ସମୀକ୍ଷା ଓ ସଂପାଦକୀୟ - The Sakala

ସଂକଟ ଟଳିନି
ମଧ୍ୟପ୍ରାଚ୍ୟରେ ଯେ ଶାନ୍ତି ଫେରିଆସୁଛି, ଏକଥା କୌଣସି ଗୋଟିଏ ପକ୍ଷ ଜୋରଦେଇ କହିପାରିବେନି। ‘ଅପରେସନ ସିନ୍ଦୂର’ରେ ହଠାତ୍‌‌ ବିରତି ବା ବିରାମ ଘୋଷଣା କଲା ଭଳି ରାଷ୍ଟ୍ରପତି ଟ୍ରମ୍ପ ଇସ୍ରାଇଲ-ଇରାନ ଅଘୋଷିତ ଯୁଦ୍ଧ ସ୍ଥଗିତ ରହିଲା କହି ଉତ୍ତେଜନା ପ୍ରଶମିତ କରିଛନ୍ତି। ଏହାର ପୃଷ୍ଠଭାଗରେ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ହାସଲ ଲକ୍ଷ୍ୟ ଥାଉ କିମ୍ୱା କାତାର ଉପରେ ଇରାନର ପ୍ରତୀକାତ୍ମକ ଆକ୍ରମଣର ସମ୍ଭାବ୍ୟ ଭୟଙ୍କର ପରିଣତି ହେଉ, ଏଭଳି କିଛି ବିଚାର ତାଙ୍କୁ ଏ ଦିଗରେ ନିଶ୍ଚିତ ଅନୁପ୍ରେରିତ କରିଛି। ତେବେ ଘଟଣାକ୍ରମ ଯାହା, ସେଥିରେ ତେହେରାନର ମନୋବଳ ବଢ଼ିଛି। ଦୁଇଦିନ ଧରି ସହରର ରାଜରାସ୍ତାରେ ପାଳିତ ହୋଇଥିବା ବିଜୟୋଲ୍ଲାସ ଏବଂ ଜୁନ ୧୩ରେ ଇସ୍ରାଏଲ ଆକ୍ରମଣରେ ନିହତ ସାମରିକ ମୁଖ୍ୟ ଜେନେରାଲ ମହମ୍ମଦ ବାଘେରି, ପରମାଣୁ ବୈଜ୍ଞାନିକଙ୍କ ସମେତ ୬୦ଜଣଙ୍କୁ କବର ଦେବା ସକାଶେ ଯେଉଁ ଲକ୍ଷ ଲକ୍ଷ ଜନତାଙ୍କ ଶୋଭାଯାତ୍ରା ବାହାରିଥିଲା ତାହା ଇରାନ ଶାସକ ମୁଖ୍ୟ ଖେମିନିଙ୍କ ନେତୃତ୍ୱକୁ ସୁହୃଢ଼ କରିଛି।

ଅନ୍ୟପକ୍ଷରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସକାଶେ ହ୍ୱାଇଟ ହାଉସରେ ସ୍ୱତନ୍ତ୍ର ଦୂତ ଷ୍ଟିଭ ୱଟକଫ, ମଧ୍ୟପ୍ରାଚ୍ୟ ସହଯୋଗୀଙ୍କ ପ୍ରତିନିଧି ସହ ଟ୍ରମ୍ପ କରିଥିବା ଗୋପନ ଆଲୋଚନା ଏବଂ ନାଟୋ ସହଯୋଗୀଙ୍କ ବୈଠକରେ ଦେଇଥିବା ସୂଚନା କେତେଦୂର ଇରାନ ପାଇଁ ଗ୍ରହଣୀୟ ତାହା ମଧ୍ୟ ସନ୍ଦେହଜନକ। ଇରାନର ତିନିଟି ଆଣବିକ କେନ୍ଦ୍ର ଉପରେ ଆମେରିକା ବି-୨ ବମ୍ବର ମାଧ୍ୟମରେ ନିର୍ଣ୍ଣାୟକ ଆକ୍ରମଣର ପରାକ୍ରମ ଓ ପରିଣତି ନେଇ ଏବେ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ଆମେରିକାର ପକ୍ଷରୁ ଯେତେ ଦାବି କରାଯାଉନା କାହିଁକି ତଥାକଥିତ ବିପର୍ଯ୍ୟୟ ଓ ବିଧ୍ୱସ୍ତ ଘଟିବା ନେଇ ଉପଗ୍ରହ ଚିତ୍ରରୁ ପେଣ୍ଟାଗନ ସଂଗ୍ରହ କରିଥିବା ଖବର ଶେଷରେ ପ୍ରଘଟ ହୋଇଯାଇଛି। ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଣବିକ କେନ୍ଦ୍ର ଫୋର୍ଡୋ ର ଭୂତଳ କଂକ୍ରିଟ ଢାଞ୍ଚାକୁ ଭେଦ କରିପାରିନାହିଁ ବି-୨ ବମ୍ୱର। ଅବଶ୍ୟ ଯଥେଷ୍ଟ ପୂର୍ବରୁ ସମ୍ପର୍ଦ୍ଧିତ ୟୁରାନିୟମକୁ ଇରାନ ସ୍ଥାନାନ୍ତର କରିବାକୁ ମଧ୍ୟ ସମର୍ଥ ହୋଇଥିଲା। ସେହି ଫୋର୍ଡୋ କେନ୍ଦ୍ରର ମରାମତି ଆରମ୍ଭ କରି ଆଣବିକ କାର୍ଯ୍ୟକ୍ରମ ପ୍ରତି ଇରାନ ନିଜର ଅଙ୍ଗୀକାରବଦ୍ଧତା ଜାହିର କରିଛି। ଆନ୍ତର୍ଜାତିକ ଆଣବିକ ସଂଗଠନରୁ ସଂପର୍କ ଛିନ୍ନ କରିବାର ନିଷ୍ପତ୍ତି ମଧ୍ୟ ନେଇଛି। ତେହେରାନ ପକ୍ଷରୁ କୁହାଯାଇଛି ଯେ ସଂଗଠନର ଡିଜି ରାଫଲ୍‌‌ ମାରିଆନା ଗ୍ରସି ଇରାନ୍‌ ଆଣବିକ କେନ୍ଦ୍ର ଅନୁଧ୍ୟାନ ଓ ତଦାରଖ ନାମରେ ସମସ୍ତ ଗୋପନ ତଥ୍ୟ ପ୍ରତିପକ୍ଷ ଇସ୍ରାଏଲକୁ ଯୋଗାଉଛି। ଜୁନ ୧୩ ତାରିଖରେ ଇସ୍ରାଏଲ ଆକ୍ରମଣରୁ ଏହା ସ୍ପଷ୍ଟ ହୋଇଛି। ଏକଥା ଏଠାରେ ଉଲ୍ଲେଖ କରିବାର ଉଦ୍ଦେଶ୍ୟ ହେଉଛି, ଟ୍ରମ୍ପ ଯେଉଁ ସମାଧାନର ସୂତ୍ର ଉପସ୍ଥାପନ କରିଛିନ୍ତି ତାହା ଇରାନ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଇରାନର ବୈଦେଶିକ ମନ୍ତ୍ରୀ ଆବାସ୍‌‌ ଆରାଗ୍‌ଛି ମଧ୍ୟ ତାଙ୍କ ବିବୃତିରେ ସ୍ପଷ୍ଟ କରିଛନ୍ତି।

ଇରାନର ଆଣବିକ କାର୍ଯ୍ୟକ୍ରମକୁ ଗତି ଦେବା ପାଇଁ ଟ୍ରମ୍ପ ୨୦ ରୁ ୩୦ ବିଲିୟନ ଡଲାର ସହାୟତା ଦେବା ସକାଶେ ପ୍ରସ୍ତୁତ ଅଛନ୍ତି। ତେବେ ସର୍ତ୍ତ ହେଲା ଇରାନ ୟୁରାନିୟମ୍‌‌ ସମ୍ବର୍ଦ୍ଧନ କରିପାରିବନି। ଆଣବିକ ଶକ୍ତିର ବେସାମରିକ ଉପଯୋଗ ସକାଶେ ସେ ସମ୍ବର୍ଦ୍ଧିତ ୟୁରାନିୟମ ବିଦେଶରୁ ଆମଦାନୀ କରିପାରିବ। ଏହି ବିପୁଳ ଅର୍ଥରାଶି ମଧ୍ୟ ପ୍ରାଚ୍ୟର ତାଙ୍କ ସହଯୋଗୀ ଇରାନକୁ ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ପ୍ରତିବନ୍ଧକ ପ୍ରତ୍ୟାହାରର ପ୍ରଥମ ପଦକ୍ଷେପ ସ୍ୱରୂପ ଜବତ କରାଯାଇଥିବା ବିଦେଶୀ ବ୍ୟାଙ୍କର ୬ ବିଲିୟନ ଡଲାର ମଧ୍ୟ ଇରାନ ଉଠାଇବାରେ ଆଉ କଟକଣା ରହିବ ନାହିଁ। ଏହି ପ୍ରାରମ୍ଭିକ ସର୍ତ୍ତ ମାଧ୍ୟମରେ ଇରାନ ସହ ଆପୋସ ଆଲୋଚନା ସାତଦିନ ମଧ୍ୟରେ ଆରମ୍ଭ ହେବ ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। ଇରାନ ସକାଶେ ଏହା ଯେ ଗ୍ରହଣୀୟ ନୁହେଁ ତାହା ଖେମିନିଙ୍କ ଜାତି ଉଦ୍ଦେଶ୍ୟରେ କରିଥିବା ଘୋଷଣାରୁ ଜଣାପଡ଼ିଛି।

ଏହି ତଥ୍ୟରୁ ଏବେ ମଧ୍ୟ ଅସ୍ପଷ୍ଟ ଯେ ଆପୋସ ଆଲୋଚନାରେ ଇସ୍ରାଏଲର ଭୂମିକା କ’ଣ ହେବ। ଆମେରିକା ପକ୍ଷରୁ ଉପସ୍ଥାପିତ ସର୍ତ୍ତରେ ଇସ୍ରାଏଲର ନାମ ଗନ୍ଧ ନଥିବାର ଲକ୍ଷ୍ୟ କରାଯାଇଛି। ଜୁନ ୧୩ ତାରିଖରେ ଇରାନ ଉପରେ ଇସ୍ରାଏଲର ଅତର୍କିତ ଆକ୍ରମଣ ଏବଂ ସେଥିରେ ଯେଉଁ ବିପୁଳ କ୍ଷୟକ୍ଷତି ଘଟିଲା ସେଥିସକାଶେ କାହାକୁ ଦାୟୀ କରାଯାଇନାହିଁ। ଇରାନ ପ୍ରତିଆକ୍ରମଣ ଜାରି ରଖିଥିବା ବେଳେ ଆମେରିକା ସର୍ବଶକ୍ତିମାନ ବି-୨ ବମ୍ୱର ମାଧ୍ୟମରେ ତିନିଟି ପରମାଣୁ କେନ୍ଦ୍ର ଉପରେ କରିଥିବା ଘାତକ ଆକ୍ରମଣ ରାଷ୍ଟ୍ରର ସାର୍ବଭୌମତାକୁ କ୍ଷୁଣ୍ଣ କରିଛି। ଏହି ପାତାଳ ଭେଦୀ ବୋମା ଯଦି ଆଣବିକ ତେଜସ୍କ୍ରିୟର ବିକିରଣ ଘଟିଥା’ନ୍ତା ତାହାର ଭୟଙ୍କର ପରିଣତି ନେଇ ଆମେରିକା ସଚେତନ ହେବାର ଥିଲା। ଏହି ନୈତିକ ଅପରାଧ ସକାଶେ କିଏ କାହାକୁ ଦୋଷୀ କରିବ?

ସର୍ବଶକ୍ତିମାନ ଗୋଇନ୍ଦା ସଂସ୍ଥା ମୋସାଡ୍‌‌ ମାଧ୍ୟମରେ ଇସ୍ରାଏଲ ଆବଶ୍ୟକତାଠାରୁ ଅଧିକ ବଳୀୟାନ ନୁହେଁ ତ? କେବେଳ ଆମେରିକା ନୁହେଁ ବିଶ୍ୱର ବହୁ ପ୍ରମୁଖ ରାଷ୍ଟ୍ରରେ ମୋସାଡ୍‌‌ ସକ୍ରିୟ। ସେଠାକାର ନେତୃତ୍ୱ ବିରୋଧରେ ଗୋପନ ତଥ୍ୟ ସଂଗ୍ରହ ଏବଂ ଆବଶ୍ୟକ ସ୍ଥଳେ ତାହାର ଦୁରୁପଯୋଗ କରିବାରେ ସେମାନେ ସିଦ୍ଧହସ୍ତ। ବିଶ୍ୱ କୂଟନୈତିକ ସଂପର୍କକୁ ପ୍ରଭାବିତ କରି ପ୍ରାଧାନ୍ୟ ଓ ପତିଆରା ଜାହିର କରିଆସିଛି ଇସ୍ରାଏଲ। ଅତ୍ୟାଧୁନିକ ଇଲେକ୍ଟ୍ରୋନିସ୍‌‌ ଜ୍ଞାନକୌଶଳର ଉପଯୋଗ ହେଉଛି ମୋସାଡ୍‌‌ର ଗୋପନ ଅସ୍ତ୍ର। ସମସ୍ତଙ୍କ ଅଜ୍ଞାତରେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱକୁ କବ୍‌‌ଜା କରିବାରେ ସେମାନେ ସିଦ୍ଧହସ୍ତ। ଆମଦେଶରେ ପେଗାସସ୍‌‌କୁ ନେଇ ଯେଉଁ ହଟଚମଟ ଘଟିଲା, ତାହାଠାରୁ ଆହୁରି ସଂଗିନ ସରଂଜାମର ଅଧିକାରୀ ସେମାନେ। ଏସବୁ ଉଲ୍ଲେଖ କଲାବେଳେ ଆମେ ଆମ ନିଜକୁ ମଧ୍ୟ ପ୍ରଶ୍ନ କରୁଛୁ। ଜୁନ ୧୩ ର ଆକ୍ରମଣ କ’ଣ ଆମେରିକାର ଅଜ୍ଞାତରେ ହୋଇଥିଲା? ପ୍ରତିଆକ୍ରମଣରେ ଇସ୍ରାଏଲର ବିପୁଳ କ୍ଷତି ତାହାର ପ୍ରତିରୋଧ କ୍ଷମତାକୁ ଦୁର୍ବଳ କରିଥିବା ବେଳେ ହଠାତ୍‌‌ ଇରାନ ଉପରେ ଆମେରିକା ଆକ୍ରମଣ କରିବା ସହ ଚଟାପଟ ଯୁଦ୍ଧ ବିରାମ ଘୋଷଣା କରିବାର ଉଦ୍ଦେଶ୍ୟ କ’ଣ? ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌‌ ନେତାନ୍ୟାହୁଙ୍କ ନେତୃତ୍ୱ ପ୍ରତି ସମ୍ଭାବ୍ୟ ବିପଦର ମୁକାବିଲା ସକାଶେ ଟ୍ରମ୍ପ ଏତେ ତତ୍ପର କାହିଁକି? ଏସବୁର ଉତ୍ତର ଆମେ ଏହି ଅଗ୍ରଲୋଖାରେ ଏକପ୍ରକାର ଦେଇସାରିଛୁ। କିନ୍ତୁ ଏଥିନେଇ କାହାକୁ ସିଧାସଳଖ ଆକ୍ଷେପ କରାଯାଇନପାରେ।

ଡିଜିଟାଲ୍ ଭାରତର ଏକ ଦଶନ୍ଧି
ଦଶ ବର୍ଷ ପୂର୍ବେ, ଆମେ ପୂର୍ଣ୍ଣ ବିଶ୍ୱାସ ସହିତ ଏପରି ଏକ କ୍ଷେତ୍ରକୁ ଯାତ୍ରା ଆରମ୍ଭ କରିଥିଲୁ ଯେଉଁଠାକୁ ପୂର୍ବରୁ କେହି ଯାଇ ନଥିଲେ। ଭାରତୀୟମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରିବେ କି ନାହିଁ ତାହାକୁ ନେଇ ଅନେକ ଦଶନ୍ଧି ଧରି ଶଙ୍କା ବ୍ୟକ୍ତ କରାଯାଉଥିଲା। ଆମେ ସେହି ମାନସିକତାକୁ ପରିବର୍ତ୍ତନ କରିଛୁ ଏବଂ ଭାରତୀୟମାନଙ୍କ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାର କ୍ଷମତାରେ ବିଶ୍ୱାସ କରିଛୁ। ପ୍ରଯୁକ୍ତିବିଦ୍ୟାର ବ୍ୟବହାର କେବଳ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ ଆହୁରି ଅଧିକ କରିବ ବୋଲି ଅନେକ ଦଶନ୍ଧି ଧରି ଯେଉଁ ମାନସିକତା ରହିଥିଲା ଆମେ ସେହି ମାନସିକତାକୁ ପରିବର୍ତ୍ତନ କରି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବ୍ୟବଧାନକୁ ଦୂର କରିଛୁ।

ଉଦ୍ଦେଶ୍ୟ ସଠିକ୍ ଥିଲେ ନବସୃଜନ ଅବହେଳିତ ଲୋକଙ୍କୁ ସଶକ୍ତ କରିଥାଏ। ଆଭିମୁଖ୍ୟ ସମାବେଶୀ ହେଲେ ପ୍ରଯୁକ୍ତିବିଦ୍ୟା ଗରିବ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଥାଏ। ଏହି ବିଶ୍ୱାସ ଡିଜିଟାଲ୍ ଇଣ୍ଡିଆର ମୂଳଦୁଆ ପାଲଟିଥିଲା। ଏହାର ବିସ୍ତାରକୁ ସାର୍ବଜନୀନ କରିବା, ସମନ୍ବିତ ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ କରିବା ଏବଂ ସମସ୍ତଙ୍କ ପାଇଁ ସୁଯୋଗ ଉପଲବ୍ଧ କରାଇବାର ଏକ ମିଶନ ଆରମ୍ଭ ହୋଇଥିଲା।

୨୦୧୪ରେ, ଇଣ୍ଟରନେଟ୍ ଉପଲବ୍ଧତା ସୀମିତ ଥିଲା, ଡିଜିଟାଲ୍ ସାକ୍ଷରତା କମ୍ ଥିଲା ଏବଂ ସରକାରୀ ସେବା ପାଇଁ ଅନଲାଇନ୍ ପ୍ରବେଶ ଅତ୍ୟନ୍ତ ସୀମିତ ଥିଲା। ଅନେକ ସନ୍ଦେହ କରୁଥିଲେ ଯେ ଭାରତ ଭଳି ବିଶାଳ ଏବଂ ବିବିଧ ଦେଶ ପ୍ରକୃତରେ ଡିଜିଟାଲ୍ ହୋଇପାରିବ କି ନାହିଁ। ଆଜି ଏହି ପ୍ରଶ୍ନର ଉତ୍ତର ତଥ୍ୟ କିମ୍ବା ଡ୍ୟାସବୋର୍ଡରେ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ଜୀବନରେ ଉପଲବ୍ଧ। ଶାସନ ଠାରୁ ଶିକ୍ଷା, କାରବାର ଏବଂ ଉତ୍ପାଦନ ପର୍ଯ୍ୟନ୍ତ ଡିଜିଟାଲ ଇଣ୍ଡିଆ ସବୁଠି ରହିଛି।

ଡିଜିଟାଲ ବିଭାଜନର ଦୂରୀକରଣ: ୨୦୧୪ରେ ଭାରତରେ ପ୍ରାୟ ୨୫ କୋଟି ଇଣ୍ଟରନେଟ୍ ସଂଯୋଗ ଥିଲା। ଆଜି ଏହି ସଂଖ୍ୟା ୯୭ କୋଟିରୁ ଅଧିକ ହୋଇଛି। ୪୨ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ୍ ଫାଇବର କେବୁଲ୍, ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତାର ୧୧ ଗୁଣା, ବର୍ତ୍ତମାନ ସବୁଠାରୁ ଉପାନ୍ତ ଗ୍ରାମଗୁଡ଼ିକୁ ମଧ୍ୟ ସଂଯୋଗ କରୁଛି।

ଭାରତରେ ୫ଜି ସେବା ବିଶ୍ୱର ସବୁଠାରୁ ଦ୍ରୁତତମ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ୪.୮୧ ଲକ୍ଷ ବେସ୍ ଷ୍ଟେସନ୍ ସ୍ଥାପିତ ହୋଇଛି। ହାଇ-ସ୍ପିଡ୍ ଇଣ୍ଟରନେଟ୍ ବର୍ତ୍ତମାନ ସହରାଞ୍ଚଳ କେନ୍ଦ୍ରଗୁଡ଼ିକଠାରୁ ଆରମ୍ଭ କରି ଗଲୱାନ୍, ସିଆଚେନ୍ ଏବଂ ଲଦାଖ ଭଳି ସାମରିକ ପୋଷ୍ଟଗୁଡ଼ିକରେ ପହଞ୍ଚାଯାଇଛି। ଆମର ଡିଜିଟାଲ୍ ଭିତ୍ତିଭୂମି, ଇଣ୍ଡିଆ ଷ୍ଟାକ୍, ୟୁପିଆଇ ଭଳି ପ୍ଲାଟଫର୍ମକୁ ସକ୍ଷମ କରିଛି, ଯାହା ଏବେ ବାର୍ଷିକ ୧୦୦ ବିଲିୟନରୁ ଅଧିକ କାରବାର ପ୍ରକ୍ରିୟାକରଣ କରିଥାଏ। ବିଶ୍ୱର ମୋଟ ବାସ୍ତବ ସମୟ ବା ରିଅଲ୍-ଟାଇମ୍ ଡିଜିଟାଲ୍ କାରବାରର ପ୍ରାୟ ଅଧା ଭାରତରେ ହେଉଛି।

ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ନାଗରିକମାନଙ୍କୁ ସିଧାସଳଖ ୪୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହସ୍ତାନ୍ତର କରାଯାଇଛି। ଦଲାଲଙ୍କ ଭୂମିକାକୁ ଦୂର କରି ଏବଂ ୩.୪୮ ଲକ୍ଷ କୋଟି ଟଙ୍କାର ବାଟମାରଣାକୁ ବନ୍ଦ କରାଯାଇପାରିଛି। ସ୍ୱାମୀତ୍ୱ ଭଳି ଯୋଜନାଗୁଡ଼ିକ ୨.୪ କୋଟିରୁ ଅଧିକ ସମ୍ପତ୍ତି କାର୍ଡ ଜାରି କରିଛି ଏବଂ ୬.୪୭ ଲକ୍ଷ ଗ୍ରାମକୁ ମ୍ୟାପ୍ ଅଧୀନକୁ ଆଣିଛି। ଫଳରେ ବର୍ଷ ବର୍ଷ ଧରି ଜମି ସମ୍ପର୍କିତ ଅନିଶ୍ଚିତତାର ସମାପ୍ତି ହୋଇଛି।

ସମସ୍ତଙ୍କ ପାଇଁ ସୁଯୋଗର ଉପଲବ୍ଧତା : ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ଏବେ ପୂର୍ବ ଅପେକ୍ଷା ଅଧିକ ଏମଏସଏମଇ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରୁଛି। ଓଏନଡିସି (ଓପନ୍ ନେଟୱାର୍କ ଫର୍ ଡିଜିଟାଲ କମର୍ସ) ଏକ କ୍ରାନ୍ତିକାରୀ ପ୍ଲାଟଫର୍ମ ଯାହା ବିକ୍ରେତା ଏବଂ କ୍ରେତାଙ୍କୁ ଏକ ବିଶାଳ ବଜାର ସହିତ ସଂଯୋଗ କରି ନୂତନ ସୁଯୋଗର ଏକ ଦ୍ବାର ଖୋଲିଥାଏ। ଜିଇଏମ (ସରକାରୀ ଇ-ମାର୍କେଟପ୍ଲେସ୍) ସାଧାରଣ ଲୋକଙ୍କୁ ସରକାରଙ୍କ ସମସ୍ତ ବିଭାଗକୁ ସାମଗ୍ରୀ ଏବଂ ସେବା ବିକ୍ରୟ କରିବାକୁ ଅନୁମତି ଦିଏ। ଏହା କେବଳ ସାଧାରଣ ନାଗରିକଙ୍କୁ ଏକ ବିଶାଳ ବଜାର ପ୍ରଦାନ କରେ ନାହିଁ ବରଂ ସରକାରଙ୍କ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରେ।

କଳ୍ପନା କରନ୍ତୁ: ଆପଣ ଅନଲାଇନରେ ମୁଦ୍ରା ଋଣ ପାଇଁ ଆବେଦନ କରିପାରୁଛନ୍ତି। ଆପଣଙ୍କର କ୍ରେଡିଟ ଯୋଗ୍ୟତା ଆକାଉଣ୍ଟ ଏଗ୍ରିଗେଟର ଫ୍ରେମୱାର୍କ ମାଧ୍ୟମରେ ମୂଲ୍ୟାଙ୍କନ କରାଯାଇପାରୁଛି। ଆପଣ ଋଣ ପାଉଛନ୍ତି, ଆପଣ ନିଜର ବ୍ୟବସାୟ ଆରମ୍ଭ କରନ୍ତି। ଆପଣ ଜିଇଏମରେ ପଞ୍ଜୀକରଣ କରିପାରୁଛନ୍ତି, ସ୍କୁଲ ଏବଂ ହସ୍ପିଟାଲଗୁଡ଼ିକୁ ଯୋଗାଣ କରୁଛନ୍ତି ଏବଂ ତା’ପରେ ଓଏନଡିସି ମାଧ୍ୟମରେ ଏହାକୁ ବୃଦ୍ଧି କରୁଛନ୍ତି।

ଓଏନଡିସି ବର୍ତ୍ତମାନ ୨୦ କୋଟି କାରବାର ସୀମା ଅତିକ୍ରମ କରିଛି, ଯେଉଁଥିରେ ୬ ମାସରେ ୧୦ କୋଟି କାରବାର ହୋଇଛି। ବନାରସୀ ବୁଣାକାରଙ୍କଠାରୁ ନାଗାଲାଣ୍ଡର ବାଉଁଶ କାରିଗର ପର୍ଯ୍ୟନ୍ତ, ସବୁ କ୍ଷେତ୍ରର ବିକ୍ରେତାମାନେ ଏବେ ଦଲାଲଙ୍କ ବିନା ଦେଶବ୍ୟାପୀ ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁଛନ୍ତି। ଜିଇଏମ ୫୦ ଦିନରେ ୧ ଲକ୍ଷ କୋଟି ଟଙ୍କା ଜିଏମଭି ଅତିକ୍ରମ କରିଛି, ୧.୮ ଲକ୍ଷରୁ ଅଧିକ ମହିଳା ପରିଚାଳିତ ଏମଏସଏମଇ ସମେତ ୨୨ ଲକ୍ଷ ବିକ୍ରେତା ୪୬, ୦୦୦ କୋଟି ଟଙ୍କାର ସାମଗ୍ରୀ ଯୋଗାଇଛନ୍ତି।

ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି: ଭାରତର ବିଶ୍ୱ ଅବଦାନ: ଭାରତର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) – ଯେପରିକି ଆଧାର, କୋୱିନ, ଡିଜିଲକର, ଫାସଟ୍ୟାଗ, ପିଏମ-ବାଣୀ, ଏବଂ ଏକ ରାଷ୍ଟ୍ର ଏକ ସବସ୍କ୍ରିପସନ୍ – ବର୍ତ୍ତମାନ ବିଶ୍ୱ ସ୍ତରରେ ଗ୍ରହଣ କରାଯାଉଛି। କୋୱିନ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନକୁ ସକ୍ଷମ କରିଛି, ଯାହା ୨୨୦ କୋଟି କ୍ୟୁଆର-ଯାଞ୍ଚ ପ୍ରମାଣପତ୍ର ପ୍ରଦାନ କରିଛି। ୫୪ କୋଟି ଉପଭୋକ୍ତା ଥିବା ଡିଜିଲକର ୭୭୫ କୋଟିରୁ ଅଧିକ ଡକ୍ୟୁମେଣ୍ଟକୁ ସୁରକ୍ଷିତ ଏବଂ ସୁଗମ ଭାବରେ ପରିଚାଳିତ କରୁଛି। ଭାରତ ଏହାର ଜି-୨୦ ଅଧ୍ୟକ୍ଷତା ସମୟରେ ଗ୍ଲୋବାଲ୍ ଡିପିଆଇ ରିପୋଜିଟୋରୀ ଏବଂ ୨୫ ନିୟୁତ ଡଲାରର ସାମାଜିକ ପ୍ରଭାବ ପାଣ୍ଠି ଆରମ୍ଭ କରିଛି, ଯାହାଦ୍ୱାରା ଆଫ୍ରିକା ଏବଂ ଦକ୍ଷିଣ ଏସିଆର ଦେଶଗୁଡ଼ିକୁ ସମନ୍ୱିତ ଡିଜିଟାଲ୍ ଇକୋସିଷ୍ଟମ ଗ୍ରହଣ କରି ପାରିବେ।

ଷ୍ଟାର୍ଟଅପର ଶକ୍ତି ଏବଂ ଆତ୍ମନିର୍ଭର ଭାରତ : ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ୩ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ସାମିଲ ଏବଂ ଭାରତରେ ୧.୮ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛନ୍ତି। କିନ୍ତୁ ଏହା କେବଳ ଏକ ଷ୍ଟାର୍ଟଅପ୍ ଆନ୍ଦୋଳନ ନୁହେଁ, ଏହା ଏକ ପ୍ରଯୁକ୍ତିବିଦ୍ୟା ପୁନର୍ଜାଗରଣ। ଭାରତ ଯୁବପିଢ଼ିଙ୍କ ମଧ୍ୟରେ ଏଆଇ ଦକ୍ଷତା ଏବଂ ଏଆଇ ପ୍ରତିଭାରେ ବହୁତ ଆଗକୁ ବଢ଼ୁଛି।

୧.୨ ବିଲିୟନ ଡଲାର ଭାରତ ଏଆଇ ମିଶନ ଅଧୀନରେ, ଭାରତ ବିଶ୍ୱସ୍ତରରେ ସବୁଠାରୁ ସର୍ବନିମ୍ନ ମୂଲ୍ୟରେ ୩୪, ହଜାର ଜିପିୟୁ ଉପଲବ୍ଧ କରାଇଛି। ପ୍ରତ୍ୟେକ ଜିପିୟୁ ଘଣ୍ଟା ପ୍ରତି ୧ ଡଲାରରୁ କମରେ ଉପଲବ୍ଧ। ଏହା ଭାରତକୁ କେବଳ ସବୁଠାରୁ ଶସ୍ତା ଇଣ୍ଟରନେଟ୍ ଅର୍ଥବ୍ୟବସ୍ଥା ନୁହେଁ ବରଂ ସବୁଠାରୁ ସୁଲଭ କମ୍ପ୍ୟୁଟିଂ ହବ୍ କରିଛି। ଭାରତ ମାନବିକତା ଆଧାରିତ ଏଆଇକୁ ସମର୍ଥନ କରିଛି। ଏଆଇ ଉପରେ ନୂଆଦିଲ୍ଲୀ ଘୋଷଣାନାମା ଦାୟିତ୍ୱ ସହିତ ନବସୃଜନକୁ ପ୍ରୋତ୍ସାହିତ କରେ। ସାରା ଦେଶରେ ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଉଛି।

ଆଗକୁ ଯିବାର ମାର୍ଗ : ଆଗାମୀ ଦଶନ୍ଧି ଆହୁରି ପରିବର୍ତ୍ତନକାରୀ ହେବ। ଆମେ ଡିଜିଟାଲ୍ ପ୍ରଶାସନ ଠାରୁ ଡିଜିଟାଲ୍ ନେତୃତ୍ୱ ଦିଗରେ ଆଗକୁ ବଢ଼ୁଛୁ। ଇଣ୍ଡିଆ ଫାଷ୍ଟରୁ ଇଣ୍ଡିଆ ଫର ଦି ୱାର୍ଲ୍ଡ ପର୍ଯ୍ୟନ୍ତ ଆମର ଯାତ୍ରା ଜାରି ରହିଛି। ଡିଜିଟାଲ ଇଣ୍ଡିଆ ଆଉ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହା ଏକ ଆତ୍ମନିର୍ଭର ଭାରତ ଗଠନ କରିବାରେ ସହାୟକ ହୋଇଛି।

ସମସ୍ତ ଉଦ୍ଭାବକ, ଉଦ୍ୟୋଗୀଙ୍କ ପାଇଁ: ପରବର୍ତ୍ତୀ ଡିଜିଟାଲ ବିପ୍ଳବ ନିମନ୍ତେ ସମଗ୍ର ବିଶ୍ୱ ଭାରତକୁ ଚାହିଁ ରହିଛି। ଆସନ୍ତୁ ଯାହା ସଭିଙ୍କୁ ସଶକ୍ତ କରିବ ତାହା ନିର୍ମାଣ କରିବା। ଆସନ୍ତୁ ଏପରି ସମାଧାନ ବାହାର କରିବା ଯାହା ଗୁରୁତ୍ବପୂର୍ଣ୍ଣ। ଆସନ୍ତୁ ଆମେ ଏପରି ପ୍ରଯୁକ୍ତିବିଦ୍ୟା ସହିତ ନେତୃତ୍ୱ ନେବା ଯାହା ସମସ୍ତଙ୍କୁ ଏକତ୍ରିତ କରିବ, ଅନ୍ତର୍ଭୂକ୍ତୀକରଣକୁ ବଢ଼ାଇବ ଏବଂ ସାମଗ୍ରୀକ ବିକାଶ ଆଣିପାରିବ।

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ବିଳାସରେ ମିତବ୍ୟୟିତା
ଗ୍ରୀଷ୍ମ ଋତୁରେ ଘୋର ବିଦ୍ୟୁତ୍‌‌ ଅଭାବର ସମ୍ମୁଖୀନ ହେଉଥିବା ସରକାର ବିଦ୍ୟୁତ୍‌‌ ସଞ୍ଚୟ ଏବଂ ବିଦ୍ୟୁତ୍‌‌ ବିଲ୍‌‌ ହ୍ରାସ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ସରକାର ଏବେ ଏୟାର କଣ୍ଡିସନର(ଏସି)ର ତାପମାତ୍ରା ସ୍ଥିର କରିବା ସମ୍ପର୍କରେ ଏକ ନୂତନ ନିୟମ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଏହି ଯୋଜନା ଲାଗୁ ହେଲେ ଏସିର ତାପମାତ୍ରା ୨୦ ଡିଗ୍ରୀରୁ କମ୍‌‌ ଏବଂ ୨୮ ଡିଗ୍ରୀ ସେଲସିୟସ୍‌‌ରୁ ଅଧିକ ରଖିହେବ ନାହିଁ। ଏହି ନିୟମ ସମସ୍ତ ଘର, କାର୍ଯ୍ୟାଳୟ, ଦୋକାନ, ମଲ୍‌‌, ହୋଟେଲ, ରେଷ୍ଟୁରାଣ୍ଟ ଓ ଯାନବାହନ ପାଇଁ ପ୍ରଯୁଜ୍ୟ।

ପ୍ରାୟତଃ ଦେଖାଯାଇଛି ଯେ ଗ୍ରୀଷ୍ମ ଋତୁରେ ଏସି ବ୍ୟବହାର ଏବଂ ଏହାର ତାପମାତ୍ରା ୧୬ ଡିଗ୍ରୀ ପର୍ଯ୍ୟନ୍ତ ରଖିବା ଯୋଗୁଁଁ ବିଦ୍ୟୁତ୍‌‌ ବ୍ୟବହାର ନିରନ୍ତର ବୃଦ୍ଧି ପାଉଛି। ବର୍ତ୍ତମାନ ବଜାରରେ ଉପଲବ୍ଧ ଅଧିକାଂଶ ଏସି ୧୬ଡିଗ୍ରୀରୁ ୩୦ ଡିଗ୍ରୀ ପର୍ଯ୍ୟନ୍ତ ସ୍ଥିର କରାଯାଇପାରିବ, କିନ୍ତୁ ନୂତନ ନିୟମ ଲାଗୁ ହେବା ପରେ ଏହି ସୀମା ୨୦ ରୁ ୨୮ ଡିଗ୍ରୀ ସେଲସିୟସ୍‌‌ ମଧ୍ୟରେ ସ୍ଥିର ରହିବ। ପ୍ରଥମ ଥର ପାଇଁ ନିଆଯାଇଥିବା ଏହି ପଦକ୍ଷେପ କେବଳ ବିଦ୍ୟୁତ୍‌‌ ବିଲ୍‌‌ ସଞ୍ଚୟ କରିବ ନାହିଁ ବରଂ ଦୀର୍ଘକାଳୀନ ଭିତ୍ତିରେ ଦେଶ ଏବଂ ରାଜ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରକୃତରେ ବିଦ୍ୟୁତ୍‌‌ ବିଲ୍‌‌ ହ୍ରାସ ଏବଂ ପରିବେଶର ସୁରକ୍ଷା ପାଇଁ ‘ବ୍ୟୁରୋ ଅଫ୍‌‌ ଏନର୍ଜି ଏଫିସିଏନ୍ସି’ ୨୦୨୦ ରେ ସମସ୍ତ ଷ୍ଟାର ଲେଭଲ୍‌‌ ଏସି ପାଇଁ ସର୍ବନିମ୍ନ ତାପମାତ୍ରା ୨୪ଡିଗ୍ରୀରେ ରଖିବାକୁ ସ୍ଥିର କରିଥିଲା। କିନ୍ତୁ ସରକାର ସମସ୍ତ କ୍ଷେତ୍ରରେ ଏସି ତାପମାତ୍ରା ନିର୍ଦ୍ଧାରଣ ନିୟମକୁ ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି। ଏହି ପଦକ୍ଷେପ ଏବେ ପରୀକ୍ଷଣ ଭାବରେ ଆରମ୍ଭ କରାଯାଉଛି ଏବଂ ନିଶ୍ଚିତ ଭାବେ ଭବିଷ୍ୟତରେ ବାଧ୍ୟତାମୂଳକ କରାଯିବ। ସରକାର ଖୁବ୍‌‌ ଶୀଘ୍ର ସମସ୍ତ ଏସି ନିର୍ମାତା ଏବଂ ବାଣିଜ୍ୟିକ କୋଠାଗୁଡ଼ିକୁ ସ୍ୱତନ୍ତ୍ର ପରାମର୍ଶ ଜାରି କରିବାର ସମ୍ଭାବନା ଅଛି।

ଆର୍ଥିକ ଦୃଷ୍ଟିରୁ ମଧ୍ୟ ଏହା ବହୁତ ଲାଭଦାୟକ ହୋଇପାରେ। ଯଦି ଦେଶର ଅଧିକାଂଶ ଗ୍ରାହକ ଏହାକୁ ନିୟମିତ ବ୍ୟବହାର କରନ୍ତି ତେବେ ଏହା କୋଟି କୋଟି ୟୁନିଟ୍‌‌ ବିଦ୍ୟୁତ୍‌‌ ସଞ୍ଚୟ କରିପାରିବ। ସାଧାରଣରେ ବିଶ୍ୱାସ କରାଯାଏ ଯେ ଏସିର ତାପମାତ୍ରା ୧୮ଡିଗ୍ରୀ ରଖିବା ଦ୍ୱାରା କୋଠରି ଶୀଘ୍ର ଥଣ୍ଡା ହେବ। ଏହି କ୍ଷେତ୍ର ସହିତ ଜଡ଼ିତ ବିଶେଷଜ୍ଞମାନେ କୁହନ୍ତି ଯେ ଏହି ବିଶ୍ୱାସ ଭୁଲ। ଯଦି ବାହାରେ ତାପମାତ୍ରା ୪୦ ଡିଗ୍ରୀ ଥାଏ ତେବେ କୋଠରିକୁ ୨୬ ଡିଗ୍ରୀରେ ପହଞ୍ଚିବାକୁ ସମାନ ସମୟ ଲାଗିବ, ଏସିର ତାପମାତ୍ରା ୧୮ ଡିଗ୍ରୀ ହେଉ ବା ୨୬ ଡିଗ୍ରୀ। ନିଶ୍ଚିତ ଭାବରେ ୧୮ଡିଗ୍ରୀରେ କୋଠରି ପରେ ଅଧିକ ଥଣ୍ଡା ରହିବ। କିନ୍ତୁ ଆପଣଙ୍କୁ କମ୍‌‌ ତାପମାତ୍ରା ପାଇଁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ। ଏସିର ତାପମାତ୍ରା ଯେତେ କମ୍‌‌ ହୁଏ କମ୍ପ୍ରେସର ଅଧିକ ସମୟ ପାଇଁ କାମ କରେ। ଏହାର ଅର୍ଥ ଅଧିକ ବିଦ୍ୟୁତ୍‌‌ ବ୍ୟବହାର ହୁଏ। ଅନ୍ୟପକ୍ଷରେ ଯଦି ଆପଣ ଏସିର ତାପମାତ୍ରା ୨୪ ଡିଗ୍ରୀ କରନ୍ତି ତେବେ କମ୍ପ୍ରେସରକୁ କମ୍‌‌ ସମୟ ପାଇଁ କାମ କରିବାକୁ ପଡ଼େ, ଯାହା ବିଦ୍ୟୁତ୍‌‌ ବ୍ୟବହାର ହ୍ରାସ କରେ। ଇଚ୍ଛିତ ତାପମାତ୍ରା ପହଞ୍ଚିବା ମାତ୍ରେ କମ୍ପ୍ରେସର କାମ କରିବା ବନ୍ଦ କରିଦେଇ କେବଳ ଏସି ଫ୍ୟାନ୍‌‌ କାମ କରେ। କମ୍ପ୍ରେସର କେବଳ ସେତେବେଳେ କାମ କରେ ଯେତେବେଳେ ଥର୍ମୋସେଟ୍‌‌ ତାପମାତ୍ରା ବୃଦ୍ଧିର ସଙ୍କେତ ପାଏ।

ବିଶେଷଜ୍ଞଙ୍କ କହିବା ଅନୁସାରେ ୨୪ ଡିଗ୍ରୀ ତାପମାତ୍ରା ମଧ୍ୟ ଆରାମଦାୟକ। ଯଦି ବାହାରେ ଆର୍ଦ୍ରତା ଅଧିକ ଥାଏ ଏହା ୧୮ କିମ୍ୱା ୨୨ ଡିଗ୍ରୀ ତାପମାତ୍ରା ତୁଳନାରେ କମ୍‌‌ ଶକ୍ତି ବ୍ୟବହାର କରେ। ଏକ ଅଧ୍ୟୟନ ଅନୁଯାୟୀ ଏସିର ତାପମାତ୍ରାରେ ପ୍ରତ୍ୟେକ ଡିଗ୍ରୀ ବୃଦ୍ଧି ୩ରୁ ୫ ପ୍ରତିଶତ ବିଦ୍ୟୁତ୍‌‌ ସଞ୍ଚୟ କରିପାରିବ। ଯଦି ଏସିର ତାପମାତ୍ରା ୧୮ ଡିଗ୍ରୀରୁ ୨୭ ଡିଗ୍ରୀକୁ ବୃଦ୍ଧି କରାଯାଏ ତେବେ ବାର୍ଷିକ ୬୫୦୦ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇପାରିବ। ଏହାସହିତ ଏହି ସମୟ ମଧ୍ୟରେ ପ୍ରଚୁର ପରିମାଣର ଶକ୍ତି ମଧ୍ୟ ସଞ୍ଚୟ କରାଯାଇପାରିବ। ଉଲ୍ଲେଖଯୋଗ୍ୟ ଯେ ଏସିରେ କେବଳ ନିର୍ଦ୍ଧାରିତ ତାପମାତ୍ରା ମାଧ୍ୟମରେ ବିଦ୍ୟୁତ୍‌‌ ସଞ୍ଚୟ ହୁଏ ନାହିଁ, ବରଂ ଷ୍ଟାରରେଟିଂ, ବାହାର ତାପମାତ୍ରା, ଏସି ବ୍ୟବହାରର ଅବଧି, କୋଠରିର ଆକାର, କୋଠରିରେ ଥିବା ଲୋକଙ୍କ ସଂଖ୍ୟା ଇତ୍ୟାଦି କାରଣ ଉପରେ ନିର୍ଭର କରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏସିର ତାପମାତ୍ରା ୨୦ ଡିଗ୍ରୀ ରୁ ୨୮ ଡିଗ୍ରୀ ମଧ୍ୟରେ ରଖିବା ଲାଭଦାୟକ।

ପରିସଂଖ୍ୟାନ ଅନୁଯାୟୀ, ଭାରତରେ ଏସିର ସଂଖ୍ୟା ପ୍ରାୟ ୧୦ କୋଟି ଏବଂ ପ୍ରତିବର୍ଷ ପ୍ରାୟ ୧.୫କୋଟି ଏସି ଲଗାଯାଉଛି। ଯଦି ଏସିର ତାପମାତ୍ରା ଗୋଟିଏ ଡିଗ୍ରୀ ବୃଦ୍ଧି କରାଯାଏ ତେବେ ଏହା ଶକ୍ତି ବ୍ୟବହାରକୁ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରେ ଏବଂ ଆମେ ପ୍ରତିବର୍ଷ ଲକ୍ଷ ଲକ୍ଷ ଗିଗାୱାଟ ବିଦ୍ୟୁତ୍‌‌ ସଞ୍ଚୟ କରିପାରିବା। ସାମଗ୍ରିକ ଭାବରେ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟୁତ୍‌‌ ବ୍ୟବହାରକୁ ହ୍ରାସ କରିବା ବିଶେଷକରି ଗ୍ରୀଷ୍ମଦିନରେ। ବିଶେଷଜ୍ଞମାନେ କହିଛନ୍ତି ଯେ ଏସି କୁ ୨୦ ରୁ ୨୮ଡିଗ୍ରୀ ମଧ୍ୟରେ ରଖିଲେ ଗରମ ସମ୍ୱନ୍ଧୀୟ ରୋଗ ହ୍ରାସ, ଭଲ ନିଦ ଏବଂ ଆରାମଦାୟକ ଜୀବନ ମିଳିପାରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସିର ଉଚିତ୍‌‌ ବ୍ୟବହାର ଶ୍ୱାସ ଓ ସଂକ୍ରମଣ ରୋଗୀ ସଂଖ୍ୟା ହ୍ରାସ କରେ।

ପ୍ରଣତି ଆଚାର୍ଯ୍ୟ ମିଶ୍ର

ନୟାଗଡ଼଼, ମୋ: ୯୪୩୭୬୪୨୯୪୭

ପାରମ୍ପରିକ ଘରର ପ୍ରାସଙ୍ଗିକତା
‘ଏଇ ଘରଟିରେ ଜନମ ମୋର, ଝାଟିମାଟିର ଏ ନଡ଼ା ଛପର / ଏଇ ଘରେ ଆମେ ଏକାଠି ଥାଉ, ଏକାଠି ଖାଉ, ଏକାଠି ବସୁ, ଏକାଠି ହସୁ / ବୁଢ଼ୀମା’ ପାଶେ, ଗପ ଶୁଣୁ ଶୁଣୁ ନିଦଟି ଆସେ।’ ପିଲା ଦିନର ଏହି କବିତା, ଗ୍ରାମ୍ୟ ଜୀବନର ଜୀବନ ଶୈଳୀକୁ ନିଖୁଣ ଭାବରେ ଦର୍ଶାଇ ଥାଏ। ଆଜି ବି ଗ୍ରାମ୍ୟ ଜୀବନର ଏହା ବହୁମାତ୍ରରେ ଜୀବନ୍ତ।

ବର୍ଦ୍ଧିଷ୍ଣୁ ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ସଙ୍କଟ ପରିପ୍ରେକ୍ଷୀରେ ଗ୍ରାମୀଣ ଘରର ଅନେକ ପ୍ରାସଙ୍ଗିକତା ଓ ଆବଶ୍ୟକତା ରହିଛି। ଗ୍ରାମୀଣ ଘର ଚତୁଃପାର୍ଶ୍ବରେ ବାରଣ୍ଡା ଫଳରେ ସୂର୍ଯ୍ୟକିରଣ ଘର କାନ୍ଥରେ ସିଧାସଳଖ ପଡ଼ୁ ନଥÒବାରୁ ଘର ପ୍ରାୟତଃ ଥଣ୍ଡା ରୁହେ। ଘର ପଛ ପଟ ପୋଖରୀ ଭୂତଳ ଜଳ ପୁନଃ ସଂରକ୍ଷଣ ସହିତ ତା’ ଉପର ଦେଇ ସୁଲୁସୁଳିଆ ଥଣ୍ଡା ପବନ ଏକ ପରିବେଶ ଅନୁକୂଳିତ ବାତାବରଣ ସୃଷ୍ଟି କରେ।

ପାରମ୍ପରିକ ଗ୍ରାମାଞ୍ଚଳ ଏବଂ ଆଦିବାସୀ ଘରଗୁଡ଼ିକ ପ୍ରାୟତଃ ସ୍ଥାନୀୟ ଭାବରେ ପ୍ରାପ୍ତ ଜଳବାୟୁ-ଉପଯୁକ୍ତ ସାମଗ୍ରୀ, ଯେପରିକି କାଦୁଅ, ବାଉଁଶ, ପଥର ଓ ନଡ଼ା ବ୍ୟବହାର କରି ନିର୍ମାଣ କରାଯାଇଥାଏ। ଏହି ସାମଗ୍ରୀଗୁଡ଼ିକ ଉତ୍କୃଷ୍ଟ ତାପ ନିରୋଧକତା ପ୍ରଦାନ କରେ, ଗରମ ଦିନରେ ଭିତରକୁ ଥଣ୍ଡା ଏବଂ ଥଣ୍ଡା ରାତିରେ ଉଷ୍ମ ରଖେ, ଏୟାର କଣ୍ଡିସନର କିମ୍ୱା ହିଟର ଭଳି ଶକ୍ତି-ସଘନ ଉପକରଣ ଉପରେ ନିର୍ଭର ନକରି। ଉଦାହରଣ ସ୍ୱରୂପ, ଘନ କାନ୍ଥ ବିଶିଷ୍ଟ ମାଟି ଘରଗୁଡ଼ିକ ଆବୃତକ(ଇନ୍‌ସୁଲେଟର) ଭାବରେ କାମ କରେ, ଯାହା ଦିନରେ ବର୍ଦ୍ଧିଷ୍ଣୁ ଉତ୍ତାପ ପ୍ରତିରୋଧ କରିବା ସହିତ ଉତ୍ତାପ ବିକିରଣ କରୁ ନ ଥିବାରୁ ରାତିରେ ଭିତର ତାପମାତ୍ରାକୁ ଆରାମଦାୟକ ରଖିଥାଏ। ସେହିପରି, କୁଟା ଛାତ ବାୟୁଚଳନ ଏବଂ ପ୍ରାକୃତିକ ବାୟୁ ପ୍ରବାହକୁ ସୁଗମ କରେ, ଯାହା ବାସିନ୍ଦାଙ୍କୁ ବର୍ଦ୍ଧିତ ଉତ୍ତାପ ସ୍ତରର ମୁକାବିଲା କରିବାରେ ସାହାଯ୍ୟ କରେ। ଘରର ଚାରିପଟେ ପିଣ୍ଡା ଯୋଗୁଁଁ ସୂର୍ଯ୍ୟ କିରଣ ଘରର କାନ୍ଥ ଉପରେ କମ ପଡ଼େ, ସେଇଥି ପାଇଁ ଏହି ଘର ଗରମ ଦିନରେ ଥଣ୍ଡା ରହେ। ଏହି ସ୍ଥାପତ୍ୟ ସମାଧାନଗୁଡ଼ିକ କେବଳ ପ୍ରଭାବଶାଳୀ ନୁହେଁ ବରଂ ମୂଲ୍ୟ-ଲାଭକାରୀ ମଧ୍ୟ। ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଦୁର୍ବଳ ଥିବା ନିମ୍ନ-ଆୟ ସମ୍ପ୍ରଦାୟ ପାଇଁ ଏଗୁଡ଼ିକୁ ଆଦର୍ଶ କରିଥାଏ।

ପାରମ୍ପରିକ ଘରଗୁଡ଼ିକ କେବଳ ଆଶ୍ରୟସ୍ଥଳ ନୁହେଁ, ଏହା ଏକ ସମ୍ପ୍ରଦାୟର ଇତିହାସ, ମୂଲ୍ୟବୋଧ ଏବଂ ଭୂମି ସହିତ ସଂଯୋଗର ପ୍ରକାଶ। ଆଦିବାସୀ ଏବଂ ଗ୍ରାମୀଣ ସମାଜରେ ସ୍ଥାପତ୍ୟ ପ୍ରାୟତଃ ରୀତିନୀତି, ପର୍ବ ଏବଂ ସାମାଜିକ ବ୍ୟବସ୍ଥା ସହିତ ଜଡ଼ିତ। ଏହି ଘରଗୁଡ଼ିକୁ ସଂରକ୍ଷଣ କରିବା ସମ୍ପ୍ରଦାୟ ସଂହତିକୁ ସମର୍ଥନ କରେ ଏବଂ ପରିଚୟକୁ ସୁଦୃଢ଼ କରେ। ଏହା ବ୍ୟତୀତ, ସାଂସ୍କୃତିକ ଐତିହ୍ୟ ସ୍ଥିରତା-ନିର୍ମାଣରେ ଏକ ପ୍ରମୁଖ ସମ୍ପତ୍ତି। ପାରମ୍ପରିକ ସ୍ଥାପତ୍ୟ ବଜାୟ ରଖିବା ପିଢ଼ି ପରେ ପିଢ଼ି ମାନସିକ ସୁସ୍ଥତା ଓ ନିରନ୍ତରତାକୁ ସମର୍ଥନ କରେ। ଆଧୁନିକ ନିର୍ମାଣ ବିଶ୍ୱ କାର୍ବନ ନିର୍ଗମନରେ ଏକ ପ୍ରମୁଖ ଅବଦାନକାରୀ। ଏହା ସାଧାରଣତଃ ରାସ୍ତା ଓ ରେଳ ଦ୍ୱାରା ପରିବହନ କରାଯାଏ। ମାଲବାହୀ ଯାନଗୁଡ଼ିକ, ବିଶେଷକରି ମଧ୍ୟମ ଓ ଭାରୀ ଯାନଗୁଡ଼ିକ, ବିଶ୍ୱ ଗ୍ରୀନହାଉସ୍‌‌ ଗ୍ୟାସ ନିର୍ଗମନରେ ଗୁରୁତ୍ୱପୂର୍ଣ୍ଣ ଅବଦାନକାରୀ। ପ୍ରକୃତରେ, ପାରମ୍ପରିକ କୋଠାଗୁଡ଼ିକର ସମଗ୍ର ଜୀବନଚକ୍ରରେ ସାମଗ୍ରୀ ସଂଗ୍ରହଠାରୁ ଆରମ୍ଭ କରି ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ପର୍ଯ୍ୟନ୍ତ କମ୍‌‌ କାର୍ବନ ପଦଚିହ୍ନ ଥାଏ। ପାରମ୍ପରିକ ଗୃହଗୁଡ଼ିକରେ ବ୍ୟବହୃତ ସ୍ଥାନୀୟ ସାମଗ୍ରୀଗୁଡ଼ିକ ପ୍ରାୟତଃ ଜୈବବିଘଟନଶୀଳ ହୋଇଥାଏ ଏବଂ ସର୍ବନିମ୍ନ ପ୍ରକ୍ରିୟାକରଣ ଆବଶ୍ୟକ କରେ, ଯାହା ନିର୍ଗମନକୁ ବହୁଳ ଭାବରେ ହ୍ରାସ କରେ।

ସରକାର ପାରମ୍ପରିକ ଗୃହଗୁଡ଼ିକର ସଂରକ୍ଷଣ ପାଇଁ ପ୍ରୋତ୍ସାହନ ଏବଂ ଯୋଜନା ସହିତ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଭିନ୍ନ ନୀତି ପ୍ରଣୟନ କରୁଛନ୍ତି। ଅଧିକନ୍ତୁ, ଯେହେତୁ ଏହି ଗଠନଗୁଡ଼ିକ ସ୍ଥାୟୀ ଏବଂ ସହଜରେ ମରାମତି କରାଯାଏ, ସେମାନେ କମ୍‌‌ ଅପଚୟ ସୃଷ୍ଟି କରନ୍ତି, ବାରମ୍ୱାର ପୁନଃନିର୍ମାଣର ଚାହିଦାକୁ ହ୍ରାସ କରନ୍ତି। ଏପରି ଘରଗୁଡ଼ିକର ପୁନରୁଦ୍ଧାର ଏବଂ ସ୍ଥାୟୀତ୍ୱକୁ ପ୍ରୋତ୍ସାହିତ କରି, ଆମେ ପରିବେଶଗତ ସନ୍ତୁଳନ ବଜାୟ ରଖିବା ସହିତ ଜଳବାୟୁ ଅନୁକୂଳନ ପ୍ରୟାସରେ ଯୋଗଦାନ ଦେଉଛୁ।

ପାରମ୍ପରିକ ଘରଗୁଡ଼ିକ ଦ୍ରୁତ ସହରୀକରଣ, ଅବହେଳା ଏବଂ ଆଧୁନିକ ନିର୍ମାଣ ସପକ୍ଷରେ ନୀତିଗତ ପକ୍ଷପାତରୁ ବିପଦର ସମ୍ମୁଖୀନ ହୁଅନ୍ତି। ଅନେକ ଯୁବକ ପୈତୃକ ଘର ଏବଂ ସେଗୁଡ଼ିକୁ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ଦକ୍ଷତା ଛାଡ଼ି ସହରକୁ ସ୍ଥାନାନ୍ତର କରନ୍ତି। ଏହା ସହିତ, ଆର୍ଥିକ ପ୍ରୋତ୍ସାହନ ପ୍ରାୟତଃ ପାରମ୍ପରିକ ପଦ୍ଧତିଗୁଡ଼ିକୁ ସମାୟୋଜିତ କରେ ନାହିଁ କିମ୍ୱା ସମର୍ଥନ କରେ ନାହିଁ। ଏହି ଧାରା ଓଲଟାଇବାକୁ, ସରକାର ଏବଂ ସଂଗଠନଗୁଡ଼ିକୁ ଜଳବାୟୁ ଅନୁକୂଳନ ଏବଂ କାର୍ବନ ହ୍ରାସରେ ପାରମ୍ପରିକ ସ୍ଥାପତ୍ୟର ମୂଲ୍ୟକୁ ଚିହ୍ନିବା ଆବଶ୍ୟକ। ପୁନରୁଦ୍ଧାର ପାଇଁ ପାଣ୍ଠି ଯୋଗାଇବା, କାରିଗରମାନଙ୍କୁ ତାଲିମ ଦେବା ଏବଂ ଆଧୁନିକ ସ୍ଥାୟୀତ୍ୱ ଯୋଜନାରେ ପାରମ୍ପରିକ କୌଶଳକୁ ସଂହତ କରୁଥିବା କାର୍ଯ୍ୟକ୍ରମଗୁଡ଼ିକ ଏହି ଘରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ନିଶ୍ଚିତ କରିପାରିବେ।

ପାରମ୍ପରିକ ଗ୍ରାମୀଣ ଏବଂ ଆଦିବାସୀ ଘରଗୁଡ଼ିକୁ ସଂରକ୍ଷଣ କରିବା କେବଳ ସାଂସ୍କୃତିକ ଗର୍ବର ବିଷୟ ନୁହେଁ – ଏହା ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢ଼ିବାରେ ଏକ ଚିନ୍ତାଶୀଳ ସ୍ଥାୟୀ ରଣନୀତି। ଏହି ଘରଗୁଡ଼ିକ କମ୍‌‌ କାର୍ବନ ଜୀବନଯାପନ, ସମ୍ପ୍ରଦାୟ ସ୍ଥିରତା ଏବଂ ତାପ ଚାପର ବ୍ୟବହାରିକ ସମାଧାନ ପ୍ରଦର୍ଶନ କରନ୍ତି ଯାହାକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏପର୍ଯ୍ୟନ୍ତ ହାସଲ କରିବାକୁ ଚେଷ୍ଟା କରୁଛି। ଜୀବନଯାପନର ଏହି ସମୟ-ପରୀକ୍ଷିତ ଉପାୟଗୁଡ଼ିକୁ ମୂଲ୍ୟାଙ୍କନ ଏବଂ ନିବେଶ କରି ଆମେ ଏକ ଅଧିକ ସ୍ଥିର ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ଭବିଷ୍ୟତ ଆଡ଼କୁ ଅଗ୍ରସର ହୋଇପାରିବା।

ସତ୍ୟଶୋଭନ ଦାସ

ବାଲିଆପାଳ(ବାଲେଶ୍ୱର), ମୋ: ୭୮୯୪୪୪୫୬୫୧

ବିଶ୍ୱାସର ବୈଜ୍ଞାନିକ ବିଶ୍ଳେଷଣ
ଆମ ସମାଜରେ ଧର୍ମ ବିଶ୍ୱାସ ସହିତ ତନ୍ତ୍ରମନ୍ତ୍ର ଆଦିର ଉପସ୍ଥିତି ଓ ପ୍ରଭାବ ବହୁକାଳରୁ ରହିଆସିଛି। ଏଥିସହିତ ଯୋଡ଼ି ହୋଇରହିଥିବା ଅଲୌକିକତା ଯୋଗୁଁଁ ତନ୍ତ୍ରମନ୍ତ୍ରର ଉପରେ ଜନବିଶ୍ୱାସ ଦୃଢ଼ ହୋଇ ଆସିଛି। ଅପରପକ୍ଷରେ ବିଜ୍ଞାନର ଆହ୍ୱାନରେ ତନ୍ତ୍ରମନ୍ତ୍ରର କରାମତି ବଳହୀନ ସାବ୍ୟସ୍ତ ହୋଇଛି। ତଥାପି ଅନ୍ଧବିଶ୍ୱାସକୁ ପାଥେୟ କରି ତନ୍ତ୍ର ଓ ତାନ୍ତ୍ରିକମାନେ ଆଜି ମଧ୍ୟ ସମାଜର ବିଭିନ୍ନ ସ୍ତରରେ ଆଧିପତ୍ୟ ବିସ୍ତାର କରିଛନ୍ତି।

ତନ୍ତ୍ରମନ୍ତ୍ର ଆଦିର ବିଶ୍ଳେଷଣରୁ ଜଣାଯାଏ ଯେ ପାଶ୍ଚାତ୍ୟ ଜଗତରେ ଏହାର ଦୁଇ ପ୍ରକାରର ଉତ୍ସ ରହିଛି। ଖ୍ରୀଷ୍ଟପୂର୍ବ ଷଷ୍ଠରୁ ଚତୁର୍ଥ ଶତାବ୍ଦୀ ମଧ୍ୟରେ ପ୍ରାଚୀନ ପାରସ୍ୟରେ ଯୋରାଷ୍ଟର ଧର୍ମାବଲମ୍ୱୀମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ର ଗୋଷ୍ଠୀ ଦୁର୍ବୋଧ୍ୟ ଶବ୍ଦ ଉଚାରଣ, ମନ୍ତ୍ର ଆଦି ମାଧ୍ୟମରେ ପ୍ରକୃତି ଉପରେ କିଛିଅଂଶରେ ଏବଂ ମନୁଷ୍ୟ ଓ ପଶୁପକ୍ଷୀଙ୍କ ଉପରେ ନିୟନ୍ତ୍ରଣ, ସେମାନଙ୍କୁ ବଶୀଭୂତ କରିବା, ରୋଗୀ ଚିକିତ୍ସା ଭଳି କାର୍ଯ୍ୟରେ ସଂପୃକ୍ତ ଥିଲେ। ଏହି ବ୍ୟକ୍ତିମାନେ ‘ମାଗି’ ଭାବରେ ଏବଂ ସେମାନଙ୍କ ବୃତ୍ତି ‘ମାଗସ୍‌‌’ ନାମରେ ପରିଚିତ ଥିଲା। ‘ମାଗସ୍‌‌’ ଶବ୍ଦରୁ ଆଧୁନିକ ‘ମ୍ୟାଜିକ’ ଶବ୍ଦର ସୃଷ୍ଟି। ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ‘ମେଜିକସିୟାନ’ ବା ‘ଯାଦୁକର’ ନାମ ଦିଆଯାଇଥିଲ। ଏମାନେ ତନ୍ତ୍ରମନ୍ତ୍ର, ଅଲୌକିକ ଶକ୍ତି ଆଦିର ପ୍ରୟୋଗ କରି ଅସାଧ୍ୟ ସାଧନ କରୁଥÒବା ଦାବି କରୁଥିଲେ। ଏମାନଙ୍କ ବିଦ୍ୟା ଅତ୍ୟନ୍ତ ରହସ୍ୟମୟ ଏବଂ ମାରଣ, ତାରଣ, ବଶୀକରଣ, ଉଚ୍ଚାଟନ, ସ୍ତମ୍ଭନ, ସମ୍ମୋହନ, ପ୍ରକୃତି ନିୟନ୍ତ୍ରଣ ଓ କୃଷି ଯାଦୁ ଭାବରେ ଆଠଟିରୁ ଅଧିକ ଭାଗରେ ବିଭକ୍ତ ଥିଲା।

ଅନ୍ୟପକ୍ଷରେ ଯାଦୁବିଦ୍ୟା ପ୍ରାୟ ୨୦ରୁ ଅଧିକ ବିଭାଗରେ ବିଭାଜିତ। ଅଲୌକିକ କୁହାଯାଉଥିବା ଏକ ରହସ୍ୟମୟ ଶକ୍ତି ଏସବୁର ମୂଳଉତ୍ସ। ଅଲୌକିକ ଶବ୍ଦର ବିଶ୍ଳେଷଣ କଲେ ଏହା ବୈଜ୍ଞାନିକ ତତ୍ତ୍ୱଗୁଡ଼ିକର ଧୋକାବାଜୀପୂର୍ଣ୍ଣ ପ୍ରୟୋଗକୁ ବୁଝାଏ। ପାଶ୍ଚାତ୍ୟ ସଭ୍ୟତାରେ ତନ୍ତ୍ରମନ୍ତ୍ର, ଅଲୌକିକତା ଆଦିର ଦ୍ୱିତୀୟ ଉତ୍ସଟି ହେଉଛି ଖ୍ରୀଷ୍ଟିୟ ୩ୟ ଶତାବ୍ଦୀ ପୂର୍ବରୁ ଇଜିପ୍ଟରେ ‘ଚେମି’ ନାମରେ ପରିଚିତ ଥିବା ଏକ ଚିକିତ୍ସକ ଗୋଷ୍ଠୀ। ତୃତୀୟ ଶତାବ୍ଦୀ ବେଳକୁ ରୋଗର ସଫଳ ଉପଶମର ସଫଳତା ଯୋଗୁଁ ସମାଜରେ ସେମାନଙ୍କ ସମ୍ମାନ ଶାସକବର୍ଗ ଅପେକ୍ଷା ଅଧିକ ବଢ଼଼ିଲା। ଏଥିରେ ଶାସକମାନେ କ୍ଷମତା ହରାଇବା ଆଶଙ୍କାରେ ‘ଚେମି’ମାନଙ୍କୁ ଗୁପ୍ତରେ ହତ୍ୟା କଲେ। ତେଣୁ ‘ଚେମି’ମାନେ ଇଜିପ୍ଟରୁ ଆରବକୁ ଚାଲିଆସି ଆରବୀୟ ଭାଷାଶୈଳୀରେ ‘ଚେମି’ ପୂର୍ବରୁ ‘ଏଆଇ’ ଯୋଗକରି ‘ଏଆଇଚେମିଷ୍ଟ’ ନାମରେ ପରିଚିତ ହେଲେ।

‘ଏଆଇଚେମିଷ୍ଟ’ମାନଙ୍କର ବୃତ୍ତିଗତ ଅବଧାରଣା ଦୁଇପ୍ରକାରର ଥିଲା। ପ୍ରଥମତଃ, ‘ଫିଲୋସଫିକାଲ୍‌‌ ଷ୍ଟୋନ୍‌‌’ ନାମକ ଏକ ରହସ୍ୟମୟ ପଦାର୍ଥ ସଂସ୍ପର୍ଶରେ ଆସିଲେ ନିକୃଷ୍ଟ ଧାତୁ ସୁନା ହେବା ସହ ସମସ୍ତ ରୋଗରୁ ଆରୋଗ୍ୟଲାଭ, କାମନା ପୂରଣ ଆଦି ହୋଇପାରେ। ଏହା ପୃଥିବୀ ପୃଷ୍ଠରେ କେଉଁଠି ଅଛି ଓ ଶୁଭ ମୁହୂର୍ତ୍ତରେ ଖୋଜିଲେ ମିଳିବ। ଦ୍ୱିତୀୟ ଧାରଣାଟି ହେଲା ଏହା କେଉଁଠି ନାହିଁ, ଏହାକୁ ବିଭିନ୍ନ ଧାତୁ ଇତ୍ୟାଦିର ମିଶ୍ରଣରୁ ତିଆରି କରାଯାଇ ପାରିବ। ପ୍ରଥମ ଅବଧାରଣାକୁ ନେଇ ଶୁଭ ମୁହୂର୍ତ୍ତରେ ବିଭିନ୍ନ ସ୍ଥାନ ଖୋଜି ପାଇବାକୁ ଚେଷ୍ଟା କରୁଥିବା ଗୋଷ୍ଠୀ ଏହା ପାଇଲେ ନାହିଁ ସତ, କିନ୍ତୁ ଫଳିତ ଜ୍ୟୋତିଷ ଆଧାରରେ ଜ୍ୟୋତିର୍ବିଜ୍ଞାନ ଓ ଭୂ-ବିଜ୍ଞାନକୁ ବିଭିନ୍ନ ନୂଆ ତତ୍ତ୍ୱରେ ସମୃଦ୍ଧ କଲେ। ବିଭିନ୍ନ ଧାତୁର ମିଶ୍ରଣରେ ‘ଫିଲୋସଫିକାଲ୍‌‌ ଷ୍ଟୋନ୍‌‌’ ତିଆରୁଥିବା ଗୋଷ୍ଠୀ ମେଟାଲରଜିକାଲ୍‌‌ ସାଇନ୍ସ, ଆଲଏ, ଆର୍ସେନିକ୍‌‌ ପଏଜନ୍‌‌, ଟକ୍ସିକୋଲଜି, ସାଇନ୍ସ ଅଫ୍‌‌ ମେଡିସିନ୍‌‌ ଆଦି ବିଜ୍ଞାନର ଅନେକ କ୍ଷେତ୍ରକୁ ନୂଆ ତତ୍ତ୍ୱ ଦେଲେ। ଏହି ଉଭୟ ଅବଧାରଣାରେ ତନ୍ତ୍ରମନ୍ତ୍ରର ପ୍ରୟୋଗ ଅପବିଜ୍ଞାନ ହୋଇ ରହିଗଲା।

ପ୍ରାଚ୍ୟ ଭୂଭାଗରେ ତନ୍ତ୍ରମନ୍ତ୍ର ଆଦିର ଅନେକ ଉତ୍ସ ରହିଛି। ବୌଦ୍ଧ ଧର୍ମ ମହାଯାନ ଓ ହୀନଯାନ ଭାବରେ ବିଭାଜିତ ହୋଇ ସେଥÒରୁ ଆହୁରି ଅନେକ ବିଭାଜନ ପରେ ତନ୍ତ୍ରଯାନ ଓ ସହଜଯାନର ଉଦ୍ଭବ ହେଲା। ସହଜଯାନପନ୍ଥୀମାନେ ରହସ୍ୟମୟ ତାନ୍ତ୍ରିକ ଅବଧାରଣାର ସ୍ରଷ୍ଟା ବୋଲି ସେମାନଙ୍କ ଦ୍ୱାରା ରଚିତ ଚର୍ଯ୍ୟାପଦଗୁଡ଼ିକରୁ ଜଣାପଡ଼େ। ବେଦ ଏବଂ ବିଭିନ୍ନ ସଂହିତାଗୁଡ଼ିକର ରଚନାକାଳ ଖ୍ରୀଷ୍ଟପୂର୍ବ ୧୫୦୦ରୁ ଖ୍ରୀଷ୍ଟପୂର୍ବ ୬୦୦ ବୋଲି ଏକ ମତ ରହିଛି। ବୈଦିକ ଯୁଗରୁ ଫଳିତ ଜ୍ୟୋତିଷର ପ୍ରୟୋଗ ପ୍ରାଚ୍ୟ ଜଗତରେ ଥିଲା। ବେଦ ଓ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ପ୍ରକାରର ତନ୍ତ୍ରମନ୍ତ୍ର ଆଦିର ବ୍ୟବହାର ମଧ୍ୟ ହେଉଥିଲା। ଖ୍ରୀଷ୍ଟିୟ ପ୍ରଥମ ଶତାବ୍ଦୀରେ ରଚିତ ଆୟୁର୍ବେଦର ଆଠଟି ବିଭାଗ ମଧ୍ୟରୁ ଶଲ୍ୟତନ୍ତ୍ର, ଶାଲକ୍ୟତନ୍ତ୍ର, ଅଗଦତନ୍ତ୍ର ଓ ଭୂତବିଦ୍ୟା ସିଧାସଳଖ ତନ୍ତ୍ରମନ୍ତ୍ର ସହ ଜଡ଼ିତ। ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସମ୍ଭବତଃ ୧୩ଶ ଶତାବ୍ଦୀରେ ନାରାୟଣାନନ୍ଦ ଅବଧୂତସ୍ୱାମୀଙ୍କ ରଚିତ ‘ରୁଦ୍ରସୁଧାନିଧି’ ନାମକ ଅସମ୍ପୂର୍ଣ୍ଣ ଗଦ୍ୟକାବ୍ୟରେ ତନ୍ତ୍ରମନ୍ତ୍ରର ଅନେକ ବିଭାଗର ବର୍ଣ୍ଣନା ରହିଛି। କବିସମ୍ରାଟ ଉପେନ୍ଦ୍ରଭଞ୍ଜ ‘ଲାବଣ୍ୟବତୀ’ କାବ୍ୟରେ ‘ଐନ୍ଦ୍ରଜାଲିକର ରାମଚରିତ ପ୍ରଦର୍ଶନ’ ଅଧ୍ୟାୟରେ ଓଡ଼ିଶାରେ ତନ୍ତ୍ରମନ୍ତ୍ର, ଯାଦୁବିଦ୍ୟା ପ୍ରଚଳନର ସୂଚନା ଦେଇଛନ୍ତି। ପ୍ରାଚ୍ୟ-ପାଶ୍ଚାତ୍ୟ ଅବଧାରଣା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥିବା ଦେଖାଯାଏ।

ଡଚ୍‌‌-ଜୀଉ ଦାର୍ଶନିକ ସ୍ପିନୋଜା ଷୋଡ଼ଶ ଶତାବ୍ଦୀରେ ଧର୍ମର ବୈଜ୍ଞାନିକ ବିଶ୍ଳେଷଣ ଆବଶ୍ୟକ ବୋଲି ମତଦେଲେ। ସେ ଅନୁଭବ କରିଥିଲେ ଯେ ଧର୍ମଗୁଡ଼ିକ ଅଜ୍ଞତାପୂର୍ଣ୍ଣ ଅବଧାରଣା, ବିଚାରହୀନତା ଓ ଅବୈଜ୍ଞାନିକ ଚିନ୍ତାଧାରାରେ ପରିପୂର୍ଣ୍ଣ। ଏହି ମତସହ ସେ ଧର୍ମର ବୈଜ୍ଞାନିକ ବିଶ୍ଳେଷଣର ଭିତ୍ତି ପକାଇଥିଲେ। ଏହିଠାରୁ ଅଲୌକିକ କୁହାଯାଉଥିବା ଘଟଣାଗୁଡ଼ିକର ସିଧାସଳଖ ଅନୁସନ୍ଧାନ ଓ ଆହ୍ୱାନ ଆରମ୍ଭ ହେଲା ବୋଲି କୁହାଯାଇପାରେ। ଅଲୌକିକତାକୁ ଛାଡ଼ି ଦେଲେ ଧର୍ମ ଆକର୍ଷଣୀୟ ହେବନାହିଁ। ଅନ୍ୟପକ୍ଷରେ ଅଲୌକିକତା ହେଉଛି ବିଭିନ୍ନ ବୈଜ୍ଞାନିକ ତତ୍ତ୍ୱର ବିରୁଦ୍ଧାଚରଣ କରୁଥିବା ଘଟଣାର ବର୍ଣ୍ଣନା। ପ୍ରତ୍ୟେକ ବ୍ୟକ୍ତି ପାରିବାରିକ ଧର୍ମ ବିଶ୍ୱାସ ଭିତରେ ବଢ଼଼ନ୍ତି। ତେଣୁ ଯେତେ ଅଧିକ ପାଠ ପଢ଼଼ିଲେ ମଧ୍ୟ ପାରିବାରିକ ଧର୍ମର ଅବୈଜ୍ଞାନିକ ଅବଧାରଣାକୁ ଛାଡ଼ିବା ସହଜ ହୁଏ ନାହିଁ। ଏହି ଅବଧାରଣାକୁ ନେଇ କିଛି ଧୂର୍ତ୍ତ ଧୋକାବାଜୀକୁ ବ୍ୟବସାୟରେ ପରିଣତ କରିଦିଅନ୍ତି। ସମାଜର ପ୍ରତିଷ୍ଠିତ ଓ ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ମଧ୍ୟ ଏପ୍ରକାରର ବ୍ୟବସାୟିକ ଧୋକାବାଜୀର ଶିକାର ହୁଅନ୍ତି ଏବଂ ଲୋକଲଜ୍ଜା ହେତୁ ପ୍ରତିବାଦ କିମ୍ୱା ଅଭିଯୋଗ କରନ୍ତି ନାହିଁ।

ତନ୍ତ୍ରମନ୍ତ୍ର, ଅଲୌକିକତା, ଅପବିଜ୍ଞାନ, ଚିକିତ୍ସକ ନହୋଇ ରୋଗୀ ଚିକିତ୍ସା ଆଦି ଉପରେ ଅନୁସନ୍ଧାନ ତଥା ଏସବୁକୁ ବ୍ୟକ୍ତିଗତ ଓ ଆନୁଷ୍ଠାନିକ ଭାବରେ ଆହ୍ୱାନ ଦେବା ଜନଆନ୍ଦୋଳନ ଭାବରେ ଆରମ୍ଭ ହେଲା ଊନବିଂଶ ଶତାବ୍ଦୀରେ। ୧୮୮୫ ମସିହାରେ ‘ବ୍ରିଟିଶ ରେସନାଲିଷ୍ଟ ପ୍ରେସ ଆସୋସିଏସନ’ ଗଠିତ ହୋଇ ଅନେକ ତଥାକଥିତ ଅଲୌକିକ ଶକ୍ତିଧାରୀଙ୍କୁ ଶକ୍ତି ପ୍ରଦର୍ଶନର ଆହ୍ୱାନ ଦେଲା। ଏହାପରେ ଅଲୌକିକତା ନାମରେ ଲୋକଙ୍କୁ ଶୋଷଣରୁ ରକ୍ଷା କରିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଅନେକ ସଙ୍ଗଠନ ସୃଷ୍ଟି ହେଲା। ୧୯୭୬ ମସିହାରେ ନ୍ୟୁୟର୍କଠାରେ ପଲ କର୍ଜଙ୍କ ସଭାପତିତ୍ୱରେ ‘କମିଟି ଫର ସାଇଣ୍ଟିଫିକ୍‌‌ ଇନ୍‌‌ଭେଷ୍ଟିଗେସନ୍‌‌ ଅଫ୍‌‌ କ୍ଲେମ୍‌‌ସ ଅଫ୍‌‌ ପାରାନର୍ମାଲ’ ନାମକ ଅନ୍ତର୍ଜିତୀୟ ସଙ୍ଗଠନ ସୃଷ୍ଟି ହେଲା। ଆମେରିକାରେ ଜେମ୍ସ ରାଣ୍ଡି, ହାରି ଏଡୱାଡସ୍‌‌ଙ୍କ ଭଳି କେତେକ ବ୍ୟକ୍ତି ଜନସାଧାରଣଙ୍କୁ ଅଲୌକିକତା ନାମରେ ଶୋଷଣରୁ ରକ୍ଷା କରିବାକୁ ସଂସ୍ଥାମାନ ଗଢ଼ିଲେ। ୧୯୮୦ ମସିହାରେ ଅଷ୍ଟ୍ରେଲିଆର ସିଡନୀଠାରେ ‘ଅଷ୍ଟ୍ରେଲିଆନ ସ୍କେପଟିକସ’ ନାମକ ଆନ୍ତର୍ଜାତିକ ସଙ୍ଗଠନ ଗଠନ ହେଲା। ଏହା ପୂର୍ବରୁ ୧୯୪୮ ଡିସେମ୍ୱର ୧୦ ତାରିଖ ଦିନ ମିଳିତ ଜାତିସଂଘ ପକ୍ଷରୁ ‘ୟୁନିଭର୍ସାଲ ଡିକ୍ଲାରେସନ ଅଫ ହ୍ୟୁମାନ ରାଇଟସ୍‌‌’ ଘୋଷଣାପତ୍ର ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ସହ ବିଭିନ୍ନ ପ୍ରକାର ଶୋଷଣରୁ ସୁରକ୍ଷା ନିମିତ୍ତ ଆଇନ ପ୍ରଣୟନ କରିଛନ୍ତି। ଆମ ଦେଶରେ ‘ଦ ମ୍ୟାଜିକାଲ୍‌‌ ରିମେଡିସ୍‌‌ ଆଣ୍ଡ(ଅବଜେକସନାଲ୍‌‌ ଆଡଭରଟାଇଜମେଣ୍ଟ) ଆକ୍ଟ ୧୯୫୪’ ମାଧ୍ୟମରେ ଚିକିତ୍ସାଗତ ଆଇନସିଦ୍ଧ ପ୍ରମାଣପତ୍ର ନଥିଲେ ରୋଗୀ ଚିକିତ୍ସା, ତନ୍ତ୍ରମନ୍ତ୍ର ଚିକିତ୍ସା, ଉପଚାର ଆଦି କରିବା ଦଣ୍ଡନୀୟ ଅପରାଧ ଭାବରେ ପରିଗଣିତ ହୋଇସାରିଛି। ଆମ ଦେଶର ସମ୍ୱିଧାନର ଧାରା ୫୧(କ)(ଜ) ବୈଜ୍ଞାନିକ ଦୃଷ୍ଟିକୋଣ, ମାନବବାଦର ପ୍ରସାର ଓ ଅନୁସନ୍ଧାନର ମନୋବୃତ୍ତି ପ୍ରତ୍ୟେକ ନାଗରିକ ରଖିବାକୁ ନିର୍ଦ୍ଦେଶ କରିଛି। ଭାରତରେ ପ୍ରଫେସର ଆବ୍ରାହମ ଥମାସ କଭୁର, ସାନାଲ ଏଡାମାରୁକୁ, ବାସବ ପ୍ରେମାନନ୍ଦଙ୍କ ଭଳି ଅନେକ ବ୍ୟକ୍ତି ଅଲୌକିକତା ଓ ତନ୍ତ୍ରମନ୍ତ୍ର ନାମରେ ଶୋଷଣକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ଲୋକଙ୍କୁ ଖୋଲା ଆହ୍ୱାନ ଦେଇ ଅଲୌକିକତା ନାମରେ କରାଯାଉଥିବା ଧୋକାବାଜୀର ରହସ୍ୟ ପ୍ରଘଟକାରୀ ଜନସଭା ଆୟୋଜନ କରିଛନ୍ତି। ଏସବୁ ସତ୍ତ୍ବେ ଶିକ୍ଷିତ ଲୋକଙ୍କ ସହିତ ସାଧାରଣ ଲୋକେ ଅବୈଜ୍ଞାନିକ ଅବଧାରଣାକୁ ନେଇ ବିଜ୍ଞାପନ ମାଧ୍ୟମରେ ଠକାମି ଓ ଶୋଷଣର ଶିକାର ହୋଇଚାଲିଛନ୍ତି।

ସୁଧାଂଶୁ ଶେଖର ଧଡ଼ା

ଭୁବନେଶ୍ୱର, ମୋ: ୯୩୩୭୦୧୫୮୮୨

କୋଟିପତିଙ୍କ ସ୍ୱର୍ଗ
ବିଶ୍ୱରେ ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତ। ଏଥିମଧ୍ୟରେ ଲୋକସଂଖ୍ୟା ୧୪୪ କୋଟି ଅତିକ୍ରମ କଲାଣି। ଆମ ଅର୍ଥନୀତି ମଧ୍ୟ ୪ଟ୍ରିଲିୟନ୍‌‌ ଡଲାର ଅତିକ୍ରମ କରି ଚତୁର୍ଥ ବୃହତ୍‌‌ ଅର୍ଥନୀତିର ମର୍ଯ୍ୟାଦା ହାସଲ କରିଛି। ତେବେ ଦେଶର ଏକଶହ ବିତ୍ତଶାଳୀ ବ୍ୟକ୍ତିଙ୍କ ହାତରେ ୧ ଟ୍ରିଲିୟନ୍‌‌ ଡଲାର ସମ୍ପତ୍ତି ଠୁଳ ହୋଇ ରହିଛି। ତେଲିଆ ମୁଣ୍ଡରେ ତେଲ ଭଳି କିଛି ସୀମିତ ଲୋକଙ୍କ ଉପାର୍ଜନ ବଢ଼ୁଛି। ସେମାନେ ଜାତୀୟ ସମ୍ୱଳକୁ ନିଜ କରାୟତ୍ତରେ ରଖିବାକୁ ସମର୍ଥ ହୋଇଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ସେହି ବର୍ଗ ହିଁ ଉପଭୋଗ କରୁଛନ୍ତି। ଏତେ ବିପୁଳ ଜନସଂଖ୍ୟା ମଧ୍ୟରୁ ବାର୍ଷିକ କୋଟିଏ ଟଙ୍କା ଉପାର୍ଜନ କ୍ଷମତା ହାସଲ କରିଥିବା ଲୋକଙ୍କ ସଂଖ୍ୟା ୪.୬୮ ଲକ୍ଷରେ ସୀମିତ ଅଛି। ଏହି କୋଟିପତିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ବିସିଜିର ପରିସଂଖ୍ୟାନ ଆକଳନ କରିଛି ଯେ ୨୦୨୯ ସୁଦ୍ଧା ଏହି କୋଟିପତିଙ୍କ ସଂଖ୍ୟା ୫୫ ପ୍ରତିଶତ ବୃଦ୍ଧି ପାଇବ। ଏହା ବିଶ୍ୱହାରଠାରୁ ୨୧ ପ୍ରତିଶତ ଅଧିକ। ଏକଥା ସତ ଯେ ଆମ ଅର୍ଥନୈତିକ ବ୍ୟବସ୍ଥା ଏଥିସକାଶେ ସୁବିଧା ସୁଯୋଗ ସୃଷ୍ଟି କରୁଛି। ତେବେ ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏମାନଙ୍କ ଆନୁପାତିକ ହାର ଅତି ନଗଣ୍ୟ। ଅସ୍ୱଚ୍ଛଳ ବର୍ଗଙ୍କ ସ୍ଥିତିରେ ଉନ୍ନତି ପାଇଁ ଉପାର୍ଜନ କ୍ଷମତା ବୃଦ୍ଧି ପ୍ରତି ଯଥୋଚିତ ଧ୍ୟାନ ଦିଆଯାଇ ପାରୁନଥିବାର ପରିଲକ୍ଷିତ ହେଉଛି। ନହେଲେ ଦେଶର ୮୧ କୋଟି ଲୋକଙ୍କୁ ମାଗଣା ରାସନ୍‌‌ ଦେବାର ବାଧ୍ୟବାଧକତା ସୃଷ୍ଟି ହୋଇ ନ ଥା’ନ୍ତା।

କର୍ପୋରେଟ ସଂସ୍କୃତିକୁ ସବୁସ୍ତରରୁ ମିଳୁଥିବା ସରକାରୀ ସହାୟତା ସେମାନଙ୍କୁ ଅଧିକରୁ ଅଧିକ ବିତ୍ତଶାଳୀ କରିଛି। ଦ୍ରୁତ ଅର୍ଥନୀତିର ସେମାନେ ହିଁ ହୋଇଛନ୍ତି ବାହକ। ଠିକା ନିଯୁକ୍ତି ମାଧ୍ୟମରେ ଶ୍ରମ ଆଇନର ଖୋଲା ଉଲ୍ଲଙ୍ଘନ କରି ନିର୍ବାଧାରେ ସେମାନେ ଶୋଷଣ ଜାରି ରଖିଛନ୍ତି। ସେମାନଙ୍କ ବିପୁଳ ଆୟ ସତ୍ତ୍ବେ ଏହି ନିମ୍ନ ଆୟକାରୀ ଠିକା ଶ୍ରମିକ ଓ କର୍ମଚାରୀଙ୍କ ଉପାର୍ଜନ ସମୟର ଆବଶ୍ୟକତା ଅନୁରୂପ ହେଉନଥିବାରୁ ଭୟଙ୍କର ଆର୍ଥିକ ଦୁର୍ଗତି ମଧ୍ୟରେ ସେମାନେ କାଳାତିପାତ କରୁଛନ୍ତି। ଦେଶର ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଉପାର୍ଜନକ୍ଷମତା ସୃଷ୍ଟି କରିବାକୁ ଅସମର୍ଥ। ତେଣୁ ବର୍ଦ୍ଧିତ ବେକାରୀ ଦେଶରେ ଉପୁଜୁଥିବା ନାନା ସମସ୍ୟାର କାରଣ ପାଲଟିଛି। ଅଭାବରୁ ଅପରାଧ ପ୍ରବଣତା ବଢ଼ୁଛି, କ୍ରମେ ତାହା ନିୟନ୍ତ୍ରଣ ସୀମା ଅତିକ୍ରମ କରୁଛି। ପରିଲକ୍ଷିତ ଆର୍ଥିକ ଅସମାନତା ସାମାଜିକ ଜୀବନଧାରାରେ ଆକାଂକ୍ଷିତ ପରିବର୍ତ୍ତନର ବାଧକ ସାଜିଛି। ଆମ ଦେଶରେ ବୃଦ୍ଧି ପାଉଥିବା ଅରବପତି ଓ କୋଟିପତିଙ୍କୁ ନେଇ ସାମଗ୍ରିକ ବିକାଶର ସ୍ୱପ୍ନ ଦେଖିବାର କୌଣସି ଯଥାର୍ଥତା ନାହିଁ। ଆମେରିକା, ଚୀନ, ଜର୍ମାନୀ ପଛକୁ ଆମେ ବିଶ୍ୱର ଚତୁର୍ଥ ଅର୍ଥନୀତି ରୂପେ ଗର୍ବ କରୁଥିବା ବେଳେ ଆମ ଦେଶରେ ଜୀବନ ଧାରଣର ମାନ ଓ ମୁଣ୍ଡ ପିଛା ଆୟ ତୁଳତ୍ମକ ଭାବେ ବହୁତ ପଛରେ ପଡ଼ିଛି।

ଉଚ୍ଚ ଆୟକାରୀ ବର୍ଗଙ୍କୁ ଦେଶର ଅର୍ଥନେତିକ ପ୍ରଗତିର ସୂଚକ ରୂପେ ଗ୍ରହଣ କରାଯାଉଥିବା ବେଳେ ଜୀବନ ଯୁଦ୍ଧରେ ହାରିଯାଉଥିବା ଲୋକସଂଖ୍ୟାର ଦୁଇ-ତୃତୀୟାଂଶ ସରକାରୀ ରାଜସ୍ୱ ବା ଟ୍ରେଜେରୀଙ୍କ ଟିକସ ମାଧ୍ୟମରେ ସମୃଦ୍ଧ କରିଚାଲିଛନ୍ତି। ଅଥଚ ଯୋଜନାର ରୂପରେଖ ସେମାନଙ୍କ ଭବିଷ୍ୟତ ବା ସମ୍ମୁଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେଉନି। ସରକାରଙ୍କ ବିଚାରଧାରାରେ ଏହି ବ୍ୟବଧାନ ସଙ୍କୁଚିତ ନ ହେଲେ ତଥାକଥିତ ବିକଶିତ ଭାରତ ଗଠନ ସ୍ୱପ୍ନ ଅଧୁରା ରହିଯିବ। ଏହା ସତ୍ୟ ଯେ ପ୍ରତିଯୋଗିତାପୂର୍ଣ୍ଣ ବଜାର ଅର୍ଥନୀତିରେ ନିବେଶକାରୀର ପ୍ରାଧାନ୍ୟ ରହିବ। ଆର୍ଥିକସ୍ତରରେ ଅସମାନତାକୁ ଦୂର କରିବା ସମ୍ଭବ ନୁହେଁ। କିନ୍ତୁ ଜୀବନଧାରଣ ମାନରେ ଉନ୍ନତି ଓ ସହନୀୟ ମୁଣ୍ଡପିଛା ଆୟ ବୃଦ୍ଧି ନ ଘଟିଲେ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ସୃଷ୍ଟି ହେବ ନାହିଁ। ଫଳରେ ଏକଚାଟିଆ କାରବାର ଓ ଶୋଷଣକୁ ପ୍ରୋତ୍ସାହିତ କରିବ। ଏହା ସାମାଜିକ ଓ ଜାତୀୟ ଜୀବନରେ ଶୃଙ୍ଖଳା ଓ ସଂପ୍ରୀତି ପରିବେଶ ସୃଷ୍ଟିରେ ଗୁରୁତର ପ୍ରତିବନ୍ଧକ ହେବ।

ଦେଶର ବିତ୍ତଶାଳୀ ବ୍ୟକ୍ତିଙ୍କ ସଂପର୍କରେ ଉଲ୍ଲେଖ କଲାବେଳେ ମୁକେଶ ଆମ୍ୱାନି ଓ ଗୌତମ ଆଦାନୀଙ୍କୁ ବାଦ ଦେଇ ପାରିବାନି। ଆମ୍ୱାନି ୯୧.୮ ବିଲିୟନ ଡଲାର ସମ୍ପତ୍ତିର ମାଲିକ। ସେ ଏସିଆର ସବୁଠାରୁ ଧନଶାଳୀ ବ୍ୟକ୍ତି। ତାଙ୍କ ପଛକୁ ଅଛନ୍ତି ଗୌତମ ଆଦାନୀ। ସେ ୫୩.୫ ବିଲିୟନ ଡଲାର ସମ୍ପତ୍ତିର ମାଲିକ। ଅର୍ଥ ବା ସମ୍ପତ୍ତି ଆହରଣ ପାଇଁ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ନିଶ୍ଚୟ ରହିବ। ଗତ ଆର୍ଥିକବର୍ଷରେ ଆମ୍ୱାନିଙ୍କ ୧ଲକ୍ଷ କୋଟି ଟଙ୍କାର ଆୟ ହ୍ରାସ ପାଇଥିବା ବେଳେ ଆଦାନୀଙ୍କ ଆୟ ୧୩ ପ୍ରତିଶତ ବଢ଼଼ିଛି। ଆମ ଦେଶରେ ବାର୍ଷିକ ୧୦ କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବାର ପରିଲକ୍ଷିତ ହୋଇଛି। ସେମାନଙ୍କ ସଂଖ୍ୟା ୪୩ ହଜାରରେ ପହଞ୍ଚିଛି। ସେହିଭଳି ବାର୍ଷିକ ୧ କୋଟିରୁ ୫ କୋଟି ଉପାର୍ଜନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୩.୮୯ ଲକ୍ଷ ଓ ୫ କୋଟିରୁ ୧୦ କୋଟି ଟଙ୍କା ଆୟକାରୀଙ୍କ ସଂଖ୍ୟା ୩୬ ହଜାରରେ ପହଞ୍ଚିଛି। ଅବଶ୍ୟ ଏହି ତଥ୍ୟ ଆୟକର ବିଭାଗ ରିପୋର୍ଟରୁ ଜଣାପଡ଼ିଛି। ଏହାଛଡ଼ା ଦେଶରେ ୨୮୪ ଅରବପତି ଅଛନ୍ତି, ଯେଉଁମାନଙ୍କର ଆୟ ସାଉଦୀ ଆରବର ଜିଡିପିଠାରୁ ଅଧିକ।

ଦେଶର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଏହି ସୀମିତ ଲୋକଙ୍କ ଉପାର୍ଜନ କ୍ଷମତା ହିଁ ଆମ ଅର୍ଥନୀତିକୁ ନୂଆ ଶିଖରରେ ପହଞ୍ଚାଇଛି। ଅଭିବୃଦ୍ଧି ବା ଜିଡିପି ହାର ବୃଦ୍ଧି ସେମାନଙ୍କ କର୍ମକୁଶଳତା ଉପରେ ନିର୍ଭର କରେ। ଅବଶ୍ୟ ଗତ ତୈମାସିକ ଆର୍ଥିକ ରିପୋର୍ଟରେ ଜିଡିପିକୁ କୃଷିର ଅବଦାନ ୪.୨ ପ୍ରତିଶତ ଏକ ଉଲ୍ଲେଖନୀୟ ଘଟଣା। ହେଲେ କୃଷି ଉତ୍ପାଦର ବେପାର ବଣିଜରେ ଏହି ବର୍ଗର ହିଁ ପ୍ରମୁଖ ଭୂମିକା ରହିଛି। ତେଣୁ ଦେଶର ଅର୍ଥନୀତିକୁ ଗତି ଦେଇ ଚତୁର୍ଥସ୍ଥାନରେ ପହଞ୍ଚାଇବାର ସମସ୍ତ ଶ୍ରେୟ ଏମାନଙ୍କୁ ହିଁ ଦିଆଯାଉଛି। ତେଣୁ ସରକାର ବିପୁଳ ବ୍ୟାଙ୍କଋଣ ଛାଡ଼ କରିବା ସହ କର୍ପୋରେଟ ଟିକସ ମଧ୍ୟ ହ୍ରାସ କରିଛନ୍ତି। କିନ୍ତୁ ଆୟକର ବିଭାଗ ପରିସଂଖ୍ୟାନ କହେ ଏମାନଙ୍କ ଅପେକ୍ଷା ସାଧାରଣ ବର୍ଗ ହିଁ ଅଧିକ ଟିକସ ଦେଇଛନ୍ତି। ଏସବୁ ସତ୍ତ୍ବେ ସେମାନଙ୍କ ପ୍ରତି ସରକାରଙ୍କ ସ୍ୱତନ୍ତ୍ର ଆଶୀର୍ବାଦ ରହିଛି।

ବିଶ୍ୱାସ ଓ ଶାନ୍ତି
ଚୀନ୍‌‌ରେ ସଦ୍ୟ ଅନୁଷ୍ଠିତ ‘ସାଂଘାଇ କୋଅପରେସନ୍‌‌ ଅର୍ଗାନାଇଜେସନ୍‌‌ (ଏସ୍‌‌ସିଓ)’ର ଚିଠା ପ୍ରସ୍ତାବରେ ଭାରତ ସ୍ୱାକ୍ଷର କରିବାକୁ ରୋକ୍‌‌ଠୋକ୍‌‌ ମନା କରିଦେଇଛି। ଆତଙ୍କବାଦୀ ନିରୋଧ ଏବଂ ଆଞ୍ଚଳିକ ଶାନ୍ତି ସହାବସ୍ଥାନ ଓ ସୁରକ୍ଷା ଏହି ସଂଗଠନର ପ୍ରମୁଖ ଆଭିମୁଖ୍ୟ ହୋଇଥିଲେ ହେଁ ଗତ ଏପ୍ରିଲ୍‌‌ ୨୨ ତାରିଖରେ କାଶ୍ମୀରର ପହଲ୍‌‌ଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉକ୍ତ ଚିଠା ପ୍ରସ୍ତାବରେ ସ୍ଥାନ ପାଇନାହିଁ। ଅଥଚ ପାକିସ୍ତାନର ବାଲୋଚିସ୍ତାନରେ ଗତ ମାର୍ଚ୍ଚ ମାସର ଟ୍ରେନ୍‌‌ ଅପହରଣ ଘଟଣା ସ୍ଥାନ ପାଇଛି। ଅର୍ଥାତ୍‌‌ ଆଞ୍ଚଳିକ ଶାନ୍ତି ଓ ସହାବସ୍ଥାନ ଦିଗରେ ବାଧାସୃଷ୍ଟିକାରୀ କାରକ ଓ ଘଟଣାମାନଙ୍କ ବିଷୟରେ ଆଲୋଚନା କରି ସ୍ଥାୟୀ ସମାଧାନର ସୂତ୍ର ବାହାର କରିବା ପାଇଁ ଉଦ୍ଦିଷ୍ଟ ଆଜେଣ୍ଡାରେ ବାଲୋଚିସ୍ତାନ ଘଟଣାକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ପହଲ୍‌‌ଗାମ୍‌‌ ଘଟଣାକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ। ଏଥିରୁ ପାକିସ୍ତାନ ପ୍ରତି ଚୀନ୍‌‌ର ଦୁର୍ବଳତା ଓ ସହୋଦର ଭାବ ଏବଂ ଭାରତ ପ୍ରତି ଥିବା ବୈରୀ ମନୋଭାବ ପୁଣି ଥରେ ସାମ୍ନାକୁ ଆସିଛି। ଅପରପକ୍ଷରେ ଏସୀୟ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅସ୍ଥିରତା ଓ ଅଶାନ୍ତିର ବାତାବରଣ ସୃଷ୍ଟି କରିବାରେ ଚୀନ୍‌‌ ଓ ପାକିସ୍ତାନର ପ୍ରଚ୍ଛନ୍ନ ଭୂମିକା ଥିବାରୁ ଭାରତ ତା’ର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଓ କଠୋର ଆଭିମୁଖ୍ୟ ଜରିଆରେ ଦୁଇ ଦୁଷ୍ଟ ପଡ଼ୋଶୀଙ୍କୁ କଡ଼ା ବାର୍ତ୍ତା ଦେଇଛି ଯେ ଆତଙ୍କବାଦକୁ ପ୍ରୋତ୍ସାହନ ଓ ବିସ୍ତାରବାଦୀ ଆଭିମୁଖ୍ୟ ଦ୍ୱାରା ସ୍ଥାୟୀ ଶାନ୍ତି ଓ ପ୍ରଗତି ହାସଲ କରିହେବ ନାହିଁ।

୧୦ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ବିଶ୍ୱର ଏହି ସର୍ବବୃହତ୍‌‌ ଆଞ୍ଚଳିକ ସଂଗଠନରେ ଭାରତ ସମେତ ଚୀନ୍‌‌, ପାକିସ୍ତାନ, ରୁଷ୍‌‌, ଇରାନ୍‌‌, କାଜାକ୍‌‌ସ୍ତାନ, କିରଗିଜ୍‌‌ସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ଓ ବେଲାରୁଷ୍‌‌ ସଦସ୍ୟ ଅଛନ୍ତି। ୨୦୨୩ରେ ଭାରତ ଏହାର ଅଧ୍ୟକ୍ଷତା କରୁଥିବା ବେଳେ ଗତ ବର୍ଷ ପାକିସ୍ତାନ ଓ ଚଳିତ ବର୍ଷ ଚୀନ୍‌‌ ଅଧ୍ୟକ୍ଷତା କରୁଛି। ଉଲ୍ଳେଖଯୋଗ୍ୟ ଯେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠ୍‌‌ରେ ଚୀନ୍‌‌ ଓ ପାକିସ୍ତାନର ପ୍ରତିନିଧି ପ୍ରତ୍ୟକ୍ଷ ଉପସ୍ଥିତ ନଥିଲେ। କିନ୍ତୁ ସଦାସର୍ବଦା ସହଯୋଗ ଓ ଶାନ୍ତିର ବାର୍ତ୍ତା ଦେଉଥିବା ଭାରତ ବନ୍ଧୁତ୍ୱର ହାତ ବଢ଼଼ାଇଚାଲିଛି ଏବଂ ବନ୍ଧୁତ୍ୱର ପରିଭାଷା ହିଁ ସବୁ ସମସ୍ୟା, ଦ୍ୱନ୍ଦ୍ୱର ସମାଧାନ ବୋଲି ମନ୍ତ୍ର ଦେଇଛି। ଗତବର୍ଷ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଯାଇଥିବା ବେଳେ ଚଳିତ ବର୍ଷ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି। ଅଥଚ ଚୀନ୍‌‌ କିମ୍ବା ପାକିସ୍ତାନ ଶାନ୍ତିର ଭାଷା ବୁଝିପାରୁନାହାନ୍ତି।

ଆତଙ୍କବାଦର ପ୍ରାୟୋଜକ ରାଷ୍ଟ୍ର ଭାବେ ପାକିସ୍ତାନର କୁଖ୍ୟାତି ସାରା ବିଶ୍ୱରେ ବ୍ୟାପୁଥିବା ବେଳେ ଭାରତ ଏହାଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ। ଚୀନ୍‌‌ର ବିସ୍ତାରବାଦୀ ଆଭିମୁଖ୍ୟ ଯୋଗୁଁଁ ଭାରତ ସମେତ ଚୀନ୍‌‌-ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ସୀମା, ଅଖଣ୍ଡତା ଓ ସାର୍ବଭୌମତ୍ୱ ବିପଦରେ। ଚୀନ୍‌‌ର ବହୁ ଆକାଂକ୍ଷିତ ‘ବେଲ୍‌‌ଟ ଆଣ୍ଡ ରୋଡ୍‌‌ ପ୍ରକଳ୍ପ(ବିଆରଆଇ)’ର ପାକିସ୍ତାନ ଦୃଢ଼ ଓ ଅନ୍ଧ ସମର୍ଥକ ହୋଇଥିବା ବେଳେ ଏହାଦ୍ୱାରା ଅଂଶୀଦାର ଦେଶମାନଙ୍କର, ବିଶେଷକରି ଭାରତର, ସାର୍ବଭୌମତ୍ୱ ପ୍ରତି ବିପଦ ଆଶଙ୍କା ଥିବାରୁ ଭାରତ ଏହି ପ୍ରକଳ୍ପର ବିରୋଧ କରୁଛି। ତେଣୁ ଚୀନ୍‌‌ ପାକିସ୍ତାନ ଜରିଆରେ ଭାରତ ଉପରେ ଦାଉ ସାଧିବାର କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ‘ଅପରେସନ୍‌‌ ସିନ୍ଦୂର’ରେ ପାକିସ୍ତାନକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯୋଗାଇ ଦେଇ ଚୀନ୍‌‌ ଏହା ପୁଣି ପରୋକ୍ଷରେ ପ୍ରମାଣିତ କରିଥିବା ବେଳେ ଭାରତ ବିରୋଧୀ ଖେଳରେ ବାଂଲାଦେଶକୁ ମୋହରା କରିଛି। ଏହି ପୃଷ୍ଠଭୂମିରେ ‘ଏସ୍‌‌ସିଓ’ରେ ପହଲ୍‌‌ଗାମ୍‌‌ ଘଟଣା ସ୍ଥାନ ନ ପାଇବା ସେତେ ଆଶ୍ଚର୍ଯ୍ୟଜନକ ନୁହେଁ।

ସାମ୍ପ୍ରତିକ ଯୁଦ୍ଧମୁହାଁ ବିଶ୍ୱରେ ଅନେକ ରାଷ୍ଟ୍ରର ସାର୍ବଭୌମ ସଙ୍କଟାପନ୍ନ। ଦ୍ୱିପାକ୍ଷିକ ସମ୍ପର୍କରେ ବିଶ୍ୱାସର ଅଭାବ ହିଁ ଏଥିପାଇଁ ଦାୟୀ। ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଅବିଶ୍ୱାସର ବାତାବରଣକୁ ଆହୁରି ଉତ୍କଟ କରୁଛି ଆତଙ୍କବାଦ। ସହଯୋଗ, ସମନ୍ୱୟ, ନିଃସ୍ୱାର୍ଥପର ବନ୍ଧୁତ୍ୱ ଓ ବିଶ୍ୱାସ ବିନା ଏହି ସମସ୍ୟାର ସମାଧାନ ଅସମ୍ଭବ। ‘ଏସ୍‌‌ସିଓ’ର ଚିଠାପ୍ରସ୍ତାବରେ ଭାରତ ସ୍ୱାକ୍ଷର କରିବାକୁ ମନା କରିଦେଇ ସଦସ୍ୟ ରାଷ୍ଟ୍ର ସମେତ ବିଶ୍ୱକୁ ଏହି ମନ୍ତ୍ର ଦେଇଛି। ବିଶ୍ୱ ସମୁଦାୟକୁ ‘ଏସ୍‌‌ସିଓ’ ସଦସ୍ୟ ରାଷ୍ଟ୍ର ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳର ଯୋଗଦାନ ଉଲ୍ଳେଖନୀୟ ଥିବାରୁ ଜାତିସଂଘରେ ପଶ୍ଚିମ ରାଷ୍ଟ୍ରର ବିକଳ୍ପ ହେବା ପାଇଁ ଉଦ୍ୟମ ହେବା ସହିତ ସୁରକ୍ଷା ପରିଷଦ ଅଧିକ ସ୍ୱଚ୍ଛ, ଦକ୍ଷ, ଗଣତାନ୍ତ୍ରିକ, ପ୍ରଭାବଶଶାଳୀ, ଉତ୍ତରଦାୟୀ ହେବା ଆବଶ୍ୟକ। କିନ୍ତୁ ଏ ଦିଗରେ ଚୀନ୍‌‌ ଓ ପାକିସ୍ତାନର ଆଭିମୁଖ୍ୟ ପରିବର୍ତ୍ତନ ନ ହେବା ଯାଏଁ ଆଞ୍ଚଳିକ ଶାନ୍ତି ସହାବସ୍ଥାନ ସମ୍ଭବ ହୋଇପାରିବ ନାହିଁ।

ଏହି ଅବସରରେ ରାଜନାଥ ସିଂହ ଚୀନ୍‌‌ ପ୍ରତିପକ୍ଷ ଆଡ୍‌‌ମିରାଲ୍‌‌ ଡୋଙ୍ଗ ଜୁନ୍‌‌ଙ୍କୁ ସ୍ୱତନ୍ତ୍ର ଭାବେ ଆଲୋଚନା କରି ପହଲ୍‌‌ଗାମ୍‌‌ ଘଟଣା ଓ ‘ଅପରେସନ୍‌‌ ସିନ୍ଦୂର’ ବିଷୟରେ ସବିଶେଷ ତଥ୍ୟ ରଖି ପୁଣି ଥରେ ଅବଗତ କରାଇଥିବା ବେଳେ ଅନ୍ୟ ସଦସ୍ୟ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହିତ ବ୍ୟକ୍ତିଗତ ଆଲୋଚନା ସମୟରେ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବିଶ୍ୱାସ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ବିଶେଷକରି ଭାରତ-ଚୀନ୍‌‌ ସୀମା ଉତ୍ତେଜନା ଯେଭଁଭଳି ଭାବେ ଦ୍ୱିପାକ୍ଷିକ ବିଶ୍ୱାସ ଆଧାରିତ ଆଲୋଚନା ଜରିଆରେ ସଫଳ ହେଲା ତାହାର ଉଦାହରଣ ଦେଇ ଭବିଷ୍ୟତରେ ମଧ୍ୟ ଦୁଇରାଷ୍ଟ୍ର ମଧ୍ୟରେ ବିଶ୍ୱାସ ଓ ସହଯୋଗ ଆଧାରିତ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀସିଂହ ପରାମର୍ଶ ଦେଇଛନ୍ତି। ଏହିକ୍ରମରେ ଚୀନ୍‌‌ ପ୍ରତିପକ୍ଷଙ୍କ ସହିତ ରାଜନାଥ ସିଂହ ଗତ ପାଞ୍ଚ ବର୍ଷ ମଧ୍ୟରେ ଚାରିଥର ଭେଟି ସମାନ କଥା ଦୋହରାଇଛନ୍ତି। ଆଡ୍‌‌ମିରାଲ୍‌‌ ଜୁନ୍‌‌ ମଧ୍ୟ ଆପୋସ ଆଲୋଚନା ଓ ବିଶ୍ୱାସ ବଳରେ ପ୍ରତିବେଶୀ ସମ୍ପର୍କ ସୁଦୃଢ଼ ହୋଇପାରିବ ଏବଂ ଏହାଦ୍ୱାରା ଆଞ୍ଚଳିକ ଓ ବିଶ୍ୱଶାନ୍ତି ସମ୍ଭବ ହୋଇପାରିବ ବୋଲି ସହମତ ହୋଇଛନ୍ତି। କିନ୍ତୁ ଏହି ଦୁଷ୍ଟ ରାଷ୍ଟ୍ର ତା’ର ପ୍ରତିଶ୍ରୁତି କେବେ ପାଳନ କରିବାର ଉଦାହରଣ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଅବସରରେ ରାଜନାଥ ସିଂହ ରୁଷ ପ୍ରତିପକ୍ଷଙ୍କୁ ଭେଟି ‘ଅପରେସନ୍‌‌ ସିନ୍ଦୂର’ରେ ରୁଷ୍‌‌ ନିର୍ମିତ ଏସ୍‌‌୪୦୦ ଏବଂ ସୁଖୋଇ ଲଢ଼ୁଆ ବିମାନର ପାରଦର୍ଶିତା ପାଇଁ କୃତଜ୍ଞତା ଜଣାଇଛନ୍ତି ଏବଂ ଆଗକୁ ମଧ୍ୟ ଏଭଳି ପ୍ରତିରକ୍ଷା ସହଯୋଗ ପାଇଁ ଆଶା ରଖିଛନ୍ତି। ଆମେରିକା ଏବେ ଯେଉଁଭଳି ଭାବେ ପାକିସ୍ତାନ ପଟକୁ ଢଳୁଛି ସେହି ଦୃଷ୍ଟିରୁ ପୁରୁଣା ମିତ୍ର ରାଷ୍ଟ୍ର ରୁଷ୍‌‌ର ସହଯୋଗ ଭାରତ ପାଇଁ ଏକାନ୍ତ ଆବଶ୍ୟକ।

‘ଅପରେସନ୍‌‌ ସିନ୍ଦୂର’ ପରବର୍ତ୍ତୀ ସମୟରେ ଭାରତ ତା’ର ବହୁଦଳୀୟ ରାଷ୍ଟ୍ରଦୂତମାନଙ୍କ ଜରିଆରେ ଯେଉଁ ବାର୍ତ୍ତା ବିଶ୍ୱ ସମୁଦାୟକୁ ଦେଇଥିଲା ସଦ୍ୟସମାପ୍ତ ଏସ୍‌‌ସିଓରେ ତାହାକୁ ପରୋକ୍ଷରେ ଦୋହରାଇଛି। ଏଥିସହିତ ପଡ଼ୋଶୀ ରାଷ୍ଟ୍ରଙ୍କୁ ଚେତାବନୀ ଦେଇଛି ଯେ ଆତଙ୍କବାଦ ନିରୋଧ କାର୍ଯ୍ୟକ୍ରମରେ ପ୍ରିୟାପ୍ରୀତିତୋଷଣ କିମ୍ବା ବଶମ୍ବଦତା ଆଦୌ ଗ୍ରହଣୀୟ ନୁହେଁ। ଆତଙ୍କର ମୂଳୋତ୍ପାଟନ ଏବଂ ଶାନ୍ତି ସହାବସ୍ଥାନ ପାଇଁ ଭାରତ ସହଯୋଗ କରିବାକୁ ସଦା ଆଗ୍ରହୀ। କିନ୍ତୁ ଏଥିରେ ପକ୍ଷପାତିତାକୁ ଭାରତ ଆଦୌ ବରଦାସ୍ତ କରିବ ନାହିଁ।

ଅପାର-ଆଧାର କଷଣ
‘ଆଧାର’ ଭାରତୀୟ ନାଗରିକଙ୍କ ଅନନ୍ୟ ପରିଚୟପତ୍ର। କିନ୍ତୁ ଏହା ନାଗରିକ ପରିଚୟପତ୍ର ନୁହେଁ ବୋଲି କାର୍ଡରେ ଉଲ୍ଲେଖ ରହିଛି। ‘ଅଟୋମେଟେଡ୍‌‌ ପରମାନେଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି’ ବା ‘ଅପାର’ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସ୍ତର ଆକଳନ ନିମନ୍ତେ ବ୍ୟାଙ୍କ ପାସବୁକ୍‌‌ ପରି ଏକ ବୈଦ୍ୟୁତିକ ଦସ୍ତାବିଜ୍‌‌। ଏହା ମଧ୍ୟ ବିଦ୍ୟାର୍ଥୀମାନଙ୍କ ଏକ ପ୍ରମାଣପତ୍ର ସଦୃଶ। କିନ୍ତୁ ଏହି ‘ଅପାର ଆଇଡି’ ବର୍ତ୍ତମାନ ହଜାର ହଜାର ଶିକ୍ଷାର୍ଥୀଙ୍କ ସହିତ ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସମସ୍ୟା ପାଲଟି ଯାଇଛି।

ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷାୟତନର ସମସ୍ତ ତଥ୍ୟ ୟୁଡାଇସ୍‌‌ ପୋର୍ଟାଲରେ ସଂରକ୍ଷିତ। ୟୁନିଫାଏଡ ଡିଜିଟାଲ ଇନଫର୍ମମେସନ୍‌‌ ଅନ୍‌‌ ସ୍କୁଲ ଏଜୁକେସନ୍‌‌ (ୟୁଡାଇସ୍‌‌ ପ୍ଲସ୍‌‌) ଡାଟାବେସରୁ ବିଦ୍ୟାଳୟ ସ୍ଥାପନା, ବର୍ତ୍ତମାନର ସ୍ଥିତି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ଓ ଉପସ୍ଥାନ ସେଥିରେ ଉପଲବ୍ଧ। ବର୍ତ୍ତମାନ ସେସବୁ କାର୍ଯ୍ୟ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଏମ୍‌‌ଆଇଏସଙ୍କ ତତ୍ତ୍ୱାବଧାନରେ କରାଯାଉଥିଲେ ମଧ୍ୟ ସାଧାରଣ ଶିକ୍ଷକମାନେ ଶିକ୍ଷଣ, ଶିକ୍ଷାଦାନ ଓ ଅଣଶିକ୍ଷଣ କାର୍ଯ୍ୟ ସହିତ ୟୁଡାଇସ୍‌‌ ପ୍ଲସରେ ଡେଟା ଅପଲୋଡ୍‌‌ କରିବାକୁ ବାଧ୍ୟ ହେଉଛନ୍ତି। ଶ୍ରେଣୀ ଅନୁଯାୟୀ ଶିକ୍ଷକ ନଥିବା ବିଦ୍ୟାଳୟରେ ଏହା ଅଧିକ ବୋଝ ପରି ଲାଗୁଛି। ପିଲାର ସମସ୍ତ କାଗଜପତ୍ର ଗ୍ରାମାଞ୍ଚଳର ପିତାମାତା ସଠିକ ଭାବେ ନିର୍ଦ୍ଧାରିତ ସମୟରେ ଦାଖଲ କରି ପାରନ୍ତି ନାହିଁ। ଯାହାଫଳରେ ଛାତ୍ରଛାତ୍ରୀ ପରୋକ୍ଷ ଭାବେ ହଇରାଣ ହୁଅନ୍ତି ଏବଂ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା କରନ୍ତି।

ପିଲାମାନଙ୍କର ଜନ୍ମ ପ୍ରମାଣପତ୍ର, ନାମଲେଖା ପଞ୍ଜିକା ଓ ଆଧାର କାର୍ଡ ମଧ୍ୟରେ ତାଳମେଳ ରହୁ ନଥିବାରୁ ଅପାର ଆଇଡି ଜେନେରେଟ୍‌‌ ହେବା ଅସମ୍ଭବ ହେଉଛି। ଅପାର ଆଇଡି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟସ୍ତରୀୟ ସମସ୍ତ ପ୍ରଗତିକୁ ଏକାଡେମିକ୍‌‌ ବ୍ୟାଙ୍କ ଅଫ୍‌‌ କ୍ରେଡିଟସ୍‌‌ ତଥା ବ୍ୟାଙ୍କ ପାସବୁକରେ ସଞ୍ଚିତ ରଖିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ରେ ଗୁରୁତ୍ୱ ଦିଆଯାଇଛି। ‘ୱାନ୍‌‌ ନେସନ ୱାନ ଏଜୁକେସନ୍‌‌ ଆଇଡି ସିଷ୍ଟମ’କୁ ପ୍ରାଧାନ୍ୟ ଦେଇ ‘ଅପାର’ ସ୍ୱତନ୍ତ୍ରତା ବଜାୟ ରଖିଛି। ଏହାର ଉଦ୍ଦେଶ୍ୟ ମହତ୍‌‌ ହୋଇପାରେ, କିନ୍ତୁ ଏଥିରେ ଛନ୍ଦି ହୋଇ ପଡୁଛନ୍ତି ସାଧାରଣ ଅଭିଭାବକ ଯାହାଙ୍କର ତଥ୍ୟଗତ ଓ ଦସ୍ତାବେଜ ଅମେଳ ରହୁଛି। ‘ଅପାର’ର ବାରଅଙ୍କ ବିଶିଷ୍ଟ ସଂଖ୍ୟା ଯେ ବାଧ୍ୟତାମୂଳକ ନୁହେଁ ଏହା କହି ଗ୍ରାମାଞ୍ଚଳର ନିରୀହ ଅଭିଭାବକଙ୍କୁ ବୁଝାଇବାକୁ କେହି ପ୍ରସ୍ତୁତ ନୁହନ୍ତି।

ୟୁଡାଇସରେ ପେନ୍‌‌ (ପରମାନେଣ୍ଟ ଏଜୁକେସନ ନମ୍ୱର) ଥାଇ ଓଡ଼ିଆ ଓ ଇଂରାଜୀ ନାମର ବନାନରେ ଅସମାନତା, ସାଙ୍ଗିଆରେ ତ୍ରୁଟି, ଲିଙ୍ଗଗତରେ ଭିନ୍ନତା, ଜନ୍ମ ପ୍ରମାଣ ପତ୍ର ଓ ଆଧାର କାର୍ଡରେ ଜନ୍ମ ତାରିଖ ଅଲଗା ହୋଇଥିବାରୁ ‘ଅପାର’ ଆଇଡି ସୃଷ୍ଟି ହୋଇପାରୁନାହିଁ। ଏ ପ୍ରକାର ସମସ୍ୟା ହେତୁ ହଜାର ହଜାର ବିଦ୍ୟାର୍ଥୀ ଏବେ ‘ଅପାର’ରୁ ବଞ୍ଚିତ। ଏସବୁ ସମାଧାନ ପାଇଁ ଆଧାର କାର୍ଡ ଅଦ୍ୟତନ ବା ଅପଡେଟ୍‌‌ ହେବା ନିହାତି ଦରକାର। ପ୍ରଥମେ ଆଧାର ସଂଶୋଧନ ନିଜର ମୋବାଇଲ ଫୋନ୍‌‌ ମାଧ୍ୟମରେ କେତେକାଂଶରେ ହେଉଥିଲା। ଏବେ ସେହି କାର୍ଯ୍ୟ ସମାପନ ଜଟିଳ ହୋଇପଡ଼ୁଛି। ଆଧାର ସହିତ ଫୋନ୍‌‌ ନମ୍ୱର ସଂଯୋଗୀକରଣ, ବାୟୋମେଟ୍ରିକ ଅପଡେଟ୍‌‌, ବନାନ ସଂଶୋଧନ ଆଦି ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସଂସ୍ଥା ଓ କର୍ତ୍ତୃପକ୍ଷ କିମ୍ବା ସ୍ୱୀକୃତିପ୍ରାପ୍ତ ଜନସେବା କେନ୍ଦ୍ରରେ ହେଉଥିବାରୁ ଅଭିଭାବକ ଓ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ୟୁଆଇଡିଏଆଇ (ୟୁନିକ୍‌‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌‌ ଇଣ୍ଡିଆ) ଅନୁଷ୍ଠାନ ସମଗ୍ର ଦେଶରେ ଏହି ଏକକ ଅନନ୍ୟ ପରିଚୟ ପତ୍ର ପ୍ରସ୍ତୁତି ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ୱନ କରିଥିଲେ ହୁଏତ କୋଟି କୋଟି ନାଗରିକ କର୍ମଚାରୀଙ୍କ ତ୍ରୁଟି ଯୋଗୁଁଁ ଆଜି ହନ୍ତସନ୍ତ ହେଉ ନଥା’ନ୍ତେ।

ଜନ୍ମ ସମୟରେ ପିତାମାତା ପିଲାଙ୍କ ନାମ ମନ ଖୁସିରେ ଦିଅନ୍ତି, କିନ୍ତୁ ସେହି ନାମକୁ ଟାଇପ କରିବା ବେଳେ ଅପରେଟରଙ୍କ ତରବରିଆ ଭାବ ନାମର ବନାନ ଅଶୁଦ୍ଧି ବା ବିକୃତୀକରଣ କରିବାର ଆଶଙ୍କା ଉପୁଜିଥାଏ। ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିଶୁମାନଙ୍କ ନାମ ଲେଖିବାରେ ଭୁଲ୍‌‌ ହେବା ସ୍ୱାଭାବିକ୍‌‌। ଉପାନ୍ତ ଅଞ୍ଚଳରେ ଅଭିଭାବକ ଅଧିକ ଅସୁବିଧାରେ ପଡୁଛନ୍ତି। ଏହି ଭୁଲ୍‌‌ ଥିବା ସତ୍ତ୍ବେ ପରବର୍ତ୍ତୀ ପର୍ଯ୍ୟାୟରେ ପିଲାମାନଙ୍କ ପଠନ ସମୟରେ ‘ଆଧାର’ରେ ଥିବା ପଞ୍ଜିକୃତ ସଂଖ୍ୟାକୁ ଗୁରୁତ୍ୱ ଦିଆଯାଇ ନାମକୁ ଅଣଦେଖା କରାଯାଏ। ଫଳତଃ ନାମର ସଂଶୋଧନ ଆବଶ୍ୟକ ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଅଭିଭାବକ। ବେଳେବେଳେ ଏମିତି ହୁଏ ଯେ ପିଲାଙ୍କ ପ୍ରକୃତ ଜନ୍ମ ତାରିଖ, ନାମ ବା ବାସସ୍ଥାନକୁ ଅନିଚ୍ଛାକୃତ ଭାବେ ଶିକ୍ଷକ ଓ ଅଭିଭାବକ ଗ୍ରହଣ କରି ନିଅନ୍ତି। ୟୁଡାଏସ୍‌‌ ପ୍ଲସ୍‌‌ ଷ୍ଟୁଡେଣ୍ଟ ମଡ୍ୟୁଲରେ ଶିଶୁମାନଙ୍କର ତଥ୍ୟ ଅପଲୋଡ୍‌‌ ନହେଲେ ଅସୁବିଧାରେ ପଡ଼ନ୍ତି ଶିକ୍ଷକ। ପିଲାଙ୍କ ଭବିଷ୍ୟତ ଅପେକ୍ଷା ବର୍ତ୍ତମାନର କାଗଜ ଚାଷ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ।

କୋଟି କୋଟି ଜନସାଧାରଣଙ୍କ ‘ଆଧାର’ ସଂଶୋଧନ ପାଇଁ ‘ଆଧାର’ କେନ୍ଦ୍ରଗୁଡ଼ିକୁ ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ)କୁ ଦାୟିତ୍ୱ ପ୍ରଦାନ କଲା ପରେ ସେମାନଙ୍କ ମନମୁଖି କାର୍ଯ୍ୟକଳାପ ବେଳେବେଳେ ଅସହ୍ୟ ହୁଏ। ଜନସେବା କେନ୍ଦ୍ରମାନ ଅନେକ ପ୍ରକାରର କାଗଜ ଓ ପ୍ରମାଣପତ୍ର ନିହାତି ଜରୁରୀ ବୋଲି କହୁଛନ୍ତି। କିଏ କହୁଛି କମ୍ପ୍ୟୁଟରୀକୃତ ଜନ୍ମ ପ୍ରମାଣପତ୍ର ଦରକାର ତ କିଏ କହୁଛି ସ୍ଥାୟୀ ବାସସ୍ଥାନ ବା ଜନ୍ମସ୍ଥାନର ପ୍ରମାଣପତ୍ର ବାଧ୍ୟତାମୂଳକ। କିଏ କହୁଛି ଆଗେ ବାୟୋମେଟ୍ରିକ ଅପଡେଟ୍‌‌ କର ତ କିଏ ପରାମର୍ଶ ଦେଉଛି ଗେଜେଟ୍‌‌ ନୋଟିଫିକେସନ ସହିତ ଖବରକାଗଜରେ ସତ୍ୟପାଠ ଛାପି ତା’ର ‘କଟିଂ’ ନେଇ ଓକାକ ଯାଅ।

ଆରେ ଭଲ ପାଲା। ଆମ ପିଲା ପଢ଼଼ିବେ ବୋଲି ବିଲ ବାଡ଼ି ଘର ଦ୍ୱାର ଛାଡ଼ି ଆଧାର କାର୍ଡ ସଂଶୋଧନ କରିବା ପାଇଁ ଭୁବନେଶ୍ୱରରେ ଅଧିଆ ପଡ଼ିବାକୁ କାହାର ବେଳ ଅଛି? ଏକଥା ସିନା ବେପରୁଆ ଭାବେ ଜଣେ କହିଦେଲେ, କିନ୍ତୁ ଏହି ମାନସିକତା ସମସ୍ତ ମଣିଷଙ୍କ ପାଖେ ପରିଲକ୍ଷିତ ହେଉଛି। ଜନମଙ୍ଗଳ ସରକାର ସାଧାରଣ ଜନତାଙ୍କ ପାଇଁ ଔଷଧ ବଣ୍ଟନ କରିବା ପରି ବା ଜମିଜମା ସଂକ୍ରାନ୍ତ ମାମଲାକୁ ଘରକୁ ଘର ବୁଲି ସମାଧାନ କରିବା ଭଳି ଆଧାର ସଂଶୋଧନ କଲେ ଭଲ ହୁଅନ୍ତା। ଅବଶ୍ୟ ମଝିରେ କ୍ଲଷ୍ଟରସ୍ତରୀୟ ଯେଉଁ କ୍ୟାମ୍ପ୍‌‌ ପଡ଼ିଥିଲା ସେଥିରେ ମୁଣ୍ଡ ଗଣତି କେତେଜଣ ଉପକୃତ ହେଲେ। ସେଠାରେ କେବଳ ସାମାନ୍ୟ ତ୍ରୁଟିକୁ ସୁଧାରି ଦିଆଯାଇ ପାରିଲା। ବୃହତ୍ତର ତ୍ରୁଟିରେ କେହି ହାତ ମାରିଲେ ନାହିଁ। ‘ଆଧାର’ କେନ୍ଦ୍ରକୁ ଗଲେ କେହି ଦୃଢ଼ ଭାବରେ କହି ପାରୁନଥା’ନ୍ତି ଯେ ଗ୍ରାହକଙ୍କ ଦରଖାସ୍ତ ମଞ୍ଜୁର ହେବ ବୋଲି। ଅଭିଭାବକ ଟଙ୍କା ଖର୍ଚ୍ଚ କରନ୍ତି। ନଗଦ କାରବାର ବା ଦେୟ ବା ପ୍ରଦାନର ସୂଚନା ହସ୍ତଗତ ହୁଏ। କଂପ୍ୟୁଟରରେ ଆପ୍ଲିକେସନ ଅପଲୋଡ୍‌‌ ହେଲା ପରେ ଓକାକ୍‌‌ ଦ୍ୱାରା ରିଜେକ୍ଟ ମେସେଜ(ଅଗ୍ରାହ୍ୟ ବା ନାକଚ ବାର୍ତ୍ତା) ଆସିଲେ ମଧ୍ୟ ଦାଖଲ କରାଯାଇଥିବା ଟଙ୍କା ଫେରସ୍ତ ହୁଏ କି ନାହିଁ ଜଣାପଡ଼େନାହିଁ। ଯେବେ ଟଙ୍କା ଫେରେ ଜନସେବା କେନ୍ଦ୍ରର କର୍ମଚାରୀ କିମ୍ବା ମାଲିକଙ୍କ ଆକାଉଣ୍ଟକୁ ଯାଏ।

‘ଆଧାର’ ସଂଶୋଧନ ଅନେକ ପ୍ରକାରର ରହିଛି। ଗୋଟିଏ ତ୍ରୁଟି ସଜାଡ଼ିଲେ ଆଉ କେତୋଟି ଭୁଲ୍‌‌ ଦୃଷ୍ଟିଗୋଚର ହୁଏ। ବିଭିନ୍ନ ସଂଶୋଧନ ପାଇଁ ବିଭିନ୍ନ ପ୍ରକାରର ଫି ରହିଛି। ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସେ ବିଷୟରେ ପଚାରିଲେ ବିରକ୍ତ ହୁଅନ୍ତି। ବିଭିନ୍ନ ପ୍ରକାର ସଂଶୋଧନ ପାଇଁ ମଧ୍ୟ ବିଭିନ୍ନ ପ୍ରକାର କାଗଜପତ୍ର ଆବଶ୍ୟକ ହେଉଛି। ସ୍ୱୀକୃତିପ୍ରାପ୍ତ ବିଭିନ୍ନ ଆଧାର ସେବା କେନ୍ଦ୍ରଗୁଡ଼ିକୁ ବାରମ୍ୱାର ଦୌଡ଼ି ଦୌଡ଼ି ହତାଶ ହେଲା ପରେ ଅଭିଭାବକଙ୍କ ମନରେ ଉଦାସୀନତା ପରିଲକ୍ଷିତ ହେଉଛି।

ସରକାର ଆଜି ଲୋକମାନଙ୍କର ସରକାର। ଲୋକଙ୍କର ହିତ ସାଧନ ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ‘ଆଧାର’ ଅପଡେଟ୍‌‌ କରିବା ପାଇଁ ସରଳୀକରଣ ଉପାୟକୁ ଅବଲମ୍ୱନ କରିବା ସର୍ବାଦୌ ବାଞ୍ଛନୀୟ। ଯଦ୍ୱାରା ବିଦ୍ୟାର୍ଥୀମାନଙ୍କ ‘ଅପାର’ ଆଇ ଡି ଓ ଏବିସି ସଠିକ୍‌‌ ଭାବେ ସୃଷ୍ଟି ହୋଇପାରିବ। ଜାତୀୟ ଶିକ୍ଷା ନୀତି ୨୦୨୦ କୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ଆଧାର ଜନିତ ଅନ୍ତରାୟ ହଟିଯିବ।

ପ୍ରଭାତ କୁମାର ସାହୁ

ଗୋପ(ପୁରୀ), ମୋ: ୭୯୭୮୬୩୫୨୭୬

ଅନନ୍ତ ପଥ ଏ ରଥପଥ
ପ୍ରଭୁ ବର୍ଷକୁ ଥରେ ବଡ଼ଦାଣ୍ଡକୁ ଆସନ୍ତି, ପୂଜା ପାଇବା ପାଇଁ ନୁହେଁ, ବରଂ ଆମକୁ କୋଳେଇ ନେବା ପାଇଁ ଆଉ ମନେ ପକାଇଦେବା ପାଇଁ ଯେ, ଏ ଧୂଳି ଧୂସରିତ ପବିତ୍ର ରଥପଥରେ କେବେ ସ୍ୱୟଂ ଲୀଳାମୟ, ଭକ୍ତଙ୍କ ସାଙ୍ଗରେ ଏକାଠି ଚାଲିବାର କଷ୍ଟ ବି ଉଠାନ୍ତି।

ଏମିତି ଏକ ବିଗ୍ରହ ଯାହାର ନା ହାତ ଅଛି ନା ପାଦ ଅଛି। ହେଲେ ଭୂମିରୁ ଭୂମା ଯାଏଁ ସେ ପରିବ୍ୟାପ୍ତ। ଯେ ଅପଲକ ନୟନରେ ସମଗ୍ର ବ୍ରହ୍ମାଣ୍ଡକୁ ଅନନ୍ତ କାଳ ପାଇଁ ଅବଲୋକନ କରିପାରନ୍ତି, ଏମିତି ଅପରିସୀମ ଅପାଣିପାଦ ବିଗ୍ରହ ବିଶ୍ୱରେ ଆଉ କେଉଁଠି ଅଛି କହିଲେ ସତରେ? ଏ ଅନନ୍ତ ପଥକୁ କାହିଁ କେଉଁ ଅନାଦି କାଳରୁ ଓହ୍ଲାଇ ଆସୁଛନ୍ତି ମହାପ୍ରଭୁ ନିଜର ଅଦୃଶ୍ୟ ବାହୁ ବନ୍ଧନୀରେ ସମସ୍ତଙ୍କୁ ବାନ୍ଧି ନେବା ପାଇଁ। କେବେ ପଚାରି ନାହାନ୍ତି ସେ, ତାଙ୍କୁ ଭେଟିବାକୁ ଆସିଥିବା ମଣିଷଟା କେଉଁ ଜାତିର, କେଉଁ ଧର୍ମର, କେଉଁ ସଂପ୍ରଦାୟର। ପଚାରିନାହାନ୍ତି କେବେ ତା’ର ଆର୍ଥିକ ସ୍ଥିତି, ସାମାଜିକ ଅବସ୍ଥା କିମ୍ୱା ଶିକ୍ଷାଗତ ଯୋଗ୍ୟତା କ’ଣ। ସେ କେଉଁ ଭାଷାରେ ନିଜ ଭାବକୁ ପ୍ରକାଶ କରୁଛି ବା ଗଦ୍ୟ, ପଦ୍ୟ, ସଂଗୀତ, ନୃତ୍ୟ ନା ଅନ୍ୟ କିଛି ମାଧ୍ୟମରେ ନିଜ ମନ କଥାକୁ ତାଙ୍କୁ ଶୁଣାଇବାକୁ ଆସିଛି। ନା କେବଳ ନିରବ ରହି ଅଶ୍ରୁପ୍ଳୁତ ନୟନରେ ନିଜ ମନ କଥା ତାଙ୍କୁ ମନେ ମନେ ଶୁଣାଇ ଦେଉଛି। ଭାବ ବିନୋଦିଆ ହରି ବୁଝି ଯା’ନ୍ତି ସବୁକଥାକୁ। କହିବା ଆଗରୁ ଜାଣି ଯା’ନ୍ତି ମନକଥା। ତା’ନ ହୋଇଥିଲେ କି ଏ ରଥପଥ ବଡ଼ଦାଣ୍ଡ ଏମିତି ଅନନ୍ତ କାଳରୁ ଭକ୍ତଙ୍କୁ କୋଳେଇ ନିଅନ୍ତା!

ଜୀବନ ଓ ମୃତ୍ୟୁର ନିରନ୍ତର ଚକ୍ରରୁ ଖୁବ୍‌‌ ଊର୍ଦ୍ଧ୍ବରେ ଏ ଅନନ୍ତ ରଥପଥ। ପିଢ଼ି ପରେ ପିଢ଼ି ମଣିଷ ଦୌଡ଼ି ଆସୁଛି ଏହି ରଥପଥକୁ। ସେ ଜାଣିଛି ଯେ, ତା’ ପିତୃପୁରୁଷ ଆଉ ଉତ୍ତରପୁରୁଷର ତ୍ରାଣକର୍ତ୍ତା ଏହି ଅନନ୍ତ ଜଗନ୍ନାଥ। ଏହି ରଥପଥରେ ହିଁ ଲେଖା ହୋଇଛି ତା’ ମୁକ୍ତିର କଥା, ତିଆରି ହୋଇଛି ତା’ ମୋକ୍ଷର ମାର୍ଗ। ପ୍ରତିବର୍ଷ ଯେତେବେଳେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ରଥଯାତ୍ରାର ଆୟୋଜନ ହୁଏ, ସେତେବେଳେ ଏକ ଅସାଧାରଣ ଘଟଣା ଘଟେ, ଯାହା ଧର୍ମ, ଜାତି, ସମୟ, ସମ୍ୱତ୍ସର, ଶତାବ୍ଦୀର ସୀମାକୁ ଅତିକ୍ରମ କରେ। କେହି କାହାକୁ ଜାଣିନଥିବା ମଣିଷମାନେ ଏକାଠି ହୁଅନ୍ତି ଏଇଠି। ସମସ୍ତଙ୍କ ମନରେ ଥା’ନ୍ତି କେବଳ ଶ୍ରୀଜଗନ୍ନାଥ। ମହାଶୂନ୍ୟରୁ ଯଦି ମାପି ହୁଅନ୍ତା, ତା’ହାଲେ ଆମେ ଜାଣିପାରନ୍ତେ ବଡ଼ଦାଣ୍ଡରେ ଅଦୃଶ୍ୟ ଭାବରେ ଅବସ୍ଥାନ କରୁଥିବା ଭାବାବେଗମାନଙ୍କୁ। ଦେଖି ହୁଅନ୍ତା ଯଦି, ଦେଖି ନିଅନ୍ତେ ଏହି ଅନନ୍ତ ପଥରେ ଉଭା ମଣିଷମାନଙ୍କ ମନକୁ। ହେଲେ ସେ ଦାୟିତ୍ୱ କ’ଣ ଆମର? ଏ ସମସ୍ତେ ଯେଉଁଥି ପାଇଁ ଆସିଛନ୍ତି, ଯାହାଙ୍କ ପାଇଁ ଆସିଛନ୍ତି, ସେ ପରା ନିଜେ ନିଜ ଆସ୍ଥାନ ଛାଡ଼ି ଆସିଛନ୍ତି, ଏଇମାନଙ୍କ ମନକଥା ଜାଣିବା ପାଇଁ!

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କିମ୍ୱା ରଥ ମହୋତ୍ସବ କେବଳ ଏକ ଧାର୍ମିକ ଶୋଭାଯାତ୍ରା ନୁହେଁ, ବରଂ ଏକ ମହାନ ଆଧ୍ୟାତ୍ମିକ ଯାତ୍ରା, ଯାହା ଲକ୍ଷ ଲକ୍ଷ ମଣିଷଙ୍କୁ ବିଶ୍ୱାସ, ବିନମ୍ରତା ଏବଂ ବିଭୁବୋଧର ଏକ ଭିନ୍ନ ଭାବଧାରାରେ ଏକତ୍ରିତ କରେ। ଆମ ହାତ ଆକାଶକୁ ଛୁଉଁ ବରଂ ଆମ ପାଦ ସବୁବେଳେ ମାଟି ସହିତ ଯୋଡ଼ି ହୋଇ ରହିଥାଉ। ଏହି ଭାବନା ହିଁ ରହିଛି ମହାପ୍ରଭୁଙ୍କ ଘୋଷଯାତ୍ରାର ପ୍ରେକ୍ଷାପଟରେ। ନିଜ ମାଟି, ନିଜ ଜନ୍ମସ୍ଥାନ ଅନ୍ତୁଡ଼ିଶାଳ ସହିତ ଯୋଡ଼ି ହୋଇ ରହିବା ଉଦ୍ଦେଶ୍ୟରେ ହିଁ ତ ମହାପ୍ରଭୁ କେବେ ନିଜ ଇଚ୍ଛା ପ୍ରକାଶ କରିଥିଲେ ବର୍ଷରେ ଥରେ ଅନ୍ତତଃ ଗୁଣ୍ଡିଚା ମନ୍ଦିରକୁ ବୁଲିଯିବା ପାଇଁ। ଆଉ ସେବେଠାରୁ ଚାଲିଛି ଏହି ଅନନ୍ତ ଯାତ୍ରା, ଯାହା ମହାପ୍ରଭୁଙ୍କୁ ତାଙ୍କ ମୂଳ, ତାଙ୍କ ବନ୍ଧୁ ପରିଜନ ଏବଂ ପ୍ରାକୃତିକ ଜଗତ ସହିତ ପୁନଃ ସଂଯୋଗ ପାଇଁ ତାଙ୍କ ଆଗ୍ରହର ପ୍ରତୀକ ପାଲଟିଯାଇଛି।

ଏ ଯାତ୍ରାରେ ଯେତେବେଳେ ଅଭିଯାତ୍ରୀ ହୋଇ ବାହାରନ୍ତି ମହାପ୍ରଭୁ, ସେତେବେଳେ ତାଙ୍କୁ ଆଉ ଶ୍ରୀମନ୍ଦିରର ଗର୍ଭଗୃହରେ ଥିବା କଟକଣା, ରୀତିନୀତି କିଛି ମାନିବାକୁ ପଡ଼େନି। ଅନନ୍ତ ଆକାଶ ତଳେ ପ୍ରକୃତିର କୋଳରେ ସେ ନିଜ ସହିତ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଆଗକୁ ଚାଲନ୍ତି। ତାଙ୍କରି ରଥପଥରେ ଧୀରେ ଧୀରେ ଭକ୍ତ ତାଙ୍କ ନିକଟତର ହୁଏ। ମନର କଥାକୁ ବଖାଣେ। ସମସ୍ତଙ୍କ ଅଭିମାନ, ଅଭିଯୋଗକୁ ନିଜ ଅନନ୍ତ ହୃଦୟରେ ସ୍ଥାନ ଦେଇ ଭକ୍ତ ସହିତ ଏକାକାର ହୋଇଯାଆନ୍ତି ମହାପ୍ରଭୁ। ବିନା ବାଛବିଚାରରେ ସମସ୍ତଙ୍କୁ କୋଳେଇ ନିଅନ୍ତି ବଳୀୟାରଭୁଜ। ଏ ଦୃଶ୍ୟ ଦେଖିଲେ ଅନୁଭବ ହୁଏ, ଯେମିତି ଦେବତ୍ୱର ଧରାବତରଣ ହୋଇଛି। ଭୂମିକୁ ସ୍ପର୍ଶ କରୁଛନ୍ତି ଭଗବାନ। ପ୍ରଭୁ ଜଗନ୍ନାଥଙ୍କ ବିଶାଳ, କରୁଣାମୟ ଚକାଡୋଳାକୁ ଦେଖି ଦେଇ ତାରି ଭିତରେ ସମାହିତ ହୋଇଯାଏ ଏ ଅନନ୍ତ ଜନସମୁଦ୍ର। ବଡ଼ଦାଣ୍ଡରେ ରଥ ଟାଣିଲା ବେଳେ ଲାଗେ ଯେମିତି ଲକ୍ଷ ଲକ୍ଷ ହାତ ଗୋଟିଏ ହୃଦୟରେ ସେ କୋଟି ହୃଦୟେଶ୍ୱରଙ୍କୁ ନିଜ ହୃଦୟ ସିଂହାସନରେ ବସାଇ ଟାଣି ନେଉଛନ୍ତି ଅନନ୍ତ ପଥରେ।

ରଥପଥରେ ଚଳନ୍ତି ଦେଉଳ ତିନି ରଥ ଗଡ଼଼ିଗଲା ବେଳେ ‘ଜୟ ଜଗନ୍ନାଥ!’ ଧ୍ୱ୍ୱନିରେ ପ୍ରକମ୍ପିତ ହୁଏ ଚଉଦ ଭୁବନ। ସମସ୍ତେ ଏମିତି ଏକ ଅବସ୍ଥାରେ ଥା’ନ୍ତି ଯେ, କିଏ ଭକ୍ତିରେ ହସୁଥା’ନ୍ତି, କାନ୍ଦୁଥା’ନ୍ତି, ଗୀତ ଗାଉଥା’ନ୍ତି ଏବଂ ନୃତ୍ୟ କରନ୍ତି ଅଥବା ରଥପଥରେ ଲୋଟିପଡ଼ନ୍ତି। ମଣିଷ ଗଢ଼ିଥିବା ବିଭାଜନର ରେଖା ଏ ଅନନ୍ତ ପଥରେ ଅପସରିଯାଏ। ଧନୀ-ଗରିବ, ସନ୍ଥ-ସନ୍ଦେହୀ, ବୃଦ୍ଧ-ଯୁବକ ସମସ୍ତେ ପ୍ରଭୁଙ୍କ ସହିତ ଏକ ହୋଇଯା’ନ୍ତି। ଏ ରଥଯାତ୍ରାର ପ୍ରତ୍ୟେକ ଉପାଦାନ ଗଭୀର ପ୍ରତୀକବାଦରେ ପରିପୂର୍ଣ୍ଣ। ପ୍ରଭୁ ଜଗନ୍ନାଥଙ୍କ ରୂପ – ବଡ଼ ବଡ଼ ଚକା ଆଖି ଓ ଅସମ୍ପୂର୍ଣ୍ଣ ଅଙ୍ଗ ଅନନ୍ତକୁ ପ୍ରତିନିଧିତ୍ୱ କରେ। କହିଯାଏ ଗୋଟିଏ କଥା ଆଦି କିମ୍ୱା ଅନ୍ତ ବିନା ଏକ ହିଁ ଈଶ୍ୱର, ଯିଏ କି ମଣିଷର ସମସ୍ତ କଳ୍ପନାକୁ ଅତିକ୍ରମ କରିପାରନ୍ତି। ଏ ପବିତ୍ର ଘୋଷଯାତ୍ରା ଜନ୍ମ-ପୁନର୍ଜନ୍ମ ମାଧ୍ୟମରେ ଆତ୍ମାର ଯାତ୍ରାର ରୂପକ ମାତ୍ର।

ଆଜି ମଧ୍ୟ ଏକ କ୍ରମବର୍ଦ୍ଧିଷ୍ଣୁ ବିଖଣ୍ଡିତ ବିଶ୍ୱରେ ରଥଯାତ୍ରା ଏକତା, ନମ୍ରତା ଓ ଆଶାର ଏକ ଆଲୋକପଥ ଭାବରେ ଠିଆ ହୋଇଛି। ପ୍ରମାଣ କରୁଛି ଯେ, ସେ ଦିବ୍ୟସତ୍ତା ସମସ୍ତଙ୍କର। ଏ ଅନନ୍ତ ରଥପଥ ହିଁ ଶ୍ରୀଜଗନ୍ନାଥ। ଏହା ବିଶ୍ୱର ଆଧ୍ୟାତ୍ମିକ ଐତିହ୍ୟ ଏବଂ ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଅନନ୍ତ ବନ୍ଧନର ଏକ ଜୀବନ୍ତ ପ୍ରତିମୂର୍ତ୍ତି। ବର୍ଷ ପରେ ବର୍ଷ ଏମିତି ଅନନ୍ତ କାଳ ଯାଏଁ ଜାରି ରହିଥିବ ଏ ଅନନ୍ତ ଯାତ୍ରା। ଯେତେବେଳେ ପଶ୍ଚିମାକାଶରେ ସୂର୍ଯ୍ୟ ଅସ୍ତଗାମୀ ହେଉଥିବେ, ଯେତେବେଳେ ଶେଷ ରଥ ମନ୍ଦିର ଦ୍ୱାରରେ ପହଞ୍ଚୁଥିବ ଏବଂ ସଂକୀର୍ତ୍ତନରେ ଉଦଣ୍ଡ କୀର୍ତ୍ତନ କରୁଥିବା ଭକ୍ତମାନେ ଥକି ପଡୁଥିବେ, ସେତେବେଳେ ଘରମୁହାଁ ହେବାକୁ ଚାହୁଁଥିବ ଭକ୍ତ, ହେଲେ ତା’ମନରେ ଥିବ ଗୋଟିଏ କଥା – ପ୍ରଭୁ କେବଳ ମନ୍ଦିର ଏବଂ ରଥାରୂଢ଼ ହୋଇ ନାହାନ୍ତି, ତାଙ୍କୁ ମୁଁ ତ ମୋ ହୃଦରତ୍ନସିଂହାସନରେ ବସାଇ ଯାତ୍ରା କରୁଛି…।

ଡକ୍ଟର ଫକୀର ମୋହନ ନାହାକ

ଜୟ ଜଗନ୍ନାଥ!

(ମଣିପାଲ ବିଶ୍ୱବିଦ୍ୟାଳୟ)

ଜୟପୁର(ରାଜସ୍ଥାନ) ମୋ: ୯୯୩୭୨୫୨୪୬୪

ଓଡ଼ିଆ ଭାଷା ଓ ସାହିତ୍ୟର ଭବିଷ୍ୟତ
ବର୍ତ୍ତମାନ ବିଶ୍ୱ ଜନମାନସ ଆଗ ଭଳି ସାହିତ୍ୟାନୁରାଗୀ ନୁହେଁ। ବର୍ତ୍ତମାନ ସାହିତ୍ୟ ପଛ ଧାଡ଼ିରେ। ଆଗରେ ଅଛି -ଏସ.ଟି.ଇ.ଏମ.(ସାଇନ୍ସ-ବିଜ୍ଞାନ, ଟେକ୍‌‌ନୋଲଜି-ବୈଷୟିକ ଜ୍ଞାନକୌଶଳ, ଇଞ୍ଜିନିୟରିଂ-ଯାନ୍ତ୍ରିକ ବିଦ୍ୟା, ମ୍ୟାଥମେଟିକ୍‌‌ସ-ଗଣିତ)। ଆମେରିକା, ଚୀନ ଆଦି ବିକଶିତ ଦେଶମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଆଜିର ଦୁନିଆ ସହିତ ତାଳ ଦେଇ ନିଜକୁ ବଞ୍ଚାଇ ରଖିବାକୁ ହେଲେ ଏହା ଉପରେ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ ହେଇପଡ଼ିଛି।

ଜେଡ ଜେନେରେସନର କ୍ୱଚିତ ପିଲା (୧୩ ରୁ ୨୮ ବର୍ଷ ବୟସ) କ୍ଲାସିକ କିମ୍ବା ସମସାମୟିକ ସାହିତ୍ୟ ପଢ଼଼ନ୍ତି ବା କୌଣସି ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ଜାଣନ୍ତି। କେବଳ ବେବି ବୁମର୍ସ (ଜନ୍ମ ୧୯୪୬- ୧୯୬୪) ଏବଂ ଜେନ ଏକ୍ସ (ଜନ୍ମ ୧୯୬୫-୧୯୮୦)ମାନେ ସାହିତ୍ୟ ପାଠକ ବର୍ଗର ଅଟନ୍ତି। ଅର୍ଥାତ ସାହିତ୍ୟ ଧାରାରେ ନୂଆ ପିଢ଼ିର ଉପସ୍ଥିତି ନଗଣ୍ୟ। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେବା ସ୍ୱାଭାବିକ। ଏଠାରେ ସାଧାରଣ ସାହିତ୍ୟ ପାଠକଙ୍କ ସଂଖ୍ୟା ଖୁବ କମ ଏବଂ ପ୍ରାୟତଃ ବୟସ୍କ କବି ଓ ଲେଖକମାନେ ହିଁ ପରସ୍ପରର କୃତି ପଢ଼଼ିବାର ଦେଖାଯାଇଥାଏ। ସାଧାରଣ ଲୋକଙ୍କର ସାହିତ୍ୟ ସହିତ ସମ୍ପର୍କ କେବଳ ଇକେକ୍ଟ୍ରୋନିକ ମିଡିଆର କିଛି ସୋପ ଅପେରା, ଲଘୁ ସଙ୍ଗୀତ, ଶସ୍ତା ଧାରାବାହିକ ଓ ଫର୍ମୁଲା ଚଳଚ୍ଚିତ୍ରରେ ସୀମିତ ହେଇ ରହିଯାଉଛି। ଅପରପକ୍ଷରେ ଉନ୍ନତମାନର ଓଡ଼ିଆ ଚଳଚ୍ଚିତ୍ର, ଲଘୁ ସଙ୍ଗୀତ ଓ ଧାରାବାହିକ ଅଭାବରେ ଓଡ଼ିଶାର ଦର୍ଶକମାନଙ୍କ ନିକଟରେ ଦିନକୁ ଦିନ ଅନ୍ୟାନ୍ୟ ଭାଷାର ଚଳଚ୍ଚିତ୍ର ଓ ଲଘୁ ସଙ୍ଗୀତର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

ଏ ତ ଗଲା ସାହିତ୍ୟ କଥା। ଭାଷାକୁ ଆସିବା। ଏ ବିଷୟରେ ତର୍ଜମା କଲା ବେଳେ ଓଡ଼ିଆ ଭାଷାର ଭବିଷ୍ୟତ ସେତେ ଉଜ୍ୱଳ ଦେଖାଯାଏ ନାହିଁ। ପୃଥିବୀର ପ୍ରାୟ ୮୨୨ କୋଟି ଲୋକଙ୍କ ଭିତରୁ ଇଂରାଜୀ ଭାଷାଭାଷୀ ମାତ୍ର ୩୯ କୋଟି ବା ୪.୭%। କିନ୍ତୁ ପୃଥିବୀର ପାଖାପାଖି ୧୫୩ କୋଟି ବା ୧୮.୬% ଲୋକ ଇଂରାଜୀ ବ୍ୟବହାର କରନ୍ତି, ଯାହାକି ସର୍ବାଧିକ ବ୍ୟବହୃତ ଭାଷାର ମାନ୍ୟତା ପାଇଚାଲିଛି। ପ୍ରାୟ ୫ କୋଟି ଓଡ଼ିଆ ବିଶ୍ୱ ଜନସଂଖ୍ୟାର ପାଖାପାଖି ୦.୬ ଭାଗ। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୮୨ ଭାଗ ଲୋକଙ୍କର ମୁଖ୍ୟ ବ୍ୟବହୃତ ଭାଷା ଓଡ଼ିଆ। ଓଡ଼ିଶା ବାହାରେ ରହୁଥିବା ଖୁବ କମ ଲୋକ ଓଡ଼ିଆ ବୁଝିପାରନ୍ତି।

ଦିନକୁ ଦିନ ଅଣଇଂରାଜୀ ଭାଷାଭାଷୀ ଦେଶ (ଭାରତ, ଚୀନ, ଜର୍ମାନୀ, ନେଦରଲାଣ୍ଡ ସମେତ ଅନ୍ୟ ଏସୀୟ ଓ ଆଫ୍ରିକୀୟ ଦେଶ)ମାନଙ୍କରେ ଇଂରାଜୀ ଭାଷାର ପ୍ରଚାର ପ୍ରସାର ବଢ଼଼ି ଚାଲିଛି। ସମଗ୍ର ବିଶ୍ୱରେ କେବଳ ଇଂରାଜୀ ହିଁ ସାଧାରଣ ଭାବ ବିନିମୟ ଓ ଶିକ୍ଷାର ମାଧ୍ୟମ ହେବାକୁ ବସିଛି। କାରଣ ଇଂରାଜୀ ଭିନ୍ନ ଅନ୍ୟ ଭାଷାରେ ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ଓ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ବିଷୟରେ ଜ୍ଞାନ ଆହରଣ କରିବା ଏବଂ ବୈଜ୍ଞାନିକ, ଯୁକ୍ତିବାଦୀ ଆଧୁନିକ ମଣିଷର ଭାବାବେଗକୁ ପ୍ରକାଶ କରିବା କଷ୍ଟକର। ସେଥିପାଇଁ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଇଂରାଜୀ ଶବ୍ଦ ଓ ଭାଷାର ପ୍ରଚଳନ ଅପରିହାର୍ଯ୍ୟ ହେଇପଡ଼ିଛି।

ଓଡ଼ିଆ ମାଧ୍ୟମରେ ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଅନିଛୁକ। ଓଡ଼ିଆ ମାଧ୍ୟମରେ ଦଶମ ଯାଏଁ ପଢ଼଼ିଥିବା ଏବେକାର ଅନେକ ଓଡ଼ିଆ ପିଲା ହିନ୍ଦୀ ଓ ସଂସ୍କୃତ ବିଷୟକୁ ତୃତୀୟ ଭାଷା ଭାବେ ନେଇ ପଢ଼଼ନ୍ତି। ଅପରପକ୍ଷରେ ଓଡ଼ିଆ କିମ୍ୱା ଅନ୍ୟ ଭାରତୀୟ ଭାଷା ଠିକ ଭାବେ ପଢ଼଼ି ବା ବୁଝି ପାରୁ ନ ଥିବା ବେଳେ ପ୍ରତ୍ୟେକ କାମ ପାଇଁ କେବଳ ଇଂରାଜୀକୁ ହିଁ ଏକମାତ୍ର ବିକଳ୍ପ ଭାଷା ଭାବେ ବାଛି ନେଇଥିବାର ପ୍ରତ୍ୟକ୍ଷ ଅନୁଭୂତି ଲେଖକର ରହିଛି। ବର୍ତ୍ତମାନ ପିଢ଼ି ସାମ୍ନାରେ ପ୍ରଶ୍ନବାଚୀ – ଯଦି ସେମାନେ ଇଂରାଜୀରେ ମେଲ କରିବେ, ମେସେଜ କରିବେ, ଚାଟିଙ୍ଗ କରିବେ, ପାଠ ପଢ଼଼ିବେ, ସାକ୍ଷାତକାର ଦେବେ, ଅଫିସ କାମ କରିବେ, ମନୋରଞ୍ଜନ ପାଇଁ ଇଂରାଜୀ ଚଳଚ୍ଚିତ୍ର ଦେଖିବେ ତେବେ ଓଡ଼ିଆ ପଢ଼଼ିବେ କାହିଁକି? ଆଉ ବିନା ଭାଷାଜ୍ଞାନରେ ସାହିତ୍ୟର ଗଭୀରତାକୁ ଜଣେ ଛୁଇଁବ କେମିତି?

ଓଡ଼ିଆ ସାହିତ୍ୟର ପାଠକୀୟତା ଓ ଓଡ଼ିଆ ଭାଷାର ଗ୍ରହଣୀୟତାରେ ବୃଦ୍ଧି ନଘଟିଲେ ଏହାର ଆୟୁଷ ବେଶୀ ଦିନ ନୁହେଁ। ଏକଦା ମହାନ ଭାଷାର ମାନ୍ୟତା ପାଇଥିବା ସଂସ୍କୃତର ଅବସ୍ଥା ଏବେ ଯାହା, ସେହି ଅବସ୍ଥା ଭବିଷ୍ୟତରେ ଓଡ଼ିଆ ଭାଷା ଭୋଗିବାକୁ ଯାଉଛି। ତେଣୁ ଏ ସମୟ ଓଡ଼ିଆ ସାହିତ୍ୟର ଆଲୋଚକ, ପ୍ରକାଶକ ଓ ଲେଖକମାନଙ୍କ ପାଇଁ ଏକ ଆହ୍ୱାନର ସମୟ। ନୂତନ ପିଢ଼ିକୁ ଓଡ଼ିଆ ଭାଷା ଓ ସାହିତ୍ୟ ଅନୁରାଗୀ କରାଇବାକୁ ହେଲେ ଯୁବ ପିଢ଼ିର ରୁଚି, ଚିନ୍ତା, ଚେତନା, ସମସ୍ୟା ଓ ଆବଶ୍ୟକତାକୁ ଆଖି ଆଗରେ ରଖି ସଂକ୍ଷିପ୍ତ, ବୋଧଗମ୍ୟ, ସରଳ, ଭାବଗର୍ଭକ ଓ ଯୁଗପୋଯୋଗୀ ସାହିତ୍ୟ କୃତିକୁ ପ୍ରୋତ୍ସାହନ ଦେବା ସହିତ ଭାଷାର ଶବ୍ଦକୋଷରେ ସାମ୍ପ୍ରତିକ ମାନବୀୟ ଭାବର ପ୍ରକାଶଯୋଗ୍ୟ ଯଥେଷ୍ଟ ଶବ୍ଦ ରହିବା ଦରକାର। ସେଥିପାଇଁ ହୀନମନ୍ୟତା, ଗତାନୁଗତିକତା, ରକ୍ଷଣଶୀଳତା ଓ ଗୋଷ୍ଠୀ ପ୍ରତିଯୋଗିତାରୁ ଊର୍ଦ୍ଧ୍ବକୁ ଆସି କାମ କଲେ ହୁଏତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆଗାମୀ ପିଢ଼ି ଯାଏ ବଞ୍ଚିବାରେ ସାହାଯ୍ୟ କରି ହୁଅନ୍ତା।

ମଦନ ମୋହନ ମହାପାତ୍ର

ଭୁବନେଶ୍ୱର, ମୋ:୯୮୯୨୦୦୦୨୨୪

ଘୋଷଯାତ୍ରାରେ ଶ୍ରୀପୁରୁଷୋତ୍ତମ ଚେତନା
ଆଜି ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା। ବଡ଼ଦାଣ୍ଡରେ ଦିବ୍ୟ ଆଭରଣରେ ମଣ୍ଡିତ ହୋଇ ଝଟକୁଛନ୍ତି ତିନିରଥ। ନିର୍ଦ୍ଦେଶ ପାଇବା ମାତ୍ରେ ବ୍ରହ୍ମଲୋକ ପର୍ଯ୍ୟନ୍ତ ଅତିକ୍ରମ କରିଯିବେ। ରଥରୂଢ଼ ନୀଳାଚଳ ଶିଖା ମଣେ। କ୍ଷରଶୀଳ ଜଗତରୁ ଅତୀତ, ଅକ୍ଷର ଜୀବ ଭୂତ ଆତ୍ମାଠାରୁ ଶ୍ରେଷ୍ଠ, ସବୁର ଆଦି, ଅନ୍ତ, ମଧ୍ୟ, ପରମ- ଧାମ ଓ ଆଧାର ମଧ୍ୟ ଏହି। ଏଠି ରାଜା-ପ୍ରଜା, ଉଚ୍ଚ-ନୀଚ, ଧନୀ-ଦରିଦ୍ର, ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ସମସ୍ତେ ସମାନ। କେହି ଜ୍ୟେଷ୍ଠ-ଶ୍ରେଷ୍ଠର ଅଧିକାରୀ ନୁହନ୍ତି। ସେହି କ୍ଷରାକ୍ଷରାତୀତ ଏ ପରମ ପୁରୁଷ ଜଗତର ଏକମାତ୍ର କାରଣ। ସମସ୍ତ ଚିନ୍ତା-ଚେତନାକୁ, ଧର୍ମ-ଧାରଣାକୁ ଧଣ୍ଡା ମାଳ ସମ ଗଳାରେ ଲମ୍ୱାଇ ସୃଷ୍ଟି କରିଛନ୍ତି ଏକ ଧର୍ମୀୟ ମହୋଦଧି। ‘ଐତିହାସିକତାର ପ୍ରମାଣ ଖୋଜ ନାହିଁ; କେବଳ ମାନବବାଦର ଆଧ୍ୟାତ୍ମିକ ଭାବନାକୁ ସାକ୍ଷ୍ୟ ରୂପେ ଗ୍ରହଣ କର’ – ଏ ଭାବନା ତାଙ୍କ ସଂସ୍କୃତିରେ ପାଖୁଡ଼ା ପାଖୁଡ଼ା ହୋଇ ଉନ୍ମୋଚିତ ହୋଇଛି।

ବହୁ ଧର୍ମର ଧ୍ୱଜା ଏ ମାଟିରେ ଉଡ଼ିଛି। ବହୁ ଧର୍ମର ମହାପ୍ଳାବନ ଘଟିଛି ଏ ମାଟିରେ। ତଥାପି ତା’ର ରୂପ, ଗୁଣ, ଧର୍ମକୁ କେହି ପରିବର୍ତ୍ତନ କରିପାରି ନାହାନ୍ତି; ବରଂ ସେମାନେ ସେ ଦାରୁଦେହରେ ସ୍ୱ ସ୍ୱ ଧର୍ମର ଇଷ୍ଟକୁ ଦର୍ଶନ କରି ପ୍ରତ୍ୟେକେ ତା’କୁ ନିଜର କରି ନେଇଛନ୍ତି। ଫଳତଃ ତାହାକୁ କେନ୍ଦ୍ର କରି ଗଢ଼ି ଉଠିଛି ଏକ ବିରାଟ ସାଂସ୍କୃତିକ ସୌଧ। ସମୟର ସ୍ରୋତରେ ମହାଭାରତୀୟ ବିଚାରଧାରା, ବ୍ୟବହାରିକ ରୀତିନୀତିକୁ ନେଇ ଗଢ଼ି ଉଠିଥିବା ଆର୍ଷ ଓ ଆପ୍ତ ରୂପକ ଦୁଇଟି ପରମ୍ପରା ଦିନେ ବିପରୀତ ଦିଗରେ ଧାବିତ ହୋଇ ସରସ୍ୱତୀ ସଭ୍ୟତାଠାରୁ ଆରମ୍ଭ କରି ସରିତ ସଭ୍ୟତା ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିଲା। ଗୋଷ୍ଠୀ ଭାବନାକୁ କେନ୍ଦ୍ର କରି ମୈତ୍ରୀ ଭାବନା ବିବାଦରେ ପରିଣତ ହୋଇଥିଲା। ସେହି ବିବାଦର ସମାଧାନ ଏହିଠାରେ ହିଁ ସମ୍ଭବ ହୋଇଛି।

ବଡ଼ ବିଚିତ୍ର ବିଚିତ୍ର ଏହାଙ୍କ ପରମ୍ପରା। ଯେଉଁଠାରେ ଶବର, ଦିଶାରି ଓ ଆର୍ଯ୍ୟ ପୁରୋଧା ସମାନ ଭାବରେ ସ୍ୱସ୍ୱ ଆସନରେ ମର୍ଯ୍ୟାଦାବନ୍ତ ହୋଇଥା’ନ୍ତି। ଯେଣୁ ଏ ସଂସ୍କୃତିର ମୂଳମନ୍ତ୍ର ସମନ୍ୱୟବାଦ, ଏହାଙ୍କ ଯଜ୍ଞ ପ୍ରତିଷ୍ଠିତ ଅନ୍ନ(ମହାପ୍ରସାଦ) ଜାତିଭେଦ ରହିତ। ମୁକ୍ତିକାମୀ ଜନଜୀବନର ଆଲୋକବର୍ତ୍ତିକା। ଏହାଙ୍କ ନିର୍ମାଣ ଶୈଳୀକୁ ଦେଖାଯାଉ। ସବୁରି ମଧ୍ୟରେ ତାଙ୍କର ନେତ୍ରଦ୍ୱୟ। କେହି କେବେ ଏହାଙ୍କ ନେତ୍ରଦ୍ୱୟକୁ ରମଣୀୟ ନେତ୍ର କହିପାରେ? ଶାବର ପଦ୍ଧତିରେ ଏ ନେତ୍ର ଉପାସିତ ହେଉଥିଲେ ମଧ୍ୟ ସମଗ୍ର ଜଗତ୍‌‌ ଏ ନେତ୍ର ମଧ୍ୟରେ ଯେଉଁ ଚରମ ସତ୍ୟକୁ ଉଦ୍‌‌ଘାଟନ କରିଛି, ତାହା ହେଉଛି ‘ସମ ଦୃଷ୍ଟିପାତ’। ନେତ୍ର ମଧ୍ୟସ୍ଥ ଘୂର୍ଣ୍ଣିୟମାନ ସେ ତ୍ରାଟକ ଡୋଳା, ଦଶଦିଶାକୁ ସମ ବ୍ୟବଧାନରେ ଧାବିତ ହୋଇଥାଏ। ଏଥିରୁ କ’ଣ ପ୍ରମାଣିତ ହୁଏ? ଏଥିରୁ ପ୍ରମାଣିତ ହୁଏ ଏ ଦ୍ରଷ୍ଟା ନିରପେକ୍ଷ ଭେଦଭାବରହିତ। ଅଙ୍ଗୁଳିଯୁକ୍ତ ହସ୍ତ ଦଣ୍ଡ ନିର୍ଦ୍ଦିଷ୍ଟ ବସ୍ତୁକୁ ସ୍ପର୍ଶ ଜନିତ ସୁଖ ପ୍ରଦାନ କରିଥାଏ। ମାତ୍ର ଅଙ୍ଗୁଳି ବିହୀନ ହସ୍ତ ସାର୍ବଜନୀନ ସୁଖ ଦିଏ, ଯାହାକି ସଦା ନିରପେକ୍ଷତା ଉପରେ ପ୍ରତିଷ୍ଠିତ।

ଏବେ ଏହାଙ୍କ ସୃଷ୍ଟିରେ ବିରଳ ଦର୍ଶନ ବିଧିକୁ ଦେଖାଯାଉ। ଦେଖିଛ କେଉଁଠାରେ ସାଧକ ତା’ର ସାଧ୍ୟକୁ କୋଳ କରିବାର ପଦ୍ଧତି? ଉପାସ୍ୟ ତା’ର ଉପାସକକୁ ଆଲିଙ୍ଗନ କରିବାର ଭାବଭଙ୍ଗୀ? ଏଥିରେ ଜାତି-ଅଜାତି, ସ୍ପୃଶ୍ୟ-ଅସ୍ପୃଶ୍ୟର ହୀନମାନ୍ୟତା ଭାବ ନାହିଁ। ଏବେ ଦେଖିବା ବର୍ଣ୍ଣ ବା ରଙ୍ଗ ଭେଦ। ସମଗ୍ର ବିଶ୍ୱବାସୀଙ୍କୁ ତିନି ଗୋଟି ବର୍ଣ୍ଣ (ରଙ୍ଗ) ଭେଦରେ ବିଭକ୍ତ କରାଯାଇପାରେ – ଶ୍ୱେତ, ପୀତ, କୃଷ୍ଣ। ତାହାର ଏକତ୍ରୀକରଣ ଶ୍ରୀପୁରୁଷୋତ୍ତମ ଚେତନାରେ ସମ୍ଭବ ହୋଇପାରିଛି। ଏହାଦ୍ୱାରା ସମଗ୍ର ବିଶ୍ୱରେ ମୁଣ୍ଡଟେକି ଉଠୁଥିବା ବର୍ଣ୍ଣଭେଦ ଭାବ ଏଠାରେ ବିଲୟ ଘଟିଛି। ପ୍ରକାରାନ୍ତରେ ଶ୍ରୀପୁରୁଷୋତ୍ତମ ଚିନ୍ତନ ଘୋଷଣା କରୁଛି – ବର୍ଣ୍ଣବୈଷମ୍ୟ ଜନିତ ଭାବନାକୁ ମନ ମଧ୍ୟରୁ ପରିହାର କରି ଭ୍ରାତୃତ୍ୱର ଶୃଙ୍ଖଳାରେ ସମସ୍ତେ ଆବଦ୍ଧ ହୁଅ।

ମଣିଷ ମନରେ ପୂର୍ଣ୍ଣତା ଆସେ, ଯେବେ ତା’ର ମନ ମଧ୍ୟରେ ସହନଶୀଳତାର ଭାବ ସାର୍ଥକ ଲଭେ। ଅର୍ଥାତ୍‌‌ ଯେତେବେଳେ ସେ ଦୀପ୍ତତା ସହିତ ସହନଶୀଳତାକୁ ସମଜ୍ଞାନ କରେ। ଏପରି ଧାରା କେବଳ ଶ୍ରୀପୁରୁଷୋତ୍ତମ ଜଗନ୍ନାଥ ସଂସ୍କୃତିରେ ପ୍ରତିଭାତ ହେଉଛି। ଏଠାରେ ସୃଷ୍ଟି ବିଚାର ଧାରାକୁ ପର୍ଯ୍ୟାଲୋଚନା କରାଯାଉ। ଜଗତରେ ଯେତେ ପଦାର୍ଥ ଅଛି, ତା’କୁ ଯଦି ଅଗ୍ନିରେ ନିକ୍ଷେପ କରିବା ତା’ର ଏକ ପାର୍ଶ୍ବ ଉତ୍ତପ୍ତ ହେଲେ ଅପର ପାର୍ଶ୍ବ ତାପ ପ୍ରଦାନ କରିବ। ମାତ୍ର ସମଗ୍ର ଜଗତରେ ଏକମାତ୍ର ଦାରୁ (କାଷ୍ଠ)କୁ ଯଦି ସେହି ପକ୍ରିୟାରେ ଦେଖାଯାଏ, ତେବେ ତା’ର ଏକ ପାର୍ଶ୍ବ ଉତ୍ତପ୍ତ (ଜଳୁଥିବା) ହେଉଥିବା ସମୟେ ପାରପାର୍ଶ୍ବ ଶୀତଳତା ପ୍ରଦାନ କରୁଥିବ। ତେଣୁ ଜଡ଼ ଓ ଚେତନା ମଧ୍ୟରେ ସମନ୍ୱୟ ରକ୍ଷା କରେ ଶ୍ରୀପୁରୁଷୋତ୍ତମ ସଂସ୍କୃତି, ଯାହାର ପଟ୍ଟାନ୍ତର ନାହିଁ। ଏ ଚିନ୍ତନକୁ ଭୁବନବିଦିତ କରିବା ପାଇଁ ସ୍ୱୟଂ ଦେବାଧିଦେବରାଜ ଆପଣାର ବାପୁକୁ ଦାରୁରେ ନିର୍ମାଣ କରାଇଛନ୍ତି।

ସେବା ଭାବକୁ ଦେଖିବା। ଆର୍ଯ୍ୟ ମତବାଦର ପ୍ରବର୍ତ୍ତକ ରାଜଶ୍ରୀ ଇନ୍ଦ୍ରଦ୍ୟୁମ୍ନ ଯଦି ଶାବରମାନଙ୍କୁ ଯଥାମାନ୍ୟ ମର୍ଯ୍ୟାଦା ଦେଇ ସେମାନଙ୍କୁ ତୃପ୍ତ କରିବାର ଅଭିଳାଷ ମନରେ ପୋଷଣ କରିଥା’ନ୍ତେ, ତେବେ ତାଙ୍କୁ ମହାପ୍ରଭୁଙ୍କ ବହୁ ମହାର୍ଘ୍ୟ ସେବା ମିଳି ପାରିଥା’ନ୍ତା। ପରନ୍ତୁ ଏ ପ୍ରତିଷ୍ଠାପକ ଶକ୍ତି ସମାଜର ସର୍ବକନିଷ୍ଠ ସେବା(ମାର୍ଜନୀ)କୁ ଆଦରି ନେଲେ କାହିଁକି? ପରକ୍ଷଣରେ ସେ ମହାଭାଗ ପ୍ରମାଣ କରିଦେଇ ଗଲେ ସମାଜର ସର୍ବୋଚ୍ଚ ଆସନରେ ଯେ ଆସୀନ ହେବ ସେ ସମାଜର ସର୍ବନିମ୍ନ ସେବାର ଆଦର୍ଶକୁ ଗ୍ରହଣ କରିବା ଉଚିତ୍‌‌। ସୃଷ୍ଟିର ଆଦିମ ଚିନ୍ତା ଏହି କି, କନିଷ୍ଠକୁ ତଥା ତାଙ୍କର ମହତ୍ତ୍ୱକୁ ପ୍ରତିଷ୍ଠା କରାଇବା ଜ୍ୟେଷ୍ଠର ପ୍ରଧାନ କର୍ତ୍ତବ୍ୟ। ତେଣୁ ଏ ଭାବ ଧାରାକୁ ଲୋକଲୋଚନରେ ପରିପ୍ରକାଶ କରିବା ପାଇଁ ସ୍ୱୟଂ ମହାପ୍ରଭୁ ତଳେ ରହି ପ୍ରାସାଦର ସର୍ବୋଚ୍ଚ ଶିଖରରେ ଦେବାୟୁଧ ସୁଦର୍ଶନଙ୍କୁ ସ୍ଥାନ ଦେଇ ତାହାଙ୍କ ନିକଟରେ ଜଗତର କଲ୍ୟାଣକାରୀ ବାଣୀକୁ ଉଦ୍‌‌ଘୋଷଣା କରାଉଛନ୍ତି। ଏ ସଂସ୍କୃତିରେ ଭାଇ-ଭଉଣୀ ମଧ୍ୟରେ ଯେଉଁ ଅପ୍ରାକୃତ ସ୍ନେହ, ପ୍ରେମ ତା’ର ସର୍ବବାଦୀ ଦର୍ଶନର ଚରମ ନିଦର୍ଶନ ମଧ୍ୟ ପ୍ରତିଷ୍ଠା ଲାଭ କରିଛି। ଏହି ଭାବଧାରାକୁ ଆଜି ସକଳ ମାନବ ସମାଜ ଆଦରି ନେବା ଉଚିତ୍‌‌।

ପରିଶେଷରେ ଏତିକି କୁହାଯାଇପାରେ ଯେ ଏ ସଂସ୍କୃତିରେ ସଦାସର୍ବଦା ଧର୍ମନିରପେକ୍ଷତା, ଧର୍ମସହବସ୍ଥାନ, ସମନ୍ୱୟବାଦୀ ଦର୍ଶନ, ନିରହଙ୍କାରିତା, ଶାନ୍ତି, ମୈତ୍ରୀ, ପ୍ରୀତି ଓ ସଂହତିର ଘଟିଛି ପୁଷ୍କଳ ପରିପ୍ରକାଶ, ଯହାକି କୋଣସି ଶାସକ ଆପଣାର କ୍ଷମତା ବଳରେ ଏହାକୁ ପ୍ରତିଷ୍ଠା କରିନାହିଁ, ବରଂ ଏହା ଶତାଦ୍ଦୀ ଶତାଦ୍ଦୀ ଧରି ସାଧନା, ପରୀକ୍ଷା, ନିରୀକ୍ଷା ମଧ୍ୟରେ ଗତିକରି ପରିପକ୍ୱତା ଲାଭ କରିଛି। ପରବର୍ତ୍ତୀ ସମୟରେ ଆତ୍ମୀୟତା ଓ ବିଶ୍ୱାସର ଶାଶ୍ୱତ ଧାରାରେ ରୂପ ନେଇଛି ଏକ ଗଣଧର୍ମର। ପୁରୁଷୋତ୍ତମ ଜଗନ୍ନାଥ ଉକ୍ତ ଚେତନା/ ଧର୍ମର ମୂର୍ତ୍ତିମନ୍ତ ପ୍ରତୀକ। ଜାତୀୟ ସଂହତି ରକ୍ଷାର ଦୃଢ଼ କବଚ। ସେ ଏକ ସ୍ୱଚ୍ଛ ମୁକୁର, ଯେଉଁଥିରେ ପ୍ରତିବିମ୍ୱିତ ହୁଏ ମହାନ୍‌‌ ଐତିହ୍ୟ ତଥା ସୁସଂହତ ଭାବନାର, ଆଧ୍ୟାତ୍ମିକ ଉଦାରତାର, ମୈତ୍ରୀ ଚେତନାର, ବିଶ୍ୱ ଭ୍ରାତୃତ୍ୱର। ମାନବିକ ଐକ୍ୟ, ସାମ୍ୟ ତଥା ସମନ୍ୱୟବାଦ, ଜାତୀୟ ସଂହତି, ମାନବିକତା ଏବଂ ସୁସ୍ଥ ସାମାଜିକ ପରମ୍ପରାର ସନ୍ଦେଶ ଏହି ମହାନ ସଂସ୍କୃତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଘୋଷ ଯାତ୍ରା ଅବକାଶରେ ସତେଯେପରି ସୂକ୍ଷ୍ମ ଶ୍ରୁତି ଲଭ୍ୟ ଜ୍ଞାନରେ ଶୁଣାଉଛନ୍ତି – ହେ ବିଶ୍ୱ ମାନବ ଗଣ! ପରସ୍ପର ମଧ୍ୟରୁ ଭେଦଭାବ ଭୁଲି ସ୍ନେହର ବନ୍ଧନରେ ଆବଦ୍ଧ ହୁଅ। ସଂଘବଦ୍ଧ ଭାବରେ ମୈତ୍ରୀ ଭାବନାରେ ପରସ୍ପରକୁ କୋଳାଗ୍ରତ କର। କାରଣ ମୈତ୍ରୀ ପ୍ରଣୋଦିତ ଜନସଂହତି ବିନା ରାଷ୍ଟ୍ରସଂହତି ରକ୍ଷା ଅସମ୍ଭବ। ତେଣୁ ଐକ୍ୟବଦ୍ଧ ହୁଅ। ଏହାଦ୍ୱାରା ରାଷ୍ଟ୍ରୀୟ ମହତ୍ତ୍ୱ ପ୍ରତିଷ୍ଠା ହେବ। ମାନବିକତାର ଅମୀୟ ଧାରା ସର୍ବତ୍ର ପ୍ରବାହିତ ହେବ।

ପଦ୍ମଶ୍ରୀ ରଥଶର୍ମାଙ୍କ ଭାଷାରେ, ଶ୍ରୀଜଗନ୍ନାଥ ସଂସ୍କୃତି କେଉଁ ସ୍ମରଣାତୀତ କାଳରୁ ମହାଭାରତୀୟ ସନାତନ ଚିନ୍ତନରେ ଏକ ସାଂସ୍କୃତିକ ପିଣ୍ଡି, ଯେଉଁଥିରେ ବୈଦିକ ବିଚାର, ବ୍ରହ୍ମ ଜିଜ୍ଞାସାର ସିଦ୍ଧାନ୍ତ, ତାନ୍ତ୍ରିକ ଆଚରଣ ବିଧି, ପୌରାଣିକ ଆଦର୍ଶ ଗତ ଆକ୍ଷାୟିକା ସ୍ତର ବିସ୍ତାରିତ ହୋଇଛି। ତାଦୃଶୀ ତାଙ୍କର ଘୋଷଯାତ୍ରା। ଆଜି ଜଗତ ଯୋଡ଼ହସ୍ତ ହୋଇ ପ୍ରାର୍ଥନା କରୁଛି – ହେ ମହାପ୍ରଭୁ! ତୁମେ ହିଁ ଜଗତର କାରଣ। ଜୟ ଜଗନ୍ନାଥ!

ଚାରଣ ବସନ୍ତ ପଣ୍ଡା

ନୟାଗଡ଼଼, ମୋ: ୯୨୩୭୦୯୫୨୪୯

ମୂଲ୍ୟବୋଧର ସୁରକ୍ଷା
ଗତ ସାତଦିନ ମଧ୍ୟରେ ଦେଶରେ ଏଭଳି ତିନିଟି ଅଘଟଣ ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିଛି, ଯାହା ଆଜିର ସଭ୍ୟ ସମାଜ ଓ ଏକବିଂଶ ଶତାବ୍ଦୀର ମାନବ ସଭ୍ୟତା ପ୍ରତି ଏକ କଳଙ୍କ କହିବାର ଯଥାର୍ଥତା ରହିଛି। ଗଣମାଧ୍ୟମର ଦୃଷ୍ଟି ଆଢ଼ୁଆଳରେ ଦେଶରେ ପ୍ରତିକୋଣରେ ପ୍ରତିକ୍ଷଣରେ ଏଭଳି ଅନେକ ସ୍ପର୍ଶକାତର ଘଟଣା ଘଟୁଥିଲେ ମଧ୍ୟ ନିର୍ଯାତିତ ଓ ପୀଡ଼ିତମାନେ ଭାଗ୍ୟକୁ ଆଦରି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। କେଉଁଠାରେ ଦଳିତମାନଙ୍କର ଘର ପୋଡ଼ି ଦିଆଯାଉଛି ତ କେଉଁଠାରେ ନିଅାଁପାଣି ବାସନ୍ଦ କରାଯାଉଛି। ଏପରିକି ପିଇବା ପାଇଁ ପାଣିରୁ ମଧ୍ୟ ବଞ୍ଚିତ କରାଯାଉଛି। ସେଥିମଧ୍ୟରୁ କାଁ ଭାଁ କେତୋଟି ଘଟଣା ଗଣମାଧ୍ୟମ ଜରିଆରେ ପ୍ରତିଫଳିତ ହେଉଛି।

ନିକଟରେ ଘଟିଥିବା ସେଭଳି ସମ୍ବେଦନଶୀଳ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ଉତ୍ତରପ୍ରଦେଶରେ ଇଟାହ୍ୱା ଜିଲ୍ଳାର ଦାଦରପୁର ଗାଁରେ ଜଣେ ଦଳିତ ବ୍ୟକ୍ତି ପ୍ରବଚନ ଦେଉଥିବା ବେଳେ ସେଥିପାଇଁ ତାଙ୍କର ଅଧିକାର ଉପରେ ପ୍ରଶ୍ନ ଉଠାଇ କିଛି ଲୋକ ତାଙ୍କୁ ଅଧାମୁଣ୍ଡନ କରିବା ଓ ପରିସ୍ରା ପିଇବାକୁ ବାଧ୍ୟ କରିବା ସହିତ ମାଡ଼ ମାରିଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଦ୍ୱିତୀୟ ଘଟଣା ଘଟିଛି ଓଡ଼ିଶାରେ। ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିରି ଗ୍ରାମରେ ଦଳିତ ସମ୍ପ୍ରଦାୟର ଦୁଇଜଣ ବ୍ୟକ୍ତି ସେମାନଙ୍କ ଝିଅର ଶାଶୂଘରକୁ ଯୌତୁକ ଦେବା ପାଇଁ ତିନିଟି ଗାଈ ନେଇ ଯାଉଥିବା ବେଳେ କିଛି ଲୋକ ସେମାନଙ୍କୁ ଅଟକାଇ ଚାନ୍ଦା ଦାବି କରିଥିଲେ। ଚାନ୍ଦା ଦେବାକୁ ମନା କରିବାରୁ ସେମାନଙ୍କୁ ଗୋଚାଲାଣକାରୀ ଭାବେ ଅଭିଯୁକ୍ତ କରି ଅଧା ମୁଣ୍ଡନ କରାଇବା ସହିତ ନର୍ଦ୍ଦମା ପାଣି ପିଆଇବା ଏବଂ ପ୍ରାୟ ଦୁଇକିମି ପର୍ଯ୍ୟନ୍ତ ଆଣ୍ଠେଇ ଚାଲିବାକୁ ବାଧ୍ୟ କରିଥିଲେ। ଦୁଇଟିଯାକ ଘଟଣାରେ ପୁଲିସ୍‌‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ଓଡ଼ିଶା ଘଟଣାରେ ଦଳିତ ମହାସଭା ଆପତ୍ତି ଉଠାଇଥିବା ବେଳେ ଲୋକସଭା ବିରୋଧୀ ଦଳ ନେତା ରାହୁଲ୍‌‌ ଗାନ୍ଧୀ ଘଟଣାକୁ ନିନ୍ଦା କରିଛନ୍ତି।

ଉତ୍ତରପ୍ରଦେଶ ଘଟଣାରେ ମାନବାଧିକାର ଆୟୋଗ ରିପୋର୍ଟ ତଲବ କରିଛନ୍ତି। ତୃତୀୟ ଘଟଣା ଘଟିଛି ଏକ ଘରୋଇ ବିମାନ ଚଳାଚଳ ସଂସ୍ଥାରେ। ବିମାନରେ ତାଲିମ ନେଉଥିବା ଜଣେ ଅଧସ୍ତନଙ୍କୁ ଉପରିସ୍ଥ ଅଧିକାରୀ ଜାତିଆଣ ଆକ୍ଷେପ କରି ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି। ବିମାନ ସଂସ୍ଥା ପକ୍ଷରୁ ଜାତିଆଣ ଅଭିଯୋଗକୁ ଖଣ୍ଡନ କରାଯାଇଥିଲେ ମଧ୍ୟ ପୁଲିସ୍‌‌ ଏଫ୍‌‌ଆଇଆର ବଳରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଜାତିଆଣର ଧୂଅାଁ ଯେ ଶିଳ୍ପ ଓ ସମ୍ଭ୍ରାନ୍ତ ଜଗତକୁ ମଧ୍ୟ ବ୍ୟାପୀଚାଲିଛି ତାହା ଉପରୋକ୍ତ ଘଟଣାରୁ ପ୍ରମାଣିତ ହୋଇଛି।

ବିଡ଼ମ୍ବନା ହେଉଛି ବିଶ୍ୱର ସର୍ବବୃହତ୍‌‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ତା’ର ସମ୍ବିଧାନର ୭୫ତମ ବର୍ଷ ପାଳନ କରୁଛି। ଦେଶ ସ୍ୱାଧୀନତାର ଅମୃତକାଳରେ ଯାତ୍ରା କରୁଛି। ରୂଢ଼ିବାଦୀ ପରମ୍ପରା ଅନ୍ଧବିଶ୍ୱାସ ଆଦିକୁ ପଛରେ ଛାଡ଼ି ବିଶ୍ୱଗୁରୁ ହେବା ପାଇଁ ଭାରତ ସ୍ୱପ୍ନ ଦେଖୁଛି। ଅଥଚ ଆଜି ମଧ୍ୟ ଆମ ସମାଜ ମଧ୍ୟଯୁଗୀୟ ରକ୍ଷଣଶୀଳତା ଓ ବର୍ବରତାରୁ ମୁକ୍ତି ପାଇନାହିଁ। ଆମ ସମ୍ବିଧାନର ଅନେକ ବିଶେଷତ୍ୱ ମଧ୍ୟରୁ ସ୍ୱତନ୍ତ୍ର ହେଲା ସମାଜର ନିମ୍ନସ୍ତରରେ ଥିବା ବର୍ଗଙ୍କ ବିକାଶ ଓ କଲ୍ୟାଣ। ଏହି ପୃଷ୍ଠଭୂମିରେ ସ୍ୱତଃ ପ୍ରଶ୍ନ ଉଠେ ଆମେ ୭୫ ବର୍ଷ ଭିତରେ ସମ୍ବିଧାନର ଏହି ମୌଳିକ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ ହୋଇଛୁ କି? ଇଟ୍‌‌ହ୍ୱା ଓ ଧରାକୋଟ ପରି ଘଟଣା ଭିଆଇ ଆମେ ଆମ ଦେଶଶାସନ ଓ ଗଣତନ୍ତ୍ରର ପବିତ୍ର ଗ୍ରନ୍ଥ ସମ୍ବିଧାନର ସ୍ୱତଃ ଅପମାନ କରୁନାହୁଁ କି? ସଂଯୋଗବଶତଃ ଏହି ଦୁଇଟି ଯାକ ରାଜ୍ୟ ନିକଟରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହେବାର ୫୦ ବର୍ଷ ପୂର୍ତ୍ତି ଅବସରରେ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରିଛନ୍ତି। ତେଣୁ ଉକ୍ତ ଦିବସ ପାଳନର ଶବ୍ଦାର୍ଥ ଓ ତାତ୍ତ୍ୱିକ ଅନୁଶୀଳନ ଏବଂ ଦଳିତ ବିରୋଧୀ ଅଘଟଣକୁ ମିଶାଇ ତର୍ଜମା କଲେ ସାଧାରଣ ଭାବେ ଯେଉଁ ନିଷ୍କର୍ଷ ଆସୁଛି ତାହାର ସରଳ ଓ ସ୍ପଷ୍ଟ ବ୍ୟାଖ୍ୟା ଜରୁରୀ ମନେ ହୁଏ।

ପ୍ରାଚୀନ କାଳରୁ ବର୍ଣ୍ଣାଶ୍ରମ ଆଧାରରେ ଗଢ଼ି ଉଠିଥିବା ଭାରତୀୟ ସାମାଜିକ ବ୍ୟବସ୍ଥା ଓ ସାଂସ୍କୃତିକ ପ୍ରଥାରୁ ଯେ ଜାତିବାଦ ବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ସମ୍ପୂର୍ଣ୍ଣ ଲୋପ କରିଦିଆଯାଇପାରିବ ସେ କ୍ଷମତା ବା ସୁଯୋଗ ଆପାତତଃ କୌଣସି ଶାସନ ଓ ପ୍ରଶାସନର ଥିବା ପରି ମନେ ହେଉନାହିଁ। ତେଣୁ କୌଣସି ସରକାରଙ୍କୁ ଏଥିପାଇଁ ଆକ୍ଷେପ ବା ସମାଲୋଚନା କରିବା ବୃଥା। ଅନ୍ତତଃ ସ୍ୱାଧୀନତାର ଅମୃତକାଳ ମଧ୍ୟରେ ଜାତିବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡ଼ିବା ସମ୍ଭାବନା ଯେ ଆଦୌ ନାହିଁ, ତାହା ଆଗାମୀ ଜାତିଭିତ୍ତିକ ଜନଗଣନା ଘୋଷଣାରୁ ଜୋର ଦେଇ କହିହେଉଛି। ଆଇନ କାନୁ୍‌‌ନ ଓ ବିଧିବ୍ୟବସ୍ଥା ଯେତେ ସ୍ୱଚ୍ଛ, ସରଳ, ଉଦାର କିମ୍ବା କଠୋର ହେଲେ ମଧ୍ୟ ଆମ ଗଣତନ୍ତ୍ରର ନିର୍ବାଚନୀ-ସଂସ୍କୃତି ଜାତିବାଦକୁ ସମାପ୍ତ ହେବାକୁ ଦେବ ନାହିଁ – ଏହା ଅବଧାର୍ଯ୍ୟ। କେବଳ ଆରୋପ-ପ୍ରତ୍ୟାରୋପ, ଆଲୋଚନା-ସମାଲୋଚନା, ଆଲୋଡ଼ନ-ସମବେଦନାର କିଞ୍ଚିତ ଜଳଛିଞ୍ଚନ ଦ୍ୱାରା ଜାତିଆଣ ହିଂସା ଓ ଉତ୍ତେଜନା ସାମୟିକ ପ୍ରଶମିତ ହୋଇଯିବ ସିନା ପାଉଁଶ ତଳେ ଥିବା ନିଅାଁ କେବେ ଲିଭିବ ନାହିଁ। ସମୟ ସମୟରେ ଉସୁକାଣର ପବନରେ ତାହା ପୁଣି ଅଗ୍ନିସ୍ଫୁଲିଙ୍ଗ ପାଲଟୁଥିବ ଏବଂ ଇତିହାସରେ ଗୋଟିଏ ଲେଖାଏଁ କଳଙ୍କିତ ଅଧ୍ୟାୟ ଲେଖି ଚାଲିଥିବ।

ସାମାଜିକ ବ୍ୟବସ୍ଥାରୁ ଜାତିଆଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିଲୋପ ନ ହେବା ପଛରେ ଅନେକ କାରଣ ରହିଛି। କିନ୍ତୁ ଏହା ଯଦି ଉଚ୍ଚଶିକ୍ଷିତ ଓ ସଭ୍ୟ ସମାଜର ପରିଚାୟକ କର୍ପୋରେଟ୍‌‌ କ୍ଷେତ୍ରକୁ ବ୍ୟାପିଥାଏ ତେବେ ତାହାର ପ୍ରତିକାର ଏକ ଉଦ୍‌‌ବେଗଜନକ ଓ ଜଟିଳ ପ୍ରସଙ୍ଗ। କର୍ପୋରେଟ୍‌‌ ଅର୍ଥନୀତିରେ ଜାତିବାଦକୁ ଅନୁଶୀଳନ କରି ସମ୍ବିଧାନ ପ୍ରଣେତା ଡ. ବାବାସାହେବ ଆମ୍ବେଦକର କହିଥିଲେ ଯେ ଅର୍ଥନୀତିରେ ଜାତିବାଦ ଶ୍ରମ ବିଭକ୍ତିକରଣ(ଡିଭିଜନ୍‌‌ ଅଫ ଲେବର) ନୁହେଁ, ବରଂ ଶ୍ରମିକଙ୍କ ବିଭକ୍ତିକରଣ(ଡିଭିଜନ୍‌‌ ଅଫ ଲେବରର)। ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ଯେ ଭାରତୀୟ ସାମାଜିକ ବ୍ୟବସ୍ଥାରେ ଏଭଳି ତୀବ୍ର ବର୍ଣ୍ଣବୈଷମ୍ୟ ଓ ଜାତିଆଣ ମନୋଭାବରୁ ହିଁ ସମ୍ବିଧାନରେ ସଂରକ୍ଷଣ ବ୍ୟବସ୍ଥାଟି ଜନ୍ମ ନେଇଥିଲା, ଯାହା ହଟିବାର କୌଣସି ସମ୍ଭାବନା ଭବିଷ୍ୟତରେ ଦେଖାଯାଉନାହିଁ।

ଆମ ଧର୍ମଧାରଣା ବସୁଧୈବ କୁଟୁମ୍ବକମ୍‌‌ ଉପରେ ଆଧାରିତ। ସର୍ବଧର୍ମ ସମନ୍ୱୟ ଓ ଜାତି-ଧର୍ମ-ବର୍ଣ୍ଣ-ସମ୍ପ୍ରଦାୟ ଭାବନାର ଊର୍ଦ୍ଧ୍ବରେ ମାନବତାର ଉଦ୍‌‌ଘୋଷଣା କରୁଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ପତିତପାବନ ଜଗତରନାଥ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ବଡ଼ଦାଣ୍ଡକୁ ଆସିଛନ୍ତି। ଏହି ପତିତପାବନ ଯାତ୍ରାର ପବିତ୍ର ସନ୍ଦେଶ ଆମ ଜୀବନାଦର୍ଶ ହେଉ। ସବର୍ଣ୍ଣ-ଅସବର୍ଣ୍ଣ ବିଭେଦରୁ ଊର୍ଦ୍ଧ୍ବରେ ଆମ ଦୃଷ୍ଟିକୋଣ ଓ ମାନସିକତା ମାନବବାଦୀ ହେଉ। ମାନବତାର ସୁରକ୍ଷା ହୋଇପାରିଲେ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ସ୍ୱତଃ ହୋଇଯିବ।