ଆଜି ବିଶ୍ବ ସଙ୍ଗୀତ ଦିବସ; ସଙ୍ଗୀତକୁ ସମର୍ପିତ ଦିନଟିଏ

ସଙ୍ଗୀତ ବିନା ଜୀବନ ଅଧୁରା। ଏହା ମଣିଷର ସୁଖଦୁଃଖର ଚିରସହଚର। ଏହା କେବଳ ମନକୁ ଶାନ୍ତି ପ୍ରଦାନ କରି ନ ଥାଏ, ବରଂ ଆମକୁ ଖୁସି ରଖିବାରେ ମଧ୍ୟ ସାହାଯ୍ୟ କରେ। ଜୀବନରେ ସଙ୍ଗୀତର ଗୁରୁତ୍ବ ବାବଦରେ ଲୋକଙ୍କୁ ଅବଗତ କରାଇବା ତଥା ସଙ୍ଗୀତ ସହିତ ଜଡ଼ିତ କଳାକାରଙ୍କୁ ଉତ୍ସାହିତ କରିବା ଲାଗି ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ‘ବିଶ୍ବ ସଙ୍ଗୀତ ଦିବସ’ ଭାବେ ପାଳନ କରାଯାଏ। ସଙ୍ଗୀତକୁ ଥେରାପି ଭାବେ ମଧ୍ୟ ଗ୍ରହଣ କରାଯାଏ। ଏ […]

ସଙ୍ଗୀତ ବିନା ଜୀବନ ଅଧୁରା। ଏହା ମଣିଷର ସୁଖଦୁଃଖର ଚିରସହଚର। ଏହା କେବଳ ମନକୁ ଶାନ୍ତି ପ୍ରଦାନ କରି ନ ଥାଏ, ବରଂ ଆମକୁ ଖୁସି ରଖିବାରେ ମଧ୍ୟ ସାହାଯ୍ୟ କରେ। ଜୀବନରେ ସଙ୍ଗୀତର ଗୁରୁତ୍ବ ବାବଦରେ ଲୋକଙ୍କୁ ଅବଗତ କରାଇବା ତଥା ସଙ୍ଗୀତ ସହିତ ଜଡ଼ିତ କଳାକାରଙ୍କୁ ଉତ୍ସାହିତ କରିବା ଲାଗି ପ୍ରତିବର୍ଷ ଜୁନ୍ ୨୧ ତାରିଖକୁ ‘ବିଶ୍ବ ସଙ୍ଗୀତ ଦିବସ’ ଭାବେ ପାଳନ କରାଯାଏ। ସଙ୍ଗୀତକୁ ଥେରାପି ଭାବେ ମଧ୍ୟ ଗ୍ରହଣ କରାଯାଏ। ଏ ଦୃଷ୍ଟିରୁ ଏହା ମନୁଷ୍ୟର ମାନସିକ ଦୁଶ୍ଚିନ୍ତା, ଅବସାଦ ତଥା ସୁସ୍ଥ ଶରୀର ଲାଗି ଖୁବ୍‌ ଉପଯୋଗୀ।

ଭାରତରେ ସଙ୍ଗୀତ ଇତିହାସ ବହୁତ ପୁରୁଣା। ପୌରାଣିକ କାଳରୁ ସଙ୍ଗୀତ ବିଦ୍ୟମାନ। ମାତା ସରସ୍ବତୀ ବୀଣାପାଣି ନାମରେ ଜଣାଶୁଣା। ସେହିପରି ଭଗବାନ ଶିବଙ୍କ ଡମ୍ବରୁ ହେଉ କି, ଭଗବାନ ଶ୍ରୀକୃଷ୍ଣଙ୍କ ବଇଁଶୀ, ସବୁଥିରେ ସଙ୍ଗୀତର ଧୂନ୍‌ ରହିଛି। ଏଥିରୁ ଜଣାପଡୁଛି ପୌରାଣିକ କାଳରୁ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ସଙ୍ଗୀତର ଅସ୍ତିତ୍ବ ରହିଛି। ସଙ୍ଗୀତ ଦିବସର ପ୍ରାରମ୍ଭ ୧୯୮୨ରେ ଫ୍ରାନ୍ସରେ ହୋଇଥିଲା। ଆଉ ଏହାର ଶ୍ରେୟ ସେଠାକାର ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଜ୍ୟାକ୍ ଲ୍ୟାଙ୍ଗ୍‌କୁ ଦିଆଯାଏ।

ଅନ୍ୟପଟେ ଏହି ଦିବସ ଫ୍ରାନ୍ସରେ ‘ଫେେଟ ଡି ଲା ମ୍ୟୁଜିକ୍’ ବା ‘ମେକ୍ ମ୍ୟୁଜିକ୍ ଡେ’ (ସଙ୍ଗୀତ ଉତ୍ସବ) ନାଁରେ ମଧ୍ୟ ପରିଚିତ। ପ୍ରଥମ ସଙ୍ଗୀତ ଦିବସ ପାଳନ ଅବସରରେ ଫ୍ରାନ୍ସ ସମେତ ୩୨ରୁ ଅଧିକ ଦେଶ ସାମିଲ ହୋଇଥିଲେ। ଆଉ ଏବେ ଏହି ଦିବସକୁ ଭାରତ, ଇଟାଲୀ, ଗ୍ରୀସ୍, ରୁଷ, ଅଷ୍ଟ୍ରେଲିଆ, ପେରୁ, ବ୍ରାଜିଲ, ଇକ୍ବାଡୋର୍‌, ମେକ୍ସିକୋ, କାନାଡ଼ା, ଆମେରିକା, ବ୍ରିଟେନ, ଜାପାନ, ଚୀନ୍‌, ମାଲେସିଆ ସମେତ ଆହୁରି ଅନେକ ଦେଶ ପାଳନ କରୁଛନ୍ତି। ଏହି ଅବସରରେ ସଙ୍ଗୀତପ୍ରେମୀ ବିଭିନ୍ନ ସ୍ଥାନରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ତା’ସହ ଏହି ଦିନ ଯୁବ କଣ୍ଠଶିଳ୍ପୀଙ୍କୁ ମଧ୍ୟ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ମିଳିଥାଏ। ଏହାବାଦ୍ ଏହି ଅବସରରେ ସଙ୍ଗୀତକାର ତଥା କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରାଯାଏ। ଚଳିତବର୍ଷ ଏହାର ଥିମ୍ ହେଉଛି ‘Music on the intersections’।

About The Author: The Sakala