ଭୁବନେଶ୍ବର : ଚଳିତବର୍ଷ ଭାରତ ସ୍ୱାଧିନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି। ଏହି ଅବସରରେ ଭାରତ ସ୍ୱାଧିନ ହେବା ପରେ କ୍ରୀଡ଼ାରେ ଯେଉଁ ଶ୍ରେଷ୍ଠ ସଫଳତା ହାସଲ କରିଛି, ସେ ସମ୍ପର୍କରେ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ନିୟମିତ ସୂଚନା ପ୍ରଦାନ କରାଯିବ। ୧୯୪୮ ଲଣ୍ଡନ ଅଲିମ୍ପିକ ହକିରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବା ସ୍ୱାଧିନତା ପରେ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ସଫଳତା ଭାବେ ବିବେଚନା କରାଯାଇଥାଏ।
୧୯୪୭ରେ ଭାରତ ସ୍ୱାଧିନତା ହାସଲ କରିବା ପରେ ଭାରତୀୟଙ୍କ ମନରେ ରହିଥାଏ ଅଧିକ ଉତ୍ସାହ। କ୍ରୀଡ଼ା କ୍ଷେତ୍ରକୁ ଛାଡିଦେଲେ ପରାଧୀନ ଭାରତୀୟଙ୍କୁ ପ୍ରତିଭା ପ୍ରଦର୍ଶନ କରିବାକୁ ଅନ୍ୟ ବିଭାଗରେ ଖୁବ୍ କମ୍ ସୁଯୋଗ ମିଳିଥାଏ। ଏହି ସମୟରେ ୧୯୨୮ରୁ ଅନ୍ତର୍ଜାତୀୟ ହକିରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଥାଏ। ବିଶେଷ କରି ଅଲିମ୍ପିକ୍ ହକିରେ ଭାରତକୁ ହରାଇବା ପ୍ରତିଦ୍ୱନ୍ଦ୍ୱୀଙ୍କ ଲାଗି କଷ୍ଟକର ବ୍ୟାପାର। ମେଜର ଧ୍ୟାନଚାନ୍ଦଙ୍କ ଅବସର ପରେ ମଧ୍ୟ ଭାରତର ଦବ୍ଦବା ହକିରେ ରହିଥିଲା। ଏହି ପ୍ରାଧାନ୍ୟକୁ ନେଇ ଭାରତ ସ୍ୱାଧିନ ହେବାର ପ୍ରଥମ ଅନ୍ତର୍ଜାତୀୟ କ୍ରୀଡ଼ା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲା।
ଭାରତକୁ ଦୀର୍ଘ ବର୍ଷ ଧରି ଶାସନ କରିଥିବା ଇଂରେଜଙ୍କ ଦେଶ ବ୍ରିଟେନରେ ଏହା ଆୟୋଜିତ ହୋଇଥିଲା। ଇଂଲଣ୍ଡର ରାଜଧାନୀ ଲଣ୍ଡନରେ ୧୯୪୮ ଅଗଷ୍ଟ ୧୨ରେ ଅଲିମ୍ପିକ୍ ହକିର ଫାଇନାଲ ମୁକାବିଲା ଭାରତ ଓ ଗ୍ରେଟ ବ୍ରିଟେନ ମଧ୍ୟରେ ଖେଳାଯାଇଥିଲା। ଦକ୍ଷତା, ଫର୍ମ ଓ ମାନ୍ୟତା ଅନୁଯାୟୀ ଭାରତ ଏହି ମ୍ୟାଚ୍କୁ ଜିତିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଘରୋଇ ମାଟିରେ ଗ୍ରେଟ୍ ବ୍ରିଟେନ ଜୋରଦାର ଲଢ଼େଇ କରିଥିଲା। କିଶନଲାଲ୍ଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳ ବଲବୀର ସିଂ ସିନିଅର, ରଣଧୀର ସିଂ ଓ ଲେସ୍ଲୀ କ୍ଲାଉଡିଅସ୍ଙ୍କ ପରି କିମ୍ବଦନ୍ତୀ ଖେଳାଳିଙ୍କ ସାମର୍ଥ୍ୟ ବଳରେ ଯୋଗୁଁ ଭାରତ ୪-୦ ଗୋଲ୍ରେ ବିଜୟୀ ହୋଇ ସ୍ୱର୍ଣ୍ଣପଦକ ହାସଲ କରିଥିଲା। ଏହି ବିଜୟରୁ ଭାରତ ହକିରେ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲା। ବିଶ୍ୱ ବିଜୟୀ ଭାରତର ମୁକାବିଲା କରିବା ଏହି ସମୟରେ କଷ୍ଟକର ମନେହେଉଥିଲା।
ଏହି ଅଲିମ୍ପିକ୍ସରେ ଭାରତ ଆରମ୍ଭରୁ ଶେଷଯାଏ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରିଆ, ଆର୍ଜେଣ୍ଟିନା ଓ ସ୍ପେନ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଦଳର ମୁକାବିଲା ହୋଇଥିଲା ନେଦରଲାଣ୍ଡ୍ସ ସହ। ଏହି ମ୍ୟାଚ୍ରେ ମଧ୍ୟ ଭାରତର ଦବ୍ଦବା ଦେଖିବାକୁ ମିଳିଥିଲା ଓ ୨-୧ରେ ନେଦରଲାଣ୍ଡ୍ସକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଭାରତର ଫାଇନାଲ ପ୍ରତିଦ୍ୱନ୍ଦ୍ୱୀ ଗ୍ରେଟ୍ ବ୍ରିଟେନ ମଧ୍ୟ ଅନୁରୂପ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଫାଇନାଲ୍କୁ ଯାଇଥିଲା। ଫାଇନାଲରେ ଭାରତ ସହ ବ୍ରିଟେନ ଲଢ଼ିବ ବୋଲି ଆଶା କରାଯାଉଥିଲା। ଖେଳ ଆରମ୍ଭ ବେଳକୁ ବର୍ଷା ହୋଇଯାଇଥିଲା। ଯାହା ଫଳରେ ପଡ଼ିଆ କାଦୁଆ ହୋଇଯାଇଥିଲା। ଏହି ଅବସ୍ଥା ଭାରତକୁ ତାହାର ପ୍ରାକୃତିକ ଖେଳ ପ୍ରଦର୍ଶନ କରିବାରେ ଅଟକାଇ ପାରି ନଥିଲା। ପଡ଼ିଆ ଭଲ ନଥିବାର ଖେଳାଳିମାନେ ରଣନୀତିରେ ପରିବର୍ତ୍ତନ କରିଥିଲେ। ପୋଜିସନାଲ ଖେଳ ସହ ସଟ୍ ପାସ୍ ମାଧ୍ୟମରେ ଭାରତ ଖେଳିଥିଲା।
ଯାହା ଫଳରେ ପ୍ରଥମାର୍ଦ୍ଧରେ ବିଶେଷ ଆକ୍ରମଣ କରାଯାଇ ପାରି ନଥିଲା। ଯେଉଁ କେତୋଟି ଆକ୍ରମଣ କରାଯାଇଥିଲା, ତାହାକୁ ଗୋଲକିପର ବୋର୍ଡି ବ୍ୟର୍ଥ କରିଦେଇଥିଲେ। ସେ ପୋଷ୍ଟରେ ପାହାଡ଼ ଭଳି ଛିଡ଼ା ହୋଇଥିଲେ ଓ ଭାରତୀୟ ଖେଳାଳିଙ୍କୁ ସୁଯୋଗ ଦେଇ ନଥିଲେ। ଦ୍ୱିତୀୟାର୍ଦ୍ଧରେ ଭାରତ ଅଧିକ ଆକ୍ରମଣ ରଚନା କରି ୪ଟି ଗୋଲ ସ୍କୋର କରିଥିଲା। ଯଦି ବୋର୍ଡିଙ୍କ ବୀରତ୍ୱ ଦେଖିବାକୁ ମିଳି ନଥାନ୍ତା ତେବେ, ଭାରତ ଡଜନେରୁ ଅଧିକ ଗୋଲରେ ବିଜୟୀ ହୋଇଥାନ୍ତା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୨୫ଟି ଗୋଲ ସ୍କୋର କରିଥିଲାବେଳେ ମାତ୍ର ୨ଟି ଗୋଲ ବରଣ କରିଥିଲା। ସ୍ୱାଧିନତା ପରେ ଏବଂ ପୂର୍ବରୁ ଏହି ସଫଳତାକୁ ଅଲିମ୍ପିକ୍ ହକିରେ ଅନ୍ୟତମ ଶ୍ରେଷ୍ଠ ସଫଳତା ଭାବେ ବିବେଚନା କରାଯାଇଥାଏ।