ ଧାରା ୪୦୬ରେ ଫୌଜଦାରୀ ମାମଲା ଦାଏର କରିହେବ। ଏହି ଐତିହାସିକ ରାୟ ଫଳରେ ସ୍ତ୍ରୀ-ଧନ ଉପରେ ମହିଳାଙ୍କର ପୂର୍ଣ୍ଣ ଅଧିକାର ଅଧିକ ସ୍ପଷ୍ଟ ଭାବରେ ସାବ୍ୟସ୍ତ ହେଲା ଏବଂ ମହିଳା ସଶକ୍ତୀକରଣ ଦିଗରେ ଏହା ଏକ ବଳିଷ୍ଠ ପଦକ୍ଷେପ।

ଆମ ସାମ୍ପ୍ରତିକ ସାମାଜିକ ଓ ପାରିବାରିକ ଚଳଣିରେ ସ୍ତ୍ରୀ-ଧନ ଉପରେ ମହିଳାଙ୍କର ନିରଙ୍କୁଶ ଅଧିକାରକୁ ଖୋଲାଖୋଲି ସ୍ୱୀକୃତି ଦିଆଯାଇନାହିଁ। ଯୌଥ ପରିବାରର ଚାପ, ସ୍ୱାମୀ ଓ ପିଲାଙ୍କ ଆବଶ୍ୟକତା ଦୃଷ୍ଟିରୁ ସେ ଧନ ଖର୍ଚ୍ଚ ହୁଏ ଏବଂ ସମ୍ପୃକ୍ତ ମହିଳା ପରିସ୍ଥିତି ଦୃଷ୍ଟିରୁ ଚୁପ୍‌‌ ରହିବାକୁ ବାଧ୍ୟ ହୁଏ। ଅନେକ କ୍ଷେତ୍ରରେ ମହିଳାଙ୍କ ପାଖକୁ ଖର୍ଚ୍ଚ ହୋଇଥିବା ସ୍ତ୍ରୀ-ଧନ ମଧ୍ୟ ଫେରି ନଥାଏ, ଯାହା ସେମାନଙ୍କ ମନସ୍ତାପ ବଢ଼଼ାଇଥାଏ। ସ୍ତ୍ରୀ-ଧନ ମାମଲାର ବିଚାର ପାଇଁ ପରିବାର ଅଦାଲତ ବ୍ୟବସ୍ଥାରେ ସ୍ୱତନ୍ତ୍ର ଓ ସ୍ପଷ୍ଟ ନିୟମ ନାହିଁ। ଆଇନଗତ ଦୁର୍ବଳତା ଯୋଗୁଁ ନାରୀଟିଏ ଏ କ୍ଷେତ୍ରରେ ତାହାର ଅଧିକାର ହରାଇ ବସେ। ଏବେ ବିବାହ ବିଚ୍ଛେଦ ବଢ଼଼ୁଛି ଏବଂ ଅନେକ ଲୋକ ପତ୍ନୀକୁ ଠକି ତାଙ୍କ ଧନସମ୍ପତ୍ତି ଆତ୍ମସାତ୍‌‌ କରିବାକୁ ପଶ୍ଚାତପଦ ହେଉନାହାନ୍ତି। ତେଣୁ ସେଭଳି କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ସଦ୍ୟତମ ରାୟ ନିଶ୍ଚୟ ଯୁଗାନ୍ତକାରୀ ପ୍ରଭାବ ପକାଇବ। ଏହା ମହିଳାଙ୍କ ଆତ୍ମବିଶ୍ୱାସ ବଢ଼଼ାଇବା ସହିତ ସେମାନଙ୍କୁ ସଶକ୍ତ କରିବ। କେବଳ ସ୍ତ୍ରୀ-ଧନ ନୁହେଁ ଅନେକ ଯୁବକ ଚାକିରି ବାକିରି ଆୟପନ୍ଥା ଛାଡ଼ି ନିଜର ରୋଜଗାରିଆ ପତ୍ନୀଙ୍କ ଅର୍ଜିତ ଧନରେ ଅୟସ କରିଥା’ନ୍ତି। ସେମାନେ ପତ୍ନୀ ଅନ୍ନରେ ପ୍ରତିପାଳିତ ହେବା ସହିତ ଅର୍ଦ୍ଧାଙ୍ଗିନୀଙ୍କ କଷ୍ଟାର୍ଜିତ ଧନର ଦୁରୁପଯୋଗ ମଧ୍ୟ କରିଥା’ନ୍ତି। ଏବେ ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ଏହାର ପ୍ରଭାବ ଏଭଳି ବିପଥଗାମୀ ପୁରୁଷଙ୍କ ଉପରେ ନିଶ୍ଚୟ ପଡ଼ିବ। ବାଧ୍ୟତାମୂଳକ ଯୌତୁକ ବ୍ୟବସ୍ଥା ଆମ ସମାଜର ଆଉ ଏକ କଳଙ୍କିତ ପରମ୍ପରା ଭାବେ ଗଢ଼ି ଉଠିଥିଲା। କିନ୍ତୁ ଦୀର୍ଘ ସମୟ ଧରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ, ସ୍ତ୍ରୀ ଶିକ୍ଷାରେ ପ୍ରଚାର, ଏଭଳି ଘୃଣ୍ୟ ପ୍ରଥା ବିରୋଧରେ ସାମାଜିକ ସଚେତନତା ବୃଦ୍ଧି ଆଦି ପ୍ରକରଣ ଫଳରେ ଏ ସମସ୍ୟା ଅନେକ ମାତ୍ରାରେ ହ୍ରାସ ପାଇଛି। ତେବେ ଯୌତୁକ ସମସ୍ୟାର ଉଗ୍ର ରୂପ ସମ୍ପୂର୍ଣ୍ଣ ଲୋପ ପାଇ ନାହିଁ। ସ୍ତ୍ରୀ-ଧନ ପରମ୍ପରାକୁ ଦୃଢ଼ ନ୍ୟାୟିକ ସୁରକ୍ଷା ଓ ଉଲ୍ଲଙ୍ଘନ ପାଇଁ କଠୋର ଦଣ୍ଡବିଧାନ ଆଦି ନିଷ୍ଠାପର ଭାବେ ଅନୁପାଳନ କଲେ ଆମ ସମାଜରେ ମହିଳାଙ୍କ ମର୍ଯ୍ୟାଦା ଓ ସମ୍ମାନ ବୃଦ୍ଧି ପାଇବ ଏବଂ ପତି-ପତ୍ନୀ ମଧ୍ୟରେ ଅସମାନତାର ଅବସାନ ଘଟିବ।

ଦମ୍ପତି ମିଳିତ ଭାବେ ନିଡ଼ରଚନା କରନ୍ତି ଓ ସଂସାର ଗଢ଼ନ୍ତି। ଏଥିରେ ଉଭୟଙ୍କର ସମାନ ଦାୟିତ୍ୱ ଓ ସହଯୋଗ ଥାଏ। ବୁଝାମଣା, ବିଶ୍ୱାସ ଓ ସ୍ନେହଶ୍ରଦ୍ଧା ଦ୍ୱାରା ସଂସାର ଗଢ଼ିଉଠେ। ଏଭଳି ସ୍ଥିତିରେ ପରିବାର ପାଇଁ ଉଭୟ ନାରୀ ଓ ପୁରୁଷ ଚରମ ତ୍ୟାଗ ସ୍ୱୀକାର କରିଥା’ନ୍ତି। ତେବେ ସେହି ତ୍ୟାଗ ସ୍ୱୀକାର କାଳରେ ସ୍ତ୍ରୀ-ଧନର ଯଦି ବାଧ୍ୟତାମୂଳକ ଉପଯୋଗ ହୁଏ, ତାହାର ପରିଶୋଧ କରାଯିବା ଆବଶ୍ୟକ। ଏହା ନ ହେଉଥିବାରୁ ଏକ ଅସୁସ୍ଥ ପରମ୍ପରା ସୃଷ୍ଟି ହୋଇଆସୁଥିଲା। ଏହି ଆପତ୍‌‌କାଳୀନ ସ୍ତ୍ରୀ-ଧନ ବିନିଯୋଗ ପ୍ରକ୍ରିୟା ଏବେଠାରୁ ଆଇନଗତ ଭାବରେ ହିଁ ହେବ ତଥା ଏହାର ଉଲ୍ଲଙ୍ଘନରେ ସ୍ତ୍ରୀ-ଧନ ଭଳି ଏକ ‘ଆର୍ଥିକ ଅନୁଷ୍ଠାନ’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପବିତ୍ରତା ନଷ୍ଟ ହେବ। ତେଣୁ ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ଆମେ ସ୍ୱାଗତ କରୁଛୁ ଏବଂ ସ୍ତ୍ରୀ-ଧନ ପରମ୍ପରାର ସୁରକ୍ଷା କାମନା କରିବା ସହ ଆବଶ୍ୟକସ୍ଥଳେ ତାହାର ଉପଯୁକ୍ତ ବିନିଯୋଗ ଏବଂ ପରିଶୋଧ ବ୍ୟବସ୍ଥାକୁ ସ୍ୱାଗତ ଜଣାଉଛୁ।

ନିର୍ବାଚନ ପ୍ରଚାର ରଣନୀତି
ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବା ଏବଂ ଭୋଟରମାନଙ୍କୁ ନେତୃତ୍ୱ ଉପରେ ବିଶ୍ୱାସ ଜନ୍ମାଇବା ହେଉଛି ନିର୍ବାଚନରେ ସଫଳତା ପାଇବାର ମନ୍ତ୍ର। ଏଥିପାଇଁ ଏକ ସଠିକ୍‌‌ ଓ ଯୋଜନାବଦ୍ଧ ନିର୍ବାଚନ ପ୍ରଚାର ରଣନୀତି ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ନିର୍ବାଚନ ପ୍ରଚାରକୁ ନେଇ ପ୍ରକାଶିତ ଏକ ଲୋକପ୍ରିୟ ଗାଇଡବୁକ୍‌‌ ଅନୁଯାୟୀ ସଫଳ ନିର୍ବାଚନ ପ୍ରଚାର ହେଉଛି ଗାଣିତିକ ସୂତ୍ର, ଅଧିକ ଖର୍ଚ୍ଚ ଓ ବିପୁଳ ସମ୍ୱଳ ଯୋଜନା ସହ ବଜାର ବିଶ୍ଳେଷଣର ଅଭିନବ ପ୍ରକ୍ରିୟା। ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଯୋଜନା ସ୍ୱତନ୍ତ୍ର ହେବା ଜରୁରୀ। ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ପ୍ରଚାର ରଣନୀତି ପ୍ରାର୍ଥୀଙ୍କ ପାଇଁ ସଫଳତା ଅପେକ୍ଷା ବିଫଳତା ଅଧିକ ଆଣିପାରେ।

ଭୌଗୋଳିକ ଅଞ୍ଚଳ, ରାଜନୈତିକ ବାତାବରଣ ଓ ନିର୍ବାଚନ ପ୍ରଚାର ଅଭିଯାନର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରରେ ପ୍ରଚାର ରଣନୀତି ଭିନ୍ନ ଭିନ୍ନ। ଆଧୁନିକ ନିର୍ବାଚନ ପ୍ରଚାରରେ ଯୋଜନା ଉଭୟ ପାରମ୍ପରିକ ଓ ଡିଜିଟାଲ କୌଶଳର ସମ୍ମିମିଶ୍ରଣ ଦେଖିବାକୁ ମିଳେ। ଜନସମାଗମ, ଗଣମାଧ୍ୟମରେ ପ୍ରଚାର/ପ୍ରସାର, ଘରକୁ ଘର ବୁଊି ପ୍ରଚାର ଓ ରୋଡ ସୋ’ ଇତ୍ୟାଦି ନିର୍ବାଚନ ପ୍ରଚାର ଅଭିଯାନର ପାରମ୍ପରିକ କୌଶଳ। ସେହିପରି ଇସ୍ତାହାର, ପ୍ରତୀକବାଦ, ମେଣ୍ଟ ଓ ତାରକାଙ୍କ ଜରିଆରେ ପ୍ରଚାର ହେଉଛି ପ୍ରଚାର ଅଭିଯାନର ଅନ୍ୟ ଏକ ଲୋକପ୍ରିୟ ରୂପ। ଏତଦ୍‌‌ବ୍ୟତୀତ ସାମ୍ପ୍ରତିକ ଯୁଗରେ ସାମାଜିକ ଗଣମାଧ୍ୟମ ବ୍ୟତୀତ ରାଜନେତାମାନେ କିଛି ନୂତନ ପ୍ରଚାର କୌଶଳ ଆଦରି ନେଇଛନ୍ତି। ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଉଛି ‘ଗେଟ୍‌‌-ଆଟ୍‌‌-ଦି-ଭୋଟ୍‌‌’ ବା ‘ଭୋଟ୍‌‌ ପ୍ରାପ୍ତ କରନ୍ତୁ’। ଏହା ସାଧାରଣତଃ ମତଦାନ କିମ୍ୱା ଭୋଟର ହାର ବୃଦ୍ଧି ଉଦ୍ଦେଶ୍ୟରେ ଏକ ପ୍ରୟାସ। ଏହି ପ୍ରୟାସଗୁଡ଼ିକ ମଧ୍ୟରେ ଭୋଟର ପଞ୍ଜିକରଣ ଅଭିଯାନ, ମତଦାନର ଗୁରୁତ୍ୱ ବିଷୟରେ ସଚେତନତା ଅଭିଯାନ ଓ ସମସ୍ତ ଯୋଗ୍ୟ ଭୋଟରଙ୍କ ପାଇଁ ମତଦାନ ସୁଯୋଗର ଅଧିକ ଅଧିକ ଉପଲବ୍ଧତା ଆଦି ଅନ୍ତର୍ଭୁକ୍ତ। ଏବେ ପ୍ରାୟ ସମସ୍ତ ରାଜନୈତିକ ଦଳ ଏସବୁ କୌଶଳ ଆପଣେଇଥିବା ଦେଖାଯାଉଛି। ଦ୍ୱିତୀୟ କୌଶଳ ହେଉଛି ‘ମାଇକ୍ରୋ-ଟାର୍ଗେଟିଂ’। ଏହା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନିକଟରେ ପ୍ରଚାର ବାର୍ତ୍ତା ପହଞ୍ଚାଇବାର ପ୍ରୟାସ। ଏହାସହ ତଥ୍ୟ ବିଶ୍ଳେଷଣ ଏବଂ ଜନସଂଖ୍ୟା ସୂଚନାର ବ୍ୟବହାର ଏବେ ଏକ ନୂତନ ନିର୍ବାଚନୀରେ ସଫଳତା କୌଶଳ ଭାବରେ ବ୍ୟବହାର କରାଯାଉଛି। ବ୍ୟାପକ ଭୋଟରଙ୍କ ନିକଟରେ ଏକ ସାଧାରଣ ବାର୍ତ୍ତା ପ୍ରସାରଣ କରିବା ପରିବର୍ତ୍ତେ ମାଇକ୍ରୋ-ଟାର୍ଗେଟିଂରେ ଜନସଂଖ୍ୟାର କ୍ଷୁଦ୍ର ଓ ନିର୍ଦ୍ଦିଷ୍ଟ ଅଂଶଗୁଡ଼ିକୁ ଚିହ୍ନଟ କରାଯାଏ। ମନୋନୀତ ଗୋଷ୍ଠୀର ଆଗ୍ରହ, ବିଶ୍ୱାସ କିମ୍ୱା ଜନସଂଖ୍ୟା ଆଧାରରେ ସେମାନଙ୍କ ସହିତ ଅନୁଭୂତ ବାର୍ତ୍ତା ପ୍ରସ୍ତୁତ କରିବା ‘ମାଇକ୍ରୋ-ଟାର୍ଗେଟିଂ’ ପ୍ରଚାର ଯୋଜନାର ମୂଳ ଲକ୍ଷ୍ୟ।

ଏତଦ୍‌‌ବ୍ୟତୀତ ଏକ ପ୍ରଭାବଶାଳୀ ନିର୍ବାଚନ ପ୍ରଚାର ଯୋଜନାର ତିନିଟି ବଳିଷ୍ଠ ସୋପାନ ଅଛି। ପ୍ରଥମ ସୋପାନ ହେଉଛି ପ୍ରାର୍ଥୀଙ୍କ କାର୍ଯ୍ୟସୂଚୀ ଓ ପ୍ରାର୍ଥୀଙ୍କ ଭାଷା। ଯଦି ପ୍ରାର୍ଥୀଙ୍କ କାର୍ଯ୍ୟସୂଚୀକୁ ସଠିକ୍‌‌ ଭାବରେ ଯୋଜନା କରାନଯାଏ ତେବେ ପ୍ରଚାର ଏକ ବିଫଳ ଆଶାରେ ପରିଣତ ହୁଏ। ଏକ ଅନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ କେବଳ ସମୟର ଅପଚୟ। ପ୍ରସିଦ୍ଧ ରାଜନୈତିକ ପରାମର୍ଶଦାତା ସାଶା ଇସେନବର୍ଗ ତାଙ୍କ ପୁସ୍ତକ ‘ଭିକ୍ଟ୍ରି ଲାବ’ରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଚାର ସମୟରେ ପ୍ରାର୍ଥୀଙ୍କ ବ୍ୟବହୃତ ଭାଷା ହିଁ ଭୋଟରଙ୍କ ମତଦାନ ହାର ନିର୍ଦ୍ଧାରଣ କରିଥାଏ। ତେଣୁ ଭୋଟରଙ୍କ ଭାବନାକୁ ପ୍ରୋତ୍ସାହିତ କରିପାରୁଥିବା ଭାଷା ପ୍ରସ୍ତୁତ କରିବା ଜରୁରୀ। ଏଣୁ ବର୍ତ୍ତମାନ ସମୟରେ ନିର୍ବାଚନ ସମୟରେ ଭାଷଣରେ ପ୍ରତିଶ୍ରୁତି, ତୁଷ୍ଟୀକରଣ, ବିକାଶ ବ୍ୟତୀତ ଘୃଣ୍ୟ ଭାଷଣ, ଧ୍ରୁବୀକରଣ ବକ୍ତବ୍ୟକୁ ମଧ୍ୟ ଅନେକ ସମୟରେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନ ପ୍ରଚାର କାର୍ଯ୍ୟକୁ ପ୍ରଭାବଶାଳୀ ଓ ଗତିଶୀଳ କରିବା ପାଇଁ ବଜେଟ୍‌‌ ଓ ଅର୍ଥନୈତିକ ଯୋଜନା ହେଉଛି ନିର୍ବାଚନ ଜିତିବାର ଦ୍ୱିତୀୟ ସୋପାନ। ପ୍ରାର୍ଥୀଙ୍କ ନିର୍ବାଚନୀ ବଜେଟର ଦୁଇ-ତୃତୀୟାଂଶ କେବଳ ଭୋଟରଙ୍କ ଯୋଗାଯୋଗ ଦିଗରେ ଖର୍ଚ୍ଚ ହୁଏ। ସେଥିମଧ୍ୟରେ ନିର୍ବାଚନୀ ରାଲି, ସଭା, ସମିତି ଓ ଭୋଜିଭାତ ଆଦି ଅନ୍ତର୍ଭୁକ୍ତ। ‘ସେଣ୍ଟର ଅଫ ମିଡିଆ ଷ୍ଟଡିଜ’ର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାୟ ୫୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୧୯୯୮ ନିର୍ବାଚନ ତୁଳନାରେ ଏହି ଖର୍ଚ୍ଚ ପ୍ରାୟ ଛ’ ଗୁଣା ଅଧିକା। ୨୦୧୯ ଲୋକସଭା ନିର୍ବାଚନରେ ଭାରତର ନବେ କୋଟି ଭୋଟର ଥିଲେ। ପ୍ରତି ଭୋଟରଙ୍କ ପିଛା ସାତଶହ ଟଙ୍କା ଖର୍ଚ୍ଚ ହୋଇଥାଇପାରେ ବୋଲି ଏ ରିପୋର୍ଟରେ ଅନୁମାନ କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ୨୭, ୫୦୦କୋଟି ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜାତୀୟ କଂଗ୍ରେସ ୯୬୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବା କେତେକ ସଂସ୍ଥା ତଥ୍ୟ ଉପସ୍ଥାପନ କରିଛନ୍ତି। ଏହିସବୁ ସଂସ୍ଥାର ଆକଳନ ଅନୁଯାୟୀ ଅବଶିଷ୍ଟ ଦଳମାନେ ୨୦୧୯ ନିର୍ବାଚନରେ୧୭୮୭୫ କୋଟି ଖର୍ଚ୍ଚ କରିଥିଲେ। ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ମୋଟ ଖର୍ଚ୍ଚର ୨୫ % ଅର୍ଥାତ୍‌‌ ୧୪ ହଜାର କୋଟି ଟଙ୍କା ସିଧାସଳଖ ଭୋଟରଙ୍କୁ ବଣ୍ଟନ କରାଯାଇଥିଲ। କିନ୍ତୁ ଆଧୁନିକ ପ୍ରଚାର ଯୋଜନା ଅନୁଯାୟୀ ଆକଳନ ତୁଳନାରେ ନିର୍ବାଚନ ଖର୍ଚ୍ଚ ଅଧିକ ହୋଇପାରେ।

ନିର୍ବାଚନରେ ସଫଳତାର ତୃତୀୟ ସୋପାନ ହେଉଛି ଯୋଜନା ଦସ୍ତାବିଜ। ଦସ୍ତାବିଜ ହେଉଛି ଏକ ସମୟ ସୀମା ମଧ୍ୟରେ ସ୍ଥାନୀୟ ସମସ୍ୟାଗୁଡ଼ିକୁ ବ୍ୟବସ୍ଥିତ କରିବାର ଏକ ଉପକ୍ରମ। ଉଦାହରଣ ସ୍ୱରୂପ, ଏକ ରାଜନୈତିକ ଦଳ ‘ସାପ୍ତାହିକ-ଆଧାର’ରେ ନିର୍ବାଚନ ପ୍ରସଙ୍ଗ ଯୋଜନା କରିପାରେ। ତେଣୁ ପ୍ରଥମ ସପ୍ତାହରେ ନିଜ ଅଞ୍ଚଳରେ ପ୍ରସଙ୍ଗକୁ ଚୟନ କରିବା ସହ ଏକ ସୁପରିକଳ୍ପିତ ରିପୋର୍ଟ ପ୍ରସ୍ତୁତ କରିବାକୁ ହୁଏ। ଭୋଟରଙ୍କ ନିକଟତର ହେବାକୁ ହେଲେ ଏହାକୁ ଖବରକାଗଜ କିମ୍ୱା ଯୋଗାଯୋଗର ଅନ୍ୟ କୌଣସି ମାଧ୍ୟମରେ ପ୍ରକାଶ କରିବା ଜରୁରୀ। ପ୍ରସଙ୍ଗଭିତ୍ତିକ ରାଜନୀତିରେ ପ୍ରାର୍ଥୀମାନେ ଯୋଜନା ଦସ୍ତାବିଜକୁ ବିତର୍କ, ସମାବେଶ, ଭୋଟର ସଭାରେ ସଠିକ ଉପସ୍ଥାପନ କରିପାରିବେ। ନିର୍ବାଚନୀ ପ୍ରଚାର ଯୋଜନା କିଛି ଉପାଦାନ ଉପରେ କେନ୍ଦ୍ରୀଭୂତ। ପ୍ରଥମଟି ହେଉଛି ଜ୍ଞାନଶୀଳ। ଏହା ପ୍ରାର୍ଥୀଙ୍କ ସଚେତନତା ଉପରେ ଆଧାରିତ। ଦ୍ୱିତୀୟଟି ହେଉଛି ପ୍ରାର୍ଥୀଙ୍କ ବିଷୟରେ ଜନ ମତାମତ। ତୃତୀୟଟି ହେଉଛି ପ୍ରାର୍ଥୀଙ୍କ ନିଷ୍ପତ୍ତିର ମୂଲ୍ୟାଙ୍କନ। ନିର୍ବାଚନ ପ୍ରଚାରରେ ନାମ ଓ ପରିଚୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପ୍ରଚାର ଯୋଜନା ମୂଳତଃ ପ୍ରାର୍ଥୀଙ୍କୁ ସେମାନଙ୍କ ନାମ ଦ୍ୱାରା ଚିହ୍ନିବାର ଉପାୟ ସହ ଲୋକଙ୍କୁ ପ୍ରାର୍ଥୀଙ୍କ ଉପରେ ବିଶ୍ୱାସ କରାଇବା ପାଇଁ ପ୍ରୋତ୍ସାହିତ କରିଥାଏ। ବରିଷ୍ଠ ନିର୍ବାଚନ ରଣନୀତିକାର ମେରି ମାଟାଲିନଙ୍କର ରାଜନୀତି ପାଇଁ ୧୦୧ ନିୟମ ମଧ୍ୟରୁ ଗୋଟିଏ ଦୃଢ଼ ନିୟମ ହେଉଛି ‘ଅନ୍ୟ ପକ୍ଷକୁ କେବେ ବି ତୁମକୁ ସଂଜ୍ଞା, ଅର୍ଥ ବା ଅର୍ଥାନ୍ତର କରିବାକୁ ଦିଅନ୍ତୁ ନାହିଁ।’ ଯଦି କୌଣସି ପ୍ରାର୍ଥୀ ପ୍ରତିପକ୍ଷ ବା ପ୍ରତିଦ୍ୱନ୍ଦ୍ୱୀଙ୍କୁ ସଂଜ୍ଞା ବା ପରିଭାଷିତ କରିବାରେ ସଫଳତା ହାସଲ କରନ୍ତି ତେବେ ତାହା ବୁମେରାଂ ସାଜିବ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତି ଜନମତ ଅଧିକ ଦୃଢ଼ ହେବ। ଯଦି ପ୍ରାର୍ଥୀ ଓ ବିରୋଧୀଙ୍କ ଅତୀତ, ବର୍ତମାନ ଓ ଭବିଷ୍ୟତ ଘଟଣାର ସଠିକ ପଠନ ଉପରେ ପ୍ରଚାର ଯୋଜନା ଆଧାରିତ ନ ହୁଏ, ତେବେ ଉତ୍ତମ ପ୍ରସ୍ତୁତି ମଧ୍ୟ ବିଫଳ ହୋଇପାରେ।

ଭାରତୀୟ ନିର୍ବାଚନର ବିକଶିତ ଭୂମିକାକୁ ଆଧାର କରି ନିର୍ବାଚନ ପ୍ରଚାରର ଯୋଜନାକୁ ଏକ ଅନୁଷ୍ଠାନର ରୂପ ଦିଆଯାଇଛି। ୨୦୧୪ ମସିହାରୁ ଏହି ଧାରା ବ୍ୟାପକ ଭାବରେ ବ୍ୟବହୃତ ହୋଇଛି। ନୂତନ ଭାବରେ ଉଭା ହୋଇଥିବା ରାଜନୈତିକ ପରାମର୍ଶଦାତାମାନେ ରାଜନୈତିକ ଦଳ କିମ୍ୱା ପ୍ରାର୍ଥୀଙ୍କୁ ନିର୍ବାଚନ ଫଳାଫଳ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥା’ନ୍ତି। ଏହି ପରାମର୍ଶଦାତାମାନେ ରାଜନେତାଙ୍କ ପ୍ରଚାର ଅଭିଯାନ ପରିଚାଳନା ଏବଂ ନିର୍ବାଚନ ରଣନୀତି ପ୍ରସ୍ତୁତ କରନ୍ତି। ଏହା ସହ ନିର୍ବାଚନ ରଣନୀତିର କ୍ରମବିକାଶ, ଗଣମାଧ୍ୟମ ଯୋଜନା, ନିର୍ବାଚନୀ ବାର୍ତ୍ତା ପ୍ରସ୍ତୁତି, ତଥ୍ୟ ବିଶ୍ଳେଷଣ, ପାଣ୍ଠି ସଂଗ୍ରହ, ମତଦାନ ଓ ଗବେଷଣା ଏବଂ ସଙ୍କଟ ପରିଚାଳନା ଭଳି ସେବା ପ୍ରଦାନ କରନ୍ତି। ନିର୍ବାଚନ ପରାମର୍ଶଦାତାଙ୍କୁ ନେଇ ଭାରତରେ ୩୦୦୦ କୋଟି ଟଙ୍କାର ଏକ ଶିଳ୍ପ ଗଢ଼ିଉଠିଛି। ଆଇଆଇଟି ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ଅନୁଷ୍ଠାନର ବିଶେଷଜ୍ଞ, ଛାତ୍ରଛାତ୍ରୀ ଓ କାର୍ଯ୍ୟନିର୍ବାହୀମାନେ ଏହି ସେବାରେ ନିୟୋଜିତ। ଆକଳନ କରାଯାଏ ଯେ ସମଗ୍ର ଦେଶରେ ୧୫୦ରୁ ଊର୍ଦ୍ର୍ଧ୍ବ ରାଜନୈତିକ ପରାମର୍ଶଦାତା ସେବା ପ୍ରଦାନ କରୁଛନ୍ତି ଏବଂ ସେହି ସଂସ୍ଥାମାନଙ୍କରେ ୩୦ ହଜାରରୁ ଅଧିକ କର୍ମଚାରୀ କାର୍ଯ୍ୟରତ। ରାଜନୈତିକ ଦଳ ବା ନିର୍ବାଚନରେ ଲଢୁଥିବା ପ୍ରାର୍ଥୀ ନିମନ୍ତେ କନସଲଟାଣ୍ଟ ସର୍ଭିସ ଚାର୍ଜ ବା ସେବା ଦେୟ ୧ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ହେଉଥିବା ଜଣାପଡ଼ିଛି।

ରାଜନୀତିର ମୌଳିକ ତାତ୍ତ୍ୱିକ ସଂଜ୍ଞା ଏହା କୁହେ ଯେ ଯୋଗ୍ୟ ହେବା ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିଷ୍ଠାର ସହ କର୍ମୀଙ୍କ ସହ ଯୋଡ଼ି ହେବାକୁ ପଡ଼ିବ ଏବଂ ଅଧିକରୁ ଅଧିକ ଅନୁଗାମୀଙ୍କ ସହ ଏକ ଆଭା ସୃଷ୍ଟି କରିବାକୁ ପଡ଼ିବ। କିନ୍ତୁ ଅଧିକାଂଶ ସମୟରେ ରାଜନେତାମାନେ ଭୋଟରଙ୍କୁ ଆକର୍ଷଣ ପାଇଁ କୌଶଳପୂର୍ଣ୍ଣ ପ୍ରଚାର ଯୋଜନାର ଆଶ୍ରୟ ନେଇଥା’ନ୍ତି। ପ୍ରଚାର ପରାମର୍ଶଦାତାଙ୍କ ପ୍ରଦତ୍ତ ଯେକୌଣସି ପ୍ରଚାର ଯୋଜନା ଏକ ଧାରଣା ଭଳି ଏବଂ ଏ ଧାରଣା ଭୁଲ ମଧ୍ୟ ହୋଇପାରେ। କାରଣ ଆଜିର ଭୋଟର, ସାଧାରଣ ଜନତା ସବୁ ଜାଣେ।

ଡ. ଅବଶ ପରିଡ଼ା

ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨

ସମୟ ସାଗର ଘୂର୍ଣ୍ଣିରେ ମାଳଦ୍ୱୀପ
ଆକାର ଓ ଅବସ୍ଥିତି ନୁହେଁ; କୌଣସି ଦେଶର ଉଚ୍ଚ ନେତୃବର୍ଗଙ୍କ ଆଚରଣ ଓ ଉଚ୍ଚାରଣ ହିଁ ପଡ଼ୋଶୀ ରାଷ୍ଟ୍ରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟେ। ଭାରତ ମହାସାଗର ସ୍ଥିତ କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପ ଏବେ ଯେଉଁ ମନୋଭାବ ପ୍ରଦର୍ଶନ କରୁଛି ଓ ସେଠାରେ ଯେଉଁ ରାଜନୈତିକ ଘଟଣାବଳୀ ସବୁ ଘଟୁଛି, ତାହା ଭାରତ ପାଇଁ କେତେକ ସମସ୍ୟା ସୃଷ୍ଟି କରିଛି। ଗତବର୍ଷ କ୍ଷମତାକୁ ଆସିବା ପରେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଦଳ ପିଏନ୍‌‌ସି ରବିବାର ଦେଶରେ ଅନୁଷ୍ଠିତ ପାର୍ଲାମେଣ୍ଟ(ପିପୁଲସ୍‌‌ ମଜ୍‌‌ଲିସ୍‌‌) ନିର୍ବାଚନରେ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ସେଠାକାର ୯୩ ସଦସ୍ୟ ବିଶିଷ୍ଟ ପିପୁଲ୍‌‌ସ ମଜଲିସ ପାଇଁ ହୋଇଥିବା ନିର୍ବାଚନରେ ଘୋଷିତ ୮୬ ଆସନ ଫଳାଫଳରୁ ୬୬ଟିରେ ମୁଇଜ୍ଜୁ ପିପୁଲ୍‌‌ସ ନେଶନାଲ କଂଗ୍ରେସ (ପିଏନ୍‌‌ସି) ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେ ରାଷ୍ଟ୍ରପତି ନିର୍ବାଚିତ ହେବା ବେଳକୁ ପିପୁଲସ୍‌‌ ମଜ୍‌‌ଲିସ୍‌‌ରେ ତାଙ୍କ ଦଳର ସଦସ୍ୟ ସଂଖ୍ୟା ଥିଲା ମାତ୍ର ୮।

ମୁଇଜ୍ଜୁଙ୍କ ଚୀନ୍‌‌ ସପକ୍ଷବାଦୀ ଓ ଭାରତ ବିରୋଧୀ ନୀତିକୁ ମାଲଦ୍ୱୀପର ଭୋଟର ବିପୁଳ ସମର୍ଥନ ଦେଇଛନ୍ତି। ପାରମ୍ପରିକ ଭାବେ ଭାରତର ମିତ୍ର ଥିବା ଓ ବିପୁଳ ଭାବେ ଉପକୃତ ହୋଇଥିବା ମାଳଦ୍ୱୀପ ଏହି ନିର୍ବାଚନରେ ତାଙ୍କ ଦେଶର ରାଷ୍ଟ୍ରପତିଙ୍କ ବିଦେଶ ନୀତିକୁ ସମର୍ଥନ କରିଛନ୍ତି। ଏହାଫଳରେ ମାଳଦ୍ୱୀପ ଭାରତଠାରୁ ଦୂରେଇ ଯାଇ ଚୀନ୍‌‌ ସହିତ ନିଜର ଅର୍ଥନୈତିକ ସମ୍ପର୍କକୁ ଅଧିକ ନିବିଡ଼ କରିବ। ବିଦାୟୀ ପାର୍ଲାମେଣ୍ଟରେ ଭାରତ ସପକ୍ଷବାଦୀ ଲୋକପ୍ରତିନିଧିଙ୍କର ସଂଖ୍ୟାଗରିଷ୍ଠତା ବିପୁଳ ଥିଲା। ଜଳଦସ୍ୟୁ ଓ ବାହ୍ୟ ଆକ୍ରମଣରୁ ମାଳଦ୍ୱୀପକୁ ସୁରକ୍ଷା ଦେବାକୁ ପୂର୍ବ ସରକାରଙ୍କ ଅନୁରୋଧକ୍ରମେ ଭାରତ ସେଠାରେ ସୈନ୍ୟ ମୁତୟନ କରିଥିଲା। କିନ୍ତୁ ମୁଇଜ୍ଜୁ ଭାରତ ସହିତ ସମ୍ପର୍କର ସମୀକ୍ଷା କରିବା ସହିତ ଚୀନ୍‌‌ର ଅଧିକ ନିକଟତର ହେବା ଏବଂ ନିଜ ମାଟିରୁ ଭାରତୀୟ ସୈନ୍ୟଙ୍କୁ ଅପସାରିତ କରିବାର ପ୍ରତିଶ୍ରୁତି ଦେଇ ନିର୍ବାଚନ ଲଢ଼ିଥିଲେ ଏବଂ ଏଥିପାଇଁ ତାଙ୍କୁ ବିପୁଳ ଜନାଦେଶ ମିଳିଛି।

ବିଗତ କିଛିବର୍ଷ ଧରି ମାଳଦ୍ୱୀପରେ କେତେକ ରାଜନୈତିକ ଦଳ ଭାରତ ବିରୋଧୀ ପ୍ରଚାର ଚଳାଇ ସେଥିରୁ ଫାଇଦା ଉଠାଇବାକୁ ପ୍ରୟାସ କରୁଥିଲେ। ଏହି ଭାରତ ବିରୋଧୀ ଆଭିମୁଖ୍ୟର ମୁଇଜ୍ଜୁ ଓ ତାଙ୍କ ଦଳ ଏକ ବଡ଼ ଉପଭୋକ୍ତା। ଏହାପଛରେ ବିସ୍ତାରବାଦୀ ଚୀନର ମାଗଣା ଆର୍ଥିକ ସହାୟତା ଓ କୂଟନୀତି ପ୍ରଚ୍ଛନ୍ନ ଭାବେ କାମ କରୁଛି। ଭାରତ ମହାସାଗର ଅଞ୍ଚଳରେ ନିଜର ସାମରିକ ଘାଟି ସ୍ଥାପନ କରି ସେ ଅଞ୍ଚଳ ଉପରେ ଆଧିପତ୍ୟ ଜାହିର କରିବା ସହିତ ଭାରତ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବା ଚୀନ୍‌‌ର ଏକମାତ୍ର ଲକ୍ଷ୍ୟ। ମୁଇଜ୍ଜୁଙ୍କ ବିଜୟରେ ଚୀନ୍‌‌ର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଥିଲା ବୋଲି ଅଭିଯୋଗ ହୁଏ। ତେଣୁ ସେ ରାଷ୍ଟ୍ରପତି ପଦରେ ଆସୀନ ହେବା ପରେ ପରେ ମାଳଦ୍ୱୀପରେ ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚୀନ୍‌‌ କମ୍ପାନୀଙ୍କୁ ଦେବା ସହିତ ଭାରତକୁ ଏଥିରୁ ବଞ୍ଚିତ କରିଥିଲେ। ମାଳଦ୍ୱୀପର ଅର୍ଥନୀତି ପର୍ଯ୍ୟଟନ ଉପରେ ମୁଖ୍ୟତଃ ନିର୍ଭରଶୀଳ। ଏହା ଭାରତରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଚୁର ପରିମାଣରେ ଆମଦାନୀ କରିଥାଏ। ଭାରତର ପର୍ଯ୍ୟଟକମାନେ ଏକଦା ସେହି ଦେଶର ପର୍ଯ୍ୟଟନ ଶିଳ୍ପରେ ୮୬ ଶତାଂଶ ଅବଦାନ ରଖୁଥିଲେ। ଭାରତ ନିଜ ବଜେଟରେ ବିଭିନ୍ନ ପଡ଼ୋଶୀ ରାଷ୍ଟ୍ରଙ୍କୁ ଯେଉଁ ସ୍ୱତନ୍ତ୍ର ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଏ, ସେଥିରେ ମାଳଦ୍ୱୀପ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ତେବେ ମୁଇଜ୍ଜୁ ଭାରତ ବିରୋଧୀ ମନୋଭାବ ପ୍ରଦର୍ଶନ କରି ଚୀନ୍‌‌ ଆଡ଼କୁ ଢଳିବା ପରେ ଭାରତ ତାହାର ପର୍ଯ୍ୟଟକଙ୍କୁ ମାଳଦ୍ୱୀପକୁ ଯିବାକୁ ନିଷିଦ୍ଧ କରିବା ସହିତ ଅର୍ଥନୈତିକ ସହାୟତା ହ୍ରାସ କରିଛି। ତଥାପି ଜଣେ ସଚ୍ଚା ପଡ଼ୋଶୀ ଭାବେ ସେଠା ସରକାରଙ୍କ ବିଶେଷ ଅନୁରୋଧକ୍ରମେ ମାଳଦ୍ୱୀପକୁ ଭାରତ କଂକ୍ରିଟ, ସିମେଣ୍ଟ, ଲୁହା ଓ ଇସ୍ପାତ, ନଦୀ ବାଲି ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ପଠାଉଛି। ଗୋଟିଏ ଦେଶ କ୍ଷୁଦ୍ର କ୍ଷୁଦ୍ର ଶତାଧିକ ଦ୍ୱୀପକୁ ନେଇ ଗଠିତ, ଯାହାର ଅର୍ଦ୍ଧାଧିକ ସ୍ଥଳଭାଗ ଜନଶୂନ୍ୟ। ଏହାର ମୋଟ ଜନସଂଖ୍ୟା ଛ’ଲକ୍ଷ ଭିତରେ, ଯାହା ଭାରତର ଯେ କୌଣସି ଏକ ଛୋଟ ସହର ସଂଗେ ସମାନ। ମାଛ, କଙ୍କଡ଼ା, ସାମୁଦ୍ରିକ ଉତ୍ପାଦ ଓ ନଡ଼ିଆ, ପଇଡ଼ ଛଡ଼ା ସେଠାରେ ଅନ୍ୟ କିଛି ମିଳେ ନାହିଁ। ଭାରତଠାରୁ ମାଳଦ୍ୱୀପ ୪୦୦.୯ ନିୟୁତ ଡଲାର ଋଣ ନେଇଛି, ଯାହାକୁ ଶୁଝିବା ଅବସ୍ଥାରେ ନାହିଁ।

ମୁଇଜ୍ଜୁଙ୍କ ଆଚରଣ ଓ ଉଚ୍ଚାରଣରେ କ୍ଷୁବ୍ଧ ଭାରତ ସେଠାକୁ ନିଜର ପର୍ଯ୍ୟଟକ ପ୍ରେରଣ ବନ୍ଦ କରିବା ପରେ ମାଳଦ୍ୱୀପର ପର୍ଯ୍ୟଟନ ଶିଳ୍ପ ଗୁରୁତର ଭାବେ ପ୍ରଭାବିତ ହୋଇଛି। ମାଗଣା ଖିଆ ମନୋଭାବର ବଶବର୍ତ୍ତୀ ହୋଇ ଏବେ ସେଠାକାର ରାଷ୍ଟ୍ରପତି ଓ ଜନତା ଚୀନ୍‌‌ ଆଡ଼କୁ ଢଳିଛନ୍ତି। ମାଳଦ୍ୱୀପ ଛୋଟ ଦେଶଟିଏ ହେଲେ ମଧ୍ୟ ଭାରତ ତା’ଉପରେ ଦାଦାଗିରି ଦେଖାଇ ପାରିବ ନାହିଁ ବୋଲି ମୁଇଜ୍ଜୁ ବାରମ୍ବାର କହୁଛନ୍ତି। କିଏ କାହା ଉପରେ ଦାଦାଗିରି ଦେଖାଉଛି ତାହା ବିଶ୍ୱବାସୀ ଦେଖୁଛନ୍ତି। ରାଜନୈତିକ ଓ ଆର୍ଥିକ ଫାଇଦା ପାଇଁ କୃତଘ୍ନମାନେ ସର୍ବଦା ଏଭଳି ଭାଷା ପ୍ରୟୋଗ କରନ୍ତି ଏବଂ ଇତିହାସରେ ଏହାର ନମୁନା ଅନେକ ରହିଛି। ଋଣ ପରିଶୋଧ କରିପାରୁ ନଥିବା ଗୋଟେ ଦେଶ ପୁଣି ଭାରତକୁ ଚୀନ୍‌‌ ବଳରେ ନାଲି ଆଖି ଦେଖାଉଛି, ଯାହା ହାସ୍ୟାସ୍ପଦ।

ଭାରତ ଚୀନ୍‌‌ ଭଳି ହୋଇପାରିବ ନାହିଁ କି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶଙ୍କୁ ଋଣଯନ୍ତାରେ ପକାଇ ତଳିତଳାନ୍ତ କରିବା ଏହାର ଲକ୍ଷ୍ୟ ନୁହେଁ। ଚୀନ୍‌‌ ଋଣଯନ୍ତାରେ ପଡ଼ି ଶ୍ରୀଲଙ୍କା ଓ ପାକିସ୍ତାନ କି ଅବସ୍ଥା ଭୋଗୁଛନ୍ତି, ତାହା ସମସ୍ତଙ୍କୁ ଜଣା। ଏହି ଦୁଇଦେଶଙ୍କ ସ୍ଥିତି ଦେଖି ବାଂଲାଦେଶ, ଭୂଟାନ ଓ ନେପାଳ ମଧ୍ୟ ଚୀନ୍‌‌ ପାଲାରେ ନ ପଡ଼ିବାକୁ ସତର୍କ ହୋଇଯାଇଛନ୍ତି। ଏବେ ଦେଖିବାକୁ ଅଛି ଯେ ମାଳଦ୍ୱୀପ କିପରି ଚୀନ୍‌‌ ଋଣଯନ୍ତାରେ ଫସୁଛି। ମାଳଦ୍ୱୀପର ନୂଆ ଘଟଣାବଳୀ ଘେନି ଭାରତ ସତର୍କ ରହିବା ସହିତ ସଂଯମ ଆଚରଣ କରିବା ଯଥାର୍ଥ। ଏକ ସ୍ୱାଧୀନ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ଭାରତ ହସ୍ତକ୍ଷେପ କରିବାକୁ ନୀତିଗତ ଭାବେ ବିରୋଧ କରେ। ମାଳଦ୍ୱୀପ ଭାରତ ପାଇଁ ବିପଦ ନୁହେଁ; ସେଠାରେ ଚୀନ୍‌‌ର ପ୍ରଭାବ ବୃଦ୍ଧି ନୂଆଦିଲ୍ଲୀ ପାଇଁ ଏକ ଉଦ୍‌‌ବେଗ। ନିର୍ବାଚନ ଫଳାଫଳ ସତ୍ତ୍ବେ ସେ ଦେଶର ଅନେକ ପ୍ରମୁଖ ନେତା ଓ ଲୋକ ଭାରତ ସହିତ ସୁସମ୍ପର୍କ ବଜାୟ ରଖିବା ସପକ୍ଷରେ ମତ ଦେଉଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌‌ ଜୟଶଙ୍କର ଯଥାର୍ଥରେ କହିଛନ୍ତି ଯେ ‘ଇତିହାସ ଓ ଭୂଗୋଳ ଉଭୟ ଅତ୍ୟନ୍ତ ବଳଶାଳୀ। ସେଥିରୁ ବର୍ତ୍ତିଯିବା ସହଜ ନୁହେଁ।’ ମୁଇଜ୍ଜୁ ଓ ତାଙ୍କ ଦଳ ଭାରତ ପ୍ରତି କି ପ୍ରକାର ଆଚରଣ ପ୍ରଦର୍ଶନ କରୁଛନ୍ତି ଓ ଚୀନ୍‌‌ର କେତେ ନିକଟବର୍ତ୍ତୀ ହେଉଛନ୍ତି, ସମୟ ତାହା କହିବ। ମନେ ରଖିବାକୁ ହେବ ବିଶ୍ୱାସଘାତକଙ୍କ ପାଇଁ ଇତିହାସ ଓ ସମୟ ସର୍ବଦା ନିର୍ଦ୍ଦୟ।

ଚଳିତ ନିର୍ବାଚନରେ ଏ.ଆଇ ର ସୀମିତ ପ୍ରଭାବ
ଭାରତରେ ଆରମ୍ଭ ହୋଇସାରିଥିବା ସାତପର୍ଯ୍ୟାୟ ବିଶିଷ୍ଟ ସାଧାରଣ ନିର୍ବାଚନ ୨୦୨୪ ପ୍ରାକ-ନିର୍ବାଚନ ପ୍ରଚାର ଅଭିଯାନରେ କୃତ୍ରିମ ବୁଦ୍ଧିମତ୍ତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବା ‘ଏଆଇ’ ବ୍ୟାପକ ବ୍ୟବହାର ହୋଇଥିଲା। କିନ୍ତୁ ଏହା ନିର୍ବାଚନରେ ଯେଉଁ ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଥିଲା, ତାହା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେଉ ନ ଥିବା ଲକ୍ଷ୍ୟ କରାଯାଇଛି। ନିର୍ବାଚନୀ ପ୍ରଚାରରେ ଏଆଇ ଉପଯୋଗ ମୁଖ୍ୟତଃ ‘ଡିପ୍‌‌ଫେକ’ ବୈଷୟିକ କୌଶଳରେ ପ୍ରସ୍ତୁତ ନକଲି ଭିଡିଓ ଓ ଅଡିଓ ଅପପ୍ରଚାରର ମୁଖ୍ୟ ସାଧନ ହେବ ବୋଲି ଆଶଙ୍କା ନିର୍ବାଚନ ବର୍ଷ ଆରମ୍ଭରୁ ଘନୀଭୂତ ହୋଇଥିଲା। ବିଶ୍ୱ ଅର୍ଥନୀତି ମଞ୍ଚ ‘ୱାଲର୍ଡ ଇକନୋମିକ ଫୋରମ’ ପକ୍ଷରୁ ଡାଭୋସ୍‌‌ ଠାରେ ଆୟୋଜିତ ସମ୍ମିଳନୀରେ ପ୍ରକାଶିତ ‘ଗ୍ଳୋବାଲ ରିସ୍କ ରିପୋର୍ଟ ୨୦୨୪’ ଅନୁଯାୟୀ, ଆଗାମୀ ଦଶନ୍ଧିରେ ବିଶ୍ୱବ୍ୟାପୀ ସମସ୍ୟା ତାଲିକାରେ ବିସମ୍ୱାଦ(ମିସ ଆଣ୍ଡ ଡିସ-ଇନଫରମେସନ)କୁ ସର୍ବାଗ୍ରେ ସ୍ଥାନିତ କରାଯାଇଥିଲା। ବିସମ୍ୱାଦ ଦ୍ୱାରା ଆକ୍ରାନ୍ତ ରାଷ୍ଟ୍ର ତାଲିକାରେ ଭାରତ ଶୀର୍ଷ ସ୍ଥାନରେ ରହିଛି। କିନ୍ତୁ ବିଭିନ୍ନ ଉପାୟରେ ସମ୍ଭାବ୍ୟ ବିପଦକୁ ଏଡ଼ାଇ ଦିଆଯାଇ ପାରିଥିବା ଆଶ୍ୱସ୍ତିର ବିଷୟ।

ଏକ ସୂଚନା ଅନୁସାରେ ଭାରତରେ ସାଧାରଣ ନିର୍ବାଚନ ୨୦୨୪ରେ ଏଆଇ ଦୁରୁପଯୋଗ ଆଶଙ୍କା ଦୂର ହେବା ପଛରେ ଯେଉଁ ପ୍ରମୁଖ କାରଣ ରହିଛି, ତାହା ହେଉଛି ଏଆଇ ବୈଷୟିକ କୌଶଳ ପ୍ରଭାବଶାଳୀ ମାତ୍ରାରେ ବିକଶିତ ହୋଇପାରିନାହିଁ। ଆବଶ୍ୟକ ସଂଖ୍ୟକ ତାଲିମପ୍ରାପ୍ତ ବିଶେଷଜ୍ଞଙ୍କ ଅଭାବ ମଧ୍ୟ ଏଆଇ କ୍ଷେତ୍ରରେ ରହିଛି। ଅପରପକ୍ଷରେ ଯେଉଁ ସଂସ୍ଥାଗୁଡ଼ିକ ଏଆଇ କ୍ଷେତ୍ରରେ ଅଗ୍ରଣୀ, ସେମାନେ ନିର୍ବାଚନ ପ୍ରଚାର/ଅପପ୍ରଚାରରେ ସେତେଟା ମନୋନିବେଶ କରୁନାହାନ୍ତି। କାରଣ ପାଞ୍ଚବର୍ଷରେ ଥରେ ଆସୁଥିବା ନିର୍ବାଚନ ପାଇଁ ନିବେଶରୁ ବିଶେଷ ଆର୍ଥିକ ଲାଭ ସମ୍ଭବ ନୁହେଁ। ନିୟମିତ ଭାବେ ଯେଉଁ ନିର୍ଭରଶୀଳ ବ୍ୟାବସାୟିକ କାର୍ଯ୍ୟରେ ସେମାନେ ସମ୍ପୃକ୍ତ, ସେଥିରୁ ସାମୟିକ ଭାବେ ଓହରିବା ନିମନ୍ତେ ସେମାନେ ଅନିଚ୍ଛୁକ। ଏତଦ୍‌‌ବ୍ୟତୀତ ଦେଶର ପ୍ରଦ୍ୟୋଗିକ ଆଇନ ସଶକ୍ତ ଓ ଦଣ୍ଡବିଧାନ କଠୋର ଥିବା ହେତୁ ନିର୍ବାଚନ କାର୍ଯ୍ୟରେ ହାତ ଦେଇ ଆଇନଗତ ଜଞ୍ଜାଳରେ ପ୍ରତିଷ୍ଠିତ ସଂସ୍ଥାମାନେ ପଶିବାକୁ ଅମଙ୍ଗ। ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ଏବଂ ଟେକ କମ୍ପାନୀଗୁଡ଼ିକୁ ଡିପଫେକ ପ୍ରସାରଣରେ ସତର୍କ ରହିବା ନିମନ୍ତେ ତାଗିଦ ପ୍ରକାରନ୍ତେ ରାଜନୈତିକ ଅପପ୍ରଚାରରେ ଏଆଇ ଉପଯୋଗରେ ରୋକ ଲଗାଇବାରେ ସମର୍ଥ ହୋଇଥିବା ଅନୁମାନ କରାଯାଏ। ଫଳରେ ତଳସ୍ତରରେ ପ୍ରସ୍ତୁତ ନିର୍ବାଚନ ପ୍ରଚାର ବିଷୟବସ୍ତୁରେ ଏଆଇର ଯେଉଁ କାଁ ଭାଁ ଉପଯୋଗ ହେଉଛି ତାହା ଗୁଣାତ୍ମକ ଦୃଷ୍ଟିରୁ ପର୍ଯ୍ୟାପ୍ତ ହୋଇପାରୁ ନାହିଁ। ଏଆଇ ପ୍ରଯୁକ୍ତି କୌଶଳ ପାଶ୍ଚାତ୍ୟ ସଭ୍ୟତା-କୈନ୍ଦ୍ରିକ ରୂପରେ ବିକାଶ ଲାଭ କରିଥିବା ହେତୁ ଭାରତୀୟ ସଂସ୍କୃତିରେ ଠିକ୍‌ ରୂପେ ଖାପ ଖାଇପାରୁନାହିଁ। ଉଦାହରଣସ୍ୱରୂପ, ଡିପଫେକ ବୈଷୟିକ କୌଶଳ ଉପଯୋଗରେ କୌଣସି ଭାରତୀୟ ବ୍ୟକ୍ତିର ମୁଖମଣ୍ଡଳର ନକଲ ପ୍ରସ୍ତୁତ କଲେ ସନ୍ତୋଷଜନକ ପ୍ରତିରୂପ ପ୍ରସ୍ତୁତିରେ ସମସ୍ୟା ଦେଖା ଦେଉଛି।

ନିର୍ବାଚନ ପ୍ରଚାରରେ ଏଆଇର ପ୍ରୟୋଗ ସ୍ଥାନୀୟ ଭୋଟରମାନଙ୍କୁ କେଉଁମାତ୍ରାରେ ପ୍ରଭାବିତ କରୁଛି, ତାହା ଚଳିତ ସାଧାରଣ ନିର୍ବାଚନରେ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ। ଫଳରେ ରାଜନୈତିକ ଦଳ ଓ ପ୍ରର୍ଥୀମାନେ ଏଆଇ ପ୍ରଚାରକୁ ଭରସା କରିପାରୁନାହାନ୍ତି। ହୁଏତ ସାଧାରଣ ନିର୍ବାଚନ ୨୦୨୪ର ପ୍ରଚାର ଅଭିଯାନରେ ସୀମିତ ମାତ୍ରାରେ ଏଆଇ ପ୍ରୟୋଗର ଫଳାଫଳ ଭବିଷ୍ୟତ ନିର୍ବାଚନଗୁଡ଼ିକରେ ସମ୍ପ୍ରସାରଣରେ ସହାୟକ ହୋଇପାରେ। ମୁଖ୍ୟତଃ ଏଆଇ ବୈଷୟିକ କୌଶଳରେ ଭାରତ-କୈନ୍ଦ୍ରିକ ତଥ୍ୟାବଳୀ(ଡାଟାସେଟ) ଦ୍ୱାରା ତାଲିମପ୍ରାପ୍ତ ହେବା ପରେ ଡିପଫେକ ଉତ୍ପାଦ ପ୍ରସ୍ତୁତିରେ ଗୁଣାତ୍ମକ ବିକାଶ ସମ୍ଭବ।

ନିର୍ବାଚନ ପ୍ରଚାର ଆରମ୍ଭ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଢେର ଅଧିକ ଥିବା ହେତୁ ଏଠାରେ ଅନଲାଇନ ଅପରାଧିକ କାରବାରରେ ବିପର୍ଯ୍ୟୟ ଆଶଙ୍କା ଅଧିକ। ଏହି କାରଣରୁ ସତର୍କତା ଜରୁରୀ। ଟେକ କମ୍ପାନୀ, ମୁଖ୍ୟତଃ ସୋସିଆଲ ମିଡିଆ ମଞ୍ଚ ମାଧ୍ୟମରେ ଡିପଫେକ ପ୍ରସାରଣ ସମ୍ଭାବନା ଅଧିକ ଥିବା କାରଣରୁ କୌଣସି ନକଲି ଅଡିଓ ବା ଭିଡିଓ ଚିହ୍ନଟ ହେବାର ୩୬ ଘଣ୍ଟା ମଧ୍ୟରେ ଅପସାରଣ ନିମନ୍ତେ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୨୧ରେ ପ୍ରକାଶିତ ନିୟମାବଳୀରେ ଏହି ଦିଗରେ ପର୍ଯ୍ୟାପ୍ତ ସତର୍କତାମୂଳକ ପଦକ୍ଷେପର ପ୍ରାବଧାନ ରହିଛି।

ବିଶ୍ୱବ୍ୟାପୀ ୬୦ରୁ ଊର୍ଦ୍ଧ୍ବ ରାଷ୍ଟ୍ରର ଅର୍ଦ୍ଧେକ ଜନସଂଖ୍ୟା ୨୦୨୪ରେ ନିର୍ବାଚନର ସମ୍ମୁଖୀନ ହେଉଥିବା ଏବଂ ପରିବର୍ତ୍ତିତ ପରିବେଶରେ ନିର୍ବାଚନ ପ୍ରଚାରରେ ସାମାଜିକ ଗଣମାଧ୍ୟମ ପ୍ରମୁଖ ମାଧ୍ୟମ ପାଲଟୁଥିବା ହେତୁ ଟେକ କମ୍ପାନୀଗୁଡ଼ିକ ସତର୍କତା ଅବଲମ୍ୱନ କରିଛନ୍ତି। ଭାରତୀୟ ନିର୍ବାଚନ ଅପପ୍ରଚାର କ୍ଷେତ୍ରରେ ଆଗୁଆ ଥିବା ଏବଂ ବିଶୃଙ୍ଖଳା ପୂର୍ବାନୁମାନ ଆଧାରରେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ କଠୋର ପଦକ୍ଷେପ ନେଇଥିଲେ। ଉଦାହରଣସ୍ୱରୂପ ୨୦୨୩ରେ ଅନୁଷ୍ଠିତ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ‘ୟୁଟ୍ୟୁବ’ ପକ୍ଷରୁ ୭୩ ଲକ୍ଷ ବିଜ୍ଞାପନ ଭିଡିଓ ହଟାଇ ଦିଆଯାଇଥିଲା। ତେଣୁ ୟୁଟ୍ୟୁବ ସହ ଫେସବୁକ ଓ ହ୍ୱାଟସଆପ ମଞ୍ଚରେ ପ୍ରଦର୍ଶିତ ଯେକୌଣସି ଭିଡିଓରେ ଏଆଇ ଉପଯୋଗ ହୋଇଥିଲେ ତାହା ସ୍ୱୀକାରୋକ୍ତି ମାଧ୍ୟମରେ ପ୍ରଦର୍ଶନ କରିବା ବାଧ୍ୟତାମୂଳକ କରାଯାଇଛି। ଫେସବୁକ ପକ୍ଷରୁ ଓଡ଼ିଆ ସମେତ ୧୬ ଗୋଟି ଆଞ୍ଚଳିକ ଭାଷାରେ ନିଜସ୍ୱ ମଞ୍ଚରେ ପ୍ରଦର୍ଶିତ ପୋଷ୍ଟଗୁଡ଼ିକର ସତ୍ୟତା ପରଖିବା ନିମନ୍ତେ ବ୍ୟବସ୍ଥା(ଫାକ୍ଟଚେକ) ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ଅବଶ୍ୟ ନିର୍ବାଚନୀ ପ୍ରଚାରରେ ଏଆଇର ସମୁଚିତ ପ୍ରୟୋଗ କ୍ଷେତ୍ରରେ ପରୀକ୍ଷାନିରୀକ୍ଷା ଜାରି ରହିଛି। ଜାତୀୟ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଭାରତୀୟ ଜନତା ପାର୍ଟି ଏହି ଦିଗରେ ଆଗୁଆ ରହିଥିବା ଜଣାଯାଏ। ଡିସେମ୍ୱର ୨୦୨୩ରେ ବାରଣାସୀଠାରେ ଆୟୋଜିତ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ହିନ୍ଦୀ ଭାଷଣ ତତ୍‌‌କ୍ଷଣାତ ତାମିଲ ଭାଷାରେ ଅନୂଦିତ ହୋଇ ପ୍ରସାରଣର ବ୍ୟବସ୍ଥା କରାଯାଇଥିଲା। ଭାରତ ସରକାରଙ୍କ ଦ୍ୱାରା ବିକଶିତ ଏଆଇ ଅନୁବାଦ ପ୍ରଯୁକ୍ତି କୌଶଳ ‘ଭାଷୀଣୀ’ ଉପଯୋଗରେ ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଭାଷଣଗୁଡ଼ିକ ଓଡ଼ିଆ ସମେତ ବଙ୍ଗଳା, ତାମିଲ, ମାଲାୟାଲାମ୍‌‌ ଇତ୍ୟାଦି ଭାଷାରେ ଭାରତୀୟ ଜନତା ପାର୍ଟିର ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ। କଂଗ୍ରେସ ପକ୍ଷରୁ ଅନୁରୂପ ଭାଷଣ ଅନୁବାଦ ଉଦ୍ୟମ କରାଯାଉଥିବା ବେଳେ ପଶ୍ଚିମବଙ୍ଗରେ ସିପିଆଇ (ଏମ) ପକ୍ଷରୁ ସାମାଜିକ ଗଣମାଧ୍ୟମ ଭିଡିଓ ପ୍ରସ୍ତୁତି ଲାଗି ଏଆଇ ଉପଯୋଗ ହେଉଥିବା ଜଣାଇଥିଲା। ତେଲଙ୍ଗାନା ବିଧାନସଭା ନିର୍ବାଚନ ବେଳେ ୩୦ ନଭେମ୍ୱର ୨୦୨୩ ପ୍ରଭାତରେ ଭୋଟ ଗ୍ରହଣ ଆରମ୍ଭ ହେବା ପରେ ସାତସେକେଣ୍ଡ ବିଶିଷ୍ଟ ଏକ ଭିଡିଓ କ୍ଳିପ ଭାଇରାଲ ହୋଇଥିଲା। ସାମାଜିକ ଗଣମାଧ୍ୟମ ମଞ୍ଚ ‘ଏକ୍ସ’ ଓ ‘ହ୍ୱାଟସଆପ’ରେ ଶାସକ ଦଳର ମୁଖ୍ୟମନ୍ତ୍ରୀ ପ୍ରମୁଖ ବିରୋଧୀ ଦଳକୁ ଭୋଟ ଦେବା ଲାଗି ଅନୁରୋଧ କରିଥିବା ‘ଡିପଫେକ’ ପ୍ରସାରଣ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ଦଳ ପକ୍ଷରୁ ଏହାର ପ୍ରତିବାଦ ବା ପ୍ରତିରୋଧ କରିବା ନିମନ୍ତେ ସମୟ ନଥିଲା। ଏହି ପୋଷ୍ଟଟି ପାଞ୍ଚ ଲକ୍ଷ ଦର୍ଶକ ଦେଖିଥିବା ହିସାବ କରାଯାଇଥିଲା। ସେହିପରି ଗୁଜରାଟରେ ନଭେମ୍ୱର ୨୦୨୩ ବିଧାନସଭା ନିର୍ବାଚନ ଅବସରରେ ପୁଷ୍କର-କୈନ୍ଦ୍ରିକ ‘ଦି ଇଣ୍ଡିଆନ ଡିପଫେକର’ ଏଜେନ୍ସି ମାଧ୍ୟମରେ ଶାସକ ମୁଖ୍ୟମନ୍ତ୍ରୀଙ୍କ ସ୍ୱର ନକଲ(କ୍ଳୋନ) କରାଯାଇ ଭୋଟରମାନଙ୍କ ନାମ ସମ୍ବୋଧନରେ ନିର୍ବାଚନୀ ବାର୍ତ୍ତା ‘ହ୍ୱାଟସଆପ’ ମଞ୍ଚରେ ବାର୍ତ୍ତା ଆକାରରେ ପ୍ରେରଣ କରାଯାଇଥିଲା। ସେହି ସଂସ୍ଥା ପକ୍ଷରୁ ସିକିମର ମୁଖ୍ୟମନ୍ତ୍ରୀଙ୍କ ‘ହାଲୋଗ୍ରାମ’ ପ୍ରତିଛବି ପ୍ରସ୍ତୁତ କରି ଏକାଦିକ୍ରମେ ଏକାଧିକ ସ୍ଥାନରେ ଭୋଟରଙ୍କୁ ଉଦବୋଧନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ୨୦୨୦ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ନେତା ତଥା ଟେଲିଭିଜନ ତାରକା ମନୋଜ ତିୱାରୀଙ୍କ ହିନ୍ଦୀ ଭାଷଣ ଏଆଇ ଉପଯୋଗରେ ହରିଆଣା ଓ ଇଂରାଜୀ ଭାଷାକୁ ଅନୁବାଦ ତଥା ତାମିଲନାଡୁ ଡିଏମକେ ଯୁବ ସମାବେଶରେ ପରଲୋକଗତ ନେତା କରୁଣାନିଧିଙ୍କ ସାମ୍ପ୍ରତିକ ପ୍ରସଙ୍ଗରେ ଭାଷଣ ନିର୍ବାଚନୀ ପ୍ରଚାରରେ ଏଆଇ ଉପଯୋଗର ଉଲ୍ଲେଖନୀୟ ଉଦାହରଣ।

ଭାରତୀୟ ସାଧାରଣ ନିର୍ବାଚନ ପ୍ରଚାରରେ ଏଆଇ ଉପଯୋଗ ସୀମିତ ରହିବା ଅନ୍ୟାନ୍ୟ କାରଣଗୁଡ଼ିକ ମଧ୍ୟରେ ଦେଶର ନିର୍ବାଚନ ପ୍ରଚାର କେନ୍ଦ୍ର ଓ ରାଜ୍ୟ ଉଭୟସ୍ତରରେ ବ୍ୟକ୍ତି-କୈନ୍ଦ୍ରିକ ହୋଇପଡ଼ିଛି। ଫଳରେ ରାଜନୈତିକ ଦଳଗୁଡ଼ିକର କେନ୍ଦ୍ରୀୟ କର୍ମକର୍ତ୍ତାଙ୍କ ନିଷ୍ପତ୍ତି ଉପରେ ନିର୍ବାଚନ ପ୍ରଚାର ନିର୍ଭର କରୁଛି। ଏହି କାରଣରୁ ଅପପ୍ରଚାର ପ୍ରସାର ମଧ୍ୟ ସତର୍କ ବଳୟରେ ରହୁଛି। ତୃଣମୂଳ ସ୍ତରରେ ନିର୍ବାଚନ ପ୍ରଚାରରେ ପ୍ରାର୍ଥୀ-କୈନ୍ଦ୍ରିକ ପ୍ରଚାର ବିଷୟବସ୍ତୁର ସଂଖ୍ୟା କମ। ଏ କ୍ଷେତ୍ରରେ ଅପପ୍ରଚାରରେ ଡିପଫେକ ବ୍ୟବହାରର ଆଶଙ୍କା ‌‌ରହିଛି। ତେବେ ପ୍ରସ୍ତୁତ ଊତ୍ପାଦଗୁଡ଼ିକର ଗୁଣବତ୍ତା ନିମ୍ନମାନର ରହୁଥିବା ହେତୁ ଅନେକ କ୍ଷେତ୍ରରେ କେବଳ ଆମୋଦଦାୟକ ଓ ହାସ୍ୟୋଦ୍ଦୀପକ ହେଉଛି। କୁହାଯାଉଛି ଯେ ତୃଣମୂଳ ସ୍ତର ନିର୍ବାଚନ ପ୍ରଚାରରେ ଗୋଟିଏ ପକ୍ଷ ଡିପଫେକ ପ୍ରସ୍ତୁତ କରି ପ୍ରସାର କରିବା ସଙ୍ଗେ ସଙ୍ଗେ ଅପରପକ୍ଷ ଅନୁରୂପ ଉତ୍ପାଦ ଛାଡ଼ିବ। ତେଣୁ ନିର୍ବାଚନର ଶେଷପର୍ଯ୍ୟାୟରେ ଡିପଫେକର ପ୍ରସାର ଘଟିପାରେ।

ଡକ୍ଟର ପ୍ରଦୀପ ମହାପାତ୍ର

ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪

‘ହାତରେ ଆଉ ମାତ୍ର ଛଅଶହ ବର୍ଷ’
ବିଶ୍ୱତାପନର ପ୍ରଭାବ ଆମକୁ କେତେଦୂର ଅସ୍ତବ୍ୟସ୍ତ କରିପାରେ, ତାହା ରାଜ୍ୟବାସୀ ୫ ଏପ୍ରିଲ ୨୦୨୪କୁ ମନେ ପକାଇଲେ ହୃଦୟଙ୍ଗମ କରିପାରିବେ। ସେଦିନ ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାର ୨୫ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ସେଲ୍‌ଫସିୟସ ରହିଥିବା ବେଳେ ଭୁବନେଶ୍ୱରରେ ଏହା ୪୩.୫ ଡିଗ୍ରୀକୁ ଛୁଇଁଥିଲା। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଏମିତି ଘଟିଥିଲା। ସେଦିନ ମିଆଁମାରର ଚୌକରେ ଆଉ ଅଧିକ ଦଶମିକ ଦୁଇ ଡିଗ୍ରୀ ଥିବାରୁ ତାହା ଥିଲା ଏସିଆର ସର୍ବୋଚ୍ଚ ଉତ୍ତପ୍ତ ସହର। ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ନାନଦୟାଲରେ ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ ହୋଇଥିଲା, ଯାହା ଭାରତର ଉତ୍ତପ୍ତ ସହର ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଥିଲା। ଦ୍ୱିତୀୟରେ ରହିଥିଲା ଭୁବନେଶ୍ୱର।

ଏହି ପରିସ୍ଥିତି ଆମ ସ୍ୱାଭାବିକ ଦୈନନ୍ଦିନ ଜୀବନକୁ ମଧ୍ୟାହ୍ନ ସମୟରେ ପ୍ରାୟତଃ ଅଚଳ କରିଦେଲା। ଘରୁ ବାହାରିଲେ ସମ୍ଭାବ୍ୟ ଅଂଶୁଘାତର ଶିକାର ହେବା ଭୟ ସମସ୍ତଙ୍କୁ ଘାରିଥିଲା। ବିଶେଷକରି ଶ୍ରମିକମାନଙ୍କ ପାଇଁ ଏହା ଅଧିକ ମାରାତ୍ମକ ହେବା ଆଶଙ୍କା ଥିଲା। ଏମିତି ଭୟ କେବଳ ମାତ୍ର ଗୋଟିଏ ଦିନରେ ସମାପ୍ତ ହେବା ଆଶା ନ ଥିବାରୁ ଶ୍ରମ ଓ କର୍ମଚାରୀ- ରାଜ୍ୟ ବୀମା-ବିଭାଗ ତରଫରୁ ଏପ୍ରିଲରୁ ୧୫ ଜୁନ୍‌‌ ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ପୂର୍ବାହ୍ନ ଏଗାରଠାରୁ ଅପରାହ୍ନ ସାଢ଼େ ତିନିଟା ପର୍ଯ୍ୟନ୍ତ କ୍ରର୍ମକ୍ଷେତ୍ରରୁ ନିବୃତ୍ତ ରହି ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।

ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ। କିନ୍ତୁ ତାପମାତ୍ରା ଏମିତି ଭୟଙ୍କର ରୂପ ନେବ ବୋଲି ପୂର୍ବେ କେହି କଳ୍ପନା କରୁନଥିଲେ। ବର୍ତ୍ତମାନ କେବଳ ଶୀତଳ ପାନୀୟ ଜଳ, ଓଆର୍‌‌ଏସ୍‌‌ ପ୍ୟାକେଟ୍‌‌ ବ୍ୟାପକ ଭାବେ ଉପଲବ୍ଧ ହେବା ସହ ଅଂଶୁଘାତ ଜନିତ ଜରୁରୀ ଚିକିତ୍ସା ସକାଶେ ଆମ୍ବୁଲାନ ସବୁସମୟ ପାଇଁ ପ୍ରସ୍ତୁତ ରହିବା ଅତ୍ୟାବଶ୍ୟକ ବୋଲି ସମସ୍ତେ ଅନୁଭବ କରୁଛନ୍ତି। ଆମର ଏହି ଦୟନୀୟ ଅବସ୍ଥାକୁ ଲକ୍ଷ୍ୟ କରି ଜଣେ କବିଙ୍କ କଲମରୁ ଯେଉଁ କେତୋଟି ବାକ୍ୟ ବାହାରିଥିଲା, ତାହା ମନେ ପଡ଼େ –

‘ଗରମକୁ ଆଉ ସହି ହେଉ ନାହିଁ ଝାଳ ବୁହେ ଗମ ଗମ, ତତଲା ତାୱାରେ ସିଝୁଛି ପୃଥିବୀ ଧଳା ଦିଶେ କଳା ଚମ! / ପ୍ରକୃତିକୁ ଅବିରାମ, କଣ୍ଟ ଦେଇ ଦେଇ ମଣିଷ ଭୋଗୁଛି ଦୁଷ୍ଟାମୀର ପରିଣାମ!!’

ଉଲ୍ଲିଖିତ ଉତ୍ତପ୍ତର କାରଣ ସ୍ଥଳଭାଗ ବିଷୟରେ ଅବଶ୍ୟ ସୂଚାଏ। ତେବେ ପୃଥିବୀପୃଷ୍ଠରେ ସ୍ଥଳ ଓ ଜଳ ଭାଗର ଅନୁପାତ ହେଉଛି ପ୍ରାୟ ୨୯: ୭୧। ଅର୍ଥାତ ଜଳଭାଗ ଦୁଇଗୁଣରୁ ଅଧିକ। ଏହି ପରିପ୍ରେକ୍ଷୀରେ ଜଳଭାଗ, ମୁଖ୍ୟତଃ ସମୁଦ୍ର ପ୍ରତି ଦୃଷ୍ଟି ଦେବା ସମୀଚୀନ। ୨୦୧୭ରେ ଓଖି ନାମକ ବାତ୍ୟା କେରଳ ଓ ତାମିଲନାଡୁରେ ବ୍ୟାପକ ତାଣ୍ଡବ ଲୀଳା ରଚିଥିଲା। ଲକ୍ଷ୍ୟ କରାଯାଇଛି ଯେ ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ମତ୍ସ୍ୟଜୀବୀମାନେ କମ୍‌‌ ପରିମାଣରେ ସାମୁଦ୍ରିକ ମାଛ ଧରିପାରୁଛନ୍ତି। କେରଳରେ ବହୁସଂଖ୍ୟକ ନଦୀ ଥିବାରୁ ନଦୀର ମାଛମାନ ସମୁଦ୍ରକୁ ଚାଲି ଯାଇଥା’ନ୍ତି। ତଥାପି ପୂର୍ବାପେକ୍ଷା ଏହା କମି ଚାଲିଛି ଉଲ୍ଲେଖନୀୟ ଭାବେ। ଏହା ଏକ ଉଦ୍‌‌ବେଗର ବିଷୟ।

ପରିବେଶବିତ୍‌‌ଙ୍କ ଅନୁସାରେ ଏହାପଛର ମୁଖ୍ୟକାରଣ ହେଉଛି ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ସମୁଦ୍ର ଜଳ ଉତ୍ତପ୍ତ ହେଉଛି। ଫଳରେ ବଡ଼ ଜୁଆର ସୃଷ୍ଟି ହୋଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ସେଠାରେ ବସବାସ କରୁଥିବା ମତ୍ସ୍ୟଜୀବୀମାନଙ୍କ ଘର ଦ୍ୱାର କେବଳ ଭସାଇ ଦେଉନାହିଁ; ଏପରିକି ଉପକୂଳର କିଛି ଅଂଶ ସମୁଦ୍ର ଗ୍ରାସ କରିଦେଉଛି। ତେଣୁ ବାସଚ୍ୟୁତ ନୋଳିଆମାନଙ୍କ ପରିବାର ଶରଣାର୍ଥୀ ଶିବିରରେ ମୁଣ୍ଡ ଗୁଞ୍ଜି ଅଦ୍ୟାବଧି କାଳ କାଟୁଛନ୍ତି। ଏମିତି ଦୟନୀୟ ସ୍ଥିତି ଥିରୁବନନ୍ତପୁରମ, କୋଲାମ ଓ ଆଲପୁଦ୍ଧା ଜିଲ୍ଲାରେ ଦେଖିବାକୁ ମିଳେ। ଏହି ଦୁର୍ଗତି ପାଇଁ କ୍ଷତିଗ୍ରସ୍ତ ଲୋକେ ଇଣ୍ଡିଆନ୍‌‌ ନ୍ୟାସନାଲ ସେଣ୍ଟର ଫର ଓସେନ ଇନ୍‌‌ଫରମେସନ ସର୍ଭିସେସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଆଗତୁରା ସତର୍କବାଣୀ ଶୁଣାଇ ନ ଥିବାରୁ ଦୋଷାରୋପ କରିଛନ୍ତି। ତେବେ ଏହି ସଂସ୍ଥାମାନ ଏମିତି ଅଭିଯୋଗକୁ ଅସ୍ୱୀକାର କରି ଲୋକଙ୍କ ବେପରୁଆ ମନୋବୃତ୍ତିକୁ ଦାୟୀ କରିଛନ୍ତି। ପାଣିପାଗର ଅସ୍ୱାଭାବିକତାକୁ ସେମାନେ ଗୁରୁତ୍ୱ ନ ଦେଇ ପାରମ୍ପରିକ ଧାରଣାକୁ ଧ୍ରୁବ ସତ୍ୟ ବୋଲି ଭାବୁଛନ୍ତି। ପ୍ରସଙ୍ଗକ୍ରମେ ପ୍ରସିଦ୍ଧ ସାହିତ୍ୟିକ ଜେପି ଦାସଙ୍କ ‘ପାଣିପାଗବାଲା’ ଶୀର୍ଷକ ଏକ ବ୍ୟଙ୍ଗାତ୍ମକ କବିତାର କିଛି ଧାଡ଼ି ମନେ ପଡ଼େ –

‘କହିଲା ସେ ହେବ ପ୍ରବଳ ଖରା, ବରଷିଲା ମେଘ ମୂଷଳ ଧାରା / କହିଲା ସେ ହେବ ଗରମ ଭାରି, ହାଡ଼ଭଙ୍ଗା ଶୀତ ଆସିଲା ମାଡ଼ି / ଦେହରେ ଗଲାଣି ଏଠାର ପାଣି, ଯାହା ସେ କହିଲା ଗଲା ଉଜାଣି / ଜାଣିବ ଏଥର ବୁଡ଼ିବ ଭେଳା, ତେଣୁ ସେ ଛ’ମାସ ଛୁଟିରେ ଗଲା।

ଅବଶ୍ୟ କବିତାଟି ବହୁପୂର୍ବେ ରଚିତ। ବର୍ତ୍ତମାନ ଏହି ସମ୍ବନ୍ଧିତ ଯନ୍ତ୍ରପାତିମାନ ଉନ୍ନତ ହେଲାଣି। ତଥାପି ପାଣିପାଗକୁ ଠିକ୍‌‌ ଭାବେ ପୂର୍ବାନୁମାନ କରିବା କାଠିକର ପାଠ ହୋଇ ରହିଛି। ଏହାର ଗତିବିଧି ଦୁର୍ବୋଧ୍ୟ। ଏମିତି କି କ୍ଷଣି କ୍ଷଣିକେ ଆନ ହେଉଛି।

ଏହା ସର୍ବତ୍ର ସ୍ୱୀକୃତ ହେଲାଣି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏମିତି ପାଣିପାଗରେ ବିଭ୍ରାଟ ଦେଖାଦେଉଛି। ଏହି ଗମ୍ଭୀର ସମସ୍ୟା ସମ୍ପର୍କରେ ପରିବେଶବିତ୍‌‌ମାନେ ଅନୁଧ୍ୟାନ କରିଛନ୍ତି। ୱାଶିଂଟନସ୍ଥିତ ନ୍ୟାସନାଲ ଓସିଓନିକ୍‌‌ ଆଣ୍ଡ ଆଟମାସ୍‌‌ଫେରିକ ଆଡ୍‌‌ମିନିଷ୍ଟ୍ରେସନ ଦ୍ୱାରା ଜଳବାୟୁ ପରିବର୍ତ୍ତନ ବିଷୟରେ ଗୋଟିଏ ନିବନ୍ଧ ପ୍ରକାଶିତ ହୋଇଛି। ୨୦୨୩ ମସିହାରେ ସବୁଜଗୃହ ବାଷ୍ପ ପ୍ରଭାବର ସ୍ତର ସର୍ବାଧିକ ହୋଇଛି, ଯାହାକି ୪.୩ ବିଲିଅନ୍‌‌ ବର୍ଷ ପୂର୍ବେ ଧରାପୃଷ୍ଠରେ ଘଟିଥିବା ଗମ୍ଭୀର ପରିସ୍ଥିତି ସହ ସମାନ। ବିଗତ ବାରବର୍ଷ ଧରି ପ୍ରତିବର୍ଷ ଏକ ନିୟୁତ ଟନ୍‌‌ ବାୟୁମଣ୍ଡଳରେ ଦୁଇ ଭାଗ ଅଙ୍ଗାରକାମ୍ଳ ବାଷ୍ପ (କାର୍ବନ ଡାଇଅକ୍‌‌ସାଇଡ୍‌‌) ବଢ଼଼ି ଚାଲିଛି। ଭୂତାତ୍ତ୍ୱିକ ଇତିହାସରୁ ଜଣାଯାଏ ଯେ ୫.୩ ରୁ ୨.୬ ନିୟୁତ ବର୍ଷ ତଳର ଅବଧିକୁ ପ୍ଲାଇଓସିନ ଭାବେ ନାମିତ କରାଯାଇଛି। ଏହି ସମୟରେ ଉଷ୍ମ ପୃଥିବୀ ଶୀତଳ ହେଲା ଏବଂ ଅନୁକୂଳ ପରିବର୍ତ୍ତିତ ପରିବେଶରେ ଧରାପୃଷ୍ଠରେ ସବୁଜ ଘାସ ଓ କ୍ରାନ୍ତିମଣ୍ଡଳୀୟ ତୃଣଭୂମିର ବିସ୍ତୀର୍ଣ୍ଣ ପ୍ରାନ୍ତର ସୃଷ୍ଟି ହେଲା। ଏଇ ସମୟରୁ ଅଦ୍ୟାବଧି ବିତିଥିବା ସୁଦୀର୍ଘ ଅତୀତରେ ଆଜି ପରି ସର୍ବୋଚ୍ଚ ଉତ୍ତପ୍ତ ପୃଥିବୀ କେବେ ଦେଖା ଦେଇ ନଥିଲା। ତତ୍କାଳୀନ ଜଳବାୟୁର ପରିବର୍ତ୍ତନ ପୃଥିବୀର କକ୍ଷ ଓ ଅଭିନମନ (ଅର୍ବିଟ ଆଣ୍ଡ ଟିଲ୍‌‌ଟ) ବଦଳିବାରୁ ସମ୍ଭବ ହେଲା, ଯାହା କି ପ୍ରାକୃତିକ। କିନ୍ତୁ ସାମ୍ପ୍ରତିକ ଜଳବାୟୁରେ ଯେଉଁ ପ୍ରତିକୂଳ ଘଟଣାମାନ ଦେଖାଦେଇଛି, ତାହା ଆମର କାର୍ଯ୍ୟକଳାପ କାରଣରୁ।

ଶିଳ୍ପ ବିପ୍ଳବ ପୂର୍ବରୁ ଅଙ୍ଗାରକାମ୍ଳର ସ୍ତର ବାୟୁମଣ୍ଡଳରେ ଯାହା ଥିଲା, ତଦପେକ୍ଷା ବର୍ତ୍ତମାନ ଶତକଡ଼ା ୫୦ ଭାଗ ଅଧିକ। ଏହି ସବୁଜ ଗୃହ ବାଷ୍ପ ମାନବ ସମାଜରେ ସ୍ୱାସ୍ଥ୍ୟକୁ ଘୋର ବିପନ୍ନ କରୁଛି। ପ୍ରକାଶ ଥାଉ କି କାର୍ବନ ଡାଇଅକ୍‌‌ସାଇଡ୍‌‌ ସମେତ ଅନ୍ୟାନ୍ୟ ସବୁଜ ଗୃହ ବାଷ୍ପ ମଧ୍ୟରେ ଅନ୍ତର୍ଭୁକ୍ତ ମିଥେନ, ନାଇଟ୍ରସ ଅକ୍‌‌ସାଇଡ୍‌‌ ଇତ୍ୟାଦି। ଏଗୁଡ଼ିକର କ୍ରମବର୍ଦ୍ଧିଷ୍ଣୁ ପ୍ରାବଲ୍ୟକୁ ନ କମାଇଲେ ଆମେ ଅସ୍ୱାସ୍ଥ୍ୟକର ବାୟୁ ଏବଂ ଉତ୍ତପ୍ତ ବିଶ୍ୱର ଅନ୍ୟାନ୍ୟ କୁପ୍ରଭାବରୁ ନିସ୍ତାର ପାଇବା ନାହିଁ। ଶ୍ୱାସକ୍ରିୟାରେ ଜଟିଳତା ସହ ଆନୁଷଙ୍ଗିକ ଦୋଷମାନ ଆମକୁ ରୁଗ୍‌‌ଣ କରି ଆମ ଆୟୁ ହ୍ରାସ କରିଦେବ।

ଭୌତିକ ବିଜ୍ଞାନ ଓ ବିଶ୍ୱତତ୍ତ୍ୱବିତ୍‌‌ ଷ୍ଟିଫେନ ହକିଙ୍ଗ ବିଶ୍ୱରେ ବଡ଼ ଧରଣର ପ୍ରଳୟ ଘଟି ଜୀବଜଗତ ଧ୍ୱଂସ ହେବା ସମ୍ବନ୍ଧରେ ଚାରୋଟି କାରଣ ଦର୍ଶାଇଥିଲେ। ତାହା ହେଉଛି ଜନସଂଖ୍ୟା ବୃଦ୍ଧି, ଆଣବିକ ଯୁଦ୍ଧ, କୃତ୍ରିମ ଉପାୟରେ ଅନୁବଂଶିକ ପରିବର୍ତ୍ତନ ଦ୍ୱାରା ନୂତନ ଜୀବ ସୃଷ୍ଟି(ଯଥା କରୋନା ଭୂତାଣୁ) ଓ ପରିବେଶ। ଏଗୁଡ଼ିକ ମଧ୍ୟରୁ ଏକ ବା ଏକାଧିକ କାରଣ ସଂଘଟିତ ହେଲେ ମାନବ ସମାଜ ଲୋପ ପାଇଯିବ ଆଗାମୀ ଛଅଶହ ବର୍ଷ ମଧ୍ୟରେ। ସେ ଏମିତି ସତର୍କବାଣୀ ଶୁଣାଇବା ପଛରେ କାରଣ ହେଉଛି ଆମର ସାମ୍ପ୍ରତିକ ମନୋଭାବ ଓ କାର୍ଯ୍ୟକଳାପ। ଆମ ଗୋଡ଼ ତଳକୁ ତଳ ଖସିଯିବାରେ ଲାଗିଛି। ଅବଶ୍ୟ ବହୁବର୍ଷ ପୂର୍ବେ ପଦାର୍ଥବିଜ୍ଞାନର ଜନକ ନିଉଟନ୍‌‌ ତତ୍କାଳୀନ ଶାସକମାନଙ୍କ ରାଜତ୍ୱକୁ ଆଖିରେ ରଖି ଏହି ପ୍ରଳୟ କାଳ ୨୦୬୦ ବୋଲି ଅନୁମାନ କରିଥିଲେ। ସେ ଯାହା ହେଉ ହକିଙ୍ଗ ଆଉ ଛଅଶହ ବର୍ଷର କଣ୍ଟ ଦେଇ ମୃତ୍ୟୁ ପୂର୍ବରୁ ଆମକୁ ଆହ୍ୱାନ ଦେଇଛନ୍ତି ଯେ ଏଇ ଅବଧିରେ ଆମେ ପୃଥିବୀ ବାହାରେ କୌଣସି ଏକ ଖଗୋଳୀୟ ପିଣ୍ଡରେ ବାସସ୍ଥାନ ନିର୍ମାଣ କରି ରହିବା ନିହାତି ଆବଶ୍ୟକ। ନଚେତ ମଣିଷ ଏଠାରେ ଅତୀତରେ ରହିଥିବା ସମ୍ପର୍କରେ ଚିହ୍ନ ବର୍ଣ୍ଣ ହଜିଯିବ।

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ବ୍ରହ୍ମପୁର, ମୋ: ୯୦୭୮୭୪୩୮୪୩

ବଜାର ଓ ବିଜ୍ଞାପନର କିମିଆରେ ତ୍ରସ୍ତ ଉପଭୋକ୍ତା
ଆଗକୁ ଅକ୍ଷୟ ତୃତୀୟା, ସ୍ନାନ ପୂର୍ଣ୍ଣିମା ଓ ଗୁଣ୍ଡିଚା ଯାତ୍ରା ଆଦି ପର୍ବ ପାଖେଇ ଆସୁଛି। ପାର୍ବଣ ଓ ପରମ୍ପରାର ଏକ ବଡ଼ ଅଂଶ ହେଲା ନୂଆ ନୂଆ ଜିନିଷ କିଣିବା, ବଜାର ଓ ମଲ୍‌‌ମାନଙ୍କରେ ଭିଡ଼ ଜମାଇବା ଏବଂ ବିଭିନ୍ନ ପ୍ରକାର ଆକର୍ଷଣୀୟ ଜିନିଷ ତଥା ସେବା କିଣିବା। ସେପଟେ ଏହିଭଳି ସୁଯୋଗକୁ ଉଣ୍ଡି ବସିଥା’ନ୍ତି ଅସଂଖ୍ୟ ନିର୍ମାତା, ଉତ୍ପାଦନକାରୀ ତଥା ବ୍ୟବସାୟୀ ସମ୍ପ୍ରଦାୟ। ଗାଁ ଗହଳିର ହାଟପାଳିଠାରୁ ଆରମ୍ଭ କରି ମହାନଗରୀର ବିଶାଳ ମଲ୍‌‌ ଅଟ୍ଟାଳିକା ତଥା ରାସ୍ତାକଡ଼ର ଚଟ୍‌‌ପଟା ଜଳଖିଆ ଦୋକାନଠାରୁ ସପ୍ତତାରକା ହୋଟେଲ୍‌‌ ପର୍ଯ୍ୟନ୍ତ, ଏପରିକି ଦେଶ ଭିତର ଓ ଆନ୍ତର୍ଜାତିକ ପରିଭ୍ରମଣ ବଜାର ମଧ୍ୟ ଏହି ପାର୍ବଣ ଋତୁରେ ଚଳଚଞ୍ଚଳ ହୋଇଉଠେ। ଟିଭି, ରେଡିଓ, ଇଣ୍ଟରନେଟ୍‌‌, ଡିଜିଟାଲ୍‌‌ ମିଡିଆ, ଖବରକାଗଜ ଓ ପତ୍ରପତ୍ରିକାରେ ତଥା ରାସ୍ତାଘାଟରେ ବଡ଼ ବଡ଼ ଆକର୍ଷକ ରଙ୍ଗୀନ ବିଜ୍ଞାପନ ବୋର୍ଡ ଓ ରଙ୍ଗୀନ ନିଅନ୍‌‌ ଆଲୋକରେ ସଜ୍ଜିତ ଇଲେକ୍ଟ୍ରୋନିକ୍‌‌ ବିଜ୍ଞାପନ ପାନେଲ୍‌‌ ଆଦି ଚାରିଆଡ଼େ ପ୍ରଲୋଭନର ମାୟାମୃଗ ଦଉଡ଼ାଇବା ଆରମ୍ଭ କରାନ୍ତି। କେଉଁଠି ବିଶେଷ ପାର୍ବଣ ବିକ୍ରି ନାଁରେ ଅଧିକା ରିହାତି ମିଳିଲାଣି ତ ଆଉ କେଉଁଠି ‘ଲକି ଡ୍ର’ ମାଧ୍ୟମରେ ବିଦେଶ ଯାତ୍ରା, ସୁନା ଗହଣା, ଗାଡ଼ି ମୋଟର ଉପହାରର ତାମସୀ ଆକର୍ଷଣ। ହାତରେ ଦି’ପଇସା ରଖି ଗ୍ରାହକଟିର ମନ ବିକଳ ହୋଇଉଠେ। ଚଉତରଫା ବିଜ୍ଞାପନ ମାଧ୍ୟମରେ ଅଲୋଡ଼ା ବିଳାସ ସାମଗ୍ରୀମାନଙ୍କର କୃତ୍ରିମ ଆବଶ୍ୟକତା ବିଭିନ୍ନ ବର୍ଗର ଗ୍ରାହକଙ୍କୁ ସମ୍ମୋହିତ କରିଦିଏ। ତା’ ଛଡ଼ା କ୍ରେଡିଟ୍‌‌ କାର୍ଡର ଆକର୍ଷଣ ଆହୁରି ଗଭୀର। ସହଜିଆ ମାସିକ କିସ୍ତିରେ କିଣଦିଅ ଓ ପରେ ନାକରେ କାନ୍ଦି ଟଙ୍କା ପରିଶୋଧ କର। ଚକ୍‌‌ମକ୍‌‌ ବିଜ୍ଞାପନରେ ମୋହିତ ଅଧିକାଂଶ ଗ୍ରାହକଙ୍କର ନିଘା ନଥାଏ କିଣୁଥିବା ଦ୍ରବ୍ୟଟିର ଗୁଣ ଓ ମାନର ସୂଚନା ଉପରେ। ସତେଯେମିତି ନିରୀହ ପତଙ୍ଗଟିଏ ଟାଣି ହୋଇ ଚାଲି ଯାଉଛି ବିଜ୍ଞାପନର ମରିଚୀକାରେ ଝାସ ଦେବାକୁ। ସାମ୍ପ୍ରତିକ ବିଶ୍ୱାୟନ, ବାଣିଜ୍ୟ ଓ ଅର୍ଥନୀତିର ଅସାଧୁ ଆକର୍ଷଣ ଭାରତ ଭଳି କେତେ ଯେ ବିକାଶଶୀଳ ରାଷ୍ଟ୍ରର ଉପଭୋକ୍ତାଙ୍କୁ ଆକ୍ରାନ୍ତ କରୁଛି ତାହା ଅକଳନୀୟ।

ଭାରତ ଏକ ଉପମହାଦେଶ ତଥା ଏକ ବିଶାଳ ଖାଉଟି ବଜାର। ପ୍ରାୟ ଏକଶହ ଚାଳିଶ କୋଟିରୁ ଅଧିକ ଲୋକ ବସବାସ କରୁଥିବା ଭାରତ ଭଳି ଦେଶରେ ଲୋକଙ୍କର କ୍ରୟଶକ୍ତି ମଧ୍ୟ ଭଲ। ତେଣୁ ଏଠାରେ ଯେକୌଣସି ସାମଗ୍ରୀର ବିପଣନ ପାଇଁ ବିସ୍ତୃତ ବଜାର ଉପଲବ୍ଧ। ବ୍ୟାପକ ପ୍ରଚାର ଏବଂ ଗଣମାଧ୍ୟମରେ ଅହର୍ନିଶ ବିଜ୍ଞାପନ ବିଭିନ୍ନ ସାମଗ୍ରୀ ଓ ସେବାକୁ କ୍ରେତା ବା ଖାଉଟିଙ୍କ ସହିତ କେବଳ ପରିଚୟ କରାଇ ନଥାଏ; ଏହା ମଧ୍ୟ ସେମାନଙ୍କ କଳ୍ପନା ଓ ଇଚ୍ଛାଶକ୍ତିକୁ ପ୍ରଭାବିତ କରିଥାଏ। ଭାରତୀୟ ଖାଉଟିଙ୍କ ଏହି ବିଶାଳ-ସମ୍ମୋହନର ସୁଯୋଗ ନେଇ ଅନେକ ଅସାଧୁ ବେପାରୀ / କମ୍ପାନୀ, ଉତ୍ପାଦନକାରୀ ବିଭିନ୍ନ ପ୍ରକାର ଖାଉଟି ସାମଗ୍ରୀକୁ ବିଜ୍ଞାପନ ମାଧ୍ୟମରେ ବିକ୍ରି କରି ମାଲେମାଲ ହୋଇଥା’ନ୍ତି। ଖାଉଟିଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଓ ନୀତି ନିୟମ ରହିଛି। ଏହାସତ୍ତ୍ବେ ଲାଭଖୋର କମ୍ପାନୀ ଓ ବିକ୍ରେତା ଦ୍ରୁତ ସହରାୟନ, ଇ-କମର୍ସ ଓ ବିଜ୍ଞାପନକୁ ମାଧ୍ୟମ କରି ଭେଜାଲ ଓ ନିମ୍ନମାନର ସାମଗ୍ରୀ ବିକ୍ରି କରୁଛନ୍ତି। ଖାଦ୍ୟ ପଦାର୍ଥ ଓ ଔଷଧପତ୍ର ମଧ୍ୟ ଏଥିରୁ ବାଦ୍‌‌ ପଡୁନାହିଁ। ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଜଣେ ପ୍ରତିଷ୍ଠିତ ଆୟୁର୍ବେଦ ଔଷଧ କମ୍ପାନୀ ସୁପ୍ରିମକୋର୍ଟ ଦ୍ୱାରା ନିକଟରେ ଭର୍ତ୍ସିତ ହେବା ପରେ ସ୍ୱୟଂ ସେହି ଯୋଗଗୁରୁ ଓ ତାଙ୍କ ଚେଲାମାନେ ସର୍ବୋଚ୍ଚ ଅଦାଲତରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ। ଏବେ ସେହିପରି କେତେକ ତଥାକଥିତ ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟ ଦ୍ରବ୍ୟ ଉପରେ ସରକାରୀ କଟକଣା ଲାଗୁ କରାଯାଇଛି। ପାନୀୟ ଓ ଖାଦ୍ୟପଦାର୍ଥର ମାନ ନିର୍ଦ୍ଧାରଣ ଏବଂ ବର୍ଗୀକରଣ ପାଇଁ ଭାରତରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ (ଏଫ୍‌‌ଏସ୍‌‌ଏସ୍‌‌ଏଆଇ) ରହିଛି। ଯେଉଁସବୁ ଦ୍ରବ୍ୟକୁ ହେଲ୍‌‌ଥ ଡ୍ରିଙ୍କ୍‌‌ସ କହି କମ୍ପାନୀମାନେ ବିକ୍ରି କରୁଛନ୍ତି, ବାସ୍ତବରେ ୨୦୦୬ରେ ପ୍ରଣୀତ ଏଫ୍‌‌ଏସ୍‌‌ଏସ୍‌‌ ଆଦେଶ ସାରଣୀରେ ସେପରି କିଛି ବର୍ଗ ବା ସାମଗ୍ରୀ ଉଲ୍ଲେଖ ନାହିଁ। ଚଳିତ ମାସ ପ୍ରାରମ୍ଭରେ ଏଫ୍‌‌ଏସ୍‌‌ଏସ୍‌‌ଏଆଇ ଜନସ୍ୱାର୍ଥ ଦୃଷ୍ଟିରୁ ଭାରତରେ କୌଣସି ଶସ୍ୟ ଓ ଦୁଗ୍ଧରୁ ତିଆରି ପାନୀୟକୁ ସମ୍ପୃକ୍ତ ପ୍ରସ୍ତୁତକର୍ତ୍ତା ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ଭାବେ ଦର୍ଶାଇ ପାରିବେ ନାହିଁ ବୋଲି ଇ-କମର୍ସ ସାଇଟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଏବେ ଏସବୁ ତଥାକଥିତ ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ର ଲେବଲିଂ(ବ୍ୟବହୃତ ଦ୍ରବ୍ୟ ସୂଚନା)କୁ ହଟାଇବାକୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଇ-କମର୍ସ୍‌‌ ପ୍ଲାଟଫର୍ମଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏପରିକି କୌଣସି କମ୍ପାନୀ ଓ ପୋର୍ଟାଲରେ ଏହାକୁ ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ଭାବେ ପ୍ରଚାର ବା ଉପସ୍ଥାପିତ କରିହେବ ନାହିଁ। ଏ ସବୁ ସାମଗ୍ରୀ ଯାହା ବଜାରରେ ରହିଛି ତାହାକୁ ମଧ୍ୟ ତତ୍କାଳ ପ୍ରତ୍ୟାହାର କରି ନେବାକୁ ସରକାର ସମ୍ପୃକ୍ତ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜନସ୍ୱାର୍ଥ ଦୃଷ୍ଟିରୁ ଏହା ନିଶ୍ଚିତ ସ୍ୱାଗତଯୋଗ୍ୟ ଏବଂ ଅସାଧୁ ବ୍ୟବସାୟକୁ ରୋକିବାରେ ଏହା ଅବଶ୍ୟ ସହାୟକ ହେବ।

ଏହିଭଳି ଏକ ଅଗ୍ରଣୀ ତଥାକଥିତ ସ୍ୱାସ୍ଥ୍ୟବର୍ଦ୍ଧକ ପାନୀୟ ନିର୍ମାତାର ଭାରତରେ କାରବାର ପରିମାଣ ବାର୍ଷିକ ୨.୫ ଲକ୍ଷ କୋଟି ଟଙ୍କା। ତେବେ ସ୍ୱାସ୍ଥ୍ୟପ୍ରଦ ପାନୀୟ କୁହାଯାଉଥିବା ଏହି ଉତ୍ପାଦରେ ଗହମର ଉପାଦାନ ଓ ମାତ୍ରାଧିକ ଚିନି ରହିଥିବା ପରୀକ୍ଷାରୁ ଜଣାପଡ଼ିଛି ଏବଂ ଏହା ଆଦୌ ସ୍ୱାସ୍ଥ୍ୟପ୍ରଦ ନୁହେଁ। ଏଭଳି ତଥାକଥିତ ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ମିଥ୍ୟା ତଥ୍ୟ ଆଧାରରେ ବେପାର ଜମାଇଛନ୍ତି। ପ୍ରକୃତରେ ଏହା ଶିଶୁ, ରୋଗୀ ଓ ବୁଢ଼ାବୁଢ଼ୀଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ। ସୁତରାଂ ସମ୍ପୃକ୍ତ କମ୍ପାନୀମାନେ ଏହାର ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ବିଜ୍ଞାପନ ଲେବୁଲ ବଦଳାଇବାକୁ ବାଧ୍ୟ। କାରଣ ଭାରତୀୟ ଖାଦ୍ୟ ମାନକ ଆଇନରେ ଏମିତି ବର୍ଗ ବା ଶ୍ରେଣୀ ରଖା ଯାଇନାହିଁ। ଏହି ପର୍ଯ୍ୟାୟର ତଥାକଥିତ ‘ହେଲ୍‌‌ଥ ଡ୍ରିଙ୍କ୍‌‌ସ’ ଭାରତୀୟ ବଜାର କେବଳ ନୁହେଁ, ସଂସ୍କୃତିରେ ମଧ୍ୟ ବହୁଦିନ ଧରି ଆସ୍ଥାନ ଜମାଇ ସାରିଛନ୍ତି। କମ୍ପାନୀମାନେ ଜନସ୍ୱାସ୍ଥ୍ୟର ସମ୍ବର୍ଦ୍ଧକ ଭାବେ ମିଥ୍ୟା ପରିଚୟ ଦେଇ ପ୍ରଚୁର ମୁନାଫା ଉଠାଉଛନ୍ତି। ବାସ୍ତବରେ ସେମାନେ କେବଳ ଖାଉଟିଙ୍କୁ ବିଭ୍ରାନ୍ତ କରି ଲାଭ ଉଠାଉଛନ୍ତି। ଏହା ଅନୈତିକ ଏବଂ ଦଣ୍ଡନୀୟ।

ଭାରତର ଏଫ୍‌‌ଏମ୍‌‌ସିଜି(ବ୍ୟାପକ ବ୍ୟବହୃତ ଖାଉଟି ଦ୍ରବ୍ୟ)ବଜାରରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ପ୍ରଭାବ ଅଖଣ୍ଡ। ସେଥିରୁ ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରଟି ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ନିୟନ୍ତ୍ରଣରେ ରହିଛି କହିଲେ ଚଳେ। କୋଲ୍‌‌ଡ୍ରିଙ୍କ୍‌‌ସ, ଚକୋଲେଟ୍‌‌, ଫ୍ରୁଟି, ବଟର, ବିଜ୍‌‌ ବିସ୍କୁଟ, ଜେଲି, ତଥାକଥିତ ହେଲ୍‌‌ଥ ଡ୍ରିଙ୍କ୍‌‌ସ ପରେ ଏବେ ‘ଏନର୍ଜି ଡ୍ରିଙ୍କ୍‌‌ସ’ମାନେ ଆମ ବଜାରରେ ରାଜତ୍ୱ କରୁଛନ୍ତି। ତେବେ ଏ ସବୁର ପ୍ରକୃତ ଦ୍ରବ୍ୟ ଗୁଣ ବିଷୟରେ ପ୍ରକୃତ ତଥ୍ୟକୁ ଗୋପନ ରଖାଯାଉଛି। ବିଜ୍ଞାପନ ଓ ଇ-କମର୍ସ ମଞ୍ଚ ଏ ସବୁକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଉଛି। ପରିତାପର ବିଷୟ ହେଉଛି ଭାରତୀୟ ବଜାର ପ୍ରକାଣ୍ଡ ଆକାର ଧାରଣ କରିଥିଲେ ମଧ୍ୟ ଏହା ଏଯାଏଁ ପୋଖତ ଏବଂ ନୈତିକତା ମୂଳକ ହୋଇପାରିନାହିଁ। ଲୋକଙ୍କ ପାଖରେ ପଇସା ହେବା ପରେ ସେମାନେ ବିଜ୍ଞାପନ ମାୟାରେ ପଡ଼ି ଏ ସବୁ ଅସ୍ୱାସ୍ଥ୍ୟକର ଜିନିଷ କିଣି ଖାଇ ଠକି ହେଉଛନ୍ତି ଓ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଗୋଟେ ସମୟ ଥିଲା ଶିଶୁ ଖାଦ୍ୟ (ବେବି ଫୁଡ୍‌‌) ନାମରେ ଅନେକ ପ୍ରକାର କମ୍ପାନୀ ପ୍ରସ୍ତୁତ କୃତ୍ରିମ ଖାଦ୍ୟ ଭାରତରେ ବହୁଳ ଭାବେ ବିକ୍ରି ହେଉଥିଲା। ଏଥିରେ ଠକାମି ଧରା ପଡ଼ିବା ପରେ ସରକାର ତାହାକୁ ନିଷିଦ୍ଧ କରିଥିଲେ। ଆମର ନିର୍ବୋଧତା ହେଲା ଆମେ ଆମ ଘର ତିଆରି ବା ଘରୋଇ ପ୍ରସ୍ତୁତ ଖାଦ୍ୟକୁ ନାକ ଟେକି ନୁଡୁଲ୍ସ, ନମକିନ୍‌‌, ବ୍ରେଡ୍‌‌, ସସ୍‌‌, ବିସ୍କୁଟ, ଚକୋଲେଟ୍‌‌, ୟୁଗର୍ଟ ଏବଂ ଅନ୍ୟାନ୍ୟ ଫ୍ୟାକ୍ଟ୍ରି ନିର୍ମିତ ପ୍ୟାକେଟ୍‌‌କରା ଚଟପଟି ଖାଦ୍ୟକୁ ଅଗ୍ରାଧିକାର ଦେଉଛୁ। ଏଥିରେ ବାସ୍ତବରେ କ’ଣ ଅଛି ତାହା ସମସ୍ତଙ୍କୁ ଜଣାନାହିଁ। ଏଥିରେ ଯେଉଁ ଉପାଦାନର ତାଲିକା ଲେଖାଯାଇଥାଏ, ତାହା ଅନେକାଂଶରେ ମିଛ ବୋଲି ଅତୀତରେ ପ୍ରମାଣିତ ହୋଇଛି।

ଭାରତ ଭଳି ଦ୍ରୁତ ବିକାଶଶୀଳ ବଜାରରେ ଖାଦ୍ୟଦ୍ରବ୍ୟର ସୁରକ୍ଷା ପ୍ରଥମ ଆବଶ୍ୟକତା। ବଜାରର ପରିପକ୍ୱହୀନତା ଓ ବ୍ୟବସ୍ଥାଗତ ଉଦାସୀନତାର ସୁଯୋଗ ନେଇ ଏଠାରେ ଅସାଧୁ କମ୍ପାନୀମାନେ ଲୋକଙ୍କୁ ଠକି ବେପାର କରିବା ଏକ ଜଘନ୍ୟ ଅପରାଧ। ଏଭଳି ଅନୀତିକୁ ରୋକିବାକୁ କାର୍ଯ୍ୟାନୁଷ୍ଠାନ ଆହୁରି ବ୍ୟାପକ ହେବା ଆବଶ୍ୟକ।

କୁମାର-କୁମାରୀ ପର୍ବତର ସାଂସ୍କୃତିକ ସୌରଭ
ପ୍ରାକୃତିକ ରୂପଲାବଣ୍ୟଭରା ଓଡ଼ିଶାର ମଧ୍ୟ- ପୂର୍ବାଞ୍ଚଳରେ ଅବସ୍ଥିତ କୁମାର-କୁମାରୀଗିରି ଯୁଗଳ ସଂପ୍ରତି ଆମ ରାଜଧାନୀ ଭୁବନେଶ୍ୱର ମହାନଗର କେନ୍ଦ୍ରାଞ୍ଚଳରେ ଖଣ୍ଡଗିରି ଓ ଉଦୟଗିରି ନାମରେ ବିଦ୍ୟମାନ। ଏହି ଦୁଇଟି ଅନୁଚ୍ଚ ପର୍ବତ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ ଓ ସଂସ୍କୃତିର ସ୍ମୃତି ବହନ କରି ସଂପ୍ରତି ବୃକ୍ଷବିହୀନ ପାହାଡ଼ ସ୍ୱରୂପରେ ଦୃଶ୍ୟମାନ। ଜୈନକୀର୍ତ୍ତି ବିମଣ୍ଡିତ ଖଣ୍ଡଗିରିର ଉଚ୍ଚତା ପ୍ରାୟ ୪୪ ମିଟର ଓ ଐତିହ୍ୟ ସୁରଭିତ ଉଦୟଗିରିର ଉଚ୍ଚତା ପ୍ରାୟ ୩୪ ମିଟର। ଶତାବ୍ଦୀ ଶତାବ୍ଦୀ ଧରି ଅରଣ୍ୟ, ଔଷଧୀୟ ବୃକ୍ଷ ଓ ନିର୍ଝରିଣୀ ପରିଶୋଭିତ ଏହି ଗିରିଦ୍ୱୟ ରାଜଧାନୀର କଳେବର ପ୍ରସାରଣରେ ବର୍ତ୍ତମାନ ଏକ ଲୋକପ୍ରିୟ ଐତିହ୍ୟ କୀର୍ତ୍ତି କ୍ଷେତ୍ରରେ ରୂପାନ୍ତରିତ ହୋଇଛି। ପ୍ରାଚୀନ ସମୟରେ ପୁରାଣ ପ୍ରସିଦ୍ଧ ଏକାମ୍ରକ୍ଷେତ୍ରର ମଧ୍ୟଭାଗରେ ବହୁ ଶାଖାପ୍ରଶାଖା ସମନ୍ୱିତ ଏକ ଅତି ବିଶାଳ ଆମ୍ର ବୃକ୍ଷ ରହିଥିଲା। ‘ଏକାମ୍ର ଚନ୍ଦ୍ରିକା’ରୁ ଜଣାଯାଏ –

ଏକାମ୍ର ବୃକ୍ଷସ୍ତତ୍ରାସୀତ୍ ପୁରାକଳ୍ପେ ତପୋଧନାଃ,

ତସ୍ୟେକ ନାମ୍ନା ତତ୍ କ୍ଷେତ୍ରମେକାମ୍ରକମିତି ସ୍କୃତମ୍।

ସେହି ଆମ୍ରବୃକ୍ଷର ମୂଳରେ ସ୍ଫଟିକ ଓ ବୈଦୁର୍ଯ୍ୟ ମଣି ଉଦ୍ଭାସିତ ତଥା ଊର୍ଦ୍ଧ୍ବଦେଶ ପଦ୍ମରାଗ ମଣି ବିମଣ୍ଡିତ ତ୍ରିଭୁବନେଶ୍ୱର ଲିଙ୍ଗ ବିରାଜମାନ ଥିଲେ, ଯାହା ସଂପ୍ରତି ଲିଙ୍ଗରାଜ ନାମରେ ଖ୍ୟାତ। ଚକ୍ରାକାରରେ ସୁବିସ୍ତୃତ ସେହି ଆମ୍ରବୃକ୍ଷର ପୂର୍ବ ପାର୍ଶ୍ବଶାଖା ଭାବକୁଣ୍ଡଳେଶ୍ୱର, ଉତ୍ତରପାର୍ଶ୍ବ ଶାଖା ବଲହାଦେବୀ, ଦକ୍ଷିଣପାର୍ଶ୍ବ ଶାଖା ବହିରଙ୍ଗେଶ୍ୱର ଓ ପଶ୍ଚିମପାର୍ଶ୍ବ ଶାଖା ଖଣ୍ଡଗିରି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ତଥା ପଞ୍ଚମ ଶାଖା ଊର୍ଦ୍ଧ୍ବକୁ ପ୍ରଳମ୍ବିତ ହୋଇଥିଲା –

ଖଣ୍ଡାଚଳ ସମାସାଦ୍ୟ ଯତ୍ରାସ୍ତେ କୁଣ୍ଡଳେଶ୍ୱର

ଆସାଦ୍ୟ ବଳହା ଦେବୀଂ ବହିରଙ୍ଗେଶ୍ୱରାବଧି

କ୍ଷେତ୍ରମେତତ୍ ସମାଦିଷ୍ଟଂ ଚକ୍ରକାରଂ ଶୁଭଂ ମୁନେ।

ଏହି କାରଣରୁ ଏକାମ୍ରକ୍ଷେତ୍ରର ଅନ୍ୟ ନାମ ଚକ୍ରକ୍ଷେତ୍ର। ସେହି ଚକ୍ରକ୍ଷେତ୍ରର ପଶ୍ଚିମସୀମାରେ ଅବସ୍ଥିତ ଗିରିଦ୍ୱୟ ‘କୁମାରଗିରି’ ଓ ‘କୁମାରୀଗିରି’ ନାମରେ ଐତିହାସିକ ପ୍ରସିଦ୍ଧ ଲାଭ କରିଥିଲା। ଦେବସେନାପତି କାର୍ତ୍ତିକେୟଙ୍କ ନାମ କୁମାର। ସେହି କୁମାର ବା ସ୍କନ୍ଧଙ୍କ ନାମରେ ନାମିତ ସ୍କନ୍ଧଗିରି ଅପଭ୍ରଂଶରେ ଖଣ୍ଡଗିରି ନାମରେ ପରିଚିହ୍ନିତ। ସୋମବଂଶୀ ରାଜା ଉଦ୍ୟୋତକେଶରୀଙ୍କ ରାଜତ୍ୱରେ ଅର୍ଥାତ ଦଶମ ଶତାବ୍ଦୀରେ ଖୋଦିତ ଏକ ଶିଳାଲେଖରେ ପ୍ରଥମେ ଖଣ୍ଡଗିରି ନାମ ପରିଦୃଷ୍ଟ ହୁଏ। କୁମାର ପର୍ବତର କିଞ୍ଚିତ ପୂର୍ବରେ କୁମାରୀ ପର୍ବତର ଅବସ୍ଥିତ, ଯାହା ସଂପ୍ରତି ଉଦୟଗିରି ନାମ ବହନ କରିଅଛି। ପ୍ରାଚୀନ ସଂସ୍କୃତ ଗ୍ରନ୍ଥ ‘ସ୍ୱର୍ଣ୍ଣାଦ୍ରି ମହୋଦୟ’ରେ ଏହି ଗିରିଦ୍ୱୟ ଖଣ୍ଡାଚଳ ଓ ଉଦୟାଚଳ ନାମରେ ମଧ୍ୟ ନାମିତ।

କୁମାର-କୁମାରୀ ଯୁଗ୍ମ ଗିରିର ସାଂସ୍କୃତିକ ଓ ଐତିହାସିକ ମହତ୍ତ୍ୱ ଅବର୍ଣ୍ଣନୀୟ। ଜୈନଧର୍ମର ପ୍ରବର୍ତ୍ତକ ବା ଆଦିତୀର୍ଥଙ୍କର ହେଉଛନ୍ତି ପାର୍ଶ୍ବନାଥ। ଏହି ମହାତ୍ମା ବୈଦିକ କାଳୀନ। ଜୈନ ଭଗବତୀ ସୂତ୍ର ଓ କ୍ଷେତ୍ର ସମାସରୁ ଜଣାଯାଏ ସେ ଅଙ୍ଗ, ବଙ୍ଗ ଓ କଳିଙ୍ଗରେ ଜୈନଧର୍ମ ପ୍ରଚାର କରିଥିଲେ। ଖଣ୍ଡଗିରି ଓ ଉଦୟଗିରି ପାର୍ଶ୍ବନାଥଙ୍କ ତପସ୍ଥଳୀ ଥିଲା ଏବଂ ସର୍ବଭାରତୀୟ ସ୍ତରରେ ବୈଦିକ ଯୁଗରୁ ଏହା ଜୈନତୀର୍ଥ ରୂପେ ପ୍ରସିଦ୍ଧି ଲାଭ କରିଥିଲା। ପାର୍ଶ୍ବନାଥଙ୍କ ଦେହାବସାନ ପରେ କଳିଙ୍ଗବାସୀ ତାଙ୍କର ଏକ ପ୍ରତିମୂର୍ତ୍ତି ଖଣ୍ଡଗିରିରେ ପୂଜା କରୁଥିଲେ। ‘କଳିଙ୍ଗଜିନ’ ନାମରେ ଖ୍ୟାତ ସେହି ମୂର୍ତ୍ତି ଥିଲା କଳିଙ୍ଗର ଜାତୀୟ ସ୍ୱାଭିମାନର ପ୍ରତୀକ। ମଗଧର ନନ୍ଦରାଜା ଖ୍ରୀପୂ ଚତୁର୍ଥ ଶତାବ୍ଦୀରେ ସେହି ‘କଳିଙ୍ଗଜିନ’ ମୂର୍ତ୍ତିକୁ ପାଟଳୀପୁତ୍ର ନେଇଯାଇଥିଲେ। ତିନିଶହ ବର୍ଷ ପରେ ଖ୍ରୀପୂ ପ୍ରଥମ ଶତାବ୍ଦୀରେ କଳିଙ୍ଗ ସମ୍ରାଟ ଖାରବେଳ, ମଗଧ ସମ୍ରାଟ ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରି ମହାସମାରୋହରେ ‘କଳିଙ୍ଗଜିନ’ ମୂର୍ତ୍ତିକୁ ଫେରାଇ ଆଣିଥିଲେ। ଆଦିତୀର୍ଥଙ୍କର ପାର୍ଶ୍ବନାଥଙ୍କଠାରୁ ଆରମ୍ଭ କରି ପ୍ରାୟ ସବୁ ତୀର୍ଥଙ୍କର ଖଣ୍ଡଗିରିକୁ ପବିତ୍ର ଜୈନପୀଠର ମାନ୍ୟତା ପ୍ରଦାନ କରିଥିଲେ। ଶତାବ୍ଦୀ ଶତାବ୍ଦୀ ଧରି ଖଣ୍ଡଗିରି ଜୈନ ଅର୍ହତମାନଙ୍କର ସାଧନାସ୍ଥଳୀ ଭାବରେ ପ୍ରସିଦ୍ଧି ଲାଭ କରିଥିଲା। ହରିଭଦ୍ର, ଆବଶ୍ୟକସୂତ୍ରର ଟୀକାରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଜୈନ ଧର୍ମର ଶେଷତୀର୍ଥଙ୍କର ମହାବୀରଙ୍କ ପିତା କଳିଙ୍ଗ ରାଜାଙ୍କର ବନ୍ଧୁ ଥିଲେ ଏବଂ କଳିଙ୍ଗ ରାଜା ମହାବୀରଙ୍କୁ ତାଙ୍କ ରାଜ୍ୟରେ ଧର୍ମ ପ୍ରସାର କରିବା ନିମିତ୍ତ ଆମନ୍ତ୍ରଣ କରିଥିଲେ। ହାତୀଗୁମ୍ଫା ଶିଳାଲିପିରେ ମହାବୀରଙ୍କ କଳିଙ୍ଗ ଆଗମନ ଓ କୁମାରୀ ପର୍ବତରେ ଜୈନଧର୍ମ ପ୍ରଚାର କରିଥିବାର ସ୍ପଷ୍ଟ ସୂଚନା ମିଳେ। ଜୈନଗ୍ରନ୍ଥ ଉତ୍ତରାଧ୍ୟୟନ ସୂତ୍ର ଅନୁସାରେ ମହାବୀରଙ୍କ ସମୟରେ ଅର୍ଥାତ ଖ୍ରୀପୂ ଷଷ୍ଠ ଶତାବ୍ଦୀରେ କଳିଙ୍ଗ ସୁବିଖ୍ୟାତ ଜୈନଭୂମି ଥିଲା। ତୀର୍ଥଙ୍କର ମହାବୀର କଳିଙ୍ଗ ଆଗମନ କରି କୁମାରୀ ପର୍ବତରେ ଅବସ୍ଥାନ ପୂର୍ବକ ଜୈନବାଣୀ କଳିଙ୍ଗବାସୀଙ୍କ ଉଦ୍ଦେଶ୍ୟରେ ପରିବେଷଣ କରିଥିଲେ। ହାତୀଗୁମ୍ଫା ଶିଳାଲିପିରେ ଉତ୍କୀର୍ଣ୍ଣ ‘ବିଜୟ ଚକ୍ରପ୍ରବର୍ତ୍ତନ’କୁ ଏହି ଘଟଣାର ପ୍ରାମାଣିକ ତଥ୍ୟରୂପେ ଗ୍ରହଣ କରାଯାଇଥାଏ। ମହାବୀରଙ୍କ ଧର୍ମବାଣୀ ପ୍ରଚାରରେ ଉଦ୍‌ବୁଦ୍ଧ ହୋଇ ତତ୍କାଳୀନ କଳିଙ୍ଗାଧିପତି ତଥା ରାଜ୍ୟବାସୀଗଣ ଜୈନଧର୍ମକୁ କଳିଙ୍ଗର ରାଜକୀୟ ଧର୍ମ ଭାବରେ ସମ୍ମାନ ପ୍ରଦାନ କରିଥିଲେ। ମହାବୀର କୁମାର ପର୍ବତରେ ଧର୍ମ ପ୍ରସାର କରିଥିବା ହେତୁ ଏହି ଗିରି ସର୍ବଭାରତୀୟ ସ୍ତରରେ ଏକ ପବିତ୍ର ଜୈନତୀର୍ଥ ରୂପେ ପ୍ରସିଦ୍ଧି ଲାଭ କରିଥିଲା ତଥା ଭାରତର ବିଭିନ୍ନ ପ୍ରାନ୍ତରୁ ଜୈନସନ୍ନ୍ୟାସୀ ଓ ଅର୍ହତଗଣ ଏଠାରେ ଆସି ନିବାସ କରୁଥିଲେ।

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ମହାମେଘବାହନ ଖାରବେଳ କଳିଙ୍ଗର ସମ୍ରାଟ ହେଲେ। ଖାରବେଳ ଓ ତାଙ୍କର ପରିବାରବର୍ଗ ଜୈନ ଧର୍ମାବଲମ୍ବୀ ଥିଲେ। ତାଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ସେ ମଗଧ ବିରୁଦ୍ଧରେ ସଫଳ ଯୁଦ୍ଧ ଅଭିଯାନ କରି ଅପହୃତ ‘କଳିଙ୍ଗଜିନ’ ଫେରାଇ ଆଣିଥିଲେ। ‘କଳିଙ୍ଗଜିନ’କୁ ଏକ ବିରାଟ ଶୋଭାଯାତ୍ରାରେ ଫେରାଇ ଆଣି ସେ ମହୋତ୍ସବ କରାଇ କୁମାରୀ ପର୍ବତରେ ପୁନଃପ୍ରତିଷ୍ଠା କରାଇଥିଲେ। ତାଙ୍କ ରାଜତ୍ୱର ତ୍ରୟୋଦଶ ବର୍ଷରେ ଜୈନ ସନ୍ନ୍ୟାସୀମାନଙ୍କ ସାଧନା, ପୂଜା ଓ ନିବାସ ନିମିତ୍ତ ସେ ଖଣ୍ଡଗିରି ଓ ଉଦୟଗିରିରେ ବହୁ ଗୁମ୍ଫା ଖୋଳାଇଥିଲେ। ଖଣ୍ଡଗିରିରେ ଖୋଳାଯାଇଥିବା ଗୁମ୍ଫାମାନଙ୍କ ମଧ୍ୟରେ ତତୋଆ ଗୁମ୍ଫା, ଅନନ୍ତ ଗୁମ୍ଫା, ତେନ୍ତୁଳି ଗୁମ୍ଫା, ଖଣ୍ଡଗିରି ଗୁମ୍ଫା, ଧ୍ୟାନ ଗୁମ୍ଫା, ନବମୁନି ଗୁମ୍ଫା, ବାରଭୂଜା ଗୁମ୍ଫା, ତ୍ରିଶୁଳ ଗୁମ୍ଫା, ଅମ୍ବିକା ଗୁମ୍ଫା ଓ ଏକାଦଶୀ ଗୁମ୍ଫା ପ୍ରଭୃତି ପ୍ରଧାନ। ଉଦୟଗିରିରେ ଖୋଳା ଯାଇଥିବା ଗୁମ୍ଫାମାନଙ୍କ ମଧ୍ୟରେ ରାଣୀଗୁମ୍ଫା, ବାଜାଘର ଗୁମ୍ଫା, ଛୋଟ ହାତୀଗୁମ୍ଫା, ପାତାଳପୁରୀ ଗୁମ୍ଫା, ଅଳକାପୁରୀ ଗୁମ୍ଫା, ଜୟବିଜୟ ଗୁମ୍ଫା, ପଣସ ଗୁମ୍ଫା, ଠାକୁରାଣୀ ଗୁମ୍ଫା, ଗଣେଶ ଗୁମ୍ଫା, ଜମ୍ବେଶ୍ୱର ଗୁମ୍ଫା, ବ୍ୟାଘ୍ର ଗୁମ୍ଫା, ସର୍ପ ଗୁମ୍ଫା, ଧାନଘର ଗୁମ୍ଫା, ହରିଦାସ ଗୁମ୍ଫା, ଜଗନ୍ନାଥ ଗୁମ୍ଫା ଓ ରୋଷେଇ ଗୁମ୍ଫା ପ୍ରଭୃତି ମୁଖ୍ୟ। ଏହିସବୁ ଗୁମ୍ଫା ଖାରବେଳ, ତଦୀୟ ରାଣୀଗଣ, ପୁତ୍ରଗଣଙ୍କ ଦ୍ବାରା ଓ ପରବର୍ତ୍ତୀ କାଳରେ ଖୋଦିତ। ଏହି ଗୁମ୍ଫାଗୁଡ଼ିକ ଖାରବେଳଙ୍କ ଚାରିତ୍ରିକ ମହନୀୟତାର ପ୍ରତୀକ। ଉଦୟଗିରି ଓ ଖଣ୍ଡଗିରିରେ ଖୋଦିତ ଗୁମ୍ଫାରାଜି ଶ୍ରେଷ୍ଠ ଜୈନକୀର୍ତ୍ତି ଭାବରେ ସାରା ଭାରତବର୍ଷରେ ସୁବିଦିତ। ଉଦୟଗିରିରେ ୪୪ଟିି ଓ ଖଣ୍ଡଗିରିରେ ୧୯ଟି ଗୁମ୍ଫା ଦେଖିବାକୁ ମିଳେ। ଏହି ଗୁମ୍ଫାମାନଙ୍କ ସ୍ଥାପତ୍ୟ ଓ କଳା ଭାସ୍କର୍ଯ୍ୟ ପୂର୍ବ ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ସର୍ବଭାରତୀୟ ସ୍ତରରେ କଳିଙ୍ଗ ସ୍ଥାପତ୍ୟ ଖ୍ରୀଷ୍ଟପୂର୍ବ କାଳରୁ ପ୍ରସିଦ୍ଧିଲାଭ କରିଥିଲା। ଏହି ସ୍ଥାପତ୍ୟ ଅଗଣିତ ପରିବ୍ରାଜକ, ଦର୍ଶକ, ଐତିହାସିକ, ଗବେଷକ ଓ ଧର୍ମାତ୍ମାମାନଙ୍କୁ ଆକୃଷ୍ଟ କରିଆସିଛି। ଉଦୟଗିରିର ଗୁମ୍ଫାଗୁଡ଼ିକ ସମ୍ମୁଖରେ ପ୍ରଶସ୍ତ ପ୍ରାଙ୍ଗଣ ରହିଛି, ଯାହା ମୁକ୍ତ ନାଟ୍ୟମଞ୍ଚ ଭାବରେ ବ୍ୟବହୃତ ହେଉଥିଲା। ଖଣ୍ଡଗିରି ଗୁମ୍ଫା ଦ୍ୱିତଳ ବିଶିଷ୍ଟ। ଯହିଁରେ ପତିତପାବନ ମୂର୍ତ୍ତି ଉତ୍କୀର୍ଣ୍ଣ। ନବମୁନି ଗୁମ୍ଫାରେ ଖ୍ରୀଷ୍ଟୀୟ ଦଶମ ଶତାବ୍ଦୀର ଏକ ଶିଳାଲିପି ରହିଛି ଏବଂ ଏଥିରେ ଜୈନମୁନି ଶୁଭଚନ୍ଦ୍ରଙ୍କର ନାମ ରହିଛି। ଏକ ପ୍ରକୋଷ୍ଠରେ ଚବିଶ ଜୈନ ତୀର୍ଥଙ୍କର ଏବଂ ଶାସନଦେବୀମାନଙ୍କର ପ୍ରତିମୂର୍ତ୍ତି ଖୋଦିତ। ଅନନ୍ତ ଗୁମ୍ଫାରେ ଜୈନଧର୍ମର ସ୍ୱସ୍ତିକ ଓ ତ୍ରିଶୂଳ ଆଦି ସାତଟି ପବିତ୍ରଚିହ୍ନ ଖୋଦିତ। ଏହି ଗୁମ୍ଫାର ବାହାର କାନ୍ଥରେ ଲକ୍ଷ୍ମୀ, ରଥାରୁଢ଼ ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର ଖଚିତ ଆକାଶ, ପଶୁ, ପକ୍ଷୀ, ମିଥୁନ ଓ ପକ୍ଷଯୁକ୍ତ ଗନ୍ଧର୍ବମାନଙ୍କର ମୂର୍ତ୍ତି ରହିଛି।

ଖଣ୍ଡଗିରି ଓ ଉଦୟଗିରି କେବଳ ଜୈନସନ୍ନ୍ୟାସୀଙ୍କର ତପସ୍ଥଳୀ ନଥିଲା; ବିଭିନ୍ନ ସମୟରେ ବହୁ ଅନ୍ୟ ସାଧୁସନ୍ଥ ଏହି ପବିତ୍ର ଗିରିଦ୍ୱୟରେ ସାଧନାରତ ଥିଲେ। ସନ୍ଥ ଅରକ୍ଷିତ ଦାସ ଏଠାରେ ସାଧନାରତ ଥିଲେ ତଥା ଏଠାରେ ତାଙ୍କର ପାଦୁକାଶ୍ରମ ରହିଛି। ମହିମାସ୍ୱାମୀ କେବଳ ଜଳପାନ କରି ଖଣ୍ଡଗିରିରେ ବାରବର୍ଷ ସାଧନା ପୂର୍ବକ ‘ନୀରାହାରୀ ଗୋସାଇଁ’ ନାମରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ସ୍ମୃତିରେ ଏଠାରେ ‘ମହିମାଶ୍ରମ’ ପ୍ରତିଷ୍ଠିତ। ବ୍ରହ୍ମଲୀନ ଫଳାହାରୀ ବାବାଙ୍କ ସ୍ମୃତିରେ ଖଣ୍ଡଗିରିରେ ‘ଶ୍ରୀନୃସିଂହ ମଠ’ ରହିଛି। ବାବା ଶ୍ରୀ ଆନନ୍ଦସ୍ୱରୂପ ଏଠାରେ ‘ତପୋବନ ଆଶ୍ରମ’ ପ୍ରତିଷ୍ଠା କରିଛନ୍ତି। କ୍ଷମାନିଧି ବାବାଙ୍କ ପ୍ରତିଷ୍ଠିତ ‘କୋଚିଳାମଠ’, କୃଷ୍ଣଚନ୍ଦ୍ର ଦାସଙ୍କ ‘ଅନାଦି ଆଶ୍ରମ’, ଅକ୍ଷୟଦେବ ଦାସଙ୍କ ପ୍ରତିଷ୍ଠିତ ‘ନିତ୍ୟାନନ୍ଦ ସେବାଶ୍ରମ’ ପ୍ରଭୃତି ଏହି ଗିରିତୀର୍ଥର ମହିମା ବୃଦ୍ଧି କରିଛି। ଖଣ୍ଡଗିରିର ପାଦଦେଶ ଜାଗମରାଠାରେ ଶ୍ରୀମତ୍ ଶାନ୍ତଚୈତନ୍ୟଜୀଙ୍କ ପ୍ରତିଷ୍ଠିତ ‘ଯୋଗବେଦାନ୍ତ ଆଶ୍ରମ’ ଓ ବାବା ଅକ୍ଷୟ ଦାସଙ୍କ ପ୍ରତିଷ୍ଠିତ ‘ଖଣ୍ଡୁଆଳ ମଠ’ ବିଦ୍ୟମାନ। ଏତଦ୍‌ଭିନ୍ନ ଶ୍ରୀଅଭିରାମ ପରମହଂସଙ୍କ ‘ଶାନ୍ତି ଆନନ୍ଦାଶ୍ରମ’ ଓ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମଧ୍ୟ ଖଣ୍ଡଗିରିର ଗୌରବବୃଦ୍ଧି କରିଅଛି। ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଶତବାର୍ଷିକୀ ଉପଲକ୍ଷେ ଖଣ୍ଡଗିରିଠାରେ ପ୍ରାଚୀନ ଗୁରୁକୁଳ ଢାଞ୍ଚାରେ ଏକ ବାଳକ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇ ପ୍ରଖ୍ୟାତ ଉଚ୍ଚବିଦ୍ୟାଳୟର ମର୍ଯ୍ୟାଦାରେ ଅଧିଷ୍ଠିତ। ଜୈନଧର୍ମାବଲମ୍ବୀମାନେ ପ୍ରତିବର୍ଷ ମାଘ ସପ୍ତମୀ ଦିନ ଖଣ୍ଡଗିରିଠାରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥା’ନ୍ତି। ସେହି ସ୍ମୃତିରେ ଅଦ୍ୟାବଧି ଏଠାରେ ସାତଦିନ ବ୍ୟାପୀ ମାଘମେଳା ଅନୁଷ୍ଠିତ ହେଉଛି। ଏହି ମେଳାରେ ସକଳ ସଂପ୍ରଦାୟର ସାଧୁସନ୍ଥ ଏକତ୍ରିତ ହୋଇ ବିଶ୍ୱଶାନ୍ତି ଯଜ୍ଞ କରିଥାଆନ୍ତି। ବହୁ ସାଧୁ ସନ୍ଥ ମହାତ୍ମା ଓ ସାହିତ୍ୟିକ ସ୍ୱ ସ୍ୱ ରଚନାରେ ଖଣ୍ଡଗିରିର ମହିମା ବାଖ୍ୟାନ କରିଯାଇଛନ୍ତି। ତନ୍ମଧ୍ୟରେ ବାରଙ୍ଗ ଦାସଙ୍କ ‘ବ୍ରହ୍ମକୁଣ୍ଡଳୀ’, ଅରକ୍ଷିତ ଦାସଙ୍କ ‘ମହୀମଣ୍ଡଳ ଗୀତା’, ରାଧାଚରଣ ନାୟକଙ୍କ ‘ରସ ରାମାୟଣ’ ଓ ମହାମହୋପାଧ୍ୟାୟ ବାମଦେବ ରଥଶର୍ମାଙ୍କ ‘ଖଣ୍ଡାଚଳ ମହାତ୍ମ୍ୟ’ ପ୍ରଭୃତି ବିୋଷ ପାଠକୀୟ ଆଦୃତି ଲାଭ କରିଅଛି।

କୁମାର-କୁମାରୀ ଯୁଗଳ ପର୍ବତ ବୈଦିକ ଯୁଗରୁ ଆମ ଗୌରବୋଜ୍ଜ୍ୱଳ ଐତିହ୍ୟ ଓ ସଂସ୍କୃତିର ମୂକସାକ୍ଷୀ। ଏହି ଐତିହ୍ୟ କ୍ଷେତ୍ରର ସାଂସ୍କୃତିକ ସୌରଭର ପ୍ରାମାଣିକ ଦଲିଲ ରୂପେ, ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ବିଦ୍ୟମାନ। ଏହି ଐତିହାସିକ ଶିଳାଲେଖରୁ ଓଡ଼ିଆ ଭାଷାର ପ୍ରାଚୀନତା ଓ ଶାସ୍ତ୍ରୀୟତାର ସନ୍ଦେଶ ଉପଲବ୍ଧ। ସମ୍ପ୍ରତି ଏହା ଭାରତର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭାବରେ ଉଦ୍‌ଘୋଷିତ। ଏହାର ପାଦଦେଶରେ ଗୋଟିଏ ଡାକବଙ୍ଗଳା ଏବଂ ଗୋଟିଏ ଧର୍ମଶାଳା ସ୍ଥାପିତ ହୋଇଅଛି। ସମ୍ପ୍ରତି ଏହି ଗିରିଦ୍ୱୟର ଚତୁଃପାର୍ଶ୍ବରେ ବ୍ୟାପକ ଜନବସତି ସ୍ଥାପନ ଏହାର ଶାନ୍ତ ଓ ନୈସର୍ଗିକ ପରିବେଶକୁ ବ୍ୟାହତ କରୁଛି। ସ୍ଥାନୀୟ ପ୍ରଶାସନ ଦ୍ବାରା ଏହି ଗିରିଦ୍ୱୟରେ ବ୍ୟାପକ ଔଷଧୀୟ ଓ ପୁଷ୍ପୋଦ୍ୟାନ ପ୍ରତିଷ୍ଠା, ହାତୀନିଶୁଣି, ଲଳିତାକୁଣ୍ଡ, ଆକାଶ ଗଙ୍ଗା ପ୍ରଭୃତି ପ୍ରାଚୀନ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ପ୍ରାଚୀନ କୀର୍ତ୍ତିରାଜିଗୁଡ଼ିକର ଯଥାଯଥ ଜୀର୍ଣ୍ଣୋଦ୍ଧାର ହୋଇ ପାରିଲେ ଏହା ଅନ୍ତର୍ଜାତୀୟ କ୍ଷେତ୍ରରେ ଅଧିକ ସ୍ୱତନ୍ତ୍ର ଆସନ ଅଳଙ୍କୃତ କରିପାରିବ।

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଢେଙ୍କାନାଳ, ମୋ: ୮୮୯୫୨୩୦୭୨୨